କାପୁରୁଷ ନଥିଲେ

ବର୍ଣ୍ଣାଡ୍‌ ଶ’ ଇଶପ୍‌ଙ୍କ ଏକ କୃତଜ୍ଞତାଭିତ୍ତିକ କାହାଣୀକୁ ଭିତ୍ତି କରି ରଚନା କରିଥିବା ତାଙ୍କର ପ୍ରସିଦ୍ଧ କ୍ଷୁଦ୍ର ନାଟକ ‘ଆଣ୍ତ୍ରୋକ୍ଲସ୍‌ ଆଣ୍ତ୍‌ ଦି ଲାୟନ୍‌’ (‘ଆଣ୍ତ୍ରୋକ୍ଲସ୍‌ ଓ ସି˚ହ’)ର ସୁଦୀର୍ଘ ମୁଖବନ୍ଧର ଏକ ଅ˚ଶରେ ଆଲୋଚନା କରିଥିବା ପ୍ରସଙ୍ଗର ଶିରୋନାମା ଥିଲା: ‘ଯୀଶୁ କ’ଣ ଜଣେ କାପୁରୁଷ ଥିଲେ କି?’ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ସେ କହିଥିଲେ ଯେ ଅଲୌକିକ ଶକ୍ତିର ଅଧିକାରୀ ଯୀଶୁ ଚାହିଁଥିଲେ ତାଙ୍କ ଉପରେ ଅତ୍ୟାଚାର କରୁଥିବା କ୍ରୁଶବିଦ୍ଧକାରୀମାନଙ୍କୁ ଅନାୟାସରେ ପରାହତ କରିପାରିଥାନ୍ତେ। ଏହାକୁ ଆଉ ଟିକିଏ ବିସ୍ତାରିତ କରି ଶ’ ଯୁକ୍ତି ଉପସ୍ଥାପିତ କରିଥିଲେ ଯେ ତୁମେ ସାଇମନ୍‌ ପିଟର‌୍‌ (ସେଣ୍ଟ୍‌ ପିଟର‌୍‌)ଙ୍କ ଭଳି ଯୀଶୁଙ୍କ ଐଶୀ ଶକ୍ତିକୁ ସମ୍ପୂର୍ଣ୍ଣ ବିଶ୍ବାସ କର କିମ୍ବା ସନ୍ଦେହୀମାନଙ୍କ ଭଳି ତାହା ଯୀଶୁଙ୍କ ଏକ ପାଗଳାମି ବୋଲି ବିଚାର କର; ତୁମକୁ ମାନିବାକୁ ପଡ଼ିବ ଯେ ବିନା ପ୍ରତିରୋଧରେ ଯୀଶୁ ନିଜ ଉପରେ ହେଉଥିବା ଅତ୍ୟାଚାରକୁ ସହିଯିବା ତାଙ୍କର କାପୁରୁଷତାର ପରିଚୟ ନଥିଲା।

ଶ’ ଏଠାରେ ଯୀଶୁଙ୍କର ଯେଉଁ ପାଗଳାମି କଥା ଉଲ୍ଲେଖ କରିଛନ୍ତି, ତାହା ହେଲା ନିଜଠାରେ ଐଶୀ ଶକ୍ତି ରହିଛି ବୋଲି ଯୀଶୁ ପ୍ରକାଶ କରିଥିବା ବିଶ୍ବାସ। ସନ୍ଦେହୀମାନଙ୍କ ଦୃଷ୍ଟିରେ ଏହି ଭ୍ରାନ୍ତ ବିଶ୍ବାସ ଯୋଗୁଁ ଯୀଶୁ ତାଙ୍କ ଉପରେ ହୋଇଚାଲିଥିବା ସମସ୍ତ ପ୍ରକାର ଅକଥନୀୟ ଅତ୍ୟାଚାରସବୁକୁ ମଥାପାତି ସହନ କରିଥିଲେ, କାରଣ ସେ ଦୃଢ଼ ନିଶ୍ଚିତ ଥିଲେ ଯେ ଅତ୍ୟାଚାରର