‘ଫୁଲର ସୁଧାରସରୁ ମହୁମାଛିମାନେ ସେମାନଙ୍କର ଖାଦ୍ୟ ରୂପେ ପ୍ରସ୍ତୁତ କରୁଥିବା ଏକ ସୁମିଷ୍ଟ ବହଳିଆ ସିରା, ଯାହାକୁ ସେମାନେ ମହୁଫେଣାରେ ସାଇତି ରଖନ୍ତି।’ ଏହା ହେଉଛି ଅଭିଧାନ ଅନୁସାରେ ‘ମହୁ’ର ସ˚ଜ୍ଞା। ଏହି ପଦାର୍ଥର ଅପମିଶ୍ରଣ କେତେ ସହଜ, ତାହା ମହୁର ଏହି ସ˚ଜ୍ଞାରୁ ସହଜରେ ଅନୁମାନ କରି ହେବ। ଚିନି ସିରା ପରି କୌଣସି ଏକ ଶର୍କରା ସିରାକୁ ମହୁମାଛିମାନଙ୍କ ଦ୍ବାରା ପ୍ରସ୍ତୁତ ମହୁରେ ମିଶାଇ ଦେଲେ ସେହି ଅପମିଶ୍ରିତ ପଦାର୍ଥକୁ କେହି ଦେଖି କରି କିମ୍ବା ଚାଖି କରି ବିଶୁଦ୍ଧ ମହୁ ନୁହେଁ ବୋଲି ଠଉରାଇବା ସମ୍ଭବ ନୁହେଁ। ବଜାରରେ ମିଳୁଥିବା ସାଧାରଣ ମହୁ ତେଣୁ ଅପମିଶ୍ରିତ ହୋଇଥିବା ଆଶଙ୍କା କରି ଆଜିର ଅନେକ ସ୍ବାସ୍ଥ୍ୟ ସଚେତନ ଉପଭୋକ୍ତାମାନେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନିମାନଙ୍କ ଦ୍ବାରା ପ୍ରସ୍ତୁତ ସିଲ୍‌ ହୋଇଥିବା ବୋତଲରେ ମିଳୁଥିବା ବ୍ରାଣ୍ତ୍‌ ବହନ କରୁଥିବା ମହୁ ଚଢ଼ା ଦାମ୍‌ ଦେଇ ବଜାରରୁ କିଣିଥାନ୍ତି।

Advertisment

ଏହି କମ୍ପାନିମାନଙ୍କ ମଧୢରୁ ଅଧିକା˚ଶ ଆୟୁର୍ବେଦୀୟ ବିଶୁଦ୍ଧତା ରକ୍ଷା କରି ସେମାନଙ୍କର ପଦାର୍ଥମାନ ପ୍ରସ୍ତୁତ କରନ୍ତି ବୋଲି ଦାବି କରି ଜନମାନସରେ ଗଭୀର ଆସ୍ଥା ସୃଷ୍ଟି କରିପାରିଛନ୍ତି ଏବ˚ ଚମକପ୍ରଦ ବ୍ୟାବସାୟିକ ସଫଳତା ହାସଲ କରି ପାରିଛନ୍ତି। ତେଣୁ କେବଳ ତିନିଟି ଅପେକ୍ଷାକୃତ କମ୍‌ ପରିଚିତ ବ୍ରାଣ୍ତ୍‌ର ମହୁକୁ ଛାଡ଼ିଦେଲେ ବାକି ସମସ୍ତ ସୁପରିଚିତ ବ୍ରାଣ୍ତ୍‌ର ମହୁମାନଙ୍କରେ ଅତି ଚତୁରତାର ସହିତ ଚୀନ୍‌ରୁ ଆମଦାନି କରାଯାଉଥିବା ଶର୍କରା ସିରା ଅପମିଶ୍ରଣ କରାଯାଇଥାଏ ବୋଲି ସୁନୀତା ନାରାୟଣଙ୍କ ପ୍ରଭାବଶାଳୀ ପରିବେଶ ଜଗୁଆଳି ସ˚ସ୍ଥା ‘ସିଏସ୍‌ଇ’ ଦ୍ବାରା ଅତ୍ୟାଧୁନିକ ପଦ୍ଧତିରେ ଜର୍ମାନୀରେ ପରୀକ୍ଷା କରାଯାଇ ଧରା ପଡ଼ିବା ପରେ ଏହି ଶ୍ରେଣୀର ଉପଭୋକ୍ତାମାନଙ୍କ ମଧୢରେ ଏକ କ୍ରୋଧମିଶା ଆତ୍ମଗ୍ଳାନି ସୃଷ୍ଟି ହୋଇଛି। ସରଳ ବିଶ୍ବାସରେ ଏପରି ଠକାମିର ଶିକାର ହୋଇ ମହୁ ଜାଗାରେ ଚିନିପଣା ସେବନ କରି ଚାଲିଥିଲେ ବୋଲି ସେମାନେ ନିଜକୁ ଧିକ୍କାର କରୁଛନ୍ତି। ଏହି ଠକ କମ୍ପାନିମାନଙ୍କର ଅନୈତିକ ଆଚରଣକୁ ସେମାନେ ମନଭରି ଭର୍ତ୍ସନା କରୁଥିବେ।

