ବ୍ୟୟଭୀରୁ ଟ୍ରାଜେଡି

ମହାନ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କେନ୍‌ସ କୌଣସି ସମାଜ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଅବପାତକୁ ଏକ ଟ୍ରାଜେଡି ରୂପେ ବର୍ଣ୍ଣନା କରିଥିଲେ, କିନ୍ତୁ ଏହା ଏପରି ଏକ ଟ୍ରାଜେଡି ଯେଉଁଥିରେ କେହି ଖଳନାୟକ ବା ‘ଭିଲେନ’ ନଥାନ୍ତି। ଅର୍ଥାତ୍‌ ଏ ଟ୍ରାଜେଡି ପାଇଁ କାହାରିକୁ ଦୋଷ ଦେଇ ହେବ ନାହିଁ। ସମାଜର ସଦସ୍ୟମାନେ ଯଦି ଆୟକୁ ଖର୍ଚ୍ଚ ନକରି ସଞ୍ଚୟ କରି ବଜାରରେ ଚାହିଦାରେ ମରୁଡ଼ି ଘଟାନ୍ତି, ସେମାନଙ୍କୁ ଦୋଷ ଦେଇ ହେବ ନାହିଁ, କାରଣ ବ୍ୟକ୍ତି ପାଇଁ ସଞ୍ଚୟ ଏକ ସୁ-ଅଭ୍ୟାସ ରୂପେ ବିବେଚିତ ହୋଇଥାଏ। ନିବେଶକମାନଙ୍କୁ ମଧୢ ଦୋଷ ଦେଇ ହେବ ନାହିଁ, କାରଣ ବଜାରରେ ଯଦି ଚାହିଦା ଥା’ନ୍ତା, ସେମାନେ ତ ଖୁସିରେ ଅଧିକ ଉତ୍ପାଦନ ପାଇଁ ପୁଞ୍ଜିନିବେଶ କରନ୍ତେ। ତେଣୁ କାହାରି ଅନୈତିକ କାର୍ଯ୍ୟ ଯୋଗୁଁ ଅର୍ଥନୈତିକ ଅବପାତ ଘଟି ନଥାଏ; ଏହା ତେଣୁ ଏକ ନୈତିକ ସମସ୍ୟା ନୁହେଁ। ଏହା ହେଉଛି ଏକ ଯାନ୍ତ୍ରିକ ତ୍ରୁଟି ଭଳି।

କେନ୍‌ସ କିନ୍ତୁ ପୃଥିବୀର ସମସ୍ତ ଦେଶ ସହିତ ଭାରତ ଏବେ ଯେଉଁ ବିଧିବଦ୍ଧ ଅର୍ଥନୈତିକ ଅବପାତ ଭିତରେ ପଡ଼ି ସେଥିରୁ ମୁକୁଳିବାକୁ ଚେଷ୍ଟା କରୁଛି, ତାହା ଅବଲୋକନ କରିବାକୁ ଯଦି ଜୀବିତ ଥା’ନ୍ତେ, ଏହି ଟ୍ରାଜେଡି ପାଇଁ ଦାୟୀ ଭିଲେନ୍‌ ଚୀନା କରୋନାକୁ ଦେଖି ଏହା ଏକ ଭିନ୍ନ କିସମର ଟ୍ରାଜେଡି ବୋଲି ବିଚାର କରନ୍ତେ। କିନ୍ତୁ ସେ ଯେତେବେଳେ ୧୯୩୦ ଦଶକର ଯାନ୍ତ୍ରିକ ମହା ଅବପାତ ପାଇଁ ନିଦାନ ଖୋଜି ବାହାର କରିଥିବା ଭଳି ବର୍ତ୍ତମାନର ଭିଲେନ୍‌କୃତ ଅବପାତ ପାଇଁ ନିଦାନ ଖୋଜି ବସନ୍ତେ, ସେତେବେଳେ ସେ ଆବିଷ୍କାର କରନ୍ତେ ଯେ ନିଦାନ ହେଉଛି ସେଇ ଏକ: ଉଭୟ ଚାହିଦା ଓ ନିବେଶରେ ବୃଦ୍ଧି ଘଟାଇବା ପାଇଁ ଉଦ୍ଦିଷ୍ଟ ସରକାରୀ ଖର୍ଚ୍ଚ ବା ‘ଫିସ୍‌କାଲ୍‌ ଷ୍ଟିମୁଲସ୍‌’।

