ଗଣତନ୍ତ୍ର ଉପାସନା

ଆବ୍ରାହାମ୍‌ ଲିଙ୍କନ୍‌ଙ୍କ ଦ୍ବାରା ପ୍ରଦତ୍ତ ସୁପରିଚିତ ସ˚ଜ୍ଞା ଅନୁସାରେ ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ଦ୍ବାରା ଏବ˚ ଲୋକ ପାଇଁ ଅନୁସୃତ ଏକ ଶାସନ ବ୍ୟବସ୍ଥା। ଏହି ସ˚ଜ୍ଞା ସହିତ ସ୍ବାଧୀନତା ପରବର୍ତ୍ତୀ ସମୟର ଭାରତ ଯେପରି ଏକ ସ˚କ୍ଷିପ୍ତ ଜରୁରୀକାଳୀନ ବିରତି ବ୍ୟତୀତ ଯେଉଁଭଳି ସମ୍ପୂର୍ଣ୍ଣ ଖାପ ଖାଇ ଯାଇଛି, ପୃଥିବୀର ଖୁବ୍‌ କମ ଦେଶରେ ସେପରି ସମ୍ଭବ ହୋଇପାରିଛି। ଏହା ଭାରତକୁ ପୃଥିବୀର ବୃହତ୍ତମ ସଫଳ ଗଣତନ୍ତ୍ରରେ ପରିଣତ କରିଛି। ବର୍ତ୍ତମାନ ଏକ ପ୍ରଶ୍ନ ଉଙ୍କି ମାରିବାକୁ ଆରମ୍ଭ କରିଛି: ଭାରତର ଗଣତାନ୍ତ୍ରିକ ଦାୟିତ୍ବ କେବଳ ନିଜର ଭୌଗୋଳିକ ସୀମା ମଧୢରେ ଆବଦ୍ଧ ରହିବା ଯଥେଷ୍ଟ କି? ପୃଥିବୀର ଅନ୍ୟ ଦେଶମାନଙ୍କରେ ମଧ୍ୟ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ଏବ˚ ତିଷ୍ଠି ରହିବାରେ ସାହାଯ୍ୟ କରିବା ଭାରତର ଗଣତାନ୍ତ୍ରିକ ଦାୟିତ୍ବର ଅ˚ଶ କି ନୁହେଁ?

ଏହି ପ୍ରଶ୍ନ ବର୍ତ୍ତମାନ ଯେଉଁ ଏକ ଘଟଣା ଦ୍ବାରା ଆହୁରି ଶାଣିତ ହୋଇ ଦେଖାଦେଇଛି, ତାହା ହେଲା ଏ ମାସ ଆରମ୍ଭରେ ପଡ଼ୋଶୀ ଦେଶ ମିଆଁମାର‌୍‌ (ବର୍ମା)ରେ ପୁଣିଥରେ ଗଣତାନ୍ତ୍ରିକ ସରକାରକୁ ବିତାଡ଼ିତ କରି ସେ ଦେଶର ସେନାବାହିନୀ ସେଠାରେ ସାମରିକ ଏକଛତ୍ର ଶାସନ ପ୍ରବର୍ତ୍ତନ କରିବା। ଏହାକୁ ବିରୋଧ କରି ଭାରତ ସେଠାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ କ୍ଷମତାଚ୍ୟୁତ ଅଙ୍ଗ ସାନ୍‌ ସୁଚିଙ୍କୁ ସବୁମନ୍ତେ ସାହାଯ୍ୟ କରିବା ଉଚିତ୍‌ କି ନୁହେଁ? ଏହା ଏକ ଜଟିଳ ପ୍ରଶ୍ନ, ଯାହାର ଉତ୍ତର ଭାରତର ନିଜର ନିରାପତ୍ତା ଓ ଅର୍ଥନୈତିକ ସୁରକ୍ଷା ସହିତ ଘନିଷ୍ଠ ଭାବରେ ଜଡ଼ିତ।

