ଶ୍ମଶାନ ବୈରାଗ୍ୟ!

କେବଳ ନିଜ ପାଇଁ ବ˚ଚିବା ବଡ଼ କଥା ନୁହେଁ, ଅନ୍ୟ ପାଇଁ ସୁଦ୍ଧା ବ˚ଚିବାଟା ହେଉଛି ବଡ଼କଥା- କୋଭିଡ ଆକ୍ରାନ୍ତ ପୁରୁଣାବର୍ଷ ଏକଥା ଶିକ୍ଷା ଦେଇଛି। ଏଇଟି ନୂଆବର୍ଷ ପାଳନ ଅବସରରେ, ସାମାଜିକ ଗଣମାଧୢମରେ ପ୍ରସାରିତ ଏକ ବାର୍ତ୍ତା ଯାହା ଶୁଣିବାକୁ ଖୁବ୍‌ ଭଲ ଲାଗିଥାଏ। ମାତ୍ର ବାସ୍ତବରେ ନୂଆବର୍ଷର ମଣିଷ କ’ଣ ପୁରୁଣା ବର୍ଷଗୁଡ଼ିକଠାରୁ ସ˚ପୂର୍ଣ୍ଣ ଭିନ୍ନ ଭାବେ ବ˚ଚିବା କଥାକୁ କାର୍ଯ୍ୟକାରୀ କରିପାରିବ? ଏହାର ଉତ୍ତର ହେବ ନା। କାରଣ ଦି ହଜାର କୋଡ଼ିଏର ବିଶ୍ବମାରୀ କରୋନା ମଣିଷକୁ ଅତି ପରିମାଣରେ ଭୟାର୍ତ୍ତ ଏବ˚ ଅସହାୟ କରି ଦେଇଛି। ସେଥିପାଇଁ ତା ମନରେ ଏ ପ୍ରକାର ଉଦାର ଧାରଣା ସୃଷ୍ଟି ହୋଇଛି ଯାହା ଅତ୍ୟନ୍ତ ସ୍ବାଭାବିକ। ଏ ପ୍ରକାର ସାମୟିକ ମନ ପରିବର୍ତ୍ତନକୁ ଶ୍ମଶାନ ବୈରାଗ୍ୟ କହିବା ବର˚ ଅଧିକ ଯୁକ୍ତିଯୁକ୍ତ ହେବ। ମଶାଣିରେ ଶବଦାହ କିମ୍ବା ଶବ ସତ୍କାର ଦେଖିବା ସମୟରେ ପୃଥିବୀର ନଶ୍ବରତା ସମ୍ବନ୍ଧରେ ମଣିଷ ମନରେ ଜାତ ହେଉଥିବା କ୍ଷଣସ୍ଥାୟୀ ଚେତନା ହେଉଛି ଶ୍ମଶାନ ବୈରାଗ୍ୟ। ମାତ୍ର ସେହି ମଣିଷ ଘରକୁ ଫେରି ଆସେ ଏବ˚ ତାର ନିତିଦିନିଆ ଜ˚ଜାଳ ଭିତରେ ହଜିଯାଏ। କିଛିଦିନ ପରେ ସେ ନିଜେ ଆବିଷ୍କାର କରେ ଯେ ବାସ୍ତବରେ ସେ ପୂର୍ବର ଅବସ୍ଥାକୁ ଫେରିଯାଇଛି। ସୁତରା˚, କୋଭିଡ ବିଶ୍ବମାରୀର ଆତଙ୍କ ଦୂର ହୋଇଯିବା ପରେ ମଣିଷ ସମାଜର ଗୋଟିଏ ଅତି ନଗଣ୍ୟ ବର୍ଗକୁ ବାଦ୍‌ ଦେଇ ଅନ୍ୟ ସମସ୍ତେ ଯଦି ପୂର୍ବ ଅବସ୍ଥାକୁ ଫେରିଯାଆନ୍ତି ତାହାହେଲେ ସେଥିରେ କୌଣସି ଅସ୍ବାଭାବିକତା ନାହିଁ।

ବର୍ତ୍ତମାନ କୋଭିଡ ନିୟନ୍ତ୍ରଣ ଲାଗି ବିଭିନ୍ନ ଟିକାର ପରୀକ୍ଷଣ ଚାଲିଛି। ଉନ୍ନତ ଦେଶମାନଙ୍କରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଯାଇଛି ଏବ˚ ଖୁବ୍‌ ଶୀଘ୍ର କୋଭିଡ ଆତଙ୍କ ସ˚ପୂର୍ଣ୍ଣ ଦୂରେଇ ଯାଇପାରେ; ମାତ୍ର ଏହା ସତ୍ତ୍ବେ ପୃଥିବୀରୁ ଏ ପ୍ରକାର ବିଶ୍ବମାରୀର ଆତଙ୍କ ଦୂର ହେବ ନାହିଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ସତର୍କବାଣୀ ଶୁଣାଇଛି। ଏହି ସ˚ସ୍ଥାର ବକ୍ତବ୍ୟ ହେଲା ପାଣିପାଗ ପରିବର୍ତ୍ତନ ପ୍ରକ୍ରିୟା ସହ ପଶୁପକ୍ଷୀଙ୍କ ସହ ଆମର ସ˚ପର୍କରେ ଜରୁରୀକାଳୀନ ସ˚ଶୋଧନ ବିନା ଏହି ଧରଣର ବିଶ୍ବମାରୀକୁ ଦୂର କରାଯାଇପାରିବ ନାହିଁ। ପୂର୍ବରୁ ଏକାଧିକବାର ଏହି ସ୍ତମ୍ଭରେ ଜଙ୍ଗଲକ୍ଷୟ ଓ ପାଣିପାଗ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ସ˚ପର୍କରେ ଆଲୋଚନା କରାଯାଇଅଛି। ସ˚କ୍ଷେପରେ ଜଙ୍ଗଲକ୍ଷୟ ସମ୍ବନ୍ଧରେ ସୂଚନାଦେବାକୁ ହେଲେ ଏକଥା କୁହାଯାଇପାରିବ ଯେ ପ୍ରତିବର୍ଷ ପଚାଶ ଲକ୍ଷ ହେକ୍ଟର ପରିମିତ ଜଙ୍ଗଲ ନଷ୍ଟ ହେଉଛି ଯାହାର ଅର୍ଥ ପ୍ରତି ଗୋଟିଏ ମିନିଟ୍‌ ଭିତରେ ପନ୍ଦରଟି ଫୁଟ୍‌ବଲ ପଡ଼ିଆ ଆୟତନର ଜଙ୍ଗଲ ହଜିଯାଉଅଛି। ଏଥିପାଇଁ ପାମ୍‌ ଅଏଲ୍‌, ସୋୟାବିନ୍‌, ଟିମ୍ବର ଏବ˚ ପଶୁମା˚ସ ଉପରେ ନିର୍ଭରଶୀଳ ପୃଥିବୀର ସାଢ଼େ ତିନିଶହଟି ବଡ଼ ବଡ଼ କମ୍ପାନିକୁ ସେମାନଙ୍କର ତଥ୍ୟ ପ୍ରକାଶ ପାଇଁ ୨୦୧୮ ମସିହାରେ କୁହାଯାଇଥିଲା। ମାତ୍ର ତାହା ସେମାନେ କରିନାହାନ୍ତି।

ସେହିପରି ପାଣିପାଗ ପରିବର୍ତ୍ତନ ଲାଗି ଫସିଲଜାତ ଜାଳେଣିର ଉପଯୋଗ ଓ କଳକାରଖାନାରେ ଜିନିଷ ଉତ୍ପାଦନ ପରି ପଶୁ ଉତ୍ପାଦନ ଦିଇଟି ଗୁରୁତ୍ବପୂର୍ଣ୍ଣ କାରଣ। ଏ ସ˚ପର୍କରେ କଠୋର ଆଭିମୁଖ୍ୟ ପ୍ରୟୋଜନ ବୋଲି ପ୍ରତ୍ୟେକ ବିଶ୍ବସ୍ତରୀୟ ବିତର୍କ ମଞ୍ଚରେ କୁହାଯାଇ ଆସୁଥିଲେ ମଧୢ ଆଶାନୁରୂପ ଫଳ ମିଳିନାହିଁ। ପାଣିପାଗରେ ଦ୍ରୁତ ପରିବର୍ତ୍ତନ ଯୋଗୁଁ ବିଶ୍ବ ଅନାହୂତ ପ୍ରାକୃତିକ ବିପର୍ଯ୍ୟୟ ଏବ˚ ତଜ୍ଜନିତ ଧନସ˚ପଦ କ୍ଷୟ ଦେଖୁଛି। ସମୁଦ୍ରର ଜଳପତ୍ତନ ବଢ଼ି ବିପର୍ଯ୍ୟୟ ସୃଷ୍ଟି କରୁଛି। ଏହି ଧରଣର