ଦେଶର ସହରୀକରଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇ ଚାଲିଛି। ୧୯୯୧-୨୦୧୧ କୋଡ଼ିଏ ବର୍ଷରେ ଦେଶର ସହରାଞ୍ଚଳ ଲୋକସଂଖ୍ୟା ୨୧.୭ କୋଟିରୁ ୩୭.୧ କୋଟିକୁ ବୃଦ୍ଧି ପାଇଥିଲା। ପରବର୍ତ୍ତୀ କୋଡ଼ିଏ ବର୍ଷରେ (ବର୍ତ୍ତମାନରୁ ୧୩ ବର୍ଷ ପରେ) ୨୦୩୧ ସୁଦ୍ଧା ଏହା ଷାଠିଏ କୋଟିକୁ ଟପିଯିବ। ଭାରତ ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ ଦେଶର ସହରାଞ୍ଚଳ ଲୋକସଂଖ୍ୟା ୨୦୫୧ ବେଳକୁ ୮୫ କୋଟିକୁ ଟପିଯିବା ସମ୍ଭାବନା ରହିଛି। ଜାତୀୟ ସ୍ତରରେ ହାରାହାରି ସହରାଞ୍ଚଳ ଲୋକସଂଖ୍ୟାର ଅଭିବୃଦ୍ଧି ହାର ଯେତିକି, ଅନେକ ରାଜ୍ୟରେ ଅଭିବୃଦ୍ଧି ହାର ତା’ଠାରୁ ବହୁତ ଅଧିକ। ସର୍ବଭାରତୀୟ ସ୍ତରରେ ୨୦୦୧ରେ ସହରାଞ୍ଚଳ ଲୋକସଂଖ୍ୟା ମୋଟ ଲୋକସଂଖ୍ୟାର ୨୭.୮୨ ପ୍ରତିଶତ ଥିଲା। ପରବର୍ତ୍ତୀ ଗୋଟିଏ ଦଶକରେ ଏହା ୩୧.୪ ପ୍ରତିଶତରେ ପହଞ୍ଚିଥିଲା।
ଅର୍ଥାତ୍, ଦଶବର୍ଷରେ ଜାତୀୟ ସ୍ତରରେ ସହରାଞ୍ଚଳ ଲୋକସଂଖ୍ୟାରେ ୪ ପ୍ରତିଶତ ଅଭିବୃଦ୍ଧି ଘଟିଛି ଏବଂ ୨୦୩୧ ବେଳକୁ ଏଥିରେ ପାଖାପାଖି ୯ ପ୍ରତିଶତ ବୃଦ୍ଧି ଘଟି ଦେଶର ୪୦ ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରୁଥିବେ। କିନ୍ତୁ କେରଳରେ ସହରାଞ୍ଚଳ ଲୋକସଂଖ୍ୟା ଗତ ଦଶବର୍ଷରେ ୯୨.୩ ପ୍ରତିଶତ ବୃଦ୍ଧି ପାଇଛି। ଗୁଜରାଟ, ବିହାର, କଶ୍ମୀର ଆଦି ରାଜ୍ୟରେ ସହରାଞ୍ଚଳ ଲୋକସଂଖ୍ୟାର ଅଭିବୃଦ୍ଧି ହାର ୩୫ ପ୍ରତିଶତରୁ ଅଧିକ। ୨୦୩୧ ବେଳକୁ ଦେଶର ମୋଟ ଲୋକସଂଖ୍ୟାର ୪୦ ପ୍ରତିଶତ ସହରବାସୀ ହୋଇଥିବେ। କିନ୍ତୁ ସେହି ସମୟରେ ମହରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, କର୍ଣ୍ଟାଟକ, ପଞ୍ଜାବ ଆଦି ରାଜ୍ୟରେ ଲୋକସଂଖ୍ୟାର ଅଧାରୁ ଅଧିକ ସହରରେ ବାସ କରୁଥିବେ। ବର୍ତ୍ତମାନ ଦେଶରେ ମୋଟ ସହର ସଂଖ୍ୟା ୪,୦୪୧। ସେଥିରୁ ୪୨ଟି ସହରରେ ଲୋକସଂଖ୍ୟା ୧୦ ଲକ୍ଷରୁ ଅଧିକ। କିନ୍ତୁ ୨୦୩୦ ବେଳକୁ ଅତିକମ୍ରେ ୬୮ଟି ସହରରେ ଲୋକସଂଖ୍ୟା ୧୦ ଲକ୍ଷକୁ ଟପି ଯାଇଥିବ।
