ମାଙ୍କଡ଼ାମି

0

ଚିନ୍ତାର ବିଷୟ ଯେ କେନ୍ଦ୍ର ସରକାରଙ୍କର ମାନବ ସମ୍ବଳ ବିକାଶ ଅର୍ଥାତ୍‌ ଶିକ୍ଷା ମନ୍ତ୍ରଣାଳୟରେ ସତ୍ୟପାଲ ସିଂହଙ୍କ ପରି ଜଣେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଅଛନ୍ତି। ଆଶ୍ୱାସନାର କଥା ଯେ ସେଇ ମନ୍ତ୍ରଣାଳୟର ମୁଖ୍ୟ ବା କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି ପ୍ରକାଶ ଜାଭାଡ଼େକର୍‌ଙ୍କ ପରି ଜଣେ ବ୍ୟକ୍ତି। ସତ୍ୟପାଲ୍‌ ସିଂହ ଆମକୁ ଯେତିକି ଚିନ୍ତିତ କରିଛନ୍ତି, ସେତିକି ଆଶ୍ଚର୍ଯ୍ୟ ମଧ୍ୟ କରିଛନ୍ତି। ପ୍ରଥମେ ଆଶ୍ଚର୍ଯ୍ୟର କାରଣ କ’ଣ ଦେଖାଯାଉ। ଏହି ବ୍ୟକ୍ତି ଜଣକ ନିଜ କହିବା ଅନୁସାରେ ହେଉଛନ୍ତି ଜଣେ ବିଜ୍ଞାନର ଛାତ୍ର- ରସାୟନଶାସ୍ତ୍ରର। ସେତିକି ନୁହେଁ, ସେ ମଧ୍ୟ ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ଙ୍କ ଦ୍ୱାରା ଆୟୋଜିତ ଲିଖିତ ଏବଂ ବ୍ୟକ୍ତିତ୍ୱ ଆକଳନକାରୀ ସାକ୍ଷାତକାର ପରୀକ୍ଷାମାନଙ୍କରେ ଉତ୍ତୀର୍ଣ୍ଣ ହୋଇ ସର୍ବଭାରତୀୟ ପୁଲିସ୍‌ ସେବା ଆଇପିଏସ୍‌ରେ ଯୋଗ ଦେଇଥିଲେ। ରାଜନୀତିରେ ପ୍ରବେଶ ପୂର୍ବରୁ ସେ ମୁମ୍ବାଇର ପୁଲିସ୍‌ କମିସନ୍‌ରେ ରହିଥିଲେ।

