ଉତ୍ତର ଖୋଜା

ଭାରତ ଓ ଚୀନ ସୀମାନ୍ତରେ ପ୍ରକୃତ ନିୟନ୍ତ୍ରଣ ରେଖା ବା ‘ଏଲ.ଏ.ସି.’ ଠାରେ ଦୀର୍ଘ ନଅ ମାସ କାଳ ଡୋଳାକୁ ଡୋଳା ମିଶାଇ ମୁହାଁମୁହିଁ ଛିଡ଼ା ହୋଇ ରହିଥିବା ଉଭୟ ଚୀନ ଓ ଭାରତର ସେନା ପଛକୁ ହଟିବା ଆରମ୍ଭ କରିବା ସହିତ ସେଠାରେ ଏବେ ଯାହା ଛିଡ଼ା ହୋଇ ରହିଥିବା ଭଳି ବୋଧ ହେଉଛି; ତାହା ଏକ ବିଶାଳ ପ୍ରଶ୍ନ ଚିହ୍ନ। କାରଣ, କିଛି ଦିନ ପୂର୍ବ ପର୍ଯ୍ୟନ୍ତ ମନେ ହେଉଥିଲା ଯେ ଏହି ସ୍ଥିତି ନିକଟ ଭବିଷ୍ୟତରେ ଟଳିବାର ସମ୍ଭାବନା ଶୂନ୍ୟ ବରାବର। ବର˚ ସମୟେ ସମୟେ ଆଶଙ୍କା ପ୍ରକାଶ ପାଉଥିଲା ଯେ ଉତ୍ତେଜନା ହଠାତ୍‌ ବିସ୍ଫୋରକ ରୂପ ନେଇ ଏକ ଯୁଦ୍ଧ ସୃଷ୍ଟି କରିପାରେ। ଯଦିଓ ଏହାର ସମାଧାନ ଲାଗି ଅନ୍ତତଃ ଆଠ ଥର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସରିଥିଲା, ପ୍ରତୀତ ହେଉଥିଲା ଯେ ଭାରତ ସୀମା ରେଖାକୁ ପ୍ରଥମେ ଅତିକ୍ରମଣ କରି ଆସ୍ଥାନ ଜମାଇ ବସିଥିବା ଚୀନ ଏକ ଅଣଲେଉଟା ସ୍ଥିତିରେ ପହଞ୍ଚି ଯାଇଛି ଏବ˚ ସେଠାରୁ ସୈନ୍ୟ ପ୍ରତ୍ୟାହାର କରିବା ଚୀନ ଲାଗି ପ୍ରକାରାନ୍ତରେ ପରାଭବ ସ୍ବୀକାର କରିବା ତୁଲ୍ୟ ହେବ। ସୁତରା˚, ସ˚ପ୍ରତି ଉଭୟ ଦେଶ ସୈନ୍ୟ ଅପସାରଣ କରୁଥିବା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବର ପରାକାଷ୍ଠା ମଳିନ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ପୁନଶ୍ଚ ଆସନ୍ତା ଜୁଲାଇ ମାସରେ ଚୀନରେ କମ୍ୟୁନିଷ୍ଟ ପାର୍ଟି ତାର ଶତବାର୍ଷିକୀ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏଭଳି ଏକ ପଦକ୍ଷେପ ଅନେକଙ୍କୁ ଚକିତ କରିଛି ମଧୢ। ଚୀନର ସରକାରୀ ଇ˚ରେଜୀ ଦୈନିକ ‘ଗ୍ଲୋବାଲ ଟାଇମ୍‌ସ’ ଯାହା ସୁଯୋଗ ପାଇବା ମାତ୍ରକେ କ୍ଷୁଦ୍ରାତିକ୍ଷୁଦ୍ର କାରଣକୁ ନେଇ ଭାରତକୁ ଶାଣିତ ବିଦ୍ରୂପରେ ହାଣି ପକାଏ, ଆଶ୍ଚର୍ଯ୍ୟଜନକ ଭାବେ ଏହି ପ୍ରସଙ୍ଗରେ ଏକ ଦୃଶ୍ୟମାନ ନିରବତା ଅବଲମ୍ବନ କରିଛି। ତେଣୁ, ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ବର୍ତ୍ତମାନ ହଠାତ୍‌ ଚୀନ ପଛଘୁଞ୍ଚା ଦେବା ଲାଗି ସମ୍ମତ ହେଲା କିପରି?

