ଆଜିକୁ ପ୍ରାୟ ବାଉନ ବର୍ଷ ତଳେ ଯେତେବେଳେ ଚନ୍ଦ୍ରପୃଷ୍ଠରେ ମନୁଷ୍ୟ ପ୍ରଥମେ ପାଦ ପକାଇଲା, ସେତିକିବେଳେ ସେହି ପାଦର ଅଧିକାରୀ ନିଲ ଆର୍ମଷ୍ଟ୍ରଙ୍ଗଙ୍କ ମୁଖ ନିଃସୃତ ବାଣୀ, ଯାହା ଏକ ଅମର ଉଦ୍ଧୃତିରେ ପରିଣତ ହୋଇଛି, କହିଥିଲା ‘ଏହା ଜଣେ ମନୁଷ୍ୟର ଏକ କ୍ଷୁଦ୍ର ପଦକ୍ଷେପ; ମାନବ ଜାତି ଲାଗି ଏକ ବିରାଟ ଲ˚ଫ।’ ଆମ ସୌରଜଗତ୍‌ର ଏକମାତ୍ର ପ୍ରାଣ-ସତ୍ତାଧାରୀ ଗ୍ରହଟିରେ ବସବାସ କରୁଥିବା ସର୍ବାଧିକ ବୁଦ୍ଧିମାନ ପ୍ରାଣୀ ମାନବ (ଜାତି)ର ଏକ ଚମତ୍କାର ବିଜୟର ଗାଥା ଯଦିଓ ଏହି ବକ୍ତବ୍ୟରେ ଅତ୍ୟନ୍ତ ସ˚କ୍ଷେପରେ ରହିଥିଲା, କିନ୍ତୁ ତାହାକୁ କେହି କେହି ଶୀତଳ ଯୁଦ୍ଧ କାଳୀନ ଦ୍ବିଧା ବିଭକ୍ତ ପୃଥିବୀରେ ସୋଭିଏତ୍‌ ରୁଷ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଅତର୍କିତ ବିଜୟ ରୂପେ ଦେଖିଥିଲେ। କାରଣ ସେହି ସମୟରେ ମହାକାଶ ସାମର୍ଥ୍ୟ ପ୍ରତିପାଦନ କରିବା ଲାଗି ଆମେରିକା ଓ ରୁଷିଆ ମଧୢରେ ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ସୋଭିଏତ୍‌ ରୁଷିଆ ଆମେରିକା ଠାରୁ ଅଗ୍ରଣୀ ଥିବା ବେଳେ ହଠାତ୍‌ ଚନ୍ଦ୍ରପୃଷ୍ଠରେ ମାନବ ଅବତରଣ କରାଇ ଆମେରିକା ସତେ ଯେମିତି ଅନ୍ତିମ ଚରଣରେ ଏକ ମାରାଥନ ଦୌଡ଼ ଜିଣି ଯାଇଥିଲା! ସୁତରାଂ, ସେଭଳି ଏକ ସ୍ଥିତିରେ ସୋଭିଏତ୍‌ ରୁଷିଆ ଏବ˚ ତା’ ସହିତ ତାଳ ଦେଇ ପୃଥିବୀର ଅନ୍ୟାନ୍ୟ କେତେକ ପ୍ରାନ୍ତ‌େର(ଆମେରିକା ସମେତ) ଅନେକ ଲୋକ ଏହି ଅନନ୍ୟ ସଫଳତାକୁ ସନ୍ଦେହଭରା ଦୃଷ୍ଟିରେ ଦେଖି ଏହାକୁ ଏକ ଆମେରିକୀୟ ଚଞ୍ଚକତା ବୋଲି ଆକ୍ଷେପ କରିଥିଲେ; ଯେଉଁ ଧାରଣା ଏବେ ସୁଦ୍ଧା ଅନେକତ୍ର ବଳବତ୍ତର ରହିଛି। ତେଣୁ ଯେତେବେଳେ ଗଲା ଡିସେମ୍ବର ୩୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ‘ଏ ସ୍ମଲ୍‌ ଷ୍ଟେପ୍‌ ଆକ୍‌ଟ’ ବା ‘ଏକ କ୍ଷୁଦ୍ର ପଦକ୍ଷେପ ଆଇନ’ ପ୍ରଣୟନ କରାଯାଇ ଚନ୍ଦ୍ରପୃଷ୍ଠ ଉପରେ ନିଲ ଆର୍ମଷ୍ଟ୍ରଙ୍ଗ ଓ ବଜ୍‌ ଅାଲଡ୍ରିନ୍‌ଙ୍କ ଜୋତାର ଚିହ୍ନ ତଥା ସେମାନଙ୍କ ଅବତରଣ ଓ ବିଚରଣ ସ୍ଥଳକୁ ସୁରକ୍ଷିତ ରଖିବା ଲାଗି ଉଦ୍ୟମ ଆରମ୍ଭ କରାଗଲା, ସେତିକି ବେଳେ ଏହି ସଂଶୟବାଦୀମାନେ ଏହାକୁ ଆଉ ଏକ ନାଟକ ବୋଲି ଅଭିହିତ କରି ପ୍ରଶ୍ନ ଉଠାଇଛନ୍ତି ଯେ ପୃଥିବୀ ଠାରୁ ୨ ଲକ୍ଷ ୮୮ ହଜାର ୯ ଶହ ମାଇଲ୍‌ ଦୂରତାରେ ଅବସ୍ଥିତ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରରେ ଲାଗୁ ହେଲା ଭଳି ଏକ ପାର୍ଥିବ ଆଇନର କ’ଣ ବା ଆବଶ୍ୟକତା ଅଛି?

Advertisment

ତେବେ ଏହି ସ˚ଦର୍ଭରେ ଆଲୋଚନା କଲେ ଏଭଳି ଏକ ଆଇନର ଗୁରୁତ୍ବ ହୃଦୟଙ୍ଗମ କରିହୁଏ। କାରଣ, ଆଗାମୀ କେଇ ଦଶକ ମଧୢରେ ଚନ୍ଦ୍ର, ହୁଏ’ତ ୧୯୬୯ ମସିହାରେ ପ୍ରଥମ ଚନ୍ଦ୍ରପୃଷ୍ଠ ଦର୍ଶନରେ ବିମୋହିତ ବଜ୍‌ ଆଲଡ୍ରିନ୍‌ କହି ପକାଇଥିବା ଭଳି ‘ମ୍ୟାଗ୍‌ନିଫିସେଣ୍ଟ ଡେସୋଲେସନ୍‌’ ବା ‘ଚମକପ୍ରଦ ବିଜନତା’ର ଅଞ୍ଚଳ ହୋଇ ରହି ନ ପାରେ! କାରଣ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିବା ଲାଗି ଗବେଷଣା ଓ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଆଗ୍ରହ ଓ ପ୍ରତିଯୋଗିତା ଏବେ ଶିଖରରେ। ସ˚ପ୍ରତି ‘ନାସା’ ତାର ‘ଆର୍ଟେମିସ୍‌’ ପ୍ରକଳ୍ପ ମାଧୢମରେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ମହିଳାଙ୍କୁ ଅବତରଣ କରାଇବାର ଲକ୍ଷ୍ୟରେ ମଗ୍ନ। ସେହିଭଳି ରୁଷିଆ ୨୦୩୦ ସୁଦ୍ଧା ଏକାଧିକ ଚନ୍ଦ୍ର ପ୍ରକଳ୍ପ ବା ‘ଲୁନା ମିସନ୍‌’ରେ ବ୍ୟସ୍ତ, ଯହିଁରେ ପ୍ରଥମ ରୁଷୀୟକୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇବାର ଉଦ୍ୟମ ନିହିତ ଅଛି। ଭାରତ ପକ୍ଷରୁ ଏହି ବର୍ଷ ଚନ୍ଦ୍ରପୃଷ୍ଠକୁ ଏକ ‘ରୋଭର’ ପ୍ରେରଣ କରାଯିବ। ସେହିଭଳି ଗଲା