ସେମାନେ କିନ୍ତୁ ଅଷ୍ଟାଦଶ ଶତାବ୍ଦୀର ଚିକିତ୍ସକ- ଦାର୍ଶନିକ ବର୍ଣ୍ଣାଡ୍‌ ମାଣ୍ତେଭିଲ୍‌ଙ୍କର ଏହି ମହୁମାଛିଙ୍କୁ ଉପଲକ୍ଷ୍ୟ କରି ରଚିତ ଏକ ଦୀର୍ଘ କବିତା ଯଦି ପାଠ କରନ୍ତେ, ତେବେ ହୁଏତ ଏ କମ୍ପାନିମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖି ସେମାନଙ୍କ ଦୋଷ କ୍ଷମା କରିଦିଅନ୍ତେ। ହଲାଣ୍ତ୍‌ରେ ଜନ୍ମିତ କିନ୍ତୁ ଲଣ୍ତନ୍‌ରେ ନିଜର କର୍ମମୟ ଜୀବନ ବିତାଇଥିବା ମାଣ୍ତେଭିଲ୍‌ଙ୍କର ସର୍ବାଧିକ ସୁଖ୍ୟାତ ବା କୁଖ୍ୟାତ କୃତି ରୂପେ ସ୍ବୀକୃତ ୧୭୧୪ରେ ପ୍ରକାଶିତ ଏହି କବିତାର ଶୀର୍ଷକ ହେଲା: ‘ଦି ଫେବ୍‌ଲ ଅଫ୍‌ ଦି ବିଇଜ୍‌: ଅର‌୍‌ ପ୍ରାଇଭେଟ୍‌ ଭାଇସେସ୍‌, ପବ୍ଲିକ୍‌ ବେନିଫିଟ୍‌ସ’। ଓଡ଼ିଆରେ କହିଲେ- ‘ମହୁମାଛିଙ୍କ କାହାଣୀ: କିମ୍ବା ବ୍ୟକ୍ତିଗତ କୁକର୍ମ, ସର୍ବସାଧାରଣ ସୁବିଧା’।

