ନୋବେଲ୍ ପୁରସ୍କାରପ୍ରାପ୍ତ ଫରାସୀ ଜୈବ ରସାୟନବିତ୍ ଓ ଦାର୍ଶନିକ ସ୍ବର୍ଗତ ଜ୍ୟାକ୍ ମୋନୋଡ୍ ବିଜ୍ଞାନର ନୈତିକତା ସମ୍ବନ୍ଧରେ ମନ୍ତବ୍ୟ ଦେବାକୁ ଯାଇ କହିଥିଲେ: ‘‘ଜ୍ଞାନର ବିଜ୍ଞାନସମ୍ମତ ନୈତିକତା ଆପେ ଆପେ ମନୁଷ୍ୟ ପାଖରେ ଧସେଇ ପଶେ ନାହିଁ; ଅପରପକ୍ଷେ ମନୁଷ୍ୟ ନିଜେ ହିଁ ନିଜ ପାଇଁ ଏହାକୁ ବିଧାନ କରିଥାଏ।’’ ‘କ୍ୟୋଟୋ ପ୍ରୋଟୋକଲ୍’ରୁ ‘ପ୍ୟାରିସ୍ ଜଳବାୟୁ ଚୁକ୍ତି’ ପର୍ଯ୍ୟନ୍ତ ପୃଥିବୀର ଜଳବାୟୁକୁ ଉତ୍ତପ୍ତୀକରଣରୁ ସୁରକ୍ଷିତ ରଖିବା ପାଇଁ ପ୍ରଣୟନ କରାଯାଇଥିବା ଆଚରଣ ସ˚ହିତାମାନ ଏହି ମୋନୋଡୀୟ ଉକ୍ତିର ସର୍ବଶ୍ରେଷ୍ଠ ପ୍ରମାଣମାନଙ୍କ ମଧୢରୁ ଅନ୍ୟତମ। ଏଠାରେ ବିମାନରୁ ମିଳିଥିବା ଜ୍ଞାନ ହେଲା- ଅଙ୍ଗାର ନିର୍ଗମନ ଯୋଗୁଁ ବାୟୁମଣ୍ତଳର ଉତ୍ତାପ ବୃଦ୍ଧି ପାଇ ଚାଲିଛି। ଏଠାରେ ମନୁଷ୍ୟ ପାଇଁ ଯାହା ନୈତିକ ଆଚରଣ ରୂପେ ବିବେଚିତ ହେବା ଉଚିତ, ତାହା ହେଲା ସେମାନଙ୍କର ବିଭିନ୍ନ ଅଙ୍ଗାର ନିର୍ଗମନକାରୀ କାର୍ଯ୍ୟକଳାପରେ ଲଗାମ ଦେବା। ଏହି ନୈତିକ ଆଚରଣ କିନ୍ତୁ ମନୁଷ୍ୟଠାରେ ଆପେ ଆପେ ସକ୍ରିୟ ହୋଇଯାଏ ନାହିଁ; ମନୁଷ୍ୟ ନିଜ ଉଦ୍ୟମରେ ଏଭଳି ଆଚରଣ ନିଶ୍ଚିତ କରିବା ପାଇଁ ପରସ୍ପର ମଧୢରେ ଆଲୋଚନା କରି ରାଜିନାମାମାନ ପ୍ରସ୍ତୁତ କରିଥାଏ।
୨୦୧୫ର ପ୍ୟାରିସ୍ ଚୁକ୍ତି ଥିଲା ଏ କ୍ଷେତ୍ରରେ ସବୁଠାରୁ ବ୍ୟାପକ ଓ ମହତାକାଂକ୍ଷୀ ଚୁକ୍ତି। ଚଳିତ ଶତାବ୍ଦୀ ଶେଷ ମଧୢରେ ବାୟୁମଣ୍ତଳର ତାପମାନ ବୃଦ୍ଧିକୁ ପ୍ରାକ୍-ଶିଳ୍ପାୟନ ସ୍ତର ଠାରୁ ୨ ଡିଗ୍ରୀ ସେଲ୍ସିଅସ୍ ମଧୢରେ ସୀମିତ ରଖିବା ଓ କ୍ରମେ ଏହି ସର୍ବୋଚ୍ଚ ସୀମାକୁ ୧.୫ ଡିଗ୍ରୀ ସେଲ୍ସିଅସ୍କୁ ଖସାଇ ଆଣିବା ପାଇଁ ପୃଥିବୀର ୧୯୬ଟି ରାଷ୍ଟ୍ର ୨୦୧୫ ଡିସେମ୍ବରରେ ପ୍ୟାରିସ୍ଠାରେ ଏକ ରାଜିନାମା ସ୍ବାକ୍ଷର କରିଥିଲେ। ଏହି ପ୍ୟାରିସ୍ ସମ୍ମିଳନୀର ଅନ୍ୟ ନାମ ହେଉଛି- ‘କପ୍-୨୧’। ସ୍ବାକ୍ଷରକାରୀ ଦେଶମାନେ ଏଠାରେ ନିଜ ନିଜ ପାଇଁ ବାସ୍ତବଧର୍ମୀ ଲକ୍ଷ୍ୟମାନ ନିର୍ଦ୍ଧାରଣ କରିଥିଲେ- ଯେମିତି ପେଟ୍ରୋଲିଅମ୍, କୋଇଲା ଆଦି ଅଙ୍ଗାର ନିର୍ଗମନକାରୀ ଇନ୍ଧନ ବ୍ୟବହାରରେ ହ୍ରାସ।