ଡିସେମ୍ବର ମାସରେ ଚୀନ୍‌ର ମାବନ ବିହୀନ ମହାକାଶ ଯାନ ପ୍ରଥମ ଥର ଲାଗି ଚନ୍ଦ୍ରପୃଷ୍ଠ ସ୍ପର୍ଶ କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଚୀନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ଯେ ଆଗାମୀ ଦଶ ବର୍ଷ ମଧୢରେ ଚୀନ କିଛି ମହାକାଶଚାରୀଙ୍କୁ ଚନ୍ଦ୍ରରେ ଓହ୍ଲାଇବ। ଏହା ସହିତ ଦକ୍ଷିଣ କୋରିଆ ଏବ˚ ଜାପାନ ମଧୢ ଅତ୍ୟନ୍ତ ମହତ୍ତ୍ବାକା˚କ୍ଷୀ ‘ଚନ୍ଦ୍ର-ମୁଖୀ’ ପ୍ରକଳ୍ପରେ ନିମଜ୍ଜିତ ଅଛନ୍ତି। ତେବେ ଏତିକି ଯେମିତି ଯଥେଷ୍ଟ ନୁହେଁ, ‘ନାସା’ ସହିତ ମିଳିତ ଭାବେ କାର୍ଯ୍ୟ କରୁଥିବା ‘ଆରିଷ୍ଟୋବୋଟିକ୍‌ସ’, ‘ମାଷ୍ଟେନ୍‌ ସ୍ପେସ୍‌ ସିଷ୍ଟମ୍‌ ଓ ‘ଇନିସିଏଟିଭ୍‌ ମେସିନ୍‌ସ’ ଭଳି କେତେକ ଘରୋଇ କ˚ପାନି ମଧୢ ଭବିଷ୍ୟତ୍‌ରେ ଚନ୍ଦ୍ର ପୃଷ୍ଠରେ ମଣିଷଙ୍କ ଭିଡ଼ ବଢ଼ାଇବାରେ ଯୋଗ ଦେଇପାରନ୍ତି। ଏପରିକି ବ୍ୟାବସାୟିକ ଭାବେ ଚନ୍ଦ୍ରକୁ ଏକ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ଲାଗି ‘ଆଇସ୍ପେସ୍‌’, ‘ବ୍ଲୁ ମୁନ୍‌’ ଏବ˚ ‘ସ୍ପେସ୍‌ ଏକ୍‌ସ’ ଭଳି ଘରୋଇ କ˚ପାନି ‘ନାସା’ ସହିତ ଅତ୍ୟନ୍ତ ଘନିଷ୍ଠ ଭାବେ ସ˚ଯୁକ୍ତ ହୋଇ କାର୍ଯ୍ୟରତ ଅଛନ୍ତି। ସୁତରା˚, ଏକ ଆଶଙ୍କା ଜାତ ହେବା ସ୍ବାଭାବିକ ଯେ ଏଭଳି ମାନବ ଓ ମହାକାଶ ଯାନ ଚଳାଚଳ ଦ୍ବାରା ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ପଦପାତର ଐତିହାସିକ ସ୍ମାରକୀ କ୍ଷତିଗ୍ରସ୍ତ ହୋଇପାରେ। ତେଣୁ ଏକ ସୁଦୂରପ୍ରସାରୀ ବିଚାରରେ ଏଭଳି ଏକ ଆଇନର ଆବଶ୍ୟକତା ଅଛି ବୋଲି ହୃଦୟଙ୍ଗମ କରିହୁଏ।

