ଅକ୍ସଫୋର୍ଡ‌୍‌ ଚୟନ

ପୃଥିବୀର ସର୍ବାଧିକ ପ୍ରସିଦ୍ଧ ଅଭିଧାନ ପ୍ରସ୍ତୁତକାରୀ ସ˚ସ୍ଥା ‘ଅକ୍ସଫୋର୍ଡ’ ପକ୍ଷରୁ ୨୦୨୦ ମସିହାର ସର୍ବଶ୍ରେଷ୍ଠ ହିନ୍ଦୀ ଶବ୍ଦ ଭାବେ ଯାହାକୁ ଚୟନ କରାଯାଇଛି, ତାହା ହେଉଛି ‘ଆତ୍ମନିର୍ଭରତା’; ଯାହା ମେ’ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଭାଷଣ ପରେ ପରେ ବହୁଳ ଭାବେ ବ୍ୟବହୃତ ହୋଇ ଆସିଛି। ସମସ୍ତେ ଅବଗତ ଥିବେ ଯେ ଉପରୋକ୍ତ ଭାଷଣରେ ଏକ କରୋନା ଜର୍ଜର ଏବ˚ ପଙ୍ଗୁ ପ୍ରାୟ ରାଷ୍ଟ୍ର ଉପରେ ସ˚ଜୀବନୀ ସିଞ୍ଚନ ପ୍ରୟାସ କ୍ରମରେ ୨୦ ଲକ୍ଷ କୋଟି ଟଙ୍କାର ଏକ ସହାୟତା ପ୍ୟାକେଜ୍‌ର ଘୋଷଣା କରିବା ବେଳେ ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ’ ସ˚ପର୍କରେ କହିଥିଲେ। କରୋନା ଭଳି ଏକ ପାନ୍‌ଡେମିକ୍‌ ଯାହା ସମଗ୍ର ପୃଥିବୀର ପ୍ରତ୍ୟେକ ରାଷ୍ଟ୍ର, ଅଞ୍ଚଳ ଏବ˚ ବ୍ୟକ୍ତି ବିଶେଷଙ୍କୁ ପରସ୍ପର ଠାରୁ ବିଚ୍ଛିନ୍ନ କରି ନିଃସଙ୍ଗ ଏକାନ୍ତ ବାସ ମଧୢକୁ ଅପସରି ଯିବାକୁ ବାଧୢ କରିଥିଲା, ତାହା ପ୍ରକୃତରେ ବିକାଶ ପଛରେ ଥିବା ମୂଳ ଆଦର୍ଶ ପାରସ୍ପରିକ ସହଯୋଗ ଉପରେ ହିଁ କୁଠାରାଘାତ କରିଥିଲା। ଏହିଭଳି ଏକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ‘ଆତ୍ମନିର୍ଭର ଭାରତ’ର ଯେଉଁ ଆହ୍ବାନ ଦେଇଥିଲେ, ତହିଁରେ ଭାରତୀୟ ଜନସ˚ଖ୍ୟା (ଏକ ବିଶାଳ ଯୁବ ଶକ୍ତି)କୁ ଏକ ସ˚ପଦ ରୂପେ ଉପଯୋଗ କରି ଏଭଳି ଏକ ପାନ୍‌ଡେମିକ୍‌ର ବିପତ୍ତି କାଳରେ ନୂତନ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ନିହିତ ଥିଲା। ସେହି ଦୃଷ୍ଟିରୁ ଏକ ମୁକ୍ତ ଓ ଉଦାର ବାଣିଜ୍ୟର ପରିବେଶରେ ଭାରତ କେବଳ ଏକ ବିଶାଳ କ୍ରେତାଙ୍କ ବଜାର ରୂପେ ଆପଣା ଗୁରୁତ୍ବ ଜାହିର କରିବାରେ ସୀମିତ ନ ରହି ବର˚ ସେହି ବଜାରକୁ ଅାପଣା ସାମଗ୍ରୀ ଦ୍ବାରା ଭରି ଦେବାର ଉଦ୍ୟମ କରିବା ଯେ ଆବଶ୍ୟକ, ସେଥି ପ୍ରତି ପ୍ରଧାନମନ୍ତ୍ରୀ ଇଙ୍ଗିତ କରିଥିଲେ। ସୁତରା˚, କରୋନା ସ˚କ୍ରମଣର ଅତ୍ୟନ୍ତ ହତାଶାଜନକ କାଳରେ ଏହି ଅଭିବ୍ୟକ୍ତିଟି ଏକ ନିବୁଜ ଦେଶର ଝରକା ଫାଙ୍କ ଦେଇ ମୃଦୁ ସମୀରଣ ତୁଲ୍ୟ ଉତ୍ସାହ ସଂଚାରକାରୀ ଭଳି ବୋଧ ହୋଇଥିଲା।