ଏହି ସମଗ୍ର ଘଟଣାକ୍ରମ ଉପରେ ଦୃଷ୍ଟି ନିବଦ୍ଧ କରି ରଖିଥିବା ବିଶେଷଜ୍ଞମାନେ ଉପରୋକ୍ତ ପ୍ରଶ୍ନର ବିଭିନ୍ନ ସମ୍ଭାବ୍ୟ ଉତ୍ତରମାନ ପ୍ରଦାନ କରନ୍ତି। ତହିଁରୁ ଗୋଟିଏ ହେଲା ଭାରତୀୟ ସେନା ବଳ ଓ ରାଜନୈତିକ ନେତୃତ୍ବର ଦୃଢ଼ତାକୁ ଆକଳନ କରିବାରେ ସମ୍ଭବତଃ ଚୀନର ବିଫଳତା ତାକୁ ସୀମାନ୍ତରେ ଉପଦ୍ରବ କରିବାର ସାହସ ଯୋଗାଇ ଥିିଲା। ତେଣୁ, କରୋନା ପାନ୍‌ଡେମିକ୍‌ର ଘନଘଟା ଏବ˚ ସେହି ସ୍ଥାନର ପରିବେଶଗତ ସମସ୍ତ ପ୍ରତିକୂଳତା ସତ୍ତ୍ବେ ଭାରତୀୟ ସେନାବାହିନୀ ସେଠାରେ ଦୀର୍ଘ ନଅ ମାସ କାଳ ଅଚଳ ମେରୁ ସଦୃଶ ଛିଡ଼ା ହୋଇ ରହିବା ଚୀନକୁ ବିମୂଢ଼ କରି ପକାଇଥିବ; କାରଣ ୧୯୬୨ ଯୁଦ୍ଧର ବିଜୟ ଚୀନ ଠାରେ ସୃଷ୍ଟି କରିଥିବା ଆତ୍ମତୃପ୍ତିଜନିତ ଭ୍ରାନ୍ତିର ବିଳାସ ସେମାନଙ୍କୁ ସମ୍ଭବତଃ ସା˚ପ୍ରତିକ ଭାରତର ସାମର୍ଥ୍ୟର ଅନ୍ଦାଜ ଲଗାଇବାକୁ ଦେଇ ନ ଥିଲା। ସେହି ଦୃଷ୍ଟିରୁ ଗଲା ଅଗଷ୍ଟ ମାସରେ ଅତର୍କିତ ଭାବେ ଭାରତୀୟ ସେନାବାହିନୀ ଦ୍ବାରା କୈଳାସ ପର୍ବତମାଳାର ଚୂଡ଼ା ଦଖଲ ଥିଲା ଚୀନ ଲାଗି ପରାଭବର ପ୍ରଥମ ସ୍ବାଦ ଚାଖିବାର ଅବକାଶ। କାରଣ କୈଳାସ ଚୂଡ଼ାରୁ ଭାରତୀୟ ସେନାର ଦୃଷ୍ଟି ପଟଳ ମଧୢରେ ଚୀନ ସେନାବାହିନୀର ପ୍ରାୟ ସମସ୍ତ ଗତିବିଧି ଆବଦ୍ଧ ରହନ୍ତା, ଯାହା ଏକ ଯୁଦ୍ଧକାଳୀନ ସ୍ଥିତିରେ ଚୀନକୁ ଅନେକା˚ଶରେ ଉପାୟଶୂନ୍ୟ କରି ପକାନ୍ତା। ଏ ସ˚ଦର୍ଭରେ ‘ଚୀନା ଇନଷ୍ଟିଚ୍ୟୁଟ୍‌ ଅଫ୍‌ କନ୍‌ଟେ˚ପରାରି ଇନ୍‌ଟରନେସନାଲ ରିଲେସନ୍‌ସ’(ସି.ଆଇ.ସି.ଆଇ.ଆର.) ଦ୍ବାରା ପ୍ରକାଶିତ ଦୁଇଟି ପ୍ରବନ୍ଧ ପ୍ରଣିଧାନଯୋଗ୍ୟ, ଯହିଁରେ ଚୀନର ଏଭଳି ଉପାୟଶୂନ୍ୟତା ବିଷୟରେ ଉଲ୍ଲେଖ ରହିଛି।

