ରେଟିଙ୍ଗ୍‌ ଭୂତ

ଏଥର କେନ୍ଦ୍ର ବଜେଟ୍‌ ଆଗତ ହେବା ପରେ କେତେକ ମହଲରେ ଏକ ଚିନ୍ତା ପ୍ରକାଶ ପାଇଛି ଯେ ଭାରତର ସାର୍ବଭୌମ ଋଣ ଗ୍ରହଣ ମାନ୍ୟତା (ସୋଭରେନ୍‌ କ୍ରେଡିଟ୍‌ ରେଟିଙ୍ଗ୍‌)ରେ ଏକ ସ୍ଖଳନ ଘଟିବା ଅବଶ୍ୟମ୍ଭାବୀ। ଏହି ‘ସୋଭରେନ୍‌ କ୍ରେଡ଼ିଟ୍‌ ରେଟିଙ୍ଗ୍‌’ ହେଉଛି କୌଣସି ଏକ ରାଷ୍ଟ୍ର ଅର୍ଥାତ ସାର୍ବଭୌମ ସତ୍ତାର ଋଣ ପରିଶୋଧ କ୍ଷମତାର ଏକ ସ୍ବାଧୀନ ମୂଲ୍ୟାୟନ କରାଯାଇ ପ୍ରଦାନ କରାଯାଇଥିବା ମାନ୍ୟତା। ଏକ ରାଷ୍ଟ୍ରକୁ ଋଣ ପ୍ରଦାନ କଲେ, ତାହା ପରିଶୋଧ ହୋଇପାରିବା/ ନ ହୋଇପାରିବା ସମ୍ଭାବନା କେତେ, ସେ ସମ୍ବନ୍ଧରେ ଏହି ରେଟିଙ୍ଗ୍‌ ସମ୍ଭାବ୍ୟ ଋଣଦାତା/ ନିବେଶକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ରୂପେ କାର୍ଯ୍ୟ କରିଥାଏ। ଏହି ସମ୍ଭାବ୍ୟ ବିପଦରେ ରାଜନୈତିକ ଅସ୍ଥିରତା ଜନିତ ବିପଦ ମଧୢ ଅନ୍ତର୍ଭୁକ୍ତ ଥାଏ।

ବିଶେଷ କରି ଭାରତ ଭଳି ବିକାଶଶୀଳ ଦେଶମାନଙ୍କ ପାଇଁ ଏହି ରେଟିଙ୍ଗ୍‌ ବେଶ ଗୁରୁତ୍ବ ବହନ କରିଥାଏ। ଏକ ଉତ୍ତମ ରେଟିଙ୍ଗ୍‌ ମିଳିଲେ ତାହା ଆନ୍ତର୍ଜାତିକ ଋଣ ବଜାରରେ ବଣ୍ତ୍ ବିକ୍ରି ମାଧୢମରେ ଋଣ ସ˚ଗ୍ରହ ସୁଗମ କରିଥାଏ। ଏହା ବ୍ୟତୀତ ଆନ୍ତର୍ଜାତିକ ବା ବିଦେଶୀ ପୁଞ୍ଜି ନିବେଶକମାନେ ନିଜ ନିବେଶର ନିରାପତ୍ତା ଓ ଲାଭପ୍ରଦତା ନିଶ୍ଚିତ କରିବା ପାଇଁ ଉଚ୍ଚ କ୍ରେଡ଼ିଟ୍‌ ରେଟିଙ୍ଗ୍‌ ପାଇଥିବା ଦେଶରେ ପୁଞ୍ଜିନିବେଶ (ଏଫ୍‌ଡିଆଇ’) କରିବା ପାଇଁ ଅଧିକ ଆଗ୍ରହ ପ୍ରଦର୍ଶନ କରିଥାନ୍ତି। ଏହି କାରଣରୁ ଅଧିକା˚ଶ ଦେଶ ସବୁଠାରୁ ଅଧିକ ମର୍ଯ୍ୟାଦାଜନକ ତଥା ବୃହତ୍‌ ଆନ୍ତର୍ଜାତିକ ରେଟିଙ୍ଗ୍‌ ସ˚ସ୍ଥାମାନଙ୍କ ଠାରୁ ରେଟିଙ୍ଗ୍‌ ହାସଲ କରିବା ପାଇଁ ପସନ୍ଦ କରିଥାନ୍ତି। ପୃଥିବୀର ଏଭଳି ମର୍ଯ୍ୟାଦାଜନକ ରେଟିଙ୍ଗ୍‌ ସ˚ସ୍ଥା ହେଉଛନ୍ତି ତିନିଗୋଟି: ଷ୍ଟାଣ୍ତାର୍ଡ ଆଣ୍ତ ପୁଅର‌୍‌ (ଏସ୍‌ ଆଣ୍ତ ପି’); ମୁଡ଼ିଜ୍‌; ଓ ଫିଚ୍‌ ରେଟିଙ୍ଗ୍‌ସ। ଏମାନେ ଏକ ଦେଶର କ୍ରେଡିଟ୍‌ ରେଟିଙ୍ଗ୍‌ ସୂଚାଇବା ପାଇଁ ନିଜ ନିଜର ଭିନ୍ନ ଭିନ୍ନ ଚିହ୍ନମାନ ବ୍ୟବହାର କରିଥାନ୍ତି।

