‘ଏଲିଟ୍‌’ଙ୍କ ପୃଥିବୀ

ସାମ୍ୟବାଦୀମାନଙ୍କ ପାଇଁ ‘ବାଇବ୍‌ଲ’ ଓ ପୁଞ୍ଜିବାଦୀମାନଙ୍କ ପାଇଁ ‘ପ୍ରଳୟ ପୁସ୍ତକ’ ରୂପେ ପରିଚିତ ‘ଦାସ୍‌ କ୍ୟାପିଟାଲ୍‌’ର ରଚୟିତା କାର୍ଲ ମାର୍କ‌୍‌ସ ଏବେ ନିଜର କବର ଭିତରେ ଘୋର ଅସ୍ବସ୍ତିରେ କାଳ କାଟୁଥିବେ। ମାର୍କ‌୍‌ସ ତାଙ୍କ ପୁସ୍ତକରେ ପୁଞ୍ଜିବାଦର ସ୍ବୟ˚କ୍ରିୟ ବିଲୟ ପରେ ଯେଉଁ ସମାଜର ଆବିର୍ଭାବ ସମ୍ବନ୍ଧରେ ଭବିଷ୍ୟବାଣୀ କରିଥିଲେ, ତାହା ଥିଲା ଏକ ‘ଶ୍ରେଣୀହୀନ ସମାଜ’। ଏଭଳି ଏକ ସମାଜର ଆବିର୍ଭାବର କାରଣ ହେଲା- ସେଭଳି ସମାଜର ସମସ୍ତ ସମ୍ପଦର ଏକମାତ୍ର ଅଧିକାରୀ ରାଷ୍ଟ୍ର ହୋଇଥିବାରୁ, ସ୍ବାଭାବିକ ଭାବରେ ସମାଜରେ ସମ୍ପତ୍ତି ମାଲିକାନା ଭିତ୍ତିରେ ସୃଷ୍ଟି ହୋଇ ଆସିଥିବା ଶ୍ରେଣୀ ବିଭାଜନର ବିଲୟ ଘଟିବ ବୋଲି ମାର୍କ‌୍‌ସ ଦୃଢ଼ ନିଶ୍ଚିତ ଥିଲେ।

ପୂର୍ବର ଶ୍ରେଣୀଭିତ୍ତିକ ପୁଞ୍ଜିବାଦୀ ସମାଜର ସ୍ଥାନ ନେବ ଏକ ଶ୍ରେଣୀହୀନ ସର୍ବହରାମାନଙ୍କର ଏକଛତ୍ର ଶାସନ। ଏପରି ଏକ ସମସ୍ତେ-ସମାନ ସମାଜର ଠିକ ବିପରୀତ ହେଉଛି ଏକ ସମାଜ ଯେଉଁଠି ସମାଜର ଶୀର୍ଷ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି ଏକ ବିଶେଷ କ୍ଷମତା ସମ୍ପନ୍ନ ସମ୍ଭ୍ରାନ୍ତ ଗୋଷ୍ଠୀ, ଯେଉଁମାନେ ହିଁ ସେ ସମାଜକୁ ନିଜର ନିୟନ୍ତ୍ରଣରେ ରଖିଥାନ୍ତି। ବିଭିନ୍ନ କ୍ଷେତ୍ରରେ ଉପସ୍ଥିତ ଥିବା ଏହି ବିଶେଷ କ୍ଷମତା ଉପଭୋଗ କରୁଥିବା ବ୍ୟକ୍ତିମାନଙ୍କୁ ଗୋଟିଏ ଶବ୍ଦରେ କୁହାଯାଇଥାଏ- ‘ଏଲିଟ୍‌’। ମାର୍କ‌୍‌ସଙ୍କ ତତ୍ତ୍ବ ଅନୁସାରେ ସାମ୍ୟବାଦର ପ୍ରବର୍ତ୍ତନ ପରେ ସମାଜରୁ ଏହି ‘ଏଲିଟ୍‌’ମାନେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବେ। କିନ୍ତୁ ବାସ୍ତବରେ ତାହା ଘଟିବ କି ନାହିଁ, ତାହାର ସମ୍ଭାବନା ଯେଉଁ ପରବର୍ତ୍ତୀ ଅର୍ଥନୀତିଜ୍ଞ ପରଖ କରିଥିଲେ ସେ ହେଉଛନ୍ତି ବି˚ଶ ଶତାବ୍ଦୀର ଅନ୍ୟତମ ଖ୍ୟାତନାମା ଅର୍ଥନୀତିଜ୍ଞ (ଯିଏ ନିଜକୁ ଜଣେ ଉପରୋକ୍ତ ସମ୍ଭ୍ରାନ୍ତ ଶ୍ରେଣୀର ସଦସ୍ୟ ରୂପେ ଆଜୀବନ ଗର୍ବ କରୁଥିଲେ) ଜୋସେଫ୍‌ ସୁମ୍ପିଟର‌୍‌।