କେନ୍‌ସଙ୍କ ସମୟର ଅବପାତଠାରୁ ବର୍ତ୍ତମାନର ଅବପାତର ଫରକ୍‌ ହେଲା, ସେତେବେଳେ ଲକ୍ଷ ଲକ୍ଷ କୋଟି କୋଟି ସ˚ଖ୍ୟାରେ ବେକାର ନିଯୁକ୍ତି ସନ୍ଧାନରେ ସଡ଼କରେ ବୁଲୁଥିବା ବେଳେ, ବର୍ତ୍ତମାନ ଲକ୍ଷ ଲକ୍ଷ କୋଟି କୋଟି ଲୋକ କରୋନା ଆତଙ୍କରେ ଘର ଭିତରେ କବାଟ କିଳି ଲୁଚିବାରୁ ବେକାର ହୋଇ ପଡ଼ିଛନ୍ତି। ଏବେ ସେମାନେ ପଦାକୁ ବାହାରିବା ଆରମ୍ଭ କରିଥିଲେ ହେଁ ସେମାନେ ହରାଇଥିବା ଆୟ ଅର୍ଥନୀତିର ସାମଗ୍ରିକ ଚାହିଦାରେ ଏକ ବିଶାଳ କଣା ସୃଷ୍ଟି କରିଛି, ଯାହାକୁ ଅବିଳମ୍ବେ ଭରଣା କରିବାକୁ ହେଲେ ଏକ ଉପଯୁକ୍ତ ଆକାରର ଫିସ୍‌କାଲ ଷ୍ଟିମୁଲସ୍‌ ଆବଶ୍ୟକ- ଯେଉଁଥି ପ୍ରତି ଭାରତ ସରକାର ଏ ପର୍ଯ୍ୟନ୍ତ ଏକ ବିଶେଷ କୁଣ୍ଠା ପ୍ରଦର୍ଶନ କରି ଆସିଛନ୍ତି।

‘ଆନ୍ତର୍ଜାତିକ ଶ୍ରମ ସ˚ଗଠନ’ (‘ଆଇଏଲ୍‌ଓ’)ର ଏକ ଆକଳନ ଏହି ପରିସ୍ଥିତି ସମ୍ବନ୍ଧରେ ଏକ ସମ୍ୟକ୍‌ ଧାରଣା ପ୍ରଦାନ କରିଥାଏ। ଏହା ଅନୁସାରେ ‘ଲକ୍‌ଡାଉନ୍‌’ ଯୋଗୁଁ ଯେତିକି କାର୍ଯ୍ୟ-ସମୟ ନଷ୍ଟ ହୋଇଛି ତାହାର ଭରଣା କରିବାକୁ ହେଲେ ଭାରତକୁ ‘ଫିସ୍‌କାଲ୍‌ ଷ୍ଟିମୁଲସ୍‌’ ଆକାରରେ ଯେତିକି ଖର୍ଚ୍ଚ କରିବାକୁ ହେବ, ତାହା ହେଉଛି ଦେଶର ‘ମୋଟ ଜାତୀୟ ଉତ୍ପାଦ’ (ଜିଡିପି)ର ପ୍ରାୟ ୧୦ ଶତା˚ଶ। ସରକାର ଏ ପର୍ଯ୍ୟନ୍ତ ଯାହା ବି ଋଣଭିତ୍ତିକ ତଥାକଥିତ ଷ୍ଟିମୁଲସ୍‌ ସହାୟତା ପ୍ରଦାନ କରିଛନ୍ତି ତାହା ମୁଖ୍ୟତଃ ଅର୍ଥନୀତିର ଯୋଗାଣ ପାର୍ଶ୍ବ ପ୍ରତି ଉଦ୍ଦିଷ୍ଟ। କିନ୍ତୁ ଅର୍ଥନୀତି ଶେଷରେ ନିଜ ଗୋଡ଼ରେ ଛିଡ଼ା ହେବାକୁ ହେଲେ ଚାହିଦା ଦୃଢ଼ ହେବା ହେଉଛି ଅନିବାର୍ଯ୍ୟ। ନଚେତ୍‌ ଉତ୍ପାଦିତ ଦ୍ରବ୍ୟ, ସେବା ଆଦି ବିକ୍ରି ନହୋଇ ପଡ଼ିରହି ମାନ୍ଦା ଅବସ୍ଥାକୁ ସ୍ଥାୟିତ୍ବ ପ୍ରଦାନ କରିବ।