କାହାଣୀ ଆରମ୍ଭରେ ମାଣ୍ତେଭିଲ୍‌ ବର୍ଣ୍ଣନା କରିଥିବା ମହୁମାଛି ଦଳଟି ଏକ ଶକ୍ତିଶାଳୀ, ସଫଳ ଏବ˚ ସମୃଦ୍ଧିଶାଳୀ ଦଳ ରୂପେ ପ୍ରତିଷ୍ଠା ଲାଭ କରିଛି- ଯଦି ବା ଦଳର ପ୍ରତ୍ୟେକ ସଦସ୍ୟ ନିଜ ନିଜର ବ୍ୟକ୍ତିଗତ ସ୍ବାର୍ଥ ପଛରେ ହିଁ ଧାଇଁଥାନ୍ତି। ଉଦାହରଣ ସ୍ବରୂପ ଦଳର ରାଜନେତାମାନେ ସମସ୍ତେ ହେଉଛନ୍ତି ଦୁର୍ନୀତିଗ୍ରସ୍ତ; ଓକିଲମାନେ ବିବାଦ ସମାଧାନ କରି ଶାନ୍ତି ପ୍ରତିଷ୍ଠା କରିବା ଅପେକ୍ଷା ବିବାଦ ସ˚ଖ୍ୟା ବୃଦ୍ଧି କରିବାରେ ବ୍ୟସ୍ତ; ଡାକ୍ତରମାନେ ଦୟା ପ୍ରଦର୍ଶନ ଅପେକ୍ଷା ନିଜର ଖ୍ୟାତି ବୃଦ୍ଧି ପାଇଁ ଅଧିକ ଆଗ୍ରହୀ, ଇତ୍ୟାଦି। ପ୍ରତ୍ୟେକ ମହୁମାଛି ନିଜର ସ୍ବାର୍ଥ ସାଧନ ସର୍ବାଧିକ ସମ୍ଭବ କରିବା ଫଳରେ କିନ୍ତୁ ସେ ଦଳର ସାମଗ୍ରିକ ସମୃଦ୍ଧି ସର୍ବାଧିକ ସମ୍ଭବ ହୋଇଥାଏ। ମାଣ୍ତେଭିଲ୍‌ଙ୍କ ଭାଷାରେ: ‘‘ଦସ୍‌ ଏଭ୍‌ରି ପାର୍ଟ ଵାଜ୍‌ ଫୁଲ୍‌ ଅଫ୍‌ ଭାଇସ୍‌/ୟେଟ୍‌ ଦି ହୋଲ୍‌ ମାସ୍‌ ଏ ପାରାଡାଇଜ୍‌’’ (ଏହି ପରି ପ୍ରତି ଅ˚ଶ ଥିଲା କୁକର୍ମରେ ଭରପୂର/ ତଥାପି ସମଗ୍ର ଫେଣାଟି ଥିଲା ଏକ ସ୍ବର୍ଗପୁର’’)।

ଏହା ପରେ ସେଇ ମହୁମାଛି ଦଳରେ ପ୍ରବେଶ କରିଛି ସାଧୁତା, ନୈତିକ ଆଚରଣ, ପାରମ୍ପରିକ ମୂଲ୍ୟବୋଧ ଆଦି। ଏହାର ପରିଣାମ ସ୍ବରୂପ ସେ ମହୁମାଛି ଦଳର ସମୃଦ୍ଧି ଓ ଶକ୍ତି କ୍ରମେ କ୍ଷୟ ପାଇବାକୁ ଆରମ୍ଭ କରିଛି। ଉଦାହରଣ ସ୍ବରୂପ ମିତବ୍ୟୟିତା ହେଉଛି ପାରମ୍ପରିକ ନୈତିକ ଆଚରଣର ଏକ ଅ˚ଶ। ମହୁମାଛିମାନେ ଏଥର ମିତବ୍ୟୟିତା ଆଚରଣ କଲେ; ଧନୀ ମହୁମାଛିମାନେ ବିଳାସ ଦ୍ରବ୍ୟରେ ବଦ୍‌ଖର୍ଚ୍ଚ ବନ୍ଦ କରି ଦେଲେ, କେହି ଆବଶ୍ୟକତାରୁୁ ଅଧିକ କିଛି ହେଲେ କିଣିଲେ ନାହିଁ। ଏହା ଫଳରେ ବଜାରରେ ଚାହିଦା ହ୍ରାସ ପାଇବାରେ ଲାଗିଲା; ଉତ୍ପାଦନ ସ˚କୁଚିତ ହେଲା; ନିଯୁକ୍ତି ସ˚କୁଚିତ ହେଲା; ଆୟ ସ˚କୁଚିତ ହେଲା; ମହୁମାଛିମାନେ ଦରିଦ୍ର ହୋଇଗଲେ। ମହୁମାଛିମାନେ ଆଉ ମଦ୍ୟପାନ କରିବାକୁ ନ ଯିବାରୁ ପାନଶାଳାମାନ ବନ୍ଦ ହୋଇ ଯିବାରୁ ସେଠାରେ ଯେଉଁମାନେ ଜୀବିକାର୍ଜନ କରୁଥିଲେ ସେମାନେ ବେକାର ହୋଇଗଲେ। ସେଇଭଳି ସେ ମହୁମାଛି ସମାଜରେ ଚୋରି, ଠକେଇ ଭଳି ଅପରାଧ ବନ୍ଦ ହୋଇଯିବାରୁ ଓକିଲାତି କରୁଥିବା ମହୁମାଛିମାନଙ୍କର ଦାନାପାଣି ବନ୍ଦ ହୋଇଗଲା। ପୁଣି ଚୋରି ହୋଇ ଯାଉଥିବା ଜିନିଷପତ୍ର ଆଉଥରେ ଉତ୍ପାଦିତ ହେଲେ ଯେଉଁ ନିଯୁକ୍ତି ସୃଷ୍ଟି ହେଉଥିଲା, ତାହା ଆଉ ସୃଷ୍ଟି ହେଲା ନାହିଁ। ଏହାର ସାରା˚ଶ ହେଲା, ସେ ମହୁମାଛି ଦଳ ବ୍ୟକ୍ତିଗତ ସ୍ବାର୍ଥ ଅନ୍ବେଷଣ ପରିବର୍ତ୍ତେ ଯେତେବେଳେ ନୈତିକ ଆଚରଣକୁ ପ୍ରାଧାନ୍ୟ ଦେଲା, ସେ ଦଳ କ୍ରମେ ଦୁର୍ବଳ ହୋଇ ଶେଷରେ ଲୋପ ପାଇଗଲା।

