‘ଦ ବ୍ରେଡ୍‌ ଵିନର୍‌ ଗେଟ୍‌ସ ଦ ସଫିସିଏଣ୍ଟ୍‌ ଫୁଡ୍‌, ଦ ଚିଲ୍‌ଡ୍ରେନ୍‌ ଗେଟ୍‌ ଦ ନେକ୍‌ସଟ ଏଣ୍ତ ଦ ଉମେନ୍‌ ଟେକ୍‌ ଦ ରେଷ୍ଟ୍’ ଭଳି ଯେଉଁ ବାକ୍ୟଟି ବାଇବ୍‌ଲର ଏକ ଉଦ୍ଧୃତି ତୁଲ୍ୟ ମନେ ହୋଇଥାଏ, ପ୍ରକୃତରେ ହେଉଛି ହାଇଦ୍ରାବାଦ ସ୍ଥିତ ‘ସେଣ୍ଟର ଫର ଇକୋନୋମିକ୍‌ ଏଣ୍ତ ସୋସିଆଲ ଷ୍ଟଡିଜ’ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ସ୍ଥାନିତ ବାକ୍ୟ, ଯହିଁରେ ପାର˚ପରିକ ଭାରତୀୟ ପରିବାରରେ ପ୍ରଚଳିତ ଥିବା ଖାଦ୍ୟ ଗ୍ରହଣ କରିବାର ପ୍ରଥା ସମ୍ବନ୍ଧରେ ଧାରଣା ମିଳିଥାଏ। ଉପର ବର୍ଣ୍ଣିତ ଇ˚ରେଜୀ ବାକ୍ୟରେ ଯାହା କୁହାଯାଇଛି, ସେଥି ସହିତ ଅଧିକା˚ଶ ଭାରତୀୟ ପରିବାର ପରିଚିତ ଏବ˚ ଯାହାର ଅନୁବାଦ ହେଲା- ‘ପରିବାରର ଅନ୍ନ ଉପାର୍ଜନକାରୀ ପ୍ରଥମେ ଓ ଯଥେଷ୍ଟ ଖାଇବେ, ତାଙ୍କ ପରେ ଖାଇବେ ପରିବାରର ସନ୍ତାନ ଗଣ ଏବ˚ ପରିଶେଷରେ ଯାହା ଅବଶିଷ୍ଟ ତାହା ନାରୀମାନଙ୍କ ଭାଗ୍ୟରେ ରହିବ।’ ଏହି ରିପୋର୍ଟଟିର ନିଷ୍କର୍ଷ ଥିଲା ଏହା ଯେ ଏଭଳି ଲିଙ୍ଗଗତ ବୈଷମ୍ୟ ହିଁ ଭାରତୀୟ ନାରୀମାନଙ୍କ ଠାରେ ପରିଦୃଷ୍ଟ ଅପପୁଷ୍ଟି ଏବ˚ ରକ୍ତହୀନତାଜନିତ ଅନେକ ରୋଗର ପ୍ରମୁଖ କାରଣ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ମହିଳାମାନଙ୍କ ମଧୢରୁ ୫୧% ରକ୍ତହୀନତା ଏବ˚ ୨୨% ପୁଷ୍ଟିହୀନତାର ଶିକାର ଏବ˚ ଏହି ବୈଷମ୍ୟର ଚିତ୍ର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦୃଶ୍ୟମାନ। ସୁତରା˚, ଏଥିରୁ ଯାହା ସ୍ବାଭାବିକ ଭାବେ ସ୍ପଷ୍ଟ ହୋଇଥାଏ, ତାହା ହେଲା ଭାରତୀୟ ମହିଳାମାନଙ୍କ ମଧୢରେ ରୁଗ୍‌ଣତାର ପ୍ରାଦୁର୍ଭାବ ପୁରୁଷମାନଙ୍କ ତୁଳନାରେ ଅଧିକ। କିନ୍ତୁ ଏହାକୁ ପ୍ରମାଣ କରିବା ଲାଗି ତଥ୍ୟ ଖୋଜି ବସିଲେ ନିରାଶ ହେବାକୁ ପଡ଼େ। କାରଣ ବିଭିନ୍ନ ସମୟରେ ଡାକ୍ତରଖାନାଗୁଡ଼ିକର ‘ଆଉଟ୍‌ଡୋର’ରେ ପ˚ଜିକୃତ ହେଉଥିବା ରୋଗୀମାନଙ୍କ ସ˚ଖ୍ୟାକୁ ବିଶ୍ଳେଷଣ କଲେ ଏହାର ଠିକ ବିପରୀତ କଥାଟି ଦେଖିବାକୁ ମିଳିଥାଏ। ଏହି ପରିପ୍ରେକ୍ଷୀରେ ୨୦୧୬ରେ ନୂଆଦିଲ୍ଲୀର ‘ଅଲ ଇଣ୍ତିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନସେସ୍‌’ ବା ‘ଏମ୍‌ସ’ରେ ଗୋଟିଏ ବର୍ଷରେ ପ˚ଜିକୃତ ହୋଇଥିବା ୨୩ ଲକ୍ଷ ୭୭ ହଜାର ୨୮ ଜଣ ରୋଗୀଙ୍କ ମଧୢରେ ମହିଳାଙ୍କ ହାର ଥିଲା ମାତ୍ର ୩୭ ପ୍ରତିଶତ। ସୁତରା˚, ଏଥିରୁ ଲିଙ୍ଗଗତ ବୈଷମ୍ୟଜନିତ ଆଉ ଯେଉଁ ଏକ ସମସ୍ୟାଟି ଉଜାଗର ହୋଇଥାଏ, ତାହା ହେଲା ପରିବାରର ମହିଳାମାନେ ସ୍ବାସ୍ଥ୍ୟ ସେବା ପାଇବାରୁ ବ˚ଚିତ ହେବା ଭଳି ଏକ ଅବାଂଛିତ ବାଧୢବାଧକତା।

Advertisment

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ନିମ୍ନ ଏବ˚ ମଧୢମ ଆୟକାରୀ ବର୍ଗୀୟ ପରିବାରର ମହିଳାମାନେ ‘ନ ଗଲେ ନ ଚଳେ’ ଭଳି ସ୍ଥିତି ନ ଉପୁଜିଲେ ସେମାନଙ୍କ ରୋଗକୁୁ ନେଇ ଡାକ୍ତରଖାନରେ ପହଞ୍ଚି ନ ଥାଆନ୍ତି। ଏହି ପରିପ୍ରେକ୍ଷୀରେ ‘ଏସିଆନ୍‌ ପାସିଫିକ୍‌ ପବ୍ଲିକ୍‌ ହେଲ୍‌ଥ ଜର୍ନାଲ’ରେ ପ୍ରକାଶିତ ଆଲେଖ୍ୟ କହିଥାଏ ଯେ ଡାକ୍ତରଙ୍କ ପରାମର୍ଶ ନେବା ଜନିତ ବିଳମ୍ବରୁ ସ୍ତନ ଓ ଜରାୟୁ ଗ୍ରୀବା କର୍କଟ ଦ୍ବାରା ହେଉଥିବା ମୃତ୍ୟୁରୁ ପ୍ରାୟ ୫୦% ଘଟିଥାଏ। ତେବେ, ଭାରତୀୟ ପରିବାରର ମହିଳାମାନଙ୍କ ଲାଗି ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବା ପଛରେ ନିହିତ କାରଣଟି ହେଲା ପରିବାରକୁ ଚଳନକ୍ଷମ କରି ରଖିବା ଲାଗି ଅନିବାର୍ଯ୍ୟ ସେବା ଓ ସାହଚର୍ଯ୍ୟ ଯୋଗାଇବାରେ ନାରୀମାନଙ୍କ ନିରବ, ଅବୈତନିକ ଓ ବିକଳ୍ପହୀନ ଭୂମିକା; ଯାହା ସମ୍ଭବତଃ ସେମାନଙ୍କୁ ନିଜ ଲାଗି ସମୟ ବାହାର କରିବାକୁ ଅକ୍ଷମ କରାଇଥାଏ।

‘ଅକ୍‌ସଫାମ୍‌’ ଦ୍ବାରା ପ୍ରସୂତ ଏକ ଅନୁଶୀଳନମୂଳକ ରିପୋର୍ଟ କହିଥାଏ ଯେ ଭାରତୀୟ ମହିଳାମାନେ ପରିବାରର ସେବା ଓ ସାହଚର୍ଯ୍ୟ ଲାଗି ଦୈନିକ ୩.୨୬ ବିଲିଅନ(୧ ବିଲିଅନ ହେଉଛି ୧୦୦ କୋଟି) କାର୍ଯ୍ୟ ଘଣ୍ଟା ବ୍ୟୟ କରନ୍ତି; ଯାହାକୁ ପେସାଦାର ବୃତ୍ତିରେ ପରିବର୍ତ୍ତନ କରାଗଲେ ୧୧ ନିୟୁତ ନିଯୁକ୍ତି ସୃଷ୍ଟି ହୁଅନ୍ତା ଏବ˚ ମହିଳାମାନଙ୍କ ଦ୍ବାରା ଏଭଳି ଅବଦାନର ମୂଲ୍ୟକୁ ଆର୍ଥିକ ଭାବେ ରୂପାନ୍ତରିତ କରାଗଲେ ତାହା ହେବ ଦେଶର ଜାତୀୟ ଆୟ ବା ‘ଜି.