ଅନ୍ତିମ ପରିଣାମ ସ୍ବରୂପ ତାଙ୍କର ମୃତ୍ୟୁ ଘଟିବା ପରେ ପରେ ସେ ପୁଣି ନୂତନ ଗୌରବର ଅଧିକାରୀ ହୋଇ ପୁନର୍ଜନ୍ମ ଲାଭ କରିବେ। ଶ’ ଲେଖିଛନ୍ତି, ସେଣ୍ଟ୍‌ ପିଟର‌୍‌ ଠିକ୍‌ ହୁଅନ୍ତୁ କିମ୍ବା ସନ୍ଦେହୀମାନେ ଠିକ୍‌ ହୁଅନ୍ତୁ, ଯୀଶୁ ଯେଉଁଭଳି ସହନଶୀଳତା ପ୍ରଦର୍ଶନ କରି ଅତ୍ୟାଚାରମାନର ସମ୍ମୁଖୀନ ହୋଇଥିଲେ, ତାହା ନିରୀହ ମେଷସୁଲଭ କାପୁରୁଷତା ନଥିଲା, ତାହା ଥିଲା ବୀରୋଚିତ କଷ୍ଟ ସହିଷ୍ଣୁତା, କାରଣ ଯୀଶୁ ଚାହିଁଥିଲେ ନିଜକୁ ସେଇଭଳି ଅନାୟାସରେ ରକ୍ଷା କରି ପାରିଥାନ୍ତେ, ଯେଉଁ ଭଳି ସେ ମନ୍ଦିର ଭିତରୁ ପଇସା ବଦଳକାରୀମାନଙ୍କୁ ତଡ଼ି ଦେଇ ପାରିଥିଲେ।

ଇତିହାସରେ ଯୀଶୁଙ୍କ ପରେ ଆଉ ଜଣେ କେହି ଯଦି ଅନୁରୂପ ପ୍ରତିରୋଧହୀନ ସହିଷ୍ଣୁତା ଦେଖାଇ ବିଶ୍ବବାସୀଙ୍କୁ ଚମତ୍କୃତ କରି ଦେଇଥିଲେ, ସେ ହେଉଛନ୍ତି ଭାରତର ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ, ଯାହାଙ୍କୁ ପୃଥିବୀ ସାରାର ଲୋକମାନେ ମହାତ୍ମା ଗାନ୍ଧୀ ନାମରେ ଜାଣନ୍ତି ଓ ଆମେମାନେ ଭାରତରେ ବାପୁ ରୂପେ ସମ୍ବୋଧନ କରୁ। ନିଜର ବ୍ୟକ୍ତିଗତ ଉଦାହରଣ ବଳରେ ସେ ନିଜ ଦେଶବାସୀଙ୍କଠାରେ ଏଭଳି ଦୃଢ଼ ଆତ୍ମବିଶ୍ବାସ ସୃଷ୍ଟି କରିପାରିଥିଲେ ଯେ ତାଙ୍କର ଦୁର୍ବଳତମ ଅନୁଗାମୀମାନେ ମଧୢ ନିଜ ଠାରେ ଯୀଶୁସୁଲଭ ପ୍ରତ୍ୟୟ ସୃଷ୍ଟି କରି ସ˚ପୂର୍ଣ୍ଣ ଅହି˚ସ ମାର୍ଗ ଅନୁସରଣ କରି ସ୍ବରାଜ ହାସଲ କରିବା ଉଦ୍ଦେଶ୍ୟରେ ସମସ୍ତ ପ୍ରକାର ଶାରୀରିକ ନିର୍ଯାତନା ଅକୁଣ୍ଠ ଚିତ୍ତରେ ସହନ କରିପାରିଥିଲେ।

ତେବେ ଯୀଶୁ ଓ ବାପୁଙ୍କ ମଧୢରେ ଗୋଟିଏ ମୌଳିକ ଫରକ୍‌ ଥିଲା, ଯାହା ବିଶେଷ ପ୍ରଣିଧାନ ଯୋଗ୍ୟ। ଯୀଶୁ ନିଜକୁ ଈଶ୍ବରଙ୍କ ସନ୍ତାନ ଓ ଐଶୀ ଶକ୍ତିର ଅଧିକାରୀ ବୋଲି ବିଶ୍ବାସ କରୁଥିଲେ ଏବ˚ ତାଙ୍କର ଅନୁଗାମୀମାନଙ୍କଠାରେ ଏହି ବିଶ୍ବାସ ସୃଷ୍ଟି କରିଥିଲେ (ଏପରିକି ଶ’ଙ୍କର ଉପରୋକ୍ତ ମନ୍ତବ୍ୟରେ ମଧୢ ଏହି ବିଶ୍ବାସର ଛାୟା ସ୍ପଷ୍ଟ)। ବାପୁ କିନ୍ତୁ କେବେହେଲେ ନିଜକୁ ସେପରି ଐଶୀ ଆଲୋକରେ ପ୍ରଦର୍ଶିତ କରି ନଥିଲେ କିମ୍ବା ତାଙ୍କର ଅନୁଗାମୀମାନେ କେବେହେଲେ ତାଙ୍କୁ ସେଭଳି ଦୃଷ୍ଟିରେ ଦେଖି ନଥିଲେ। ଗାନ୍ଧୀ କେବେ ଭାବିନଥିଲେ ଯେ ତାଙ୍କର ଅହି˚ସ ପ୍ରତିବାଦର ଫଳ ସ୍ବରୂପ ସେ ହି˚ସ୍ର ଆକ୍ରମଣର ଶିକାର ହୋଇ ଯଦି ପ୍ରାଣ ହରାନ୍ତି, ପରମୁହୂର୍ତ୍ତରେ ସେ ପୁଣି ପୁନର୍ଜନ୍ମ ଲାଭ କରି ନିଜକୁ ମହିମା-ମଣ୍ତିତ କରିବେ। ଏବ˚ ଶେଷରେ ବିରୋଧୀମାନଙ୍କ ଦ୍ବାରା ଯୀଶୁ ତାଙ୍କର ବାଣୀ ପ୍ରସାର ପାଇଁ ନିର୍ମମ ଭାବରେ କ୍ରୁଶବିଦ୍ଧ ହୋଇ ପ୍ରାଣ ତ୍ୟାଗ କଲା ଭଳି, ବାପୁ ତାଙ୍କର ମାନବବାଦୀ ଆଚରଣରେ ଅଟଳ ରହିବାର ପରିଣାମ ସ୍ବରୂପ ବିରୋଧୀ ପକ୍ଷର ଗୁଳିରେ ଟଳି ପଡ଼ିଥିଲେ।

ତାଙ୍କର ଯେଉଁ ନିର୍ଦ୍ଦିଷ୍ଟ ଆଚରଣ ପାଇଁ ସେ ଏଭଳି ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ, ତାହା ହେଲା ଭାରତରେ ସ୍ବାଧୀନତାର ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶରେ ସ˚ଖ୍ୟାଲଘୁମାନଙ୍କ ପ୍ରତି ତାଙ୍କର ଅଟଳ ଉଦାର ଆଭିମୁଖ୍ୟ। ଏହି ପୃଷ୍ଠଭୂମିରେ ଏହା ଏକ ଚରମ କ୍ରୂର ବିଡ଼ମ୍ବନା ଯେ ଏ ବର୍ଷ ବାପୁଙ୍କର ତିରୋଧାନ ଦିବସର ମାତ୍ର ଦୁଇଦିନ ପୂର୍ବେ ଗତ ବୁଧବାର ଦିନ କାଲିଫର୍ଣ୍ଣିଆର ଡେଭିସ୍‌ ସହରର