ମର୍ଯ୍ୟାଦାର ଲଢ଼େଇ

ପରବର୍ତ୍ତୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଶକ୍ତିଙ୍କ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବଳ କଷାକଷି ଲାଗି ଅବଗଣନା ଆରମ୍ଭ ହୋଇଯାଇଛି। ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଲାଗି ସୂଚୀ ଘୋଷିତ ହୋଇଛି। ଚଳିତ ମାସ ୩୦ରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଫେବ୍ରୁଆରି ୨୪ରେ ମତଦାନ ପରେ ୨୮ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ସହ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ବରଗଡ଼ ଜିଲ୍ଲାର ୨ ଲକ୍ଷ ୨୧ ହଜାର ମତଦାତା ବିଶିଷ୍ଟ ମୁଖ୍ୟତଃ ଏହି ଗ୍ରାମାଞ୍ଚଳ ବିଧାନସଭା ନିର୍ବାଚନ ମଣ୍ଡଳୀ- ବିଜେପୁର ପୂର୍ବରୁ ରାଜନୈତିକ ଦୃଷ୍ଟିରୁ ଏତିକି ଗୁରୁତ୍ୱ ପାଇ ନଥିଲା, ଯେତିକି ଗୁରୁତ୍ୱ ବର୍ତ୍ତମାନ ପାଉଛି। ଏହା ପ୍ରଥମ ନୁହେଁ, ଯେତେବେଳେ ବିଜେପୁର ଆସନ ଲାଗି ଉପ-ନିର୍ବାଚନ ହେଉଛି। ସତେଇଶ ବର୍ଷ ପୂର୍ବେ ତତ୍କାଳୀନ ବିଧାୟକ ନିକୁଞ୍ଜ ସିଂହଙ୍କ ବିୟୋଗ ଫଳରେ ୧୯୯୧ରେ ଏହି ଆସନ ପାଇଁ ଉପ-ନିର୍ବାଚନ ହୋଇଥିଲା। କିନ୍ତୁ ୧୯୯୧ର ଉପ-ନିର୍ବାଚନ ସହ ତୁଳନା କଲେ ୨୦୧୮ର ଉପ-ନିର୍ବାଚନ ଶହେଗୁଣ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଏହା ଅଯଥା ମଧ୍ୟ ନୁହେଁ। ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ବିଜେପୁର ମର୍ଯ୍ୟାଦାର ପ୍ରଶ୍ନ। ଉପ-ନିର୍ବାଚନର ଫଳାଫଳ ରାଜ୍ୟର ସାଂପ୍ରତିକ ରାଜନୈତିକ ସମୀକରଣ ବା ସ୍ଥିତାବସ୍ଥାକୁ ପ୍ରଭାବିତ କରିବା ସମ୍ଭାବନା କମ୍‌। କିନ୍ତୁ ଏହା ନିଶ୍ଚିତ ଭାବେ ଆଗାମୀ ଦିନରେ ରାଜନୈତିକ ପାଣିପାଗ ଓ ଭୋଟର ଭଗବାନଙ୍କ ମନରେ କ’ଣ ଅଛି ସେ ସମ୍ପର୍କରେ ଦିଗବାରେଣୀ ଭାବେ ଯଥେଷ୍ଟ ସଂକେତ ଦେବ। ଫେବ୍ରୁଆରି ୨୪ ଲଢ଼େଇ ଫଳାପଳର ପ୍ରଭାବ କେବଳ ବିଜେପୁର କିମ୍ବା ବରଗଡ଼ ଜିଲ୍ଲାରେ ସୀମିତ ରହିବ ନାହିଁ। ସାମଗ୍ରିକ ଭାବେ ପୂରା ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହେବ।