ତେବେ, ଅକ୍ସଫୋର୍ଡ ଅଭିଧାନ ପକ୍ଷରୁ ଏହି ଶବ୍ଦକୁ ଚୟନ କରାଯିବା ପଛରେ ରହିଥିବା ଯେଉଁ କାରଣ ଦର୍ଶାଯାଇଛି, ତାହା କରୋନା ସ˚କ୍ରମଣକାଳୀନ ଦୁରବସ୍ଥାର ମୁକାବିଲା କରିବାରେ ଦୈନନ୍ଦିନ ସ୍ତରରେ ଭାରତର ନାଗରିକମାନେ ପ୍ରଦର୍ଶନ କରିଥିବା ‘ଆତ୍ମନିର୍ଭରତା’ ଆଡ଼କୁ ଇଙ୍ଗିତ କରିଥାଏ। ତାହା ଅନୁସାରେ ସେହି ସମୟରେ ଆୟ ଓ କର୍ମ ସ˚ସ୍ଥାନ, ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ସୁଯୋଗ ହରାଇଥିବା ବେଳେ ତିଷ୍ଠି ରହିବା ଲାଗି ଭାରତୀୟମାନେ ଯେଉଁ ଉପାୟ ଓ ସାମର୍ଥ୍ୟ ପ୍ରଦର୍ଶନ କରିଥିଲେ, ତହିଁରେ ସ୍ବାବଲମ୍ବନ ବା ଆତ୍ମନିର୍ଭରତାର ଏକ ଚମତ୍କାର ଚରିତ୍ର ଫୁଟି ଉଠିଥିଲା। ଏହି ପରିପ୍ରେକ୍ଷୀରେ ସ୍ମରଣକୁ ଆସିଥାଏ ସେହି ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ସ୍ବଗୃହ ପ୍ରତ୍ୟାବର୍ତ୍ତନର ଦୃଶ୍ୟ। ଏମାନେ କୌଣସି ସରକାରୀ ବା ଘରୋଇ ପୃଷ୍ଠପୋଷକତା ନ ଲୋଡ଼ି ଏବ˚ ମାନବ ସାମର୍ଥ୍ୟ ଲ˚ଘନର ଦୃଷ୍ଟାନ୍ତ ପେସ୍‌ କରି ହଜାର ହଜାର ମାଇଲର ଦୀର୍ଘ ପଥ ପାଦରେ ବା ସାଇକେଲରେ ଅତିକ୍ରମ କରିଥିଲେ। ଏହି ଶବ୍ଦଟିକୁ ବାଛିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ କରୋନା ସ˚କ୍ରମଣ କାରଣରୁ ସ୍ବଚ୍ଛନ୍ଦ ଜୀବନଯାତ୍ରା ଲାଗି ଆବଶ୍ୟକ ସମସ୍ତ ସୁଯୋଗ ଅପହୃତ ହୋଇ ଯାଇଥିବା ଭଳି ସ୍ଥିତିରେ ଭାରତୀୟମାନେ ଯେଉଁଭଳି କୌଣସିମତେ ଚଳନକ୍ଷମ କରି ରଖିଥିଲେ, ତାହା ଥିଲା ସେମାନଙ୍କ ଆତ୍ମନିର୍ଭରଶୀଳ ଦକ୍ଷତାର ପ୍ରମାଣ। ସୁତରା˚ ୨୦୨୦ରେ ବାସ୍ତବ ଜୀବନରେ ଏହି ଶବ୍ଦଟିର ସର୍ବାଧିକ ପ୍ରୟୋଗ ଦେଖିବାକୁ ମିଳିଥିଲା।

