ଡିଟେକ୍‌ଟିଭ୍‌ ‘ହୁ’

ବିଶ୍ବ ପ୍ରସିଦ୍ଧ କାଳ୍ପନିକ ଡିଟେକ୍‌ଟିଭ୍‌ ଚରିତ୍ର ସର୍ଲକ ହୋମ୍‌ସଙ୍କ ସ୍ରଷ୍ଟା ସାର‌୍‌ ଆର୍ଥର କୋନାନ ଡୋଏଲ୍‌ଙ୍କୁ କେହି ଜଣେ ଅନୁସନ୍ଧିତ୍ସୁ ପାଠକ ଯେତେବେଳେ ପ୍ରଶ୍ନ କରିଥିଲେ ଯେ ହୋମ୍‌ସ କିଭଳି ରହସ୍ୟର ଘନ ଧୂମ ପଟଳ ଭେଦ କରି ସମାଧାନ-ଅସାଧୢ ଭଳି ମନେ ହେଉଥିବା ମାମଲାଗୁଡ଼ିକର ଗଣ୍ଠି ଫିଟାଇ ପକାନ୍ତି, ସେତିକି ବେଳେ କୋନାନ ଡୋଏଲ୍‌ କୁଆଡ଼େ କହିଥିଲେ ଯେ ମୁଁ ତ ନିଜେ ବୁଝି ପାରେ ନାହିଁ ଯେ ମୋ ଲାଗି ଅତ୍ୟନ୍ତ ସରଳ ସମସ୍ୟାଗୁଡ଼ିକ ହୋମ୍‌ସଙ୍କ ଲାଗି ଏତେ ଷ୍ଟେକର ହୋଇପଡ଼େ କାହିଁକି? ଏଭଳି ଏକ ବିଚକ୍ଷଣ ଉତ୍ତରର ଅର୍ଥ ବୁଝିବା ବିଶେଷ କଷ୍ଟକର ହୋଇ ନ ଥାଏ। କାରଣ ରଚୟିତା ଭାବେ କୋନାନ ଡୋଏଲ୍‌ଙ୍କ ଆଗରେ କାହାଣୀର ସ˚ପୂର୍ଣ୍ଣ ଚିତ୍ରଟି ରହିଥାଏ; ଅପରାଧୀ କିଏ ଓ ସେ କିଭଳି ଅପରାଧ ଘଟାଇବ ଏବଂ କେଉଁ ସବୁ ସୁରାକ୍‌ ଛାଡ଼ି ଦେଇଯିବ, ତାହା ସେ ସ୍ଥିର କରି ସାରିଥାଆନ୍ତି। ସୁତରା˚, ସେ କେବଳ ସର୍ଲକ ହୋମ୍‌ସ (ଅପରାଧ ସ˚ପର୍କରେ ସ˚ପୂର୍ଣ୍ଣ ଅଜ୍ଞ)ଙ୍କୁ ତହିଁରେ ସ୍ଥାପନ କରି ତାଙ୍କ ମାଧୢମରେ ରହସ୍ୟ ଉପରୁ ଧୀରେ ଧୀରେ ପ୍ରହେଳିକା ଉନ୍ମୋଚନ କରି ଚାଲନ୍ତି ଏବ˚ ଅନ୍ତିମ ପୃଷ୍ଠାରେ ସମାଧାନ ସୂତ୍ରରେ ହୋମ୍‌ସଙ୍କୁ ସାଫଲ୍ୟ ପ୍ରଦାନ କରିଥାଆନ୍ତି। ସୁତରା˚, ଗଳ୍ପରେ ବର୍ଣ୍ଣିତ ଘଟଣାର ଘନଘଟା ଦେଇ ହୋମ୍‌ସଙ୍କ ଅପରାଧ ଅନୁସନ୍ଧାନର ଯାତ୍ରା ପାଠକପାଠିକାମାନଙ୍କ ଲାଗି ଏକ ଅଲୌକିକ ବୁଦ୍ଧିମତ୍ତାସ˚ପନ୍ନ ଡିଟେକ୍‌ଟିଭ୍‌ଙ୍କ ବିରଳ ଉପଲବ୍‌ଧି ତୁଲ୍ୟ ବୋଧ ହୋଇଥାଏ। ସେହିଭଳି ଯଦି କରୋନା ସ˚କ୍ରମଣର ଉତ୍ପତ୍ତି ସ୍ଥଳକୁ ଘେରି ରହିଥିବା ରହସ୍ୟ ଉନ୍ମୋଚନ ସକାଶେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ବା ‘ହୁ’ ଦ୍ବାରା ପ୍ରାରମ୍ଭ କରାଯାଇଥିବା ଅନୁସନ୍ଧାନର ପ୍ରାଥମିକ ସିଦ୍ଧାନ୍ତ ସ˚ପର୍କରେ ଚିନ୍ତା କରାଯାଏ, ତେବେ କହିଲେ ଭୁଲ ହେବ ନାହିଁ ଯେ ‘ହୁ’ର ବିଶେଷଜ୍ଞ ଦଳ ସର୍ଲକ ହୋମ୍‌ସଙ୍କ ଭଳି ସମାଧାନର ଯେଉଁ ବିନ୍ଦୁରେ ପହଞ୍ଚିବାରେ ସଫଳ ହୋଇଛନ୍ତି ତାହା କୋନାନ ଡୋଏଲଙ୍କ ଭୂମିକାରେ ଅବତୀର୍ଣ୍ଣ ଚୀନ ଦ୍ବାରା ରଚିତ। ଏହି କାରଣରୁ ଗଲା ବୁଧବାର ଦିନ ‘ହୁ’ ପକ୍ଷରୁ ପ୍ରଦତ୍ତ ସିଦ୍ଧାନ୍ତ ସର୍ବୋତ ଭାବେ ଗ୍ରହଣୀୟ ହୋଇପାରିନାହିଁ। କେବଳ ସେତିକି ନୁହେଁ ଏହି ପାନ୍‌ଡେମିକ୍‌ର ସୃଷ୍ଟି ପଛରେ ରହିଥିବା ଚୀନ୍‌ର ସନ୍ଦିଗ୍‌ଧ ଭୂମିକାକୁ ନାକଚ କରିଦେବାର ପ୍ରୟାସ ଏଥିରେ ଜଳଜଳ ଦିଶୁଛି।

‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ ଯେଉଁ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଏହାର ଅନୁସନ୍ଧାନ କରିବାକୁ ଉହାନ ଗସ୍ତ କରିଥିଲେ, ମାତ୍ର ଚାରି ସପ୍ତାହ ପରେ ସେମାନଙ୍କ ପ୍ରାରମ୍ଭିକ ନିଷ୍କର୍ଷ ସହିତ ଆଗକୁ ଆସିଛନ୍ତି, ଯହିଁରୁ ଦୁଇ ସପ୍ତାହ ସେମାନେ ସେଠାରେ କ୍ବାରାଣ୍ଟାଇନ୍‌ରେ ବିତାଇଥିଲେ। ସେମାନଙ୍କ ସିଦ୍ଧାନ୍ତ କହିଥାଏ ଯେ କୋଭିଡ୍‌ ଭୂତାଣୁ ଯେ ମାନବକୃତ ଏବ˚ ତାହା ‘ଉହାନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି’ର ପରୀକ୍ଷାଗାରରୁ ଲିକ୍‌ ହୋଇଛି; ସେଭଳି ସମ୍ଭାବନା ଅମୂଳକ। ଦ୍ବିତୀୟତଃ, କୋଭିଡ୍‌ ଭୂତାଣୁ ଯେ ପ୍ରଥମେ ଉହାନ ଠାରେ ହିଁ ପଶୁ ଶରୀରରୁ ମନୁଷ୍ୟ ଶରୀରକୁ ପ୍ରବେଶ କରି ମନୁଷ୍ୟ ପରିବାହୀରେ ପରିଣତ ହୋଇଥିଲା, ତାହା ମଧୢ ଦୃଢ଼ତାର ସହିତ କୁହାଯାଇ ନ ପାରେ। ଏହାର କାରଣ ସ୍ବରୂପ ସେମାନେ କହିଥାଆନ୍ତି ଯେ ଜାପାନ ଏବ˚ ଇଣ୍ତୋନେସିଆରେ ଦେଖାଯାଉଥିବା ବାଦୁଡ଼ିଙ୍କ ଶରୀରରେ କୋଭିଡ୍‌-୧୯ ଭୂତାଣୁ ସହିତ ଘନିଷ୍ଠ ସାମଞ୍ଜସ୍ୟ ବହନ କରିଥିବା କରୋନା ଭୂତାଣୁଙ୍କ ଭଣ୍ତାର ଆବିଷ୍କୃତ ହୋଇଛି। ଏହାର ଅର୍ଥ ଚୀନ୍‌ ଏହାର ଉତ୍ପତ୍ତି ସ୍ଥଳ ବୋଲିଏକ କଳୁଷ ଧାରଣ କରିବ କାହିଁକି? ସେହିଭଳି କୁହାଯାଇଛି ଯେ ବାହାର ରାଷ୍ଟ୍ରରୁ ଚୀନ୍‌କୁ ଆମଦାନି କରାଯାଉଥିବା ‘ଫ୍ରୋଜନ୍‌ ଫୁଡ୍‌’ ବା ହିମୀକୃତ ଖାଦ୍ୟ, ଯହିଁରେ ବାଦୁଡ଼ି ମା˚ସ ଅନ୍ତର୍ଭୁକ୍ତ, ‘କୋଭିଡ୍‌-୧୯’ ଭୂତାଣୁକୁ ଚୀନ ମଧୢକୁ ଆଣିଥିବା ମଧୢ ସମ୍ଭବ। ସୁତରା˚, ଉହାନର ଆମିଷ ବଜାର ଯେ ଏହାର ଉତ୍ପତ୍ତି ସ୍ଥଳ, ତାହା ମଧ୍ୟ ଜୋର ଦେଇ କୁହାଯାଇ ନ ପାରେ। କହିବା ନିଷ୍ପ୍ରୟୋଜନ ଯେ ‘ହୁ’ର ସିଦ୍ଧାନ୍ତ ଚୀନ୍‌କୁ ଏଭଳି ବଳ ଯୋଗାଇଛି ଯେ ସେଠାରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଆହ୍ବାନ ଦିଆଯାଇ କୁହାଗଲାଣି ଯେ ଏବେ ‘ହୁ’ ବିଶେଷଜ୍ଞ ଦଳର ଅନୁସନ୍ଧାନ ଲାଗି ଯୁକ୍ତରାଷ୍ଟ୍ର ଆମେରିକା ନିଜକୁ ଉନ୍ମୁକ୍ତ କରୁ। ସ୍ମରଣଯୋଗ୍ୟ ଯେ ଏହି ପାନ୍‌ଡେମିକ୍‌ର ପ୍ରାରମ୍ଭ କାଳରେ ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ ଏହାକୁ ଏକ ଚୀନା ଭାଇରସ୍‌ ବୋଲି ଅଭିହିତ କରିଥିଲେ, ସେତିକିବେଳେ ଚୀନ ପକ୍ଷରୁ କୁହାଯାଇଥିଲା ଯେ ୨୦୧୯ ମସିହା, ଅକ୍ଟୋବର ମାସରେ ଉହାନ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ବ ସାମରିକ ବାହିନୀ ଖେଳକୁଦ ପ୍ରତିଯୋଗିତା ସମୟରେ ଅ˚ଶ ଗ୍ରହଣକାରୀ ଆମେରିକୀୟମାନଙ୍କ ଜରିଆରେ ଏହା ଚୀନ୍‌ରେ ପ୍ରବେଶ କରିଛି। ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ‘ହୁ’ର ସିଦ୍ଧାନ୍ତ ଉତ୍ତର ଦେବା ବଦଳରେ ଅଧିକ ପ୍ରଶ୍ନକୁ ଜନ୍ମ ଦେଇଛି ଏବ˚ ଏକ ବିଶ୍ବ ସ୍ତରୀୟ ଅନୁଷ୍ଠାନ ହୋଇଥିବା ସତ୍ତ୍ବେ କୋଭିଡ୍‌ ଭୂତାଣୁ ଓ ପାନ୍‌ଡେମିକ୍‌ର ରାଜନୀତୀକରଣରେ ଦୟନୀୟ ଭାବେ ପକ୍ଷଭୁକ୍ତ ହୋଇପଡ଼ିଛି।

