ଏଭଳି ଏକ ପରିସ୍ଥିତି ବିଷୟରେ ଚିନ୍ତା କରନ୍ତୁ। ଧରି ନିଆଯାଉ କୋଭିଡ୍‌-୧୯ ସ˚କ୍ରମଣ କୌଣସି ଏକ ନିମ୍ନ ଆୟକାରୀ ଏସୀୟ ବା ଆଫ୍ରିକୀୟ ରାଷ୍ଟ୍ରରେ ଆରମ୍ଭ ହୋଇଥାଆନ୍ତା ଏବ˚ ସେ ସ˚ପର୍କରେ ଏକ ସତର୍କ ଘଣ୍ଟି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’(‘ହୁ’) ଠାରୁ ଶୁଣିବାକୁ ମିଳନ୍ତା; ତେବେ ପରବର୍ତ୍ତୀ ଦୃଶ୍ୟପଟ କିଭଳି ହୁଅନ୍ତା! ଖୁବ୍‌ ସମ୍ଭବ ‘ହୁ’ ସ˚ପୃକ୍ତ ରାଷ୍ଟ୍ରକୁ କଡ଼ା ଚେତାବନୀ ଦେଇ ଏହା ଯେମିତି ଏକ ପାନ୍‌ଡେମିକ୍‌ରେ ପରିଣତ ନ ହୁଏ, ସେ ନେଇ ତାଗିଦ କରନ୍ତା। ସ˚କ୍ରମଣରୁ ରକ୍ଷା ପାଇବା ସକାଶେ ପୃଥିବୀର ଅନ୍ୟାନ୍ୟ ରାଷ୍ଟ୍ର ସେହି ଦେଶ ସହିତ ସେମାନଙ୍କ ଜନ-ସମାଗମ ଜନିତ ସ˚ପର୍କ ଛିନ୍ନ କରନ୍ତେ ଏବ˚ ସେହି ରାଷ୍ଟ୍ରଟି ପୃଥିବୀର ଅର୍ଥନୈତିକ ଗତିବିଧି ଉପରେ ବିଶେଷ ପ୍ରଭାବ ରଖୁ ନ ଥିବା କାରଣରୁ ହୁଏ’ତ ଏଭଳି ବାସନ୍ଦସୁଲଭ ନିଷ୍ପତ୍ତି ନେବାରେ ବିଶେଷ ଅସୁବିଧା ହୁଅନ୍ତା ନାହିଁ। ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ଜାତିସ˚ଘ’ ଭଳି କିଛି ବହୁ ରାଷ୍ଟ୍ରୀୟ ଅନୁଷ୍ଠାନ ପକ୍ଷରୁ ସେହି ରାଷ୍ଟ୍ରକୁ ଚିକିତ୍ସା ତଥା ଅନ୍ୟାନ୍ୟ ସେବାରେ ସହଯୋଗ ପ୍ରଦାନ ଲାଗି ତତ୍ପରତା ପ୍ରକାଶ ପାଆନ୍ତା; ‘ଡକ୍ଟର୍‌ସ ଵିଦାଉଟ୍‌ ବର୍ଡର‌୍‌’ ଭଳି କେତେକ ଅତ୍ୟନ୍ତ ତ୍ୟାଗ-ଭାବାପନ୍ନ ଅନ୍ତର୍ଜାତୀୟ ଡାକ୍ତରୀ ସ˚ଗଠନର ସଦସ୍ୟମାନେ ସେଠାରେ ପହଞ୍ଚି ଚିକିତ୍ସା ଆରମ୍ଭ କରନ୍ତେ। ତା’ ସହିତ ଏକ ଦରିଦ୍ର ରାଷ୍ଟ୍ରରେ ଚିକିତ୍ସା ଭିତ୍ତିଭୂମି କେତେ ଦୟନୀୟ ଭାବେ ଦୁର୍ବଳ ହୋଇପାରେ, ତାର ଏକ କରୁଣ ଚିତ୍ର ଗଣମାଧୢମରେ କୋଳାହଳ ସୃଷ୍ଟି କରନ୍ତା। ଏବ˚ କହିବା ଅନାବଶ୍ୟକ ଯେ ବିକଶିତ ରାଷ୍ଟ୍ରଗୁଡ଼ିକ ବଡ଼ ଭାଇର ଦାୟିତ୍ବ ତୁଲାଇବାକୁ ଯାଇ ଏହାର ଟିକା ଉଦ୍ଭାବନ ଦିଗରେ ଗବେଷଣା ଆରମ୍ଭ କରି କିଛି