ଅପହୃତ ନେତୃତ୍ବ

ଗଲା ଜାନୁଆରି ୧୬ ତାରିଖରେ େଵବ୍‌ ପତ୍ରିକା ‘ ଦ ପ୍ରିଣ୍ଟ୍‌’ରେ ଏକ ଅତ୍ୟନ୍ତ ମନଛୁଆଁ ଫଟୋ ପ୍ରକାଶ ପାଇଥିଲା। ଫଟୋଟିକୁ ଉଠାଇଥିଲେ ସେହି ପତ୍ରିକାର ଫଟୋ ଜର୍ନାଲିଷ୍ଟ ମନୀଷା ମଣ୍ତଳ, ଯିଏ କୃଷକ ଆନ୍ଦୋଳନର କେନ୍ଦ୍ର ଭାବେ ପରିଚିତ ଦିଲ୍ଲୀର ଦ୍ବାର ଦେଶରେ ଅବସ୍ଥିତ ସି˚ଘୁ ଠାରେ ସେଠାକାର ଗତିବିଧିକୁ ତାଙ୍କ କ୍ୟାମେରାରେ ବନ୍ଦୀ କରିବାର ପ୍ରୟାସ କରିଥିଲେ। ସି˚ଘୁରେ ଆନ୍ଦୋଳନକାରୀମାନଙ୍କ ଦ୍ବାରା ଗଢ଼ା ଯାଇଥିବା ଏକ ଅସ୍ଥାୟୀ ବସତିରେ ସ୍ଥାପିତ ଏକ ଅସ୍ଥାୟୀ ଲାଇବ୍ରେରି ସାମନାରେ ବସି ତିନି ଜଣ ମହିଳା କିଭଳି ବହି ପଢ଼ାରେ ନିମଗ୍ନ, ତାହା ସେହି ଫଟୋରେ ଦର୍ଶା ଯାଇଥିଲା। ସେହି ଫଟୋରେ ଆହୁରି ଯାହା ଦେଖିବାକୁ ମିଳିଥାଏ, ତାହା ହେଉଛି ସେଠାରେ ଥିବା ପୁସ୍ତକ ଆଲମାରିକୁ ଲାଗି ରହିଥିବା ଏକ ଫଳକ ବା ବୋର୍ଡ, ଯାହା ଉପରେ ଉଭୟ ଗୁରୁମୁଖୀ ଏବ˚ ଇ˚ରେଜୀ ଭାଷାରେ ଲିଖିତ ଥିଲା ‘ଉଡତା ପଞ୍ଜାବ ନେହିଁ, ପଢ଼ତା ପଞ୍ଜାବ’(ଉଡୁଥିବା ପଞ୍ଜାବ ନୁହେଁ ପଢୁଥିବା ପଞ୍ଜାବ)। ଏହି ସ୍ତମ୍ଭର ଅଧିକା˚ଶ ପାଠକପାଠିକାଙ୍କୁ ଜଣା ଥାଇପାରେ ଯେ ସେଥିରେ ଯେଉଁ ‘ଉଡତା ପଞ୍ଜାବ’ କଥା କୁହାଯାଇଛି, ତାହା ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ବଲିଉଡ୍‌ ସିନେମା, ଯହିଁରେ ପଞ୍ଜାବକୁ ଏକ ଅସୁଖପ୍ରଦ ଆଲୋକରେ ପ୍ରଦର୍ଶିତ କରାଯାଇଥିଲା। ଏକ ଅତ୍ୟନ୍ତ ପରିଶ୍ରମୀ, ଦାମ୍ଭିକ, ବିଶାଳ ହୃଦୟଧାରୀ ଏବ˚ ଶାନ୍ତିପ୍ରିୟ ନାଗରିକଙ୍କ ରାଜ୍ୟ ପଞ୍ଜାବକୁ ସେହି ସିନେମାରେ ଏଭଳି ଏକ ରୂପ ପ୍ରଦାନ କରାଯାଇଥିଲା, ଯହିଁରୁ ପ୍ରତୀତ ହେବ ସତେ ଯେମିତି ସେହି ରାଜ୍ୟଟି