ଇତିହାସକୁ ରୂପ ଦେବାରେ ‘ଏଲିଟ୍‌’ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥାଏ ବୋଲି ସୁମ୍ପିଟର‌୍‌ଙ୍କର ଗଭୀର ବିଶ୍ବାସ ଥିଲା। ଏ ସମ୍ପର୍କରେ ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଥିଓରି ଅଫ୍‌ ଇକୋନମିକ୍‌ ଡେଭେଲପ୍‌ମେଣ୍ଟ୍‌’ (‘ଅର୍ଥନୈତିକ ବିକାଶ ତତ୍ତ୍ବ’) ରେ ଉପସ୍ଥାପନ କରିଥିବା କାରଣ ତାହାର ମୌଳିକତା ପାଇଁ ଏଠାରେ ପ୍ରଣିଧାନଯୋଗ୍ୟ। ସେ କୌଣସି ବ୍ୟକ୍ତିର ସ˚ଗୀତରେ ପାରଦର୍ଶିତାକୁ ଏଠାରେ ଉଦାହରଣ ରୂପେ ବ୍ୟବହାର କରିଛନ୍ତି। ତାଙ୍କର ଯୁକ୍ତି ହେଉଛି ଏଇ ଭଳି: ଆମେ ଧରିନେଇ ପାରିବା ଯେ କୌଣସି ଏକ ସମାଜର ପ୍ରାୟ ଅର୍ଦ୍ଧେକ ଲୋକଙ୍କର ସ˚ଗୀତରେ ଚଳନୀୟ ପାରଦର୍ଶିତା ଥାଏ; ଏକ ଚତୁର୍ଥା˚ଶ ଲୋକଙ୍କର ଏହି ଦକ୍ଷତା କ୍ରମ -ହ୍ରାସମାନ ଶ୍ରେଣୀର ହୋଇଥାଏ ଏବ˚ ଅନ୍ୟ ଏକ ଚତୁର୍ଥା˚ଶ ଲୋକଙ୍କର ସ˚ଗୀତରେ ଦକ୍ଷତା ଚଳନୀୟ ଠାରୁ ଅଧିକ ହୋଇଥାଏ ଓ ଏମାନଙ୍କ ମଧୢରେ ସର୍ବୋଚ୍ଚ ଶ୍ରେଣୀର ଦକ୍ଷତା ଖୋଜି ବସିଲେ ଆବିଷ୍କୃତ ହୁଏ ଯେ ଆଙ୍ଗୁଳିରେ ଗଣିହେବା ଭଳି ମାତ୍ର କେତେଜଣ ଅବିଶ୍ବାସ୍ୟ ପାରଦର୍ଶିତାର ଅଧିକାରୀ ହୋଇଥାନ୍ତି। ସେ ସମାଜରେ ଏହି କତିପୟ ସଦସ୍ୟ ହିଁ ପ୍ରକୃତି ନିର୍ଦ୍ଦେଶିତ ଭାବରେ ଅସାଧାରଣ ସା˚ଗୀତିକ ପାରଦର୍ଶିତା ପ୍ରଦର୍ଶନ କରିଥାନ୍ତି- ଏଇମାନେ ହେଉଛନ୍ତି ସ˚ଗୀତ କ୍ଷେତ୍ରରେ ଥିବା ‘ଏଲିଟ୍‌’।

