ଝଡ଼ର ଫସଲ

ଯଦିବା ବୈଜ୍ଞାନିକ ଚାର୍ଲ‌୍‌ସ ଡାର‌୍‌ଵିନ୍‌, ଦାର୍ଶନିକ ହେଗେଲ୍‌ କିମ୍ବା ସମାଜତତ୍ତ୍ବବିତ୍‌-ଅର୍ଥନୀତିଜ୍ଞ କାର୍ଲ ମାର୍କ‌୍‌ସ ଆଦି ନୂତନର ଆବିର୍ଭାବ ପାଇଁ ପୁରାତନର ବିଲୟର ଆବଶ୍ୟକତା ସୂଚାଉଥିବା ‘ସୃଜନାତ୍ମକ ଧ୍ବ˚ସ’ (‘କ୍ରିଏଟିଭ୍‌ ଡେଷ୍ଟ୍ରକ୍‌ସନ୍‌’) ଧାରଣାର ଅବତାରଣା କରିଛନ୍ତି, ଏହାକୁ ପ୍ରଗତିର ଅପରିହାର୍ଯ୍ୟ ଆବଶ୍ୟକତା ରୂପେ ଦୃଢ଼ ମତ ପୋଷଣ କରି ଯିଏ ସର୍ବାଧିକ ପ୍ରସିଦ୍ଧି ଲାଭ କରିଛନ୍ତି, ସେ ହେଉଛନ୍ତି ବି˚ଶ ଶତାବ୍ଦୀର ସୁପ୍ରସିଦ୍ଧ ଅଷ୍ଟ୍ରୀୟ ଅର୍ଥନୀତିଜ୍ଞ ଜୋସେଫ୍‌ ସୁମ୍ପିଟର‌୍‌। ଆମେ ଆପଣାଇଥିବା ବଜାରଭିତ୍ତିକ ଉଦାର ପୁଞ୍ଜିବାଦୀ ଅର୍ଥନୀତି ଅବିରତ ‘ସୃଜନାତ୍ମକ ଧ୍ବ˚ସ’ର ଝଡ଼ ମାଧ୍ୟମରେ ହିଁ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ଚାଲିଥାଏ ବୋଲି ସୁମ୍ପିଟର‌୍‌ ତାଙ୍କର କି˚ବଦନ୍ତି ପାଲଟିଥିବା ପୁସ୍ତକ ୧୯୪୨ରେ ପ୍ରକାଶିତ ‘କ୍ୟାପିଟାଲିଜ୍‌ମ, ସୋସିଆଲିଜ୍‌ମ, ଡେମୋକ୍ରାସି’ (‘ପୁଞ୍ଜିବାଦ, ସମାଜବାଦ ଓ ଗଣତନ୍ତ୍ର’)ରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ସେଇଥି ପାଇଁ ‘ସୃଜନାତ୍ମକ ଧ୍ବ˚ସ’କୁ ପ୍ରଦାନ କରାଯାଇଥିବା ଅନ୍ୟ ଏକ ନାମ ହେଉଛି- ‘ସୁମ୍ପିଟର‌୍‌ସ ଗେଲ୍‌’ ବା ‘ସୁମ୍ପିଟର‌୍‌ଙ୍କ ଝଡ଼’।

