ଅସହ୍ୟ ଉଶ୍ୱାସ

ଏକ ଅର୍ଥନୀତିର ବିଭିନ୍ନ ପ୍ରକାରର ଶ୍ରେଣୀ ବିଭାଜନ ମଧୢରୁ ଗୋଟିଏ ହେଉଛି ଆନନ୍ଦ ଅର୍ଥନୀତି ଓ ଯନ୍ତ୍ରଣା ଅର୍ଥନୀତି ମଧୢରେ ବିଭାଜନ। ଯେମିତି ରସଗୋଲା ଓ ରୁଟି ମଧୢରେ ଫରକ୍‌। ରସଗୋଲା ତା’ର ଖାଦକକୁ ଯେଉଁ ସନ୍ତୋଷ ପ୍ରଦାନ କରିଥାଏ, ତାହାର ଉତ୍ସ ହେଉଛି ଏହାର ସ୍ବାଦ ବହନ କରୁଥିବା ଆନନ୍ଦ। ରୁଟି କିନ୍ତୁ ତା’ର ଖାଦକକୁ ଯେଉଁ ସନ୍ତୋଷ ପ୍ରଦାନ କରିଥାଏ, ତାହାର ଉତ୍ସ ରୁଟିର ସ୍ବାଦ ବହନ କରୁଥିବା ଆନନ୍ଦ ନୁହେଁ, ତାହାର ଉତ୍ସ ହେଉଛି ଭୋକର କଷ୍ଟ ଦୂର କରୁଥିବା ଉଶ୍ବାସ। ଏହାର ଅନ୍ୟ ଏକ ଉଦାହରଣ ଏଇଭଳି ହୋଇପାରେ: ଅନୁକୂଳ ମୌସୁମୀ ଯୋଗୁଁ ଭଲ ଫସଲ ଅମଳ ହେଲେ ଯେଉଁ ସନ୍ତୋଷ ମିଳିଥାଏ, ତାହା ଆନନ୍ଦ ଅର୍ଥନୀତିର ଅ˚ଶ; ଘଣ୍ଟାକୁ ଦୁଇଶହ କିମି ବେଗରେ ବହୁଥିବା ଆମ ଆଡ଼କୁ ମାଡ଼ିଆସୁଥିବା ଘୂର୍ଣ୍ଣିବାତ୍ୟା ଯେତେବେଳେ ଶେଷ ମୁହୂର୍ତ୍ତରେ ବା˚ଲାଦେଶ ଆଡ଼େ ଦିଗ ପରିବର୍ତ୍ତନ କରି ପଳାଇ ଯାଏ, ସେତେବେଳେ ଆମକୁ ଯେଉଁ ଚରମ ସନ୍ତୋଷ ମିଳିଥାଏ ତାହା ହେଉଛି ଯନ୍ତ୍ରଣା ଅର୍ଥନୀତିର ଅ˚ଶ ଅର୍ଥାତ୍‌ ଯନ୍ତ୍ରଣା ଦୂର ହୋଇଯିବାର ସନ୍ତୋଷ।

ଏ ଦୁଇ ପ୍ରକାର ସନ୍ତୋଷ ମଧୢରୁ ଦ୍ବିତୀୟ ପ୍ରକାରର ସନ୍ତୋଷ ଯେ ଆମର ବହୁ ଅଧିକ କାମ୍ୟ ତାହାର ଏକ ବସ୍ତୁତଃ ଜ୍ବଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ତୃତୀୟ ବଜେଟ ଉପସ୍ଥାପନ କରିବା ପରେ ପରେ ଭାରତୀୟ ସେଆର‌୍‌ ବଜାରରେ ଦେଖିବାକୁ ମିଳିଥିବା ପ୍ରତିକ୍ରିୟାରେ। ବଜାରରେ ନିଆଁ ଲାଗିଯିବା ଭଳି ଦିନର କାରବାର ସମାପ୍ତ ହେବା ବେଳକୁ ବମ୍ବେ ସେଆର‌୍‌ ବଜାରର ପ୍ରତିନିଧିମୂଳକ ସୂଚକାଙ୍କ ସେନ୍‌ସେକ୍‌ସରେ ସେ ଦିନ ବୃଦ୍ଧି ଘଟିଥିଲା ଏକ ଅବିଶ୍ବାସ୍ୟ ୨୩୧୫ ପଏଣ୍ଟ୍‌! ଏ ଉତ୍ସାହର କାରଣ ନଥିଲା ସୀତାରମଣ ପ୍ରଦାନ କରିଥିବା କୌଣସି ଉପହାର, ଏହାର ଅସଲ କାରଣ ଥିଲା ଅର୍ଥମନ୍ତ୍ରୀ ପ୍ରଦାନ କରିବାରୁ ବିରତ ରହିଥିବା କେତେକ ଆଶଙ୍କା କରାଯାଉଥିବା ଦଣ୍ତ।

