ଭ୍ୟାକ୍‌ସିନ ମୈତ୍ରୀ

ଇତିହାସରେ ଯାହା ୨୦୨୧ ବର୍ଷଟିକୁ ୨୦୨୦ ଠାରୁ ସ˚ପୂର୍ଣ୍ଣ ଭିନ୍ନ ଏପରିକି ତାର ସ˚ପୂର୍ଣ୍ଣ ବିପରୀତ ରୂପେ ଦର୍ଶାଇବ, ତାହା ହେଲା ୨୦୨୧ରେ ଭ୍ୟାକ୍‌ସିନର ଉପସ୍ଥିତି ଦ୍ବାରା କରୋନା ପାନ୍‌ଡେମିକ୍‌ ପ୍ରତିହତ କରାଯିବାର ସମ୍ଭାବନା। ସ˚ପ୍ରତି ପୃଥିବୀରେ ପ୍ରାୟ ନଅଟି ଭ୍ୟାକ୍‌ସିନ ଉପଲବ୍‌ଧ ହୋଇ ବିଭିନ୍ନ ରାଷ୍ଟ୍ରରେ ଜନସାଧାରଣଙ୍କୁ ଦିଆଯିବାରେ ଲାଗିଲାଣି। କିନ୍ତୁ ଏହି ମର୍ମରେ ଯାହା ପ୍ରଣିଧାନଯୋଗ୍ୟ, ତାହା ହେଲା ଭ୍ୟାକ୍‌ସିନର ଉପଲବ୍‌ଧତା ମଧୢ ଏହି ପୃଥିବୀକୁ ଦୁଇ ଭାଗରେ ବିଭକ୍ତ କରି ସାରିଲାଣି; ଯହିଁରେ ଗୋଟିଏ ପାର୍ଶ୍ବରେ ଅଛନ୍ତି ନିଜ ରାଷ୍ଟ୍ରର ପ୍ରତ୍ୟେକ ନାଗରିକମାନଙ୍କ ଲାଗି ଆବଶ୍ୟକତା ଠାରୁ ଅଧିକ ଡୋଜ୍‌ ଗଚ୍ଛିତ ରଖି ଏକ କୋଭିଡ୍‌ ମୁକ୍ତ ଭବିଷ୍ୟତ୍‌ ଆଡ଼କୁ ଅଗ୍ରସର ହେଉଥିବା ଧନୀ ରାଷ୍ଟ୍ର ତ ଅପର ପାର୍ଶ୍ବରେ ଅଛନ୍ତି ଏଭଳି କିଛି ଦରିଦ୍ର ରାଷ୍ଟ୍ର ଯେଉଁମାନେ ସମ୍ବଳ ଓ ସାମର୍ଥ୍ୟ ଅଭାବରୁ ଭ୍ୟାକ୍‌ସିନ ଲାଗି ଅନ୍ୟ ଦେଶ ବା ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଭଳି ଅନୁଷ୍ଠାନର ଦାନ ବା ହାତ ଟେକାକୁ ଚାହିଁ ବସିଛନ୍ତି। ସୁତରା˚, ଏଭଳି ଏକ ସ୍ଥିତିରେ ଭ୍ୟାକ୍‌ସିନ ଏକ କୂଟନୈତିକ ଆୟୁଧରେ ପରିଣତ ହେବା ମଧ୍ୟ ସ୍ବାଭାବିକ ହୋଇ ଯାଇଛି; ଯେଉଁ କାରଣରୁ ବର୍ତ୍ତମାନ ଭାରତ ‘ଭ୍ୟାକ୍‌ସିନ ମୈତ୍ରୀ’ ଭଳି ଆଭିମୁଖ୍ୟରୁ ଏକ ସୁଖଦ ଅନୁଭବ ହାସଲ କରୁଥିବା ବେଳକୁ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏକ ଦ୍ବନ୍ଦ୍ବାତ୍ମକ ଏବ˚ ଅସ୍ବସ୍ତିକର ପରିସ୍ଥିତିର ସମ୍ମୁଖୀନ ହେଉଛି।