ଏବେ ଚନ୍ଦ୍ର ଉପରୁ ଦୃଷ୍ଟିକୁ ହଟାଇ ପୃଥିବୀ ଉପରେ ନିକ୍ଷେପ କଲେ ଯାହା ଦିଶେ, ତାହା ହେଲା ସ˚ପ୍ରତି ପୃଥିବୀ ଆର୍ଥିକ, ରାଜନୈତିକ ତଥା କୂଟନୈତିକ ଦୃଷ୍ଟିରୁ ଗଭୀର ଭାବେ ବିଭାଜିତ। ଦକ୍ଷିଣ ପନ୍ଥୀ ରାଷ୍ଟ୍ରବାଦର ଅଭ୍ୟୁଦୟ ହେତୁ ବିଭିନ୍ନ ରାଷ୍ଟ୍ର ଏକ ସ˚କୀର୍ଣ୍ଣ ଅନ୍ତର୍ମୁଖୀ ମନୋଭାବ ପ୍ରଦର୍ଶନ କରୁଛନ୍ତି, ଯାହା ଉଦାରବାଦୀ ଚିନ୍ତାଧାରାର ବିସ୍ଥାପନ କରିବାରେ ଲାଗିଛି। ସେହି ଦୃଷ୍ଟିରୁ ବିଚାର କଲେ ୧୯୬୯ ମସିହାରେ ଯେଉଁ ଉପଲବ୍‌ଧିକୁ ‘ମାନବ ଜାତି ଲାଗି ଏକ ଲ˚ଫ’ ବୋଲି ବିବେଚନା କରାଯାଇଥିଲା, ସମ୍ଭବତଃ ଆଗାମୀ କେଇ ଦଶକ ପରେ ତୁଚ୍ଛା ଆମେରିକୀୟ ସ୍ପର୍ଦ୍ଧାର ଚିହ୍ନ ରୂପେ କୌଣସି କୌଣସି ରାଷ୍ଟ୍ର ଲାଗି ଘୃଣା ବା ଈର୍ଷାର ପାତ୍ର ହୋଇଯାଇପାରେ। ସେଭଳି ସ୍ଥଳେ ଏକ ଐତିହ୍ୟ ସ˚ରକ୍ଷଣ ସୁଲଭ ଆଇନର ଯେ ଆବଶ୍ୟକତା ରହିଛି, ତାହା କହିବା ଅନାବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୧୧୦ଟି ରାଷ୍ଟ୍ର ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ମହାକାଶ ବିଷୟ ସମ୍ବନ୍ଧୀୟ ଚୁକ୍ତିିନାମା ୧୯୬୭ ମସିହାରେ ରହି ଆସିଛି; ଯହିଁରେ ମହାକାଶ କ୍ଷେତ୍ରରେ ହେଉଥିବା ସଫଳତାକୁ ସମଗ୍ର ମାନବ ଜାତିର ଉପଲବ୍‌ଧି ରୂପେ ଗ୍ରହଣ କରାଯିବା ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ଯଦି ସଦ୍ୟ ପ୍ରବର୍ତ୍ତିତ ‘ଵାନ୍‌ ସ୍ମଲ୍‌ ଷ୍ଟେପ୍‌’ ଆଇନ ସହିତ ସମ୍ମତି ପ୍ରକାଶ କରି ରାଷ୍ଟ୍ରଗୁଡ଼ିକ ଚୁକ୍ତିବଦ୍ଧ ନ ହୁଅନ୍ତି, ତେବେ ସେ ଆଇନ ନିଷ୍ପ୍ରଭାବୀ ହୋଇଯିବ। କିନ୍ତୁ ଏହା ମଧୢ ସତ୍ୟ ଯେ ଏଭଳି ଆଇନ ସହିତ ସମ୍ମତ ନ ହେବାର କୌଣସି କାରଣ ନାହିଁ। କାରଣ ଏହା ବଳରେ କେବଳ ଆମେରିକୀୟ ସାଫଲ୍ୟ ନୁହେଁ; ଚନ୍ଦ୍ରରେ ପ୍ରଥମ ମହାକାଶ ଯାନ ଲୁନା-୨କୁ ଅବତରଣ କରିବାରେ ରୁଷିଆର ସାଫଲ୍ୟ ବା ପ୍ରଥମ ରୋଭର ଯାନ ‘ଚାଙ୍ଗ-ଇ-୪’କୁ ଚନ୍ଦ୍ରରେ ପହଞ୍ଚାଇବାରେ ଚୀନ୍‌ର ସାଫଲ୍ୟ ମଧୢ ସୁରକ୍ଷିତ ରହିବାର ମାର୍ଗ ଉନ୍ମୋଚିତ ହେବ।

