ଅର୍ଥନୀତିର ଗତି
ଭାରତୀୟ ଅର୍ଥନୀତି ସମ୍ପର୍କରେ ସଦ୍ୟ ପ୍ରକାଶିତ ଦୁଇଟି ସୂଚନା ଉପରେ ଦୃଷ୍ଟି ପକାଇଲେ ହଠାତ୍ ପରସ୍ପର-ବିରୋଧୀ ମନେ ହୋଇ ପାରନ୍ତି: ଗୋଟିଏ ହେଉଛି ମଙ୍ଗଳବାର ଦିନ ବିଶ୍ବବ୍ୟାଙ୍କ୍ ଦ୍ବାରା ପ୍ରକାଶିତ ଗ୍ଲୋବାଲ୍ ଇକନମିକ୍ ପ୍ରସ୍ପେକ୍ଟ୍ସ’ ରିପୋର୍ଟରେ ଭାରତୀୟ ଅର୍ଥନୀତି ସମ୍ବନ୍ଧରେ ଉଲ୍ଲେଖ କରାଯାଇଥିବା ମନ୍ତବ୍ୟ; ଅନ୍ୟଟି ହେଉଛି ଡିସେମ୍ବର ମାସରେ ଭାରତ ସରକାର ସ˚ଗ୍ରହ କରିଥିବା ‘ଜିଏସ୍ଟି’ ସୂତ୍ରରୁ ସମ୍ବଳ। ବିଶ୍ବବ୍ୟାଙ୍କ୍ର ଆକଳନ ଅନୁସାରେ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ ପ୍ରାୟ ଏକ ଦଶମା˚ଶ (୯.୬ ଶତା˚ଶ) ସ˚କୋଚନ ଘଟିବାକୁ ଯାଉଛି। ପାରିବାରିକ ଖର୍ଚ୍ଚ ଏବ˚ ଘରୋଇ ନିବେଶରେ ଏକ ତୀକ୍ଷ୍ଣ ହ୍ରାସ ଏହାର ମୁଖ୍ୟ କାରଣ ବୋଲି ବିଶ୍ବବ୍ୟାଙ୍କ୍ ମତପ୍ରକାଶ କରିଛି, ଏବ˚ ଏହା ପଛରେ ଥିବା କାରଣ ହେଉଛି ଚୀନା କରୋନା ଜନିତ କୋଭିଡ୍ ବୋଲି ଅବଶ୍ୟ ବିଶ୍ବବ୍ୟାଙ୍କ୍ ଦର୍ଶାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ କୋଭିଡ୍ର ମୁକାବିଲା ପାଇଁ ଯେଉଁ ସମସ୍ତ ଦେଶମାନେ ସବୁଠାରୁ କଠୋର ଲକ୍ଡାଉନ୍ ନୀତି ପାଳନ କରି ଦେଶର ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଥିଲେ, ଭାରତ ସେମାନଙ୍କ ମଧୢରେ ଅଗ୍ରଣୀ ବୋଲି ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଛି। ଅସ˚ଗଠିତ କ୍ଷେତ୍ର ହେଉଛି ନିଯୁକ୍ତି ସୃଷ୍ଟି ଦୃଷ୍ଟିରୁ ଭାରତୀୟ ଅର୍ଥନୀତିର ପ୍ରାୟ ଚାରି-ପଞ୍ଚମା˚ଶ ଏବ˚ ଏଠାରେ ହିଁ ଦେଶର ଅଧିକା˚ଶ ନାଗରିକ ନିଜ ପାଇଁ ନିଯୁକ୍ତି ଓ ଆୟ ଅନୁସନ୍ଧାନ କରିଥାନ୍ତି। ତେଣୁ ଲକ୍-ଡାଉନ୍ ସମୟରେ ସେଠାରେ ସା˚ଘାତିକ ଭାବରେ ନିଯୁକ୍ତି ଓ ଆୟରେ ସ˚କୋଚନ ଘଟିଥିଲା।
