୨୦୨୦ର ଜିଜ୍ଞାସା

ଜର୍ମାନିର ବିଖ୍ୟାତ ଦାର୍ଶନିକ ଫ୍ରେଡରିକ୍‌ ନିଚାଙ୍କ ଏକ ବହୁଳ ଉଦ୍ଧୃତ ବାକ୍ୟଟି ହେଲା ‘ହି ହୁ ହାଜ୍‌ ଏ ‘ହ୍ବାଇ’ ଟୁ ଲିଭ୍‌ ଫର୍‌ କ୍ୟାନ୍‌ ବିଅର‌୍‌ ଅଲମୋଷ୍ଟ ଏନିହାଉ’; ଅର୍ଥାତ୍‌ ‘ଯାହାର ଜିଇବା ଲାଗି ‘କାହିଁକି’ଟିଏ ଅଛି; ସେ କୌଣସିମତେ ତିଷ୍ଠି ରହିପାରିବ’। ଏହାର ମର୍ମାର୍ଥ ହେଲା ଅସ୍ତିତ୍ବ ସ˚କଟରେ ପଡ଼ିଥିବା ମନୁଷ୍ୟ ଯେ ପର୍ଯ୍ୟନ୍ତ ସେ ଜିଇଥିବା ପଛରେ ଥିବା ‘କାହିଁକି’ର ଉତ୍ତର ଅନ୍ବେଷଣ କରି ଚାଲିଥିବ ସେ ପର୍ଯ୍ୟନ୍ତ ସେ ବଞ୍ଚି ରହିପାରିବ। ସେହି ଆଧାରରେ ଏକ ଭୟାବହ ପାନ୍‌ଡେମିକ୍‌ କବଳିତ ବିଦାୟୀ ବର୍ଷରେ ‘ଗୁଗଲ୍‌’ ନିକଟରେ ପୃଥିବୀର ଅସହାୟ ଜନସାଧାରଣ ଉପସ୍ଥାପନ କରିଥିବା ଜିଜ୍ଞାସାମୂଳକ ପ୍ରଶ୍ନର ସମୁଦ୍ର ଉପରେ ଯଦି ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଜଣାଯିବ ଯେ ଏହି ବର୍ଷ ‘କାହିଁକି’ର ସ˚ଖ୍ୟା ଆଉ ସମସ୍ତ ପ୍ରଶ୍ନବାଚକ ଅଭିବ୍ୟକ୍ତିି (କିପରି ବା କ’ଣ ବା କେଉଁଠି) ଠାରୁ ଅଧିକ ହୋଇଛି। ଏହି ମର୍ମରେ ‘ଗୁଗଲ୍‌’ ଦ୍ବାରା ସଦ୍ୟ ପ୍ରକାଶିତ ଏକ ତାଲିକା ବିଶେଷ ପ୍ରଣିଧାନଯୋଗ୍ୟ, ଯହିଁରେ ପୃଥିବୀ ବାସିନ୍ଦା ତା’ ଠାରୁ ଯେଉଁ କୋଟି କୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି, ତାର ବର୍ଗୀକରଣ କରାଯାଇଛି। ଏକ ଦାରୁଣ ସ˚କଟ କାଳରେ ମନୁଷ୍ୟ ଜାତିର ସ୍ଥିତି ତଥା ତାର ବର୍ତ୍ତମାନ ଓ ଭବିଷ୍ୟତ୍‌କୁ ନେଇ ତହିଁରୁ ଯେ ଏକ ଅନ୍ତର୍ଦୃଷ୍ଟି ମିଳିପାରେ, ତାହା କହିବା ବାହୁଲ୍ୟ ମାତ୍ର। ଏହା ମଧୢ କୁହାଯାଇପାରେ ଯେ ଅଚାନକ କରୋନା ପ୍ରହାରରେ ହତ ଚକିତ ହୋଇ ପଡ଼ିଥିବା ମାନବ ସମାଜ ଇତିମଧୢରେ ତାର ଅସ˚ଖ୍ୟ ଜିଜ୍ଞାସାର ଉତ୍ତର ପାଇଯାଇ ଅସ୍ତିତ୍ବ ସ˚କଟ ଜନିତ ପରିସ୍ଥିତିର ମୁକାବିଲା କରିବାରେ ଅଧିକ ସାମର୍ଥ୍ୟ ମଧୢ ହାସଲ କରିପାରିଛି।