କହିବା ନିଷ୍ପ୍ରୟୋଜନ ଯେ ୨୦୨୦ ମସିହାର ଅନ୍ତିମ ଚରଣରେ ଯେତେବେଳେ କେତେକ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କୁ କୋଭିଡ୍‌ ଭ୍ୟାକ୍‌ସିନ ଦେବା ଆରମ୍ଭ କଲେ ବା ଦେବା ଲାଗି ପ୍ରସ୍ତୁତ ହେଉଥିଲେ; ସେତିକି ବେଳେ ପାକିସ୍ତାନରେ କୌଣସି ଭ୍ୟାକ୍‌ସିନ ଯୋଜନା ଦୃଶ୍ୟମାନ ହେଉ ନ ଥିଲା। ସେହି ହେତୁ ସେଠାରେ ସ୍ବାଭାବିକ ଭାବେ ଜନ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ତେବେ, ଏହି ପ୍ରତିକ୍ରିୟା ସଂପ୍ରତି ଏକ ତୀବ୍ର ରୂପ ଧାରଣ କରିବାରେ ଲାଗିଛି କାରଣ ଦେଖିବାକୁ ମିଳିଛି ଯେ ପାକିସ୍ତାନର ଜାତ ଶତ୍ରୁ ଭାରତ ସାର୍ବଜନୀନ ଟିକାକରଣ ଦିଗରେ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ପଦକ୍ଷେପ ନେବାରେ ସଫଳ ହୋଇ ପାରିଛି। କହିବା ବାହୁଲ୍ୟ ଯେ ଭାରତ ସହିତ ତୁଳନା କରି ପାକିସ୍ତାନର ଗଣମାଧୢମଗୁଡ଼ିକ ମଧୢ ତୀବ୍ର ସରକାର ବିରୋଧୀ ସମାଲୋଚନାରେ ମୁଖର ହୋଇ ଉଠିଛନ୍ତି। ଏଭଳି ସମାଲୋଚନା ପଛରେ ରହିଥିବା ଆଉ ଏକ ବଡ଼ କାରଣ ହେଲା ପାକିସ୍ତାନ ସରକାରଙ୍କ ଚରମ ଅଦୂରଦର୍ଶିତା; ଯେଉଁ କାରଣରୁ ପାକିସ୍ତାନର କିଛି କ୍ଷୁଦ୍ର ପଡ଼ୋଶୀ ତଥା ନିକଟବର୍ତ୍ତୀ ରାଷ୍ଟ୍ର ସେମାନଙ୍କ ନାଗରିକମାନଙ୍କ ସକାଶେ ଟିକାର ବ୍ୟବସ୍ଥା କରିପାରିଥିବା ବେଳେ ପାକିସ୍ତାନ ତାହା କରିବାରେ ବିଫଳ ହୋଇଛି।

ଅପର ପକ୍ଷରେ ପୃଥିବୀର ସର୍ବାଧିକ ଭ୍ୟାକ୍‌ସିନ ନିର୍ମାଣକାରୀ ରାଷ୍ଟ୍ର ଭାରତ ‘କୋଭିସିଲ୍‌ଡ’ ଓ ‘କୋଭାକ୍‌ସିନ୍‌’ ଭଳି ପ୍ରତିଷେଧକ ଦ୍ବାରା ନିଜ ରାଷ୍ଟ୍ରବାସୀଙ୍କୁ ସୁରକ୍ଷା କବଚ ପିନ୍ଧାଇବାରେ ସମର୍ଥ ହେବା ସହିତ ନିଜର କେତେକ ପଡ଼ୋଶୀଙ୍କ ଲାଗି ଏହାର ବିପୁଳ ଯୋଗାଣ କରିବାରେ ମଧୢ ସକ୍ଷମ ହୋଇଛି। ଉଦାହରଣ ସ୍ବରୂପ ଗଲା ଜାନୁଆରି ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭାରତ ସରକାର ଦୁଇଟି ବିମାନରେ ଯଥାକ୍ରମେ ଦେଢ଼ ଲକ୍ଷ ଓ ଏକ ଲକ୍ଷ ସ˚ଖ୍ୟକ ‘କୋଭିସିଲ୍‌ଡ’ ଡୋଜ୍‌ ଭୁଟାନ ଓ ମାଲଡିଭ୍‌ସକୁ ପ୍ରେରଣ କରିଛନ୍ତି। ଏହି କ୍ରମରେ ଭାରତ ଠାରୁ ଭ୍ୟାକ୍‌ସିନ ସହଯୋଗ ଲାଭ କରିବା ଲାଗି ଯେଉଁ ଆଠଟି ରାଷ୍ଟ୍ରର ଏକ ତାଲିକା ପ୍ରସ୍ତୁତ କରାଯାଇଛି, ତହିଁରେ ନେପାଳ, ଶ୍ରୀଲଙ୍କା, ମ୍ୟାମାର, ଆଫଗାନିସ୍ତାନ, ବା˚ଲାଦେଶ ଓ ମରିସସ୍‌ ଇତ୍ୟାଦି ମଧୢ ଅନ୍ତର୍ଭୁକ୍ତ। ଭୁଟାନକୁ ଏହି ଭ୍ୟାକ୍‌ସିନ ସ˚ପୂର୍ଣ୍ଣ ମାଗଣାରେ ଦିଆଯାଇଥିବା ବେଳେ ବା˚ଲାଦେଶକୁ ୨୦ ଲକ୍ଷ ‘କୋଭିସିଲ୍‌ଡ’ ଡୋଜ୍‌ ଏକ ଉପହାର ଭାବେ ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ଭାରତର ‘ସିରମ ଇନ୍‌ଷ୍ଟିଚ୍ୟୁଟ୍‌’ ଠାରୁ ଅନୁମୋଦନ ଲାଭ କରି ବା˚ଲାଦେଶର ‘ବେକ୍‌ସିମୋ ଫାର୍ମା’ ନାମକ ଏକ ଔଷଧ ପ୍ରସ୍ତୁତକାରୀ କ˚ପାନି ୩୦ ନିୟୁତ ‘କୋଭିସିଲ୍‌ଡ’ ଭ୍ୟାକ୍‌ସିନ ପ୍ରସ୍ତୁତ କରିବା ଲାଗି ଚୁକ୍ତି ସ୍ବାକ୍ଷର କରିଛି। ସୁତରା˚, କହିଲେ ଭୁଲ ହେବ ନାହିଁ ଯେ ‘ବାୟୋ ଟେକ୍‌ନୋଲୋଜି’ ବା ‘ଜୈବ ପ୍ରଯୁକ୍ତି’ କ୍ଷେତ୍ରରେ ଭାରତ ହାସଲ କରିଥିବା ଚମକପ୍ରଦ ସଫଳତା ହିଁ ତାକୁ ଏଭଳି ସାମର୍ଥ୍ୟ ପ୍ରଦାନ କରିଛି। ଏଠାରେ ଏହା ମଧୢ ପ୍ରଣିଧାନଯୋଗ୍ୟ ଯେ ପୃଥିବୀର ଦ୍ବିତୀୟ ବୃହତ୍ତମ ଭ୍ୟାକ୍‌ସିନ ନିର୍ମାଣକାରୀ କ˚ପାନି ‘ଭାରତ ବାୟୋଟେକ୍‌’ ଦ୍ବାରା ସ˚ପୂର୍ଣ୍ଣ ସ୍ବଦେଶୀ କୋଭିଡ୍‌ ଭ୍ୟାକ୍‌ସିନ ‘କୋଭାକ୍‌ସିନ’ ମଧୢ ଭାରତରେ ବ୍ୟବହୃତ ହେଉଛି। ଏଭଳି ଏକ ଦୃଶ୍ୟପଟର ପୃଷ୍ଠଭୂମିରେ ପାକିସ୍ତାନରେ ଭ୍ୟାକ୍‌ସିନର ସ˚ପୂର୍ଣ୍ଣ ଅନୁପସ୍ଥିତି ସେଠାରେ ତୀବ୍ର ଜନ ପ୍ରତିକ୍ରିୟା ସୃଷ୍ଟି କରିବାରେ ବିସ୍ମିତ ହେବାର କାରଣ ନାହିଁ।