ସେ କହିଥିଲେ ଯେ ଏକ ପୁଞ୍ଜିବାଦୀ ଅର୍ଥନୀତିର ଇଞ୍ଜିନ୍‌କୁ ଯାହା ଚଳମାନ କରି ରଖିଥାଏ, ତାହା ହେଉଛି ନୂତନ ଖାଉଟି ଦ୍ରବ୍ୟ; ଉତ୍ପାଦନ ବା ପରିବହନର ନୂତନ ପଦ୍ଧତି; ନୂତନ ବଜାର; କିମ୍ବା ନୂତନ ଶିଳ୍ପ ସ˚ଗଠନ ପଦ୍ଧତି ଆଦିରୁ ଉପଲବ୍‌ଧ ଶକ୍ତି। ମୋଟର‌୍‌ ବସ୍‌ର ଆବିର୍ଭାବ ପରେ ଗୋଦାବରୀଶ ମହାପାତ୍ରଙ୍କ ମାଗୁଣିର ଶଗଡ଼ମାନଙ୍କ ଠାରୁ ଆରମ୍ଭ କରି ଜେଫ୍‌ ବେଜସ୍‌ଙ୍କ ‘ଆମାଜନ୍‌’ର ଆବିର୍ଭାବ ପରେ ବାପ-ପୁଅ ଦୋକାନମାନଙ୍କ ପର୍ଯ୍ୟନ୍ତ ଏହି ଅପ୍ରତିହତ ‘ସୁମ୍ପିଟର‌୍‌ଙ୍କ ଝଡ଼’ ସହିତ ସୁପରିଚିତ। ଶଗଡ଼ ଲୋପ ପାଇବା ପରେ ଶଗଡ଼ିଆମାନେ ଲୋପ ପାଇ ଯାଇ ନାହାନ୍ତି; ସେମାନେ ଦ୍ରୁତ ପରିବର୍ତ୍ତନଶୀଳ ଅର୍ଥନୀତି ସହିତ ନିଜକୁ ଖାପ ଖୁଆଇ ଅନ୍ୟାନ୍ୟ ବୃତ୍ତିରେ ଖଞ୍ଜି ହୋଇ ଯାଇଛନ୍ତି। ସେମାନେ ଲକ୍ଷ ଲକ୍ଷ ଶଗଡ଼ ବାହାର କରି ରାଜଧାନୀକୁ ଅବରୋଧ କରି ନାହାନ୍ତି। ଇ-କମର୍ସର ଆବିର୍ଭାବ ପରେ ଛୋଟ ଛୋଟ ଦୋକାନୀମାନେ ପ୍ରଥମେ ପ୍ରମାଦ ଗଣୁଥିଲେ ହେଁ ସେମାନେ ଏହି ନୂତନ ପ୍ରତିଦ୍ବନ୍ଦ୍ବୀ ସହିତ ସହାବସ୍ଥାନ କରିବା ଶିଖିଗଲେଣି ଏବ˚ ସେମାନଙ୍କ ପିଲାମାନେ ଇ-କମର୍ସ କ୍ଷେତ୍ରରେ ନିଯୁକ୍ତି ଲାଭ କରିବାରେ ଲାଗିଲେଣି। କିଏ ଜାଣେ, ମାଗୁଣିର ପଣନାତି ବର୍ତ୍ତମାନ ମୋଟା ଦରମା ପାଇ ଆମାଜନ୍‌ର ଲଜିଷ୍ଟିକ୍‌ସ ପରିଚାଳନା କରୁ ନ ଥିବ?