ଚଳିତ ବିତ୍ତ ବର୍ଷର ତୃତୀୟ ଚଉଠରେ ଭାରତୀୟ ଅର୍ଥନୀତିର ଅପେକ୍ଷାକୃତ ଉତ୍ତମ ପ୍ରଦର୍ଶନ କେତେକଙ୍କ ମଧୢରେ ଏକ ଧାରଣା ସୃଷ୍ଟି କରିପାରିଥାଏ ଯେ ଏଥର ପରିସ୍ଥିତି ସୁଧୁରି ଯିବ ଏବ˚ ଅଧିକ ସରକାରୀ ସହାୟତାର ଆବଶ୍ୟକତା ନାହିଁ। ଏହି ପ୍ରଦର୍ଶନ ପଛରେ ଲୁଚିଥିବା କେତେକ ଗୁରୁତର ଦୁର୍ବଳତା କିନ୍ତୁ ସତର୍କ ଅନୁଶୀଳନକାରୀଙ୍କର ଦୃଷ୍ଟିକୁ ଏଡ଼ାଇ ପାରି ନାହିଁ। ସେମାନେ କହନ୍ତି ଯେ ଉତ୍ତମ ପ୍ରଦର୍ଶନର ମୁଖ୍ୟ କାରଣ ହେଉଛି କମ୍ପାନି ଓ ବ୍ୟବସାୟମାନଙ୍କ ଦ୍ବାରା ଖର୍ଚ୍ଚ କାଟ। ନିଯୁକ୍ତିରେ ସ˚କୋଚନ ଘଟାଇ ସେମାନେ ଦରମା ଓ ଭତ୍ତା ଇତ୍ୟାଦି ବାବଦ ଖର୍ଚ୍ଚରେ ବିଶେଷ ହ୍ରାସ ଘଟାଇ ପାରିଛନ୍ତି। ଏଥିଯୋଗୁଁ ବିକ୍ରିଲବ୍‌ଧ ଆୟରେ ବୃଦ୍ଧି ନଘଟିଲେ ମଧୢ ଲାଭରେ ବୃଦ୍ଧି ଦେଖାଯାଉଛି। ଏହା କିନ୍ତୁ ସାଧାରଣ ଜ୍ଞାନ ଯେ ଯଦି ନିଯୁକ୍ତି ଓ ମଜୁରିରେ ସ˚କୋଚନ ଘଟି ଚାଲେ, ଆଗାମୀ ଦିନମାନଙ୍କରେ ବଜାରରେ ଚାହିଦାରେ ଶିଥିଳତା ଦେଖା ଦେବ। ଭାରତର ‘ଜିଡିପି’ର ପ୍ରାୟ ୬୦ ଶତା˚ଶ ଘରୋଇ ଖାଉଟି ଚାହିଦାର ଅବଦାନ ହୋଇଥାଏ। ତେଣୁ ଲାଭ ବୃଦ୍ଧି ପଛରେ ଥିବା ନିଯୁକ୍ତି ସ˚କୋଚନ ‘ଜିଡିପି’କୁ କିଭଳି ଆଘାତ ଦେବ, ତାହା ଅନୁମାନ କରିବା କଷ୍ଟ ନୁହେଁ।

ଅର୍ଥନୀତିର ଯେଉଁ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଚାହିଦାରେ ଉନ୍ନତି ଦେଖାଯାଇଛି, ତାହା କେତେକ ବିଶେଷ କାରଣମାନ ଯୋଗୁଁ ଘଟିଛି। ମଟରଗାଡ଼ି, ସିମେଣ୍ଟ୍‌ ଆଦି ପାଇଁ ଲକ୍‌ଡାଉନ୍‌ ସମୟରେ ଚାପି ହୋଇ ରହିଥିବା ଚାହିଦା ଏବେ ହଠାତ୍‌ ପ୍ରସ୍ଫୁଟିତ ହୋଇଚି କହିଲେ ଅତ୍ୟୁକ୍ତି ହେବ ନାହିଁ। ଇସ୍ପାତ୍‌, ଟାୟାର, ରାସାୟନିକ ଦ୍ରବ୍ୟ ଆଦି ଆମଦାନି ନିୟନ୍ତ୍ରଣର ସମ୍ମୁଖୀନ ହୋଇଥିବାରୁ ଘରୋଇ ଉତ୍ପାଦନ ପ୍ରତି ଚାହିଦାରେ ହଠାତ୍‌ ବୃଦ୍ଧି ଘଟିଛି। ଉତ୍ସବ ଋତୁରେ ସ୍ବାଭାବିକ ଭାବରେ ଯେଉଁ ସବୁ ଦ୍ରବ୍ୟର ଚାହିଦାରେ ହଠାତ୍‌ ବୃଦ୍ଧି ଦେଖା ଦେଇଥିଲା, ତାହା ପୁଣି ପୂର୍ବ ଅବସ୍ଥାକୁ ଫେରିଯିବା ପ୍ରାୟ ନିଶ୍ଚିତ। ଆୟହୀନ ଖାଉଟିମାନେ ଏ ସମସ୍ତ ଦ୍ରବ୍ୟ କ୍ରୟରେ ନିଜର ସଞ୍ଚିତ ସମ୍ବଳ ସାରି ଦେବା ପରେ ଆଉ ବଜାରକୁ ଫେରିବେ ନାହିଁ, କାରଣ ନିଯୁକ୍ତି ଅଭାବରେ ସେମାନଙ୍କର ଆୟର ସ୍ରୋତ ଶୁଷ୍କ। ଉତ୍ପାଦନକାରୀମାନେ ଉତ୍ପାଦନରେ ବୃଦ୍ଧି ଘଟାଇ ଖୁଚୁରା ବେପାରୀଙ୍କ ପାଖକୁ ପଠାଇ ଦେଉଥିବା ମାଲ ବିକ୍ରି ନ ହୋଇ ପଡ଼ିରହୁଥିବା ସୂଚନା ମିଳିବାରେ ଲାଗିଛି।