ବର୍ତ୍ତମାନ ପାକିସ୍ତାନ ସମ୍ମୁଖୀନ ହେଉଥିବା ଟିକାକରଣ ସମସ୍ୟାର କାରଣ ଯେ ଏହାର ନେତୃତ୍ବର ଦୂରଦୃଷ୍ଟିହୀନତା, ତାହା କହିବା ଅନାବଶ୍ୟକ। କାରଣ ଭ୍ୟାକ୍‌ସିନ ଆବିର୍ଭାବ ହେବାର ଯଥେଷ୍ଟ ପୂର୍ବରୁ ଧନୀ ରାଷ୍ଟ୍ରଙ୍କ ସହିତ ବିଭିନ୍ନ ମଧ୍ୟମ ଏପରିକି ନିମ୍ନ ଆୟକାରୀ ରାଷ୍ଟ୍ର ମଧ୍ୟ ନିଜ ଦେଶର ନାଗରିକମାନଙ୍କ ସକାଶେ ଭ୍ୟାକ୍‌ସିନ ଉପଲବ୍‌ଧ କରାଇବା ଲାଗି ଅଗ୍ରୀମ ଅର୍ଡର ଦେଉଥିବା ବେଳେ ପାକିସ୍ତାନ ସରକାର ସେହି ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲା। ପୁଣି ‘ବାୟୋ ଟେକ୍‌ନୋଲୋଜି’ ଗବେଷଣା ଓ ବିକାଶ ତଥା ଔଷଧ ନିର୍ମାଣ କ୍ଷେତ୍ରରେ ପାକିସ୍ତାନ ଏକ ଅତ୍ୟନ୍ତ ପଛୁଆ ରାଷ୍ଟ୍ର। ଏଣେ ଭାରତ ସହିତ ସର୍ବଦା ଶତ୍ରୁତାମୂଳକ ଆଚରଣ ପ୍ରଦର୍ଶନ କରି ଆସିଥିବା କାରଣରୁ ପାକିସ୍ତାନ ଭାରତ ଠାରୁ ଭ୍ୟାକ୍‌ସିନ ବଦାନ୍ୟତା ଲାଭ କରିବାର ଆଶା ଅତ୍ୟନ୍ତ କ୍ଷୀଣ। ଏହା ସହିତ ନିଜର ଗୁମାନ କାରଣରୁ ପାକିସ୍ତାନ ଭାରତ ସରକାରଙ୍କୁ ଏଥି ଲାଗି ଅନୁରୋଧ କରି ନ ପାରେ। ଏଭଳି ସ୍ଥଳେ ପାକିସ୍ତାନ ସକାଶେ ସ˚ପ୍ରତି ଯେଉଁ ଦ୍ବାରଟି ଉନ୍ମୁକ୍ତ ଅଛି, ତାହା ହେଲା ଅଧିକ ଦାମ୍‌ ଦେଇ ସିଧାସଳଖ ବଜାରରୁ ଭ୍ୟାକ୍‌ସିନ ଖର୍ଦ୍ଦି କରିବା। ଉଲ୍ଲେଖଯୋଗ୍ୟ ଯେ ଗଲା ମାସରେ ଏକ ଅସହାୟ ପାକିସ୍ତାନ ସରକାର ଅଗତ୍ୟା ୧୫୦ ନିୟୁତ ଡଲାର ବ୍ୟୟରେ କିଛି ଟିକା ଯେକୌଣସିମତେ ଖର୍ଦ୍ଦି କରି ତାଙ୍କ ଦେଶର ଆଗଧାଡ଼ିରେ ଥିବା ୫% କରୋନା ଯୋଦ୍ଧାଙ୍କୁ ଟିକା ଦେବାର ଉଦ୍ୟମ କରିଛନ୍ତି। କିନ୍ତୁ ଟିକାକୁ ଚାହିଁ ବସିଥିବା ପାକିସ୍ତାନର ଜନସାଧାରଣଙ୍କ ଅସନ୍ତୋଷ ଏହା ଦ୍ବାରା ପ୍ରଶମିତ ହେଉ ନାହିଁ।

