ଆମିଷ ଉତ୍ସବ

ପବିତ୍ର କାର୍ତ୍ତିକ ମାସରେ ଯେଉଁ ଆମିଷପ୍ରିୟ ଓଡ଼ିଆଏ ବିଭିନ୍ନ କାରଣରୁ ନିରାମିଷ ଆହାରର ବାଧୢବାଧକତା ଭିତରେ କାଳାତିପାତ କରୁଥାଆନ୍ତି, ସେମାନଙ୍କ ବୈକଲ୍ୟ ଓ ଆମିଷ ରସ ଆସ୍ବାଦନ କରିବା ଲାଗି ସେମାନଙ୍କ ବ୍ୟାକୁଳତା ପରିସ୍ଫୁଟିତ ହେବାକୁ ଆରମ୍ଭ କରେ ମାସର ଅନ୍ତିମ ପାଞ୍ଚ ଦିନ ଅର୍ଥାତ୍‌ ‘ପଞ୍ଚୁକ’ରେ। କେବେ ଏହି ପାଞ୍ଚ ଦିନ ସମାପ୍ତ ହୋଇ ଷଷ୍ଠ ଦିବସରେ ‘ଛାଡ଼ଖାଇ’ ନାମକ ଏକ ମହାର୍ଘ ମୁହୂର୍ତ୍ତର ଆବିର୍ଭାବ ଘଟିବ; ସେଥି ଲାଗି ସେମାନେ ‘ପଞ୍ଚୁକ’ର ପ୍ରାରମ୍ଭରୁ ହିଁ ଦିନ ଗଣି ଚାଲନ୍ତି। ‘ଛାଡ଼ଖାଇ’ ଦିନ ନିରାମିଷ-ଶୃଙ୍ଖଳରୁ ମୁକ୍ତ ହୋଇଥିବା ଏହି ଆମିଷଭକ୍ଷୀମାନଙ୍କ ଆଭିମୁଖ୍ୟର ଦୃଷ୍ଟାନ୍ତ ତା’ ପର ଦିନର ସମ୍ବାଦ ପତ୍ରମାନଙ୍କରେ ଦେଖିବାକୁ ମିଳିଥାଏ, ଯେମିତି ଗତ କାଲିର ଏହି ସମ୍ବାଦପତ୍ରରେ ପରିଦୃଷ୍ଟ ହୋଇଛି ‘୨୬୦୦ କ୍ବିଣ୍ଟାଲ ବୋହିନେଲେ’ ଶୀର୍ଷକଧାରୀ ସମ୍ବାଦରେ। ତହିଁରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ କେବଳ ଭୁବନେଶ୍ବର ଓ ତାର ଆଖପାଖ ଅଞ୍ଚଳରେ ଏହି ଦିନ ଏହି ଅକଳ୍ପନୀୟ ଭାବେ ବିପୁଳ ପରିମାଣର ଆମିଷ (ମା˚ସ, ଚିକେନ୍‌ ଏବ˚ ମାଛ) କାରବାର ହୋଇଥିଲା। ସୁତରାଂ, ସେହି ଦିନ ସମଗ୍ର ରାଜ୍ୟରେ ଆମିଷ କାରବାରର ଆକାର କିଭଳି ରୂପ ଧାରଣ କରିଥିବ, ତାହା କେବଳ ଅନୁମାନସାପେକ୍ଷ। ୨୦୧୫-୧୬ରେ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ (ନେସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତର ଆମିଷପ୍ରେମୀ ରାଜ୍ୟଗୁଡ଼ିକର ତାଲିକାରେ ଆମ ରାଜ୍ୟର ସ୍ଥାନ ଷଷ୍ଠରେ; ଏବ˚ ଏଠାରେ ମାତ୍ର ୧୨ରୁ ୧୫ ପ୍ରତିଶତ ଲୋକେ ନିରାମିଷ ଭୋଜନ କରିଥାଆନ୍ତି। ସେହି ଦୃଷ୍ଟିରୁ ଗୋଟିଏ ମାସ ନିଜକୁ ଆମିଷ ଠାରୁ ଦୂରରେ ରଖିଥିବା ଏହି ରାଜ୍ୟ ‘ଛାଡ଼ଖାଇ’କୁ ଏକ ଉତ୍ସବ ରୂପେ ପାଳନ କରିବାରେ ବିସ୍ମୟ ପ୍ରକଟ କରାଯିବାର କାରଣ ନାହିଁ। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ସର୍ବେକ୍ଷଣରୁ ପ୍ରାପ୍ତ ସୂଚନା ଅନୁଯାୟୀ ଭାରତର ୭୦ ପ୍ରତିଶତରୁ ଅଧିକ ଲୋକେ ଆମିଷ ଭକ୍ଷଣ କରନ୍ତି। କିନ୍ତୁ ଯେଉଁ ପ୍ରାୟ ୩୦ ପ୍ରତିଶତ ନିରାମିଷ ଆହାର କରନ୍ତି, ସେମାନଙ୍କ ସ˚ଖ୍ୟା ପ୍ରାୟ ୪୦ କୋଟି, ଯାହା ଅବଶିଷ୍ଟ ପୃଥିବୀର ସମୁଦାୟ ନିରାମିଷାହାରୀଙ୍କ ସ˚ଖ୍ୟା ଠାରୁ ମଧୢ ଅଧିକ। ସେଥି ଲାଗି ଭାରତକୁ ପୃଥିବୀର ନିରାମିଷ-ଆହାରୀଙ୍କ ରାଜଧାନୀ ବୋଲି ଅଭିହିତ କରାଯାଇଥାଏ। ତେଣୁ, ‘ଛାଡ଼ଖାଇ’ ସ˚ଦର୍ଭରେ ଆମିଷ ଓ ନିରାମିଷ ଆହାରର ଏକ ସଙ୍ଗମ ସ୍ଥଳୀରେ ବିଦ୍ୟମାନ ଆମ ଦେଶର ଖାଦ୍ୟାଭ୍ୟାସ ଏକ ସ˚କ୍ଷିପ୍ତ ଆଲୋଚନାର ଅବକାଶ ସୃଷ୍ଟି କରିଥାଏ।

ଭାରତରେ ସୈନ୍ଧବ-ଗା‌େଙ୍ଗୟ ସଭ୍ୟତାର ବିକାଶ ପୂର୍ବରୁ ହରପ୍ପା ସଭ୍ୟତା କାଳରେ ଆମିଷ ଆହାରର ପ୍ରମାଣ ମାଟି ତଳୁ ଆବିଷ୍କୃତ ଏହି ସଭ୍ୟତାର ବିଭିନ୍ନ ସନ୍ତକରୁ ମିଳିଥାଏ। ତେବେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଜୈନ ଏବ˚ ବୌଦ୍ଧ ଧର୍ମର ପ୍ରଭାବରେ ଏହି ଭୂଖଣ୍ତରେ ନିରାମିଷଭକ୍ଷୀଙ୍କ ଏକ ବର୍ଗଙ୍କ ସୃଷ୍ଟି ହୋଇଥିବା ବିଷୟ ନୃତତ୍ତ୍ବବିତ୍‌ମାନେ କହନ୍ତି। ଯଦିଓ ‘ଜୀବେ ଦୟା’ ଭଳି ଆଭିମୁଖ୍ୟରୁ ଏହି ଦୁଇ ପନ୍ଥାର ଅନୁଗାମୀମାନେ ଆମିଷ ଆହାର ବର୍ଜନ କରିଥିଲେ, କ୍ରମେ ଆଧୢାତ୍ମିକତା ଏବ˚ ଧର୍ମୀୟ ପବିତ୍ରତା କାରଣରୁ ସନାତନୀ ହିନ୍ଦୁମାନଙ୍କ ମଧୢରେ ଆମିଷ ଆହାର ପରିତ୍ୟାଗ କରିବାର ଧାରା ସୃଷ୍ଟି ହେଲା। ସେହି କାରଣରୁ ପ୍ରାୟ ୯୦ କୋଟିରୁ ଅଧିକ ଭାରତୀୟ ଆମିଷଭକ୍ଷୀଙ୍କ ମଧୢରୁ ମାତ୍ର ୬ ପ୍ରତିଶତ ଦୈନିକ ଆମିଷ ଭକ୍ଷଣ କରିଥାଆନ୍ତି ଏବ˚ ୪୦ ପ୍ରତିଶତ ସପ୍ତାହକୁ ଥରେ ମାତ୍ର ଆମିଷ ଭୋଜନ କରନ୍ତି। ପୁନଶ୍ଚ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଆମ ଭୂଖଣ୍ତ ଏକ କ୍ରାନ୍ତି ମଣ୍ତଳୀୟ ଜଳବାୟୁର ଅଧୀନସ୍ଥ ହୋଇଥିବାରୁ ଶୀତପ୍ରଧାନ ଅଞ୍ଚଳମାନଙ୍କ ଭଳି ଏଠାରେ ଆମିଷ ମୁଖ୍ୟ ଆହାର ହୋଇ ନ ଥାଏ; ବର˚ ଯେ କୌଣସି ଶସ୍ୟରୁ ଆହରିତ (ଧାନ ବା ଗହମ ବା ବାଜରା ଭଳି) ଉପାଦାନ ମୁଖ୍ୟ ଖାଦ୍ୟ ରୂପେ ଥାଳିର କେନ୍ଦ୍ର ସ୍ଥଳରେ ରହିବା ସହିତ ଏହାର ବେଢ଼ାରେ ପାର୍ଶ୍ବ ଦେବତା ତୁଲ୍ୟ ବିଦ୍ୟମାନ ବ୍ୟ˚ଜନ ମଧ୍ୟରେ ଆମିଷ ରହିଥାଏ।

ଏହି କ୍ରମରେ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ ଦ୍ବାରା ପ୍ରକାଶିତ ରିପୋର୍ଟରୁ ପ୍ରାପ୍ତ କେତେକ ତଥ୍ୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ତହିଁରୁ ଜଣାପଡ଼ିଛି ଯେ ଆମିଷଭକ୍ଷୀ ଭାରତୀୟଙ୍କ ମଧୢରୁ ପୁରୁଷମାନେ ସ˚ଖ୍ୟାଧିକ, ଯାହାର ହାର ହେଉଛି ୪୮.୯ ପ୍ରତିଶତ। ଆମ ଦେଶରେ ସର୍ବାଧିକ ଆମିଷପ୍ରେମୀ ରାଜ୍ୟ ହେଉଛି ତେଲେଙ୍ଗାନା (୯୮.୭%) ଏବ˚ ତା’ ପଛକୁ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଦେଖିବାକୁ ମିଳିଥାଏ (ଯଥାକ୍ରମେ ୯୮.୫୫% ଏବ˚ ୯୮.