ଚୀନା କରୋନା ଆକ୍ରମଣ ଜନିତ କ୍ଷୟକ୍ଷତି ଭରଣା ପାଇଁ ଭାରତ ସରକାର ବିଭିନ୍ନ ଅର୍ଥନୈତିକ ପଦକ୍ଷେପମାନ ନେଇ ଚାଲିଥିଲେ ହେଁ, ଏକ ବିଶାଳ ବ୍ୟୟ ମାଧୢମରେ ନାଗରିକମାନଙ୍କର ଆୟରେ ତତ୍‌କ୍ଷଣାତ୍‌ ବୃଦ୍ଧି ଘଟାଇ ଅର୍ଥନୀତିର ଚାହିଦା ପାର୍ଶ୍ବକୁ ମଜଭୁତ କରିବା ପାଇଁ ଦେଖାଇ ଆସିଥିବା କୁଣ୍ଠାର ମୁଖ୍ୟ କାରଣ ହେଉଛି ଏହି ତିନି ମୂର୍ତ୍ତିଙ୍କ ପ୍ରତି ଭୟ। ବିଶାଳ ସରକାରୀ ବ୍ୟୟ ଏକ ବିଶାଳ ରାଜକୋଷୀୟ ନିଅଣ୍ଟ ସୃଷ୍ଟି କରନ୍ତା, ଯାହା ରେଟିଙ୍ଗ୍‌ ସ˚ସ୍ଥା ତ୍ରୟ ଅନୁମୋଦନ କରନ୍ତି ନାହିଁ। ଚଳିତ ବଜେଟ୍‌ରେ କିନ୍ତୁ କିଛି ସାହସ ସଞ୍ଚୟ କରି କେନ୍ଦ୍ର ସରକାର ପରୋକ୍ଷ ଆୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଯେଉଁ ବ୍ୟୟ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି, ସେଥିଯୋଗୁଁ ୨୦୨୧-୨୨ରେ ରାଜକୋଷୀୟ ନିଅଣ୍ଟ ଜିଡିପିର ୬.୮ ଶତା˚ଶ ହେବ ବୋଲି ଅନୁମାନ କରାଯାଇଛି। ସାଧାରଣତଃ ରେଟିଙ୍ଗ୍‌ ଏଜେନ୍‌ସିମାନେ ଏହାକୁ ଏକ ଉଚ୍ଚା ନିଅଣ୍ଟ ଅନୁପାତ ଏବ˚ ଅମିତବ୍ୟୟତା ରୂପେ ବିଚାର କରନ୍ତି। ତେଣୁ ଆଶଙ୍କା ପ୍ରକାଶ ପାଉଛି ଯେ ଏଥିଯୋଗୁଁ ସେମାନେ ଆସନ୍ତା ବର୍ଷକ ମଧୢରେ ଭାରତର କ୍ରେଡିଟ୍‌ ରେଟିଙ୍ଗ୍‌ରେ ସ୍ଖଳନ ଘଟାଇବାର ଦୃଢ଼ ସମ୍ଭାବନା ରହିଛି।