ଉପରୋକ୍ତ ପରିସଂଖ୍ୟାନ ଅନୁଯାୟୀ ସହରାଞ୍ଚଳ ଲୋକସଂଖ୍ୟାର ଏ ଦ୍ରୁତ ଅଭିବୃଦ୍ଧି ଭାରତର ତ୍ୱରାନ୍ଵିତ ସହରୀକରଣ ପ୍ରକ୍ରିୟାର ଯେଉଁ ଚିତ୍ର ପ୍ରଦାନ କରୁଛି ତାହା ଉଭୟ ଆହ୍ଵାନଭରା ଏବଂ ସମ୍ଭାବନାପୂର୍ଣ୍ଣ। ଆହ୍ଵାନ ହେଲା, କ୍ରମବର୍ଦ୍ଧିଷ୍ଣୁ ସହରୀ ଲୋକସଂଖ୍ୟା ପାଇଁ ମୌଳିକ ଓ ଅନ୍ୟ ନାଗରିକ ସେବା ଯୋଗାଣ ଏବଂ ସଂପ୍ରସାରିତ ସହରାଞ୍ଚଳରେ ସଡ଼କ, ବିଜୁଳି, ପରିମଳ, ଯାତ୍ରୀପରିବହନ ଭଳିି ଭିତ୍ତିଭୂମିର ବିକାଶ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଦେଶର ସହର ଗୁଡ଼ିକରେ ବର୍ତ୍ତମାନର ଲୋକସଂଖ୍ୟା ଅନୁପାତରେ ମୌଳିକ ନାଗରିକ ସେବା ଓ ଭିତ୍ତିଭୂମି କ୍ଷେତ୍ରରେ ଉତ୍କଟ ନିଅଣ୍ଟିଆ ପରିସ୍ଥିତି ରହିଛି। ଅନେକ ସହରରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏପରିକି ବଡ଼ ବଡ଼ ମେଟ୍ରୋ ସହର ମାନଙ୍କରେ ମଧ୍ୟ ଆବଶ୍ୟକୀୟ ମୌଳିକ ସୁବିଧା ଓ ଭିତ୍ତିଭୂମିର ଘୋର ଅଭାବ ଫଳରେ ଦୈନନ୍ଦିନ ଜୀବନଯାତ୍ରା ଦୁର୍ବିଷହ ହୋଇ ପଡ଼ିଛି। ତଥାପି ଗ୍ରାମାଞ୍ଚଳରୁ ସହରମୁହାଁ ଲୋକଙ୍କ ସୁଅ କମୁ ନାହିଁ। ଏକ ବିକାଶନ୍ମୁଖୀ, ଅଭିବୃଦ୍ଧିଶୀଳ ଦେଶର ଏହା ଏକ ସ୍ୱାଭାବିକ ଚରିତ୍ର, ଯେଉଁଠି ଆହୁରି ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ବିକାଶର ଢେର୍ ସମ୍ଭାବନା ରହିଛି।
ଦ୍ରୁତ ସହରୀକରଣ ଆହ୍ଵାନର ସଫଳ ମୁକାବିଲା ଦ୍ୱାରା ସହରାଞ୍ଚଳ ଅର୍ଥନୈତିକ ଅଭିବୃଦ୍ଧିର ନୂତନ ନାଭିକେନ୍ଦ୍ର ହୋଇପାରିବ। ସହର ଗୁଡ଼ିକର ବିକାଶ ଦ୍ୱାରା ଦେଶର ଜିଡିପିରେ ଅଭିବୃଦ୍ଧି ହାର ୪ ରୁ ୫ ଗୁଣ ବୃଦ୍ଧି ପାଇପାରେ। ୨୦୩୦ ବେଳକୁ ଯେଉଁ ୨୭ କୋଟି ଲୋକ ନୂଆ କରି ଶ୍ରମଶକ୍ତିରେ ସାମିଲ ହେବେ, ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କ ପାଇଁ ସହରରେ ନିଯୁକ୍ତି ସୁଯୋଗର ସମ୍ଭାବନା ରହିବ। ଆଜିର ଦିନରେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଦେଶର ପ୍ରାୟ ୨.