ଚୁକ୍ତି ସ୍ବାକ୍ଷରିତ ହେବାର ପାଞ୍ଚବର୍ଷ ପୂରଣ ଚିହ୍ନଟ କରୁଥିବାରୁ ଏହାର ଏକ ସାମୟିକ ଆକଳନ ପାଇଁ ୨୦୨୦ ମସିହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। କିନ୍ତୁ ଏହି ସମୟରେ ଚୀନା କରୋନା ଜନିତ ଏକ ବିଶ୍ବବ୍ୟାପୀ ପାଣ୍ତେମିକ୍ର ଆବିର୍ଭାବ ଘଟି ସାରା ପୃଥିବୀର ଧୢାନକୁ ଏହି ପ୍ରଳୟ ଉପରେ କେନ୍ଦ୍ରୀଭୂତ କରିଦେଲା। ଅନ୍ୟ ସମସ୍ତ ପ୍ରସଙ୍ଗ ସାମୟିକ ବିସ୍ମୃତି ଗର୍ଭକୁ ଚାଲିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏହା ସତ୍ତ୍ବେ ପରିବେଶପ୍ରେମୀମାନେ ଏକ ଗୋପନ ସନ୍ତୋଷ ଲାଭ କରୁଥିଲେ ଯେ କୋଭିଡ୍-୧୯ ଯୋଗୁଁ କଳକାରଖାନା, ଯାନବାହନ ଆଦି କିଛିକାଳ ପାଇଁ ବସ୍ତୁତଃ ବନ୍ଦ ହୋଇଯିବାରୁ ଅଙ୍ଗାର ନିର୍ଗମନରେ ହ୍ରାସ ଘଟି ବାୟୁମଣ୍ତଳର ତାପମାନ ବୃଦ୍ଧିରେ ଏକ ସାମୟିକ ବିରତି ଘଟିଥିବ।
ଗତ ମାସରେ ପ୍ରକାଶିତ ଜାତିସ˚ଘର ପରିବେଶ କାର୍ଯ୍ୟକ୍ରମ ‘ୟୁଏନଇପି’ ଦ୍ବାରା ପ୍ରସ୍ତୁତ ‘ନିର୍ଗମନ ତଫାତ୍’ ରିପୋର୍ଟ-୨୦୨୦ (‘ଏମିସନ୍ସ ଗ୍ୟାପ୍ ରିପୋର୍ଟ-୨୦୨୦’) ସେମାନଙ୍କ ପାଇଁ ଯେତିକି ଆଶ୍ବସ୍ତି ଆଣିଥାଏ, ସେତିକି ହତାଶା ମଧୢ ଆଣିଥାଏ। ସେଥିରେ କୁହାଯାଇଛି ଯେ ପାଣ୍ତେମିକ୍ ଯୋଗୁଁ ସ୍ବଳ୍ପ ସମୟ ପାଇଁ ଅଙ୍ଗାରକାମ୍ଳ ନିର୍ଗମନରେ ଏକ ସ୍ଖଳନ ଘଟିଥିଲେ ହେଁ ଶତାବ୍ଦୀର ଶେଷ ବେଳକୁ ତାପମାତ୍ରାରେ ବୃଦ୍ଧି ୩ ଡିଗ୍ରୀ ସେଲ୍ସିଅସ୍ରୁ ଅଧିକ ହେବାର ସମସ୍ତ ସମ୍ଭାବନା ରହିଛି, ଯାହା ପ୍ୟାରିସ୍ ଚୁକ୍ତିରେ ନିର୍ଦ୍ଧାରିତ ସୀମାର ଗୁରୁତର ଉଲ୍ଲ˚ଘନ। ୨୦୧୯ରେ ମୋଟ ଉତ୍ତାପ ବୃଦ୍ଧିକାରୀ ‘ଗ୍ରିନ୍ହାଉସ୍ ଗ୍ୟାସ୍’ ନିର୍ଗମନ ସର୍ବକାଳୀନ ସର୍ବୋଚ୍ଚ ସୀମା ଛୁଇଁ ଥିଲା। ଜଙ୍ଗଲ ନିଆଁ, ବାତ୍ୟା, ବରଫ ଚଟାଣ ତରଳିବା ଆଦି ଅଧିକ ପରିଦୃଷ୍ଟ ହୋଇ ୨୦୨୦କୁ ଇତିହାସରେ ଉତ୍ତପ୍ତତମ ବର୍ଷମାନଙ୍କ ମଧୢରୁ ଅନ୍ୟତମରେ ପରିଣତ କରିଛି।