ସ˚ପୂର୍ଣ୍ଣ ରୂପେ ନିଷିଦ୍ଧ ଡ୍ରଗ୍‌ସର ଚୋରାବାଲି ତଳେ ଲୀନ ହୋଇସାରିଛି; ସେଠାକାର ଶାସକ ଦଳର ନେତାଙ୍କ ସ˚ପର୍କୀୟ ହେଉଛନ୍ତି ଜଣେ ଡ୍ରଗ୍‌ସ ମାଫିଆ ଏବ˚ ସେଠାକାର ପୁଲିସ ପ୍ରଶ୍ନାତୀତ ଭାବେ ଦୁର୍ନୀତିଗ୍ରସ୍ତ। କେବଳ ସେତିକି ନୁହେଁ ସେଠାରେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ବିହାରୀମାନେ ଶାରୀରିକ, ମାନସିକ ଏବ˚ ଯୌନ ଶୋଷଣର ଶିକାର। କହିବା ବାହୁଲ୍ୟ ଯେ ଏଭଳି ନୈରାଶ୍ୟଜନକ ଚିତ୍ର ପ୍ରଦାନ କରୁଥିବା ସେହି ଚଳଚ୍ଚିତ୍ର ପଞ୍ଜାବରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ସୁତରାଂ, ଉପରେ ବର୍ଣ୍ଣିତ ସେହି ଫଟୋରେ ଦୃଶ୍ୟମାନ ଫଳକରେ ଯାହା ଉଲ୍ଲିଖିତ ହୋଇଥିବା ଦେଖିବାକୁ ମିଳିଥିଲା, ତାହା ପ୍ରକୃତରେ ଥିଲା ସିନେମାଟି ଦ୍ବାରା ପଞ୍ଜାବ ଉପରେ ଲାଗିଥିବା ଦାଗକୁ ପରିଷ୍କରଣ କରିବାର ଏକ ଉଦ୍ୟମ। କେବଳ ସେତିକି ନୁହେଁ, ଏହା ଦ୍ବାରା ସେଠାରେ ପ୍ରାୟ ଦୁଇ ମାସ କାଳ ଧରି ଚାଲି ଆସିଥିବା କୃଷକ ଆନ୍ଦୋଳନରେ ନିହିତ ଥିବା ଆଦର୍ଶ ଓ ତାର ନେତୃତ୍ବର ପରିପକ୍ବତା ସମ୍ବନ୍ଧରେ ଏକ ଧାରଣା ସୃଷ୍ଟି କରାଯିବାର ପ୍ରୟାସ ମଧ୍ୟ ହୋଇଥିଲା। ସୁତରା˚, ସେହି ପରିପ୍ରେକ୍ଷୀରେ ଗଲା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଠାରେ ଏହି ଆନ୍ଦୋଳନର ଅ˚ଶ ସ୍ବରୂପ ଆୟୋଜିତ ଟ୍ରାକ୍ଟର ଶୋଭାଯାତ୍ରା ଏକ ବିସ୍ଫୋରକ ଓ ହିଂସ୍ର ରୂପ ଧାରଣ କରିବା ଏବ˚ ଆନ୍ଦୋଳନକାରୀମାନଙ୍କ ଦ୍ବାରା ଲାଲକିଲ୍ଲା ଦଖଲ ତଥା ସେଠାରେ ଜାତୀୟ ପତାକାକୁ ଅବମାନନା ପ୍ରଦର୍ଶନ କରାଯିବା ଭଳି ଘଟଣାକ୍ରମ ଯେ ସମସ୍ତଙ୍କୁ ବାକ୍‌ହତ ତଥା ବିଷାଦଗ୍ରସ୍ତ କରିଛି, ତାହା