ଗଣତନ୍ତ୍ରର ମାତ୍ରାଧିକ୍ୟ!

‘ଦ ଇକୋନୋମିଷ୍ଟ୍ ଇଣ୍ଟେଲିଜେନ୍‌ସ ୟୁନିଟ୍‌’ ଦ୍ବାରା ପ୍ରକାଶିତ ବାର୍ଷିକ ଗଣତନ୍ତ୍ର ସୂଚକାଙ୍କ-୨୦୧୯ ତାଲିକାରେ ଭାରତର ସ୍ଥାନ ନିମ୍ନଗାମୀ ହୋଇ ପହଞ୍ଚିଛି ୫୧ରେ। ୨୦୧୪ ବେଳକୁ ଭାରତ ଏହି ତାଲିକାର ୨୭ତମ ସ୍ଥାନରେ ଥିଲା। ସୁତରା˚, ଯଦି ବିଜେପି ନେତୃତ୍ବାଧୀନ ଏନ୍‌.ଡି.ଏ. ସରକାର ଗାଦିନସୀନ ହୋଇଥିବା ବର୍ଷ ୨୦୧୪କୁ ଏକ ଶଙ୍କୁ ରୂପେ ବ୍ୟବହାର କରାଯାଏ, ତେବେ ଉପରେ ପ୍ରଦତ୍ତ ତାଲିକା ଆଧାରରେ କୁହାଯାଇ ପାରିବ ଯେ ଭାରତରେ ଗଣତନ୍ତ୍ରର ସ୍ବାସ୍ଥ୍ୟ ଦୁର୍ବଳ ହୋଇଛି। କେବଳ ପାଠକପାଠିକାମାନଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଇପାରେ କି ଗଣତନ୍ତ୍ରର ସ୍ବାସ୍ଥ୍ୟାବସ୍ଥାକୁ ଦର୍ଶାଇବା ଲାଗି ଯେଉଁ ଛଅଟି ‘ପାରାମିଟର’ ବା ମାପର ଆଶ୍ରୟ ନିଆଯାଇଛି, ତହିଁରେ ପ୍ରତ୍ୟେକଟିରେ ଅବକ୍ଷୟ ପରିଲକ୍ଷିତ ହୋଇଥିବା ବିଷୟ ତହିଁରେ କୁହାଯାଇଛି। ତେଣୁ ଏଭଳି ଏକ ପୃଷ୍ଠଭୂମିରେ ‘ନିତି ଆୟୋଗ’ର ସି.ଇ.ଓ. ଅମିତାଭ କାନ୍ତଙ୍କ ଦ୍ବାରା ପ୍ରଦତ୍ତ ଏକ ବକ୍ତବ୍ୟ ଯେ ଭାରତରେ ‘ଗଣତନ୍ତ୍ରର ମାତ୍ରାଧିକ୍ୟ’ କାରଣରୁ କୌଣସି କଠୋର ସ˚ସ୍କାର ଅଣାଯିବା କଷ୍ଟପ୍ରଦ ହେଉଛି; ସ୍ବାଭାବିକ ଭାବେ ଏକ ବିବାଦକୁ ଜନ୍ମ ଦେଇଛି। ଅବଶ୍ୟ, ଅମିତାଭ କାନ୍ତ ଏକ ଟ୍ବିଟ୍‌ରେ ଏ ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ଯେ ଏକ ଇ˚ରେଜୀ ଦୈନିକରେ ତାଙ୍କ ବକ୍ତବ୍ୟକୁ କେନ୍ଦ୍ର କରି ପ୍ରକାଶିତ ହୋଇଥିବା ଆଲେଖ୍ୟରେ ତାଙ୍କ ବକ୍ତବ୍ୟର ତ୍ରୁଟିପୂର୍ଣ୍ଣ ବ୍ୟାଖ୍ୟା କରାଯାଇଛି। ଯଦିଓ ଏହି ଟ୍ବିଟ୍‌ ପରେ ସ˚ପୃକ୍ତ ଇ˚ରେଜୀ ଦୈନିକ ଆଲେଖ୍ୟଟିକୁ ଅପସାରଣ କରି ନେଇଛନ୍ତି; ତଥାପି ବିବାଦ ଅବ୍ୟାହତ ରହିଛି।