ସ˚ଗୀତ କ୍ଷେତ୍ରରେ ଯେଉଁ ଭଳି ଦକ୍ଷତାରେ ତାରତମ୍ୟ ଦେଖାଯାଇଥାଏ, ସେହିପରି ନେତୃତ୍ବ ପ୍ରଦର୍ଶନ ଦକ୍ଷତାରେ ମଧୢ ତାରତମ୍ୟ ଦେଖାଯାଇଥାଏ, ଯେଉଁଥିରେ ଅର୍ଥନୈତିକ ନେତୃତ୍ବ ଅନ୍ତର୍ଭୁକ୍ତ। ସୁମ୍ପିଟର‌୍‌ଙ୍କ ଅନୁସାରେ ସମାଜରେ ଖୁବ୍‌ ଅଳ୍ପସ˚ଖ୍ୟକ ବ୍ୟକ୍ତିଙ୍କଠାରେ ଏଭଳି ନେତୃତ୍ବ ଦେବାର ଅପାର ଦକ୍ଷତା ଥାଏ। ସମାଜର ବାକି ଅ˚ଶ ହେଉଛନ୍ତି ଏହି ‘ଏଲିଟ୍‌’ମାନଙ୍କ ଦ୍ବାରା ପଡ଼ିଥିବା ଗୁଳାରେ ଖାପ ଖାଇ ଚଳିବାକୁ ଚେଷ୍ଟା କରୁଥିବା ବାଧୢ ସଦସ୍ୟବର୍ଗ। ସମାଜର ଶୀର୍ଷ ସ୍ଥଳୀ ଦଖଲରେ ଥିବା ଏହି ‘ଏଲିଟ୍‌’ ନେତାମାନେ ବଦଳି ଚାଲନ୍ତି, କିନ୍ତୁ ନେତୃତ୍ବ ଯେମିତିକୁ ସେମିତି ଅପରିବର୍ତ୍ତିତ ରହେ- ସୁମ୍ପିଟର‌୍‌ଙ୍କ ଭାଷାରେ ଏକ ହୋଟେଲ୍‌ ଭଳି, ଯେଉଁଠି ଅତିଥିମାନେ ବଦଳି ଚାଲିଥାନ୍ତି କିନ୍ତୁ ହୋଟେଲ୍‌ ସର୍ବଦା ଲୋକ ଭର୍ତ୍ତି ହୋଇ ରହିଥାଏ। ଏହି ଏଲିଟ୍‌ମାନେ ହିଁ ଇତିହାସକୁ ଦିଗ୍‌ଦର୍ଶନ ଦେଇଥାନ୍ତି।

ମାର୍କ‌୍‌ସଙ୍କ ସାମ୍ୟବାଦୀ ସମାଜରେ ତେବେ କ’ଣ ଘଟିବ? ମାର୍କ‌୍‌ସ୍‌ଙ୍କ ଭବିଷ୍ୟବାଣୀର ସମ୍ପୂର୍ଣ୍ଣ ଖଣ୍ତନ କରି ସୁମ୍ପିଟର‌୍‌ କହିଥିଲେ ସାମ୍ୟବାଦୀ ସମାଜରେ ମଧୢ ‘ଏଲିଟ୍‌’ମାନଙ୍କ ସ୍ଥାନ ପୂର୍ବଭଳି ବଜାୟ ରହିବ। କାରଣ, ଏକ ସାମ୍ୟବାଦୀ ସମାଜ ବଜାର ଭିତ୍ତିକ ମୁକ୍ତ ସମାଜ ନ ହୋଇ ହେବ ଏକ କେନ୍ଦ୍ରୀଭୂତ ପରିଚାଳିତ ସମାଜ। ଏକ ପୂରା ସମାଜକୁ ପରିଚାଳନା କରିବା କୌଣସି ଗୋଟିଏ ବ୍ୟବସାୟ ବା କମ୍ପାନିକୁ ପରିଚାଳନା କରିବା ଠାରୁ ବହୁଗୁଣ ଅଧିକ ଏକ ଦୁରୂହ କାର୍ଯ୍ୟ। ପୂର୍ବର ସା˚ଗୀତିକ ଦକ୍ଷତାର ଉଦାହରଣ ଭଳି ଏଭଳି ଅତିମାନବୀୟ ପରିଚାଳନା ଦକ୍ଷତା ଥିବା ବ୍ୟକ୍ତିଙ୍କ ସ˚ଖ୍ୟା କୌଣସି ଏକ ସାମ୍ୟବାଦୀ ସମାଜରେ ଅତ୍ୟନ୍ତ ବିରଳ ହେବା ସ୍ବାଭାବିକ। ଏହି ‘ଏଲିଟ୍‌’ମାନେ ଅବଲୀଳା କ୍ରମେ ଦେଶର ଅର୍ଥନୈତିକ ନିୟନ୍ତ୍ରଣ କ୍ଷମତା ନିଜ ଅଧିକାରକୁ ନେଇ ଯିବେ। ଏକ ଉନ୍ନତ ପୁଞ୍ଜିବାଦୀ ଅର୍ଥନୀତିର ପରିଚାଳନା ପାଇଁ ଯେଉଁ ଭଳି ବିରଳ ଦକ୍ଷତା ଆବଶ୍ୟକ ହୋଇଥାଏ, ଏକ ସାମ୍ୟବାଦୀ ଅର୍ଥନୀତିର ପରିଚାଳନା ପାଇଁ ମଧୢ ଅନୁରୂପ ଦକ୍ଷତା ଆବଶ୍ୟକ ହୋଇଥାଏ, ଯାହା କେବଳ କେତେକ ‘ଏଲିଟ୍‌’ମାନଙ୍କ ଠାରେ ନିହିତ ଥାଏ।

