ପଞ୍ଜାବରେ ମୋବାଇଲ୍‌ ଫୋନ୍‌ ଉପଭୋକ୍ତାଙ୍କ ସ˚ଖ୍ୟା ହେଉଛି ପ୍ରାୟ ଚାରି କୋଟି (ମୋବାଇଲ୍‌ ଫୋନ୍‌ ସ˚ଯୋଗ ସ˚ଖ୍ୟା)। ସେମାନଙ୍କ ମଧୢରୁ ମୁକେଶ ଅମ୍ବାନୀଙ୍କର ‘ରିଲାଏନ୍‌ସ ଜିଓ’ର ସ˚ଯୋଗ ସ˚ଖ୍ୟା ହେଉଛି ପ୍ରାୟ ୧.୪ କୋଟି। ସେ ରାଜ୍ୟରେ ଏହି ସ˚ଯୋଗ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ୨୧,୩୦୬ଟି ମୋବାଇଲ୍‌ ଟାଵାର‌୍‌ ରାଜ୍ୟ ସାରା ବିଛାଇ ହୋଇ ରହିଛି। ସେମାନଙ୍କ ମଧୢରୁ ‘ଜିଓ’ର ଟାଵାର‌୍‌ ସ˚ଖ୍ୟା ହେଉଛି ପ୍ରାୟ ନ’ହଜାର। ପ୍ରକାଶିତ ସୂଚନା ଅନୁସାରେ ସୋମବାର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୧,୫୬୧ଟି ଟାଵାର‌୍‌ ଦୁର୍ବୃତ୍ତମାନଙ୍କ ଆକ୍ରମଣ ଫଳରେ ଅଚଳ ହୋଇ ପଡ଼ିଥିଲା, ଯେଉଁଥିରୁ କେବଳ ସୋମବାର ଦିନ ପ୍ରାୟ ୧୫୦ଟି ଏଭଳି କ୍ଷତିଗ୍ରସ୍ତ ହୋଇଥିଲା। କ୍ଷତିଗ୍ରସ୍ତ ଟାଵାର‌୍‌ମାନଙ୍କ ମଧୢରୁ ଅଧିକା˚ଶ ହେଉଛି ‘ଜିଓ’ର। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅମରିନ୍ଦର‌୍‌ ସି˚ହ ଏଭଳି ହି˚ସାତ୍ମକ କାଣ୍ତରୁ ନିବୃତ୍ତ ରହିବାକୁ ଦେଇଥିବା ଆହ୍ବାନ ସତ୍ତ୍ବେ ରାଜ୍ୟରେ ‘ଜିଓ’ ଟାଵାର‌୍‌ମାନଙ୍କ ଉପରେ ଆକ୍ରମଣ ଅବ୍ୟାହତ ରହିଥିଲା।

Advertisment

କେନ୍ଦ୍ର ସରକାରଙ୍କର କୃଷି ସ˚ସ୍କାର ଆଇନ ବିରୋଧରେ ସେଠାରେ ଆୟୋଜିତ ବିକ୍ଷୋଭର ଏହି ସଦ୍ୟତମ ପରିପ୍ରକାଶ ଯେଉଁ ଏକ ଅନୁରୂପ ବିକ୍ଷୋଭର ପ୍ରତିଧ୍ବନି ଭଳି ମନେ ହୋଇଥାଏ, ତାହା ହେଉଛି ଊନବି˚ଶ ଶତାବ୍ଦୀର ଦ୍ବିତୀୟ ଦଶକରେ ବ୍ରିଟେନ୍‌ରେ ଶିଳ୍ପ ବିପ୍ଳବର ଅ˚ଶ ସ୍ବରୂପ କାରଖାନାମାନଙ୍କରେ ଶ୍ରମିକମାନଙ୍କ ସ୍ଥାନରେ ଅଧିକରୁ ଅଧିକ ଯନ୍ତ୍ର ବ୍ୟବହାର ବିରୋଧରେ ଦେଖା ଦେଇଥିବା ବିକ୍ଷୋଭ, ଯାହା ‘ଲଡାଇଟ୍‌’ ବିକ୍ଷୋଭ ଭାବେ ସୁପରିଚିତ। ୧୮୧୧ ମାର୍ଚ୍ଚ ୧୧ ଦିନ ବ୍ରିଟିସ୍‌ ସୈନ୍ୟମାନେ ନଟିଙ୍ଗ୍‌ହାମ୍‌ଠାରେ ନିଯୁକ୍ତି ଓ ମଜୁରିରେ ବୃଦ୍ଧି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦଳେ ଶ୍ରମିକଙ୍କୁ ବଳପ୍ରୟୋଗ କରି ଘଉଡ଼ାଇ ଦେଲେ। ସେଇଦିନ ରାତିରେ କ୍ରୁଦ୍ଧ ଶ୍ରମିକମାନେ ଏକ ନିକଟବର୍ତ୍ତୀ ଲୁଗା କାରଖାନାରେ ପଶି ଯନ୍ତ୍ରପାତି ସବୁ ବାଡ଼େଇ ଭାଙ୍ଗିରୁଜି ଦେଲେ। ପ୍ରଥମେ ଏହି ଘଟଣାର କାଁ ଭାଁ ପୁନରାବୃତ୍ତି ଘଟିବା ପରେ ଅବିଳମ୍ବେ ତାହା ଏକ କାରଖାନା ଧ୍ବ˚ସ ଲହରିରେ ପରିଣତ ହେଲା।

ଅବସ୍ଥା ଅସମ୍ଭାଳ ହେବାରୁ କାରଖାନାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ରିଟିସ୍‌ ସରକାର ହଜାର ହଜାର ସୈନ୍ୟଙ୍କୁ ମୁତୟନ କଲେ। ପରିସ୍ଥିତି ତଥାପି ଅଣାୟତ୍ତ ହେବାରୁ ସେ ଦେଶର ପାର୍ଲିଆମେଣ୍ଟ୍‌ କାରଖାନାରେ ଯନ୍ତ୍ରପାତି ଭଙ୍ଗାରୁଜା କାର୍ଯ୍ୟ ଭଳି ଅପରାଧ ପାଇଁ ମୃତ୍ୟୁଦଣ୍ତ ବ୍ୟବସ୍ଥା କରି ଆଇନ ପ୍ରଣୟନ କରିଲେ। ଏହି ଆଇନ ବଳରେ କେତେକ ବିକ୍ଷୋଭକାରୀ ଫାଶୀ ଖୁଣ୍ଟରେ ଝୁଲିଥିବା ବେଳେ ଅନେକଙ୍କୁ ଅଷ୍ଟ୍ରେଲିଆକୁ ନିର୍ବାସିତ କରି ପଠାଇ ଦିଆଯାଇଥିଲା। ପାଞ୍ଚ ବର୍ଷ ପରେ ୧୮୧୬ରେ ଏହି ଲହରିର ଶେଷ ବିକ୍ଷୋଭ ଘଟିଥିଲା।

ଅଷ୍ଟାଦଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଶିଳ୍ପ ବିପ୍ଳବର ଅଗ୍ରଗତି ସହିତ ତାଳ ଦେଇ କାରଖାନାରେ ଯନ୍ତ୍ର ବ୍ୟବହାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଏକ ନିୟମିତ ସାମୟିକ ଘଟଣା ହୋଇଥିଲେ ହେଁ ଏହି ନିର୍ଦ୍ଦିଷ୍ଟ ବିକ୍ଷୋଭ ଏଭଳି ପ୍ରସିଦ୍ଧି ଲାଭ କରିବା ପଛରେ ରହିଥିବା କାରଣ ଏହାର ଭୀଷଣତା ଯେତେ ନୁହେଁ, ତା’ଠାରୁ ଅଧିକ ହେଉଛି ବିକ୍ଷୋଭକାରୀମାନେ ବହନ କରିଥିବା ନାମ: ‘ଲଡାଇଟ୍‌’। ଯେଉଁ ଚରିତ୍ରଙ୍କଠାରୁ ବିକ୍ଷୋଭକାରୀମାନେ ଏହି ନାମ ଗ୍ରହଣ କରିଥିଲେ, ତାଙ୍କ ନାମ ଥିଲା- ନେଡ୍‌ ଲଡ୍‌। ସେ କେତେବେଳେ କ୍ୟାପ୍‌ଟେନ୍‌ ଲଡ୍‌ ନାମରେ ପରିଚିତ ଥିଲେ ତ କେତେବେଳେ ଜେନେରାଲ୍‌ ଲଡ୍‌ ଓ ଆଉ କେତେବେଳେ ରାଜା ବା କିଙ୍ଗ୍‌ ଲଡ୍‌ ନାମରେ ଆଲୋଚିତ ହେଉଥିଲେ। ତାଙ୍କର ପ୍ରଥମ ଆବିର୍ଭାବ ଘଟିଥିଲା ନଟିଙ୍ଗ୍‌ହାମ୍‌ଠାରେ ନଭେମ୍ବର ୧୮୧୧ରେ ଘଟିଥିବା ଏକ ବିକ୍ଷୋଭରେ। ପରବର୍ତ୍ତୀ ସମୟରେ ଗୋଟିକ ପରେ ଗୋଟିଏ ବିକ୍ଷୋଭ ଆୟୋଜନ କରିବା ପଛରେ ତାଙ୍କର ହାତ ଓ ଉପସ୍ଥିତି ଥିଲା ବୋଲି ବିଶ୍ବାସ କରାଯାଉଥିଲା।

ନେଡ୍‌ ଲଡ୍‌ କିନ୍ତୁ ଥିଲେ ଏକ ଅଦୃଶ୍ୟ ଚରିତ୍ର, ଯାହାଙ୍କୁ ଧରିବା ପାଇଁ ସରକାର ଓ ସେନାବାହିନୀର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ- କାରଣ ବିକ୍ଷୋଭକୁ ନେତୃତ୍ବ ଦେଉଥିଲେ ବୋଲି ବିଶ୍ବାସ କରାଯାଉଥିବା ନେଡ୍‌ ଲଡ୍‌ ଥିଲେ ଜଣେ ଅଶରୀରୀ, କାଳ୍ପନିକ ଚରିତ୍ର। ପ୍ରକୃତ ଲଡ୍‌ ଥିଲେ ଏହାର ଦୁଇ ଦଶନ୍ଧି ପୂର୍ବେ ଲେଷ୍ଟର‌୍‌ ସହରର ଏକ ମୋଜା ବୁଣା କାରଖାନାରେ ଶିକ୍ଷାନବୀଶ ରୂପେ ନିୟୋଜିତ ଜଣେ ଯୁବକ ଯିଏ ତାଙ୍କର ହୁଗୁଳା ବୁଣା ପାଇଁ ଉପରିସ୍ଥ କର୍ମଚାରୀଙ୍କ ଠାରୁ ଗାଳି ଖାଇବାରୁ କ୍ରୋଧିତ ହୋଇ ଏକ ବିରାଟ ହାତୁଡ଼ି ଉଠାଇ କାରଖାନାର ମୋଜା ବୁଣା ଯନ୍ତ୍ରପାତି ସବୁକୁ ବାଡ଼େଇ ଭାଙ୍ଗି ଦେଇଥିଲେ। ନଟିଙ୍ଗ୍‌ହାମ୍‌ର ବିକ୍ଷୋଭକାରୀମାନେ ଏଇ ନେଡ୍‌ ଲଡ୍‌ ଚରିତ୍ରକୁ ସେମାନଙ୍କର ଯନ୍ତ୍ର-ବିରୋଧୀ ଆନ୍ଦୋଳନର ସା˚କେତିକ ନେତାରେ ପରିଣତ କରିଥିଲେ, ଯାହା କ୍ରମେ ଜନମାନସରେ ଏକ ବାସ୍ତବ ଚରିତ୍ରରେ ପରିଣତ ହୋଇଗଲା।