କହିବା ବାହୁଲ୍ୟ ଯେ ଅମିତାଭ କାନ୍ତଙ୍କ ମତକୁ ବିରୋଧ କରୁଥିବା ବର୍ଗ କହିଥାଆନ୍ତି ଯେ ଗଲା କିଛି ବର୍ଷ ମଧୢରେ ଭାରତରେ ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନ ଅବକ୍ଷୟ ମଧୢ ଦେଇ ଗତି କରୁଥିବା ପରିଲକ୍ଷିତ ହେଉଥିବା ବେଳେ ଅମିତାଭ କାନ୍ତଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ଅଯୌକ୍ତିକ। କେବଳ ସେତିକି ନୁହେଁ ୨୦୧୪ରୁ କିଭଳି ଏହି ଧାରାର ପ୍ରାରମ୍ଭ ହୋଇଛି ତାହା ଦର୍ଶାଇବାକୁ ଯାଇ ସେମାନେ ୨୦୧୬ ମସିହାର ‘ବିମୁଦ୍ରୀକରଣ’ର ଦୃଷ୍ଟାନ୍ତ ଉପସ୍ଥାପନ କରିଥାଆନ୍ତି। ସ୍ମରଣ ଯୋଗ୍ୟ ଯେ ସେହି ବର୍ଷ ନଭେମ୍ବର ମାସରେ କୌଣସି ପୂର୍ବାଭାସ ବିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟେଲିଭିଜନ ବାର୍ତ୍ତା ସହିତ ସମଗ୍ର ଦେଶରେ ଚଳୁଥିବା ନଗଦ ଟଙ୍କା ସବୁକୁ ଅଚାନକ ଅଚଳ କରିଦେଇ ଯେଉଁ ଏକ ଅଭୂତପୂର୍ବ ଅଭାବନୀୟ ସ୍ଥିତି ସୃଷ୍ଟି କରିଥିଲେ, ତାର ପ୍ରଭାବରେ ଭାରତର ଅର୍ଥନୀତି ଅଗତ୍ୟା ଧରାଶାୟୀ ହୋଇଯାଇଥିଲା, ଯାହା ଏ ଯାବତ୍‌ ଅଣ୍ଟା ସଳଖି ଛିଡ଼ା ହୋଇ ପାରିନାହିଁ। କହିବା ଅନାବଶ୍ୟକ ଯେ ସେତେବେଳେ ଏହାକୁ କଳାଧନ ବିରୋଧରେ ଏକ କଠୋର ପଦକ୍ଷେପ ବୋଲି ଅଭିହିତ କରାଯାଇଥିଲା, ଯାହା ପରବର୍ତ୍ତୀ କାଳରେ ନିଷ୍ଫଳ ହୋଇଛି ବୋଲି ହୃଦ୍‌ବୋଧ ହୋଇଛି। ସୁତରା˚, ‘ବିମୁଦ୍ରୀକରଣ’ର ଦୃଷ୍ଟାନ୍ତ ଉପସ୍ଥାପନ କରୁଥିବା ବର୍ଗଙ୍କ ମତରେ ଯଦି ସେହି ସମୟରୁ ଭାରତର ଗଣତନ୍ତ୍ର ଦୁର୍ବଳ ହେବାର କ୍ରମ ଆରମ୍ଭ ହୋଇ ନ ଥାଆନ୍ତା, ତେବେ ହୁଏ’ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଭଳି ଏକ ଶକ୍ତିିଶାଳୀ କେନ୍ଦ୍ରୀୟ ବ୍ୟାଙ୍କ୍‌ ଏଭଳି ନିଷ୍ପତ୍ତିରେ ହସ୍ତକ୍ଷେପ କରିଥାଆନ୍ତା। ସେହିଭଳି ଅତ୍ୟନ୍ତ ତରବରିଆ ଭାବେ ଲାଗୁ କରାଯାଇଥିବା ‘ଜିଏସ୍‌ଟି’ ଆଉ ଏକ ଉଦାହରଣ ଯହିଁରେ ଟିକସ ତନ୍ତ୍ରକୁ ସରଳ କରିବା ଉଦ୍ଦେଶ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି କରାଗଲା, ଯହିଁରେ ‘ବିମୁଦ୍ରୀକରଣ’ କାରଣରୁ ଉଜୁଡ଼ି ଯାଇଥିବା କ୍ଷୁଦ୍ର ଏବ˚ ମଧୢମ ବର୍ଗୀୟ ଉଦ୍ୟୋଗ (ଏମ୍‌.ଏସ୍‌.ଏମ୍‌.ଇ.) ଭୂଲୁଣ୍ଠିତ ହେଲେ ଏବ˚ ଦେଶର ଅଭିବୃଦ୍ଧି ହାର ନିମ୍ନଗାମୀ ହେବା ସହିତ ବିଗତ ତିନି ଦଶନ୍ଧି ମଧୢରେ ସର୍ବାଧିକ ରୋଜଗାରଶୂନ୍ୟତା ସୃଷ୍ଟି ହେଲା। ଇତିମଧୢରେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ଦ୍ବାରା ପ୍ରକାଶିତ ଆକଳନ କହିଲାଣି ଯେ ବା˚ଲାଦେଶର ମୁଣ୍ତ ପିଛା ଆୟ ଭାରତକୁ ଅତିକ୍ରମ କରିଯିବ। ଭାରତରେ ଗଣତନ୍ତ୍ର ଯେ ଦୁର୍ବଳ ହେବା‌ର ଲାଗିଛି ତାର ଆଉ ଏକ ଉଦାହରଣ ରୂପେ ସେମାନେ ଅଚାନକ ନିଆଯାଇଥିବା ‘ଲକ୍‌ଡାଉନ୍‌’ ନିଷ୍ପତ୍ତିକୁ ଦର୍ଶାନ୍ତି। ରାଜ୍ୟଗୁଡ଼ିକ ସହିତ ଆଲୋଚନା ନ କରି ଅଥବା କୌଣସି ଯୋଜନାର ନକ୍‌ସା ପ୍ରସ୍ତୁତ ନ କରି ଭାରତ ଭଳି ଏକ ବହୁ ଆୟାମୀ, ବିବିଧତା ଭରା ତଥା ଏକ ଅତ୍ୟନ୍ତ ସଘନ ଆନ୍ତଃ ରାଜ୍ୟ-ବିଚରଣଶୀଳ ରାଷ୍ଟ୍ରରେ ସ˚ପୂର୍ଣ୍ଣ ଲକ୍‌ଡାଉନ୍‌ର ଘୋଷଣା ଦ୍ବାରା ଲକ୍ଷଲକ୍ଷ ପ୍ରବାସୀ ଶ୍ରମିକଙ୍କ ସ୍ବଗୃହ ପ୍ରତ୍ୟାଗମନ ଭଳି ଯେଉଁ ଦାରୁଣ ଦୁଃସ୍ଥିତି ଉପୁଜିଲା, ତାହା ଆଲୋଚନା ତଥା ପରାମର୍ଶ ଭିତ୍ତିକ ଏକ ଗଣତାନ୍ତ୍ରିକ ନିଷ୍ପତ୍ତି ସ୍ଥଳେ ହୁଏ’ତ ହୁଅନ୍ତା ନାହିଁ। ସୁତରା˚, ସେମାନେ କହିଥାଆନ୍ତି ଯେ ଭାରତରେ ଗଣତନ୍ତ୍ରର ମାତ୍ରାଧିକ୍ୟ ବର୍ତ୍ତମାନର ସ୍ଥିତିରେ ପ୍ରଶ୍ନାତୀତ।