କେବଳ ସେତିକି ନୁହେଁ, ଏଭଳି ଏକ ଧାରଣା ମଧୢ ବଳବତ୍ତର ହେବାରେ ଲାଗିଥିଲା ଯେ ଦକ୍ଷତା ଦୃଷ୍ଟିରୁ ମଧୢ ଭାରତୀୟ ସୈନିକମାନେ ଚୀନାମାନଙ୍କ ଠାରୁ ଉନ୍ନତତର। ଏହାର କାରଣ ସ୍ବରୂପ ଯାହା ଦର୍ଶାଯାଉଛି ତାହା ହେଲା ୧୯୮୪ ମସିହାରୁ ସିଆଚେନ ଅଞ୍ଚଳରେ ପାକିସ୍ତାନର ଦୁରଭିସନ୍ଧିର ମୁକାବିଲା କରିବା ପ୍ରକ୍ରିୟାରେ ଭାରତୀୟ ସୈନ୍ୟମାନେ ଅଧିକ ଯୁଦ୍ଧପଟୁ ହେବା ସହିତ ସେହି ଜୀବନଶୂନ୍ୟ ହିମ ମରୁ ଅଞ୍ଚଳ ଲାଗି ନିଜକୁ ଅଧିକ ଉପଯୁକ୍ତ କରିପାରିଛନ୍ତି। ସୂଚନାଯୋଗ୍ୟ ଯେ ଚୀନା ସୈନ୍ୟମାନେ ଲଦାଖ ଅଞ୍ଚଳର ଶୀତକାଳୀନ ଅସହନୀୟ ପ୍ରତିକୂଳତା ସହିତ ଖାପ ଖୁଆଇବା ଲାଗି ତିବ୍ବତର କି˚ଘାଇ ସମତଳ ଅଞ୍ଚଳରେ ସମରାଭ୍ୟାସ କରୁଥିଲେ, ଯାହା ପ୍ରକୃତ ସମର ସ୍ଥଳ ତୁଳନାରେ ଅପେକ୍ଷାକୃତ ଅଧିକ ଆରାମଦାୟକ ଥିଲା। ସେହିଭଳି ଲଦାଖରେ ଅମ୍ଳଜାନର ଅଭାବ ଯେଉଁ ସମସ୍ୟା ସୃଷ୍ଟି କରିଥାଏ, ତାର ସମାଧାନ ଲାଗି ଚୀନା ସୈନ୍ୟମାନଙ୍କ ଖଟରେ ଅତ୍ୟାଧୁନିକ ଜେନେରେଟରମାନ ଖଞ୍ଜାଯିବାର ବ୍ୟବସ୍ଥା କରାଯାଇଥିଲା, ଯାହା ଚୀନ ସୈନିକମାନଙ୍କ ଅପେକ୍ଷାକୃତ କମ୍‌ ସହନ ଶକ୍ତିର ପ୍ରମାଣ ଦେଇଥାଏ। ସେହିଭଳି ସେଠାକାର ପ୍ରତିକୂଳ ପରିବେଶ କାରଣରୁ ସୀମାନ୍ତରେ ମୁତୟନ କରାଯାଇଥିବା ଚୀନା ସୈନ୍ୟମାନଙ୍କୁ ଖୁବ୍‌ କମ୍‌ ସମୟ ବ୍ୟବଧାନରେ ଅବ୍ୟାହତି ଦିଆଯାଇ ସେମାନଙ୍କ ସ୍ଥାନରେ ନୂତନ ଦଳଙ୍କୁ ନିୟୋଜିତ କରାଯାଉଥିଲା, ଯାହା (ସମୟ ବ୍ୟବଧାନ) ଭାରତୀୟ ସୈନ୍ୟମାନଙ୍କ କ୍ଷେତ୍ରରେ ଥିଲା ତୁଳନାତ୍ମକ ଭାବେ ଦୀର୍ଘ। ସୁତରା˚, ଅନେକ ଚୀନା ବିଶେଷଜ୍ଞଙ୍କ ମତରେ ସମ୍ଭବତଃ ଏଭଳି ଏକ ସ୍ଥିତି ହେତୁ ଚୀନ ହୁଏ’ତ ଲଦାଖ ପରିସ୍ଥିତିକୁ ଅଧିକ ଲମ୍ବାଇବାକୁ ଚାହିଁ ନ ଥିବ। କେବଳ ସେତିକି ନୁହେଁ, ଭାରତୀୟ ରାଜନୈତିକ ନେତୃତ୍ବର ଦୃଢ଼ତା ଯାହା ଚୀନା ଆପ୍‌ଗୁଡ଼ିକୁ ନିଷେଧ କରିବା ବା ଭାରତରେ ଚୀନା ପୁ˚ଜି ଲଗାଣ ଉପରେ କଟକଣା ଲଗାଇବା ଭଳି କଠୋର ପଦକ୍ଷେପରେ ‌େଦଖିବାକୁ ମିଳିଥିଲା, ସମ୍ଭବତଃ ଚୀନର ଅର୍ଥନୈତିକ ବିସ୍ତାରବାଦ ସ୍ବପ୍ନକୁ କୁଠାରାଘାତ କରି ତାକୁ ଛାନିଆ କରି ପକାଇଥିବ। କାରଣ ଭାରତ ପରେ ଅନେକ ଦେଶ ସମତୁଲ କାର୍ଯ୍ୟାନୁଷ୍ଠାନ କରିବାର ଆଶଙ୍କା ଦେଖା ଦେଇଛି।

ତେବେ, ଅନେକ ବିଶେଷଜ୍ଞ ଚୀନର କୌଣସି ପଦକ୍ଷେପକୁ ଉପରେ ବର୍ଣ୍ଣନା କରାଯାଇଥିବା ଭଳି ସହଜ ଓ ସରଳ ରୈଖିକ କାରଣ-ପରିଣାମ ତତ୍ତ୍ବର ଆଧାରରେ ମାପ କରି ନ ଥାନ୍ତି। ସେମାନଙ୍କ ବିଚାରରେ ଚୀନର ପ୍ରତ୍ୟେକ ରଣ କୌଶଳ ପ୍ରହେଳିକାମୟ। ସୁତରା˚, ସେମାନେ ଏ ସ˚ଦର୍ଭରେ ଡିସେମ୍ବର ୨୪-୨୫ ତାରିଖରେ ‘ଡେମୋକ୍ରାଟିକ୍‌ ଲାଇଫ୍‌ ମିଟି˚’ ଶୀର୍ଷକ ପଲିଟ୍‌ବ୍ୟୁରୋର ଏକ ସମାବେଶରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଦାନ କରିଥିବା ଏକ ଭାଷଣର ଉଦାହରଣ ଦିଅନ୍ତି, ଯହିଁରେ ସେ ସମସ୍ତଙ୍କୁ ଆତ୍ମସମୀକ୍ଷା ପୂର୍ବକ ନିଜର ତ୍ରୁଟି ସଜାଡ଼ିବାର ଉଦ୍ୟମ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। କାରଣ ସେଠାରେ ସେ ଚୀନ ଲାଗି ଯେଉଁ ଲକ୍ଷ୍ୟ ନିଧାର୍ଯ୍ୟ କରିଥିଲେ, ତାହା ଥିଲା ୨୦୨୮ ମସିହା ସୁଦ୍ଧା ପୃଥିବୀର ବୃହତ୍ତମ ଅର୍ଥନୈତିିକ ଶକ୍ତିରେ ପରିଣତ ହେବା। ସୁତରା˚, ଏହା