ବର୍ଷ ପରେ ଏକ ‘ଭ୍ୟାକ୍‌ସିନ’ ଧରି ଉପସ୍ଥିତ ହୁଅନ୍ତେ; ଯେତେବେଳକୁ ହୁଏ’ତ କୋଭିଡ୍‌-୧୯ ଭୂତାଣୁ ତାର ସ˚ହାର ଲୀଳା ସାରି ଆପେ ଆପେ ଅପସରି ଯାଆନ୍ତାଣି ଏବ˚ ସେହି ଦେଶରେ ବଞ୍ଚି ରହିଥିବା ଲୋକଙ୍କ ଶରୀରରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବିକଶିତ ହୋଇ ସେମାନଙ୍କୁ କୋଭିଡ୍‌ ବିଜୟୀରେ ପରିଣତ କରି ସାରନ୍ତାଣି। ସେତିକି ବେଳକୁ ଗଣମାଧୢମରେ ଏ ନେଇ ଚର୍ଚ୍ଚା ପ୍ରାୟ ଅଦୃଶ୍ୟ ହେବାକୁ ବସନ୍ତାଣି ଏବ˚ ଆମ ପୃଥିବୀ କେତେ ‘ଅସମତଳ’ ତାର ଆଉ ଏକ ପ୍ରମାଣ ମିଳି ସାରନ୍ତାଣି।

Advertisment

କହିବା ବାହୁଲ୍ୟ ଯେ କେବଳ ଏହିଭଳି ରୋଗ ବା କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ, ଗୃହଯୁଦ୍ଧ ହେଉ ଅଥବା ଆତଙ୍କବାଦ; ତାହା ଯେ ପର୍ଯ୍ୟନ୍ତ କୌଣସି ନିମ୍ନ ବା ଏପରିକି ମଧୢମ ଆୟକାରୀ ରାଷ୍ଟ୍ରରେ ତାର ଘନଘଟା ପ୍ରଦର୍ଶନ କରି ଚାଲିଥାଏ, ସେ ପର୍ଯ୍ୟନ୍ତ ଅବଶିଷ୍ଟ ପୃଥିବୀ ବା ବିଶ୍ବ ସମୁଦାୟ ଯହିଁରେ ପ୍ରମୁଖ ଭାବେ ଧନୀ ଓ ପ୍ରଭାବଶାଳୀ ରାଷ୍ଟ୍ରମାନେ ଅବସ୍ଥାନ କରୁଥିବା ଭଳି ପ୍ରତୀତ ହୁଏ, ସେଥିପ୍ରତି ଦୃଷ୍ଟିପାତ କରନ୍ତି ନାହିଁ। ଏହି କାରଣରୁ ପୃଥିବୀର ଅସମତଳତାକୁ ବଜାୟ ରଖେ। ସେହି ଦୃଷ୍ଟିରୁ ଯଦି କୁହାଯାଏ ଯେ କୋଭିଡ୍‌-୧୯ ସ˚କ୍ରମଣ ଏକ ପ୍ରକୃତ ‘ପାନ୍‌ଡେମିକ୍‌’ରେ ପରିଣତ ହୋଇ ଏହି ଅସମତଳ ପୃଥିବୀକୁ ସମତଳ କରିବାରେ ଅନେକା˚ଶରେ ସଫଳ ହୋଇଥିଲା, ତେବେ ତାହା ହୁଏ’ତ ବିଶେଷ ତ୍ରୁଟିପୂର୍ଣ୍ଣ ହୋଇ ନ ପାରେ। କାରଣ ଏହା ଊଣାଅଧିକେ ସବୁ ରାଷ୍ଟ୍ରର ଅର୍ଥନୈତିକ ବ୍ୟବସ୍ଥା ଉପରେ ଦାରୁଣ କୁଠାରାଘାତ କରି ସମଗ୍ର ପୃଥିବୀର ଚାକିରି, ବ୍ୟବସାୟ-ବାଣିଜ୍ୟ ତଥା ବିକାଶ କ୍ଷେତ୍ରରେ ନାହିଁ ନ ଥିବା ସ˚କୋଚନ ସୃଷ୍ଟି କରିଛି। ଏହା ଦ୍ବାରା ପୃଥିବୀର ଅତ୍ୟନ୍ତ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକର ସୁଦୃଢ଼ ଚିକିତ୍ସା ସେବା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। କେବଳ ସେତିକି ନୁହେଁ, ଏହି ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ଯୁକ୍ତରାଷ୍ଟ୍ର ଆମେରିକା ତଥା ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଅତ୍ୟନ୍ତ ଉତ୍କୃଷ୍ଟ ବିଶ୍ବବିଦ୍ୟାଳୟ ବା ବିଭିନ୍ନ ‘ଥିଙ୍କ ଟ୍ୟାଙ୍କ’ ସହ ସ˚ପୃକ୍ତ ବିଶ୍ବ ପ୍ରସିଦ୍ଧ ବିଶାରଦବର୍ଗ ଭାରତ ଭଳି ଅତ୍ୟନ୍ତ ଜନାକୀର୍ଣ୍ଣ ଏବ˚ ଦୁର୍ବଳ ଚିକିତ୍ସା ସେବା ବ୍ୟବସ୍ଥାର ଅଧିକାରୀ ରାଷ୍ଟ୍ରରେ କରୋନା ସ˚କ୍ରମଣ ସ˚ପର୍କରେ ଯେଉଁ ଭୟାବହ ପୂର୍ବାନୁମାନ କରିଥିଲେ, ତାହା ଅବାନ୍ତର ସାବ୍ୟସ୍ତ ହୋଇଛି। ଉଦାହରଣ ସ୍ବରୂପ ମାର୍ଚ୍ଚ, ୨୦୨୦ରେ ଯେତେବେଳେ ଭାରତରେ ସ˚କ୍ରମିତଙ୍କ ସ˚ଖ୍ୟା ମାତ୍ର ୨୭୦ ଥିଲା, ସେତିକି ବେଳେ ଵାସି˚ଟନସ୍ଥିତ ଅତ୍ୟନ୍ତ ଉଚ୍ଚକୋଟୀର ଚିକିତ୍ସା ଗବେଷଣା ଅନୁଷ୍ଠାନ ‘‌େସଣ୍ଟର ଫର୍‌ ଡିଜିଜ୍‌ ଡାଇନାମିକ୍‌ସ ଇକୋନୋମିକ୍‌ସ ଏଣ୍ତ ପଲିସି’(ସି.ଡି.ଡି.ଇ.ପି.)ର ନିର୍ଦ୍ଦେଶକ ରମଣନ ଲକ୍ଷ୍ମୀନାରାୟଣ ପୂର୍ବାନୁମାନ କରିଥିଲେ ଯେ ଭାରତରେ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ୩୦ କୋଟି ସ୍ପର୍ଶ କରିବ। କିନ୍ତୁ ପୃଥିବୀକୁ ସମତଳ କରିବା ଲକ୍ଷ୍ୟରେ ବାହାରିଥିବା କୋଭିଡ୍‌-୧୯ର ପ୍ରାଦୁର୍ଭାବରେ ଏହାର ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯହିଁରେ ପୃଥିବୀର ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ଅକଳ୍ପନୀୟ ସ˚ଖ୍ୟକ ଜୀବନ ହାନିର ଶିକାର ହେଲେ ଏବ˚ ସେହି ସବୁ ଦେଶରେ ଚିକିତ୍ସା ସେବା ଭିତ୍ତିଭୂମି ଭୂଲୁ˚ଠିତ ହେଲା। ସୁତରା˚, ଏହି ସ˚ଦର୍ଭରେ ପ୍ରିନ୍‌ସଟନ୍‌ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିବା ନୋବେଲ ପୁରସ୍କାର ପ୍ରାପ୍ତ ଅର୍ଥନୀତିଜ୍ଞ ଆଙ୍ଗସ ଡିଟନ୍‌ଙ୍କ ସଦ୍ୟ ପ୍ରକାଶିତ ଅନୁଶୀଳନ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ୨୦୦୭ରୁ ଧନୀ ଓ ଦରିଦ୍ର ରାଷ୍ଟ୍ରଗୁଡ଼ିକ ମଧୢରେ ଥିବା ଆର୍ଥିକ ବ୍ୟବଧାନ ମନ୍ଥର ଗତିରେ ହେଲେ ମଧୢ ହ୍ରାସ ପାଇବାକୁ ଆରମ୍ଭ କରିଥିଲା ବେଳେ ୨୦୨୦ ମସିହାରେ କରୋନା ସ˚କ୍ରମଣ କାରଣରୁ ଏହି ବ୍ୟବଧାନ ହ୍ରାସର ହାର ବେଶ୍‌ ତ୍ବରାନ୍ବିତ ହୋଇଛି। ସୁତରା˚, ପୃଥିବୀ କରୋନା କାଳରେ ଅଧିକ ସମତଳ ହେବାକୁ ଲାଗିଥିଲା।

କିନ୍ତୁ, ସ˚ପ୍ରତି ୨୦୨୧ରେ ଯାହା ଦେଖାଯିବା ଆରମ୍ଭ ହୋଇଛି, ତାହା ହେଲା କରୋନା ପ୍ରତିହତକାରୀ ଭ୍ୟାକ୍‌ସିନଗୁଡ଼ିକର ଆବିର୍ଭାବ ସହିତ ପୁଣି ପୃଥିବୀ ଅସମତଳ ହେବା ଆରମ୍ଭ କରିଛି। କାରଣ ଭ୍ୟାକ୍‌ସିନ ନିର୍ମାଣକୁ ଅତ୍ୟନ୍ତ ତ୍ବରାନ୍ବିତ କରିବା ଲାଗି ସେହି ଉଦ୍ୟୋଗରେ ବିପୁଳ ଅର୍ଥ ନିବେଶ କରି ଧନୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଲାଗି ଏତେ ସ˚ଖ୍ୟକ ଭ୍ୟାକ୍‌ସିନ ଅକ୍ତିଆର କରି ନେଇଛନ୍ତି ଯେ ନିମ୍ନ ମଧୢମ ଆୟକାରୀ ରାଷ୍ଟ୍ରଗୁଡ଼ିକ ପାଖରେ ଭ୍ୟାକ୍‌ସିନର କ୍ଷୀଣ ଧାରଟିଏ ପହଞ୍ଚିବା ଲାଗି ହୁଏ’ତ ବର୍ଷାଧିକ କାଳ ଲାଗିଯାଇପାରେ। ଉଲ୍ଲେଖଯୋଗ୍ୟ ଯେ କାନାଡା ଯେତିକି ସ˚ଖ୍ୟକ ଭ୍ୟାକ୍‌ସିନ ଡୋଜ୍‌ ନିଜ କବ୍‌ଜାରେ ରଖିଛି, ତାହା ତାର ଆବଶ୍ୟକତାର ପାଞ୍ଚ ଗୁଣ ଏବ˚ ଯୁକ୍ତରାଷ୍ଟ୍ର ଆମେରିକା ବା ଇ˚ଲଣ୍ତ ବା ଜର୍ମାନି ଆଦି ଭଳି ଦେଶରେ ଏହା ଚାରି ଗୁଣ। ଅପର ପକ୍ଷରେ ‘ହୁ’ ପକ୍ଷରୁ ଦରିଦ୍ର ରାଷ୍ଟ୍ରଗୁଡ଼ିକ ଲାଗି ଟିକା ଉପଲବ୍‌ଧ କରାଇବାର ଯେଉଁ ବ୍ୟବସ୍ଥା କରାଯାଉଛି, ତହିଁରେ ସେହି ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଆ˚ଶିକ ଆବଶ୍ୟକତା ପୂରଣ କରିବା ଲାଗି ଟିକା ପାଇବା ଆରମ୍ଭ କଲା ବେଳକୁ ୨୦୨୧ ସରିବା ପ୍ରାୟ ହେଉ ଥାଇପାରେ।

