ରେଳ-ଲଢ଼େଇ

ଜାନୁଆରି ୬ ତାରିଖରେ ଆମେରିକାର ସ˚ସଦୀୟ ପୀଠସ୍ଥଳୀ ‘କ୍ୟାପିଟଲ୍‌ ହିଲ୍‌’ଠାରେ ଯେଉଁ ଖଣ୍ତଯୁଦ୍ଧ ଘଟି ସାରା ପୃଥିବୀକୁ ହତଚକିତ କରି ଦେଇଛି, ଏକ ବିକୃତ ବିଡ଼ମ୍ବନା ଭଳି ତାହା ବୋଧହୁଏ ସର୍ବୋପରି ଯାହା ପ୍ରମାଣିତ କରିଥାଏ, ତାହା ହେଉଛି ବହୁ ପ୍ରଚାରିତ ‘ଆମେରିକୀୟ ବିଶେଷତାବାଦ’ (‘ଆମେରିକାନ୍‌ ଏକ୍‌‌େସପ୍‌ସନାଲିଜ୍‌ମ’)। ଯେଉଁ ଆମେରିକୀୟମାନେ ଏହି ମତବାଦରେ ବିଶ୍ବାସ କରିଥାନ୍ତି, ସେମାନେ ଦାବି କରନ୍ତି ଯେ ଆମେରିକା ହେଉଛି ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କ ଠାରୁ ଅଲଗା- ସର୍ବୋତ୍କୃଷ୍ଟ। ୨୦୧୦ରେ ଅନୁଷ୍ଠିତ ଏକ ‘ଗ୍ୟାଲପ୍‌ ପଲ୍‌’ ଜନମତ ସର୍ବେକ୍ଷଣରେ ୮୦ ଶତା˚ଶ ଆମେରିକୀୟମାନେ ମତ ପ୍ରକାଶ କରିବା ଦେଖାଯାଇଥିଲା ଯେ ସେମାନଙ୍କର ସମ୍ବିଧାନ ଓ ଇତିହାସ ଦୃଷ୍ଟିରୁ ସେମାନଙ୍କ ଦେଶ ହେଉଛି ପୃଥିବୀର ମହାନତମ ଦେଶ।

‘ମହାନତମ’ ହେଉ କି ନ ହେଉ, ସେମାନଙ୍କ ଦେଶ ଯେ ଏକ ମାଡ଼ ହୋଇ ଫୁଲି ଯାଇଥିବା ବୁଢ଼ା ଆଙ୍ଗୁଳି ଭଳି ପୃଥିବୀର ଅନ୍ୟ ସମସ୍ତ ସଭ୍ୟ ଗଣତାନ୍ତ୍ରିକ ଦେଶମାନଙ୍କ ଭିତରେ ‘ଅଲଗା’ ହୋଇ ବାରି ହୋଇପଡ଼ୁଛି, ତାହା ଏବେ ସେ ଦେଶରେ ଗଣତନ୍ତ୍ରର ସ୍ନାୟୁକେନ୍ଦ୍ରରେ ଘଟିଥିବା ମରଣାନ୍ତକ ହି˚ସାକାଣ୍ତ ପରେ ସାରା ଦୁନିଆ ଦେଖିପାରୁଛି।

ଆମେରିକୀୟ ବିଶେଷତାବାଦୀମାନେ ସାଧାରଣତଃ ଊନବି˚ଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ପରିଦର୍ଶକ ଆଲେକ୍‌ସିସ୍‌ ଡି ଟକ୍‌ଭିଲ୍‌ଙ୍କୁ ସେମାନଙ୍କ ମତବାଦର ସମର୍ଥକ ରୂପେ ଉପସ୍ଥାପିତ କରିଥାନ୍ତି। ଫ୍ରାନ୍‌ସର ଏହି ସମ୍ଭ୍ରାନ୍ତବ˚ଶୀୟ ଉଦାରବାଦୀ ଯୁବ କୂଟନୀତିଜ୍ଞ-ରାଜନେତା- ଦାର୍ଶନିକ ୧୮୩୧ରେ ପ୍ରାୟ ଆଠ ମାସ ଧରି ଆମେରିକା ଗସ୍ତ କଲା ପରେ ୧୮୩୫ରେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଡେମୋକ୍ରାସି ଇନ୍‌ ଆମେରିକା’ (‘ଆମେରିକାରେ ଗଣତନ୍ତ୍ର’) ପ୍ରକାଶ କରିଥିଲେ। ବିଶେଷତାବାଦୀମାନେ ଦାବି କରନ୍ତି ଯେ ଟକ୍‌ଭିଲ୍‌ ତାଙ୍କ ଗସ୍ତ ସମୟରେ ମନ୍ତବ୍ୟ ଦେଇଥିଲେ ଯେ ଆମେରିକା ହେଉଛି ଏକ ନିଆରା ରାଷ୍ଟ୍ର ଯାହାର ମାନବ ଇତିହାସରେ ଏକ ବିଶେଷ ଭୂମିକା ରହିଛି। ଏହାର ସତ୍ୟତା ସନ୍ଦେହଜନକ, କିନ୍ତୁ ଟକ୍‌ଭିଲ୍‌ ତାଙ୍କ ପୁସ୍ତକରେ ଠାଏ ସେହିପରି ଏକ ରାଷ୍ଟ୍ରକୁ ‘ବିଶେଷତାପୂର୍ଣ୍ଣ’ ବୋଲି ଅଭିହିତ କରାଯିବ ବୋଲି ଉଲ୍ଲେଖ କରିଛନ୍ତି ଯିଏ କଳା ବା ବିଜ୍ଞାନ ଅପେକ୍ଷା ବାସ୍ତବବାଦିତାକୁ ଅଧିକ ପ୍ରାଧାନ୍ୟ ଦେଇଥାଏ।

ବାସ୍ତବବାଦୀ ରୂପେ ପ୍ରସିଦ୍ଧି ଲାଭ କରିଥିବା ଆମେରିକୀୟମାନଙ୍କ ପାଇଁ ଟକ୍‌ଭିଲ୍‌ଙ୍କ ଏହି ମନ୍ତବ୍ୟ ଏକ ଐତିହାସିକ ‘ବିଶେଷତାବାଦ’ ପ୍ରମାଣପତ୍ର ସଦୃଶ କାର୍ଯ୍ୟ କରିଥାଏ। ଇତିହାସରୁ କିନ୍ତୁ ଆମେରିକୀୟ ବିଶେଷତାର ମୂଳ ସମ୍ବନ୍ଧରେ ଯେଉଁ ତଥ୍ୟ ମିଳିଥାଏ, ତାହା ହେଉଛି ଏକ ସମ୍ପୂର୍ଣ୍ଣ ଭିନ୍ନ ବା ଏପରିକି ବିପରୀତ ଭାବମୂର୍ତ୍ତିର ବାହକ। ଏହି ମୂଳର ଚେର ଶେଷରେ ଯାହାଙ୍କ ପର୍ଯ୍ୟନ୍ତ ଲମ୍ବିଥାଏ, ସେ ହେଉଛନ୍ତି ପୁଞ୍ଜିବାଦର କବର-ଖୋଦକ ରୂପେ ସୁବିଦିତ ଜର୍ମାନ ଦାର୍ଶନିକ- ଅର୍ଥନୀତିଜ୍ଞ କାର୍ଲ‌୍‌ ମାର୍କ‌୍‌ସ। ମାର୍କ‌୍‌ସ ନିଜର କଠୋର ଅନୁଶୀଳନକୁ ଭିତ୍ତି କରି ଭବିଷ୍ୟବାଣୀ କରିଥିଲେ ଯେ ନିଜର ଅବିଚ୍ଛେଦ୍ୟ ଅନ୍ତର୍ନିହିତ ଦୁର୍ବଳତାମାନଙ୍କ ଯୋଗୁଁ ଏକ ବିଶୁଦ୍ଧ ପୁଞ୍ଜିବାଦୀ ବ୍ୟବସ୍ଥା ଅନିବାର୍ଯ୍ୟ ଭାବରେ ଶେଷରେ ଭୁଶୁଡ଼ି ପଡ଼ିବ; ସର୍ବହରା ଶ୍ରମିକମାନେ କ୍ଷମତା ଅଧିକାର କରିବେ। ସାମ୍ୟବାଦର ରାଜତ୍ବ ଆରମ୍ଭ ହେବ।