ଏହି କାଳ୍ପନିକ ନେଡ୍‌ ଲଡ୍‌ଙ୍କର ଅନୁଗାମୀ ବିକ୍ଷୋଭକାରୀମାନଙ୍କୁ ‘ଲଡାଇଟ୍‌’ ବୋଲି କୁହାଯିବାକୁ ଲାଗିଲା। କୌଣସି ନୂତନ ପ୍ରବିଧିକୁ ଯେଉଁମାନେ ବିରୋଧ କରନ୍ତି, କ୍ରମେ ସେମାନଙ୍କୁ ‘ଲଡାଇଟ୍‌’ ରୂପେ ଆଖ୍ୟାୟିତ କରାଗଲା, ଯେମିତି ଆମ ଦେଶରେ କମ୍ପ୍ୟୁଟର‌୍‌ ବ୍ୟବହାର ଆରମ୍ଭ ସମୟରେ ବିଭିନ୍ନ ଦପ୍ତରମାନଙ୍କରେ ଛଟେଇ ଆଶଙ୍କାରେ ଏହାର ବ୍ୟବହାରକୁ ତୀବ୍ର ବିରୋଧ କରି ବିକ୍ଷୋଭ ଓ ଧର୍ମଘଟ ଆଦିରେ ମାତିଥିବା କର୍ମଚାରୀମାନଙ୍କୁ ବର୍ଣ୍ଣନା କରାଯାଉଥିଲା। ଏବେ ସେଥିରେ ସମ୍ପ୍ରସାରଣ ଘଟି ଯେକୌଣସି ଏକ ପ୍ରଗତିଶୀଳ ପରିବର୍ତ୍ତନକୁ ବିରୋଧ କରୁଥିବା ଲୋକମାନଙ୍କୁ ‘ଲଡାଇଟ୍‌’ ରୂପେ ଆଖ୍ୟାୟିତ କରାଯାଇଥାଏ। ସେ ଦୃଷ୍ଟିରୁ ଦେଖିଲେ ଯେଉଁମାନେ ଦେଶରେ କୃଷିକ୍ଷେତ୍ରରେ ପ୍ରଗତିଶୀଳ ପରିବର୍ତ୍ତନ ଆଣିବାକୁ ଆବଶ୍ୟକ ଆଇନଗତ ସ˚ସ୍କାରକୁ ବିରୋଧ କରି ପଞ୍ଜାବରେ ଆନ୍ଦୋଳନ କରୁଛନ୍ତି, ସେମାନେ ସେଇ ଊନବି˚ଶ ଶତାବ୍ଦୀର ‘ଲଡାଇଟ୍‌’ମାନଙ୍କର ଆଧୁନିକ ସ˚ସ୍କରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଊନବି˚ଶ ଶତାବ୍ଦୀର ପ୍ରାକ୍‌-କାଳରେ ‘ଲଡାଇଟ୍‌’ମାନେ ବ୍ରିଟେନ୍‌ରେ ଯେଉଁ ଯନ୍ତ୍ରଭିତ୍ତିକ ଶିଳ୍ପ ବିପ୍ଳବକୁ ବିରୋଧ କରୁଥିଲେ, ସେଇ ଶିଳ୍ପ ବିପ୍ଳବ ହିଁ ଅଳ୍ପକାଳ ମଧୢରେ ସେମାନଙ୍କୁ ଦାରିଦ୍ର୍ୟ ମୁକ୍ତ କରି କେବଳ ସମାଜର ସ୍ବଚ୍ଛଳ ବର୍ଗରେ ପରିଣତ କଲା, ତାହା ନୁହେଁ, ସେମାନଙ୍କର ଦେଶ ବ୍ରିଟେନ୍‌କୁ ପୃଥିବୀର ଅଗ୍ରଣୀ ଶିଳ୍ପ ଶକ୍ତିରେ ପରିଣତ କଲା। ପରେ ସେଇ ଶିଳ୍ପ ବିପ୍ଳବ ଆଧୁନିକ ମାନବ ସଭ୍ୟତାର ଭିତ୍ତିଭୂମିରେ ପରିଣତ ହେଲା।

