‘‘ଜମିଦାରମାନଙ୍କର ସ୍ବାର୍ଥ ହେଉଛି ସର୍ବଦା ସମାଜର ଅନ୍ୟ ସମସ୍ତ ଶ୍ରେଣୀମାନଙ୍କର ସ୍ବାର୍ଥର ପରିପନ୍ଥୀ।’’ ଏହା ଥିଲା ୧୮୧୫ରେ ଅନ୍ୟତମ ମହାନ ଆଦି ଅର୍ଥନୀତିଜ୍ଞ ବ୍ରିଟେନ୍ର ଡେଭିଡ୍ ରିକାର୍ଡୋ ପ୍ରଦାନ କରିଥିବା ଦୂରଦର୍ଶୀ ମନ୍ତବ୍ୟ। ତାହା ଥିଲା ୧୮୦୩ରେ ଫ୍ରାନ୍ସର ନେପୋଲିଅନ୍ ଆରମ୍ଭ କରିଥିବା ୟୁରୋପ୍ ବ୍ୟାପୀ ଯୁଦ୍ଧର ଅନ୍ତିମ ବର୍ଷ। ଏହି ଯୁଦ୍ଧ ସମୟରେ ବ୍ରିଟେନ୍ର ଶସ୍ୟ ବଜାରରେ ଦେଖା ଯାଇଥିବା ଦରଦାମର ଆଚରଣକୁ ଲକ୍ଷ୍ୟ କରି ରିକାର୍ଡୋ ଏଭଳି ଜମିଦାର ବିରୋଧୀ ମନ୍ତବ୍ୟ ପ୍ରଦାନ କରିଥିଲେ। ଉଭୟ ଜନସ˚ଖ୍ୟା ବୃଦ୍ଧି ଓ ଯୁଦ୍ଧର ମିଳିତ ପ୍ରଭାବ ଯୋଗୁଁ ଦେଖା ଦେଇଥିବା ଚାହିଦାରେ ବୃଦ୍ଧି ବଜାରରେ ଶସ୍ୟ ଦରକୁ ଆକାଶଛୁଆଁ କରି ଦେଇଥିଲା। ଏହା ଜମିଦାର ଶ୍ରେଣୀ ପାଇଁ ବେଶ୍ ଲାଭଜନକ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଜୀବନଧାରଣର ବୋଝକୁ ଅସହନୀୟ କରି ତୋଳିଥିଲା।
ଏହି କଠିନ ପରିସ୍ଥିତିରୁ ମୁକୁଳିବାର ଉପାୟ ସ୍ବରୂପ ଶସ୍ୟ ବ୍ୟବସାୟୀମାନେ ଇ˚ଲିଶ୍ ଚାନେଲ୍ ସେପଟରେ ଥିବା ଅନ୍ୟ ୟୁରୋପୀୟ ଦେଶମାନଙ୍କରୁ ଶସ୍ତାରେ ଶସ୍ୟ ଆମଦାନି ଆରମ୍ଭ କରି ଦେଇଥିଲେ। କହିବା ବାହୁଲ୍ୟ, ଏହା ସ୍ପଷ୍ଟ ରୂପେ ଜମିଦାରମାନଙ୍କ ସ୍ବାର୍ଥର ପ୍ରତିକୂଳ ଥିଲା। ବ୍ରିଟିସ୍ ବଜାରରେ ଏହାକୁ ପ୍ରତିହତ କରି ଶସ୍ୟ ଦରକୁ ପୂର୍ବ ପରି ଉଚ୍ଚା ରଖିବା ପାଇଁ ଏହି ଜମିଦାରମାନେ ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ। ସେ ସମୟରେ ବ୍ରିଟିସ୍ ପାର୍ଲିଆମେଣ୍ଟ୍ ଥିଲା ସମ୍ପୂର୍ଣ୍ଣ ରୂପେ ଜମିଦାରମାନଙ୍କ ନିୟନ୍ତ୍ରଣରେ। ସେମାନେ ପାର୍ଲିଆମେଣ୍ଟ୍ରେ ‘କର୍ନ୍ ଲଜ୍’ (‘ଶସ୍ୟ ଆଇନ’) ନାମକ ଆଇନ ପ୍ରଣୟନ କରିଦେଲେ। ଏହା ବଳରେ ଦେଶକୁ ଆମଦାନି ହୋଇ ଆସୁଥିବା ଶସ୍ୟ ଉପରେ ଏକ ଖସଡ଼ା ଶୁଳ୍କ ଲାଗୁ କରି ଦିଆଗଲା: ବିଦେଶୀ ଶସ୍ୟର ଦାମ୍ ଉଚ୍ଚା ଥିଲେ ଶୁଳ୍କ ହାର ନୀଚା ହେବ, ବିଦେଶୀ ଶସ୍ୟର ଦାମ୍ ନୀଚା ଥିଲେ ଶୁଳ୍କ ଉଚ୍ଚା ହେବ। ଏହାର ମର୍ମ ହେଲା ବ୍ରିଟିସ୍ ବଜାରରେ ଆମଦାନି ହୋଇ ଆସୁଥିବା ଶସ୍ୟ ଦେଶୀ ଶସ୍ୟଠାରୁ କେବେ ହେଲେ ଶସ୍ତାରେ ବିକ୍ରୟ ହୋଇ ପାରିବ ନାହିଁ। ବ୍ରିଟେନ୍ର ଖାଉଟିମାନଙ୍କ ପାଇଁ ଶସ୍ୟ ସର୍ବଦା ମହଙ୍ଗା ହୋଇ ରହିବ।
ଏହି ସମସ୍ୟା ଉତ୍କଟ ହେବାରୁ ପାର୍ଲିଆମେଣ୍ଟ୍ରେ ପୁଣି ତା’ର ଆଲୋଚନା କରାଯାଇ ଯେଉଁ ସମାଧାନ ସୂତ୍ର ବାହାରିଲା, ଅବିଶ୍ବାସ୍ୟ ଭାବେ ତାହା ହେଲା- ଆମଦାନି ଶୁଳ୍କକୁ ଆହୁରି ଉଚ୍ଚା କରି ଦିଆଯାଉ! ଏହି ଉଦ୍ଭଟ ପ୍ରସ୍ତାବ ପଛରେ ଥିବା ଯୁକ୍ତି ହେଲା- ଏଥିଯୋଗୁଁ ବଜାରରେ ଶସ୍ୟ ଦର ଉଚ୍ଚା ରହିବ, ଯାହା ଭବିଷ୍ୟତ୍ରେ ଜମି ମାଲିକମାନଙ୍କୁ ଅଧିକ ଗହମ ଚାଷ କରିବାକୁ ଉତ୍ସାହିତ କରିବ। ସୌଭାଗ୍ୟକ୍ରମେ ଏ ପ୍ରସ୍ତାବ କାର୍ଯ୍ୟକାରୀ ହେବା ପୂର୍ବରୁ ନେପୋଲିଅନ୍ଙ୍କ ପରାଜୟ ଘଟିଲା ଏବ˚ ପରେ ପରେ ବଜାରରେ ଶସ୍ୟ ଦର ସ୍ବାଭାବିକ ସ୍ତରକୁ ଖସି ଆସିଲା। କିନ୍ତୁ ବ୍ରିଟେନ୍ରେ ଉପରୋକ୍ତ ‘କର୍ନ ଲଜ୍’ ନାମକ ଆଇନ ଉଚ୍ଛେଦ ହେବାକୁ ଆହୁରି ତିରିଶ ବର୍ଷ ଲାଗି ଗଲା। ଜମିଦାରମାନଙ୍କର ଏହି ଅମିତ ରାଜନୈତିକ କ୍ଷମତା ଦେଖି ରିକାର୍ଡୋ ତାଙ୍କର ଆରମ୍ଭରେ ଉଦ୍ଧାର କରାଯାଇଥିବା ମନ୍ତବ୍ୟ ଦେଇଥିଲେ।
ରିକାର୍ଡୋଙ୍କ ମନ୍ତବ୍ୟ ପ୍ରାୟ ଦୁଇ ଶତାବ୍ଦୀ ତଳେ ଯେଉଁଭଳି ଯଥାର୍ଥ ଥିଲା, ବର୍ତ୍ତମାନ ମଧୢ ସେହିପରି ଅଛି। ଯଦି ଜମିଦାରମାନଙ୍କ ହାତରେ ପୂର୍ବ ଭଳି ରାଜନୈତିକ କ୍ଷମତା ମହଜୁଦ ଥାନ୍ତା, ତେବେ ସେମାନେ ନିଜ ସ୍ବାର୍ଥର ସୁରକ୍ଷା ପାଇଁ ଯେଉଁ ନୀତି ଅବଲମ୍ବନ କରନ୍ତେ, ତାହା ସମାଜର ଅନ୍ୟ ସମସ୍ତ ବର୍ଗର ସ୍ବାର୍ଥହାନି ଘଟାନ୍ତା। ଶ୍ରେଣୀ ସ˚ଘର୍ଷ ସୂଚକ ରିକାର୍ଡୋଙ୍କ ଏହି ନିୟମର ଏବେ ଏକ ଦର୍ପଣ-ପ୍ରତିଛବି ଦେଖିବାକୁ ମିଳୁଛି ଭାରତର ରାଜଧାନୀ ଦିଲ୍ଲୀରେ, ଯେଉଁଠି ପାର୍ଲିଆମେଣ୍ଟ୍ ଦ୍ବାରା ପ୍ରଣୀତ କୃଷି ସ˚ସ୍କାର ଆଇନକୁ ବିରୋଧ କରି ପଞ୍ଜାବରୁ ଆସିଥିବା ହଜାର ହଜାର ‘କୃଷକ’ମାନେ ବିକ୍ଷୋଭ ପ୍ରଦର୍ଶନରେ ବ୍ୟାପୃତ ଅଛନ୍ତି। ରିକାର୍ଡୋଙ୍କ ସମୟରେ ପାର୍ଲିଆମେଣ୍ଟ୍ ଭିତରେ ନ୍ୟସ୍ତ ସ୍ବାର୍ଥ ଭୂମି ମାଲିକମାନେ ନିଜର ସ୍ବାର୍ଥରକ୍ଷା ପାଇଁ ବୃହତ୍ତର ସ୍ବାର୍ଥ ପ୍ରତି ବାଧା ପହଞ୍ଚାଇ ଯେଉଁ ଭଳି ‘କର୍ନ ଲଜ୍’ ପ୍ରବର୍ତ୍ତନ କରିଥିଲେ, ବର୍ତ୍ତମାନ ତାର ଓଲଟ ଛବି ଭଳି ପଞ୍ଜାବର କୃଷି ଅର୍ଥନୀତିରେ ସୃଷ୍ଟି ହୋଇଥିବା ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀମାନେ ସ˚ଖ୍ୟାବହୁଳ କ୍ଷୁଦ୍ର ଚାଷୀମାନଙ୍କ ମଙ୍ଗଳ ସାଧନ ପାଇଁ ଉଦ୍ଦିଷ୍ଟ କୃଷି ସ˚ସ୍କାର ଆଇନକୁ ବାତିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ସକାଶେ ପାର୍ଲିଆମେଣ୍ଟ୍ ବାହାରେ ରାଜନୈତିକ ଶକ୍ତି ପ୍ରଦର୍ଶନ କରିବାକୁ ଆଗେଇ ଆସିଛନ୍ତି।
ସ˚ସ୍କାର ପୂର୍ବରୁ ପ୍ରଚଳିତ ଆଇନ ବୃହତ୍ ଚାଷୀମାନଙ୍କୁ ସୁହାଉଥିବା ବେଳେ କ୍ଷୁଦ୍ର ଚାଷୀମାନଙ୍କୁ ବସ୍ତୁତଃ ସ୍ଥାନୀୟ ମଣ୍ତି ଏବ˚ ପାଉଣା ଅସୁଲକାରୀ ଦଲାଲଙ୍କ ପାଖରେ ବନ୍ଦୀ କରି ରଖିଆସିଥିଲା। ଦେଶର ଅନ୍ୟ ସମସ୍ତ ଉତ୍ପାଦନକାରୀମାନେ କେଉଁଠି ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବେ, ସେ ସମ୍ବନ୍ଧରେ ସ୍ବାଧୀନ ନିଷ୍ପତ୍ତି ନେଇ ପାରୁଥିବା ବେଳେ, କ୍ଷୁଦ୍ର ଚାଷୀଙ୍କର ସେ ସ୍ବାଧୀନତା ନଥିଲା। ଯେହେତୁ ନିଜର ଉତ୍ପାଦିତ ଶସ୍ୟକୁ ମହଜୁଦ କରି ରଖିବାର ସାମର୍ଥ୍ୟ କ୍ଷୁଦ୍ର ଚାଷୀଙ୍କର ନଥାଏ ଏବ˚ ସ୍ଥାନୀୟ ମଣ୍ତିରେ ତାହାକୁ ସେ ବିକ୍ରି କରିବାକୁ ବାଧୢ ହୋଇଥାନ୍ତି, ଦଲାଲର ଦୟା ଉପରେ ନିର୍ଭର କରିବା ବ୍ୟତୀତ ତାଙ୍କର ଅନ୍ୟ ଉପାୟ ନଥାଏ। ବର୍ତ୍ତମାନ କ୍ଷୁଦ୍ର ଚାଷୀ ଚାହିଁଲେ ତାଙ୍କର ଉତ୍ପନ୍ନ ଦ୍ରବ୍ୟକୁ ଉଦାହରଣ ସ୍ବରୂପ ସିଧାସଳଖ କୌଣସି ଖାଦ୍ୟ ପ୍ରକ୍ରିୟାକରଣ ସ˚ସ୍ଥାକୁ ବିକ୍ରୟ କରି ପାରିବେ, ଯାହାଦ୍ବାରା ଦଲାଲର ଶୋଷଣରୁ ରକ୍ଷା ପାଇବେ। କିମ୍ବା ଚାଷୀ ଚାହିଁଲେ ମଧୢ ସ୍ଥାନୀୟ ମଣ୍ତିରେ ନିଜର ଦ୍ରବ୍ୟ ବିକ୍ରି କରି ପାରିବେ।
ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସରକାର ଦେଉଥିବା ବହୁ ଚର୍ଚ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ ବା ‘ଏମ୍ଏସ୍ପି’ରୁ ଦେଶର ମାତ୍ର ୬ରୁ ୮ ଶତା˚ଶ ପର୍ଯ୍ୟନ୍ତ କୃଷକ ଲାଭବାନ ହୋଇଥାନ୍ତି ଏବ˚ ସେମାନେ ହେଉଛନ୍ତି ମୁଖ୍ୟତଃ ପଞ୍ଜାବ ଓ ହରିଆନାର। ସରକାର ମଧୢ ଏହା ଉଚ୍ଛେଦ ହେବାକୁ ଯାଉନାହିଁ ବୋଲି ଘୋଷଣା କରିଛନ୍ତି। ତେବେ ବି ପଞ୍ଜାବ ଓ ହରିଆନାର ‘କୃଷକ’ମାନେ ବିକ୍ଷୋଭ କାହିଁକି କରୁଛନ୍ତି? ଏଥିରୁ ସ୍ପଷ୍ଟ ଯେ ଏ ବିକ୍ଷୋଭର ଆୟୋଜକ ହେଉଛନ୍ତି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀମାନେ ଏବ˚ ଏହା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ନୂତନ ଆଇନ ଯୋଗୁଁ ପଞ୍ଜାବ ଭଳି ରାଜ୍ୟର ସରକାର ସିଧାସଳଖ ଏକ ବେଶ୍ ଉଚ୍ଚା ୮% ହାରରେ ମଣ୍ତିରୁ କେନ୍ଦ୍ର ସରକାର କ୍ରୟ କରୁଥିବା ଶସ୍ୟ ଉପରେ ଆଦାୟ କରୁଥିବା ଟିକସ ଆକାରରେ ବିପୁଳ ଆୟ ହରାଇବେ ଏବ˚ ଦଲାଲ ‘ଅଢ଼ତିୟା’ମାନଙ୍କ ମାଧୢମରେ ଚାଷୀମାନଙ୍କ ଠାରୁ ହାସଲ କରୁଥିବା ରାଜନୈତିକ ସମର୍ଥନ ମଧୢ ହରାଇ ବସିବେ। ଦେଶରେ ପଞ୍ଜାବ ଓ ହରିଆନାରେ ମଣ୍ତି ବ୍ୟବସ୍ଥା ଯେଉଁଭଳି ସୁପ୍ରତିଷ୍ଠିତ, ଅନ୍ୟ କେଉଁଠି ସେଭଳି ଦେଖାଯାଏ ନାହିଁ। ଏ ଦୁଇ ରାଜ୍ୟର ବୃହତ୍ ଭୂମି ମାଲିକମାନେ ‘ଏମ୍ଏସ୍ପି’ ଦ୍ବାରା ପରିପୁଷ୍ଟ ହୋଇ ସେଠାକାର ରାଜନୀତିକୁ ନିୟନ୍ତ୍ରିତ କରିଥାନ୍ତି।
