ମୂଢ଼ତାର ଧାରାବାହିକ

ଦୂର ଅତୀତରେ ଯେଉଁ ଅଜ୍ଞାତ ଭଦ୍ରଲୋକ ‘ହାତେ ମାପି, ଚାଖଣ୍ତେ ଚାଲ’ ବୋଲି ଏକ ଉପଦେଶ ଦେଇଥିଲେ, ସେ ସମ୍ଭବତଃ ଇତିମଧୢରେ ଅଚଳ ହୋଇଯାଇ ସାରିଲେଣି। କାରଣ, ତାଙ୍କର ଉପଦେଶ ଗ୍ରହଣ କଲେ ଜଣେ ବ୍ୟକ୍ତି ଯେଉଁ ମନ୍ଥରତା ପ୍ରଦର୍ଶନ କରିବାର ସମ୍ଭାବନା ରହିଛି, ତାହା ହୁଏ’ତ ଆଜିକାର ବୈଦ୍ୟୁତିକ ବେଗଧର୍ମୀ ପୃଥିବୀରେ ଆଦୌ ସ୍ବାଗତଯୋଗ୍ୟ ହେବ ନାହିଁ। ସୁତରା˚, ଏହି ଧାଡ଼ିଟି ଯେଉଁ ବିବେଚନାପୂର୍ଣ୍ଣ ବିଚାରବୋଧ ସୃଷ୍ଟି ଲାଗି  ଉପଦେଶ ଦେଇଥାଏ, ତାହା ମଧୢ କ୍ରମେ ଅପସୃୟମାନ ହେବାରେ ଲାଗିଲାଣି; ଯାହାର ପ୍ରମାଣ ବିଭିନ୍ନ ପ୍ରକାର ଅପରିଣାମଦର୍ଶୀ କାର୍ଯ୍ୟକଳାପରେ ପରିଲକ୍ଷିତ ହେବାରେ ଲାଗିଛି। ସେହି ପରିପ୍ରେକ୍ଷୀରେ ନିକଟରେ ଦେଖିବାକୁ ମିଳିଥିବା ଅପରିଣାମଦର୍ଶୀ ମୂଢ଼ତା ପ୍ରଦର୍ଶନର ଏକ ଧାରାବାହିକ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା ଏକ ସ˚କ୍ଷିପ୍ତ ଆଲୋଚନାର ଅବକାଶ ସୃଷ୍ଟି କରିଥାଏ।  ଏହି ସ˚ଦର୍ଭରେ ବିଡ଼ମ୍ବନାର ବିଷୟ ହେଲା ଯେ ଏଭଳି ବିବେଚନାଶୂନ୍ୟତାର ପ୍ରଦର୍ଶକମାନେ ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ତଥା ସଚେତନ ଏବ˚ ସେମାନଙ୍କ ମଧୢରୁ ଅଧିକା˚ଶ ଜନ-ଜୀବନରେ ଅତ୍ୟନ୍ତ ଉଚ୍ଚ ପଦାସୀନ। ଗଲା ୯ ଜାନୁଆରିରେ ଏହି ସ୍ତମ୍ଭରେ ‘ନିର୍ବୋଧ ନେତୃତ୍ବ’ ଶୀର୍ଷକ ଆଲେଖ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ସେହି ମୂଢ଼ତା ସ˚ପର୍କରେ ଆଲୋଚନା କରାଯାଇଥିଲା, ଯାହା ସେହି ରାଷ୍ଟ୍ରର ସମ୍ମାନକୁ ଭୂଲୁ˚ଠିତ କରିଛି।  କିନ୍ତୁ ସେହି ପ୍ରସଙ୍ଗରେ ଏହା କେବଳ ଏକ ମାତ୍ର ଅପରିଣାମଦର୍ଶିତା ବୋଲି କହିଲେ ଠିକ୍‌ ହୋଇ ନ ପାରେ; କାରଣ ବିଭିନ୍ନ ସ୍ତରରେ, ବିଭିନ୍ନ ସୂତ୍ରରୁ ଏବ˚ ବିଭିନ୍ନ ପ୍ରକାର ଅପରିଣାମଦର୍ଶିତା ଏହା ସହିତ ସ˚ଲଗ୍ନ ରହିଥିବା ଦେଖିବାକୁ ମିଳିଛି।