ଡି.ପି.’ର ପ୍ରାୟ ୩ ପ୍ରତିଶତ। ତେବେ, ଏଭଳି ଏକ ସ୍ଥିତିରୁ ଯେଉଁ ପରିଣାମମାନ ସୃଷ୍ଟି ହେବା ଲକ୍ଷ୍ୟ କରାଯାଉଛି, ସେଗୁଡ଼ିକ ହେଲା ନାରୀ ଶିକ୍ଷାର ହତାଦର, ସେମାନଙ୍କୁ ଶୀଘ୍ର ବିବାହ କରାଇ ଦେବାର ପ୍ରବଣତା ଏବ˚ ତଜ୍ଜନିତ ଶୋଷଣ, ଅପପୁଷ୍ଟି ଓ ରୋଗ ଦ୍ବାରା ଶରବ୍ୟ ହେବାର ବାଧୢବାଧକତା।

ସୁତରା˚, ଯେତେବେଳେ ଅଧିକ ସଂଖ୍ୟକ ବାଳିକା ଅଧାରୁ ସ୍କୁଲ ଶିକ୍ଷା ଛାଡୁଥିବା ଦେଖିବାକୁ ମିଳୁଛି, ସେତିକି ବେଳେ ଏହାର ଏକ ବଡ଼ କାରଣ ଯେ ଘର କାମରେ ସମୟ ଦେବାର ଅନିବାର୍ଯ୍ୟତା, ତାହା କହିବା ବାହୁଲ୍ୟ ମାତ୍ର। ଏହି ସ˚ଦର୍ଭରେ ନିକଟରେ ପ୍ରକାଶିତ ଏକ ରିପୋର୍ଟ ବିଶେଷ କୌତୂହଳ ସୃଷ୍ଟିକାରୀ, ଯାହା କହିଥାଏ ଯେ କରୋନାକାଳୀନ ଲକ୍‌ଡାଉନ୍‌ ହେତୁ ଚାଲିଥିବା ‘ଅନ୍‌ଲାଇନ୍‌’ ଶିକ୍ଷାରେ ମଧୢ ବାଳିକାମାନେ ଅଧିକ ସ˚ଖ୍ୟାରେ ‘ଡ୍ରପ୍‌ଆଉଟ୍‌’ ହେବାକୁ ବା ପାଠ ଛାଡ଼ିବାକୁ ବାଧୢ ହୋଇଛନ୍ତି। ଏ ପରିପ୍ରେକ୍ଷୀରେ ‘ଜିଏସ୍‌ଏମ୍‌ଏ’ ଦ୍ବାରା ପ୍ରକାଶିତ ଏକ ସର୍ଭେର ତଥ୍ୟ ପ୍ରଣିଧାନଯୋଗ୍ୟ। ତହିଁରୁ ଜଣାଯାଏ ଯେ ଭାରତରେ ମୋବାଇଲ ଫୋନ୍‌ ଓ ଇଣ୍ଟରନେଟ୍‌ ବ୍ୟବହାରରେ ମଧୢ ଏକ ଲିଙ୍ଗଗତ ବୈଷମ୍ୟ ରହିଛି; ଯହିଁରେ ମାତ୍ର ୪୪% ମହିଳା ଏ ସବୁର ବ୍ୟବହାର କରିବାର ସୁଯୋଗ ପାଆନ୍ତି ଓ ଯହିଁରୁ ମାତ୍ର ୩୫% ସକ୍ରିୟ ବ୍ୟବହାରକାରୀ। ସୁତରା˚, ଏବର ଅନ୍‌ଲାଇନ୍‌ ଶିକ୍ଷା କାଳରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ନିମ୍ନ ଆୟକାରୀ ପରିବାରରେ ଆବଶ୍ୟକତା ମୁତାବକ ସ୍ମାର୍ଟ ଫୋନ୍‌ ଉପଲବ୍‌ଧ ହୋଇ ନ ପାରିବା କାରଣରୁ ଦେଶର ପ୍ରାୟ ୩୨ କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧୢରୁ ଅନେକ ବାଳିକା ‘ଡ୍ରପ୍‌ଆଉଟ୍‌’ ହୋଇଛନ୍ତି। ଏଭଳି ସ୍ଥଳେ ଦେଖିବାକୁ ମିଳିଛି ଯେ ପରିବାରରେ ମାତ୍ର ଗୋଟିଏ ସ୍ମାର୍ଟ ଫୋନ୍‌ ଉପଲବ୍‌ଧ ଥିଲେ ତାହା ବାଳକମାନଙ୍କ ପାଖକୁ ଯାଇଛି।