ଅନିବାର୍ଯ୍ୟ ପ୍ରଗତିଶୀଳ ପରିବର୍ତ୍ତନ ସହିତ ଖାପ ଖାଇବା ପାଇଁ ମାଗୁଣି ଓ ତା’ପିଲାମାନଙ୍କୁ କେହି ଦିନଟିଏ ବି ମହଲତ ଦେଇ ନଥିଲା, ଯେମିତି କେନ୍ଦ୍ର ସରକାର କୃଷି ସ˚ସ୍କାର ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବର ଅସନ୍ତୁଷ୍ଟ ଗୋଷ୍ଠୀମାନଙ୍କୁ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସରକାର ଅଠର ମାସ ପାଇଁ ତିନିଟି ଯାକ ସ˚ସ୍କାର ଆଇନକୁ କାର୍ଯ୍ୟକାରୀ ନକରି ସ୍ଥଗିତ ରଖିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ ‘ସୁମ୍ପିଟର‌୍‌ଙ୍କ ଝଡ଼’ର ସମ୍ମୁଖୀନ କାହାରିକୁ ସେଭଳି ମହଲତ କ୍ବଚିତ୍‌ ମିଳିଥାଏ। ଏହି ସମୟ ମଧୢରେ ସ˚ସ୍କାର ପରବର୍ତ୍ତୀ ପରିସ୍ଥିତି ସହିତ ଖାପ ଖାଇବା ପାଇଁ ଆନ୍ଦୋଳନକାରୀମାନେ ଚେଷ୍ଟା କରିଥାନ୍ତେ। ‘ଏପିଏମ୍‌ସି’ ମଣ୍ତି ବାହାରେ ଖୋଲା ବଜାରରେ ନିଜର ଫସଲ ବିକ୍ରି କଲେ ଲାଭ ହେଉଛି କି ନାହିଁ ଦେଖିଥାନ୍ତେ; ଧାନ ଚାଷରୁ ହଟି ଯାଇ ଅନ୍ୟ ଫସଲ ଉପଜାଇବାକୁ ଚେଷ୍ଟା କରିଥାନ୍ତେ; ଅଡ଼ତିୟାମାନେ ଦଲାଲ ବୃତ୍ତି ତ୍ୟାଗ କରି ଅନ୍ୟ କୌଣସି ଉପାର୍ଜନଶୀଳ ଦିଗରେ ନିଜର ଅର୍ଥବଳ ଓ ବୁଦ୍ଧିବଳ ନିୟୋଜିତ କରିବାକୁ ଚେଷ୍ଟା କରିଥାନ୍ତେ, ଇତ୍ୟାଦି। ଆନ୍ଦୋଳନକାରୀମାନେ ସରକାରଙ୍କର ଏହି ଅଭାବିତ ଉଦାର ପ୍ରସ୍ତାବକୁ ମଧୢ ପ୍ରତ୍ୟାଖ୍ୟାନ କରି ଆନ୍ଦୋଳନ ଅବ୍ୟାହତ ରଖିବେ ବୋଲି କହି ଗତ ଶୁକ୍ରବାର ଦିନ ସରକାରଙ୍କ ସହିତ ଏକାଦଶ ଛେକ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏହା ଲେଖା ହେବା ପର୍ଯ୍ୟନ୍ତ ଏକ ଟ୍ରାକ୍ଟର‌୍‌ ଶୋଭାଯାତ୍ରା ମାଧୢମରେ ରାଜଧାନୀରେ ଆଜିର ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନକୁ ଭଣ୍ତୁର କରିବାକୁ ସେମାନେ ବଦ୍ଧପରିକର ଅଛନ୍ତି।

ଭାରତରେ କୃଷି ଓ କୃଷକଙ୍କର ଉନ୍ନତି ସାଧନ ପାଇଁ କୃଷି କ୍ଷେତ୍ରରେ ଯେଉଁ ‘ସୁମ୍ପିଟର‌୍‌ଙ୍କ ଝଡ଼’ ଭଳି ପରିବର୍ତ୍ତନର ଆବଶ୍ୟକତା ରହିଛି, ସରକାରଙ୍କ ଉଦ୍ୟମରେ ପ୍ରଣୀତ ସ˚ସ୍କାର ଆଇନ ତିନିଟି ତାହା ନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ। ଏକଦା ଦେଶରେ ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ପାଇଁ ସରକାର ସାର, ବିହନ ଆଦିରେ ସବ୍‌ସିଡି, ଫସଲ କ୍ରୟ ପାଇଁ ସର୍ବନିମ୍ନ ସହାୟକ ଦର ବା ‘ଏମ୍‌ଏସ୍‌ପି’ ଆଦି ପ୍ରଦାନ ମାଧୢମରେ ଧାନ ଓ ଗହମ ଉତ୍ପାଦନରେ ବୃଦ୍ଧି ଘଟାଇବା ନିମିତ୍ତ ପଦକ୍ଷେପ ନେଇଥିଲେ। ଏହାର ସୁଫଳ ସ୍ବରୂପ ଦେଶ ଖାଦ୍ୟ ନିରାପତ୍ତା ହାସଲ କଲା, କିନ୍ତୁ ଏଥିଯୋଗୁଁ ଭାରତୀୟ କୃଷି ପ୍ରାୟ ସମ୍ପୂର୍ଣ୍ଣ ରୂପେ ଧାନ-ଗହମ-କୈନ୍ଦ୍ରିକ ହୋଇପଡ଼ିଛି। ସବୁଜ ବିପ୍ଳବ ନାମରେ ପରିଚିତ ଏହି ଉଦ୍ୟମର ପୁରୋଭାଗରେ ଥିବା ପଞ୍ଜାବରେ ଏହି ଧାରା ଏତେ ଗଭୀରକୁ ଚାଲିଯାଇଛି ଯେ ସେଥିରେ ଅତ୍ୟାବଶ୍ୟକ ହୋଇପଡ଼ିଥିବା ପରିବର୍ତ୍ତନ ଘଟାଇବାକୁ କୌଣସି ଉଦ୍ୟମ ହେଲେ, ସେଥିପ୍ରତି ବିରୋଧ ଚରମ ଶ୍ରେଣୀର ହେଉଛି।