ଯେହେତୁ, ଖାଲି ହେବା ଦିନଠାରୁ ଆସନର ରାଜନୈତିକ ଗୁରୁତ୍ୱକୁ ସବୁ ପ୍ରତିଦ୍ୱନ୍ଦ୍ୱୀ ଦଳ ଠଉରାଇ ନେଇଥିଲେ, ଗତ ପାଞ୍ଚ ମାସ ହେଲା ବିଜେପୁରରେ ନିର୍ବାଚନ ପ୍ରାୟ ବାତାବରଣରେ ଉଷ୍ଣତା ଜାରି ରହିଛି। ସେଠାରେ ଏକପ୍ରକାର ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି ଓ ତିନି ପ୍ରତିଦ୍ୱନ୍ଦ୍ୱୀ ଛକାପଂଝା ମଧ୍ୟରେ ଅଛନ୍ତି। ମତଦାନ ତାରିଖ ଘୋଷଣା ପରେ ଉଷ୍ଣତା ବହୁଗୁଣ ବୃଦ୍ଧି ପାଇଛି। ତେବେ ଉଲ୍ଲେଖନୀୟ ହେଲା, ଇତିମଧ୍ୟରେ ନିର୍ବାଚନ ମଣ୍ଡଳୀର ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱଙ୍କ ପକ୍ଷ ଅଦଳବଦଳ ରାଜନୈତିକ ବାତାବରଣରେ ଅନିଶ୍ଚିତତା ଆଣିବା ସହ ଭୋଟ ଲଢ଼େଇକୁ ରୋମାଞ୍ଚକର କରି ଦେଇଛି। ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ବିଧବା ପତ୍ନୀଙ୍କ ସମେତ ତାଙ୍କ ବହୁ ସମର୍ଥକ କଂଗ୍ରେସ ଛାଡ଼ି ଏବେ ବିଜେଡିରେ। ଅନ୍ୟପକ୍ଷରେ ୨୦୦୦ରେ ବିଜେଡି ଟିକେଟରେ ନିର୍ବାଚିତ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଛନ୍ତି। ଏହାର ପାଲଟା ଜବାବରେ ପଦ୍ମଦଳର କିଛି ଛାମୁଆ ନେତା ଶଙ୍ଖ ଶିବିରକୁ ଚାଲି ଯାଇଛନ୍ତି। ଏ ଦଳବଦଳ ଓ ମିଶ୍ରଣ ପ୍ରକ୍ରିୟା କେଉଁ ଦଳର ଖାତାରେ କେତେ ଲାଭ ବା କ୍ଷତି ଦର୍ଜ କରିବ, ତାହାର ହିସାବ ଫର୍ଦ ଫେବ୍ରୁଆରି ୨୮ରେ ପ୍ରକାଶ ପାଇବ।

ପ୍ରତ୍ୟେକ ଶିବିରର ଏବେ ଗତିବିଧି ବଢ଼ି ଯାଇଛି। ନିର୍ବାଚନୀ ରଣକୌଶଳକୁ ଚୂଡ଼ାନ୍ତ ରୂପ ଦିଆଯାଇ, ପ୍ରଚାର ଅଭିଯାନର ନକ୍ସା ତିଆରି ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା କେବଳ ମାତ୍ର ଗୋଟିଏ ପ୍ରତିଦ୍ୱନ୍ଦ୍ୱୀ ଦଳ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ କରିଛନ୍ତି। କ୍ଷମତାସୀନ ବିଜେଡ଼ି ପକ୍ଷରୁ ସ୍ୱର୍ଗତ ବିଧାୟକଙ୍କ ବିଧବା ପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯିବ। ୧୯୯୧ ଉପନିର୍ବାଚନରେ ମଧ୍ୟ ସ୍ୱର୍ଗତ ବିଧାୟକ ନିକୁଞ୍ଜ ସିଂହଙ୍କ ବିଧବା ପତ୍ନୀ ପ୍ରାର୍ଥୀ ହୋଇଥିଲେ। ଅବଶ୍ୟ, ସେ ସ୍ୱର୍ଗତ ସ୍ୱାମୀଙ୍କ ଦଳ ଜନତା ପାର୍ଟି ଟିକେଟରେ ଲଢ଼ି ବିଜୟିନୀ ହୋଇଥିଲେ। କଂଗ୍ରେସ ଓ ବିଜେପି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀତ୍ୱ ନେଇ କିଛି ନିଷ୍ପତ୍ତି ହୋଇ ନାହିଁ। ଅକ୍ଟୋବରରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ସମ୍ଭାବନା ଅଧିକ, ହେଲେ ନିଶ୍ଚିତ ନୁହେଁ। ଚାରିଜଣିଆ କଂଗ୍ରେସ ପର୍ଯ୍ୟବେକ୍ଷକ ଦଳ ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ନେଇ ଅନିଶ୍ଚିତତା ଦୂର ହୋଇ ନାହିଁ।

ଦଳ ବଦଳ ଜନିତ ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ, ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳର ପ୍ରାର୍ଥୀ ଚୟନ ନେଇ ଉତ୍କଣ୍ଠା ମଧ୍ୟରେ ଯାହା ଭୋଟ ପଣ୍ଡିତଙ୍କ ପାଇଁ ମର୍ଯ୍ୟାଦାଜନକ ବିଜେପୁର ଲଢ଼େଇର ଫଳାଫଳ ଆକଳନକୁ ଆହ୍ଵାନଭରା କରି ଦେଉଛି, ତାହେଲା ବିଗତ ନିର୍ବାଚନଗୁଡ଼ିକର ଗଣିତ। ବିଜେପୁର ଆସନ କୌଣସି ଦଳର ହାତ ପାଆନ୍ତାରେ ନାହିଁ। କୌଣସି ପ୍ରତିଦ୍ୱନ୍ଦ୍ୱୀ ବିଶେଷ ଦୂରରେ ମଧ୍ୟ ନାହାନ୍ତି। ସମସ୍ତଙ୍କ ପାଇଁ ସମ୍ଭାବନା ପ୍ରାୟ ସମାନ। ପ୍ରଭାବଶାଳୀ ରଣକୌଶଳ, ଉତ୍ତମ ସମନ୍ଵୟ ଓ ସାଂଗଠନିକ ଶକ୍ତି ଦ୍ୱାରା ଯେ କୌଣସି ଦଳ ସମ୍ଭାବନାକୁ ବାସ୍ତବତାରେ ପରିଣତ କରି ଦେଇପାରେ। ଗତ ତିନିଟି ବିଧାନସଭା ନିର୍ବାଚନର ଫଳାଫଳକୁ ଦେଖିଲେ କଂଗ୍ରେସ ଆସନର ସ୍ୱାଭାବିକ ଦାବିଦାର। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଏହି ଆସନରେ ହ୍ୟାଟ୍ରିକ୍‌ କରିଛି। ବିରୋଧୀ ପକ୍ଷରେ ଥାଇ ସୁଦ୍ଧା କଂଗ୍ରେସ ୨୦୦୦ ପରେ ଏହି ଆସନରୁ ଶାସକ ଦଳକୁ ବଞ୍ଚିତ କରି ଆସିଛି। ଅବଶ୍ୟ, ଗତ ତିନିଟି ନିର୍ବାଚନରେ କଂଗ୍ରେସ ଭୋଟ ସଂଖ୍ୟା ଓ ଭୋଟ ପ୍ରତିଶତ ଲଗାତାର କମିଛି। ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ପାଇଥିଲେ ୬୬,୪୦୭ ଭୋଟ। ପରବର୍ତ୍ତୀ ୨୦୦୯ ଓ ୨୦୧୪ରେ ଏହା ଯଥାକ୍ରମେ ୫୬,୮୬୪ ଓ ୫୩, ୨୯୦କୁ ହ୍ରାସ ପାଇଥିଲା। କଂଗ୍ରେସର ଭୋଟ ଶତାଂଶ ମଧ୍ୟ ୨୦୦୪ରେ ୫୩.୯୯ ପ୍ରତିଶତରୁ ୨୦୦୯ ଓ ୨୦୧୪ରେ ଯଥାକ୍ରମେ ୪୦.୯୧ ଓ ୩୨.୧୫ ପ୍ରତିଶତକୁ ଖସି ଆସିଛି।

ତେବେ ଭୋଟ ଭାଗ ହ୍ରାସ ଅପେକ୍ଷା ହ୍ୟାଟ୍ରିକ୍‌ ବିଧାୟକଙ୍କ ବିଧବା ପତ୍ନୀ ବିଜେଡିର ହାତ ଧରିବା କଂଗ୍ରେସ ପାଇଁ ବଡ଼ ଧକ୍କା। ତଥାପି ଲଗାତାର ତିନିଥର ଆସନକୁ ଅକ୍ତିଆର କରି ଆସିଥିବା ସର୍ବପୁରାତନ ଦଳର ବିଜେପୁରରେ ସମ୍ଭାବନାକୁ ଅସ୍ୱୀକାର କରାଯାଇ ନପାରେ। ଉପ-ନିର୍ବାଚନରେ ଶାସକ ବିଜେଡି ନିଜକୁ ଆସନର ପ୍ରମୁଖ ଦାବିଦାର ବିଚାର କରୁଛି। ଏହା ଆଦୌ ଅସ୍ୱାଭାବିକ ନୁହେଁ। ଗତ ତିନିଟି ନିର୍ବାଚନରେ ଦଳ ଦୁଇ ନମ୍ବର ସ୍ଥାନରେ ରହିଆସିଛି। ପ୍ରତ୍ୟେକଥର ଏହାର ଭୋଟ ସଂଖ୍ୟା ପୂର୍ବାପେକ୍ଷା ବଢ଼ିଛି। ବିଜୟୀ ପ୍ରାର୍ଥୀଙ୍କ ସହ ଭୋଟ ବ୍ୟବଧାନ କମିଛି। ୨୦୦୪ରେ ଦଳର ଖାତାରେ ୪୪,୪୮୯ ଭୋଟ ପଡ଼ିଥିବା ବେଳେ ପରବର୍ତ୍ତୀ ଦୁଇଟି ନିର୍ବାଚନରେ ଏହା ଯଥାକ୍ରମେ ୪୭,୮୯୩ ଓ ୫୨,୮୩୨କୁ ବଢ଼ିଛି। ଗତ ଚଉଦରେ ଦଳର ପ୍ରାର୍ଥୀ ମାତ୍ର ୪୫୮ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଇତିମଧ୍ୟରେ ଭୋଟ ବ୍ୟବଧାନକୁ କମାଇ ବାଜି ମାରି ନେବା ଲାଗି ସରକାରଙ୍କ ପକ୍ଷରୁ ବିଜେପୁର ପାଇଁ ସ୍ୱତନ୍ତ୍ର ଭାବେ ଅନେକ ବିକାଶ ମୂଳକ ପ୍ରକଳ୍ପ ଘୋଷଣା କରାଯାଇ ସାରିଛି। ବିକାଶ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ବଳରେ ଦଳ ଏଥର ପରାଜୟର ଧାରା ଭାଙ୍ଗିବା ଆଶାରେ ଅଛି।

ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟିର ବିଜେପୁର ଆସନରେ ବିଶେଷ କୌଣସି ସମ୍ଭାବନା ନଥାନ୍ତା, ଯଦି ଗତ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ବେଶ୍‌ ଜବରଦସ୍ତ ହୋଇ ନଥାନ୍ତା। ଜିଲ୍ଲାପରିଷଦ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ୍‌ରେ ବିଜେପିକୁ ୮୦ ହଜାରରୁ ଅଧିକ ଭୋଟ ମିଳିଛି। ଅନ୍ୟପକ୍ଷରେ ବିଜେଡିର ଭୋଟ ସଂଖ୍ୟା ଏହାର ଅଧା। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗତ ସାଢ଼େ ତିନିବର୍ଷରେ ରାଜନୈତିକ ବାତାବରଣରେ ଆସିଥିବା ପରିବର୍ତ୍ତନରେ ବିଜେପିର ପତିଆରା ଓ ପ୍ରଭାବ ବଢ଼ିଛି। ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଦଳ ପୂର୍ବାପେକ୍ଷା ଅଧିକ ଭୋଟ ପାଇଥିଲା। ଦୁଇ ନିର୍ବାଚନ ମଧ୍ୟରେ ଭୋଟ ସଂଖ୍ୟା ୧୯,୪୯୩ରୁ ୩୦୦୦୧କୁ ବୃଦ୍ଧି ପାଇଥିଲା। ଭୋଟ ଶତାଂଶ ୧୪.୦୨ରୁ ୧୮.୧ ପ୍ରତିଶତକୁ ବୃଦ୍ଧି ପାଇଥିଲା। କେନ୍ଦ୍ରର ଏନ୍‌ଡିଏ ସରକାରର ପ୍ରଦର୍ଶନ ବଳରେ ବିଜେପି ଯଦି ବିଜେପୁର ବାଜି ନେବାର ଆଶା ବାନ୍ଧିଥାଏ, ତେବେ ତାହା ପଛରେ ଦମ୍‌ ନାହିଁ ବୋଲି କୁହାଯାଇ ପାରିବ ନାହିଁ।

ତେଣୁ ଉନିଶ୍‌-ବିଶ୍‌ର ସାମର୍ଥ୍ୟ ଓ ସମ୍ଭାବନା ନେଇ ମଇଦାନକୁ ଓହ୍ଲାଉଥିବା ତିନି ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ମାନ ବିଜେପୁରରେ ବାଜିରେ ଲାଗିଛି। ନେତୃତ୍ୱ ଓ ସାଂଗଠନିକ ଶକ୍ତିର ଏହା ଏକ ପରୀକ୍ଷା। ବିଜେପୁରର ୨ ଲକ୍ଷ ୨୧ ହଜାର ମତଦାତାଙ୍କ ରାୟ ତିନି ପ୍ରତିଦ୍ୱନ୍ଦ୍ୱୀଙ୍କ ଭାଗ୍ୟ ଓ ଭବିଷ୍ୟତକୁ ପ୍ରଭାବିତ କରିବା ସହ ଆଗାମୀ ଦିନରେ ରାଜ୍ୟର ରାଜନୈତିକ ପାଣିପାଗର ମଧ୍ୟ ସଂକେତ ଦେବ।

ସମ୍ବନ୍ଧିତ ଖବର