ବିଜ୍ଞାନାଗାରର ଗବେଷଣା ଏକ ନିଃସଙ୍ଗ ପରିବେଶ ମଧୢରେ ସତ୍ୟ ଉଦ୍ଘାଟନ ଲାଗି ସମର୍ପିତ କତିପୟ ଭାବଗମ୍ଭୀର ଜ୍ଞାନ-ପିପାସୁଙ୍କ ପ୍ରୟାସ ବୋଲି ଯେଉଁମାନେ ବିଚାର କରନ୍ତି, ସେମାନେ ଏବେ ଅନୁଭବ କରିବାକୁ ଆରମ୍ଭ କଲେଣି ଯେ ବିଜ୍ଞାନ-ଗବେଷଣାଗାର ମଧୢକୁ ରାଜନୀତିର ଅନୁପ୍ରବେଶ ଘଟିଲାଣି ଏବ˚ ବୈଜ୍ଞାନିକ-ଗବେଷକମାନେ ଉଦ୍ଦେଶ୍ୟ ପ୍ରଣୋଦିତ ରାଜନୀତିର ହାତବାରିସୀ ରୂପେ ଆବିର୍ଭୂତ ହେଲେଣି। କାରଣ ଚୀନର ତିନି ଜଣ ଗବେଷକ ଯେଉଁ ଗବେଷଣା ପ୍ରସୂତ ପାଠଟି ନେଇ ସାମନାକୁ ଆସିଛନ୍ତି, ତାହା ପ୍ରମାଣ କରିବାକୁ ଉଦ୍ୟମ କରିଛି ଯେ ‘ନୋଭେଲ କରୋନା ଭାଇରସ୍’ର ଉତ୍ପତ୍ତି ସ୍ଥଳ ହେଉଛି ଭାରତ; ଯାହା ପଛରେ ଚୀନା ସରକାରଙ୍କ ଏକ ଅଭିସନ୍ଧି ରହିଥିବା ନିଶ୍ଚିତ। ସେମାନଙ୍କ ଗବେଷଣାର ବିବରଣୀ ବିଶ୍ବ ସ୍ତରୀୟ ସମ୍ମାନଜନକ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦ ଲାନ୍ସେଟ’ରେ ପ୍ରକାଶିତ ହେବା ପୂର୍ବରୁ ‘ପ୍ରି-ପ୍ରିଣ୍ଟ’ ସ୍ତରରେ ରହିଛି। ଯଦିଓ ଏକ ଅତ୍ୟନ୍ତ ବିଜ୍ଞ ମଣ୍ତଳୀ ଦ୍ବାରା ପରୀକ୍ଷାନିରୀକ୍ଷା (ଇ˚ରେଜୀରେ ‘ପିଅର୍ ରିଭ୍ୟୁ’) ସ୍ତରକୁ ଅତିକ୍ରମ କରିବା ପରେ ଏହା ପ୍ରକାଶିତ ହେବ ଏବ˚ ଏକ ବ୍ୟାପକ ସ୍ତରରେ ବିତର୍କ ସୃଷ୍ଟି କରିବ, ତଥାପି ଏହି ତଥ୍ୟକୁ ନେଇ ସ୍ବାଭାବିକ ଭାବେ ବିବାଦ ଜାତ ହୋଇଛି। ଏହା ଦ୍ବାରା ଏକ ଧାରଣା ମଧୢ ବଦ୍ଧମୂଳ ହେବାକୁ ଆରମ୍ଭ କରିଛି ଯେ କରୋନା ‘ପାନ୍ଡେମିକ୍’ର ସୃଷ୍ଟିକର୍ତ୍ତା ଭାବେ ଆରୋପରୁ ଚୀନକୁ ମୁକ୍ତ କରିବା ଲାଗି ସମ୍ଭବତଃ ଏକ ବିରାଟ ଚକ୍ରାନ୍ତ ଆରମ୍ଭ ହୋଇସାରିଛି, ଯେଉଁଠି ‘ରୋଗୀ ନମ୍ବର ଶୂନ’କୁ ଠାବ କରିବା ଲାଗି ଗୁଇନ୍ଦାଙ୍କ ବଦଳରେ ଗବେଷକମାନଙ୍କୁ ନିୟୋଜିତ କରାଯାଇଛି।