୧୯୧୪-୧୯ ପ୍ରଥମ ବିଶ୍ବଯୁଦ୍ଧ ପରେ ପରେ ୟୁରୋପରେ ସ୍ବାଭାବିକ ଭାବରେ ଯେଉଁ ଅର୍ଥନୈତିକ ଦୁର୍ଦଶା ଓ ଅସ୍ଥିରତା ଦେଖାଦେଲା, ତାହା ଯୋଗୁଁ ସେଠାରେ କମ୍ୟୁନିଷ୍ଟ ମତବାଦର ପ୍ରସାର ଘଟି ପୁଞ୍ଜିବାଦୀ ବ୍ୟବସ୍ଥାକୁ ସ୍ଥାନଚ୍ୟୁତ କରିବାର ସମ୍ଭାବନା ସୃଷ୍ଟି କରିଥିଲା। ସେ ସମୟକୁ ବ୍ରିଟେନ୍‌କୁ ସ୍ଥାନଚ୍ୟୁତ କରି ଆମେରିକା ପୃଥିବୀର ବୃହତ୍‌ ଶିଳ୍ପ ଶକ୍ତି ତଥା ବିଶୁଦ୍ଧତମ ପୁଞ୍ଜିବାଦୀ ଅର୍ଥନୀତିରେ ପରିଣତ ହୋଇ ସାରିଥିଲେ ମଧୢ ଆଶ୍ଚର୍ଯ୍ୟଜନକ ଭାବେ ସେଠାରେ ସେଭଳି କୌଣସି ଅସ୍ଥିରତା ସୃଷ୍ଟି ହେବା କିମ୍ବା ସାମ୍ୟବାଦୀ ହାଵା ବହିବାର ନାମଗନ୍ଧ ଦେଖାଗଲା ନାହିଁ। ଆମେରିକାର ଏହି ବ୍ୟତିକ୍ରମ ମାର୍କ‌୍‌ସଙ୍କ ଭବିଷ୍ୟବାଣୀକୁ ମିଥ୍ୟା ସାବ୍ୟସ୍ତ କରି ଯାହାଙ୍କ ଠାରେ ଭୀଷଣ କ୍ରୋଧ ସୃଷ୍ଟି କରିଥିଲା, ସେ ହେଉଛନ୍ତି ତତ୍‌କାଳୀନ କମ୍ୟୁନିଷ୍ଟ ସୋଭିଏତ୍‌ ରୁଷ୍‌ର ଏକଛତ୍ର ଶାସକ ଜୋସେଫ୍‌ ଷ୍ଟାଲିନ୍‌।

୧୯୨୯ରେ ଆମେରିକାର କମ୍ୟୁନିଷ୍ଟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ବିଫଳ ପ୍ରୟାସ ଚଳାଇଥିବା ନେତା ଜେ ଲଭ୍‌ଷ୍ଟୋନ୍‌ ମସ୍କୋ ଯାଇ ଷ୍ଟାଲିନ୍‌ଙ୍କୁ ସାକ୍ଷାତ କରି ଯେତେବେଳେ ଜଣାଇଲେ ଯେ ଆମେରିକାର ଶ୍ରମିକମାନେ ବିପ୍ଳବ କରିବାରେ ଆଗ୍ରହୀ ନୁହଁନ୍ତି, ଷ୍ଟାଲିନ୍‌ ରାଗିଯାଇ ଚିତ୍କାର କଲେ: ‘‘ଏଭଳି ଆମେରିକୀୟ ବିଶେଷତାବାଦ ମିଥ୍ୟାଚାର ବନ୍ଦ କର।’’ ଷ୍ଟାଲିନ୍‌ ବିଶ୍ବାସ କରିପାରୁ ନଥିଲେ, ଆମେରିକାର ଲୋକମାନେ ଇଉରୋପର ଲୋକମାନଙ୍କ ଠାରୁ କିଭଳି ଏକ ବ୍ୟତିକ୍ରମ ହେବେ? ନା ୧୯୩୦ ଦଶକର ଅର୍ଥନୈତିକ ମହାଅବପାତ, ନା ତା’ପରର ଦ୍ବିତୀୟ ବିଶ୍ବଯୁଦ୍ଧ, କିଛି ବି ଆମେରିକୀୟମାନଙ୍କର ସାମ୍ୟବାଦୀ ବିପ୍ଳବ ପ୍ରତି ବିମୁଖତାରେ କୌଣସି ପରିବର୍ତ୍ତନ ଆଣି ପାରିଲା।