ଏପରି ଜଣେ ବ୍ୟକ୍ତିଙ୍କଠାରୁ ସର୍ବନିମ୍ନ ଯାହା ଆଶା କରାଯାଏ ତାହା ହେଲା ଏକ ବିଜ୍ଞାନସମ୍ମତ ବସ୍ତୁନିଷ୍ଠ ମାନସିକତା। ତେଣୁ ଏପରି ଜଣେ ବ୍ୟକ୍ତି ଯେତେବେଳେ ଆଇଆଇଟି ଭଳି ଦେଶର ଏକ ସର୍ବଶ୍ରେଷ୍ଠ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନରେ ଭାଷଣ ଦେଲାବେଳେ ଘୋଷଣା କରନ୍ତି ଯେ ଚାର୍ଲସ୍‌ ଡାର୍‌ଓ୍ଵିନ୍‌ଙ୍କର ବିବର୍ତ୍ତନ ତତ୍ତ୍ୱ ହେଉଛି ଭୁଲ୍‌, କାରଣ କେହି କେବେ ଗୋଟିଏ ମାଙ୍କଡ଼କୁ ମନୁଷ୍ୟରେ ପରିଣତ ହୋଇଯିବା ଦେଖିନାହିଁ, ସେତେବେଳେ ପ୍ରତ୍ୟେକ ସାମାନ୍ୟ ବୁଦ୍ଧିଶୁଦ୍ଧି ଥିବା ଲୋକ ଆଶ୍ଚର୍ଯ୍ୟ ହୋଇ ପଡ଼ିବା ସ୍ୱାଭାବିକ। ଜଣେ ସର୍ବୋଚ୍ଚ ଡିଗ୍ରୀଧାରୀ ବିଜ୍ଞାନର ଛାତ୍ର କିପରି ଏଭଳି ହାସ୍ୟାସ୍ପଦ ଅଯୌକ୍ତିକ କଥା କହି ପାରୁଛନ୍ତି ବୋଲି ସେ ଭାବିବ। ଆଉ ଏ ନେଇ ଚିନ୍ତାର କାରଣ ହେଉଛି ଦୁଇଟି। ପ୍ରଥମଟି ହେଲା ଏପରି ଜଣେ ବିତଣ୍ଡା ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତି ଉପରୋକ୍ତ ବଛାବଛି ପ୍ରକ୍ରିୟାରେ ଧରା ନପଡ଼ି ଏକ ଦାୟିତ୍ୱପୂର୍ଣ୍ଣ ପୁଲିସ୍‌ ଚାକିରି ପାଇଲେ କିପରି? ସେ ଏକ ବସ୍ତୁନିଷ୍ଠ ଆଭିମୁଖ୍ୟ ସହ ଚାକିରି କାଳରେ ନିଜର ଦାୟିତ୍ୱ ସମ୍ପାଦନ କରିଥିବେ ତ? ଦ୍ୱିତୀୟଟି ହେଲା ସେ ବର୍ତ୍ତମାନ ଯେଉଁ ଦାୟିତ୍ୱରେ ରହିଛନ୍ତି ସେଥିପାଇଁ ସେ ଉପଯୁକ୍ତ ତ? ଭୟଙ୍କର କଥା ହେଲା, ଉପରୋକ୍ତ ବିବର୍ତ୍ତନ ତତ୍ତ୍ୱ ସମ୍ବନ୍ଧୀୟ ମନ୍ତବ୍ୟ ପ୍ରଦାନ କରିବା ସମୟରେ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଏ ସମ୍ପର୍କରେ ଆବଶ୍ୟକ ପରିବର୍ତ୍ତନ କରାଯିବା ପାଇଁ ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ। ଯଦି ଏହି କନିଷ୍ଠ ଶିକ୍ଷାମନ୍ତ୍ରୀଙ୍କ କଥା ଅନୁସାରେ ପାଠ୍ୟ ପୁସ୍ତକ ଓ ପାଠ୍ୟ ଖସଡ଼ା ପ୍ରସ୍ତୁତ ହୁଅନ୍ତା, ତେବେ ଆମ ସ୍କୁଲ୍‌ ମାନଙ୍କରେ ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭ କରନ୍ତେ ଯେ ଡାର୍‌ଓ୍ଵିନ୍‌ଙ୍କ ବିବର୍ତ୍ତନବାଦ ହେଉଛି ମିଛ।

ସୌଭାଗ୍ୟର କଥା ତାଙ୍କ ବିଭାଗର ମୁଖିଆ ଏଭଳି ଅଜ୍ଞାନର ଧାର ଧାରନ୍ତି ନାହିଁ ଏବଂ ଏଭଳି ପଛୁଆ ଚିନ୍ତାଧାରାର ବିପଜ୍ଜନକ ପରିଣାମ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସଚେତନ। ପ୍ରକାଶ ଜାଭାଡ଼େକର୍‌ ତେଣୁ କାଳ ବିଳମ୍ବ ନ କରି ତାଙ୍କର କନିଷ୍ଠ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଖଣ୍ଡନ କରି ତାଙ୍କୁ ଭବିଷ୍ୟତରେ ଏଭଳି ମନ୍ତବ୍ୟ ନ ଦେବା ପାଇଁ ତାଗିଦ କରି ଦେଇଛନ୍ତି। ସତ୍ୟପାଲ ସିଂହ ତାଙ୍କର ମନ୍ତବ୍ୟ ପ୍ରଦାନ ସମୟରେ ଏକ ଆନ୍ତର୍ଜାତିକ ଆଲୋଚନାଚକ୍ର ମାଧ୍ୟମରେ ପ୍ରସଙ୍ଗ ଉପରେ ଯୁକ୍ତି କରି ନିଜ ମତର ଯଥାର୍ଥତା ପ୍ରତିପାଦନ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଏପରି କୌଣସି ଆଲୋଚନାଚକ୍ର ଆୟୋଜିତ ହେବାର କୌଣସି ପ୍ରସ୍ତାବ ନାହିଁ ବୋଲି ଜାଭାଡ଼େକର୍‌ ଏବେ ପରିଷ୍କାର କରି ଦେଇଛନ୍ତି। ସବୁଠାରୁ ଆଶ୍ୱାସନାର କଥା ହେଲା, ଏହି ସ୍ପଷ୍ଟୀକରଣ ଦେବା ସମୟରେ ଜାଭାଡ଼େକର୍‌ ଘୋଷଣା କରିଛନ୍ତି: ‘‘ଆମେ ଆମର ବୈଜ୍ଞାନିକମାନଙ୍କୁ ବିଶ୍ୱାସ କରୁ’’।