ସ˚ପ୍ରତି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଯେ ଏକ ଚୀନ ବୋଲକରା ଅନୁଷ୍ଠାନରେ ପରିଣତ ହୋଇସାରିଲାଣି, ତାହା ପାନ୍‌ଡେମିକ୍‌ କାଳରେ ହିଁ ପ୍ରମାଣିତ ହୋଇସାରିଛି। ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ରେ ଏକ ରହସ୍ୟମୟ ଓ ସ˚କ୍ରାମକ ନିମୋନିଆ ରୋଗର ଆବିର୍ଭାବ ସଂପର୍କ‌େର ୨୦୧୯ ସେପ୍‌ଟେମ୍ବର ମାସ ବେଳକୁ ଜଣା ପଡ଼ିଯାଇଥିଲା। କିନ୍ତୁ ଚୀନ ପକ୍ଷରୁ ଏହାକୁ ଚାପି ଦେବାର ପ୍ରବଳ ଉଦ୍ୟମ କରାଯାଇଥିଲା। କ୍ରମେ ଉହାନରେ ସ˚କ୍ରମଣ ଅଣାୟତ୍ତ ହେବାରୁ ସେଠାରେ ଡିସେମ୍ବର ମାସରେ ‘ଲକ୍‌ଡାଉନ୍‌’ ଘୋଷଣା କରାଯିବା ସତ୍ତ୍ବେ ଏହାକୁ ଚାପି ରଖିବା ଲାଗି ଚୀନା ବ୍ୟଗ୍ରତାକୁ ସମ୍ମାନ ଜଣାଇ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଏ ସ˚ପର୍କରେ ଅବଶିଷ୍ଟ ବିଶ୍ବକୁ ସତର୍କ କରାଇ ନ ଥିଲା। କେବଳ ସେତିକି ନୁହେଁ ଏହା ମନୁଷ୍ୟ ପରିବାହୀ ନୁହେଁ ବୋଲି ‘ହୁ’ ପକ୍ଷରୁ କୁହାଯାଉଥିବା ବେଳେ ଅସ˚ଖ୍ୟ ସ˚କ୍ରମିତ ଚୀନା ନାଗରିକ ବିଭିନ୍ନ ରାଷ୍ଟ୍ରକୁ ଗମନ କରି ଏକ ଅତ୍ୟନ୍ତ ଭୟାବହ ପାନ୍‌ଡେମିକ୍‌କୁ ସମ୍ଭବ କରାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୨ ମସିହାରେ ଚୀନ୍‌ରେ ପ୍ରଥମେ ‘ସାର୍ସ‌୍‌’ ସ˚କ୍ରମଣ ଦୃଷ୍ଟିଗୋଚର ହେବା ମାତ୍ରକେ ତତ୍କାଳୀନ ‘ହୁ’ର ମୁଖ୍ୟ ଗ୍ରୋ ହାର୍ଲେମ ବ୍ରନ୍‌ଟାଣ୍ତ୍‌ଙ୍କ କଡ଼ା ଚେତାବନୀ ଫଳରେ ସାର୍ସ ଭୂତାଣୁ ଚୀନ ଭୂଖଣ୍ତରୁ ବାହାରି ବିଶେଷ କ୍ଷତି ସାଧନ କରିବାକୁ ସମର୍ଥ ହୋଇ ନ ଥିଲା।

ସେହିଭଳି ଏହି ଭାଇରସ୍‌କୁ ଉହାନ ଭାଇରସ୍‌ ରୂପେ ନାମିତ କରିବାରେ ‘ହୁ’ ଅମଙ୍ଗ ହେବା ପଛରେ ଚୀନ୍‌ର ଚାପ ରହିଥିବା ଜଳଜଳ ଦିଶିଥାଏ; ଯଦିଓ ଲୌକିକ ବିଚାରରେ ସ˚କ୍ରମଣର ଉତ୍ପତ୍ତି ସ୍ଥଳର ନାମରେ ଭାଇରସ୍‌ର ନାମକରଣ କରାଯିବାର ପର˚ପରା ପୂର୍ବରୁ ରହି ଆସିଛି।