ସ୍ବାଭାବିକ ଭାବେ ୨୦୨୦ରେ ଯେଉଁ ବିଷୟକୁ କେନ୍ଦ୍ର କରି ତଥା ଯେଉଁ ବିଷୟ ସ˚ପର୍କିତ ସବାର୍ଧିକ ସ˚ଖ୍ୟକ ପ୍ରଶ୍ନ ‘ଗୁଗଲ’କୁ ପଚରାଯାଇଥିଲା, ତାହା ଥିଲା ‘କରୋନା’। କରୋନା କାଳରେ ସମଗ୍ର ପୃଥିବୀ ‘ଲକ୍‌ଡାଉନ୍‌’ ଅଧୀନକୁ ଚାଲିଯିବା ପରେ ମନୁଷ୍ୟ ସମାଜ ଶରୀର, ମନ, ଅର୍ଥ, ସମାଜ ଓ ସ˚ପର୍କ ଇତ୍ୟାଦି କ୍ଷେତ୍ରରେ ସହସା ଯେଉଁ ସ˚କଟର ସାମ୍‌ନା କରିଥିଲା, ତହିଁରୁ ଉଦ୍ଧାର ପାଇବା ଲାଗି ସୃଷ୍ଟି ହୋଇଥିବା ପ୍ରଶ୍ନର ପଟୁଆର ଭିତରେ ଯେଉଁ ଦୁଇଟି ଆପାତତଃ ଗୁରୁତ୍ବପୂର୍ଣ୍ଣ ମନେ ହୋଇଥାଏ, ତାହା ହେଲା ‘ଘରେ ପାଉଁରୁଟି ତିଆରି କରିବା କେମିତି?’ ଏବ˚ ‘କୁକୁର ପାଳିବା କେମିତି?’ ଯଦିଓ, ଘରେ ହ୍ୟାଣ୍ତ୍‌ ସାନିଟାଇଜର ପ୍ରସ୍ତୁତି ବା ମୁଖା ପ୍ରସ୍ତୁତିର ଉପାୟ ବିଷୟରେ ଜିଜ୍ଞାସା କରି ଲକ୍ଷ ଲକ୍ଷ ପ୍ରଶ୍ନ ଆସିଥିଲା; ତଥାପି ହଠାତ୍‌ ସମଗ୍ର ପୃଥିବୀ ତାଲାବନ୍ଦ ଅଧୀନକୁ ଚାଲିଯିବା ପରେ ବଞ୍ଚିବା ଲାଗି ଖାଦ୍ୟ ଓ ଏକାନ୍ତ ବାସର ବାଧୢବାଧକତା କାରଣରୁ ସୃଷ୍ଟ ନିଃସ˚ଗତାବୋଧରୁ ଉଦ୍ଧାର ପାଇବା ପାଇଁ ସମ୍ଭବତଃ ଏଭଳି ପ୍ରଶ୍ନ ଦ୍ବୟ ପଚରା ଯାଇଥିଲା। ଏହାକୁ ଏକ ପ୍ରତୀକଧର୍ମୀ ଜିଜ୍ଞାସା ରୂପେ ବିଚାର କଲେ ଯେଉଁ ଗୋଟିଏ ନିଷ୍କର୍ଷ ମିଳିଥାଏ, ତାହା ହେଲା ‘ଗୁଗଲ’ ପ୍ରଦତ୍ତ ଉତ୍ତର ପାଇବା ପରେ ଅନେକ ପୃଥିବୀବାସୀ ଅସହାୟ ଗୃହବନ୍ଦୀ ଭାବେ ଜୀବନ ନିର୍ବାହ କରୁଥିବା ବେଳେ ଅନ୍ତତଃ ନିଜ ଉଦର ଓ ମନର କ୍ଷୁଧା ଦୂର କରିବାର ସାମର୍ଥ୍ୟ ହାସଲ କରିଥିବେ, ଯାହା ସେମାନଙ୍କୁ ଭବିଷ୍ୟତ୍‌ର ଅନେକ ଅସ୍ତିତ୍ବ ସ˚କଟ କାଳରେ ସମସ୍ୟାର ମୁକାବିଲା ଲାଗି ସାହସ ଯୋଗାଇବ।