ମାଣ୍ତେଭିଲ୍‌ଙ୍କ ଏହି ଯୁକ୍ତିକୁ ଯଦି ସମ୍ପ୍ରସାରିତ କରାଯାଏ, ତେବେ କୁହାଯାଇ ପାରିବ ଯେ ଆମର ଛାମୁହାଁ ମହୁ ପ୍ରସ୍ତୁତକାରୀ କମ୍ପାନିମାନେ ସେମାନଙ୍କ ମହୁକୁ ଅପମିଶ୍ରିତ କରିବା ଦ୍ବାରା ଅର୍ଥନୀତିକୁ ସୁଦୃଢ଼ କରି ଜାତୀୟ ସମୃଦ୍ଧି ହାସଲ କରିବାରେ ସାହାଯ୍ୟ କରିଛନ୍ତି। ମହୁ ସ˚ଗ୍ରହ ଏକ ଯାନ୍ତ୍ରିକ ଶିଳ୍ପ ନୁହେଁ। ଏକ କ୍ଷୁଦ୍ର ପତଙ୍ଗଟିଏ ବୁଲି ବୁଲି ଫୁଲରୁ କ୍ଷୁଦ୍ରାତିକ୍ଷୁଦ୍ର ପରିମାଣର ସୁଧାରସ ସ˚ଗ୍ରହ କରି କରି ମହୁଫେଣାର କୋଠରି ସବୁରେ ଧୀରେ ଧୀରେ ସାଇତି ଥାଏ। ମହୁ ଉତ୍ପାଦନ ବୃଦ୍ଧି ତେଣୁ ଏକ ସମୟ ସାପେକ୍ଷ କାର୍ଯ୍ୟ ହୋଇଥାଏ। ସୂଚାଇବା ଅନାବଶ୍ୟକ ଯେ ଅପମିଶ୍ରଣ ମାଧୢମରେ ‘ମହୁ’ ଉତ୍ପାଦନ ବୃଦ୍ଧିକୁ କୃତ୍ରିମ ଭାବରେ ତ୍ବରାନ୍ବିତ କରାଯାଇ ପାରେ।

‘ସିଏସ୍‌ଇ’ ପ୍ରକାଶ କରିଥିବା ସୂଚନା ଅନୁସାରେ ମହୁରେ ୫୦% ପର୍ଯ୍ୟନ୍ତ ଶର୍କରା ସିରା ମିଶାଇ ଦିଆଯାଉଥିଲେ ମଧୢ ତାହା ପ୍ରଚଳିତ ପରୀକ୍ଷା ପଦ୍ଧତିରେ ଧରା ପଡୁନଥିଲା। ଏହାର ଅର୍ଥ ଯଦି ଅପମିଶ୍ରଣ ଘଟୁନଥାନ୍ତା, ସମ୍ପୃକ୍ତ କମ୍ପାନିମାନଙ୍କର ପ୍ରକୃତ ମହୁ ଉତ୍ପାଦନ ଅଧା ହୋଇଯାଆନ୍ତା। ‘ନେସନାଲ୍‌ ବି ବୋର୍ଡ’ ପ୍ରଦତ୍ତ ସୂଚନା ଅନୁସାରେ ୨୦୧୭-୧୮ରେ ଦେଶରେ ମୋଟ ମହୁ ଉତ୍ପାଦନ ହୋଇଥିଲା ପ୍ରାୟ ଏକ ଲକ୍ଷ ମେଟ୍ରିକ୍‌ ଟନ୍‌। ଯୁକ୍ତି ଛଳରେ କୁହାଯାଇପାରେ ଯଦି ଅପମିଶ୍ରଣ ହୋଇ ନଥାନ୍ତା, ଏହି ପରିମାଣ ଅଧା ହୋଇଥାନ୍ତା, ଅର୍ଥାତ୍‌ ୫୦,୦୦୦ ମେଟ୍ରିକ୍‌ ଟନ୍‌। ଉତ୍ପାଦନ ଅଧା ହୋଇଥିଲେ ନିଯୁକ୍ତି ଅଧା ହୋଇଥାନ୍ତା, ଆୟ ଅଧା ହୋଇଥାନ୍ତା, ଅର୍ଥନୀତିର ଅଭିବୃଦ୍ଧି ବାଧା ପାଇଥାନ୍ତା। ଅତଏବ ସେମାନଙ୍କ ଉତ୍ପାଦିତ ମହୁରେ ଶର୍କରା ସିରା ମିଶାଇ ସମ୍ପୃକ୍ତ କମ୍ପାନିମାନେ ମାଣ୍ତେଭିଲ୍‌ଙ୍କ ଅନୈତିକ ମହୁମାଛି ଦଳ ଭଳି ଦେଶର ସମୃଦ୍ଧିରେ ସହାୟକ ହୋଇଛନ୍ତି ବୋଲି କୁହାଯାଇ ପାରେ।