ସତ୍ୟପାଲ ସିଂହ ମାଙ୍କଡ଼ ସମ୍ବନ୍ଧିତ ଯେଉଁ ପ୍ରଶ୍ନ ପଚାରିଛନ୍ତି, ତାହା କିଛି ନୂଆ ମଧ୍ୟ ନୁହେଁ। ଯେଉଁମାନେ ବିଜ୍ଞାନର କଠୋର ଅନୁଶୀଳନ ଠାରୁ ଦୂରରେ ରହି ଉପରଠାଉରିଆ ଅଥବା ପିଲାଳିଆ ଭାବରେ ବିବର୍ତ୍ତନବାଦକୁ ଦେଖନ୍ତି, ସେମାନେ ସତ୍ୟପାଲ ସିଂହଙ୍କ ଭଳି ପଚାରିଥାନ୍ତି ଯେ ଯଦି ମାଙ୍କଡ଼ରୁ ମନୁଷ୍ୟ ସୃଷ୍ଟି ହୋଇଛି, ତା’ହେଲେ ପୁଣି ମାଙ୍କଡ଼ମାନେ ଅଛନ୍ତି କିପରି? ଯେଉଁମାନେ ଏପରି ପ୍ରଶ୍ନ ପଚାରନ୍ତି, ସେମାନେ ବିବର୍ତ୍ତନବାଦ ସମ୍ବନ୍ଧରେ ଏକ ଭ୍ରମାତ୍ମକ ଧାରଣା ପୋଷଣ କରିଥାନ୍ତି। ବିବର୍ତ୍ତନବାଦ କେଉଁଠି କହି ନାହିଁ ଯେ ମାଙ୍କଡ଼ରୁ ମଣିଷ ସୃଷ୍ଟି ହୋଇଛି; ବିବର୍ତ୍ତନବାଦ କହିଥାଏ ଯେ ଉଭୟ ମନୁଷ୍ୟ ଏବଂ ମାଙ୍କଡ଼ଙ୍କର ପୂର୍ବପୁରୁଷ ହେଉଛନ୍ତି ସମାନ। ଯେଉଁମାନେ ଏଭଳି ପ୍ରଶ୍ନ ପଚାରନ୍ତି ସେମାନଙ୍କୁ ସେମାନଙ୍କର ପ୍ରଶ୍ନର ଉତ୍ତର ଛଳରେ ଆଉ ଏକ ପ୍ରଶ୍ନ ପଚରା ଯାଇପାରେ: ‘‘ଯଦି ପ୍ରାପ୍ତବୟସ୍କମାନଙ୍କ ଠାରୁ ସନ୍ତାନ ସୃଷ୍ଟି ହୋଇଥାନ୍ତି, ତେବେ ପ୍ରାପ୍ତ ବୟସ୍କମାନେ ଲୋପ ପାଇ ଯାଇନାହାନ୍ତି କାହିଁକି?’’