ସମସ୍ୟାକୁ ଯାହା ଆହୁରି ଗୁରୁତର କରିଛି, ତାହା ହେଲା ପାଣ୍ତେମିକ ଓ ତଜ୍ଜନିତ ଲକ୍-ଡାଉନ୍ ଆରମ୍ଭ ସମୟକୁ ଭାରତୀୟ ଅର୍ଥନୀତି ଏମିତିରେ ଏକ ଅତ୍ୟନ୍ତ ଧୀମା ଅବସ୍ଥା ଦେଇ ଗତି କରୁଥିଲା। ଏଣୁ ବୋଝ ଉପରେ ନଳିତା ବିଡ଼ା ପରି ପାଣ୍ତେମିକ୍ ଭାରତୀୟ ଅର୍ଥନୀତିର ଅଣ୍ଟା ଭାଙ୍ଗି ଦେଇଛି। ବର୍ତ୍ତମାନ ଶିଳ୍ପ ଉତ୍ପାଦନ ଓ ସେବା କ୍ଷେତ୍ରରେ ପୁଣି ପ୍ରାଣ ସଞ୍ଚାର ଆରମ୍ଭ ହେବା ଦେଖା ଦେଲାଣି ଏବ˚ ସ୍ବାଭାବିକ ଅବସ୍ଥାରେ ଏକ ନୀଚା ଭିତ୍ତି ଉପରେ ହିସାବ କଲେ ଏହି ନୂତନ ଅଭିବୃଦ୍ଧି ହାର ବେଶ୍ ଉଚ୍ଚା ହୁଅନ୍ତା; କିନ୍ତୁ ବିତ୍ତୀୟ କ୍ଷେତ୍ରରେ ପରିଦୃଷ୍ଟ ଦୁର୍ବଳତା ହେତୁ ଘରୋଇ ନିବେଶରେ ଦେଖାଦେଇଥିବା ଶିଥିଳତା ଯୋଗୁଁ ଆସନ୍ତା ବିତ୍ତବର୍ଷରେ ଅର୍ଥନୀତିର ଅଭିବୃଦ୍ଧି ହାର ବିଶେଷ ଉଚ୍ଚା ହେବ ନାହିଁ ବୋଲି ବିଶ୍ବବ୍ୟାଙ୍କ୍ ଅନୁଭବ କରୁଛି। ଏଣୁ ୨୦୨୧-୨୨ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ମାତ୍ର ୫.୪ ଶତା˚ଶରେ ସୀମିତ ରହିବ ବୋଲି ବ୍ୟାଙ୍କ୍ ପୂର୍ବାନୁମାନ କରିଛି।
ବିଶ୍ବବ୍ୟାଙ୍କ୍ର ଏହି ପୂର୍ବାନୁମାନ ଆମ ପାଇଁ ବିଶେଷ ଉତ୍ସାହଜନକ ହୋଇନଥିବା ବେଳେ, ବିଗତ ବର୍ଷର ଶେଷ ମାସରେ ସରକାର ‘ଜିଏସ୍ଟି’ ସୂତ୍ରରୁ ସ˚ଗ୍ରହ କରିଥିବା ସମ୍ବଳ ଏକ ରେକର୍ଡ ସ୍ତର ସ୍ପର୍ଶ କରି ପର୍ଯ୍ୟବେକ୍ଷକମାନଙ୍କ ମଧୢରେ ଏକ ବିପରୀତ ଭାବ ସୃଷ୍ଟି କରିଛି। ଦ୍ରବ୍ୟ ଓ ସେବାର ବିକ୍ରୟ ହେଉଛି ‘ଜିଏସ୍ଟି’ର ଭିତ୍ତି। ‘ଜିଏସ୍ଟି’ ସ˚ଗ୍ରହରେ ବୃଦ୍ଧି ତେଣୁ ଅର୍ଥନୀତିରେ ଦ୍ରବ୍ୟ ଓ ସେବା କାରବାର ବୃଦ୍ଧିକୁ ସୂଚାଏ। ଅଧିକ ‘ଜିଏସ୍ଟି’ ଆଦାୟ ଅର୍ଥ ଗ୍ରାହକମାନେ ଦ୍ରବ୍ୟ ଓ ସେବା କ୍ରୟ କରିବାରେ ଅଧିକ ଖର୍ଚ୍ଚ କରୁଛନ୍ତି; ଅର୍ଥାତ୍ ସେମାନଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଉପଲବ୍ଧ ଆୟରେ ବୃଦ୍ଧି ଘଟୁଛି। ଏହି ଯୁକ୍ତିଧାରାକୁ ସମ୍ପ୍ରସାରିତ କଲେ କୁହାଯିବ ନିଯୁକ୍ତିରେ ବୃଦ୍ଧି ଘଟୁଥିବାରୁ ଆୟରେ ବୃଦ୍ଧି ଘଟୁଛି ଏବ˚ ଅର୍ଥନୈତିକ କାର୍ଯ୍ୟକଳାପରେ ବୃଦ୍ଧି ଘଟୁଥିବାର ଏହା ହେଉଛି ଶୁଭ ସୂଚନା।