ପଞ୍ଜାବର କୃଷି ସ˚ସ୍କାର-ବିରୋଧୀ ବିକ୍ଷୋଭକାରୀମାନେ ବୋଧହୁଏ ‘ଲଡାଇଟ୍‌’ ରୂପେ ବିବେଚିତ ହେବା ପାଇଁ ସେମାନଙ୍କର ଏହି ଆଭିମୁଖ୍ୟ ଯଥେଷ୍ଟ ନୁହେଁ ବୋଲି ବିଚାର କରି ବ୍ରିଟେନ୍‌ର ସେଇ ମୂଳ ‘ଲଡାଇଟ୍‌’ମାନଙ୍କର ଆଚରଣ ମଧୢ ଯେ ନକଲ କରିବାକୁ ସ୍ଥିର କରିଛନ୍ତି, ତାହା ସେଠାରେ ମୋବାଇଲ୍‌ ଟାଵାର‌୍‌ମାନଙ୍କ ଉପରେ ସେମାନେ ଚଳାଇଥିବା ଆକ୍ରମଣ ଲହରିରୁ ସ୍ପଷ୍ଟ ହୋଇଥାଏ। ଊନବି˚ଶ ଶତାବ୍ଦୀରେ କାରଖାନାରେ ଯନ୍ତ୍ର ବ୍ୟବହାର ଯେଉଁଭଳି ଥିଲା ଅତ୍ୟାଧୁନିକ ପ୍ରବିଧି ବା ଟେକ୍ନୋଲୋଜିର ସ˚କେତ, ଆଜିର ଡିଜିଟାଲ ଇଣ୍ଟର‌୍‌ନେଟ୍‌ ଦୁନିଆରେ ସେଇଭଳି ମୋବାଇଲ ଟାଵାର‌୍‌ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜିର ବାହକ। ମୋବାଇଲ୍‌ ଟାଵାର‌୍‌ ଉପରେ ଆକ୍ରମଣ ହେଉଛି ସେ ଦିନର ମୋଜାବୁଣା ଯନ୍ତ୍ର ଉପରେ ଆକ୍ରମଣ ଭଳି।

ଏଠାରେ କେବଳ ଗୋଟିଏ ଅସ˚ଗତି ଯାହା ଦେଖିବାକୁ ମିଳୁଛି। ସେ ସମୟରେ ଆନ୍ଦୋଳନକାରୀଙ୍କୁ ନେତୃତ୍ବ ଦେଉଥିଲେ ବୋଲି ବିଶ୍ବାସ କରାଯାଉଥିବା ନେଡ୍‌ ଲଡ୍‌ ଜଣେ କାଳ୍ପନିକ ଚରିତ୍ର ଥିବା ବେଳେ ବର୍ତ୍ତମାନ ଆନ୍ଦୋଳନକାରୀଙ୍କ ଆକ୍ରମଣର ଶରବ୍ୟ ରୂପେ ଆବିର୍ଭୂତ ମୁକେଶ ଅମ୍ବାନୀଙ୍କୁ ଏହି ପରିପ୍ରେକ୍ଷୀରେ ଜଣେ କାଳ୍ପନିକ ଚରିତ୍ର ବୋଲି କୁହାଯିବ। କାରଣ, ତାଙ୍କର ଏ କୃଷି ସ˚ସ୍କାର ଉଦ୍ୟମ ସହିତ କୌଣସି ଦେଣନେଣ ନାହିଁ କିମ୍ବା ତାଙ୍କର କୌଣସି କମ୍ପାନି କୃଷକଙ୍କ ଠାରୁ ସିଧାସଳଖ କିଛି ଶସ୍ୟ କ୍ରୟ କରେ ନାହିଁ। କିଙ୍ଗ୍‌ ଲଡ୍‌ କାହାଣୀ ଦ୍ବାରା ପ୍ରଭାବିତ ହୋଇ ବ୍ରିଟିସ୍‌ ସରକାର ଯେଉଁ ଭଳି ପାନେ ଦେବା ପାଇଁ ନେଡ୍‌ ଲଡ୍‌ଙ୍କୁ ଖୋଜି ବୁଲୁଥିଲା, ବିରୋଧୀମାନଙ୍କର ଅମ୍ବାନୀ-ଆଦାନୀ କାହାଣୀ ଦ୍ବାରା ପ୍ରଭାବିତ ହୋଇ ପଞ୍ଜାବର ବିକ୍ଷୋଭକାରୀମାନେ ସେଇ ଭଳି ଅମ୍ବାନୀଙ୍କ ମୋବାଇଲ ଟାଵାର ଉପରେ ରାଗ ଶୁଝାଉଛନ୍ତି।