ପ୍ରକାଶ ଥାଉ କି ଗଲା ଅକ୍ଟୋବର ମାସରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ଦ୍ବାରା ‘ପେେସଣ୍ଟ-୦’ ବା ‘ରୋଗୀ ନମ୍ବର ଶୂନ’ର ସନ୍ଧାନ ଲାଗି ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ଏହାର ଅର୍ଥ ହେଲା କରୋନା ସ˚କ୍ରମଣ ପ୍ରଥମେ ଚୀନର ଉହାନ ନଗରୀରେ ଆରମ୍ଭ ହୋଇଥିବା ବିଷୟ ନିଶ୍ଚିତ ଥିବା ସତ୍ତ୍ବେ ଏହି ଭୂତାଣୁର ଉତ୍ପତ୍ତି ସ୍ଥଳ ଯେ ଉହାନ ସେ ନେଇ ସନ୍ଦେହ ପ୍ରକଟ କରାଯାଇ ‘ରୋଗୀ ନମ୍ବର ଶୂନ’ଙ୍କ ନିକଟରେ ପହଞ୍ଚିବା, ଯାହାଙ୍କ ଶରୀର ମଧୢକୁ କୌଣସି ପ୍ରାଣୀ ଠାରୁ ଏହି ଭୂତାଣୁ ପ୍ରଥମେ ପ୍ରବେଶ କରି ମନୁଷ୍ୟମାନଙ୍କ ମଧୢରେ ପ୍ରସାର ସମ୍ଭବ କରିଥିବ ଏବଂ ଯାହାଙ୍କ ଦ୍ବାରା ଉହାନର ‘ରୋଗୀ ନମ୍ବର ଏକ’(ଜନୈକା ମାଛ ବେପାରୀ) ସଂକ୍ରମିତ ହୋଇଥିବେ। କହିବା ନିଷ୍ପ୍ରୟୋଜନ ଯେ ‘ହୁ’ ଦ୍ବାରା ‘ରୋଗୀ ନମ୍ବର ଶୂନ’ଙ୍କୁ ଠାବ କରିବା ନେଇ ପ୍ରୟାସ ଆରମ୍ଭ ହେବା ମାତ୍ରକେ ଚୀନା ବୈଜ୍ଞାନିକ ତ୍ରୟ ଏଭଳି ରୋଗୀଙ୍କୁ ଭାରତରେ ଆବିଷ୍କାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଚୀନର ଖବରକାଗଜ ‘ସାଉଥ୍ ଚୀନା ମର୍ନି˚ ପୋଷ୍ଟ୍’କୁ ଏକ ସାକ୍ଷାତକାର ଦେଇ ସେମାନେ କହିଛନ୍ତି ଯେ ‘କରୋନା ଭୂତାଣୁ’ର ଭଣ୍ତାରଘର ଭାବେ ପରିଚିତ ବାଦୁଡ଼ିର ମା˚ସ ଉହାନ ଆମିଷ ବଜାରରେ ବିକ୍ରି ହେଉଥିବା କାରଣରୁ ଏହି ଠାରେ ଭୂତାଣୁଟି ସର୍ବପ୍ରଥମେ ମନୁଷ୍ୟ ଶରୀରକୁ ପ୍ରବେଶ କରିଥିଲା ବୋଲି ଯେଉଁ ବୈଜ୍ଞାନିକ ମଡେଲ ଆଧାରରେ ଏ ପର୍ଯ୍ୟନ୍ତ ବିଚାର କରାଯାଉଛି, ତାହା ପୁରୁଣାକାଳିଆ ତଥା ବିଭ୍ରାନ୍ତି ସୃଷ୍ଟିକାରୀ। ସୁତରା˚, ସେମାନେ ଗ୍ରହଣ କରିଥିବା ମଡେଲରେ ଏହି ଭୂତାଣୁର ବିଭିନ୍ନ ‘ଷ୍ଟ୍ରେନ୍’ (ଦ୍ରୁତ ପରିବର୍ତ୍ତନକ୍ଷମ ଭୂତାଣୁର ପରିବର୍ତ୍ତିତ ରୂପ) ଉପରେ ଗବେଷଣା କରାଯାଇ ଯେଉଁ ଷ୍ଟ୍ରେନ୍ଟିର ସାମ˚ଜସ୍ୟ ବାଦୁଡ଼ି ଶରୀରରେ ଉପଲବ୍ଧ କରୋନା ଭାଇରସ୍ର ‘ଷ୍ଟ୍ରେନ୍’ ସହିତ ସର୍ବାଧିକ, ତାକୁ ଚିହ୍ନଟ କରାଯାଇଛି। ଉଲ୍ଲେଖନୀୟ ଯେ ବିଭିନ୍ନ ପର୍ଯ୍ୟାୟରେ ନିଜକୁ ‘ମ୍ୟୁଟେଟ୍’ ବା ପରିବର୍ତ୍ତନ କରୁଥିବା ଏହି ଭୂତାଣୁ ଅତ୍ୟନ୍ତ ସୂକ୍ଷ୍ମ ସ୍ତରରେ ମୂଳ ଭୂତାଣୁ ଠାରୁ କ୍ରମେ ଦୂରବର୍ତ୍ତୀ ହେବାରେ ଲାଗିଥାଏ। ସୁତରା˚, ମନୁଷ୍ୟ ଶରୀରରୁ ପ୍ରାପ୍ତ ଯେଉଁ ଷ୍ଟ୍ରେନ୍ଟି ବାଦୁଡ଼ି ଶରୀରରେ ବସା ବାନ୍ଧିଥିବା ଭାଇରସ୍ର ‘ଷ୍ଟ୍ରେନ୍’ର ସର୍ବାଧିକ ନିକଟବର୍ତ୍ତୀ, ତାହା ହିଁ ହେଉଛି ମଣିଷ ଶରୀର ମଧୢକୁ ପ୍ରଥମ ପ୍ରବେଶ କରିଥିବା ଭୂତାଣୁ। ଏହି ପରିପ୍ରେକ୍ଷୀରେ ସେମାନଙ୍କ ଦାବି ହେଲା ଏଭଳି ‘ଷ୍ଟ୍ରେନ୍’ର ଉପସ୍ଥିତି ଆଠଟି ଦେଶରେ ଦେଖିବାକୁ ମିଳିଛି। ସେହି ଦେଶଗୁଡ଼ିକ ହେଲେ ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, ରୁଷିଆ, ଇଟାଲି, ଗ୍ରୀସ୍, ଭାରତ, ବା˚ଲାଦେଶ ଏବ˚ ଚେକ୍ ସାଧାରଣତନ୍ତ୍ର। ସେମାନେ କହନ୍ତି ଯେ ମାତ୍ରାଧିକ ଜନ ସାନ୍ଦ୍ରତା କାରଣରୁ ଏହା ଭାରତରେ ହିଁ ପ୍ରଥମେ ମନୁଷ୍ୟ ଶରୀରରେ ପ୍ରସାର ଲାଭ କରିଛି ଏବ˚ ଭାରତୀୟଙ୍କ ମଧୢରେ ଯୁବକମାନଙ୍କ ସ˚ଖ୍ୟାଧିକ୍ୟ ହେତୁ ତାହା ଏକ ସ˚କ୍ରମଣର ରୂପ ନେଇ ପାରିନାହିଁ। ଚୀନର ଶୀତ ଋତୁର ଅତ୍ୟନ୍ତ ଥଣ୍ତା ପାଗରେ ତାହା କୌଣସି ଭାରତୀୟଙ୍କ ଠାରୁ ଚୀନରେ ପ୍ରବେଶ କରି ଉହାନରେ ସ˚କ୍ରମଣ ପ୍ରାରମ୍ଭ କରିଛି। ସେମାନେ ଏହି ଭାଇରସ୍ର ଉତ୍ପତ୍ତି ସମୟକୁ ୨୦୧୯ର ମେ’ ମାସ ବୋଲି ଦର୍ଶାଇଛନ୍ତି ଏବ˚ ସେମାନଙ୍କ ଗବେଷଣାର ପାଠ କହେ ଯେ ସେହି ସମୟ ବେଳକୁ ଭାରତରେ ଅନୁଭୂତ ହେଉଥିବା ପ୍ରବଳ ଗ୍ରୀଷ୍ମ ଲହରି ହେତୁ ଗୋଟିଏ ଜଳ ଉତ୍ସରୁ ଉଭୟ ମନୁଷ୍ୟ ଏବ˚ ପଶୁ ପାଣି ପିଇବାକୁ ବାଧୢ ହେଉଥିବା କାରଣରୁ କୌଣସି ପଶୁଙ୍କ ଠାରୁ ଏହି ଭୂତାଣୁ ମନୁଷ୍ୟ ଶରୀରକୁ ପ୍ରବେଶ କରିଥିବ।
ସ୍ବାଭାବିକ ଭାବେ ଭାରତ ପକ୍ଷରୁ ଏଭଳି ଏକ ପ୍ରତିପାଦ୍ୟର ଦୃଢ଼ ପ୍ରତିବାଦ କରାଯାଇଛି। ଚୀନାର ଗବେଷକମାନଙ୍କ ଦ୍ବାରା ସ˚ଗୃହୀତ ନମୁନାର ସୀମିତତା ଦୃଷ୍ଟିରୁ ଏବ˚ ଚୀନା ମଡେଲକୁ ରୂପ ଦେବା ଲାଗି ଉପଯୁକ୍ତ ପ୍ରଯୁକ୍ତି ଉପଲବ୍ଧ ନ ଥିବାରୁ ଏହାର ନିଷ୍କର୍ଷ ଗ୍ରହଣଯୋଗ୍ୟ ନୁହେଁ ବୋଲି ଅନେକ ରାଷ୍ଟ୍ରର ବୈଜ୍ଞାନିକ ଓ ଗବେଷକମାନେ କହିଛନ୍ତି। କିନ୍ତୁ ଏହି ସମଗ୍ର ପ୍ରକରଣରେ ଯାହା ଉଦ୍ବେଗଜନକ ତାହା ହେଲା ଏହି ବିଶ୍ବ-ମହାମାରୀର ସୃଷ୍ଟିକର୍ତ୍ତା ରୂପେ ଚୀନ ଉପରେ ଲାଗିଥିବା ଅପବାଦରୁ ତାକୁ ମୁକ୍ତ କରିବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ଦ୍ବାରା କରାଯାଉଥିବା ଏକ ସନ୍ଦିଗ୍ଧ ପ୍ରୟାସ। ଏ ନେଇ ସମସ୍ତେ ଅବଗତ ଯେ କୋଭିଡ୍-୧୯ ଭୂତାଣୁର ସ˚କ୍ରମଣ ଓ ମାରକ କ୍ଷମତା ବିଷୟରେ ଜାଣିଥିବା ସତ୍ତ୍ବେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଚୀନ ପ୍ରତି ଏକ ଅହେତୁକ ଅନୁକୂଳ ମନୋଭାବ ପ୍ରଦର୍ଶନ କରି ଏ ସ˚ପର୍କରେ ଯଥା ସମୟରେ ପୃଥିବୀକୁ ଜଣାଇ ନ ଥିଲା, ଯାହା ଏକ ଅତ୍ୟନ୍ତ ଭୟାବହ ପାନ୍ଡେମିକ୍ର କାରଣ ହେଲା। ସେହିଭଳି ଯଦିଓ ବିଭିନ୍ନ ଭୂତାଣୁର ନାମକରଣରେ ସ˚କ୍ରମଣର ଉତ୍ପତ୍ତି ସ୍ଥଳର ନାମ (ଇବୋଲା, ମର୍ସ ଇତ୍ୟାଦି) ଯୋଡ଼ା ଯିବାର ଏକ ଧାରା ରହିଛି, ଏହି ଭୂତାଣୁର ନାମକରଣରେ ‘ଉହାନ’କୁ ନ ଯୋଡ଼ି ‘ହୁ’ ତାର ଚୀନ ପ୍ରୀତିର ଆଉ ଏକ ଦୃଷ୍ଟାନ୍ତ ଉପସ୍ଥାପନ କରିଛି। କହିବା ବାହୁଲ୍ୟ ଯେ ଏହି କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ‘ହୁ’ ସହିତ ତାର ସ˚ପର୍କ ଛିନ୍ନ କରିଛି। କିନ୍ତୁ ଏହା ଦ୍ବାରା