ଏହି ବ୍ୟବସ୍ଥାର ଏକ ବହୁ ଚର୍ଚ୍ଚିତ କୁପରିଣାମ ହେଉଛି- ଅନାବଶ୍ୟକ ଶସ୍ୟ ଉତ୍ପାଦନ। ପ୍ରତିଶ୍ରୁତିବଦ୍ଧ କେନ୍ଦ୍ର ସରକାର କରଦାତାଙ୍କ ଅର୍ଥ ବିନିଯୋଗ କରି ଖାଦ୍ୟ ନିରାପତ୍ତାର ଆବଶ୍ୟକତା ଠାରୁ ବହୁ ଅଧିକ ଶସ୍ୟ ସ˚ଗ୍ରହ କରି ମହଜୁଦ ପାଇଁ ସ୍ଥାନାଭାବରୁ ମୂଷାମାନଙ୍କୁ ଖୁଆଉଛନ୍ତି, କିମ୍ବା ପାଗର ଦୟା ଉପରେ ନିର୍ଭର କରି ନଷ୍ଟ ହେବାକୁ ଦେଉଛନ୍ତି। ଏହା କୌଣସି ବଦାନ୍ୟ ବ୍ୟକ୍ତି ନିଜର ଦରକାର ନ ଥିଲେ ମଧୢ ଦାଣ୍ତକୁ ଆସିଥିବା କୌଣସି ବିକାଳିଙ୍କର ସବୁତକ ପଣ୍ୟ କିଣି ନେଇ ବାଡ଼ିପଟେ ଫିଙ୍ଗି ଦେବା ଭଳି କାର୍ଯ୍ୟ।

ସେଇଭଳି ଅନ୍ୟ ଏକ ଘୋର ଚିନ୍ତା ଉଦ୍ରେକକାରୀ ସମସ୍ୟା ହେଉଛି ଧାନ ଚାଷ ଯୋଗୁଁ ପଞ୍ଜାବ ସମ୍ମୁଖୀନ ହେଉଥିବା ଏକ ମରୁଭୂମିକୁ ରୂପାନ୍ତରିତ ହେବାର ସମ୍ଭାବନା। ସେଠାରେ ପରିସ୍ଥିତି ଏପରି ସଙ୍ଗିନ ହୋଇଛି ଯେ ପ୍ରାୟ ଏକ ସପ୍ତାହ ତଳେ ଦେଶର ଜଣେ ପ୍ରସିଦ୍ଧତମ ତଥା ବରିଷ୍ଠତମ କୃଷି ଅର୍ଥନୀତିଜ୍ଞ, ପଞ୍ଜାବର ସନ୍ତାନ ୯୩ ବର୍ଷୀୟ ପଦ୍ମଭୂଷଣ ଦ୍ବାରା ସମ୍ମାନିତ ଡକ୍ଟର‌୍‌ ସର୍ଦ୍ଦାରା ସି˚ହ ଜୋହୀ ଗଣମାଧୢମକୁ ଏକ ସାକ୍ଷାତ୍‌କାର ଦେଇ ମତ ପ୍ରକାଶ କରିବା ଦେଖାଯାଇଥିଲା ଯେ ପଞ୍ଜାବକୁ ମରୁଭୂମି ପାଲଟିବାରୁ ରକ୍ଷା କରିବାର ସର୍ବୋତ୍କୃଷ୍ଟ ଉପାୟ ହେଉଛି ସେଠାରୁ ଧାନ ଓ ଗହମ ଚାଷକୁ ଅପସାରିତ କରି ଉତ୍ତରପ୍ରଦେଶ, ବିହାର ଏବ˚ ପଶ୍ଚିମବଙ୍ଗର ୫୦ ଲକ୍ଷ ହେକ୍ଟର ପରିମିତ ଗାଙ୍ଗେୟ ସମତଳ ଅଞ୍ଚଳର ଜମିକୁ ନେଇଯିବା। ସୂଚାଇବା ଅନାବଶ୍ୟକ, ଡକ୍ଟର‌୍‌ ଜୋହୀଙ୍କ ପ୍ରସ୍ତାବ ମୂଳରେ ଯାହା ରହିଛି, ତାହା ହେଲା ପଞ୍ଜାବରେ ଧାନ ଚାଷ ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ଭୂତଳ ଜଳ ସ୍ତର ହ୍ରାସ ସଙ୍କଟ। ଆଶୁ ଲାଭାନ୍ଧ ଆନ୍ଦୋଳନକାରୀମାନଙ୍କ ଠାରେ ଡକ୍ଟର‌୍‌ ଜୋହୀଙ୍କର ଦୂରଦୃଷ୍ଟି ଥିବା ଭଳି ମନେ ହେଉ ନାହିଁ ଏବ˚ ସେମାନଙ୍କୁ ଉସ୍‌କାଉଥିବା ରାଜନୈତିକ ନେତାମାନଙ୍କର ଉଦ୍ଦେଶ୍ୟ ଅବଶ୍ୟ ଭିନ୍ନ- ସମ୍ପୂର୍ଣ୍ଣ ରାଜନୈତିକ।