କିନ୍ତୁ ପ୍ରଧାନମନ୍ତ୍ରୀ ଯେଉଁ ‘ଆତ୍ମନିର୍ଭରତା’ ସ˚ପର୍କରେ କହିଥାଆନ୍ତି, ତାହା କେବଳ ଚଳେଇ ନେବାରେ ସୀମିତ ନୁହେଁ। ସେହି ‘ଆତ୍ମନିର୍ଭରତା’ ହେଉଛି ନିଜକୁ ଅଧିକରୁ ଅଧିକ ସଶକ୍ତ କରିବାର ଉଦ୍ୟମ ପ୍ରତି ଆଗ୍ରହ ସୃଷ୍ଟି। ଉଦାହରଣ ସ୍ବରୂପ ‘ଆତ୍ମନିର୍ଭର ଭାରତ’ର ଆହ୍ବାନ ପରେ ଅନେକ ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ଉତ୍ସାହ ପ୍ରଦର୍ଶିତ ହୋଇଛି। ଏହି ଆହ୍ବାନର ମାତ୍ର ତିନି ମାସ ମଧୢରେ ଭାରତ ପି.ପି.ଇ. ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗଣ୍ୟ ରାଷ୍ଟ୍ରରେ ପରିଣତ ହୋଇଥିଲା; ପ୍ରତିିରକ୍ଷା ଉପକରଣ ବା ଯନ୍ତ୍ରା˚ଶ ନିର୍ମାଣରେ ମଧୢ ଭାରତ ଅଗ୍ରଗତି ହାସଲ କରିଛି। ସେମିତି ଗଲା ଶତାବ୍ଦୀର ଶେଷ ଭାଗ ବେଳକୁ ଔଷଧ ଉଦ୍ୟୋଗ ଲାଗି ଆବଶ୍ୟକ ‘ଏପିଆଇ’ ବା ‘ଆକ୍ଟିଭ୍‌ ଫର୍ମସ୍ୟୁଟିକାଲ ଇନ୍‌ଗ୍ରେଡିଏନ୍‌ଟ’ (ମୌଳିକ ଉପାଦାନ) ପ୍ରସ୍ତୁତି କ୍ଷେତ୍ରରେ ଭାରତର ଆଧିପତ୍ୟକୁ ଚୀନ ଦଖଲ କରି ନେଇଥିବା ପରିପ୍ରେକ୍ଷୀରେ ଭାରତ ତାର ପ୍ରଭାବ ପୁନଃ ବିସ୍ତାର କରିବା ଲାଗି ପ୍ରସ୍ତୁତି ପ୍ରାରମ୍ଭ କରି ଦେଇଛି। କେବଳ ସେତିକି ନୁହେଁ ‘ଆତ୍ମନିର୍ଭର ଭାରତ’ର ଏକ ଉଜ୍ଜ୍ବଳ ଉଦାହରଣ ସ୍ବରୂପ ଭାରତୀୟ ଗବେଷକଙ୍କ ଦ୍ବାରା ଓ ସ˚ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ପ୍ରସ୍ତୁତ କରୋନା ଭ୍ୟାକ୍‌ସିନ ‘କୋଭାକ୍‌ସିନ୍‌’ ମଧୢ ଆତ୍ମପ୍ରକାଶ ଲାଭ କରିପାରିଛି।

ଭାରତୀୟ ସ୍ବାଧୀନତା ସ˚ଗ୍ରାମରେ ‘ସ୍ବଦେଶୀ’ ଆନ୍ଦୋଳନ ଏକ ଗୁରୁତ୍ବପୂର୍ଣ୍ଣ ବିଭାବ ଥିଲା। ଏହା ପଛରେ ମଧୢ ‘ଆତ୍ମନିର୍ଭରତା’ର ଆଦର୍ଶ ରହିଥିଲା। ସେହି ସମୟରେ ଭାରତୀୟମାନଙ୍କ ଦ୍ବାରା ବିଦେଶୀ ସାମଗ୍ରୀର ବର୍ଜନ ଥିଲା ଏକ ରଣକୌଶଳ; ଯାହା ବଳରେ ଭାରତର ଅର୍ଥରେ ବିଦେଶୀ ଶାସକ ଗୋଷ୍ଠୀ ପରିପୁଷ୍ଟ ହେବାର ମାର୍ଗକୁ ବନ୍ଦ କରିବାର ଉପାୟଟି ନିହିତ ଥିଲା। ଅନ୍ୟ ଅର୍ଥରେ କହିଲେ ବ୍ରିଟିସ ଉତ୍ପାଦ ଲାଗି ଭାରତ କେବଳ ମାତ୍ର ଏକ କ୍ରେତାଙ୍କ ବଜାରରେ ପରିଣତ ହେବାର ବାଧୢବାଧକତାରୁ ମୁକ୍ତ ହେଉ ବୋଲି ମହାତ୍ମା ଗାନ୍ଧୀ ଚାହୁଥିଲେ। ଏବର ‘ଆତ୍ମନିର୍ଭର ଭାରତ’ର ଆହ୍ବାନରେ ମଧୢ ଏହି ଆଦର୍ଶର କିଛି ଅ˚ଶ ରହିଛି, ତେବେ ତାର ଆବେଦନ ନିଜ ଦେଶରେ ବିଦେଶୀ ସାମଗ୍ରୀ ବଦଳରେ ସ୍ବଦେଶୀ ଦ୍ରବ୍ୟକୁ ଲୋକପ୍ରିୟ କରିବାରେ କେବଳ ସୀମିତ ନୁହେଁ; ବର˚ ବିଶ୍ବ ସ୍ତରରେ ଭାରତୀୟ ଦ୍ରବ୍ୟର ଉତ୍କର୍ଷ ଓ ଉପସ୍ଥିତିକୁ ଅଧିକ ଦୃଶ୍ୟମାନ କରିବା ହେଉଛି ଏହାର ଉଦ୍ଦେଶ୍ୟ।

‘ଆତ୍ମନିର୍ଭର ଭାରତ’ ଯେ ‘ଆତ୍ମକୈନ୍ଦ୍ରିକ ଭାରତ’ ନୁହେଁ; ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଅତ୍ୟନ୍ତ ବିସ୍ମୟକର ଭାବେ ସର୍ବାଧିକ ଉଦାରବାଦୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା ଡୋନାଲ୍‌ଡ ଟ୍ର˚ପଙ୍କ ଶାସନ କାଳରେ ଏଭଳି ‘ଆତ୍ମକୈନ୍ଦ୍ରିକତା’ର ଦୃଷ୍ଟାନ୍ତ ପ୍ରଦର୍ଶନ କରିଥିଲା, ଯହିଁରେ ଏକ ଉଦାର ବାଣିଜ୍ୟ ପରିବେଶରେ ଉତ୍କର୍ଷ ପ୍ରତିପାଦନ ସକାଶେ ପ୍ରତିଦ୍ବନ୍ଦ୍ବିତାକୁ ନ ଓହ୍ଲାଇ ଆମେରିକା ନିଜ ସ୍ବାର୍ଥକୁ ସୁହାଉଥିବା ଭଳି ପଦକ୍ଷେପ ନେଇଥିଲା। ସମସ୍ତେ ଜାଣନ୍ତି ଯେ ସ˚ପ୍ରତି ପୃଥିବୀରେ ବ୍ୟବହୃତ ଅଧିକା˚ଶ ଦ୍ରବ୍ୟର ଉତ୍ପାଦନକାରୀ ଓ ଯୋଗାଣକାରୀ ରାଷ୍ଟ୍ର ଭାବେ ଚୀନ ବିଶ୍ବ ବଜାରକୁ ଦଖଲରେ ରଖିଛି, ଯେଉଁ ବଜାରରେ ଭାରତୀୟମାନେ ପ୍ରମୁଖତଃ କ୍ରେତା ଭାବେ ବିଚରଣ କରୁଛନ୍ତି। ସୁତରା˚, ‘ଆତ୍ମନିର୍ଭର ଭାରତ’ ଯେଉଁ ଲକ୍ଷ୍ୟ ଉପରେ ପ୍ରତିଷ୍ଠିତ, ତାହା ହେଲା ଭାରତୀୟମାନଙ୍କ ଶ୍ରମଶକ୍ତି ଓ ଦକ୍ଷତାର ଉପଯୋଗ କରି ଭାରତୀୟମାନଙ୍କୁ ଉତ୍ତମ କ୍ରେତା ହେବା ସହିତ ଉତ୍ତମ ଉତ୍ପାଦନକାରୀରେ ପରିଣତ କରିବା, ଯେମିତି କି ଭାରତରେ ଉତ୍ପାଦିତ ଦ୍ରବ୍ୟ ଦୋକାନର ଥାକରୁ ଚୀନା ସାମଗ୍ରୀକୁ ଅପସାରଣ କରିବ। ସେହି ଦୃଷ୍ଟିରୁ ଅକ୍ସଫୋର୍ଡ ଦ୍ବାରା ବଛା ଯାଇଥିବା ଅଭିବ୍ୟକ୍ତିଟିର ପରିଭାଷା କେବଳ କୋଭିଡ୍‌ ସ˚କ୍ରମଣ ସ˚ଦର୍ଭରେ ସୀମାବଦ୍ଧ ନ ରହି ଭବିଷ୍ୟତ୍‌ରେ ନୂତନ ସ˚ଦର୍ଭମାନ ରଚନା କରିବାର ସମ୍ଭାବନା ବହନ କରିଥାଏ।

ସମ୍ବନ୍ଧିତ ଖବର