ପାଣିପାଗ ପରିବର୍ତ୍ତନ ସହ ଜଙ୍ଗଲକ୍ଷୟ ଓ ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଲେ ତାହା ଆଉ ଏକ ବିଶ୍ବମାରୀକୁ ଆମନ୍ତ୍ରଣ କରି ଆଣିବ। ମଣିଷର ଖାଦ୍ୟ ପାଇଁ ପଶୁ ଉତ୍ପାଦନ ଯୋଗୁଁ ଶତକଡ଼ା ୫୧ ଭାଗ ଗ୍ରିନହାଉସ୍‌ ଗ୍ୟାସ୍‌ ନିର୍ଗତ ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଯାହା ଉତ୍ତାପ ବୃଦ୍ଧିର ଅନ୍ୟତମ ବଡ଼ କାରଣ। ନୂଆବର୍ଷରେ ଏହି ବିଲକ୍ଷଣରେ ନାଟକୀୟ ପରିବର୍ତ୍ତନ ଆଶା କରାଯାଇପାରିବ କି? ଆମର ପ୍ରାକୃତିକ ପରିବେଶ ନଷ୍ଟ ହେବା ସହ ନାନା ପ୍ରକାର ପକ୍ଷୀ ଓ କୀଟପତଙ୍ଗ କିଭଳି ଦ୍ରୁତ ଗତିରେ ଅବଲୁପ୍ତ ହେଉଛନ୍ତି ତାହାର ଏକ ଛୋଟ ଉଦାହରଣ ଦିଆଯାଇ ପାରେ।

ପ୍ରତି ଚବିଶ ଘଣ୍ଟାରେ ଦେଢ଼ଶହରୁ ଦୁଇଶହ ପ୍ରକାର ଚଢ଼େଇ କିମ୍ବା ବାଦୁଡ଼ିରୁ ନେଇ ଛୋଟବଡ଼ ପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି। ଡାଏନୋସାର ଅବଲୁପ୍ତ ହେବାର ସମୟ ପରେ ବର୍ତ୍ତମାନର ସମୟ ବିଭିନ୍ନ ପ୍ରଜାତିର ଏ ଧରଣର ଦ୍ରୁତ ଅବଲୁପ୍ତ ହେବା ଅଘଟଣ ପ୍ରତ୍ୟକ୍ଷ କରୁଅଛି। ଏଥିପାଇଁ ୨୦୧୮ରେ ଜାତିସ˚ଘର ପାଣିପାଗ ସମ୍ବନ୍ଧୀୟ କମିଟି ବିଭିନ୍ନ ଦେଶକୁ ସତର୍କ କରିଥିଲା ଏବ˚ ଆଉ ଗୋଟିଏ ଦଶନ୍ଧି ମଧୢରେ ଅବସ୍ଥାରେ ପରିବର୍ତ୍ତନ ନ ହେଲେ ତାହା ଅପରିବର୍ତ୍ତନୀୟ ଅବସ୍ଥାକୁ ଖସିଯିବ ବୋଲି ଚେତାବନୀ ଦେଇଥିଲା। ଏ ଦୁଇ ସମସ୍ୟା ସାଙ୍ଗକୁ ଆଉ କେତୋଟି ସମସ୍ୟା ସମ୍ବନ୍ଧରେ ମାର୍କିନ ଦାର୍ଶନିକ ଟବି ଅର୍ଡ ସତର୍କ କରିଛନ୍ତି। ତାହା ଭିତରୁ ଗୋଟିଏ ହେଲା ପରମାଣୁ ଅସ୍ତ୍ର ପରିମାଣର ବୃଦ୍ଧି ଏବ˚ ନିରାପତ୍ତା ଲାଗି କେତେକ ଦେଶର କୃତ୍ରିମ ଜ୍ଞାନ କୌଶଳ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସର ଉପଯୋଗ। ଅନୁରୂପ ଭାବରେ କୋଭିଡ ବିଶ୍ବମାରୀ ସମୟରେ ଭାରତ ପରି ବିକଶିତ ଦେଶଗୁଡ଼ିକ ଅନୁଭବ କରିଛନ୍ତି ଯେ ସ୍ବାସ୍ଥ୍ୟସେବା କ୍ଷେତ୍ର ଏବେ ସର୍ବାଧିକ ପ୍ରାଥମିକତା ଦାବି କରୁଅଛି। କେବଳ ଔଷଧ ନୁହେଁ, ଡାକ୍ତରଖାନା, ଭେଣ୍ଟିଲେଟର, ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ ଠାରୁ ନେଇ ପ୍ରୟୋଜନ ମୁତାବକ ଭିତ୍ତିଭୂମି ଯୋଗାଣ କ୍ଷେତ୍ରରେ ଭାରତ କେତେ ଦୁର୍ବଳ ତାହା ଗତବର୍ଷର ବିଶ୍ବମାରୀ ଦେଖାଇ ଦେଇଛି। ପୁଣି ଯଦି ଏଭଳି ଏକ ସ˚କଟ ଦେଖାଦିଏ ତାହାହେଲେ ତାହାକୁ କିଭଳି ମୁକାବିଲା କରାଯାଇପାରିବ ତାହା ଏବେ ଚିନ୍ତାବିତ୍‌ ଏବ˚ ଶାସନ ଦାୟିତ୍ବରେ ଥିବା ସବୁ ବର୍ଗ ପାଇଁ ପ୍ରଣିଧାନର ପ୍ରସଙ୍ଗ।

ଆମ ଦେଶ ପାଇଁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବହୁ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ, ଯାହା ଓଡ଼ିଶା ପାଇଁ ଅଧିକ ପ୍ରଯୁଜ୍ୟ। ନୂଆବର୍ଷରେ କେନ୍ଦ୍ର ଏବ˚ ରାଜ୍ୟ ସରକାରଗୁଡ଼ିକ ସେମାନଙ୍କର ବଜେଟ ପ୍ରସ୍ତୁତ ଓ ବ୍ୟୟ ବରାଦ ବେଳେ ଏ ଦିଗ ପ୍ରତି ଧୢାନ ଦେବେ କି? ଶେଷରେ କୋଭିଡ ଆକ୍ରାନ୍ତ ବର୍ଷଟି ମଣିଷକୁ ଗୋଟିଏ ଶିକ୍ଷା ଦେଇଛି ଯେ ତାହାର ସ୍ବାସ୍ଥ୍ୟ ଏବ˚ ତାହାର ଶରୀର ତା’ପାଇଁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ସ˚ପର୍କୀୟ, ଦାୟିତ୍ବ, ଉପାର୍ଜନ ସବୁ ନିଜ ନିଜ ଜାଗାରେ ରହିଯି‌େବ,ଏଇ ଦେହଟି କେବଳ ଶେଷ ଯାଏଁ ସାଙ୍ଗରେ ରହିଥିବ। ତେଣୁ ତାହାକୁ ନିରୋଗ ଓ ସମର୍ଥ ରଖିବା ପାଇଁ ଯେଉଁ ସଚେତନତା ପୁରୁଣା ବର୍ଷରେ ସୃଷ୍ଟି ହୋଇଛି ନୂଆବର୍ଷରେ ତାହା ଅନାହତ ରହିବା ବାଞ୍ଛନୀୟ। ତାହା ନହେଲେ ବିଶ୍ବଠାରୁ ନେଇ ଦେଶ, ରାଜ୍ୟ ଓ ପରିବାରରେ ଯେଉଁ ଅନ୍ୟପାଇଁ ବ˚ଚିବା ସୁଦ୍ଧା ବଡ଼କଥା ପରି ମହତ୍‌ ଭାବନା ଜାଗ୍ରତ ହୋଇଛି ତାହା କେବଳ ସାମୟିକ ଶ୍ମଶାନ ବୈରାଗ୍ୟ ହୋଇ ରହିଯିବ।

ସମ୍ବନ୍ଧିତ ଖବର