୨୦୧୪ରେ ପଶ୍ଚିମ ଆଫ୍ରିକାର ଲାଇବେରିଆ ବା ସେରାଲିଓନରେ ଅତ୍ୟନ୍ତ ଭୟାବହ ମୃତ୍ୟୁର ତାଣ୍ତବ ରଚନା କରିଥିବା ଇବୋଲା ଭାଇରସ୍‌ (ମାରକ କ୍ଷମତା ପ୍ରାୟ ଶତ ପ୍ରତିଶତ)ର ପ୍ରତିଷେଧକ ଟିକା ବିକଶିତ ହୋଇ ବ୍ୟବହାରକ୍ଷମ ହେବା ବେଳକୁ ପାଞ୍ଚ ବର୍ଷ ସମୟ ଅତିକ୍ରାନ୍ତ ହୋଇଯାଇଥିଲା। ୨୦୧୯ ନଭେମ୍ବର ମାସରେ ଇବୋଲା ପ୍ରତିଷେଧକ ଭାବେ ଦୁଇଟି ଟିକା ସ୍ବୀକୃତି ପ୍ରାପ୍ତ ହେଲା। କୌଣସି ଭ୍ୟାକ୍‌ସିନ ବିକଶିତ ହୋଇ ବ୍ୟବହାରକ୍ଷମ ହେବା ବେଳକୁ ପ୍ରାୟ ୧୫ରୁ ୨୦ ବର୍ଷ କାଳ ଲାଗିଯାଉଥିବାରୁ ଇବୋଲା ଟିକାର ବିକାଶ ଯେ ଅତ୍ୟନ୍ତ ଦ୍ରୁତ ବେଗସ˚ପନ୍ନ ଥିଲା ତାହା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରକାଶ ଥାଉ କି ‘କୋଭିଡ୍‌-୧୯’ର ସମ ଚରିତ୍ର ବହନକାରୀ ଅଥଚ ତା’ ଠାରୁ ଅଧିକ ବିପଜ୍ଜନକ ତାର ଅଗ୍ରଜତୁଲ୍ୟ ‘ସାର୍ସ’ ଭାଇରସ୍‌ ଲାଗି ପ୍ରତିଷେଧକ ଟିକା ପ୍ରସ୍ତୁତି କାର୍ଯ୍ୟ ୨୦୦୨ ମସିହାରୁ ଆରମ୍ଭ ହୋଇଥିଲେ ହେଁ ଏ ଯାବତ୍‌ ତାହା ଅସମାପ୍ତ ରହିଛି। ସୁତରା˚, କରୋନାର ପ୍ରତିଷେଧକ ଟିକା ମାତ୍ର ବର୍ଷକ ମଧୢରେ ଉଦ୍ଭାବିତ ହୋଇ ବ୍ୟବହାରକ୍ଷମ ହେବା ଏକ ଅତ୍ୟନ୍ତ ବିରଳ ମାନବ ପରାକାଷ୍ଠାର ନିଦର୍ଶନ ବୋଲି କହିଲେ ଦ୍ବିରୁକ୍ତି ହେବ ନାହିଁ। କହିବା ବାହୁଲ୍ୟ ଯେ ଏହା ସହିତ ଇବୋଲା ପ୍ରତିଷେଧକ ଉଦ୍ଭାବନରେ ପରିଦୃଷ୍ଟ ବେଗ ନିଷ୍ପ୍ରଭ ହୋଇଛି। କିନ୍ତୁ ଏ ସ˚ଦର୍ଭରେ ଏଭଳି ପ୍ରଶ୍ନଟିଏ କଲେ ଭୁଲ ହେବ କି ଯେ ଆମେରିକା ବା ୟୁରୋପରେ କରୋନା ଭାଇରସ୍‌ ଯେଉଁଭଳି ଉତ୍ପାତ କରୁଛି, ସେଭଳି ଯଦି ସେଠାରେ ନ କରି ଲାଇବେରିଆରେ କରିଥାଆନ୍ତା, ତେବେ କ’ଣ ଇବୋଲା ଟିକା ଉଦ୍ଭାବିତ ହେବାର ବେଗ ନେଇ ରହିଥିବା ରେକର୍ଡ କରୋନା ଟିକାର ଦ୍ରୁତ ଉଦ୍ଭାବନ ଦ୍ବାରା ଚୂର୍ଣ୍ଣ ହୋଇଥାଆନ୍ତା? ବୋଧହୁଏ ନା’!