‘ବାବୁ’ ବିଡ଼ମ୍ବନା

ଆମ ପ୍ରଶାସନରେ ‘ବାବୁ’ ବୋଲି ଶବ୍ଦଟି ଅଧସ୍ତନମାନଙ୍କ ମୁଖରୁ ନିର୍ଗତ ହୋଇ ଉଚ୍ଚତର ସୋପାନରେ ଅଧିଷ୍ଠିତ ପଦାଧିକାରୀଙ୍କ ଲାଗି ସମ୍ମାନ ପ୍ରଦର୍ଶନର ସର୍ବନିମ୍ନ ଆବଶ୍ୟକତା ହୋଇଥିବା ବେଳେ ଏହି ଶବ୍ଦ ସହିତ ଯୋଡ଼ା କାର୍ଯ୍ୟ ସ˚ସ୍କୃତି, ଯାହା ପ୍ରଶାସନର ଅଦକ୍ଷତା, ଅପାରଗତା ଓ ଅସ୍ବଚ୍ଛତାର ପ୍ରତୀକ ଭାବେ ରହି ଆସିଛି; ଏହି ଶବ୍ଦଟିକୁ ଏକ ଆକ୍ଷେପମୂଳକ, ପରିହାସ ଧର୍ମୀ ତଥା ଅପମାନସୂଚକ ଅଭିବ୍ୟକ୍ତିରେ ମଧୢ ପରିଣତ କଲାଣି। ୨୦୧୬ ମସିହାରେ ‘ଆଇ.ଏ.ଏସ୍‌ ଆସୋସିଏସନ୍‌’ ପକ୍ଷରୁ ଏହି ‘ଶବ୍ଦ’ଟିର ଆକ୍ଷେପମୂଳକ ବ୍ୟବହାରରେ ନିହିତ ଥିବା ଅପମାନ ବିରୋଧରେ ସ୍ବର ଉତ୍ତୋଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଚଳିତ ସ˚ସଦୀୟ ବଜେଟ୍‌ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଏକ ମନ୍ତବ୍ୟରେ ‘ବାବୁ ସ˚ସ୍କୃତି’ ସ˚ପର୍କରେ ରହିଥିବା କଟାକ୍ଷ ଏକ ସ˚କ୍ଷିପ୍ତ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ। କହିବା ଅନାବଶ୍ୟକ ଯେ ଏହି ‘ବାବୁ’ ସ˚ସ୍କୃତି ଯାହା ଅମଲାତନ୍ତ୍ରର କାର୍ଯ୍ୟ ସ˚ସ୍କୃତିକୁ ବୁଝାଏ, ଆମ ଦେଶରେ ବ୍ୟକ୍ତିଗତ ଜୀବନରୁ ଆରମ୍ଭ କରି ସାମାଜିକ ବା ଆନୁଷ୍ଠାନିକ ଜୀବନ ପର୍ଯ୍ୟନ୍ତରେ ସବୁ ସ୍ତରରେ ବିଦ୍ୟମାନ ରହି ତା’ର ପ୍ରଭାବ ବିସ୍ତାର କରିଥାଏ। କିନ୍ତୁ ବିଡ଼ମ୍ବନା ହେଲା, ଏହି ଭାରତୀୟ ଅମଲାତନ୍ତ୍ର ସ˚ପ୍ରତି ପୃଥିବୀର ଅନ୍ୟତମ ସର୍ବାଧିକ ଅପାରଗ, ଦୀର୍ଘସୂତ୍ରୀ ଏବ˚ ଦୁର୍ନୀତିଗ୍ରସ୍ତ ରୂପେ ପରିଗଣିତ। ୨୦୧୨ରେ ହ˚କ˚ସ୍ଥିତ ‘ପଲିଟିକାଲ ଏଣ୍ତ ଇକୋନୋମିକ୍‌ ରିସ୍‌କ କନସଲଟାନ୍‌ସି’ ଦ୍ବାରା ପ୍ରକାଶିତ ତଥ୍ୟ ଅନୁସାରେ ଭାରତୀୟ ଅମଲାତନ୍ତ୍ର ହେଉଛି ଏସିଆର ସର୍ବାଧିକ ଅପାରଗ ଅମଲାତନ୍ତ୍ର।