ଉପଯୁକ୍ତ ଅଣ-ଶସ୍ୟ ଫସଲ ଚାଷ ଓ ପ୍ରକ୍ରିୟାକରଣ କୃଷକଙ୍କର ଆୟରେ ଆଶାତୀତ ବୃଦ୍ଧି ଘଟାଇ ପାରିବ, ଯାହା ନୂତନ ଆଇନରେ ଥିବା ଚୁକ୍ତିବଦ୍ଧ ଚାଷ ବ୍ୟବସ୍ଥା ଦ୍ବାରା ସମ୍ଭବ ହେବ। ଅନ୍ୟ ଏକ ଆଇନ ପ୍ରଦାନ କରିଥିବା ଫସଲ ବିକ୍ରୟ ସ୍ବାଧୀନତା କୃଷକ ନିଜର ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ପାଇବାରେ ସହାୟକ ହେବ। ଏବ˚ ଅନ୍ୟ ଏକ ଆଇନ ‘ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ’ର ଉଚ୍ଛେଦ ସାଧନ କରି ଉତ୍ପାଦିତ ଫସଲର ଦୀର୍ଘକାଳୀନ ମହଜୁଦ ସମ୍ଭବ କରିବା ଦ୍ବାରା କୃଷକ ବିକଳ ବିକ୍ରି ଭଳି ବିପଦରୁ ରକ୍ଷା ପାଇବେ।

ଏହି ଆଇନ ତିନିଟି ଦ୍ବାରା କୃଷକଙ୍କର କିଭଳି କ୍ଷତି ଘଟିବ ତାହା କେହି ଯୁକ୍ତିନିଷ୍ଠ ଭାବରେ ବୁଝାଇ ପାରିନାହିଁ। ଯଦି ଦେଶର କୃଷକମାନଙ୍କୁ ଚିରକାଳ ଏକ ନୀଚା ଆୟ ଯନ୍ତା ଭିତରେ ପକାଇ ରଖିବା ଉଦ୍ଦେଶ୍ୟ, ତେବେ ଆନ୍ଦୋଳନକାରୀ ଓ ତାଙ୍କର ପୃଷ୍ଠପୋଷକମାନେ କୃଷି ସ˚ସ୍କାର ଆଇନ ରୂପକ ‘ସୁମ୍ପିଟର‌୍‌ଙ୍କ ଝଡ଼’କୁ ପ୍ରତିରୋଧ କରି ଚାଲନ୍ତୁ। ଝଡ଼ର ସୁବର୍ଣ୍ଣ ଫସଲକୁ ହାତଛଡ଼ା କରନ୍ତୁ।

ସମ୍ବନ୍ଧିତ ଖବର