ପ୍ରତିଷ୍ଠିତ ହୋଇ ସାରିଥିବା କୌଣସି ଏକ ପ୍ରଜାତି (ସ୍ପେସିଜ୍‌)ରୁ ଖଣ୍ଡେ ଅଂଶ ଭାଙ୍ଗି ଯାଇ ଏକ ନୂତନ ପ୍ରଜାତିର ଆବିର୍ଭାବ ଘଟିଥାଏ, ଯାହାକୁ ବିବର୍ତ୍ତନ କୁହାଯାଏ। ମୂଳ ପ୍ରଜାତି ଠାରୁ ବିଚ୍ଛିନ୍ନ ହୋଇ ଯାଇଥିବା ଏହି ନୂତନ ପ୍ରଜାତିର ସଦସ୍ୟମାନେ କ୍ରମେ ନିଜର କିଛି ସ୍ୱତନ୍ତ୍ର ଲକ୍ଷଣ ମାନ ଧାରଣ କରିଥାନ୍ତି ଯାହା ସେମାନଙ୍କୁ ଚିରଦିନ ପାଇଁ ଏକ ପୃଥକ୍‌ ପରିଚୟ ପ୍ରଦାନ କରିଥାଏ। ଏହି ବିଖଣ୍ଡନ ପରେ ମୂଳ ପ୍ରଜାତିଟି ହୁଏତ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଞ୍ଚି ରହିପାରେ କିଂବା ହୁଏତ ଲୋପ ପାଇ ଯାଇପାରେ। ବିଗତ ନିୟୁତ ନିୟୁତ ବର୍ଷ ଧରି ଘଟିଥିବା ବିବର୍ତ୍ତନର ଗତି ଏତେ ମନ୍ଥର ଯେ ସ୍ୱଳ୍ପାୟୁ ମନୁଷ୍ୟ ତା’ର ଜୀବଦ୍ଦଶାରେ ଏପରି କିଛି ମାଙ୍କଡ଼ରୁ ମଣିଷ ହେବା ଭଳି ପରିବର୍ତ୍ତନ ତା ଆଖି ଆଗରେ ଘଟିବା ଦେଖିପାରେ ନାହିଁ, ଯାହା ସତ୍ୟପାଲ ସିଂହ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ବିବର୍ତ୍ତନ ପ୍ରକ୍ରିୟାରେ ଏକ ସମୟରେ ମାଙ୍କଡ଼ ଓ ମନୁଷ୍ୟ ସହାବସ୍ଥାନ କରିପାରିବେ, ସତ୍ୟପାଲ ସିଂହ ଏହା ହୃଦୟଙ୍ଗମ କରିବା ଉଚିତ।

ସତ୍ୟପାଲ ସିଂହ ବିବର୍ତ୍ତନବାଦ ସହିତ ଆଉ ଏକ ମାଙ୍କଡ଼ାମି ମଧ୍ୟ କରିଛନ୍ତି। ବିବର୍ତ୍ତନବାଦ ଅନୁସାରେ ଦୁନିଆରେ ଯୋଗ୍ୟତମ ହିଁ ତିଷ୍ଠି ରହିଥାଏ। ବିବର୍ତ୍ତନ ପ୍ରକ୍ରିୟାରେ ଯେଉଁ ପ୍ରଜାତିମାନଙ୍କର ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ଚଳି ପାରିବାର କ୍ଷମତା ଥାଏ, ସେଇମାନେ ହିଁ ବଞ୍ଚିରହନ୍ତି ଏବଂ ଅଯୋଗ୍ୟମାନେ ଲୋପ ପାଆନ୍ତି। ସତ୍ୟପାଲ ସିଂହ କହିଛନ୍ତି ଯେ ତାଙ୍କ ସରକାର ଏଥିରେ ବିଶ୍ୱାସ କରେ ନାହିଁ ଏବଂ ସମାଜରେ ଯେଉଁମାନେ ଅଯୋଗ୍ୟ, ଅର୍ଥାତ୍‌ ଦୁର୍ବଳ ଶ୍ରେଣୀର ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଠାରେ ଡାରଓ୍ଵିନ୍‌ଙ୍କ ବିବର୍ତ୍ତନ ତତ୍ତ୍ୱକୁ ତା’ର ଜୈବିକ ପରିସରରୁ ଆଣି ସମାଜ ଓ ରାଜନୀତିରେ ପୂରାଇବାକୁ ସତ୍ୟପାଲ ସିଂହ ଏ ଯେଉଁ ଚେଷ୍ଟା କରିଛନ୍ତି, ତାହା ଯେ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ ଏହା ସେ ଭଲ ରୂପେ ଜାଣିଥିବେ। ସତ୍ୟପାଲ ସିଂହ ସମାଜଶାସ୍ତ୍ର ବା ରାଜନୀତିରେ ଡାରଓ୍ଵିନ୍‌ବାଦର ପ୍ରୟୋଗ ସମ୍ବନ୍ଧରେ ଯେତେ ଇଚ୍ଛା ବିତର୍କ କରନ୍ତୁ, କିଛି ଯାଏ ଆସେ ନାହିଁ; କିନ୍ତୁ ମୂଳ ବିବର୍ତ୍ତନବାଦକୁ ବିକୃତ କରିବା ଉଦ୍ୟମରୁ କ୍ଷାନ୍ତ ରହନ୍ତୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.