‘ଏପିଏମ୍ସିି’ ମଣ୍ତି ବ୍ୟବସ୍ଥା ସେଠାରେ ଯେଉଁ ‘ଅଢ଼ତିୟା’ମାନଙ୍କୁ ସୃଷ୍ଟି କରିଛି, ସମୟ କ୍ରମେ ସେମାନେ ସେଇ ସ˚କୀର୍ଣ୍ଣ ଦଲାଲ ଭୂମିକାକୁ ଅତିକ୍ରମ କରି କ୍ଷୁଦ୍ରଚାଷୀମାନଙ୍କୁ ଋଣ ଯୋଗାଉଥିବା ମହାଜନ, କୃଷି ଉପାଦାନ ଯୋଗାଣକାରୀରୁ ଆରମ୍ଭ କରି ସରକାର, ବ୍ୟାଙ୍କ୍, ବଜାର ଆଦି ସହିତ ଯୋଗସୂତ୍ର ରକ୍ଷାକାରୀରେ ପରିଣତ ହୋଇ ଯାଇ ସାରିଛନ୍ତି। କ୍ଷୁଦ୍ର ଚାଷୀମାନଙ୍କ ଉପରେ ‘ଅଢ଼ତିୟା’ମାନଙ୍କର ଏଭଳି ବ୍ୟାପକ ପ୍ରଭାବ ସେମାନଙ୍କୁ ଏକ ବିଶେଷ ରାଜନୈତିକ ଶକ୍ତିରେ ମଧୢ ପରିଣତ କରିଛି। କେତେକ ‘ଅଢ଼ତିୟା’ ତ ନିର୍ବାଚନ ଜିତି ବିଧାୟକ ମଧୢ ହୋଇଛନ୍ତି। ତୁଙ୍ଗ ରାଜନେତାମାନେ ‘ଅଢ଼ତିୟା’ମାନଙ୍କୁ ସର୍ବଦା ହାତରେ ରଖିବାକୁ ଚାହାଁନ୍ତି। ଏହାର ଏକ ଖୋଲା ପ୍ରମାଣ ସ୍ବରୂପ ଦୁଇ ବର୍ଷ ତଳେ ପଞ୍ଜାବର ‘ଅଢ଼ତିୟା’ମାନେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସି˚ହଙ୍କୁ ‘ଫକ୍ର-ଏ-କ୍ବମ୍’ (‘ସମ୍ପ୍ରଦାୟର ଗର୍ବ’) ସମ୍ମାନରେ ଭୂଷିତ କରିବା ଦେଖାଯାଇଥିଲା।
ଗ୍ରାମୀଣ ପଞ୍ଜାବର ପ୍ରାୟ ୮୬ ଶତା˚ଶ କୃଷକ ହେଉଛନ୍ତି ଋଣଗ୍ରସ୍ତ ଏବ˚ ସେମାନଙ୍କ ମଧୢରୁ ଏକ ପଞ୍ଚମା˚ଶ ‘ଅଢ଼ତିୟା’ମାନଙ୍କ ଠାରୁ ଋଣ ଆଣିଥାନ୍ତି। ଏହି ଋଣ ଛାଡ଼ କରାଯାଇ ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ଘୋଷଣା କଲା ପରେ ‘ଅଢ଼ତିୟା’ମାନେ ତାଙ୍କୁ ଏଭଳି ସମ୍ମାନିତ କରିଥିଲେ। ଏଥିରୁ ସହଜରେ ବୁଝି ହେବ ପଞ୍ଜାବରୁ ଯେଉଁମାନେ ଆସି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କ ପଛରେ କାହାର ପ୍ରଭାବ କାର୍ଯ୍ୟ କରୁଛି। ଏକ ସ˚କୀର୍ଣ୍ଣ ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀର ଏହି ରାଜନୈତିକ ଚାଲ୍ର ସଫଳ ମୁକାବିଲା କରି କେନ୍ଦ୍ର ସରକାର ପଞ୍ଜାବ ସମେତ ସମଗ୍ର ଦେଶର କୃଷକମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଣିଥିବା ସ˚ସ୍କାର ମାନ କାର୍ଯ୍ୟକାରୀ କରି ଚାଲିବେ ବୋଲି ଆଶା କରାଯାଏ।