କହିବା ଅନାବଶ୍ୟକ। ତେବେ, ପୃଥିବୀର ଇତିହାସରୁ ବିଭିନ୍ନ ଆନ୍ଦୋଳନ ଅବଲୀଳା କ୍ରମେ ପରିଗ୍ରହଣ କରୁଥିବା ଚରିତ୍ର ବିଷୟରେ ଯେଉଁମାନେ ଅବଗତ ସେମାନେ ଏଡି ଘଟଣା ପ୍ରବାହର ଏଭଳି ମୋଡ଼ ନେଇ ବିଶେଷ ବିସ୍ମୟ ପ୍ରକାଶ କରି ନ ପାରନ୍ତି; କାରଣ ଅଧିକା˚ଶ ଆନ୍ଦୋଳନ ଯେ କୌଣସି ନା କୌଣସି ସମୟରେ ତାର ନେତୃତ୍ବ ଅପହୃତ ହେବାର ଦୁର୍ଭାଗ୍ୟ ଭୋଗ କରିଥାଏ, ସେ ନେଇ ସେମାନେ ଅନ୍ତତଃ ନିଶ୍ଚିତ ଥାଆନ୍ତି।

ଗଲା ସାଧାରଣତନ୍ତ୍ର ଦିବସରେ କୃଷକ ଆନ୍ଦୋଳନରେ ନେତୃତ୍ବ ଅପହରଣର ପ୍ରମାଣ ସେତିକି ବେଳେ ଦେଖିବାକୁ ମିଳିଥିଲା ଯେତେ ବେଳେ ‘ସ˚ଯୁକ୍ତ କିଷାନ ମୋର୍ଚ୍ଚା’ ବା ‘ଏସ୍‌.କେ.ଏମ୍‌.’ର ଅ˚ଶ ହୋଇ ନ ଥିବା ସତ୍ତ୍ବେ ‘କିଷାନ ମଜଦୁର ସ˚ଘର୍ଷ କମିଟି’ର ନେତା ସରଵନ ସି˚ହ ପାନ୍‌ଧେର ଦିଲ୍ଲୀ ପୁଲିସ ଦ୍ବାରା ପ୍ରଦାନ କରାଯାଇଥିବା ଅନୁମତିରେ ରହିଥିବା ସର୍ତ୍ତଗୁଡ଼ିକର ଉଲ୍ଲ˚ଘନ କରି ସକାଳ ୮ଟାରେ ଦିଲ୍ଲୀ ଭିତରକୁ ଟ୍ରାକ୍ଟରଗୁଡ଼ିକ ସହିତ ଧସେଇ ପଶିବା ଲାଗି ଡାକରା ଦେଇଥିଲେ। କେବଳ ସେତିକି ନୁହେଁ ଯେଉଁ ଦୀପ ସିଦ୍ଧୁ(ଅଭିନେତା) ଏବ˚ ତାଙ୍କ ସହଯୋଗୀ ଲଖା ସିଧନାଙ୍କ ଆହ୍ବାନ ଦ୍ବାରା ଉତ୍ତେଜିତ ଆନ୍ଦୋଳନକାରୀଙ୍କ ଉତ୍ତାଳ ତରଙ୍ଗ ଏକ ପ୍ରମତ୍ତ ଭିଡ଼ରେ ରୂପାନ୍ତରିତ ହୋଇଥିଲା, ସେମାନଙ୍କୁ ମଧୢ ‘ଏସ୍‌.କେ.ଏମ୍‌.’ ପକ୍ଷରୁ ଆନ୍ଦୋଳନକୁ ନିଷେଧ କରାଯାଇଥିଲା। ସୁତରା˚, କହିବା ଅନାବଶ୍ୟକ ଯେ ସେହି ସମୟରେ ‘ଏସ୍‌.କେ.ଏମ୍‌.’ର ପ୍ରାୟ ୪୦ ସରିକି ବରିଷ୍ଠ ନେତା ନିଷ୍ପ୍ରଭାବୀ ସାବ୍ୟସ୍ତ ହୋଇ ସାରିଥିଲେ।