ଗଲା ବୁଧବାର ଦିନ ‘କ୍ୟାପିଟଲ ହିଲ୍‌’ ଦଙ୍ଗା କାଳରେ ନିଜକୁ ଦେଶପ୍ରେମୀ ବୋଲି ଆଖ୍ୟାୟିତ କରି ସେଠାରେ ରୁଣ୍ତ ହୋଇଥିବା ଶହ ଶହ ଦଙ୍ଗାକାରୀଙ୍କ ହାତରେ ଶୋଭା ପାଉଥିବା ମାଳ ମାଳ ଆମେରିକୀୟ ଜାତୀୟ ପତାକାର ସମୁଦ୍ର ମଧୢରେ ଏକ ନୌକା ତୁଲ୍ୟ ଭାରତର ଗୋଟିଏ ଜାତୀୟ ପତାକାକୁ ମଧୢ ଆବିଷ୍କାର କରାଯାଇଥିଲା।  ଏହି ଘଟଣାର ସିଧା ପ୍ରସାରଣ ଚାଲିଥିବା ବେଳେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ ଏହା ଦୃଶ୍ୟମାନ ହୋଇ ସ୍ବାଭାବିକ ଭାବେ ଭାରତରେ ଏକ ଅସହଜ ଆଲୋଡ଼ନ ସୃଷ୍ଟି କରିଥିଲା। କାରଣ କେବଳ ଆମେରିକାର ଇତିହାସରେ ନୁହେଁ; ବିଶ୍ବ ଇତିହାସରେ ଏକ କଳଙ୍କିତ ଅଧୢାୟ ସୃଷ୍ଟି କଲା ଭଳି ଏହି ଘଟଣାରେ ଭାରତୀୟ ଜାତୀୟ ପତାକାର ଉପସ୍ଥିତି କେବଳ ଯେ ଅବା˚ଛିତ ଥିଲା, ତାହା ନୁହେଁ; ଏହା ମଧୢ ଥିଲା ଆମ ତ୍ରିରଙ୍ଗାର ସମ୍ମାନ ପ୍ରତି ଏକ ଅବମାନନା ଏବ˚ ସେହି ଦୃଷ୍ଟିରୁ ପୃଥିବୀର ବୃହତ୍ତମ ସଫଳ ଗଣତନ୍ତ୍ର ଭାବେ ପରିଚିତ ଭାରତର ପ୍ରତିଷ୍ଠା ଉପରେ ଏକ ପ୍ରଶ୍ନ ଚିହ୍ନ। ସୁତରା˚, ଏହା ଯେ  ଆମେରିକାରେ ଅବସ୍ଥାନ କରୁଥିବା ଜନୈକ ଉଚ୍ଚ ଶିକ୍ଷିତ ଭାରତୀୟଙ୍କ ଏକ ଚରମ ମୂଢ଼ତା ଓ ଦାୟିତ୍ବହୀନତାର ନିଦର୍ଶନ ଥିଲା, ତାହା କହିବା ଅନାବଶ୍ୟକ।

ପ୍ରଣିଧାନଯୋଗ୍ୟ ଯେ ଏହି ମୂଢ଼ତାରୁ ସୃଷ୍ଟି ହୋଇଛି ଆଉ ଏକ ପ୍ରକାର ମୂଢ଼ତା ଯାହାର ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଛନ୍ତି ଅନେକ ଉଦାରବାଦୀ ବୁଦ୍ଧିଜୀବୀ, ପ୍ରତିଷ୍ଠିତ  ବିଦ୍ବାନ ଏବ˚ ବରିଷ୍ଠ ନେତା। ଉଲ୍ଲେଖଯୋଗ୍ୟ ଯେ ଏହା ଆମ ଦେଶରେ  ଏକ ବିବାଦକୁ ମଧୢ ଜନ୍ମ ଦେଇଛି। ଏହାର ପୃଷ୍ଠଭୂମିରେ  ଯାହା ଅଛି, ତାହା ହେଲା ‘କ୍ୟାପିଟଲ ହିଲ୍‌’ ଦଙ୍ଗାକାରୀଙ୍କ ଭିତରେ ଥିବା ଭାରତୀୟ ଜାତୀୟ ପତାକାଧାରୀ ସମର୍ଥକ ମହାଶୟଙ୍କୁ ଆବିଷ୍କାର କରିବା ତୁରନ୍ତ ବାଦ ଅନେକ ବୁଦ୍ଧିଜୀବୀ, ବିଦ୍ବାନ ଓ ନେତାଙ୍କ ଟ୍ବିଟର‌୍‌ ହ୍ୟାଣ୍ତଲରୁ ନିଃସୃତ ସମାଲୋଚନାମୂଳକ ମନ୍ତବ୍ୟରେ ଯେଉଁ  ଇଙ୍ଗିତ ପ୍ରକାଶ ପାଇଲା ତାହା ଦକ୍ଷିଣପନ୍ଥୀ ହିନ୍ଦୁ ପ୍ରାଧାନ୍ୟବାଦୀଙ୍କ ଆଡ଼କୁ ଲକ୍ଷ୍ୟ କରିଥିଲା। ଉଦାହରଣ ରୂପେ ବିଖ୍ୟାତ ଲେଖକ ତଥା କ˚ଗ୍ରେସ ନେତା ଶଶୀ ଥରୁରଙ୍କ ମନ୍ତବ୍ୟ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ତାଙ୍କର ଟ୍ବିଟ୍‌ ଯାହା କହିଛି; ତାହା ଏହିଭଳି: ‘ସେହି ‘ଟ୍ର˚ପିଷ୍ଟ’(ଟ୍ର˚ପ୍‌ଭକ୍ତ)ମାନଙ୍କ ମଧୢରେ ଥିବା ଭାରତୀୟ ଜଣକ ମଧୢ ସେହି ସମାନ ମାନସିକତାର ଅଧିକାରୀ, ଯେଉଁମାନେ ଜାତୀୟ ପତାକାକୁ ଗୌରବବୋଧର ଚିହ୍ନ ଭାବେ ନୁହେଁ, ବର˚ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାରେ ଆନନ୍ଦ ପାଆନ୍ତି; ସେମାନଙ୍କ ସହିତ ମତାନୈକ୍ୟ ରଖୁଥିବା ବ୍ୟକ୍ତିମାନଙ୍କୁ ସେମାନେ ରାଷ୍ଟ୍ରଦ୍ରୋହୀ ବା ବିଶ୍ବାସଘାତକ ଭାବେ ଅପବାଦ ଦେଇଥାଆନ୍ତି। ସେଠାରେ ସେହି ପତାକା ଆମ ସମସ୍ତଙ୍କ ଲାଗି ଏକ ସତର୍କ ଘଣ୍ଟି ସଦୃଶ।’  କିନ୍ତୁ  ଅବଲୀଳା କ୍ରମେ ପତାକାଧାରୀଙ୍କ ପରିଚୟ ଜ୍ଞାତ ହେବା ପରେ ଏଭଳି ମନ୍ତବ୍ୟ ସବୁ ଯେ ପୂର୍ବାଗ୍ରହପ୍ରସୂତ ମୂଢ଼ତାରୁ ସୃଷ୍ଟ ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ। କାରଣ ସେହି ପତାକାଧାରୀ ହେଉଛନ୍ତି କେରଳର କୋଚିରୁ ଯାଇ ଆମେରିକାରେ ବସବାସ କରିଥିବା ଭିନସେଣ୍ଟ ଜାଭିଅର, ଯାହାଙ୍କର ହିନ୍ଦୁତ୍ବ ପ୍ରାଧାନ୍ୟବାଦ ସହିତ କୌଣସି ସ˚ପର୍କ ନାହିଁ। ତାଙ୍କ କହିବା ମୁତାବକ ସେ ଭର୍ଜିନିଆ ପ୍ରଦେଶର ‘ରିପବ୍ଲିକାନ୍‌ ଦଳ’ର ସେଣ୍ଟ୍ରାଲ କମିଟିର ଜଣେ ସଦସ୍ୟ।

ପ୍ରଶ୍ନ ଉଠିଥାଏ ଯେ ଟ୍ର˚ପ୍‌ଙ୍କ ଅନ୍ଧ ସମର୍ଥକ ଭିନସେଣ୍ଟ ତାଙ୍କ ରାଜନୈତିକ ଦଳ ରିପବ୍ଲିକାନ୍‌ ପାର୍ଟିର ପତାକା ତୋଳି ନ ଧରି ଭାରତୀୟ ଜାତୀୟ ପତାକା ଧରିବା ଭଳି ନିର୍ବୋଧତା ପ୍ରକାଶ କଲେ କାହିଁକି? ଏହାର ଉତ୍ତର ଖୋଜିଲେ ତାର  ମୂଳକୁ ଆବିଷ୍କାର କରାଯିବ ୨୦୧୯ ସେପ୍ଟେମ୍ବର ମାସରେ   ଯୁକ୍ତରାଷ୍ଟ୍ର ଆମେରିକାର ହ୍ୟୁଷ୍ଟନ ସହରରେ ଅନୁଷ୍ଠିତ ହୋଇଥିବା ଭବ୍ୟ ‘ହାଉ ଡି ମୋଦୀ’  କାର୍ଯ୍ୟକ୍ରମରେ। ଏହାର ପ୍ରତ୍ୟୁତ୍ତରରେ ୨୦୨୦ ଫେବ୍ରୁଆରି ମାସରେ ଗୁଜରାଟରେ ‘ନମସ୍ତେ ଟ୍ର˚ପ୍‌’ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦ୍ବୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ମଧୢରେ ବନ୍ଧୁତ୍ବର ଯେଉଁ ପ୍ରଗାଢ଼ତା ଦେଖିବାକୁ ମିଳିଥିଲା ଏବ˚ ତହିଁରେ ଭାରତର ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା‌େର ଅବସ୍ଥାନ କରୁଥିବା ଏକ ବିଶାଳ ସ˚ଖ୍ୟକ ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ ଦେଇ ଯେଉଁଭଳି ଭାବେ ‘ଅବ୍‌ କି ବାର ଟ୍ର˚ପ୍‌ ସରକାର’ ଭଳି ଏକ ସ୍ଳୋଗାନ ଦ୍ବାରା ଉଦ୍‌ବୁଦ୍ଧ କରିବାର ପ୍ରୟାସ କରିଥିଲେ, ତାହା ଏକ ସ˚କେତ ପ୍ରେରଣ କରିଥିଲା ଯେ ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ପ୍ରତି ଭାରତର ଏକ ଅକୁଣ୍ଠ ସମର୍ଥନ ରହିଛି। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତର ଏକ ଗୁରୁତ୍ବପୂର୍ଣ୍ଣ ବନ୍ଧୁ ରାଷ୍ଟ୍ରର ଏକ ନିର୍ଦ୍ଦିଷ୍ଟ ଦଳର ସରକାରକୁ ଭୋଟ ଦେଇ ଜିତାଇବା ସକାଶେ ପ୍ରଧାନମନ୍ତ୍ରୀଙ୍କ ପ୍ରକାଶ୍ୟ ଓ ବହୁ ପ୍ରଚାରିତ ଅନୁରୋଧ ଯେ ଏକ ବିବେଚନାଶୂନ୍ୟ କାର୍ଯ୍ୟ ଥିଲା, ତାହା ସେହି ସମୟରେ ମଧୢ ବିଭିନ୍ନ ମଞ୍ଚରେ ସମାଲୋଚିତ ହୋଇଥିଲା। ସମ୍ଭବତଃ, ଏଥିରୁ ସୃଷ୍ଟ ଏକ ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ଭିନସେଣ୍ଟ କ୍ୟାପିଟଲ ହିଲ୍‌ ଠାରେ ତାଙ୍କର ମୂଢ଼ତା ପ୍ରକାଶ କରିଥିଲେ ବା ଟ୍ବିଟର ଯୋଦ୍ଧାମାନେ ପୂର୍ବାଗ୍ରହର ବଶବର୍ତ୍ତୀ ହୋଇ ସେମାନଙ୍କ ପକ୍ଷପାତୀ ବାଣ ଛାଡ଼ିଥିଲେ।

ଏହା ସ୍ବୀକାର କରିବାରେ ଦ୍ବିଧା ନାହିଁ ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭାରତର ଅଙ୍ଗୀକାରବୋଧ ପ୍ରଶ୍ନାତୀତ ହୋଇ ରହି ଆସିଛି। ଅତ୍ୟନ୍ତ ସ˚କୀର୍ଣ୍ଣ ବ୍ୟବଧାନରେ ନିର୍ବାଚନ ହାର-ଜିତ ହୋଇଥିଲେ ମଧୢ (୨୦୦୪ ଜାତୀୟ ନିର୍ବାଚନ) କ୍ଷମତା ହସ୍ତାନ୍ତରଣ ସର୍ବଦା ସାବଲୀଳ ରହିଛି ଏବ˚ ମତଦାତାଙ୍କ ରାୟକୁ ଦଳ ନିର୍ବିଶେଷରେ ନେତାମାନେ ସମ୍ମାନ ଜ୍ଞାପନ କରି ଆସିଛନ୍ତି। ସୁତରା˚,  କ୍ୟାପିଟଲ ହିଲ୍‌ ଦଙ୍ଗାକୁ ସ୍ବାଭାବିକ ଭାବେ ଭାରତ ଦ୍ବାରା ମୁକ୍ତ କଣ୍ଠରେ ନିନ୍ଦା କରାଯାଇଛି। ଏଭଳି ଘଟଣାକ୍ରମର ଘନଘଟା ମଧ୍ୟରେ ଜୋ ବାଇଡେନ୍‌ଙ୍କ ଆମେରିକା ଭାରତ ପ୍ରତି କିଭଳି ମନୋଭାବ ପୋଷଣ କରିବ, ତାହା ସମୟ କହିବ। ତେବେ, ଯାହା ଗୁରୁତ୍ବପୂର୍ଣ୍ଣ ତାହା ହେଲା ଏଣିକି ବିବେଚନାଶୂନ୍ୟ ଭାବେ ଆଉ ଏଭଳି କିଛି କରାଯିବା ଉଚିତ ନୁହେଁ ଯାହା ଭାରତକୁ ନେଇ ଅକାରଣ ବିଭ୍ରାନ୍ତି ସୃଷ୍ଟି କରିବ।

ସମ୍ବନ୍ଧିତ ଖବର