ବିଫଳତା ଲାଗି କିଏ ଦାୟୀ?

‘ସଫଳତାର ଅନେକ ଜନକ, ମାତ୍ର ବିଫଳତା ଏକ ଛେଉଣ୍ତ ଛୁଆ’ ଆପ୍ତବାକ୍ୟର ଗୌରବ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍‌.ଏଫ୍‌.କେନେଡିଙ୍କୁ ଯାଇଥାଏ। ଏହାର କାରଣ ହେଉଛି ରାଷ୍ଟ୍ରପତି କେନେଡି ବିଭିନ୍ନ ସମୟରେ ତାଙ୍କର ବକ୍ତୃତାରେ ଏ କଥାଟି କହି ଏହାକୁ ଲୋକପ୍ରିୟ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ ଏ କଥାଟି ବାସ୍ତବରେ ଇଟାଲିର ରାଜନେତା କାଉଣ୍ଟ କାଲିଆଜୋ ସିଆନୋ (୧୯୦୩-୪୪) କହିଥିଲେ। ସେ ଥିଲେ ଇଟାଲିର ତତ୍କାଳୀନ ଏକଛତ୍ରପତି ଶାସକ ମୁସୋଲିନୀଙ୍କର ଜାମାତା ଯାହାଙ୍କୁ ଭବିଷ୍ୟତରେ ମୁସୋଲିନୀଙ୍କ ଉତ୍ତରାଧିକାରୀ ଭାବେ ସୁଦ୍ଧା ବିବେଚନା କରାଯାଉଥିଲା। ସିଆନୋ କିଛିକାଳ ମୁସୋଲିନୀଙ୍କର ମନ୍ତ୍ରୀମଣ୍ତଳର ସଦସ୍ୟ ଥିଲେ। ତାଙ୍କର ବ୍ୟକ୍ତିଗତ ଡାଏରି ଆଧାରରେ ଲିଖିତ ବହି ‘ଦ ରାଇଜ ଆଣ୍ଡ ଫଲ୍ ଅଫ ଦ ଥାର୍ଡ ରେଚ୍‌’ ବେଶ୍‌ ଲୋକପ୍ରିୟ।

ସଫଳତାର ଅନେକ ଜନକ ପ୍ରସଙ୍ଗଟି ଉତ୍‌ଥାପନ କରିବାର କାରଣ ହେଲା, ଗତ କିଛି ବର୍ଷର ଅଭିଜ୍ଞତାରୁ ଆମେ ଲକ୍ଷ୍ୟ କରିଆସିଛୁ ଯେ ଯେତେବେଳେ ବି ଓଡ଼ିଶା ସରକାର କୌଣସି ଅଳ୍ପଖ୍ୟାତ, ଅଖ୍ୟାତ କିମ୍ବା ବିଖ୍ୟାତ ସ˚ସ୍ଥା ଦ୍ବାରା କିଛି ଗୋଟାଏ କାର୍ଯ୍ୟ ଲାଗି ପ୍ରଶ˚ସିତ ହୋଇଛନ୍ତି ସେତେବେଳେ ଅବିଳମ୍ବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଉଲ୍ଲସିତ ଉତ୍ସବର ଭବ୍ୟ ଆୟୋଜନ କରାଯାଇଅଛି। ଏହା ଅବଶ୍ୟ ଆନନ୍ଦର କଥା ଏବ˚ ରାଜ୍ୟର ସଫଳତାକୁ ଗର୍ବର ସହ ପାଳନ କରିବାରେ କୌଣସି ଆପତ୍ତି ନାହିଁ। ମାତ୍ର ଯେତେବେଳେ କୌଣସି କ୍ଷେତ୍ରରେ ରାଜ୍ୟ ସରକାର ସମାଲୋଚିତ ହେଉଛନ୍ତି କିମ୍ବା ପଛୁଆ ପଡ଼ିବାର ଅପଯଶ ଅର୍ଜନ କରୁଛନ୍ତି ସେତେବେଳେ ଏହି ବିଫଳତା ପାଇଁ କିଏ ଦାୟୀ ତାହା କେହି ପ୍ରକାଶ କରୁନାହାନ୍ତି। ଯେଉଁ ବିଜୁ ଜନତା ଦଳର ଅତ୍ୟୁତ୍ସାହୀ ସଦସ୍ୟଗଣ ସଫଳତା ସମୟରେ ଶତଜିହ୍ବ ହୋଇଥାନ୍ତି ସେମାନେ ସହସା ମୂକ ପାଲଟିଯିବା ପରି ଅନୁଭବ ହୁଏ। ଗୋଟିଏ କ୍ଷମତାସୀନ ଦଳର ସଦସ୍ୟ ଭାବେ ସେମାନେ ରାଜ୍ୟର ବିଫଳତା ପାଇଁ ସରକାରଙ୍କୁ ଉତ୍ତରଦାୟୀ କରନ୍ତି ନାହିଁ କିମ୍ବା ସଂପୃକ୍ତ ଅପାରଗ ଅଧିକାରୀଙ୍କ ଠାରୁ କୌଣସି ପ୍ରକାର ଜବାବ ତଲବ କରନ୍ତି ନାହିଁ।

ଗତ ସପ୍ତାହକ ଭିତରେ ଏଭଳି ଦୁଇ ଦୁଇଟି ରିପୋର୍ଟ ପ୍ରକାଶିତ ହୋଇଛି ଯାହା ଓଡ଼ିଶା ସରକାରଙ୍କୁ ଆତ୍ମସଚେତନ କରିଦେବା ଲାଗି ଯଥେଷ୍ଟ। ପ୍ରଥମଟି ହେଉଛି ଇକନମିକ ସର୍ଭେ ୨୦୨୦-୨୧ ରିପୋର୍ଟ ଏବ˚ ଦ୍ବିତୀୟଟି ହେଉଛି ଅର୍ଥ କମିସନଙ୍କ ରିପୋର୍ଟ। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶା ସମ୍ବନ୍ଧରେ ଯେଉଁ ମନ୍ତବ୍ୟମାନ ପ୍ରଦାନ କରାଯାଇଛି ତାହା ଯେତିକି ଦୁଃଖଦାୟକ ସେତିକି ଉଦ୍‌ବେଗଜନକ। ରାଜ୍ୟବାସୀଙ୍କୁ ସର୍ବନିମ୍ନ ସୁବିଧାସୁଯୋଗ ଯୋଗାଇଦେବା କ୍ଷେତ୍ରରେ ଓଡ଼ିଶା ଏତେ ପଛରେ ପଡ଼ିରହିଛି ଯେ ତାର ଉଲ୍ଲେଖ ଭାରତର ସବାତଳେ ଥିବା ଅନୁନ୍ନତ ରାଜ୍ୟ ସାଙ୍ଗରେ କରାଯାଇଅଛି। ସର୍ବନିମ୍ନ ସୁବିଧାସୁଯୋଗ ଭାବେ ଏହି ସର୍ବେକ୍ଷଣ ଛବିଶଟି ମାପକାଠି ନିର୍ଦ୍ଧାରଣ କରିଥିଲା ଯେଉଁଗୁଡ଼ିକ ହେଲା ପାନୀୟଜଳ, ବାସଗୃହ, ଶୌଚାଳୟ ସୁବିଧା, ବିଜୁଳି ଏବ˚ ରନ୍ଧନ ଗ୍ୟାସ ଯୋଗାଣ ଇତ୍ୟାଦି। ସ˚କ୍ଷେପରେ କହିଲେ ଜଣେ ନାଗରିକର ସ୍ବାଭାବିକ ଭାବେ ଜୀବନଧାରଣ କରିବା ଲାଗି ଯେଉଁ ମୌଳିକ ପ୍ରୟୋଜନମାନ ଆବଶ୍ୟକ ତାହା ଆମ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଓଡ଼ିଶାର ନାଗରିକମାନଙ୍କୁ ଯୋଗାଇ ପାରିନାହାନ୍ତି; ଯେଉଁଥିପାଇଁ ଓଡ଼ିଶା ସବା ତଳ ଆଡୁ ତୃତୀୟ ସ୍ଥାନରେ ଗଣାଯାଉଅଛି। ଯେଉଁ ରାଜ୍ୟରେ ରହିବା ଲାଗି ଘର ନାହିଁ, ପିଇବା ପାଇଁ ସଫା ପାଣି ନାହିଁ, ରାନ୍ଧିବା ଲାଗି ଏବେ ବି ଅନ୍ୟ କୌଣସି ଜାଳେଣି ଉପରେ ନିର୍ଭର କରିବାକୁ ପଡୁଛି ଏବ˚ ସର୍ବନିମ୍ନ ଶୌଚାଳୟର ସୁବିଧା ମିଳୁନାହିଁ ସେ ରାଜ୍ୟର ନାଗରିକ ମୁଣ୍ତ ଉପରକୁ କରି ବାଟ ଚାଲିପାରି‌େବ କିପରି?