ଈଶ୍ବର ଭାରତକୁ ଦାନ କରିଥିବା ଦୁଇଟି ପଡ଼ୋଶୀ ଦେଶ- ଚୀନ୍‌ ଓ ପାକିସ୍ତାନ କେବଳ ଯେ ଭାରତର ନିରାପତ୍ତା ବିପନ୍ନ କରିବାକୁ ସର୍ବଦା ସୁଯୋଗ ଉଣ୍ତି ବସିଛନ୍ତି, ତାହା ନୁହେଁ, ଅତୀତରେ ସେମାନେ ଏକାଧିକ ବାର ଏହି ଉଦ୍ଦେଶ୍ୟରେ ବିଧିବଦ୍ଧ ଯୁଦ୍ଧ ମଧୢ ଘଟାଇ ସାରିଛନ୍ତି। ମିଆଁମାର‌୍‌ ଭଳି ଅନ୍ୟ ପଡ଼ୋଶୀ ଦେଶମାନଙ୍କୁ ସେମାନେ ବିଶେଷ କରି ଚୀନ୍‌ ନିଜର ପ୍ରଭାବ ବଳୟ ମଧୢକୁ ଟାଣିନେବାକୁ ସର୍ବଦା ସୁଯୋଗ ଉଣ୍ତିବାରେ ଲାଗିଛି। ମିଆଁମାର‌୍‌ର କ୍ଷମତାସୀନ ସରକାର କୌଣସି କାରଣରୁ ଯଦି ଭାରତ ପ୍ରତି ବିମୁଖ ହୁଏ, ତେବେ ବିିଭିନ୍ନ ପ୍ରଲୋଭନ ପ୍ରଦାନ ଦ୍ବାରା ଚୀନ୍‌ ତାକୁ ନିଜ ପକ୍ଷଭୁକ୍ତ କରି ଭାରତର ନିରାପତ୍ତା ଆହୁରି ବିପନ୍ନ କରିବାକୁ ଉଦ୍ୟମ କରିବ। ଯଦିବା ପୃଥିବୀ ସାରା ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ସହାୟତା କରିବା ହେଉଛି ଏକ ଅତ୍ୟନ୍ତ ଉଚ୍ଚ ନୈତିକ ଚିନ୍ତାଧାରା, କଠୋର ସତ୍ୟ ହେଲା, ପ୍ରଥମେ ଜାତୀୟ ସ୍ବାର୍ଥ ସୁରକ୍ଷିତ ରହିଲେ ଯାଇ ବିଦେଶରେ ସୁଶାସନ ପ୍ରତିଷ୍ଠାରେ ଭାଗ ନେବା କଥା ଚିନ୍ତା କରାଯାଇପାରିବ।

ଏଠାରେ ଯେଉଁ ବାସ୍ତବ ନୀତି ସର୍ବଦା ଅନୁସରଣ କରାଯାଏ, ତାହା ହେଲା ହେନ୍‌ରୀ କିସିଞ୍ଜର ସର୍ବଦା ଆବୃତ୍ତି କରି ପ୍ରସିଦ୍ଧି ପ୍ରଦାନ କରିଥିବା ନୀତି: ‘ଏକ ରାଷ୍ଟ୍ରର କେହି ସ୍ଥାୟୀ ମିତ୍ର ନଥାନ୍ତି କିମ୍ବା କେହି ସ୍ଥାୟୀ ଶତ୍ରୁ ନଥାନ୍ତି; ଥାଏ କେବଳ ସ୍ଥାୟୀ ଜାତୀୟ ସ୍ବାର୍ଥ!’ ସମସ୍ତଙ୍କୁ ଜଣା ଏହି ନୀତିକୁ ଅନୁସରଣ କରି ପୃଥିବୀରେ ଗଣତନ୍ତ୍ରର ମୁଖ୍ୟ ପୂଜାରୀ ରୂପେ ସର୍ବଦା ଗର୍ବ କରି ଚାଲିଥିବା ଯୁକ୍ତରାଷ୍ଟ୍ର ଆମେରିକା କିସିଞ୍ଜରଙ୍କର ପ୍ରଗାଢ଼ ଉଦ୍ୟମ ବଳରେ ଗଣତନ୍ତ୍ରର ସମ୍ପୂର୍ଣ୍ଣ ବିରୋଧୀ ମାଓ ଜେଡଙ୍ଗ୍‌ଙ୍କର କମ୍ୟୁନିଷ୍ଟ ଚୀନ୍‌ ସହିତ ବନ୍ଧୁତା ଓ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା କରି ସାରା ପୃଥିବୀକୁ ଆଶ୍ଚର୍ଯ୍ୟାନ୍ବିତ ଓ ହତଭମ୍ବ କରି ଦେଇଥିଲା। ମାଓଙ୍କ ସମୟରେ ଅନୁସୃତ ଦିଗହରା ନୀତି ଯୋଗୁଁ ଘଟିଥିବା ପ୍ରାୟ ଦଶଲକ୍ଷ ବୁଭୁକ୍ଷୁଙ୍କ ଗଣ ପ୍ରାଣହାନି କିମ୍ବା ପରବର୍ତ୍ତୀ ସମୟରେ ବେଜି˚ର ଟିଆନାନ୍‌ମେନ୍‌ ଛକରେ ରଚିତ ଗଣତନ୍ତ୍ର ଦାବି କରୁଥିବା ଆନ୍ଦୋଳନକାରୀଙ୍କର ଗଣହତ୍ୟା- କିଛି ହେଲେ ଆରେମିକା-ଚୀନ୍‌ ମଧୢରେ ନିକ୍‌ସନ-କିସିଞ୍ଜର ପ୍ରତିଷ୍ଠା କରିଥିବା ମଜଭୁତ ସମ୍ପର୍କରେ କୌଣସି ଆଞ୍ଚ ଆଣିପାରି ନଥିଲା। ଆମେରିକାର ବାଣିଜ୍ୟିକ ସ୍ବାର୍ଥ ହିଁ ଏ ଦ୍ବିପାକ୍ଷିକ ସମ୍ପର୍କକୁ ଅକ୍ଷତ ରଖିଥିଲା। ଲକ୍ଷ୍ୟ କରିବା କଥା, ଯେତେବେଳେ ଏହି ସ୍ବାର୍ଥ ବାଧା ପାଉଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ଅନୁଭବ କଲେ, ସେତେବେଳେ ଯାଇ ସେ ଚୀନ୍‌ ବିରୋଧରେ କେତେକ କଠୋର ପଦକ୍ଷେପ ନେବା ଆରମ୍ଭ କରିଥିଲେ।

