ଗଲା ନଭେମ୍ବର ମାସରେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଏକ ଭାଷଣ ଦେବା ଅବସରରେ ବି˚ଶ ଶତାବ୍ଦୀର ଆଦ୍ୟ ଭାଗରେ ବିଶେଷ ସଫଳତା ଲାଭ କରିଥିବା ପ୍ରସିଦ୍ଧ ଚୀନା ଉଦ୍ୟୋଗପତି ଝାଙ୍ଗ ଜିଆନଙ୍କ ଉଲ୍ଲେଖ କରିଥିଲେ। ସେ କହିଥିଲେ କିଭଳି ଝାଙ୍ଗ ଜିଆନ ନିଜ ବ୍ୟବସାୟ ଦ୍ବାରା ବିପୁଳ ବ୍ୟକ୍ତିଗତ ସ˚ପଦ ସୃଷ୍ଟି କରିବା ସହିତ ତାଙ୍କ ନିଜ ସହର ନାନଟଙ୍ଗର ପ୍ରଭୂତ ବିକାଶ ସାଧନ କରିଥିଲେ। ସି ଜିନ ପିଙ୍ଗ ଏହି ଉଦାହରଣ ଦ୍ବାରା ସମ୍ଭବତଃ ସା˚ପ୍ରତିକ ଚୀନର ଅମିତ ବିତ୍ତଶାଳୀ ଉଦ୍ୟୋଗପତିମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ନିଜ ବିଚାର ଆଧାରରେ ଏକ ଦିଗ୍‌ଦର୍ଶନ ପ୍ରଦାନ କରିବାର ଉଦ୍ୟମ କରିଥିଲେ। ଅମାପ ସ˚ପଦର ଅଧିକାରୀ ହୋଇପାରିଥିବା ଚୀନର ବ୍ୟବସାୟୀମାନେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଯାପନରେ ପ୍ରମତ୍ତ ଥିବାରୁ ଜିନ ପିଙ୍ଗ ହୁଏ’ତ ଏହିଭଳି କହି ସେମାନଙ୍କ ବିବେକ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ବୋଲି ସେତେବେଳେ ଏକ ଧାରଣା ହୋଇଥିଲା। କିନ୍ତୁ ଏହା ଯେ କେବଳ ଏକ ନିରୀହ ଉପଦେଶମୂଳକ ବାର୍ତ୍ତା ନଥିଲା;ତାହା ଅଚିରେ ପ୍ରମାଣିତ ହେଲା ଯେତେବେଳେ ଏହା ପରେ ପରେ ଚୀନ ସରକାରଙ୍କ ଆଦେଶରେ ଚୀନର ସର୍ବାଧିକ ଧନୀ ଉଦ୍ୟୋଗପତି ଏବ˚ କି˚ବଦନ୍ତୀୟ ପ୍ରସିଦ୍ଧିର ଅଧିକାରୀ ଜ୍ୟାକ୍‌ ମାଙ୍କ ନୂତନତମ ‘ଆଥଇପିଓ’ ‘ଆଣ୍ଟ ଗ୍ରୁପ୍‌’କୁ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ହିଁ ସହସା ବନ୍ଦ କରିଦିଆଗଲା। ଉଲ୍ଲେଖ ଥାଉ କି ‘ଆଣ୍ଟ ଗ୍ରୁପ୍‌’ ଯେଉଁ ଆକାରର ପୁ˚ଜି ଆକର୍ଷଣ କରିବାର ଅନୁମାନ କରାଯାଉଥିଲା, ତାହା ସମ୍ଭବତଃ ଏକ ଇତିହାସ ରଚନା କରିଥାଆନ୍ତା। କେବଳ ସେତିକି ନୁହେଁ ଏହି ସମୟରେ ଏହା ମଧୢ ଆବିଷ୍କାର କରାଗଲା ଯେ ଜ୍ୟାକ ମା ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି; ଏବଂ ଗଲା ଅକ୍ଟୋବର ମାସ ପର ଠାରୁ ଏ ପର୍ଯ୍ୟନ୍ତ ସେ ଦୃଷ୍ଟିଗୋଚର ହୋଇନାହାନ୍ତି। ଚୀନ ଭଳି ଏକ ରାଜନୈତିକ ଭାବେ ‘ଅନାଲୋକିତ’ ରାଷ୍ଟ୍ରରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଭିତରୁ କେହି କେହି ହଠାତ୍‌ ନିରୁଦ୍ଦିଷ୍ଟ ହୋଇଯିବାର ପର˚ପରା ଥିବାରୁ ଜ୍ୟାକ ମାଙ୍କ ଅନ୍ତର୍ଦ୍ଧାନ ହୁଏ’ତ ସେଠାରେ ଦୃଶ୍ୟମାନ ହେଲା ଭଳି ତରଙ୍ଗ ସୃଷ୍ଟି କରି ନ ଥାଇପାରେ; କିନ୍ତୁ ଅବଶିଷ୍ଟ ବିଶ୍ବରେ ଏହା ଏକ ମୃଦୁ ଭୂକ˚ପନ ସୃଷ୍ଟି କରିବା ସହିତ ପ୍ରଶ୍ନ ଉଠାଇଲାଣି ଯେ ମାର୍କସଙ୍କ ଅନ୍ତିମ ସର୍ବଶ୍ରେଷ୍ଠ ଦୁର୍ଗରେ ମୁକ୍ତ ‘ମାର୍କେଟ୍‌’ର ଭାଗ୍ୟ କ’ଣ ଅସ୍ତମିତ ହେବା ଆରମ୍ଭ କଲାଣି? ଏହି ପରିପ୍ରେକ୍ଷୀରେ କୁହାଯାଇପାରେ କି ସ˚ପ୍ରତି ଚୀନ ସରକାରଙ୍କ ଦ୍ବାରା ଉଦ୍ୟୋଗପତିମାନଙ୍କ ପ୍ରତି ପ୍ରଦର୍ଶନ କରାଯାଉଥିବା ଆଭିମୁଖ୍ୟ ଏଭଳି ପ୍ରଶ୍ନର କାରଣ।

Advertisment

‘ନ୍ୟୁୟର୍କ ଟାଇମ୍‌ସ’ରେ ପ୍ରକାଶିତ ଏକ ରିପୋର୍ଟ କହିଥାଏ ଯେ ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତରେ ବିଦ୍ୟମାନ ଥିବା ଅର୍ବପତିମାନଙ୍କ ସ˚ଖ୍ୟାର ସମଷ୍ଟି ଯାହା; କେବଳ ଚୀନରେ ତାହା ଠାରୁ ଅଧିକ ସ˚ଖ୍ୟକ ନବ୍ୟ ଅର୍ବପତି ଅଛନ୍ତି। ଏହି ଅର୍ବପତି ବ୍ୟବସାୟୀମାନେ କେବଳ ଅମାପ ସ˚ପଦ ସୃଷ୍ଟି କରି ନାହାନ୍ତି, ପାଶ୍ଚାତ୍ୟ ଜୀବନ ଶୈଳୀ ଅନୁସରଣ କରି ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନରେ ମଗ୍ନ ଅଛନ୍ତି। ଏହା ଚୀନରେ ଦୁଇ ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରିଛି। ଉଦାହରଣ ସ୍ବରୂପ ଜ୍ୟାକ୍‌ ମା (ତାଙ୍କ ପ୍ରକୃତ ନାମ ମା ୟୁନକୁ ବଦଳାଇ ଆମେରିକୀୟ ରୂପ ପ୍ରଦାନ କରିଛନ୍ତି)ଙ୍କ ଦ୍ବାରା ଅନୁପ୍ରାଣିତ ଥୋକେ ତାଙ୍କୁ ଦେବତୁଲ୍ୟ ବିଚାର କରି ଶ୍ରଦ୍ଧାରେ ‘ଡାଡି ମା’ ବୋଲି ସମ୍ବୋଧନ କରୁଥିବା ବେଳେ ସାମାଜିକ ଗଣମାଧୢମରେ ତାଙ୍କ ବିରୋଧରେ ଏଭଳି ଅସ˚ଖ୍ୟ ସାଧାରଣ ଲୋକଙ୍କ ବିଷୋଦ୍‌ଗାର ଦେଖିବାକୁ ମିଳୁଛି ଯହିଁରେ ତାଙ୍କୁ ରକ୍ତ ଶୋଷଣକାରୀ ସୈତାନ ସହ ତୁଳନା କରାଯିବା ସହିତ ତାଙ୍କୁ ବତିଖୁଣ୍ଟରୁ ଝୁଲାଇ ଦେବା ଲାଗି ଆଗ୍ରହ ପ୍ରକାଶ ପାଉଛି। ‘ସେହି ରିପୋର୍ଟରେ ଏହାର କାରଣ ଭାବେ ଯାହା ଉଲ୍ଲେଖ କରାଯାଇଛି ତାହା ହେଲା ଚୀନରେ ଧନୀ ଓ ଦରିଦ୍ରଙ୍କ ମଧୢରେ କ୍ରମବର୍ଦ୍ଧିଷ୍ଣୁ ବ୍ୟବଧାନ, ଯାହା ବିଳାସୀ ନବ୍ୟ ଧନିକଙ୍କୁ ଅନେକତ୍ର ଘୃଣାର ପାତ୍ରରେ ପରିଣତ କରିଛି। ପ୍ରକାଶ ଥାଉ କି ଚୀନରେ ଏବେ ୬୦ କୋଟି ଲୋକ ମାସିକ ୧୫୦ ଡଲାରରୁ କମ୍‌ରେ ଚଳୁଛନ୍ତି। ସେଠାରେ ଖାଉଟି ଦ୍ରବ୍ୟ କ୍ରୟରେ ୫% ହ୍ରାସ ପାଇଥିବା ବେଳେ ବିଳାସପୂର୍ଣ୍ଣ ସାମଗ୍ରୀର କ୍ରୟରେ ୫୦% ବୃଦ୍ଧି ଘଟିଛି।

ତେବେ, କହିବା ବାହୁଲ୍ୟ ଯେଉଁ କାର୍ଲ ମାର୍କସଙ୍କ ସାମ୍ୟବାଦ ଦର୍ଶନ ସର୍ବଦା ପୁ˚ଜିବାଦର ବିଲୋପ କାମନା କରିଥାଏ, ସେହି ଦର୍ଶନର ଏକାନ୍ତ ଅନୁରକ୍ତ ଚୀନ ଭଳି ଏକ ରାଷ୍ଟ୍ରରେ ପୁ˚ଜିବାଦ ଦ୍ବାରା ପରିଚାଳିତ ମୁକ୍ତ ବାଣିଜ୍ୟ ବା ‘ଫ୍ରି ମାର୍କେଟ୍‌’ ଅର୍ଥନୀତିର ସଫଳତା ଏକ ସୁଦୂର ବିସ୍ତାରୀ ଚମକ ସୃଷ୍ଟି କରି ପାରିବା ଗୋଟିଏ ଅଳୌକିକତା