ତେବେ ପରିବେଶପ୍ରେମୀମାନଙ୍କର ଯାହା ସାମାନ୍ୟ ସନ୍ତୋଷ ବିଧାନ କରିବ, ତାହା ହେଲା କରୋନା କୃପାରୁ ୨୦୨୦ରେ ଅଙ୍ଗାରକାମ୍ଳ ନିର୍ଗମନରେ ପ୍ରାୟ ସାତ ଶତା˚ଶ ହ୍ରାସ ଘଟିଥିବା ଅନୁମାନ କରାଯାଉଛି। ଏହା କିନ୍ତୁ ଏକ କ୍ଷଣିକ ତୃପ୍ତି ମାତ୍ର, କାରଣ ଦୀର୍ଘକାଳୀନ ଦୃଷ୍ଟିରୁ ବିଚାର କଲେ ଏହାର ପ୍ରଭାବରେ ୨୦୫୦ ସୁଦ୍ଧା ବିଶ୍ବ ଉତ୍ତପ୍ତୀକରଣରେ ହ୍ରାସ ଘଟିବ ମାତ୍ର ୦.୦୧ ଡିଗ୍ରୀ ସେଲ୍ସିଅସ୍ ବୋଲି ଉପରୋକ୍ତ ରିପୋର୍ଟରେ କୁହାଯାଇଛି। ସେଥିରେ ଦର୍ଶାଯାଇଛି ଯେ ପ୍ୟାରିସ୍ ରାଜିନାମାରେ ଦେଶମାନେ ନିର୍ଗମନ ହ୍ରାସ କରିବା ପାଇଁ ଆପଣା ଛାଏଁ ଯେଉଁସବୁ ପଦକ୍ଷେପମାନ (ଏନ୍ଡିସି) ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ତାହା ଲକ୍ଷ୍ୟପୂରଣ ପାଇଁ ଆଦୌ ଯଥେଷ୍ଟ ନୁହେଁ। ସେ ସମସ୍ତ ‘ଏନ୍ଡିସି’ ପୂରଣ ହେଲେ ମଧୢ ଶତାବ୍ଦୀ ଶେଷ ବେଳକୁ ତାପମାତ୍ରାରେ ବୃଦ୍ଧି ୩.୨ ଡିଗ୍ରୀ ସେଲ୍ସିଅସ୍ରେ ପହଞ୍ଚିଯିବ। ଯଦି ୨ ଡିଗ୍ରୀ ସେଲ୍ସିଅସ୍ ଲକ୍ଷ୍ୟ ପୂରଣ କରିବାକୁ ହୁଏ, ତେବେ ଏହି ପଦକ୍ଷେପମାନ ତ୍ରିଗୁଣିତ ହେବା ଆବଶ୍ୟକ।
ଯେଉଁ ସବୁ ପଦକ୍ଷେପ ଏ ଦିଗରେ ସହାୟକ ହେବେ, ସେଥିରୁ କେତେକ ହେଲେ: ଶୂନ୍ୟ-ନିର୍ଗମନ ପ୍ରବିଧି ଓ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ; ପେଟ୍ରୋଲିଅମ୍ ଆଦି ଜୀବାଶ୍ମ ଇନ୍ଧନ ଉପରେ ପ୍ରଦାନ କରାଯାଉଥିବା ସବ୍ସିଡିରେ ହ୍ରାସ ବା ଉଚ୍ଛେଦ; ନୂତନ କୋଇଲା ଖଣି ଖନନ ନିଷେଧ; ବନୀକରଣ ଇତ୍ୟାଦି। କୋଭିଡ୍ର କବଳରୁ ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ସରକାରମାନେ ଯେଉଁ ‘ରାଜକୋଷୀୟ ପ୍ରୋତ୍ସାହନ’ ବା ‘ଫିସ୍କାଲ୍ ଷ୍ଟିମୁଲସ୍’ ପ୍ରଦାନ କରୁଛନ୍ତି, ତାହାକୁ ‘ସବୁଜ ଷ୍ଟିମୁଲସ୍’ରେ ପରିଣତ କରିବାକୁ ଏଥିରେ ଆହ୍ବାନ ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ‘ଜି-୨୦’ ଗୋଷ୍ଠୀର ପ୍ରାୟ ଏକ ଚତୁର୍ଥାଂଶ ସଦସ୍ୟ ରାଷ୍ଟ୍ର ସେମାନଙ୍କର ‘ଜିଡିପି’ର ପ୍ରାୟ ୩ ଶତା˚ଶ ଅଙ୍ଗାର-ନୀଚା ପଦକ୍ଷେପମାନ ନେବାରେ ବ୍ୟୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେମାନେ ଯେଉଁ ଶୈଳୀରେ ଏହି ପଦକ୍ଷେପମାନ କାର୍ଯ୍ୟକାରୀ କରିଛନ୍ତି (ଯେମିତି, ଡିଜେଲ୍ ଚାଳିତ ଟ୍ରକ୍ରେ ଗନ୍ତବ୍ୟସ୍ଥଳକୁ ମାଲ୍ ପରିବହନ କରିବା), ତାହା ଏପରି ଅଙ୍ଗାର-ଉଚ୍ଚା ହୋଇଛି ଯେ ଈପ୍ସିତ ଫଳ ଶୂନ୍ୟ ହୋଇଛି।
ରିପୋର୍ଟରେ ୨୦୨୦ରେ ଦେଖାଯାଇଥିବା ଯେଉଁ ଆଶାବାଦୀ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି, ତାହା ହେଲା ୨୦୫୦ ସୁଦ୍ଧା ‘ନିଟ୍-ଜିରୋ’ (ଅନ୍ତିମ-ଶୂନ୍ୟ) ନିର୍ଗମନ ଲକ୍ଷ୍ୟ ହାସଲ କରିବା ପାଇଁ ୧୨୭ଟି ଦେଶ ବଚନବଦ୍ଧ ହୋଇଛନ୍ତି। ଏହା ହେଉଛି ମୋଟ ‘ଗ୍ରିନ୍ ହାଉସ୍ ଗ୍ୟାସ୍’ (‘ଜିଏଚ୍ଜି’) ନିର୍ଗମନର ୫୦ ଶତା˚ଶରୁ ସାମାନ୍ୟ ଅଧିକକୁ ନିଷ୍କ୍ରିୟ କରିବାକୁ ଯଥେଷ୍ଟ। ଜୋ ବାଇଡେନ୍ ଆମେରିକାରେ କ୍ଷମତା ଗ୍ରହଣ କରିବା ପରେ ସେ ଦେଶ ପୁଣି ପ୍ୟାରିସ୍ ରାଜିନାମାକୁ ପ୍ରତ୍ୟାବର୍ତ୍ତନ କଲା ପରେ ଏହି ଅନୁପାତ ୬୩ ଶତା˚ଶକୁ ବୃଦ୍ଧି ପାରିବ।
ରିପୋର୍ଟରେ କୁହାଯାଇଥିବା ଏକ ଅସ୍ବସ୍ତିକର ସତ୍ୟ ହେଉଛି ଯେ ପୃଥିବୀର ସର୍ବାଧିକ ଧନୀ ଏକ ଶତା˚ଶ ଲୋକ ଯେତିକି ଅଙ୍ଗାର ନିର୍ଗମନ କରିଥାନ୍ତି, ତାହା ହେଉଛି ସର୍ବାଧିକ ଦରିଦ୍ର ୫୦ ଶତା˚ଶ ଲୋକମାନେ କରୁଥିବା ଅଙ୍ଗାର ନିର୍ଗମନର ଦୁଇ ଗୁଣରୁ ଅଧିକ। ଏହା ହେଉଛି ସେହିପରି ଏକ ନୈତିକ ସମସ୍ୟା ଯାହା ପ୍ରତି ଜ୍ୟାକ୍ ମୋନୋଡ୍ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏହାର ସମାଧାନ ପାଇଁ ମାନବ ସମାଜକୁ ହିଁ ନିଷ୍ପତ୍ତି ନେଇ ନିର୍ଗମନକାରୀ ଧନିକମାନଙ୍କୁ ନିୟନ୍ତ୍ରଣ କରିବାକୁ ହେବ। ନଚେତ୍ ସେମାନଙ୍କର ଅନୀତିର ତାତି ସମସ୍ତଙ୍କୁ ଜାଳିପୋଡ଼ି ଦେବ।