୨ କୋଟି ପରିବାର ମଧ୍ୟବିତ୍ତ ଶ୍ରେଣୀଭୁକ୍ତ। କିନ୍ତୁ ଦ୍ରୁତ ସହରୀକରଣ ଫଳରେ ଏ ବର୍ଗର ପରିବାର ସଂଖ୍ୟା ୨୦୩୦ ବେଳକୁ ଚାରିଗୁଣରୁ ଅଧିକ ବୃଦ୍ଧି ପାଇ ୯.୧ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏହି ବିଶାଳ ମଧ୍ୟବିତ୍ତ ବର୍ଗ ଭାରତକୁ ବିଶ୍ୱର ସର୍ବବୃହତ୍ ବଜାର ଭାବେ ମାନ୍ୟତା ଦେବେ, ଯାହା ଅର୍ଥନୀତି ପାଇଁ ଏକ ବିରାଟ ସମ୍ଭାବନା ଓ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରୁ ଏକ ବିକଶିତ ରାଷ୍ଟ୍ରର ମର୍ଯ୍ୟାଦା ଦେବାର ପ୍ରତିଶ୍ରୁତି ବହନ କରେ।
ଏମିତି ନୁହେଁ ଯେ, ଦେଶରେ ସରକାର ଚଳାଉଥିବା ରାଜନୈତିକ ନେତୃତ୍ୱ ଏବଂ ନୀତି ନିର୍ଦ୍ଧାରଣକାରୀ ଏକଦା ଗ୍ରାମବହୁଳ ଭାରତର ଦ୍ରୁତ ସହରୀକରଣ ସହ ଯୋଡ଼ି ହୋଇଥିବା ଆହ୍ଵାନ ଓ ସମ୍ଭାବନାକୁ ବୁଝିନାହାନ୍ତି। ଦଳ ନିର୍ବିଶେଷରେ ପ୍ରତ୍ୟେକ ସରକାର ଏହାକୁ ଆଖି ଆଗରେ ରଖି ସହରାଞ୍ଚଳ ବିକାଶ ଲାଗି ଅନେକ କାର୍ଯ୍ୟକ୍ରମ ଓ ଯୋଜନା ହାତକୁ ନେଇଛନ୍ତି। ଫଳରେ, ନିଃସନ୍ଦେହ ମୌଳିକ ସେବା ଓ ଭିତ୍ତିଭୂମିରେ ଉନ୍ନତି ଘଟିଛି। ସହରଗୁଡ଼ିକର ଚିତ୍ର ବଦଳୁଛି। କିନ୍ତୁ ତାହା ସେବା ଓ ଭିତ୍ତିଭୂମି କ୍ଷେତ୍ରରେ ନିଅଣ୍ଟିଆ ଭରଣା ଲାଗି ସମୁଦ୍ରକୁ ଶଙ୍ଖେ ସଦୃଶ। ଏ ଦିଗରେ ଗୋଟିଏ ମୁଖ୍ୟ ଅନ୍ତରାୟ ପାଣ୍ଠି ଅଭାବ। ଏକ ଜାତିସଂଘ ରିପୋର୍ଟ ଅନୁଯାୟୀ ସହରାଞ୍ଚଳ ବିକାଶ ଲାଗି ପରବର୍ତ୍ତୀ ୨୦ ବର୍ଷ ସକାଶେ ଭାରତ ବାର୍ଷିକ ମୁଣ୍ଡପିଛା ୧୩୪ ଡଲାର ବିନିଯୋଗ କରିବା ଆବଶ୍ୟକ। କିନ୍ତୁ ବର୍ତ୍ତମାନ ବାର୍ଷିକ ମୁଣ୍ଡପିଛା ବିନିଯୋଗ ପରିମାଣ ମାତ୍ର ୧୭ ଡଲାର। ଅର୍ଥାତ୍, ବିନିଯୋଗ ପରିମାଣ ବର୍ତ୍ତମାନ ସ୍ତରରୁ ପାଖାପାଖି ଆଠଗୁଣ ବୃଦ୍ଧି ହେବା ଆବଶ୍ୟକ। ତେବେ ପାଣ୍ଠି ଅଭାବ ଯେତିକି ବଡ଼ ସମସ୍ୟା ନୁହେଁ, ତା’ଠାରୁ ବହୁଗୁଣ ଅଧିକ ବଡ଼ ସମସ୍ୟା ହେଲା- ଯୋଜନା ଗୁଡ଼ିକର ଅଧାପନ୍ତରିଆ ରୂପାୟନ ଓ କାର୍ଯ୍ୟକାରିତାରେ ଅହେତୁକ ମନ୍ଥରତା।