୨୫%)। ସବୁଠାରୁ କମ୍‌ ଆମିଷାହାରୀଙ୍କ ରାଜ୍ୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି ହରିୟାଣା, ପଞ୍ଜାବ ଏବ˚ ରାଜସ୍ଥାନ। ଉଲ୍ଲେଖନୀୟ ଯେ ସମ୍ଭବତଃ ଭାରତ ହେଉଛି ଏକ ମାତ୍ର ଏଭଳି ଦେଶ, ଯେଉଁଠି ଆମିଷକୁ ପବିତ୍ରତାର ପରିପନ୍ଥୀ ବୋଲି ବିଚାର କରାଯାଏ ଓ ସନାତନୀ ହିନ୍ଦୁମାନେ ଧର୍ମ ସ୍ବୀକୃତ ବିଶେଷ ଦିବସଗୁଡ଼ିକରେ ଏହାକୁ ଖାଦ୍ୟ ଥାଳିରୁ ଦୂରେଇ ରଖନ୍ତି। ଅନ୍ୟାନ୍ୟ ରାଷ୍ଟ୍ର ବା ସମାଜରେ ନିରାମିଷାହାରୀମାନେ ହୁଏ’ତ ‘ଜୀବେ ଦୟା’ କାରଣରୁ ହେଉ ଅଥବା ସ୍ବାସ୍ଥ୍ୟଗତ ସଚେତନତା କାରଣରୁ ହେଉ ଆମିଷ ପରିତ୍ୟାଗ କରିଥାଆନ୍ତି।

ଆମିଷ ଓ ନିରାମିଷ ଏହି ଶବ୍ଦ ଦୁଇଟିକୁ ନେଇ ମଧୢ ଏକ କୌତୂହଳପ୍ରଦ ବିରୋଧାଭାସ ଦେଖିବାକୁ ମିଳେ। ତାହା ହେଲା ଆମିଷ-କୈନ୍ଦ୍ରିକ ଯୁକ୍ତରାଷ୍ଟ୍ର ଆମେରିକା ବା ବ୍ରିଟେନ୍‌ରେ ବ୍ୟବହୃତ ଇ˚ରେଜୀ ଭାଷାରେ ଆମିଷ ଲାଗି ସ୍ବତନ୍ତ୍ର ଶବ୍ଦ ନାହିଁ। ଏହି ଭାଷାରେ ମୂଳ ବା ମୁଖ୍ୟ ଶବ୍ଦଟି ହେଉଛି ‘ଭେଜିଟେରିଆନ’ (ନିରାମିଷାହାରୀ) ଏବ˚ ଆମିଷକୁ ବୁଝାଉଥିବା ଅଭିବ୍ୟକ୍ତି ‘ନନ୍‌-ଭେଜିଟାରିଆନ୍‌’ (ଅଣ ନିରାମିଷଭକ୍ଷୀ)ଟି ହେଉଛି ମୂଳ ଶବ୍ଦରୁ ସୃଷ୍ଟ ଏକ ଗୌଣ ଶବ୍ଦ। ଏବ˚ ସେହିଭଳି ନିରାମିଷ ଆହାରର ରାଜଧାନୀ ଭାବେ ପରିଚିତ ଭାରତରେ ମୂଳ ଓ ମୁଖ୍ୟ ଶବ୍ଦଟି ହେଉଛି ଆମିଷ ଏବ˚ ଆମିଷ ଆହାର କରୁ ନ ଥିବା ଲୋକେ ଅଣ-ଆମିଷାହାରୀ ବା ନିରାମିଷାହାରୀ ଭାବେ ପରିଚିତ। ତେବେ, ସେ ଯାହା ହେଉ ସ˚ପ୍ରତି ଚିକିତ୍ସା ବିଜ୍ଞାନୀମାନେ ସ୍ବାସ୍ଥ୍ୟଗତ କାରଣରୁ ପଶୁ ମା˚ସ ବା ‘ଲୋହିତ ମା˚ସ’ର ମାତ୍ରାଧିକ ଭୋଜନକୁ ନିରୁତ୍ସାହିତ କରୁଥିବା ଦେଖାଯାଉଛି। ସେମାନଙ୍କ ମତରେ ବର˚ କୁକୁଡ଼ା ମା˚ସ ବା ‘ଶ୍ବେତ ମା˚ସ’ କିମ୍ବା ମାଛ ନିରୋଳା ପୁଷ୍ଟିସାରର ଏକ ଚମତ୍କାର