୨୦୨୦ ଡିସେମ୍ବରରେ ସ˚ଗୃହୀତ ୧.୧୫ ଲକ୍ଷ କୋଟି ଟଙ୍କାର ‘ଜିଏସ୍ଟି’ ହେଉଛି କୌଣସି ଏକ ମାସରେ ସ˚ଗ୍ରହ କରାଯାଇ ପାରିଥିବା ସର୍ବୋଚ୍ଚ ପରିମାଣ। ମନେ ରଖିବା କଥା ଏହା ହେଉଛି ନଭେମ୍ବର ମାସରେ ହୋଇଥିବା ବ୍ୟବସାୟ କାରବାର ଉପରେ ଆଦାୟ କରାଯାଇଥିବା ଟିକସ। ନଭେମ୍ବର ଥିଲା ଦୀପାବଳିର ମାସ ଯେଉଁ ସମୟରେ ସ୍ବାଭାବିକ ଭାବରେ ବ୍ୟବସାୟ କାରବାରରେ ବିଶେଷ ବୃଦ୍ଧି ଦେଖାଯାଇଥାଏ। ବିଭିନ୍ନ କରୋନା ଜନିତ କଟକଣା ବଳବତ୍ତର ଥିଲେ ମଧୢ ଏହି ଉତ୍ସବ ସମ୍ପର୍କିତ ଖାଉଟି ଖର୍ଚ୍ଚରେ ବୃଦ୍ଧି ଘଟିବା ଅନିବାର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୋକାନୀମାନେ ଦୀପାବଳିରେ କାରବାର ବୃଦ୍ଧି ଆଶା କରି ଅଧିକ ପରିମାଣର ମାଲମତା କ୍ରୟ କରି ଦୋକାନରେ ମହଜୁଦ କରିଥାନ୍ତି। ଉଲ୍ଲେଖଯୋଗ୍ୟ ଯେ ସରକାରୀ ସୂତ୍ର ଅନୁସାରେ ଘରୋଇ ବ୍ୟବସାୟ କାରବାର ଉପରୁ ଆଦାୟ ‘ଜିଏସ୍ଟି’ରେ ୮ ଶତା˚ଶ ହାରରେ ବୃଦ୍ଧି ଦେଖା ଯାଇଥିବା ବେଳେ ଆମଦାନି କାରବାର ଉପରୁ ଆଦାୟ ହୋଇଥିବା ‘ଜିଏସ୍ଟି’ରେ ଏକ ଉଚ୍ଚା ୨୭ ଶତା˚ଶ ବୃଦ୍ଧି ଘଟିବା ଦେଖାଯାଇଛି।
ତେବେ ଏହା ଧୢାନରେ ରଖିବା ଉଚିତ ଯେ କୌଣସି ଟିକସରୁ ସ˚ଗୃହୀତ ରାଜସ୍ବରେ ବୃଦ୍ଧି ଦୁଇଟି କାରଣରୁ ଘଟିପାରେ। ଗୋଟିଏ ହେଲା, ଟିକସର ଭିତ୍ତିଭୂମିର ଆକାରରେ ବୃଦ୍ଧି, ଯେମିତି ଆୟର ଆକାରରେ ବୃଦ୍ଧି ଘଟିଲେ ଅନ୍ୟ ସମସ୍ତ ଦିଗ ଅପରିବର୍ତ୍ତିତ ଥାଇ ଆୟକର ସ˚ଗ୍ରହ ପରିମାଣରେ ବୃଦ୍ଧି ଘଟିବ। ଅନ୍ୟଟି ହେଲା ଯଦି ଆୟକର ସ˚ଗ୍ରହ ପ୍ରଣାଳୀର ଦକ୍ଷତାରେ କିମ୍ବା ଆୟକର ହାରରେ ବୃଦ୍ଧି ଘଟେ, ତେବେ ଭିତ୍ତିଭୂମିର ଆକାର ସ୍ଥିର ଥାଇ ମଧୢ ସ˚ଗ୍ରହ ପରିମାଣରେ ବୃଦ୍ଧି ଘଟିବ। ୨୦୧୮ ଠାରୁ ‘ଜିଏସ୍ଟି’ କାର୍ଯ୍ୟକାରୀ ହେବା ପରଠାରୁ ଏଥିରେ ଥିବା ଅନେକ ଦୁର୍ବଳତା ଓ ଦୋଷତ୍ରୁଟି ଅବିରତ ଆଲୋଚନା ସମାଲୋଚନାର ବିଷୟବସ୍ତୁ ପାଲଟି ଆସିଛି। ସରକାର ମଧୢ ସେଇଦିନ ଠାରୁ ଏହି ଟିକସ ସ˚ସ୍କାର ପଦକ୍ଷେପରେ ଥିବା ବିଭିନ୍ନ ଜନ୍ମଦୋଷରେ ସୁଧାର ଆଣିବା ପାଇଁ ଅନବରତ ଚେଷ୍ଟା ଚଳାଇ ଆସିଛନ୍ତି। ଉଦାହରଣ ସ୍ବରୂପ ଗତ ସେପ୍ଟେମ୍ବର ଠାରୁ ସରକାର ‘ଜିଏସ୍ଟି’ ପଞ୍ଜୀକରଣକୁ ଆଧାର-ଭିତ୍ତିକ କରିଛନ୍ତି। ଏହା ସାଧୁ ଟିକସଦାତାଙ୍କ ପାଇଁ ବ୍ୟବସ୍ଥାକୁ ବେଶ୍ ସରଳ କରି ଦେଇଛି ଏବ˚ ତା’ସହିତ ଅସାଧୁ ବ୍ୟବସାୟୀମାନଙ୍କ ପାଇଁ ପଞ୍ଜୀକରଣ କରି ଦେଇ ତା’ପରେ ଠକାମିରେ ପ୍ରବୃତ୍ତ ହେବା କାଠିକର ପାଠ କରିଛି।
ସେହିପରି ‘ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍’ ଟିକସଦାତାଙ୍କ ନିଜ ହିସାବ ବା ‘ସେଲ୍ଫ-ଆସେସ୍ମେଣ୍ଟ’ ଉପରେ ପ୍ରତିଷ୍ଠିତ ଥିବା ବେଳେ କେତେକ ଅସାଧୁ ବ୍ୟବସାୟୀ ମନଇଛା ‘ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍’ ନେଇ ତାହାକୁ ମଧୢ ଗ୍ରାହକଙ୍କ ଠାରୁ ଆଦାୟ କରି ଦେଉଥିଲେ। ଡିସେମ୍ବରରେ ଏଥିରେ ସ˚ସ୍କାର କରାଯାଇ ପ୍ରବର୍ତ୍ତନ କରାଯାଇଥିବା ‘ଜିଏସ୍ଟିଆର୍-୨ବି’ ବଳରେ ଜଣେ ହକ୍ଦାର ଥିବା ସମ୍ପୂର୍ଣ୍ଣ ‘ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍’ ପ୍ରଦର୍ଶିତ ହେବା ସହିତ ଯୋଗାଣକାରୀ ଓ ଇନ୍ଭଏସ୍ ମୂଲ୍ୟ ପ୍ରଦର୍ଶିତ ହୋଇଥାଏ। ଟିକସଦାତାଙ୍କ ପାଇଁ ଏହାଦ୍ବାରା ଟିକସ ଫାଇଲ୍ କରିବା ସରଳ ହୋଇଯାଇଛି, କାରଣ ପ୍ରତି ଇନ୍ଭଏସ୍ରୁ ସେ କେତେ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଉଛନ୍ତି ତାହା ତାଙ୍କୁ ହିସାବ କରିବା ଦରକାର ନାହିଁ।
ଡିସେମ୍ବରର ଜିଏସ୍ଟି ସ˚ଗ୍ରହରେ ଦେଖାଯାଇଥିବା ବୃଦ୍ଧି ଯଦି ଏହି ଟିକସ ପ୍ରଣାଳୀରେ ଉନ୍ନତି ଯୋଗୁଁ ହୋଇଥାଏ ତେବେ, ତାହା ଯେ ଅର୍ଥନୀତିରେ ଅଭିବୃଦ୍ଧି ଘଟିବା ଆରମ୍ଭ ହୋଇ ଯାଇଥିବାର ପ୍ରମାଣ, ତାହା ନିଶ୍ଚିତତାର ସହିତ କହିହେବ ନାହିଁ। ତେବେ କ୍ରମେ ଅର୍ଥନୀତିର ବିଭିନ୍ନ ଅଞ୍ଚଳ ଯେପରି କଟକଣା ମୁକ୍ତ ହେବାକୁ ଆରମ୍ଭ କଲାଣି, ଆଶା କରାଯାଏ ଜିଏସ୍ଟି ସ˚ଗ୍ରହ ଧାରା ଅବ୍ୟାହତ ରହି ଅଭିବୃଦ୍ଧିକୁ ବିଶ୍ବବ୍ୟାଙ୍କ୍ର ଅନୁମାନ ଠାରୁ ଉଚ୍ଚା କରିବ।