ଭାରତର ଅର୍ଥନୀତିର ବିକାଶରେ ଘରୋଇ କ୍ଷେତ୍ରର ଅବଦାନ ଉପରେ ଗୁରୁତ୍ବ ପ୍ରଦାନ କରି ଗଲା ୧୦ ତାରିଖ ଦିନ ସ˚ସଦ କକ୍ଷରେ ପ୍ରଧାନମନ୍ତ୍ରୀ ‘ବାବୁ ସ˚ସ୍କୃତି’ ଉପରେ ଯେଉଁ କଟାକ୍ଷ କରିଥିଲେ, ତାର ମର୍ମ ହେଲା ଭାରତରେ ଜଣେ ଆଇଏଏସ୍‌ ଅଧିକାରୀ ସବୁ କିଛି ଚଳାଇ ପାରନ୍ତି; ଜଣେ ଆଇଏଏସ୍ ହୋଇଗଲେ ଧାରଣା ହୋଇଯାଏ ଯେ ସେ ସାର କାରଖାନା ଠାରୁ ଆରମ୍ଭ କରି ବ୍ୟେମଯାନ ପର୍ଯ୍ୟନ୍ତ ସବୁ କିଛି ଚଳାଇ ପାରିବେ। ସେହି ଦିନ ପ୍ରଧାନମନ୍ତ୍ରୀ ‘ବାବୁ ସ˚ସ୍କୃତି’ରେ ଦେଖିବାକୁ ମିଳୁଥିବା ଅହମିକାର ସମାଲୋଚନା କରିଥିଲେ। କିନ୍ତୁ, ତାଙ୍କ ବକ୍ତବ୍ୟ ପରେ ଏହି ସ˚ଦର୍ଭରେ ଯେଉଁ ପ୍ରଶ୍ନଟି ଉଠିଥାଏ, ତାହା ହେଲା ଏଭଳି ମନ୍ତବ୍ୟ ପ୍ରଦାନ କରିଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ କାର୍ଯ୍ୟ ପରିଚାଳନାରେ ଅନେକ ଆଇଏଏସ୍‌ ଅଧିକାରୀଙ୍କ ଉପରେ ବିଶେଷ ରୂପେ ନିର୍ଭରଶୀଳ କାହିଁକି? ତାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଗୁଜରାଟ କ୍ୟାଡର୍ ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ଗଭର୍ନର ପଦରେ ଆସୀନ ଏବ˚ ଆର.କେ. ସି˚ହଙ୍କ ଭଳି ଉଚ୍ଚ ପ୍ରଶାସନିକ ଅଧିକାରୀ ଦୁଇଟି ମନ୍ତ୍ରଣାଳୟର ଦାୟିତ୍ବ ନିର୍ବାହ କରୁଛନ୍ତି। ଧାରା ୩୭୦ର ଉଚ୍ଛେଦ ପରେ କେନ୍ଦ୍ର ଶାସିିତ ଅଞ୍ଚଳରେ ପରିଣତ ହୋଇଥିବା ଜାମ୍ମୁ ଓ କାଶ୍ମୀରର ପ୍ରଥମ ଲେଫ୍‌ଟନାଣ୍ଟ ଗଭର୍ନର ଭାବେ ନିଯୁକ୍ତି ପାଇଥିବା ଗିରୀଶ ମୁର୍ମୁ ମଧୢ ଥିଲେ ଜଣେ ଆଇଏଏସ୍‌। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଅନେକ ଉଚ୍ଚ ପ୍ରଶାସନିକ ଅଧିକାରୀ କାର୍ଯ୍ୟରତ। ସୁତରାଂ, ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ହେଲା ଭାରତର ପ୍ରଶାସନିକ ଅଧିକାରୀମାନେ ପୃଥିବୀର ବିଚକ୍ଷଣତମ ପ୍ରଶାସକଙ୍କ ମଧୢରେ ପରିଗଣିତ ହୁଅନ୍ତି, ଯେଉଁମାନଙ୍କ ସହଯୋଗ ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀଙ୍କ ଲାଗି ଅର୍ଥପୂର୍ଣ୍ଣ ହେଉଥିବ। କିନ୍ତୁ ଏଥିରେ ନିହିତ ବିଡ଼ମ୍ବନାଟି ହେଲା, ଏହି ବିଚକ୍ଷଣତାର ପ୍ରୟୋଗ ଦ୍ବାରା ଅମଲାତନ୍ତ୍ରର କାର୍ଯ୍ୟ ଶୈଳୀକୁ ଜାଣି ଶୁଣି ଏଭଳି ଜଟିଳ କରି ଦିଆଯାଇଛି ଯେ ତାହା ଦୁର୍ନୀତିକୁ ପ୍ରଶ୍ରୟ ଦେବା ସହିତ ସାଧାରଣ ନାଗରିକଙ୍କ ଲାଗି ଏକ ଦୁର୍ଭେଦ୍ୟ ଦୁର୍ଗରେ ପରିଣତ ହୋଇଛି, ଯାହାର ଦ୍ବାର ଖୋଲିବାର ବା ବନ୍ଦ କରିବାର ଚାବି ସେହି ‘ବାବୁ’ମାନଙ୍କ ହାତରେ ରହିଛି। ଏହାର ଶହ ଶହ ଦୃଷ୍ଟାନ୍ତ ରହିଛି।

ତେବେ ଏକ ସଦ୍ୟ ଉଦାହରଣ ଭାବେ ‘ଜିଏସ୍‌ଟି’କୁ ଦେଖା ଯାଇପାରେ। ପୃଥିବୀର ଅନେକ ରାଷ୍ଟ୍ରରେ ଏହି ବ୍ୟବସ୍ଥା ଟିକସ କାରବାରକୁ ସରଳ କରିପାରିଥିବା ବେଳେ ଭାରତରେ ଏହା ଏକ ଜଟିଳ ଓ ଗୋଳମାଳିଆ ବ୍ୟବସ୍ଥା ରୂପେ ଆବିର୍ଭୂତ ହୋଇଛି, ଯହିଁରୁ ଜଟିଳତା ଦୂର କରିବାର ଉଦ୍ୟମ ଏ ଯାବତ୍‌ ସରି ନାହିଁ। ଅହମିକା ଭରା ‘ବାବୁ ସ˚ସ୍କୃତି’ର କିଛି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କୋଭିଡ୍‌ ପାନ୍‌ଡେମିକ୍‌ କାଳୀନ ବିଭିନ୍ନ ପ୍ରଶାସକୀୟ ନିଷ୍ପତ୍ତିର ଅଯୌକ୍ତିକତାରେ; ଯହିଁରେ ଗୃହ ମନ୍ତ୍ରଣାଳୟ ଦ୍ବାରା ଏ ଯାବତ୍‌ ବଳବତ୍ତର ରହିଥିବା ‘ସର୍ବସାଧାରଣ ସୁଇମି˚ ପୁଲ୍‌’ର ବ୍ୟବହାରକୁ ନେଇ କଟକଣା ଅନ୍ତର୍ଭୁକ୍ତ; ଯେତେବେଳେ ଏହା ସ୍ପଷ୍ଟ ପ୍ରମାଣିତ ଯେ କୋଭିଡ୍‌-୧୯ ଭାଇରସ୍ ଜଳ ପରିବାହୀ ନୁହେଁ ଏବ˚ ମନ୍ଦିର, ସିନେମା ହଲ, ସ୍କୁଲ, କଲେଜ ଓ ଜିମନାସିଅମ ଆଦି ସବୁ କିଛି ଖୋଲା ଯାଇ ମୁକ୍ତ ଜନ ସମାଗମକୁ ସମ୍ଭବ କଲାଣି। ସେହି ଦୃଷ୍ଟିରୁ ବିଚାର କଲେ ସାମରିକ ବାହିନୀ ଲାଗି ଅତ୍ୟନ୍ତ ଜରୁରୀ ଉପକରଣର ଖର୍ଦ୍ଦି ଭଳି ରାଷ୍ଟ୍ର ସ୍ବାର୍ଥ ଜଡ଼ିତ ଥିବା ବିଷୟ ହେଉ ବା ଜଣେ ସରକାରୀ କର୍ମଚାରୀଙ୍କ ବଦଳି ଆବେଦନ ଉପରେ ବିଚାର ଭଳି ମାମୁଲି ବ୍ୟକ୍ତିଗତ ସ˚ଦର୍ଭ ହେଉ; ପ୍ରାୟ ସର୍ବତ୍ର ଅମଲାତାନ୍ତ୍ରିକ ଆଭିମୁଖ୍ୟ ବିଭିନ୍ନ ଜଟିଳତା ସୃଷ୍ଟି କରି କାର୍ଯ୍ୟାନ୍ବୟନରେ ବିଳମ୍ବିତ ଲୟ ସୃଷ୍ଟି କରିଥାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଭଳି ସ୍ଥିତି ଦୂର କରିବାକୁ ‘ପ୍ରଶାସନିକ ସ˚ସ୍କାର କମିସନ’ (୧୯୬୬) ବିଭିନ୍ନ ସମୟରେ ସୁପାରିସମାନ କରୁଥିଲେ ସୁଦ୍ଧା ଈପ୍‌ସିତ ଫଳ ମିଳିପାରିନାହିଁ।

ତେବେ ‘ବାବୁ ସ˚ସ୍କୃତି’ର ଦୁର୍ନାମ ସତ୍ତ୍ବେ ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ଅନେକ ଭାରତୀୟ ‘ବାବୁ’ଙ୍କ ବିଚକ୍ଷଣତା ସ୍ଥଳ ବିଶେଷରେ ଭାରତୀୟ ଅମଲାତନ୍ତ୍ରର ସାମର୍ଥ୍ୟକୁ ମଧୢ ପ୍ରତିପାଦନ କରିଛି। ଉଦାହରଣ ସ୍ବରୂପ ପ୍ରାୟ ନବେ କୋଟି ଭାରତୀୟ ଭୋଟରଙ୍କୁ ନେଇ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ପରିଚାଳନାରେ ଏହି ସମାର୍ଥ୍ୟ ପ୍ରମାଣିତ। ଓଡ଼ିଶାରେ ପ୍ରଳୟ ରଚନା କରିଥିବା ଚାରିଟି ଯାକ ଭୀଷଣ ବାତ୍ୟା ସମୟରେ ଉପକୂଳ ଅଞ୍ଚଳର ଲକ୍ଷ ଲକ୍ଷ ବାସିନ୍ଦାଙ୍କୁ ଅତି ସ୍ବଳ୍ପ ସମୟ ମଧୢରେ ନିରାପଦ ସ୍ଥାନକୁ ନେଇଯାଇ ‘ଶୂନ୍ୟ ମୃତାହତ’ର ରେକର୍ଡ ସ୍ଥାପନ କରିଥିବା ଓଡ଼ିଶା ପ୍ରଶାସନ ଏହାର ଆଉ ଏକ ଉଦାହରଣ। ସେହି ପରିପ୍ରେକ୍ଷୀରେ ୧୯୯୪ ମସିହାରେ ଗୁଜରାଟର ସୁରାଟ ସହରର ମ୍ୟୁନିସିପାଲିଟି କମିସନର୍ ଏସ.ଆର. ରାଓଙ୍କ ଦୃଷ୍ଟାନ୍ତ ପ୍ରଣିଧାନଯୋଗ୍ୟ, ଯାହାଙ୍କ ସଫଳ ପରିଚାଳନାରେ ସୁରାଟ ସହର ପ୍ଲେଗ୍ ମୁକ୍ତ ହେବା ସହିତ ତାହା ଦେଶର ଅନ୍ୟତ୍ର ବ୍ୟାପିବାରେ ସଫଳ ହୋଇ ନ ଥିଲା। ସେହିଭଳି ୨୦୧୧ ମସିହାରେ ଲିବ୍ୟାରେ ଏକଛତ୍ରବାଦୀ ଶାସକ ମୁଅମର ଗଦ୍ଦାଫିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିବା ଅତ୍ୟନ୍ତ ବିସ୍ଫୋରକ ପରିସ୍ଥିତିରେ ସେଠାରେ ବସବାସ କରୁଥିବା ଭାରତୀୟମାନଙ୍କୁ ନିରାପଦରେ ସ୍ବଦେଶକୁ ଫେରାଇ ଆଣିବାରେ ଏକ ଚମକପ୍ରଦ ଭୂମିକା ନିର୍ବାହ କରିଥିବା ‘ବାବୁ’ ଜଣକ ଥିଲେ ଲିବ୍ୟାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏମ୍‌.ଏମ୍‌. ମନିଲେକାଲାଇ। ସେହିଭଳି ଛତିଶଗଡ଼ର ଦନ୍ତେଵାଡ଼ାରେ ମାଓବାଦୀଙ୍କ ପ୍ରଭାବକୁ ନିଷ୍ପ୍ରଭ କରିବା ହେଉ ବା ସେହି ସମୟରେ ଜାମ୍ମୁ ଓ କାଶ୍ମୀରରେ ପଞ୍ଚାୟତ ନିର୍ବାଚନର ଆୟୋଜନ କରିବା ହେଉ; ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କ ଚମକପ୍ରଦ ସଫଳତା ସେମାନଙ୍କ ଦକ୍ଷତାର ଗୋଟିଏ ଗୋଟିଏ ପ୍ରମାଣ।

ଏହା ସତ ଯେ ଭାରତୀୟ ଅମଲାତନ୍ତ୍ରର ଅନେକ ଦୁର୍ଗୁଣ ପରାଧୀନତା କାଳରେ ପ୍ରଶାସନିକ ପରିଚାଳନାରୁ ଉତ୍ତରାଧିକାର ସୂତ୍ରରେ ଏ ପର୍ଯ୍ୟନ୍ତ ଗଡ଼ି ଆସିଛି। ସେହି ଦୃଷ୍ଟିରୁ ଅସ˚ଖ୍ୟ ‘ବାବୁ’ ଏଭଳି ଏକ ନିକୃଷ୍ଟ ବ୍ୟବସ୍ଥା ଭିତରେ ରହି ଦକ୍ଷତା ପ୍ରଦର୍ଶନ କରିବାରେ ବିଫଳତାଜନିତ ହତାଶା ବ୍ୟକ୍ତ କରିଛନ୍ତି। କିନ୍ତୁ ଅନେକ ‘ବାବୁ’ ସେମାନଙ୍କ ବିଚକ୍ଷଣତାର ଏଭଳି ପ୍ରଦର୍ଶନ କରିଛନ୍ତି ଯାହା ବ୍ୟବସ୍ଥାର ପ୍ରତିବନ୍ଧକୁ ଅତିକ୍ରମ କରି ନୂଆ ମାର୍ଗ ଉନ୍ମୋଚନ କରିପାରିଛି। କହିବା ବାହୁଲ୍ୟ ଯେ ଭାରତୀୟ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ଅତ୍ୟନ୍ତ ବିସ୍ତାରିତ। ସୁତରା˚, ସେମାନେ ଚାହିଁଲେ ଏକ ନିକୃଷ୍ଟ ବ୍ୟବସ୍ଥା ସତ୍ତ୍ବେ ଅମଲାତନ୍ତ୍ରକୁ ଦକ୍ଷ ଓ ପାରଦର୍ଶୀ ଏପରିକି ଏକ ନୂତନ ଦିଗଦର୍ଶନକାରୀ ବ୍ୟବସ୍ଥାରେ ପରିଣତ କରିପାରିବେ।

ସମ୍ବନ୍ଧିତ ଖବର