ସ୍ବାଭାବିକ ଯେ ଏଭଳି ଏକ ଲକ୍ଷ୍ୟ ହାସଲ କେବଳ ଶାନ୍ତି ଓ ସ୍ଥିରତା ମଧୢରେ ସମ୍ଭବ, ଯାହା ଲଦାଖ ସ୍ଥିତିର ସ˚ପୂର୍ଣ୍ଣ ବିପରୀତ। ସେହିପରି କେବଳ ଏକ ମୁହଁାମୁହିଁ ସ୍ଥିତିରେ ଛିଡ଼ା ହୋଇ ରହିବା ଭଳି ଏକ ନିଷ୍ଫଳ କସରତରେ ଅକଳନ୍ତି ଅର୍ଥ ବ୍ୟୟ ମଧୢ ଯେ ଉପରୋକ୍ତ ଲକ୍ଷ୍ୟ ହାସଲରେ ବାଧକ, ତାହା କହିବା ବାହୁଲ୍ୟ ମାତ୍ର। ଏହା ବ୍ୟତୀତ ଭାରତ ଭଳି ଏକ ବିଶାଳ ବଜାରରୁ ନିଜକୁ ଅନ୍ତର୍ହିତ କରି ନେବା ଯେ ଚୀନର ଅର୍ଥନୈତିକ ବିକାଶ ସଂଦର୍ଭରେ ର୍ବୁଦ୍ଧିମତ୍ତାର ପରିଚାୟକ ନୁହେଁ ତାହା ମଧୢ ଚୀନର ହୃଦ୍‌ବୋଧ ହୋଇଥିବ। ଏହି ପରିପ୍ରେକ୍ଷୀରେ ସୀମାନ୍ତରୁ ସେନା ଅପସାରଣ ଚୀନର ଏକ ବିବେଚନାପୂର୍ଣ୍ଣ ନିଷ୍ପତ୍ତି ହୋଇ ଥାଇପାରେ।

ଏକ ବଡ଼ ଯୁଦ୍ଧରେ ଜିଣିବାକୁ ହେଲେ କ୍ଷୁଦ୍ର କଳହକୁ ନଜର ଅନ୍ଦାଜ କରିବାକୁ ହୋଇଥାଏ। ଚୀନ ସମ୍ଭବତଃ ଏବେ ସେହି ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ଚାହୁଁଛି, ଯେଉଁଠି ତାର ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ତେଣୁ ଏତିକି ବେଳେ ଚୀନା ପଦକ୍ଷେପର ପ୍ରହେଳିକା ଭେଦ କରିବା ଭାରତ ଲାଗି ଅଧିକ ଯୁକ୍ତିଯୁକ୍ତ ହେବ। ତେଣୁ ଏହି ସୈନ୍ୟ ଅପସାରଣରେ ଚୀନର ପରାଭବକୁ ନ ଦେଖି ବା ତଜ୍ଜନିତ ଆତ୍ମ ତୃପ୍ତିରେ ମଗ୍ନ ନ ହୋଇ ଭାରତକୁ ମଧୢ ତାର ଅର୍ଥନୈତିକ ବିକାଶ ଲକ୍ଷ୍ୟ ହାସଲରେ ମଜ୍ଜିବାକୁ ହେବ। କାରଣ ପ୍ରକୃତରେ ସୀମାନ୍ତରେ ଯୁଦ୍ଧ ଦ୍ବାରା ନୁହେଁ, ଅର୍ଥନୈତିକ ବିକାଶରେ ଅଗ୍ରଣୀ ରହି ଭାରତ ଚୀନର ପ୍ରକୃତ ମୁକାବିଲା କରିପାରିବ।

ସମ୍ବନ୍ଧିତ ଖବର