ମିଆଁମାର‌୍‌ରେ ଯାହାଙ୍କୁ ଏବେ ଗଣତନ୍ତ୍ରର ଜୀବନ୍ତ ପ୍ରତୀକ ରୂପେ ବିଚାର କରି ସେଠାରେ ସାମରିକ ଶାସନକୁ ପାଶ୍ଚାତ୍ୟ ଦେଶମାନେ ବିରୋଧ କରୁଛନ୍ତି, ସେଇ ସୁଚି ମଧୢ ଏକ କଳା-ଧଳା ଚରିତ୍ର ନୁହଁନ୍ତି। ସେ ଦେଶରେ ପୂର୍ବର ଦୀର୍ଘ ସାମରିକ ଶାସନକୁ ବିରୋଧ କରି ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରି ସୁଚି ଯେତେବେଳେ ତାଙ୍କ ଜୀବନର ପ୍ରାୟ ଅଧା ସମୟ କାରାଗାରରେ ଓ ଗୃହବନ୍ଦୀ ରୂପେ ବିତାଇ ଦେଇଥିଲେ, ସେତେବେଳେ ପାଶ୍ଚାତ୍ୟ ଦେଶମାନେ ଏଭଳି ଅଭିଭୂତ ହୋଇ ପଡ଼ିଥିଲେ ଯେ ୧୯୯୧ରେ ତାଙ୍କୁ ଶାନ୍ତି ପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ନିକଟ ଅତୀତରେ କିନ୍ତୁ ଯେତେବେଳେ ମିଆଁମାର‌୍‌ରେ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ବ୍ୟାପୃତ ଥିବା ସ˚ଖ୍ୟାଲଘୁ ରୋହିଙ୍ଗ୍ୟାମାନେ ସେନା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲକ୍ଷ ଲକ୍ଷ ସ˚ଖ୍ୟାରେ ଦେଶଛାଡ଼ି ପଳାଇ ଆସିଲେ, ସୁଚି ସେମାନଙ୍କ ସପକ୍ଷରେ କୌଣସି ପଦକ୍ଷେପ ନ ନେବାରୁ ସେଇ ପାଶ୍ଚାତ୍ୟ ଦେଶମାନେ ସୁଚିଙ୍କୁ ଜଣେ ମାନବାଧିକାର ବିରୋଧୀ ରାକ୍ଷସୀ ରୂପେ ନିନ୍ଦା କରିବାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ପୁଣି ସେଇ ସୁଚି ସେନାବାହିନୀ ଦ୍ବାରା ଅପସାରିତ ହୋଇ ବନ୍ଦୀ ହେବା ପରେ ପାଶ୍ଚାତ୍ୟ ପର୍ଯ୍ୟବେକ୍ଷକମାନେ ଆଉଥରେ ତାଙ୍କୁ ଜଣେ ଦେବୀ ରୂପେ ଚିତ୍ରିତ କରିବାକୁ ଆରମ୍ଭ କରି ଦେଇଛନ୍ତି।