ଯାହା ଏକ ବିଡ଼ମ୍ବନା ପରି ମନେ ହୋଇପାରେ, ତାହା ହେଲା ପାରିବାରିକ ଆର୍ଥିକ ସଞ୍ଚୟରେ ଦେଖା ଯାଇଥିବା ବୃଦ୍ଧି। ସେମାନେ କରୋନାଜନିତ ଅନିଶ୍ଚିତ ପରିସ୍ଥିତିର ମୁକାବିଲା କରିବା ପାଇଁ ଯାହା ବି ଉପଲବ୍‌ଧ ଅର୍ଥ ଖର୍ଚ୍ଚ କରିବା ପରିବର୍ତ୍ତେ ସଞ୍ଚୟ କରି ରଖିବାକୁ ଉଚିତ ମନେ କରୁଛନ୍ତି। ଏହି କାରଣରୁ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ବିଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ୭.୯ ଶତା˚ଶ ବୃଦ୍ଧି ଘଟି ଦେଶର ମୋଟ ଏହି କିସମର ସଞ୍ଚୟ ଜିଡିପିର ୨୧.୪ ଶତା˚ଶ ଛୁଇଁବା ଦେଖା ଯାଇଥିଲା। ଗତ ଚଉଠରେ ଖାଉଟି ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟି ପ୍ରାୟ ୭ ଶତା˚ଶ ଛୁଇଁ ଖାଉଟିମାନଙ୍କର ଖର୍ଚ୍ଚ କରିବାର ବାସ୍ତବ କ୍ଷମତା ମଧୢ ହ୍ରାସ କରିଛି।

ଅର୍ଥନୀତିର ଦ୍ରୁତ ଆରୋଗ୍ୟ ପାଇଁ ସରକାର କେଉଁ ବାଟରେ ଯିବା ଉଚିତ, ତାହା କେନ୍‌ସ ୧୯୩୦ ଦଶକରୁ ଦେଖାଇଛନ୍ତି, ଯଦିବା ସେ ସମୟର ଅର୍ଥନୈତିକ ମହା ଅବପାତ ପୂର୍ବରୁ କୁହାଯାଇଥିବା ଭଳି ଥିଲା ଖଳନାୟକ ବିହୀନ। ସେ ବାଟ ହେଲା ଖାଉଟିଙ୍କ ହାତରେ ସିଧାସଳଖ ଅଧିକ କ୍ରୟଶକ୍ତି ଦେବାକୁ ହେବ। ତୁରନ୍ତ ନିଯୁକ୍ତି ସୃଷ୍ଟିକାରୀ ପ୍ରକଳ୍ପ ଓ ଭିତ୍ତିଭୂମିରେ ନିବେଶ ମାଧୢମରେ ସରକାର ଏହି ଲକ୍ଷ୍ୟ ହାସଲ ସହିତ ଅର୍ଥନୀତିର ଉତ୍ପାଦନ କ୍ଷମତାରେ ମଧୢ ବୃଦ୍ଧି ହାସଲ କରିପାରିବେ। ବର୍ତ୍ତମାନର ଅତିରିକ୍ତ ଖର୍ଚ୍ଚ ଭବିଷ୍ୟତରେ ବର୍ଦ୍ଧିତ ଟିକସ ରାଜସ୍ବ ଦ୍ବାରା ଭରଣା ହୋଇ ପାରିବ। ତା’ ପରିବର୍ତ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିବାକୁ ମିଳୁଥିବା ସରକାରଙ୍କର ଖର୍ଚ୍ଚ-ଭୀରୁତା ଅର୍ଥନୀତିର ପୁନରୁଦ୍ଧାରକୁ ବିଳମ୍ବିତ କରିବ।

ସମ୍ବନ୍ଧିତ ଖବର