ସେଣ୍ଟ୍ରାଲ ପାର୍କରେ ୨୦୧୫ରେ ସ୍ଥାପିତ ହୋଇ ଦଣ୍ତାୟମାନ ଥିବା ଛ’ଫୁଟ୍‌ ଉଚ୍ଚତା ବିଶିଷ୍ଟ ଓ ୯୫୦ ପାଉଣ୍ତ ଓଜନ ବିଶିଷ୍ଟ ଗାନ୍ଧୀଙ୍କର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଗୋଇଠି ପାଖରୁ କାଟି ଧରାଶାୟୀ କରି ଦିଆଯିବା ସହିତ ପ୍ରତିମୂର୍ତ୍ତିର ମୁହଁକୁ ଭାଙ୍ଗି ବିକୃତ କରିଦିଆଯାଇଛି। ବିଡ଼ମ୍ବନା ଏଇଥି ପାଇଁ- ଯେଉଁ ସ˚ଗଠନର ଏହି ଆକମ୍ରଣ ପଛରେ ନିଶ୍ଚିତ ହାତଥିବା ବିଶ୍ବାସ କରାଯାଉଛି, ତାହା ହେଲା କାଲିଫର୍ଣ୍ଣିଆସ୍ଥିତ ଏକ ବହିରାଗତ ଭାରତୀୟ ସ˚ଗଠନ- ‘ଅର୍ଗାନାଇଜେସନ୍‌ ଫର‌୍‌ ମାଇନରିଟିଜ୍‌ ଅଫ୍‌ ଇଣ୍ତିଆ’ (‘ଭାରତର ସ˚ଖ୍ୟାଲଘୁମାନଙ୍କ ପାଇଁ ସ˚ଗଠନ’)।
ଯେଉଁ ସ˚ଖ୍ୟାଲଘୁମାନଙ୍କ ହିତ ସାଧନ ପାଇଁ ଦୃଢ଼ ପ୍ରତିଜ୍ଞ ଥିବାରୁ ବିରୋଧୀଙ୍କ ହାତରେ ବାପୁ ପ୍ରାଣପାତ କରିଥିଲେ, ସେଇ ସ˚ଖ୍ୟାଲଘୁମାନଙ୍କର ଏକ ସ˚ଗଠନ ବିଦେଶ ମାଟିରେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ପରେ ସ୍ବର୍ଗବାସୀ ବାପୁଙ୍କର ପ୍ରତିମୂର୍ତ୍ତି ଉପରେ ଏଭଳି ରାଗ ଶୁଝାଇବା ଯେଉଁଭଳି ଅବୋଧୢ, ସେଇଭଳି ଦୁର୍ଭାଗ୍ୟଜନକ। ୨୦୧୫ରେ ଏହି ପ୍ରତିମୂର୍ତ୍ତି ସ୍ଥାପନର ଅବ୍ୟବହିତ ପୂର୍ବରୁ ଏହି ସ˚ଗଠନ ଏହି ଉଦ୍ୟମର ତୀବ୍ର ବିରୋଧ କରି ଆସୁଥିଲା। ଏଥିପୂର୍ବରୁ ଗତ ଜୁନ୍‌ରେ ଆମେରିକାରେ କୃଷ୍ଣକାୟମାନଙ୍କ ପାଇଁ ନ୍ୟାୟ ବାଟ ଆନ୍ଦୋଳନ ସମୟରେ ବାପୁଙ୍କର ଏହି ପ୍ରତିମୂର୍ତ୍ତି ଉପରେ ଅଶ୍ଳୀଳ ଶବ୍ଦ ସମ୍ବଳିତ ରଙ୍ଗ ବୋଳାଯିବା ମଧୢ ଦେଖାଯାଇଥିଲା। ସେ ସମୟରେ ଵାସି˚ଟନସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ମଧୢ ଅନୁରୂପ ଆକ୍ରମଣର ଶିକାର ହୋଇଥିଲା।