ପ୍ରକାଶ ଥାଉ କି ଚୀନ ମୂଳୋଦ୍ଭବ ତଥା କାନାଡାର ନାଗରିକ ମାର୍ଗାରେଟ୍‌ ଚାନ୍‌ ୨୦୦୬ରୁ ୨୦୧୭ ପର୍ଯ୍ୟନ୍ତ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ରହିଥିବା କାଳରେ ଅନୁଷ୍ଠାନଟି ଚୀନ୍‌ର ପ୍ରଭାବ ବଳୟ ମଧୢକୁ ପ୍ରବେଶ କରିବା ଲକ୍ଷ୍ୟ କରାଯାଇଥିଲା। କ୍ରମେ ଚୀନ ଏହି ଅନୁଷ୍ଠାନକୁ ବିପୁଳ ଅର୍ଥ ଅନୁଦାନ ଦେବା ଆରମ୍ଭ କରିଥିଲା। ୨୦୨୦ ମାର୍ଚ୍ଚରେ ପ୍ରକାଶିତ ଏକ ହିସାବ କହିଥାଏ ଯେ ସେହି ବର୍ଷ ୫୭.୯ ନିୟୁତ ଆମେରିକୀୟ ଡଲାର ପ୍ରଦାନ କରି ଯୁକ୍ତରାଷ୍ଟ୍ର ଆମେରିକା ପରେ ଚୀନ ଥିଲା ଦ୍ବିତୀୟ ସର୍ବାଧିକ ଅନୁଦାନ ପ୍ରଦାନକାରୀ ରାଷ୍ଟ୍ର, ଯାହା ବର୍ତ୍ତମାନ ‘ହୁ’ ସହିତ ଆମେରିକାର ସ˚ପର୍କ ଛିନ୍ନ ହେବା ପରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ‘ହୁ’ରୁ ଆମେରିକାର ପ୍ରସ୍ଥାନ ସହିତ ଯେଉଁ ଭାରସାମ୍ୟହୀନତା ପରିଲକ୍ଷିତ ହୋଇଛି, ସେଥିରେ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ଯେ ଚୀନ୍‌ର କର୍ତ୍ତୃତ୍ବାଧୀନ ହୋଇଛି, ତାହା କହିବା ଅନାବଶ୍ୟକ। ତାର ନିଦର୍ଶନ ମିଳେ ‘ନେଚର’ ପତ୍ରିକାରେ ପ୍ରକାଶିତ ଏକ ଆଲେଖ୍ୟରେ ଯହିଁରେ କୁହାଯାଇଛି ଯେ ‘ହୁ’ ଦ୍ବାରା ଗଠିତ ବିଶେଷଜ୍ଞ ଦଳର ସଦସ୍ୟଙ୍କ ସ˚ଖ୍ୟାର ଅର୍ଧେକ ହେଉଛନ୍ତି ଚୀନ୍‌ର। ଏହି ମିସନ ପକ୍ଷରୁ ଯଦିଓ କୁହାଯାଇଛି ଯେ ଅନୁସନ୍ଧାନ କାର୍ଯ୍ୟ ସମାପ୍ତ ହୋଇନାହିଁ ଏବ˚ ଏହା ଅନେକ କାଳ ଯାଏ ଚାଲୁ ରହିବ; ତେବେ ଯାହା ଏକ ବାସ୍ତବତା ତାହା ହେଲା କୋନାନ ଡୋଏଲ୍‌ ଯେମିତି ଚାହିଁବେ ସେମିତି ଲେଖା ହେବ ଏବ˚ ସର୍ଲକ ହୋମ୍‌ସ ବହୁ ବୁଲାଣି ଓ ବଙ୍କାଣି ଦେଇ ସେହି ଶେଷ କଥାରେ ପହଞ୍ଚିବେ।

ସମ୍ବନ୍ଧିତ ଖବର