ସ୍ରୋତ ଭାବେ ଶରୀର ଲାଗି ହିତକର। ସେମାନଙ୍କ କହନ୍ତି ଯେ ଉଦ୍ଭିଦଜାତ ଖାଦ୍ୟରେ ସ˚ପୂର୍ଣ୍ଣ ପୁଷ୍ଟିସାର (ଅର୍ଥାତ୍‌ ୨୦ଟି ଯାକ ଆମିନୋ ଏସିଡ୍‌ ସମ୍ବଳିତ) ଉପଲବ୍‌ଧ ହେଉ ନ ଥିବାରୁ ଅଧିକା˚ଶ ନିରାମିଷାହାରୀ ଭାରତୀୟ ପୁଷ୍ଟିସାର ଅଭାବ ଜନିତ ସମସ୍ୟା ଦେଇ ଗତି କରୁଛନ୍ତି। କିନ୍ତୁ ଏ ସବୁ ସତ୍ତ୍ବେ କ୍ରମେ ଏକ ଧାରଣା ବଦ୍ଧମୂଳ ହେବାରେ ଲାଗିଲାଣି ଯେ ନିରାମିଷ ଭୋଜନ ଆମିଷ ଆହାର ତୁଳନାରେ ଅଧିକ ସ୍ବାସ୍ଥ୍ୟପ୍ରଦ ତଥା ଆୟୁଷ-ବର୍ଦ୍ଧକ। ସେହି କାରଣରୁ ସ˚ପ୍ରତି ପୃଥିବୀ ସାରା ଅଧିକରୁ ଅଧିକ ଲୋକେ ନିରାମିଷ ଆହାର କରିବା ଲାଗି ଆଗ୍ରହ ପ୍ରକାଶ କରିବାକୁ ଲାଗିଲେଣି।

ମହାତ୍ମା ଗାନ୍ଧୀ ତାଙ୍କ ବାଲ୍ୟ କାଳରେ ଜଣେ ବନ୍ଧୁଙ୍କ ପରାମର୍ଶାନୁସାରେ ଇ˚ରେଜମାନଙ୍କ ତୁଲ୍ୟ ବଳଶାଳୀ ହେବା ଲାଗି ଲୁଚେଇ ମା˚ସ ଭକ୍ଷଣ କରିଥିଲେ (ତାଙ୍କ ପରିବାର ନିରାମିଷାଶୀ ଥିଲା)। କିନ୍ତୁ, ସେହି ରାତିରେ ନିଜ ଉଦର ଭିତରୁ ଛେଳିର କରୁଣ ଡାକ ତାଙ୍କୁ ଶୋଇବାକୁ ଦେଇ ନ ଥିଲା। ତା’ ପର ଠାରୁ ସେ ଆଉ ଆମିଷ ସ୍ପର୍ଶ କରି ନ ଥିଲେ। କହିବା ବାହୁଲ୍ୟ ଯେ ବ˚ଶ ପର˚ପରା କାରଣରୁ ନୁହେଁ, ବର˚ ଜୀବଙ୍କ ପ୍ରତି କରୁଣା କାରଣରୁ କିଶୋର ମୋହନ ଦାସ ଆମିଷ ଭକ୍ଷଣ ବର୍ଜନ କରିଥିଲେ। କିନ୍ତୁ ନିରାମିଷାହାରୀ ଏହି ଶୀର୍ଣ୍ଣକାୟ ମାନବ, ସା˚ପ୍ରତିକ ଚିକିତ୍ସା ବିଜ୍ଞାନୀଙ୍କ ମତାନୁସାରେ ‘ପୁଷ୍ଟିସାର ଅଭାବ’ ଦ୍ବାରା ଜର୍ଜରିତ ହୋଇଥିବାର ସମସ୍ତ ସମ୍ଭାବନା ଥିବା ସତ୍ତ୍ବେ, ଏହି ଭୂଖଣ୍ତରୁ ‘ଆମିଷାହାରୀ’ ଇ˚ରେଜମାନଙ୍କୁ ତଡ଼ି ଦେଇ ପ୍ରମାଣ କରିଦେଇଥିଲେ ଯେ ସେ କିଛି କମ୍‌ ବଳୁଆ ନ ଥିଲେ।

ସମ୍ବନ୍ଧିତ ଖବର