ଏହା ହିଁ ହେଉଛି ଯେଉଁ ‘ବିଶେଷତା’କୁ ନେଇ ଆମେରିକୀୟମାନେ ଗର୍ବ କରନ୍ତି, ତାହା ପ୍ରକୃତ ଜନ୍ମ ବୃତ୍ତାନ୍ତ। ଆମେରିକାର ତତ୍‌କାଳୀନ ବାମପନ୍ଥୀମାନେ ସେମାନଙ୍କ ଦେଶବାସୀମାନଙ୍କ ଚରିତ୍ରରେ ଥିବା ଯେଉଁ ବିଶେଷତା ଯୋଗୁଁ ସେମାନେ ସାମ୍ୟବାଦୀ ବିପ୍ଳବ ପ୍ରତି ବିମୁଖ ଥିଲେ, ତାହା ଏଇଭଳି ଚିହ୍ନଟ କରିଥିଲେ: ‘ବ୍ୟକ୍ତି-କୈନ୍ଦ୍ରିକ; ଲାଭ-ପାଗଳ; ଊଣା ଅଧିକେ ମଧୢବିତ୍ତ; ଯେତିକି ଅର୍ଥନୈତିକ ସ୍ବାଧୀନତାର ଉପାସକ, ସେତିକି ଅର୍ଥନୈତିକ ବୈଷମ୍ୟ ପ୍ରତି ସହନଶୀଳ।’ ବାମପନ୍ଥୀମାନଙ୍କର ଆମେରିକୀୟ ଚରିତ୍ରର ଏହି ନକାରାତ୍ମକ ବର୍ଣ୍ଣନା କାହାକୁ ଯଦି ଫରାସୀ ପର୍ଯ୍ୟବେକ୍ଷକ ଟକ୍‌ଭିଲ୍‌ଙ୍କର ବାସ୍ତବବାଦୀ ଆମେରିକୀୟ ଚରିତ୍ରର ଏକ ସବିଶେଷ ବ୍ୟାଖ୍ୟା ଭଳି ମନେ ହେଉଥାଏ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