ଭାରତ ଯଦି ଏ ଦ୍ବନ୍ଦ୍ବରୁ ଦୂରେଇ ରହିବାକୁ ଚାହେଁ, ତେବେ ତା’ ସମ୍ମୁଖରେ ଥିବା ଏକମାତ୍ର ଉପାୟ ହେଉଛି ନିଜର ଜାତୀୟ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ଯାହା ଆବଶ୍ୟକ ତାହା କରିବା। ଭାରତ ମଧୢ ନିଶ୍ଚିତ ରହିବା ଉଚିତ ଯେ ନିଜର ଗଣତାନ୍ତ୍ରିକ ଚରିତ୍ର ପ୍ରମାଣ କରିବା ପାଇଁ ତାକୁ କାହା ଆଗରେ କୌଣସି ପରୀକ୍ଷା ଦେବା ଦରକାର ନାହିଁ। କାରଣ ପୃଥିବୀର ଏହି ଅଞ୍ଚଳ- ଦକ୍ଷିଣ ଏସିଆର ଦେଶମାନଙ୍କ ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କଲେ ଯାହା ସମସ୍ତେ ଦେଖିପାରିବେ, ତାହା ହେଲା ଏଠାରେ ଭାରତ ଓ ଶ୍ରୀଲଙ୍କା ହେଉଛନ୍ତି ଏକମାତ୍ର ଦୁଇଟି ଦେଶ, ଯେଉଁମାନେ ସ୍ବାଧୀନତା ପ୍ରାପ୍ତି ପରଠାରୁ ଗଣତାନ୍ତ୍ରିକ ହୋଇ ରହିବାରେ ସଫଳ ହୋଇଛନ୍ତି। ନିକଟ ଅତୀତ ପର୍ଯ୍ୟନ୍ତ ନେପାଳ ଥିଲା ଏକ ରାଜତନ୍ତ୍ର; ବିଳମ୍ବିତ ଗଣତନ୍ତ୍ର ସତ୍ତ୍ବେ ଭୁଟାନ ଏବେ ବି ହେଉଛି ଏକ ସାମ୍ବିଧାନିକ ରାଜତନ୍ତ୍ର; ବା˚ଲାଦେଶ ଦୁଇ ଛେକ ସାମରିକ ଶାସନରେ କାଳ କାଟି ସାରିଛି; ପାକିସ୍ତାନ ଓ ଆଫଗାନିସ୍ତାନ କଥା ନ କହିଲେ ଭଲ ଏବ˚ ମାଲ୍‌ଡିଭ୍‌ସ ଅଧିକା˚ଶ ସମୟ ଏକଛତ୍ର ଶାସନ ଅଧୀନରେ ରହିଆସିଛି। ଉତ୍ତରରେ ତ ବିଶାଳ ଏକଛତ୍ରବାଦୀ ଡ୍ରାଗନ୍‌ ଚୀନ୍‌ ପାଟି ମେଲା କରି ଟାକି ରହିଛି। ତେଣୁ କୌଣସି ଆବେଗିକ ପଦକ୍ଷେପ ନେବା ପରିବର୍ତ୍ତେ ଗଣତାନ୍ତ୍ରିକ ଭାରତ ନିଜର ନିରାପତ୍ତା ଓ ସମୃଦ୍ଧି ଅକ୍ଷୁଣ୍ଣ ରଖିବା ପାଇଁ ମିଆଁମାର‌୍‌ରେ ପରିବର୍ତ୍ତିତ ପରିସ୍ଥିତି ସମ୍ପର୍କରେ ବୁଝିବିଚାରି ପଦକ୍ଷେପ ନେବା ଉଚିତ। ଗଣତନ୍ତ୍ରର ଉପାସନା ନିଜ ଦେଶ ଭିତରେ ସୀମିତ ରହିବା ଭଲ।

ସମ୍ବନ୍ଧିତ ଖବର