ଏହା ସହିତ ପାନ୍‌ଡେମିକ୍‌କାଳୀନ ଅସ୍ତିତ୍ବ ସ˚କଟ ଆଉ ଯେଉଁଭଳି ପ୍ରଶ୍ନର ଉତ୍ତାଳ ତରଙ୍ଗ ସୃଷ୍ଟି କରିଥିଲା, ତାହା ଏକ ଦୁଃସ୍ଥିତି କାଳରେ ମନୁଷ୍ୟର ବିବେକ ଜାଗ୍ରତ ହୋଇଥିବା ପ୍ରତି ଇଙ୍ଗିତ କରିଥାଏ। ‘ଗୁଗଲ’ ପକ୍ଷରୁ ପ୍ରକାଶିତ ତଥ୍ୟାନୁସାରେ ‘ମୁଁ କିଭଳି ଫାସିବାଦ ବିରୋଧୀ ହେବି?’ ଭଳି ପ୍ରଶ୍ନର ସ˚ଖ୍ୟା ପୂର୍ବ ବର୍ଷମାନଙ୍କରେ ବହୁଳ ଭାବେ ପଚରା ଯାଇଥିବା ପ୍ରଶ୍ନ ‘ମୁଁ କେମିତି କୋଟିପତି ହେବି?’କୁ ଅତିକ୍ରମ କରି ଯାଇଛି। କରୋନାକାଳୀନ ଲକ୍‌ଡାଉନ୍‌ କଟକଣା ବେଳେ ବିଭିନ୍ନ ରାଷ୍ଟ୍ରର ସରକାରଗୁଡ଼ିକ ଦ୍ବାରା ପ୍ରଦର୍ଶିତ କଠୋର ଆଭିମୁଖ୍ୟ ସମ୍ଭବତଃ ଏଭଳି ପ୍ରଶ୍ନ ସୃଷ୍ଟି କରିଥିବ; ଅଥବା ପୃଥିବୀର କେତେକ ରାଷ୍ଟ୍ର ‘ଆଲ୍‌ଫା ମେଲ୍‌’ ବା ‘ଟାଣୁଆ ପୁରୁଷ’ମାନଙ୍କ ଦ୍ବାରା ଶାସିତ ହେଉଥିବା ପରିପ୍ରେକ୍ଷୀରେ କରୋନା ପରିଚାଳନା ନେଇ ଦୃଷ୍ଟିଗୋଚର ହୋଇଥିବା ସେମାନଙ୍କ ଅହ˚କାରୀ ମନୋଭାବ ଦ୍ବାରା ସେହି ଦେଶଗୁଡ଼ିକ (ଯୁକ୍ତରାଷ୍ଟ୍ର ଆମେରିକା ବା ଗ୍ରେଟ୍‌ବ୍ରିଟେନ୍‌ ବା ବ୍ରାଜିଲ) ଭୟାବହ ସ˚କ୍ରମଣର ଶିକାର ହେବା ମଧୢ ଏଭଳି ପ୍ରତିକ୍ରିୟାର କାରଣ ହୋଇପାରେ; ଅଥବା ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ବେତାଙ୍ଗ ପୁଲିସ କର୍ମଚାରୀଙ୍କ ଦ୍ବାରା ସଡ଼କ ଉପରେ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟା ଓ ତା’ ପରବର୍ତ୍ତୀ କାଳରେ ସୃଷ୍ଟ ‘ବ୍ଲାକ୍‌ ଲାଇଭସ ମ୍ୟାଟର୍’ ଆନ୍ଦୋଳନ ପରିପ୍ରେକ୍ଷୀରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ ପ୍ରଦର୍ଶନ କରିଥିବା ଅଗଣତାନ୍ତ୍ରିକ ଆଭିମୁଖ୍ୟ ମଧୢ ଏହାର କାରଣ ହୋଇପାରେ। କେବଳ ସେତିକି ନୁହେଁ, ଏହି ବିଦାୟୀ ବର୍ଷରେ ବିଭିନ୍ନ ଜନହିତକର କାର୍ଯ୍ୟ ଲାଗି (କୋଭିଡ୍‌ ମୁକାବିଲା ସମେତ) ଅର୍ଥଦାନ କରିବାକୁ ଆଗ୍ରହୀ ଅସ˚ଖ୍ୟ ବ୍ୟକ୍ତି ବିଭିନ୍ନ ମାଧୢମ ସ˚ପର୍କରେ ଜିଜ୍ଞାସା କରି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଅଧିକ ସ˚ଖ୍ୟାରେ ବିବେକ ପ୍ରେରିତ ପ୍ରଶ୍ନ ପଚାରିଛନ୍ତି। ସମ୍ଭବତଃ ଏକ ଅଭୂତପୂର୍ବ ସାମୂହିକ ସ˚କଟ ମାନବ ଜାତିକୁ ଅଧିକ ସମ୍ବେଦନଶୀଳ ଓ ଅନ୍ତର୍ଦୃଷ୍ଟି ସ˚ପନ୍ନ କରିଥାଇପାରେ।

‘ଗୁଗଲ’କୁ ପଚରାଯାଇଥିବା ପ୍ରଶ୍ନର ସ˚ଖ୍ୟା ଆଧାରରେ ବିଚାର କରି ଯଦି ଭାରତ ସ˚ପର୍କରେ କିଛି ଧାରଣା ସୃଷ୍ଟି କରାଯିବ, ତେବେ ତାହା ହେଲା ଭାରତରେ ଇଣ୍ଟରନେଟ୍‌ ପ୍ରସାର ଅତ୍ୟନ୍ତ ବ୍ୟାପକ ହୋଇଛି। କାରଣ ଭାରତ-ନ୍ୟୁଜିଲାଣ୍ଡ ମଧୢରେ ଚାଲିଥିବା କ୍ରିକେଟ୍‌ ମ୍ୟାଚ୍‌ ବା ବିହାର ନିର୍ବାଚନ ବେଳେ ପଚରା ଯାଇଥିବା ତତ୍‌ସମ୍ବନ୍ଧୀୟ ପ୍ରଶ୍ନର ସ˚ଖ୍ୟା ସେହି ସମୟରେ ଆଉ ସମସ୍ତ ପ୍ରଶ୍ନକୁ ପଛରେ ପକାଇ ଦେଇଥିଲା। ସେହିଭଳି ସେଲିବ୍ରିଟିଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ଲାଗି ପଚରାଯାଇଥିବା କୋଟି କୋଟି ସ˚ଖ୍ୟକ ପ୍ରଶ୍ନ ଭିତରେ କୋଭିଡ୍‌ଗ୍ରସ୍ତ ଅମିତାଭ ବଚ୍ଚନଙ୍କୁ ନେଇ କରାଯାଇଥିବା ପ୍ରଶ୍ନ ସ˚ଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ରହିଛି। ତେବେ ଲକ୍‌ଡାଉନ୍‌କାଳୀନ ଉଦ୍‌ବେଗ ଓ ଅସହାୟତା ନେଇ ଭାରତୀୟମାନେ ଅପେକ୍ଷାକୃତ ସ୍ବଳ୍ପ ଜିଜ୍ଞାସୁ ହୋଇ ଏହା ମଧୢ ପ୍ରମାଣ କରିଛନ୍ତି ଯେ ଅସ୍ତିତ୍ବ ସ˚କଟର ମୁକାବିଲା କରିବାରେ ସେମାନେ ପାଶ୍ଚାତ୍ୟ ରାଷ୍ଟ୍ରର ନାଗରିକମାନଙ୍କ ତୁଳନାରେ ଅଧିକ ଦକ୍ଷ।