ନିର୍ବାଚନରେ ପରାଜିତ ହୋଇ ମଧୢ ପରାଜୟ ସ୍ବୀକାର କରିବାକୁ କୁଣ୍ଠିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହେଉଛନ୍ତି ଜଣେ ପ୍ରମୁଖ ବ୍ୟବସାୟୀ ଏବ˚ ତାଙ୍କଠାରେ ଏ ସମସ୍ତ ଆମେରିକୀୟ ଲକ୍ଷଣ ଭରପୂର ଉପସ୍ଥିତ। ଆମେରିକାରେ ବାସ୍ତବବାଦୀ ବ୍ୟବସାୟିକ ଆଚରଣ କି ପ୍ରକାର ରୂପ ପରିଗ୍ରହଣ କରିପାରେ, ତାହାର ଏକ କିମ୍ବଦନ୍ତି ପାଲଟିଥିବା ଉଦାହରଣ ଏଠାରେ ପ୍ରଦାନ କରାଯାଇପାରେ। ଊନବି˚ଶ ଶତାବ୍ଦୀର ମଧୢଭାଗରେ ରେଳରାସ୍ତା ଥିଲା ଆମେରିକୀୟ ଅର୍ଥନୀତିର ଜୀବନରେଖା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସାୟପତିମାନଙ୍କ ମଧୢରେ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା। ଏହିପରି ଏକ ରେଳପଥ ଥିଲା ପେନ୍‌ସିଲ୍‌ଭାନିଆର କୋଇଲା ଖଣିମାନ ନେଇ ଯାଇଥିବା ଆଲ୍‌ବାନୀ-ସସ୍‌କ୍ବେହାନା ରେଳପଥ। ଏହାକୁ ନିଜ ଦଖଲରେ ରଖିବା ପାଇଁ ଉଦ୍ୟମ ଚଳାଇଥିବା ଦୁଇ ଦୁର୍ଦ୍ଧର୍ଷ ପକ୍ଷ ଥିଲେ ଜେ.ପି.ମୋର୍ଗାନ୍‌ (ବର୍ତ୍ତମାନର ପ୍ରସିଦ୍ଧ ବ୍ୟାଙ୍କର ପ୍ରତିଷ୍ଠାତା) ଓ ବାହୁବଳୀ ଜିମ୍‌ ଫିସ୍କ।

ପ୍ରତିଯୋଗିତାର ଶେଷ ଦୃଶ୍ୟରେ ଉଭୟ ପକ୍ଷ ଦୁଇଟି ଟ୍ରେନ୍‌ରେ ନିଜ ନିଜର ସଶସ୍ତ୍ର ସମର୍ଥକମାନଙ୍କୁ ଭର୍ତ୍ତି କରି ରେଳରାସ୍ତାର ଦୁଇଦିଗରୁ ପରସ୍ପର ଆଡ଼କୁ ମାଡ଼ି ଆସିଲେ। ୧୮୬୯ ଅଗଷ୍ଟ ୧୦ ଦିନ ଏକ ସୁଡ଼ଙ୍ଗ ଭିତରେ ଦୁଇ ଟ୍ରେନ ପରସ୍ପରକୁ ମୁହାଁମୁହିଁ ଧକ୍‌କା ଦେବା ପରେ ସମର୍ଥକମାନଙ୍କ ମଧୢରେ ତିନି ଦିନ ଧରି ଖଣ୍ତଯୁଦ୍ଧ ଚାଲିଲା। ସରକାର ସୈନ୍ୟ ପଠାଇ ପରିସ୍ଥିତି ଆୟତ୍ତ କଲାବେଳକୁ ପରାସ୍ତ ଫିସ୍କ ବାହିନୀ ଛତ୍ରଭଙ୍ଗ ଦେବା ପୂର୍ବରୁ ରେଳପଥ ଭାଙ୍ଗିରୁଜି ଦେଇ ପଳାଇଥିଲେ। ବାସ୍ତବବାଦୀ ବ୍ୟବସାୟୀ ଟ୍ରମ୍ପ୍‌ଙ୍କର କ୍ୟାପିଟଲ୍‌ ହିଲ୍‌ ଆକ୍ରମଣ ଏଇ ରେଳ ଲଢ଼େଇର ଏକ ପୁନରାବୃତ୍ତି ଭଳି ନୁହେଁ କି?

ଏହା ସୂଚାଇବା ଅପ୍ରାସଙ୍ଗିକ ହେବ ନାହିଁ ଯେ ଚିତ୍ରକୁ ସମ୍ପୂର୍ଣ୍ଣ କରିବା ପାଇଁ ସେଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପୁଅ ଟ୍ରମ୍ପ୍‌ ଜୁନିଅର‌୍‌ ପ୍ରତିପକ୍ଷଙ୍କୁ ଲକ୍ଷ୍ୟ କରି କହିବା ଶୁଣାଯାଉଥିଲା: ‘‘ଆମେ ତୁମ ଆଡ଼କୁ ମାଡ଼ି ଆସୁଛୁ।’’ ସେଦିନର ରେଳ ଗାଡ଼ି ଭଳି!

ସମ୍ବନ୍ଧିତ ଖବର