ଏହି ସ୍ତମ୍ଭରେ ଯଦିଓ ଗ୍ରାମାଞ୍ଚଳ ବା ସହରାଞ୍ଚଳର ନିମ୍ନ ଓ ମଧୢମ ଆୟକାରୀ ବର୍ଗୀୟ ପରିବାରଗୁଡ଼ିକ ବିଷୟ ଉତ୍‌ଥାପନ କରାଯାଇଛି, ଭାରତୀୟ ପୁରୁଷ ଓ ନାରୀଙ୍କ ମଧୢରେ ବୈଷମ୍ୟ ଉଚ୍ଚ ଶିକ୍ଷିତ ଓ ଉଚ୍ଚ ଆୟକାରୀ ବର୍ଗରେ ମଧୢ ଉପସ୍ଥିତ। ‘ଇକୋନୋମିକ୍‌ ଟାଇମ୍‌ସ’ରେ ପ୍ରକାଶିତ ଏକ ତଥ୍ୟରୁ ଚୁମ୍ବକରେ ତାର ଆଭାସ ମିଳିଥାଏ। ସେହି ତଥ୍ୟ କହିଥାଏ ଯେ ବିଭିନ୍ନ ବଡ଼ ବଡ଼ କ˚ପାନିରେ ଅଧିକାରୀ ସ୍ତରରେ ପ୍ରବେଶ କରୁଥିବା ବାଳିକାମାନଙ୍କ ସ˚ଖ୍ୟା ଉତ୍ସାହଜନକ ଥିବା ସତ୍ତ୍ବେ ସେମାନଙ୍କ ଭିତରୁ ମାତ୍ର ୩ ପ୍ରତିଶତ ସି.ଇ.ଓ. ସ୍ତର ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇପାରନ୍ତି। ଏଭଳି ପରିବାରଗୁଡ଼ିକରେ ମଧୢ ଯୌତୁକ ନିର୍ଯାତନା ଠାରୁ ଆରମ୍ଭ କରି ନାନା ପ୍ରକାର ଶୋଷଣ ଦ୍ବାରା ନାରୀମାନେ ଶିକାର ହେଉଥିବା ବିଷୟ ଲକ୍ଷ୍ୟ କରାଯାଏ।

ସୁତରା˚, ଏଭଳି କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଆମ ସମାଜରେ ବିଦ୍ୟମାନ ଲିଙ୍ଗଗତ ବୈଷମ୍ୟ ମହିଳାମାନଙ୍କୁ ସମ୍ଭବତଃ ନିମ୍ନତମ ଜାତିରେ ପରିଣତ କରିଛି; ଯହିଁରେ ସେମାନେ ଦଳିତମାନଙ୍କ ମଧୢରେ ଅଧିକ ଦଳିତ ବା ସ˚ଖ୍ୟାଲଘୁଙ୍କ ମଧୢରେ ଅଧିକ ସ˚ଖ୍ୟାଲଘୁ ହୋଇପଡ଼ିଛନ୍ତି। ଏହା କେବଳ ବିମର୍ଷକର ନୁହେଁ, ରାଷ୍ଟ୍ରର ଭବିଷ୍ୟତ୍‌ ଲାଗି ମଧୢ ଅନୁକୂଳ ନୁହେଁ। ବଜେଟ୍‌ ଉପସ୍ଥାପନ କରାଯିବା ପୂର୍ବରୁ ଗଲା ଶୁକ୍ରବାର ଦିନ ସରକାରଙ୍କ ଦ୍ବାରା ପ୍ରକାଶିତ ‘ଇକୋନୋମିକ୍‌ ସର୍ଭେ’ ରିପୋର୍ଟର ବିଭିନ୍ନ ବିଭାବରେ ମଧୢ ଏହି ବୈଷମ୍ୟର ଚିତ୍ର ପରିଦୃଷ୍ଟ। ଭାରତୀୟ ଜନସ˚ଖ୍ୟାର ଅର୍ଧେକ(୬୭ କୋଟି ମହିଳା) ଏହି ଜାତିରେ ଅନ୍ତର୍ଭୁକ୍ତ ଥିବାରୁ ଏବ˚ ସମାଜ ଓ ରାଷ୍ଟ୍ର ଗଠନରେ ଏମାନଙ୍କ ନିରବ ଭୂମିକା ଅନ୍ୟ ଅର୍ଧେକଙ୍କ ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହି ‘ଜାତି ଭେଦ’ର ନିର୍ମୂଳନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ; ଯେଉଁଥି ସକାଶେ ଉଭୟ ରାଜନୈତିିକ ଓ ସାମାଜିକ ନେତୃତ୍ବ ତଥା ପୃଷ୍ଠପୋଷକତା ଏକ ଅନିବାର୍ଯ୍ୟତା ଭଳିି ମନେ ହୁଏ।