କିନ୍ତୁ ଏଭଳି ଅଘଟଣ ଘଟିବାର ସମ୍ଭାବନା ଯେ କ୍ଷୀଣ, ତାହା କେତେକ ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଲେ ମନେ ହୋଇଥାଏ। ଉଦାହରଣ ସ୍ବରୂପ ୨୦୨୦-୨୧ ବର୍ଷ ପାଇଁ ବଜେଟ୍‌ରେ ଦର୍ଶାଯାଇଥିବା ରାଜକୋଷୀୟ ନିଅଣ୍ଟର ଅନୁପାତ ୯.୫ ଶତା˚ଶ ହୋଇଥିବା ବେଳେ ୨୦୨୧-୨୨ ବର୍ଷ ପାଇଁ ପୂର୍ବୋକ୍ତ ଭଳି ସେଥିରେ ୦.୭ ଶତା˚ଶ ହ୍ରାସ ଘଟାଯାଇଛି। ରାଜକୋଷୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଯେ ସରକାରଙ୍କର ଆନ୍ତରିକ ଉଦ୍ଦେଶ୍ୟ, ଏହା ଦ୍ବାରା ରେଟିଙ୍ଗ୍‌ ସ˚ସ୍ଥାମାନଙ୍କର ହୃଦ୍‌ବୋଧ ହୋଇଥିବ। ଏହା ବାଦ୍‌ ଜାନୁଆରିରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (‘ଆଇଏମ୍‌ଏଫ୍‌’) ପ୍ରକାଶ କରିଥିବା ସୂଚନା ଅନୁସାରେ ଭାରତ ସମେତ ପୃଥିବୀର ସମସ୍ତ ଉଦୀୟମାନ ଅର୍ଥନୀତିମାନଙ୍କର ୨୦୨୦ ପାଇଁ ହାରାହାରି ରାଜକୋଷୀୟ ନିଅଣ୍ଟ ଅନୁପାତ ୧୦.୩ ଶତା˚ଶ ବୋଲି ଅନୁମାନ କରାଯାଇଛି। ଏହାର ଅର୍ଥ ଭାରତ ନିଜର ନିଅଣ୍ଟକୁ ହାରାହାରି ଠାରୁ ତଳେ ରଖିବାକୁ ସମର୍ଥ ହୋଇଛି। ଏହା ଭାରତକୁ ଏକ ଦାୟିତ୍ବବାନ ରାଷ୍ଟ୍ର ରୂପେ ପ୍ରଦର୍ଶିତ କରିଥାଏ।

୨୦୨୧-୨୨ରେ ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ଘଟିବାକୁ ଯାଉଛି ବୋଲି ତିନିଟି ଯାକ ବୃହତ୍‌ ରେଟିଙ୍ଗ୍‌ ସ˚ସ୍ଥା ଆଶା ପ୍ରକାଶ କରିଛନ୍ତି। ସେମାନେ ବର୍ତ୍ତମାନ ଭାରତକୁ ଯେଉଁ ମାନ୍ୟତା ପ୍ରଦାନ କରିଛନ୍ତି, ସେଥିରେ ଦେଶର ବର୍ତ୍ତମାନର ଅର୍ଥନୈତିକ ମାନ୍ଦା ଅବସ୍ଥା ତଥା ରାଜକୋଷୀୟ ନିଅଣ୍ଟ ବୃଦ୍ଧିକୁ ବିଚାରକୁ ନେଇ ସାରିଛନ୍ତି। ଏହା ଅନୁସାରେ ‘ଷ୍ଟାଣ୍ତାର୍ଡ ଆଣ୍ତ ପୁଅର‌୍‌’ ଭାରତକୁ ‘ବିବିବି-’ ମାନ୍ୟତା ପ୍ରଦାନ କରିଥିବା ବେଳେ ‘ମୁଡ଼ିଜ୍‌’ ପ୍ରଦାନ କରିଛି ‘ବିଏଏ-’ ମାନ୍ୟତା। ଏ ଉଭୟ ମାନ୍ୟତା ଭାରତୀୟ ଅର୍ଥନୀତିରେ ସ୍ଥିରତା ବିରାଜ କରିବା ସୂଚାଇ ଥାଏ। ଏମାନେ ଭାରତ ସମ୍ପର୍କରେ ନିଜର ଏଭଳି ‘ସ୍ଥିରତା ଆଭିମୁଖ୍ୟ’ରେ ହଠାତ୍‌ ପରିବର୍ତ୍ତନ ଘଟାଇବାର ସମ୍ଭାବନା କ୍ଷୀଣ, ଏବ˚ ସେଭଳି ପରିବର୍ତ୍ତନ ବିନା ସେମାନେ ହଠାତ ଭାରତର ‘କ୍ରେଡିଟ୍‌ ରେଟିଙ୍ଗ’କୁ ଖସାଇ ଦେବା ସମ୍ଭାବନା ତେଣୁ କ୍ଷୀଣ। ତୃତୀୟ ରେଟିଙ୍ଗ ସ˚ସ୍ଥା ‘ଫିଚ୍‌’ ଭାରତ ପ୍ରତି ଏକ ‘ନକାରାତ୍ମକ ଆଭିମୁଖ୍ୟ’ ପ୍ରକାଶ କରିଛି; ଆଭିମୁଖ୍ୟରେ ପରିବର୍ତ୍ତନ ପାଇଁ ବର୍ଷେ ଦୁଇ ବର୍ଷ ସମୟ ଲାଗିଥାଏ।