ସ˚ଖ୍ୟାଲଘୁମାନଙ୍କର ଗାନ୍ଧୀଙ୍କ ଉପରେ ଏଭଳି ଆକ୍ରୋଶ ଯେ ସମ୍ପୂର୍ଣ୍ଣ ଭିତ୍ତିହୀନ ତାହା କେବଳ ତାଙ୍କର ଅନ୍ତିମ ପ୍ରାଣବଳି ଦ୍ବାରା ସାବ୍ୟସ୍ତ ହୋଇଥାଏ, ତାହା ନୁହେଁ, ତାଙ୍କର ଦୀର୍ଘ କାଳ ଧରି ପୋଷଣ କରାହୋଇଥିବା ଆଭିମୁଖ୍ୟ ଦ୍ବାରା ମଧୢ ପ୍ରମାଣିତ ହୋଇଥାଏ। ଅତି ସ˚କ୍ଷେପରେ ଏହାର କେତୋଟି ଉଦାହରଣ ଏଥିପାଇଁ ଯଥେଷ୍ଟ ହେବ। ‘ୟଙ୍ଗ ଇଣ୍ତିଆ’ ଓ ‘ହରିଜନ’ ପତ୍ରିକାମାନଙ୍କରେ ୧୯୨୪ରୁ ୧୯୪୬ ପର୍ଯ୍ୟନ୍ତ ବାପୁ ପ୍ରକାଶ କରିଥିବା ଏ ସମ୍ପର୍କିତ କେତେକ ମନ୍ତବ୍ୟ ଏଇ ଭଳି ଥିଲା: ସରକାରୀ ଚାକିରିରେ ସାମ୍ପ୍ରଦାୟିକ ଭେଦଭାବ ରହିବା ଗ୍ରହଣୀୟ ନୁହେଁ; ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କର ସଶକ୍ତୀକରଣ ହେଉଛି ସରକାରଙ୍କ ଦାୟିତ୍ବ; ସ୍ବାଧୀନ ଭାରତରେ ସ˚ଖ୍ୟାଲଘୁମାନଙ୍କ ଉପରେ କୌଣସି ଜୋର ଜବରଦସ୍ତି କରାଯିବ ନାହିଁ; ହିନ୍ଦୁସ୍ଥାନ ହେଉଛି ଯେତିକି ହିନ୍ଦୁମାନଙ୍କର, ସେତିକି ଏଠାରେ ଜନ୍ମିତ ପାର୍ସି, ବେନି ଇସ୍ରାଏଲ୍‌, ଖ୍ରୀଷ୍ଟିଆନ, ମୁସଲମାନ ଓ ଅନ୍ୟ ଅଣ ହିନ୍ଦୁମାନଙ୍କର ମଧୢ, …ଇତ୍ୟାଦି। ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଯେଉଁ ବାପୁ ଏଭଳି ବିଶ୍ବାସରେ ଅଟଳ ଥିଲେ, କେତେକ ଅକୃତଜ୍ଞ ଗୋଷ୍ଠୀଙ୍କର ଏଭଳି ଆକ୍ରମଣ ତାଙ୍କର ଜୀବଦ୍ଦଶାରେ ମଧୢ ସେଥିରେ ପରିବର୍ତ୍ତନ ଘଟାଇ ପାରନ୍ତା ନାହିଁ, ମୃତ୍ୟୁ ପରେ ତ ତାହା ସମ୍ପୂର୍ଣ୍ଣ ନିରର୍ଥକ। କାରଣ, ଯୀଶୁଙ୍କ ଭଳି ମଧୢ ବାପୁ ବି ଜଣେ କାପୁରୁଷ ନ ଥିଲେ।

ସମ୍ବନ୍ଧିତ ଖବର