ନିବେଶକମାନଙ୍କର ଆଶଙ୍କା ଥିଲା ଯେ କୋଭିଡ୍‌ ଆହତ ସରକାରୀ ରାଜକୋଷର ଭରଣା କରିବା ପାଇଁ ସରକାର ଆୟକର ହାର ମାନଙ୍କରେ ବୃଦ୍ଧି ଘଟାଇବେ; କ୍ୟାପିଟାଲ୍‌ ଗେନ୍‌ସ ଟ୍ୟାକ୍‌ସ (ନିବେଶଜନିତ ଲାଭ) ହାରରେ ବୃଦ୍ଧି ଘଟାଇବେ; ସେଆର କିଣା ବିକା ଉପରେ ଲାଗୁ ହେଉଥିବା ‘ଏସଟିଟି’ ଟିକସରେ ବୃଦ୍ଧି ଘଟାଇବେ; କୋଭିଡ୍‌ ଜନିତ ସ˚କଟର ମୁକାବିଲା ପାଇଁ ଏକ କୋଭିଡ୍‌ ସେସ୍‌ ଲାଗୁ କରିବେ, ଇତ୍ୟାଦି। କିନ୍ତୁ ସୀତାରମଣ ତାଙ୍କର ବଜେଟ ପ୍ରସ୍ତାବମାନ ଉପସ୍ଥାପନ କରିସାରିବା ପରେ ଦେଖାଗଲା ସେ ଏଥିରୁ କୌଣସି ଗୋଟିଏ ହେଲେ ଯନ୍ତ୍ରଣାଦାୟକ ପଦକ୍ଷେପ ନେଇ ନାହାନ୍ତି- ଘୂର୍ଣ୍ଣିବାତ୍ୟା ବା˚ଲାଦେଶ ମୁହାଁ ହୋଇଯିବା ଭଳି।

ଏହା ନିବେଶକମାନଙ୍କୁ ଯେଉଁ ଅସୀମ ଆଶ୍ବସ୍ତି ପ୍ରଦାନ କଲା, ତାହାକୁ ବର୍ଣ୍ଣନା କରିବା ପାଇଁ ଯେଉଁ ଏକ ଅଭିବ୍ୟକ୍ତିର ସାହାଯ୍ୟ ନେବା ବୋଧହୁଏ ସବୁଠାରୁ ଅଧିକ ଉପଯୁକ୍ତ ହେବ, ତାହା ହେଉଛି ମିଲାନ୍‌ କୁଣ୍ତେରାଙ୍କ ପ୍ରସିଦ୍ଧ ଉପନ୍ୟାସର ଶୀର୍ଷକ: ‘ଦି ଅନ୍‌ ବେଅରେବ୍‌ଲ ଲାଇଟ୍‌ନେସ୍‌ ଅଫ୍‌ ବିଙ୍ଗ୍‌’ (‘ଅସ୍ତିତ୍ବର ଅସହ୍ୟ ଉଶ୍ବାସ’)। ଏହି ଉଶ୍ବାସବୋଧର ପ୍ରେରଣା ହିଁ ନିବେଶକମାନଙ୍କୁ ସେଆର‌୍‌ ବଜାର ମୁହାଁ କରି ସେଆର‌୍‌ କିଣିବାରେ ପ୍ରତିଯୋଗିତା କରିବାରେ ଏଭଳି ପ୍ରବୃତ୍ତ କଲା ଯାହା ସେନ୍‌ସେକ୍‌ସ୍‌କୁ ରକେଟ୍‌ ଲାଗିଥିବା ଭଳି ଉପରମୁହାଁ କରିଦେଇଥିଲା।

ସେଆର‌୍‌ ବଜାରରୁ ବାହାରି ଯଦି ସାମଗ୍ରିକ ଅର୍ଥନୀତି ଉପରେ ଦୃଷ୍ଟିପାତ କରାଯାଏ, ତେବେ ଯାହା ଦେଖିବାକୁ ମିଳେ, ତାହା ହେଲା ସୀତାରମଣ ସୃଷ୍ଟି କରିଥିବା ଏହି ଉଶ୍ବାସଭାବ କେବଳ ନିବେଶକମାନଙ୍କ ସେଆର‌୍‌ କାରବାର ଦୁନିଆ ମଧୢରେ ସୀମିତ ନୁହେଁ। କିନ୍ତୁ ବୃହତ୍ତର ଅର୍ଥନୀତି ପାଇଁ ଯେଉଁ ଉଶ୍ବାସ ଅବସ୍ଥା ସୃଷ୍ଟି ହୋଇଛି, ତାହା ହେଉଛି ଏକ ଭିନ୍ନ କିସମର ଏବ˚ ତାହା କାହାରି ପାଇଁ ସ୍ବାଗତଯୋଗ୍ୟ ନୁହେଁ। ଏହା ହେଉଛି ଅର୍ଥନୀତିର ଚାହିଦା ପାର୍ଶ୍ବରେ ସୀତାରମଣ ବଳବତ୍ତର ରଖିବା ପାଇଁ ପସନ୍ଦ କରିଥିବା ଏଯାବତ୍‌ ଅନୁସୃତ ହୋଇ ଚାଲିଥିବା ଉଶ୍ବାସ ଅବସ୍ଥା। ଏହି ସ୍ତମ୍ଭରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିବା ଭଳି କୋଭିଡ୍‌ଗ୍ରସ୍ତ ଅର୍ଥନୀତିର ମୁକାବିଲା ପାଇଁ ସରକାର ଆରମ୍ଭରୁ ମୁଖ୍ୟତଃ ଯୋଗାଣ ପାର୍ଶ୍ବରେ ସମସ୍ତ ପଦକ୍ଷେପମାନଙ୍କୁ କେନ୍ଦ୍ରୀଭୂତ କରିବା ଧାରାକୁ ଅବ୍ୟାହତ ରଖି ଏଥର ବଜେଟ୍‌ରେ ମଧୢ ଚାହିଦା ପାର୍ଶ୍ବକୁ ଅବହେଳା କରିବା ଦେଖା ଯାଇଛି।

ଅର୍ଥମନ୍ତ୍ରୀ ତାଙ୍କର ବୟାନରେ ଏହି ସତ୍ୟକୁ ଯେତେ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ ମଧୢ ତାଙ୍କରି ବଜେଟ୍‌ରୁ ଉପଲବ୍‌ଧ କେତେକ ପରିସ˚ଖ୍ୟାନ ଏହାକୁ ପଦାରେ ପକାଇଥାଏ। ଉଦାହରଣ ସ୍ବରୂପ ୨୦୨୧-୨୨ ବିତ୍ତବର୍ଷ ପାଇଁ ବଜେଟ୍‌ରେ ଯେଉଁ ପୂର୍ବାନୁମାନ (ଏଷ୍ଟିମେଟ୍‌) ପ୍ରଦାନ କରାଯାଇଛି, ତାହା ଅନୁସାରେ ମୋଟ ଟିକସ ରାଜସ୍ବ ଏହି ସମୟରେ ହେବ ୨୨.୧୭ ଲକ୍ଷ କୋଟି ଟଙ୍କା, ଯାହା ୨୦୨୦-୨୧ ପାଇଁ କରାଯାଇଥିବା ବଜେଟ୍‌ ଏଷ୍ଟିମେଟ୍‌, ୨୪.୨୩ ଲକ୍ଷ କୋଟି ଟଙ୍କାଠାରୁ କମ୍‌। ଦେଶରେ ସୃଷ୍ଟି ହେଉଥିବା ମୋଟ ବ୍ୟକ୍ତିଗତ ଆୟ ଓ ବ୍ୟବସାୟ ଆୟ ଉପରୁ ହିଁ ଏହି ଟିକସ ରାଶି ଆଦାୟ ହୋଇଥାଏ। ଉଲ୍ଲେଖଯୋଗ୍ୟ, ଉପରେ କୁହାଯାଇଥିବା ଭଳି ଚଳିତ ବର୍ଷ ବଜେଟ୍‌ରେ ଏହି ଟିକସ ହାରକୁ ଅପରିବର୍ତ୍ତିତ ରଖାଯାଇଛି। ଏହାର ଅର୍ଥ ୨୦୨୧-୨୨ ବର୍ଷ ଏହି ଟିକସ ରାଜସ୍ବରେ ହ୍ରାସ ଘଟିବ ବୋଲି ସରକାର ଅନୁମାନ କରୁଥିବାର କାରଣ ଅବଶ୍ୟ ହେଉଛି ଏହି ସମୟରେ ଦେଶରେ ବ୍ୟକ୍ତିଗତ ଓ ବ୍ୟବସାୟ ଜନିତ ଆୟରେ ପୂର୍ବ ବର୍ଷ ତୁଳନାରେ ସ˚କୋଚନ ଘଟିବାକୁ ଯାଉଛି।

ବୁଝାଇବା ଦରକାର ନାହିଁ ଯେ ସ˚କୁଚିତ ଆୟ ଅର୍ଥ ହେବ ବଜାରରେ ସ˚କୁଚିତ ଚାହିଦା। ଚାହିଦା ପାର୍ଶ୍ବ ଦୁର୍ବଳ ରହି ଚାଲିଲେ ଯୋଗାଣ ପାର୍ଶ୍ବକୁ ଯେତେ ମଜଭୁତ କଲେ ମଧୢ ଅର୍ଥନୀତିର ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ନାହିଁ। ସର୍ବଦା କୁହା ହୋଇ ଆସିଥିବା ଭଳି ବର୍ତ୍ତମାନର ଅର୍ଥନୈତିକ ଅବପାତର ମୁକାବିଲା କରିବା ପାଇଁ ସରକାର ହାତ ଖୋଲା ଖର୍ଚ୍ଚ କରି ଫିସ୍‌କାଲ ଷ୍ଟିମୁଲସ୍‌ ଜରିଆରେ ଲୋକଙ୍କ ହାତରେ ଖର୍ଚ୍ଚ କରିବା ପାଇଁ ପଇସା ପହଞ୍ଚାଇବା ଦରକାର। ଲୋକଙ୍କ ପକେଟ୍‌ ଉଶ୍ବାସ ଥିଲେ ବଜାରରେ ଚାହିଦା ଉଶ୍ବାସ ରହିବାକୁ ବାଧୢ। ଚାହିଦାର ଏଭଳି ଉଶ୍ବାସ ଅବସ୍ଥା ବଜାରରେ ଯୋଗାଣକାରୀଙ୍କ ପାଇଁ ଅସହ୍ୟ ହୋଇଥାଏ।

ସରକାରଙ୍କ ଖର୍ଚ୍ଚ ଉପରେ ଏଥର ନଜର ପକାଯାଉ। ବଜେଟ୍‌ ଏଷ୍ଟିମେଟ୍‌ ଅନୁସାରେ ୨୦୨୧-୨୨ ବିତ୍ତ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କର ମୋଟ ଖର୍ଚ୍ଚ ହେବ ୩୪.୩୮ ଲକ୍ଷ କୋଟି ଟଙ୍କା। ୨୦୨୦-୨୧ ବର୍ଷ ପାଇଁ ସ˚ଶୋଧିତ ବ୍ୟୟ ଆକଳନ ହେଉଛି ୩୪.୫ ଲକ୍ଷ କୋଟି ଟଙ୍କା। ବଜେଟ୍‌ ପୂର୍ବଦିନ ପ୍ରକାଶିତ ବାର୍ଷିକ ଅର୍ଥନୈତିକ ସମୀକ୍ଷା ଅନୁସାରେ ଜିଡିପି ଉପରେ ଦର ବୃଦ୍ଧି ପ୍ରଭାବ ହାର ହେଉଛି ୩.୪%। ଏହାର ମର୍ମ ହେଲା ୨୦୨୦-୨୧ର ସରକାରୀ ଖର୍ଚ୍ଚ ସ୍ତର ସହିତ ବାସ୍ତବରେ ଅନ୍ତତଃ ସମାନ ହେବା ପାଇଁ ୨୦୨୧-୨୨ର ସରକାରୀ ଖର୍ଚ୍ଚ ସ୍ତର ୩୫.୭ ଲକ୍ଷ କୋଟି ଟଙ୍କା ହେବା ଆବଶ୍ୟକ। ତେଣୁ ଭିତ୍ତିଭୂମି, ସ୍ବାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ବିଶାଳ ବ୍ୟୟର ପ୍ରଚାର ସତ୍ତ୍ବେ କଠୋର ସତ୍ୟ ହେଲା ସରକାର ଆସନ୍ତା ବର୍ଷ ନିଜର ବ୍ୟୟ ବୃଦ୍ଧି କରି ଅର୍ଥନୀତିର ଚାହିଦା ପାର୍ଶ୍ବରେ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ନିଜର ବ୍ୟୟରେ ହ୍ରାସ ଘଟାଇ ନିରୁତ୍ସାହ ପ୍ରଦାନ କରିବାକୁ ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଚାହିଦାର ଏ ଅସହ୍ୟ ଉଶ୍ବାସ ଅବସ୍ଥାରୁ ରକ୍ଷା ପାଇବା ପାଇଁ ଅର୍ଥନୀତିକୁ ନିଜେ ବାଟ ଖୋଜିବାକୁ ପଡ଼ିବ।

ସମ୍ବନ୍ଧିତ ଖବର