ରେଟିଙ୍ଗ୍‌ ସ˚ସ୍ଥାମାନେ ସାଧାରଣତଃ ଦୁଇ ତିନି ବର୍ଷ ପାଇଁ ଏକ ଦେଶ ସମ୍ବନ୍ଧରେ ମତାମତ ଅବଲମ୍ବନ କରିଥାନ୍ତି ଏବ˚ ସେଥିରେ ପରିବର୍ତ୍ତନ ଘଟାଇବା ପାଇଁ ଉଚ୍ଛନ୍ନ ଭାବ ପ୍ରଦର୍ଶନ କରନ୍ତି ନାହିଁ। ଯଦି ବର୍ତ୍ତମାନ ଆଶା କରାଯାଉଥିବା ଭଳି ୨୦୨୧-୨୨ରେ ଭାରତୀୟ ଅର୍ଥନୀତିରେ ପୁନଃଜାଗରଣ ଦେଖାଦିଏ, ତା ହେଲେ ଆସନ୍ତା ଦୁଇବର୍ଷ ମଧୢରେ ରେଟିଙ୍ଗ୍‌ ସ˚ସ୍ଥାମାନେ ତାର ମାନ୍ୟତାରେ ହ୍ରାସ ଘଟାଇବାର ସମ୍ଭାବନା ପ୍ରାୟ ଶୂନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିଶେଷଜ୍ଞମାନେ ଏକମତ ଯେ କମ୍ପାନିମାନଙ୍କର ମାନ୍ୟତା ନିର୍ଣ୍ଣୟ ତୁଳନାରେ ଦେଶମାନଙ୍କର ମାନ୍ୟତା ନିର୍ଣ୍ଣୟ ଏକ ଅପେକ୍ଷାକୃତ ହୁଗୁଳା କିସମର ହୋଇଥାଏ। କିନ୍ତୁ ଏକ ଦେଶରେ ପୁଞ୍ଜି ନିବେଶକମାନଙ୍କ ପାଇଁ ଏହା ବେଶ ଉପଯୋଗୀ ମଧୢ ହୋଇଥାଏ। ଅନୁଶୀଳନରୁ ଦେଖାଯାଇଛି ଯେ ଯେତେବେଳେ ଏକ ଦେଶର ସୋଭରେନ୍‌ ରେଟିଙ୍ଗ୍‌ ‘ନିବେଶ ସ୍ତର’ (‘ଇନ୍‌ଭେଷ୍ଟମେଣ୍ଟ ଗ୍ରେଡ୍‌’)ରୁ ‘ଅଳିଆ ସ୍ତର’ (‘ଜଙ୍କ୍‌ ଗ୍ରେଡ୍‌’)କୁ ଖସି ଆସେ, ସେତେବେଳେ ସେ ଦେଶର ସରକାରଙ୍କ ପାଇଁ ବୈଦେଶିକ ମୁଦ୍ରା ଟ୍ରେଜେରି ବିଲ୍‌ ମାଧୢମରେ ଋଣ ଉଠାଇବା ୧୩୮ ବେସିସ୍‌ ପଏଣ୍ଟ (୧.୩୮ ଶତା˚ଶ) ମହଙ୍ଗା ହୋଇଯାଏ। ପ୍ରଣିଧାନଯୋଗ୍ୟ, ବିକଶିତ ଦେଶ ସରକାରମାନେ ଯେଉଁଭଳି ଋଣ ପତ୍ର କ୍ରୟ ବୃଦ୍ଧି କରି ମୁଦ୍ରା ଯୋଗାଣ ବୃଦ୍ଧି କରିବା (‘କ୍ବାଣ୍ଟିଟେଟିଭ୍‌ ଇଜିଙ୍ଗ୍‌’) ଧାରା ଅବ୍ୟାହତ ରଖିଛନ୍ତି, ତାହା ବିକାଶଶୀଳ ଦେଶମାନଙ୍କର ରାଜକୋଷୀୟ ନିଅଣ୍ଟ ଅନୁପାତ ପ୍ରତି ରେଟିଙ୍ଗ୍‌ ସ˚ସ୍ଥାମାନେ ପ୍ରଦର୍ଶନ କରି ଆସିଥିବା କଠୋର ଆଭିମୁଖ୍ୟ କୋହଳ କରିବା ପାଇଁ ଏକ ନୈତିକ ଚାପ ସୃଷ୍ଟି କଲାଣି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ବର୍ତ୍ତମାନ ରେଟିଙ୍ଗ୍‌ ଭୂତ ଭୟରୁ ମୁକୁଳି, ରାଜକୋଷ ଖୋଲି ଅର୍ଥନୀତିର ବିକାଶରେ ଧୢାନ କେନ୍ଦ୍ରୀଭୂତ କରିବା ଉଚିତ।

ସମ୍ବନ୍ଧିତ ଖବର