ସ୍ବାଭାବିକ ଭାବେ ଏଭଳି ଏକ ଘଟଣା, ଯାହା ଭାରତୀୟ ସାଧାରଣତନ୍ତ୍ରର ଗରିମାକୁ ଭୂଲୁ˚ଠିତ କରିଛି, ସବୁ ଦିଗରୁ ସମାଲୋଚନାର ଶରବ୍ୟ ହୋଇଛି। ଏହି ଆନ୍ଦୋଳନର ମୂଳ ନେତୃବର୍ଗ ମଧୢ ଏହାର ତୀବ୍ର ନିନ୍ଦା କରିଛନ୍ତି। ଦୁଇଟି କୃଷକ ସ˚ଗଠନ ଆନ୍ଦୋଳନରୁ ଓହରି ଯାଇଥିବା ବିଷୟ ମଧୢ ଜଣାପଡ଼ିଛି। କିନ୍ତୁ ଅନେକ ମହଲରେ ଏହା ପଛରେ ଏକ ଷଡ୍‌ଯନ୍ତ୍ର ଥିବା ନେଇ ସନ୍ଦେହ ପ୍ରକଟ କରାଯାଇଛି, ଯହିଁରେ କୃଷକ ଆନ୍ଦୋଳନକୁ ଦୁର୍ନାମଗ୍ରସ୍ତ କରିବା ଲାଗି ଶାସକ ଦଳର ପ୍ରଚ୍ଛନ୍ନ ଭୂମିକା ଆଡ଼କୁ ଇଙ୍ଗିତ କରାଯାଇଛି। ତେବେ, ଏହି ପରିପ୍ରେକ୍ଷୀରେ ଆଲୋଚନା, ବିଚାରବିମର୍ଶ ଓ ମାନସ-ମନ୍ଥନ କଲା ବେଳେ ସମସ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଜନନୀ ଭାବେ ସ୍ବୀକୃତ ଭାରତୀୟ ସ୍ବାଧୀନତା ସ˚ଗ୍ରାମ ବିଷୟ ସ୍ମରଣକୁ ଆସିଥାଏ, ଯହିଁରେ ସ୍ବଳ୍ପ କ୍ଷଣ ଲାଗି ନେତୃତ୍ବ ଅପହୃତ ହୋଇଯିବା ଜନିତ ଦୁର୍ଘଟଣା ଘଟିଥିଲା। ୧୯୨୨ ମସିହା, ଫେବ୍ରୁଆରି ମାସରେ ଘଟିଥିବା ଏହି ଘଟଣାରେ ‘ଚଉରିଚଉରା’ ଠାରେ ଉତ୍‌କ୍ଷିପ୍ତ ଆନ୍ଦୋଳନକାରୀଙ୍କ ଏକ ଦଳ ସେଠାକାର ଏକ ଥାନାରେ ନିଆଁ ଲଗାଇ ଦେଇଥିଲେ, ଯେଉଁଥିରେ ୨୩ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିଲେ। ସେହି ସମୟ ବେଳକୁ ୧୯୨୦ ମସିହାରୁ ଆରମ୍ଭ ଅହି˚ସ ଅସହଯୋଗ ଆନ୍ଦୋଳନକୁ ଦୁଇ ବର୍ଷ ପୂର୍ଣ୍ଣ ହେବାକୁ ବସିଥିଲେ ସୁଦ୍ଧା ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଲାଗି ମାନସିକ ପ୍ରସ୍ତୁତି ସ˚ପୂର୍ଣ୍ଣ ହୋଇନାହିଁ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇ ମ୍ରିୟମାଣ ଗାନ୍ଧୀଜୀ ଅସହଯୋଗ ଆନ୍ଦୋଳନକୁ ସେହି କ୍ଷଣି ବନ୍ଦ କରିଦେଇଥିଲେ। କହିବା ବାହୁଲ୍ୟ ଯେ ଏଭଳି ଏକ ନିଷ୍ପତ୍ତି ସକାଶେ ସେ ସେହି ଆନ୍ଦୋଳନର ଅନ୍ୟାନ୍ୟ ତୁଙ୍ଗ ନେତା ତଥା ତାଙ୍କର ଘନିଷ୍ଠତମ ସହଯୋଗୀମାନଙ୍କ ଦ୍ବାରା ବିରୋଧ ଓ ସମାଲୋଚନାର ଶରବ୍ୟ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଭଳି ଜଣେ ସର୍ବମାନ୍ୟ ନେତାଙ୍କ ହାତରୁ ଆନ୍ଦୋଳନର ଡୋର ମୁହୂର୍ତ୍ତକ ଲାଗି ଖସି ଯାଇଥିବାର ଦୃଷ୍ଟାନ୍ତ ଯାହା ଦର୍ଶାଇଥାଏ ତାହା ହେଲା ଏଭଳି ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନେତୃତ୍ବ ନେବାରେ ନିହିତ ଥିବା ବିପଦ, ଯାହା ଏହାର ପରିଚାଳନାରେ ଅଧିକ ସତର୍କତା ଦାବି କରିଥାଏ।

ଚଉରିଚଉରା ଘଟଣା ସ˚ଘଟିତ ହେବା ବେଳେ ଗାନ୍ଧୀଜୀ ଘଟଣାସ୍ଥଳ ଠାରୁ ଅନେକ ଦୂରରେ ଥିଲେ ମଧୢ ଆନ୍ଦୋଳନର ନେତା ସ୍ବରୂପ ଏହାର ଦୋଷ ନିଜ ମୁଣ୍ତକୁ ନେଇ ଇ˚ରେଜ ସରକାରଙ୍କ ଠାରେ କଠୋରତମ ଦଣ୍ତ ଲାଗି ଗୁହାରି କରିଥିଲେ। ସେହି ପରିପ୍ରେକ୍ଷୀରେ କୁହାଯିବା ଉଚିତ ଯେ କୃଷକ ଆନ୍ଦୋଳନର ବରିଷ୍ଠ ନେତାମାନେ ମଧୢ ଗାନ୍ଧୀଜୀଙ୍କ ପଦାଙ୍କ ଅନୁସରଣ କରି ଏହି ଅଘଟଣରେ ଆପଣା ଉତ୍ତର-ଦାୟିତ୍ବ ନେବାର ପରିପକ୍ବତା ପ୍ରଦର୍ଶନ କରନ୍ତୁ। ଏହା ଦ୍ବାରା କୃଷକ ଆନ୍ଦୋଳନରେ ନିହିତ ଥିବା ପ୍ରକୃତ ଗାନ୍ଧୀୟ ଶାନ୍ତିପୂର୍ଣ୍ଣ ଚରିତ୍ର ପ୍ରତିଷ୍ଠିତ ହେବ। କେବଳ ସେତିକି ନୁହେଁ ଆନ୍ଦୋଳନକାରୀ ନେତାମାନେ ଏହା ହୃଦୟଙ୍ଗମ କରିବା ଉଚିତ ଯେ କୌଣସି ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନେତୃତ୍ବ ଅଧିକ ଦାୟିତ୍ବ ଓ ପରିପକ୍ବତାର ଅପେକ୍ଷା ରଖେ କାରଣ ସେହି ନେତୃତ୍ବ ଅପହୃତ ହୋଇଯିବାର ଆଶଙ୍କା ଏକ ଛାୟା ଭଳି ସର୍ବଦା ଆନ୍ଦୋଳନର ପଶ୍ଚାତ୍‌ଧାବନ କରୁଥାଏ।

ସମ୍ବନ୍ଧିତ ଖବର