କିନ୍ତୁ ଯେଉଁମାନେ ଅମିତାଭ କାନ୍ତଙ୍କ ମତକୁ ସମର୍ଥନ କରନ୍ତି ସେମାନେ ହୁଏ’ତ ସ˚ପ୍ରତି ଜାରି ରହିଥିବା ବିଶାଳ କୃଷକ ଆନ୍ଦୋଳନ ସଂଦର୍ଭରେ କହିପାରନ୍ତି ଯେ କୃଷକମାନଙ୍କୁ ସେମାନଙ୍କ ଆର୍ଥିକ ଦୁଃସ୍ଥିତିର ଯନ୍ତାରୁ ମୁକ୍ତି ଦେବା ଲାଗି ବହୁ ଦିନ ଧରି ହୋଇ ଆସୁଥିବା ଦାବି ପରିପ୍ରେକ୍ଷୀରେ ବର୍ତ୍ତମାନର ଏନ୍‌ଡିଏ ସରକାରଙ୍କ ଦ୍ବାରା ଅଣାଯାଇଥିବା ଏକ ଦୂରଦର୍ଶୀ ତଥା ସ˚ସ୍କାରମୂଳକ ଆଇନର ପ୍ରତିବାଦ ହେଉଛି କେବଳ ‘ବିରୋଧ ନାମରେ ବିରୋଧ’; ଯାହା ସଂପୂର୍ଣ୍ଣ ଅଯଥାର୍ଥ। କେବଳ ପଞ୍ଜାବର କୃଷକମାନଙ୍କ ଦ୍ବାରା କରାଯାଉଥିବା ପ୍ରତିବାଦକୁ ସମଗ୍ର ରାଷ୍ଟ୍ରର କୃଷକଙ୍କ ବିରୋଧ ବୋଲି ଅଭିହିତ କରାଯିବା ସପକ୍ଷରେ ସେମାନେ ନାହାନ୍ତି। ସେମାନଙ୍କ ମତରେ ଏହା ଆମ ସମ୍ବିଧାନ ପ୍ରଦାନ କରିଥିବା ବିରୋଧ ପ୍ରକଟ କରିବାର ଅଧିକାରର ଦୁରୁପଯୋଗ; ଯାହା ପ୍ରକାରାନ୍ତରେ ଗଣତନ୍ତ୍ରର ମାତ୍ରାଧିକ୍ୟର ପ୍ରମାଣ। କିନ୍ତୁ ଏଠାରେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଯଦି କୃଷି ଆଇନ ସ˚ସଦରେ ବ୍ୟାପକ ବିତର୍କ ଓ ଆଲୋଚନା ପରେ ଆଇନରେ ପରିଣତ ହୋଇଥାଆନ୍ତା, ତେବେ ହୁଏ’ତ ତାହା ଏଭଳି ସ୍ଥିତି ସୃଷ୍ଟି କରି ନ ଥାଆନ୍ତା ଏବଂ ତାହା ଆମ ରାଷ୍ଟ୍ରର ଗଣତନ୍ତ୍ରର ସ୍ବାସ୍ଥ୍ୟ ସ˚ପର୍କରେ ଏକ ସକାରାତ୍ମକ ସନ୍ଦେଶ ଦେଇଥାଆନ୍ତା। କିନ୍ତୁ ଯାହା ଏବେ ଦୃଶ୍ୟମାନ ହେଉଛି, ତାହା ଆମ ଗଣତନ୍ତ୍ରର ଦୁର୍ବଳତାକୁ ହିଁ ପ୍ରଦର୍ଶନ କରୁଛି।