ସହରାଞ୍ଚଳ ବିକାଶ ଲାଗି ପୂର୍ବବର୍ତ୍ତୀ ୟୁପିଏ ସରକାରଙ୍କ ‘ଫ୍ଲାଗ୍ ସିପ୍’ ଯୋଜନା ଥିଲା ଜବାହାରଲାଲ ନେହରୁ ଜାତୀୟ ସହରାଞ୍ଚଳ ନବୀକରଣ ମିସନ (ଜେଏନ୍ଏନ୍ୟୁଆର୍ଏମ୍)। ପ୍ରାୟ ୬୬ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ସହ ୨୦୦୫ରେ ଆରମ୍ଭ ହୋଇ ୨୦୧୨ରେ ସମାପ୍ତ ପାଇଁ ଧାର୍ଯ୍ୟ ହୋଇଥିବା ଏହି ମିସନରେ ୬୫ଟି ସହରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ପାଣ୍ଠି ପ୍ରଦାନରେ ସରକାରଙ୍କ କାର୍ପଣ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାରେ ମନ୍ଥରତା ଯୋଗୁ ମିସନ ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଗଲା। ମିସନ ପାଇଁ ଯୋଜନା କମିସନ ୬୬,୦୮୫ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଥିଲେ। ବଜେଟ୍ରେ କିନ୍ତୁ ବ୍ୟୟ ବରାଦ ହୋଇଥିଲା ମାତ୍ର ୪୫,୦୬୬ କୋଟି ଓ ସେଥିରୁ ମଞ୍ଜୁର ହୋଇଥିଲା ୪୦,୫୮୪ କୋଟି ଟଙ୍କା। ତେବେ ଅଟକଳ ଠାରୁ କମ୍ ବିନିଯୋଗରେ ଯେତେ ବି ପ୍ରକଳ୍ପ ହାତକୁ ନିଆଗଲା, ସେଥିରୁ ଅଧିକାଂଶ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଲକ୍ଷ୍ୟ ଥିଲା ୬୦.୦୭ ଲକ୍ଷ ବାସଗୃହ ନିର୍ମାଣ। କିନ୍ତୁ ୨୦୧୧ ସୁଦ୍ଧା ସଂପୂର୍ଣ୍ଣ ହୋଇଥିଲା ମାତ୍ର ୪.୧୮ ଲକ୍ଷ ବାସଗୃହ। ୫୬ଟି ସହରାଞ୍ଚଳ ଜଳ ନିଷ୍କାସନ ପ୍ରକଳ୍ପ ମଧ୍ୟରୁ ମାତ୍ର ୪ଟି ଓ ୧୯ଟି ବଡ଼ ବଡ଼ ରାସ୍ତା ଓ ଓଭର୍ବ୍ରିଜ୍ ମଧ୍ୟରୁ ମାତ୍ର ୩ଟିର ନିର୍ମାଣ ସଂପୂର୍ଣ୍ଣ ହୋଇପାରିଥିଲା।