ପୂର୍ବରୁ କୁହାଯାଇଛି ଯେ ଅନେକ ସ˚ଶୟବାଦୀ ଏ ଯାବତ୍‌ ଚନ୍ଦ୍ରପୃଷ୍ଠରେ ମାନବର ଅବତରଣକୁ ବିଶ୍ବାସ କରନ୍ତି ନାହିଁ। ସୁତରାଂ, ସେହି ଐତିହାସିକ କ୍ଷଣରେ ଯେଉଁ ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିଲା ତାର ପୁଙ୍ଖାନୁପୁଙ୍ଖ ତର୍ଜମା କରି ସ˚ଶୟବାଦୀମାନେ ଅନେକ ପ୍ରଶ୍ନ ଉଠାଇଥାଆନ୍ତି ଯହିଁରୁ ଗୋଟାଏ ହେଲା ମହାକାଶଚାରୀ ଦ୍ବୟ ଯାନରୁ ଅବତରଣ କରୁଥିବାର ଚିତ୍ର ଉତ୍ତୋଳନ କରିଥିବା ତୃତୀୟ ବ୍ୟକ୍ତିିଟି କିଏ? ସେମାନେ କହିଥାଆନ୍ତି ଯେ ମହାକାଶଚାରୀ ଦ୍ବୟଙ୍କ ଛାଇ ଯେଉଁଭଳି ପଡ଼ିଛି; ତାହା କେବଳ ଏକ ସୁଟି˚ ସେଟ୍‌ରେ ଏକାଧିକ ଉଜ୍ଜ୍ବଳ ଆଲୋକର ଉପସ୍ଥିତିରେ ସମ୍ଭବ। ଏପରିକି ମହାକାଶଚାରୀ ଦ୍ବୟ ଚନ୍ଦ୍ରପୃଷ୍ଠରେ ପୋତିଥିବା ଆମେରିକାର ଜାତୀୟ ପତାକା ଟିକିଏ ହଲୁଥିବା ବିଷୟ ମଧୢ ସେମାନେ ଉଠାଇ ଥାଆନ୍ତି। ୧୯୬୮ ମସିହାରେ ଅର୍ଥାତ୍‌ ଚନ୍ଦ୍ରରେ ମାନବ ଅବତରଣ କରିବାର ବର୍ଷକ ପୂର୍ବରୁ ମୁକ୍ତି ଲାଭ କରିଥିବା ପ୍ରସିଦ୍ଧ ହଲିଉଡ୍‌ ସିନେମା ‘ଏ ସ୍ପେସ୍‌ ଓଡେଶି-୨୦୦୧’ର ଚମକପ୍ରଦ ମହାକାଶୀୟ ଦୃଶ୍ୟ ଦେଖି ଅନେକ ସନ୍ଦେହ ପ୍ରକଟ କରିଥାଆନ୍ତି ଯେ ସମ୍ଭବତଃ ଏହାର ନିର୍ଦ୍ଦେଶକ ଷ୍ଟାନ୍‌ଲି କ୍ୟୁବ୍ରିକଙ୍କୁ ହିଁ ଏ ସମଗ୍ର ନାଟକର ଭିଡିଓ ରୂପାନ୍ତରଣ ଲାଗି ବ୍ୟବହାର କରାଯାଇଥିଲା। ଯଦିଓ ଏବେ ଅତ୍ୟନ୍ତ ଶକ୍ତିଶାଳୀ କ୍ୟାମେରା ସାହାଯ୍ୟରେ ଫଟୋ ଉଠାଇ ଏହା ଦର୍ଶାଇ ଦିଆଗଲାଣି ଯେ ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ୍‌ ପାଦରେ ଚାଲିଥିବାର ଚିହ୍ନ ଏ ଯାବତ୍‌ ରହିଛି। କିନ୍ତୁ ଅନେକ ସ˚ଶୟବାଦୀ ତାହା ମାନିବାକୁ ନାରାଜ। ହୁଏ’ତ ଆଗାମୀ ଦିନରେ କେହି ଜଣେ ଚନ୍ଦ୍ରକୁ ଯାଇ ତାର ପ୍ରତ୍ୟକ୍ଷ ଫଟୋ ଚିତ୍ର ଉତ୍ତୋଳନ କରି ନ ଆଣିଲା ପର୍ଯ୍ୟନ୍ତ ଏଭଳି ସନ୍ଦେହର ଅବସାନ ଘଟି ନ ପାରେ। ଅନ୍ତତଃ ସେଥି ଲାଗି ଆର୍ମଷ୍ଟ୍ରଙ୍ଗଙ୍କ ଜୋତା ଚିହ୍ନ ସୁରକ୍ଷିତ ହୋଇ ରହୁ।