କହିବା ବାହୁଲ୍ୟ ଯେ ୨୦୨୦ରେ ‘ଗୁଗଲ’ ଯେଉଁ ସବୁ ଜିଜ୍ଞାସାର ସାମ୍‌ନା କରିଥିଲା, ସେଭଳି ବୋଧହୁଏ ପରବର୍ତ୍ତୀ କାଳରେ ଦେଖିବାକୁ ମିଳି ନ ପାରେ। ହୁଏ’ତ କରୋନାର ଅବସାନ ପରେ ପୂର୍ବ ବର୍ଷମାନଙ୍କ ଭଳି ‘କେମିତି କୋଟିପତି ହେବି?’ ସୁଲଭ ପ୍ରଶ୍ନର ସ˚ଖ୍ୟାଧିକତା ଏକ ସ୍ବାଭାବିକତାରେ ପରିଣତ ହେବ। କିନ୍ତୁ ଅସ୍ତିତ୍ବ ସ˚କଟ କାଳରେ ମନୁଷ୍ୟ କିଭଳି ପ୍ରଶ୍ନ ସବୁର ଉତ୍ତର ଲୋଡ଼ିଥାଏ, ତାହାର ଏକ ଧାରଣା ‘ଗୁଗଲ’କୁ ପଚରାଯାଇଥିବା କୋଟି କୋଟି ପ୍ରଶ୍ନରୁ ମିଳିପାରେ। ଏହି ସବୁ ପ୍ରଶ୍ନର ଆହୁରି ବ୍ୟାପକ ଓ ଗଭୀର ଅନୁଶୀଳନ ଜରିଆରେ ମାନବ ଚରିତ୍ରର ଅନେକ କୌତୂହଳପ୍ରଦ ବିଭାବର ଉନ୍ମୋଚନ ମଧ୍ୟ କରାଯାଇପାରେ। ଭବିଷ୍ୟତ୍‌ରେ ମନସ୍ତତ୍ତ୍ବବିତ୍‌ମାନେ ହୁଏ’ତ ତାହା କରିପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଲକ୍‌ଡାଉନ୍‌ର ପ୍ରାରମ୍ଭିକ କାଳରେ ଯେତେବେଳେ ନିୟମିତ ଜୀବନ ଧାରାରେ ହଠାତ୍‌ ବିରାମ ଲାଗିଯାଇଥିଲା, ସେତିକିବେଳେ ପୃଥିବୀ ବାସିନ୍ଦା ମଣିଷମାନେ ‘ଗୁଗଲ’କୁ ସର୍ବାଧିକ ସ˚ଖ୍ୟାରେ ପଚାରିଥିବା ନିୟମିତ ପ୍ରଶ୍ନଗୁଡ଼ିକ ମଧୢରୁ ଗୋଟିଏ ଥିଲା, ‘ଆଜି କେଉଁ ବାର?’ ଏଭଳି ଜିଜ୍ଞାସା ମନୁଷ୍ୟର ଯେଉଁ ସ୍ଥିତିକୁ ଦର୍ଶାଇଥାଏ, ତାହା ଏକ ଭୟାବହ ଅସ୍ତିତ୍ବ ସ˚କଟ କାଳରେ ଅନେକଙ୍କୁ ଆବୋରି ବସିଥିବା ଦିଗଶୂନ୍ୟତା କି? ମନସ୍ତତ୍ତ୍ବବିତ୍‌ମାନେ ଏହା ଉପରେ ଅଧିକ ଆଲୋକପାତ କରିପାରିବେ।

ସମ୍ବନ୍ଧିତ ଖବର