ସରକାର ବଦଳିଲା। ସହରାଞ୍ଚଳ ବିକାଶ ପାଇଁ ଯୋଜନାର ନାମ ମଧ୍ୟ ବଦଳିଲା। କିନ୍ତୁ ଯୋଜନା ରୂପାୟନର ଚିତ୍ର ଓ ଚରିତ୍ର ବଦଳିଲା ନାହିଁ। ଜେଏନ୍ଏନ୍ୟୁଆର୍ଏମ୍କୁ ଯେଉଁ ରୋଗ ଆକ୍ରାନ୍ତ କରିଥିଲା, ଏବେ ଏନ୍ଡିଏ ଅମଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷା ଉଚ୍ଚାକାଂକ୍ଷୀ ‘ସ୍ମାର୍ଟ ସିଟି’ ମିସନକୁ ମଧ୍ୟ ସେହି ରୋଗ ଆକ୍ରାନ୍ତ କରିଛି। ଜୁନ୍, ୨୦୧୫ରୁ ଦେଶର ପ୍ରମୁଖ ୯୦ଟି ସହରକୁ ପ୍ରଥମ ପର୍ଯ୍ୟାୟରେ ‘ସ୍ମାର୍ଟ ସିଟି’ ଯୋଜନାରେ ସାମିଲ କରାଯାଇଛି। ଏହି ଯୋଜନାରେ ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୩୫ ହଜାର ୯୫୮ କୋଟି ଟଙ୍କାର ବିନିଯୋଗ ପାଇଁ ଅଟକଳ ଧାର୍ଯ୍ୟ ହୋଇଛି। କିନ୍ତୁ ବିଗତ ଦୁଇ ବର୍ଷରେ ଏହାର କାର୍ଯ୍ୟକାରିତା ଆଦୌ ଉତ୍ସାହଜନକ ନୁହେଁ; ବରଂ ଅତ୍ୟନ୍ତ ନିରାଶାଜନକ।
ଗତ ଡିସେମ୍ବର ସୁଦ୍ଧା ବିଭିନ୍ନ ସହରରେ ପ୍ରସ୍ତାବିତ ୨,୮୬୪ଟି ‘ସ୍ମାର୍ଟ ସିଟି’ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୪୮ଟି ସଂପୂର୍ଣ୍ଣ ହୋଇପାରିଛି। ଅବଶିଷ୍ଟ ପ୍ରକଳ୍ପ ନିର୍ମାଣାଧୀନ କିଂବା କାଗଜରେ ନକ୍ସା ପର୍ଯ୍ୟାୟରେ ରହିଛି। ୯୦ଟି ସହର ମଧ୍ୟରୁ କେବଳ ୩୧ଟି ସହରରେ ଅନ୍ତତଃ ଗୋଟିଏ କିଂବା ଏକାଧିକ ‘ସ୍ମାର୍ଟ ସିଟି’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ୫୯ଟି ସହରରେ ଆଦୌ କୌଣସି ଗୋଟିଏ ହେଲେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ନାହିଁ। ପ୍ରାୟ ୧.୩୬ ଲକ୍ଷ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ବିପକ୍ଷରେ ବିନିଯୋଗ ପରିମାଣ ମାତ୍ର ୧୮୭୨ କୋଟି। ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଏବଂ ପାଣ୍ଠି ବିନିଯୋଗର ହାର ଯେମିତି ରହିଛି, ତାହା ଅପରିବର୍ତ୍ତିତ ରହିଲେ ‘ସ୍ମାର୍ଟ ସିଟି’ କେବଳ ସ୍ୱପ୍ନ ହୋଇ ରହିଯିବ। ଭାରତର ଦ୍ରୁତ ସହରୀକରଣ ସୃଷ୍ଟି କରିଥିବା ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବାକୁ ହେଲେ ପର୍ଯ୍ୟାପ୍ତ ପାଣ୍ଠି ବିନିଯୋଗ ସହ ପ୍ରକଳ୍ପ ରୂପାୟନର ଚରିତ୍ରରେ ଗୁଣାତ୍ମକ ଉନ୍ନତି ଏକାନ୍ତ ଅପରିହାର୍ଯ୍ୟ।