କହିବା ଅନାବଶ୍ୟକ ଯେ ଚୀନ ଓ ପାକିସ୍ତାନର ଷଡ୍‌ଯନ୍ତ୍ର ଫଳରେ ଭାରତ ୨୦୨୦ର ଭୟାବହ କୋଭିଡ୍‌ ସ˚କ୍ରମଣର ଘନଘଟା କାଳରେ ମଧୢ ନେପାଳ ବା ବା˚ଲାଦେଶ ଭଳି କେତେକ ବନ୍ଧୁଭାବାପନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କ ଦ୍ବାରା ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତିର ସାମନା କରିଥିଲା। ବର୍ତ୍ତମାନ ଭାରତର ଭ୍ୟାକ୍‌ସିନ ବଦାନ୍ୟତା ଦ୍ବାରା ପଡ଼ୋଶୀ ରାଷ୍ଟ୍ରଗୁଡ଼ିକଙ୍କ ମଧୢରେ ଭାରତ ପ୍ରତି ପୁରୁଣା ମିତ୍ର ଭାବ ଫେରି ଆସିବାର ଆଶା ଉଜ୍ଜ୍ବଳ। ଏଭଳି ପରିସ୍ଥିତି ପାକିସ୍ତାନ ଠାରେ ଚୈତନ୍ୟ ଉଦୟ କରିବା ଉଚିତ। ଯଦି ‘ଭ୍ୟାକ୍‌ସିନ ମୈତ୍ରୀ’ ସୂତ୍ରରେ ପାକିସ୍ତାନ ଭାରତ ସହିତ ଯୋଡ଼ି ହୋଇ ପାରିଥାଆନ୍ତା ତେବେ ହୁଏ’ତ ସେଠାକାର ସ୍ଥିତି ଭିନ୍ନ ପ୍ରକାର ହୋଇଥାଆନ୍ତା। ଭାରତ ସହିତ ମିତ୍ରତା ପାକିସ୍ତାନକୁ କେବଳ କୋଭିଡ୍‌ ମୁକ୍ତ କରିବାରେ ସହାୟକ ହୁଅନ୍ତା ନାହିଁ; ଏହା ସେ ରାଷ୍ଟ୍ରର ସାମଗ୍ରିକ ବିକାଶ ଲାଗି ମଧୢ ବାଟ ଫିଟାଇଥାଆନ୍ତା। କିନ୍ତୁ ସେଥି ଲାଗି ପାକିସ୍ତାନକୁ କାଶ୍ମୀରର ସ୍ବପ୍ନ ପରିତ୍ୟାଗ କରିବାକୁ ପଡ଼ନ୍ତା। ନିଜ ଦେଶରେ ଆତଙ୍କବାଦର କାରଖାନା ଚଳାଇ ତହିଁରୁ ଉତ୍ପନ୍ନ ଆତଙ୍କବାଦୀଙ୍କୁ ଭାରତକୁ ରପ୍ତାନି କରିବା ବଦଳରେ ଏଭଳି କାରଖାନା ସ୍ଥାପନ କରିବାକୁ ହୁଅନ୍ତା, ଯାହା ତାକୁ ଅର୍ଥନୈତିକ ବିକାଶ ପ୍ରଦାନ କରନ୍ତା। କିନ୍ତୁ ବିଡ଼ମ୍ବନା ହେଲା, ସଉତୁଣୀର ସର୍ବନାଶ କାମନା କରି ନିଜ ସ୍ବାମୀର ପ୍ରାଣନାଶ କରିବାର ମୂଢ଼ତାରୁ ପାକିସ୍ତାନ ମୁକ୍ତ ହୋଇପାରିଲେ ତ?

ସମ୍ବନ୍ଧିତ ଖବର