କିନ୍ତୁ ସେମାନଙ୍କ ଦୁର୍ଭାଗ୍ୟକୁ ସେ କବିତାରେ ମାଣ୍ତେଭିଲ୍‌ ମଧୢ ‘କୁକର୍ମ’ ଓ ‘ଅପରାଧ’ ମଧୢରେ ଏକ ବିଭାଜନ ଟାଣିଛନ୍ତି। ସେ କହିଛନ୍ତି କୁକର୍ମ ଯଦି ଅପରାଧର ରୂପ ନିଏ, ତେବେ ଅପରାଧୀକୁ ଦଣ୍ତ ଭୋଗିବାକୁ ପଡ଼ିବ। ମହୁରେ ଚିନି ସିରା ମିଶାଇବା ଦ୍ବାରା ଅଗଣିତ ସେବନକାରୀଙ୍କ ଠାରେ ସେମାନେ ମଧୁମେହ ଓ ମେଦବୃଦ୍ଧି ଭଳି ବିପଦ ଆବିର୍ଭାବର ସମ୍ଭାବନା ସୃଷ୍ଟି କରିଛନ୍ତି ଏବ˚ କୋଭିଡ୍‌ ମହାମାରୀ ସମୟରେ ମହୁକୁ ଏହାର ଏକ ପ୍ରତିଷେଧକ ରୂପେ ବିଶ୍ବାସ କରି ବ୍ୟାପକ ଭାବେ ବ୍ୟବହାର କରାଯାଉଥିବାରୁ ଏହା ଦେଶବାସୀଙ୍କ ସହ ଏକ ବିଶ୍ବାସଘାତକତା। କାରଣ ମଧୁମେହ ଓ ମେଦବୃଦ୍ଧି କରୋନା ଜନିତ ବିପଦ ସମ୍ଭାବନା ବୃଦ୍ଧି କରିଥାଏ। ‘ସିଏସ୍‌ଇ’ ଏଥିପ୍ରତି ବିଶେଷ ଭାବେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏ ଅପରାଧକୁ ଡାକ୍ତର ମାଣ୍ତେଭିଲ୍‌ ମଧୢ କଦାପି କ୍ଷମା ଦିଅନ୍ତେ ନାହିଁ।

ମିଠା କଥା କହି ଗ୍ରାହକମାନଙ୍କୁ ଠକି ଚାଲିଥିବା ଏହି କମ୍ପାନିମାନଙ୍କ ପ୍ରତି ହିତୋପଦେଶର ଏହି ବାଣୀ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ: ‘‘ଦୁର୍ଜନ ପ୍ରିୟବାଦୀ ଇତି ନ ଏତତ୍‌ ବିଶ୍ବାସ କାରଣମ୍‌। ମଧୁ ତିଷ୍ଠତି ଜିହ୍ବାଗ୍ରେ ହୃଦୟେ ତୁ ହଳାହଳମ୍‌।’’ ବିଶୁଦ୍ଧ ମଧୁ ନାମରେ ସେମାନେ ହଳାହଳ ବିଷ ହିଁ ବିକ୍ରି କରୁଛନ୍ତି।