ଠାରୁ କମ୍‌ ନୁହେଁ। କିନ୍ତୁ ଏହି ପ୍ରକ୍ରିୟା ମଧ୍ୟରେ ଯେ ଏକ ଅସହଜ ଓ ଅଦୃଶ୍ୟ ବିରୋଧାଭାସ ମଧ୍ୟ ନିହିତ ଅଛି, ତାହା ଅନେକ ହୁଏ’ତ ବୁଝିପାରି ନ ଥିଲେ। ସେମାନେ ବୁଝି ପାରି ନ ଥିଲେ ଯେ ଚୀନରେ ମୁକ୍ତ ବାଣିଜ୍ୟର ପରିବେଶ ପ୍ରଦାନ କରୁଥିବା ଉଦାରତା ଗୋଟିଏ ସୀମାରେ ଉପନୀତ ହେବା ପରେ ସଂକୁଚିତ ହୋଇ ଯାଇପାରେ। ସେତିକି ହୃଦୟଙ୍ଗମ କରିପାରିଥିଲେ ଜ୍ୟାକ ମା ଚୀନର ବ୍ୟାଙ୍କିଙ୍ଗ କ୍ଷେତ୍ର ଏବ˚ ସରକାରୀ ଆର୍ଥିକ ନିୟନ୍ତ୍ରଣ ବ୍ୟବସ୍ଥାର କଡ଼ା ସମାଲୋଚନା କରି ନ ଥାଆନ୍ତେ ବା ଚୀନର ସର୍ବ ବୃହତ୍‌ ରିଏଲ୍‌ ଇଷ୍ଟେଟ୍‌ କ˚ପାନିର ମୁଖ୍ୟ ରେନ ଟିକ୍ବା˚ଗ୍‌ ସରକାରଙ୍କୁ ତିର୍ଯକ ସମାଲୋଚନା କରିବାର ସାହସ କରି ନ ଥାଆନ୍ତେ। କହିବା ଅନାବଶ୍ୟକ ‌େଯ ସେଭଳି କରିଥିବାରୁ ସମ୍ଭବତଃ ଆଜି ଜ୍ୟାକ ମାଙ୍କ ପତ୍ତା ମିଳୁନାହିଁ ଓ ରେନଙ୍କୁ ଏକ ନଗଣ୍ୟ ଦୋଷ ଆଳରେ ଅଠର ବର୍ଷର କାରାଦଣ୍ତ ଭୋଗିବାକୁ ପଡ଼ିଛି। ସେହିଭଳି କେବଳ ଜ୍ୟାକ ମାଙ୍କ ‘ଆଣ୍ଟ ଗ୍ରୁପ୍‌’ ନୁହେଁ, ଚୀନର ଅନ୍ୟ ଏକ ଅତ୍ୟନ୍ତ ବୃହତ୍‌ ଉଦ୍ୟୋଗ ଟେନ୍‌ସେଣ୍ଟକୁ ମଧୢ ତାର କାରବାର ସୀମିତ କରି ରଖିବାକୁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ବାଇଡୁ, ସ୍ବିଗି, ଖାତାବୁକ୍‌, ଇ-ବୁକ୍‌ ଇତ୍ୟାଦି ଭଳି ଅନେକ ଚମକଦାର ଷ୍ଟାର୍ଟଅପ୍‌ରେ ‘ଟେନ୍‌ସାଣ୍ଟ’ ବିପୁଳ ପୁ˚ଜି ନିବେଶ କରିଛି। ସୁତରା˚ ଏଥିରୁ ସ୍ପଷ୍ଟ ସ˚କେତ ମିଳୁଛି ଯେ ସି ଜିନ ପିଙ୍ଗଙ୍କ ଚୀନ ପୁ˚ଜିପତିମାନଙ୍କୁ ବିହଙ୍ଗ ସମ ଉଡ଼ି ବୁଲିବାକୁ ଅନୁମତି ଦେଇଛି ସିନା, ସେମାନଙ୍କ ଆକାଶକୁ ସୀମାବଦ୍ଧ କରି ଦେବାକୁ ଉଦ୍‌ଗ୍ରୀବ। ବୋଧହୁଏ, ସି ଜିନ ପିଙ୍ଗ ‘ମାର୍କସ୍‌’ଙ୍କ ଭୂମିରେ ବଜାର ବା ‘ମାର୍କେଟ୍‌’କୁ ଆଉ ଥରେ ନୂତନ ଭାବେ ପରିଭାଷିତ କରିବାକୁ ଚାହାନ୍ତି।