ଏହି ଅନୁଷ୍ଠାନକୁ ସର୍ବାଧିକ ପରିମାଣର ଚାନ୍ଦା ପ୍ରଦାନକାରୀ ଦେଶ ରୂପେ ଚୀନର ପ୍ରଭାବ ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଛି। ସୁତରା˚, ‘ହୁ’ ବର୍ତ୍ତମାନ ଚୀନ ହାତର ଏକ ସଖୀ କଣ୍ଢେଇରେ ପରିଣତ ହେବାକୁ ଯାଉଛି। ଉଲ୍ଲେଖନୀୟ ଯେ ଏହି ଅନୁଷ୍ଠାନ ଉପରେ ଚୀନର ପ୍ରଭାବ ଏହାର ପୂର୍ବବର୍ତ୍ତୀ ମୁଖ୍ୟ ଡକ୍ଟର ମାର୍ଗାରେଟ୍ ଚାନ (ଚୀନା ମୂଳୋଦ୍ଭବ କାନାଡା ଅଧିବାସୀ)ଙ୍କ ଅବଧିରୁ ଆରମ୍ଭ ହୋଇଯାଇଛି। ସେହି ଆଲୋକରେ ଦେଖିଲେ ‘ହୁ’ ପକ୍ଷରୁ ‘ରୋଗୀ ନମ୍ବର ଶୂନ’ର ସନ୍ଧାନ ଲାଗି ଆରମ୍ଭ କରାଯାଇଥିବା ପ୍ରୟାସ ପଛରେ ଯେ ଏକ ଚକ୍ରାନ୍ତ ରହିଛି, ତାହା ଦିଶିଥାଏ।
ଏହି ଭାଇରସ୍ର ଉତ୍ପତ୍ତି ସ୍ଥଳ ଉହାନ ନୁହେଁ ବୋଲି ଚୀନ ପ୍ରଥମରୁ ଦାବି କରିବା ସହିତ ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ଅନ୍ୟାନ୍ୟ ଦେଶ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଆସିଛି। ସେହି କ୍ରମରେ ପାନ୍ଡେମିକ୍ର ପ୍ରାରମ୍ଭ କାଳରେ ଚୀନ ପକ୍ଷରୁ କୁହାଯାଇଥିଲା ଯେ ଉହାନରେ ଆୟାଜିତ ହୋଇଥିବା ‘ବିଶ୍ବ ସାମରିକ ବାହିନୀ ଦୌଡ଼କୁଦ’ ପ୍ରତିଯୋଗିତାରେ ଅ˚ଶ ଗ୍ରହଣ କରିବାକୁ ଆସିଥିବା ଆମେରିକୀୟ ପ୍ରତିନିଧି ଦଳଙ୍କ ଠାରୁ ଏହି ଭୂତାଣୁ ଚୀନରେ ପ୍ରବେଶ କରିଥିଲା। ଏବେ ଚୀନ ସେହିଭଳି ଆରାପ ଭାରତ ଉପରେ ଲଗାଇଛି ଏବ˚ ସେଥିଲାଗି ଚୀନ୍ ସରକାର ବିଜ୍ଞାନଗାରର ସ˚ଭ୍ରାନ୍ତ ପରିସର ମଧୢକୁ ପ୍ରବେଶ କରିଛନ୍ତି। କିନ୍ତୁ, ଏହା ଦ୍ବାରା କେବଳ ଯେ ବୈଜ୍ଞାନିକ ଗବେଷଣାର ପବିତ୍ରତା ଭ୍ରଷ୍ଟ ହୋଇଛି ତାହା ନୁହେଁ, ବିଶ୍ବ ଦୃଷ୍ଟିରେ ଅବିଶ୍ବାସ୍ୟ ହୋଇ ସାରିଥିବା ଏହି ଦେଶର ବିଶ୍ବସନୀୟତା ଆହୁରି ଅଧିକ କ୍ଷୁଣ୍ଣ ହେବାର ମାର୍ଗ ପ୍ରଶସ୍ତ ହୋଇଛି।