ସୁମ୍ପିଟର‌୍‌ ଯଦି ବର୍ତ୍ତମାନ ଜୀବିତ ଥାନ୍ତେ, ତେବେ ସେ ବିଗତ ପ୍ରାୟ ତିନି ଦଶନ୍ଧି ଧରି ସ୍ବିଜର‌୍‌ଲାଣ୍ତ୍‌ର ଡାଭସ୍‌ ଠାରେ ଅନୁଷ୍ଠିତ ହୋଇଆସୁଥିବା ପୃଥିବୀର ସର୍ବାଧିକ ମର୍ଯ୍ୟାଦାଜନକ ‘ଏଲିଟ୍‌’ମାନଙ୍କ ବାର୍ଷିକ ସମ୍ମିଳନୀ ଦେଖି ସନ୍ତୋଷପ୍ରକାଶ କରନ୍ତେ ଯେ ମାର୍କ‌୍‌ସ୍‌ଙ୍କର ନୁହେଁ ତାଙ୍କର ଭବିଷ୍ୟବାଣୀ ହିଁ ଶେଷରେ ସତ୍ୟ ପ୍ରମାଣିତ ହୋଇଛି। କାରଣ ୧୯୫୦ରେ ସେ ପରଲୋକ ଗମନ କରିବା ବର୍ଷ ଯେଉଁ ସାମ୍ୟବାଦୀ ଦେଶର ଜନ୍ମ ଘଟିଥିଲା, ଏବ˚ ଯେଉଁ ଦେଶ ବର୍ତ୍ତମାନ ପୃଥିବୀର ଏକମାତ୍ର ଗୁରୁତ୍ବପୂର୍ଣ୍ଣ ସାମ୍ୟବାଦୀ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ, ସେଇ ଚୀନ୍‌ର ସର୍ବୋଚ୍ଚ ଶାସନକର୍ତ୍ତା ଡାଭସ୍‌ରେ ଉପସ୍ଥିତ ପୁଞ୍ଜିବାଦୀ ‘ଏଲିଟ୍‌’ମାନଙ୍କ ଗହଣରେ ସେଇଭଳି ଆସରରେ ଅ˚ଶ ଗ୍ରହଣ କରିବା ଦେଖା ଯାଉଛି, ଯେମିତି ସେ ହେଉଛନ୍ତି ସେଠାରେ ଉପସ୍ଥିତ ପୁଞ୍ଜିବାଦୀ ‘ଏଲିଟ୍‌’ମାନଙ୍କର ଯମଜ ଭ୍ରାତା।

ଚାରିବର୍ଷ ତଳେ ସି ଜିନ୍‌ ପିଙ୍ଗ୍‌ ସର୍ବପ୍ରଥମ ଚୀନା ନେତା ଭାବରେ ଡାଭସ୍‌ଠାରେ ଉପସ୍ଥିତ ହୋଇ ଜଗତ୍‌କରଣ ସପକ୍ଷରେ ଭାଷଣ ଦେଇ ସମସ୍ତଙ୍କୁ ଆଶ୍ଚର୍ଯାନ୍ବିତ କରିଦେବା ପରେ ଏ ବର୍ଷ ଜାନୁଆରି ୨୫ରେ ପୁଣି ଚୀନ୍‌ ସୃଷ୍ଟି କରିଥିବା କରୋନା ଜନିତ ସ˚କଟ ଯୋଗୁଁ ଭିଡିଓ ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଦର୍ଶିତ କରିଛନ୍ତି ଯେ ତୁଣ୍ତରେ ସାମ୍ୟବାଦୀ ହେଲେ ମଧୢ ଅନ୍ତରରେ ସେ ହେଉଛନ୍ତି ସେହିପରି ଏଲିଟ୍‌ବାଦୀ ଯେଉଁଭଳି ଜୋ ବାଇଡେନ୍‌ରୁ (ପ୍ରତିନିଧି ଜନ୍‌ କେରୀ) ନରେନ୍ଦ୍ର ମୋଦୀ (ଜାନୁଆରି ୨୮), କିମ୍ବା ଜର୍ଜ ସୋରାସ୍‌ରୁ ବିଲ୍‌ ଗେଟ୍‌ସ ପର୍ଯ୍ୟନ୍ତ ଅ˚ଶଗ୍ରହଣକାରୀମାନେ ହୋଇଥାନ୍ତି। ଏ ପୃଥିବୀ ହେଉଛି ‘ଏଲିଟ୍‌’ମାନଙ୍କର।

ସମ୍ବନ୍ଧିତ ଖବର