ତେବେ ଉଲ୍ଲେଖନୀୟ ଯେ ଜିନ ପିଙ୍ଗଙ୍କ ଉଦ୍ଦେଶ୍ୟକୁ ଅନେକ ପୁ˚ଜିପତି ଠିକଣା ଭାବେ ଧରି ପାରିଛନ୍ତି ମଧ୍ୟ। ଏକ ସର୍ବେକ୍ଷଣରୁ ଏ କଥା ସ୍ପଷ୍ଟ ହୋଇଥାଏ। ତହିଁରୁ ଜଣାପଡ଼ିଛି ଯେ ୨୦୧୭ ମସିହାରେ ଚୀନର ମାତ୍ର ୧୦ଟି ଉଦ୍ୟୋଗ ସେମାନଙ୍କ ବାର୍ଷିକ ବିବରଣୀରେ ସି ଜିନ ପିଙ୍ଗଙ୍କ ଗୁଣଗାନ କରିଥିବା ବେଳେ ୨୦୧୯ ବେଳକୁ ସେ ସ˚ଖ୍ୟା ବୃଦ୍ଧି ପାଇ ୨୮୦ରେ ପହଞ୍ଚିଥିଲା ଏବ˚ ୨୦୨୦ରେ ସେହି ସଂଖ୍ୟା ହୋଇଛି ଚାରିଶହ। ସୁତରା˚, ଏହା ଏକ ‘ଚାମଚା ପୁ˚ଜିପତି’ଙ୍କ ଗୋଷ୍ଠୀର ସୃଷ୍ଟି କଲାଣି।

ଆଶା କରିବା ଯେ ଜ୍ୟାକ ମା ପୁଣି କେବେ ହୁଏତ ଦୃଶ୍ୟମାନ ହୋଇପାରନ୍ତି। ପୂର୍ବରୁ ସହସା ଅନ୍ତର୍ଦ୍ଧାନ ହୋଇ ଯାଇଥିବା ମାନ୍ୟଗଣ୍ୟମାନଙ୍କ ଭିତରୁ କେତେକ ସମୟାନ୍ତରେ ପୁଣି ଆବିର୍ଭୂତ ହୋଇଛନ୍ତି। କିନ୍ତୁ ତାହା ଯଦି ହୁଏ, ତେବେ ଏହା ନିଶ୍ଚିତ ଯେ ଜ୍ୟାକ ମା ଆଉ ପୂର୍ବର ଜ୍ୟାକ ମା ହୋଇ ରହିବେ ନାହିଁ। ସେ ହୁଏ’ତ ଚାମଚା ପୁ˚ଜିପତିଙ୍କ ଗୋଷ୍ଠୀରେ ମିଶିବେ ଅଥବା ଏହି ସ୍ତମ୍ଭର ପ୍ରାରମ୍ଭରେ ବର୍ଣ୍ଣିତ ହୋଇଥିବା ମାନବବାଦୀ ଉଦ୍ୟୋଗପତି ଝାଓ ଜିଆନଙ୍କ ପଦାଙ୍କ ଅନୁସରଣ କରିବେ। କିନ୍ତୁ ସେ ଦିନ ସେହି ଭାଷଣରେ ସି ଜିନ ପିଙ୍ଗ ଯାହା କହି ନ ଥିଲେ ତାହା ହେଲା ଝାଓ ଜିଆନ ତାଙ୍କ ଶେଷ ଜୀବନରେ କପର୍ଦକଶୂନ୍ୟ ହୋଇ ଯାଇଥିଲେ। ଜ୍ୟାକ ମାଙ୍କ ଭଳି ଆଜିକାର ଚୀନୀୟ ଅର୍ବପତିମାନେ ନିଶ୍ଚିତ ଭାବେ ସେଭଳି ଜୀବନ ବରଣ କରିବାକୁ ଚାହିଁବେ ନାହିଁ। ତେଣୁ ‘ମାର୍କସ’ ଓ ‘ମାର୍କେଟ୍‌’ ଭିତରେ ତିଷ୍ଠି ରହିବା ଲାଗି ସେମାନେ ଚାମଚା ହୋଇ ରହିବେ।