ଉଲ୍ଲେଖଯୋଗ୍ୟ ଯେ କୃଷକ ଆନ୍ଦୋଳନ ପୂର୍ବରୁ ଆଉ ଯେଉଁ ଏକ ଆନ୍ଦୋଳନ ଗତ ବର୍ଷ ସରକାରଙ୍କ ମୁଣ୍ତ ବ୍ୟଥାର କାରଣ ହୋଇଥିଲା, ତାହା ଥିଲା ‘ଜାତୀୟ ନାଗରିକତା ଆଇନ’ ବା ‘ଏନ୍‌.ସି.ଏ.’ ବିରୋଧରେ ହୋଇଥିବା ସହିନବାଗ ଗଣ ଧାରଣା। ତେବେ ଏହି ଦୁଇଟି ଯାକ ପ୍ରତିବାଦ ଆନ୍ଦୋଳନରେ ଯେଉଁ ଗୋଟିଏ ସମାନ କଥା ପରିଲକ୍ଷିତ ହୋଇଥିଲା, ତାହା ଥିଲା ଏହାର ପ୍ରାରମ୍ଭ କାଳୀନ ଅଣ-ରାଜନୈତିକ ଚରିତ୍ର। ପରବର୍ତ୍ତୀ କାଳରେ ଯଦିଓ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏହାର ଉଷ୍ମତାରେ ହାତ ସେକିବାର ଉଦ୍ୟମ କରିଥିଲେ; ତଥାପି ଏହା ସତ ଯେ ଯଦି ଇତିହାସରେ ଏହି ଦୁଇଟି ଆନ୍ଦୋଳନ ସ୍ଥାନ ପାଏ, ତେବେ ତାହା କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ବାରା ଯେ ସୃଷ୍ଟି ହୋଇଥିଲା, ତାହା ଲିପିବଦ୍ଧ ହେବ ନାହିଁ। ଏହି ଆନ୍ଦୋଳନଗୁଡ଼ିକ ଏଭଳି ଚରିତ୍ର ଧାରଣ କରିବାର କାରଣ ହେଲା ଅନେକ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଓ ସେମାନଙ୍କ ନେତୃତ୍ବ ପ୍ରତି ସାଧାରଣ ଲୋକଙ୍କ ଅନାସ୍ଥା ଭାବ। ସୁତରା˚, କୃଷକ ଆନ୍ଦୋଳନ ହେଉ ବା ସହିନବାଗ ଧାରଣା; ଏଥିରୁ ଯେଉଁ ଇଙ୍ଗିତ ମିଳିଥାଏ, ତାହା ହେଲା ଏକ ପ୍ରକାର ଅଣ-ରାଜନୈତିକ ନେତୃତ୍ବର ଉନ୍ମେଷକୁ ନେଇ ସମ୍ଭାବନା। ଏଭଳି ସ୍ଥିତି ସେତିକି ବେଳେ ଉପୁଜି ଥାଏ, ଯେତେବେଳେ ଗଣତାନ୍ତ୍ରିକ ଭାବର ଅନ୍ତଃ ସଲିଳ ନାଗରିକମାନଙ୍କ ହୃଦୟରେ ପ୍ରବହମାନ ଥିବା ସତ୍ତ୍ବେ ଦେଶରେ ଥିବା ଗଣତାନ୍ତ୍ରିକ ବ୍ୟବସ୍ଥାଟି ଦୁର୍ବଳ ହୋଇପଡ଼ି ସେମାନଙ୍କୁ ନିଜ ଭାବ ବ୍ୟକ୍ତ କରିବାର ବା ନିଜ ପକ୍ଷ ରଖିବାର ସୁଯୋଗ‌ ପ୍ରଦାନ କରି ନ ଥାଏ। ସୁତରା˚, କହିଲେ ଭୁଲ ହେବନାହିଁ ଯେ ଏଭଳି ଅଣ-ରାଜନୈତିକ ଆନ୍ଦୋଳନ ଦୁର୍ବଳ ଗଣତାନ୍ତ୍ରିକ ବ୍ୟବସ୍ଥାର ଉପସର୍ଗ; ଏହା ରାଷ୍ଟ୍ରରେ ‘ଗଣତନ୍ତ୍ରର ମାତ୍ରାଧିକ୍ୟ’ର ପ୍ରମାଣ ନୁହେଁ।

ସମ୍ବନ୍ଧିତ ଖବର