ଅଶୀ ଦଶକ ପୂର୍ବରୁ ଯୁକ୍ତି କରାଯାଉଥିଲା ଯେ ଓଡ଼ିଶାରେ କ୍ରମାଗତ ରାଜନୈତିକ ଅସ୍ଥିରତା ଏହାର ବିକାଶ ପଥରେ ଅନ୍ତରାୟ ସାଜିଛି। ମାତ୍ର ଊଣେଇଶ ଅଶୀ ପରେ ଓଡ଼ିଶାରେ ରାଜନୈତିକ ସ୍ଥିରତା ଆସିଛି ଏବ˚ ଗତ କୋଡ଼ିଏ ବର୍ଷ ହେଲା ଓଡ଼ିଶା ଅବିଚଳିତ ସ୍ଥିର ଶାସନ ପ୍ରତ୍ୟକ୍ଷ କରି ଆସୁଛି। ଏହା ସତ୍ତ୍ବେ ଓଡ଼ିଶାର ଏହି ଚିତ୍ର ଏପରି ବିକଳ କାହିଁକି? ଅନୁରୂପ ଭାବରେ ପଞ୍ଚଦଶ ଅର୍ଥ କମିସନ ରିପୋର୍ଟରେ ମଧୢ ଓଡ଼ିଶାର ସ୍ଥିତି ପ୍ରାୟ ସବୁଥିରେ ପଛୁଆ ବୋଲି କୁହାଯାଇଛି। ଆର୍ଥିକ ଶୃଙ୍ଖଳା ଓ ଶିକ୍ଷାକ୍ଷେତ୍ର ପରି ଦୁଇଟି ପ୍ରସଙ୍ଗ ଛାଡ଼ିଦେଲେ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟର ଅବସ୍ଥା ଉଦ୍‌ବେଗଜନକ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସବୁଠି ହଜାର ହଜାର ପଦପଦବି ଖାଲିପଡ଼ିଛି। ରାଜ୍ୟରେ ପ୍ରାୟ ପାଞ୍ଚଶହ କିଲୋମିଟର ବ୍ୟାପୀ ଦୀର୍ଘ ଉପକୂଳ ଥିଲେ ସୁଦ୍ଧା ଓଡ଼ିଶାର ଅର୍ଥନୈତିକ ବିକାଶ ସହ ତାହାକୁ ଏ ପର୍ଯ୍ୟନ୍ତ ଯୋଡ଼ା ଯାଇପାରିନାହିଁ। ଅର୍ଥ କମିସନ ଉଲ୍ଲେଖ କରିଛନ୍ତି ଯେ ଏତେ ଦୀର୍ଘ ବେଳାଭୂମି ସତ୍ତ୍ବେ ଓଡ଼ିଶାରେ ଏପର୍ଯ୍ୟନ୍ତ ମାତ୍ର ତିନିଟି ବନ୍ଦର ରହିଛି ଯାହା ମଧୢରୁ ପାରାଦୀପ ବନ୍ଦର ଏକମାତ୍ର ବଡ଼ ବନ୍ଦର ଏବ˚ ଧାମରା ଓ ଗୋପାଳପୁର ହେଉଛି ଦୁଇଟି କ୍ଷୁଦ୍ର ବନ୍ଦର। ସବୁଠାରୁ ଉଦ୍‌ବେଗଜନକ ତଥ୍ୟ ହେଲା, ରାଜ୍ୟ ସରକାର ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ତ ବା ‘ଡିଏମଏଫ୍‌’ ଜରିଆରେ ୨୦୧୯ ବର୍ଷର ମଇ ମାସ ସୁଦ୍ଧା ୭୪୯୭ କୋଟି ଟଙ୍କା ପାଇଥିଲେ ସୁଦ୍ଧା ଧାର୍ଯ୍ୟ ସମୟ ସୀମା ମଧୢରେ ସେ ଅର୍ଥ ବିନିଯୋଗ କରିନାହାନ୍ତି। ଫଳରେ ଖଣିଖାଦାନ ଥିବା କେଉଁଝର ପରି ଜିଲ୍ଲାର ଜନସାଧାରଣ ପୂର୍ବରୁ ଯେଉଁ କଷଣ ଭୋଗୁଥିଲେ ସେହିପରି କଷଣ ଭୋଗିବାକୁ ବାଧୢ ହେଉଛନ୍ତି। ସେହିପରି ସ୍ବାସ୍ଥ୍ୟ ଓ ଜଳସେଚନ ପରି ଦୁଇ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧୢ କମିସନ କଟାକ୍ଷ କରିଛନ୍ତି। ଓଡ଼ିଶାର ବାର୍ଷିକ ବୃଷ୍ଟିପାତ ହାର ପ୍ରାୟ ୧୩୪୫ ମିଲିମିଟର ଯାହା ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ। ମାତ୍ର ଓଡ଼ିଶାର ଜଳସେଚିତ ଜମିର ପରିମାଣ ଜାତୀୟ ହାର ଠାରୁ ଯଥେଷ୍ଟ କମ୍। ଅର୍ଥ କମିସନ ତାଙ୍କ ରିପୋର୍ଟରେ ଓଡ଼ିଶା ସ୍ବାସ୍ଥ୍ୟ ସେବାର ଯେଉଁ ରୁଗ୍‌ଣ ମଳିନ ଚିତ୍ର ଦେଇଛନ୍ତି ତାହା ମଧ୍ୟ କରୁଣ। ସିଏଚ୍‌ସି ବା କମ୍ୟୁନିଟି ହେଲ୍‌ଥ ସେଣ୍ଟର ଗୁଡ଼ିକରେ ପ୍ରାୟ ୮୪ ପ୍ରତିଶତ ଡାକ୍ତର ପୋଷ୍ଟ ଖାଲି ପଡ଼ିଛି। ଏଥିରୁ ଓଡ଼ିଶାର ଗାଁ ଗହଳରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁର୍ଦଶା ସହଜରେ ଅନୁମେୟ। ଓଡ଼ିଶାର ସ୍ବାସ୍ଥ୍ୟ କ୍ଷେତ୍ରରେ ଏହି ଦୁର୍ଗତି ଦେଖି ଅର୍ଥ କମିସନ ମହାରାଷ୍ଟ୍ର ମଡେଲ ଅନୁସରଣ ପାଇଁ ପ୍ରସ୍ତାବ ଦେବା ସହ ଟେଲି-ମେଡିସିନ ଭିତ୍ତିଭୂମିକୁ ଦୃଢ଼ କରିବାକୁ ପରାମର୍ଶ ଦେଇଛନ୍ତି।

ଅବଶେଷରେ ଆମେ ଏହି ଆଲେଖ୍ୟର ପ୍ରଥମ ବାକ୍ୟ ପାଖକୁ ଫେରିଆସିବାକୁ ଚାହୁଁଛୁ। ରାଜ୍ୟର ଏହି ଉଦ୍‌ବେଗଜନକ ବିଫଳତା ଲାଗି ଦାୟୀ କିଏ ଏବଂ ଏହାର ଉତ୍ତର କିଏ ଦେବ?

ସମ୍ବନ୍ଧିତ ଖବର