ରୋହିଙ୍ଗ୍ୟା ପ୍ରଶ୍ନ

ଆସନ୍ତାକାଲି, ୨୦୧୮ ଜାନୁଆରି ୩୧ ଦିନ, ଭାରତରୁ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କୁ ବହିଷ୍କାର କରାଯିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବିରୁଦ୍ଧରେ ଆଗତ ଆବେଦନର ସ୍ଥଗିତ କରାଯାଇଥିବା ଶୁଣାଣି ପୁଣି ଆରମ୍ଭ ହେବ ବୋଲି ସୁପ୍ରିମ୍‌ କୋର୍ଟ ୨୦୧୭ ଡିସେମ୍ବର ୫ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ନିରାପତ୍ତା ବିପନ୍ନ ହେବା ଆଶଙ୍କା ଥିବାରୁ ଦେଶରେ ଥିବା ପ୍ରାୟ ୪୦,୦୦୦ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କୁ ବହିଷ୍କାର କରିବା ପାଇଁ କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟରେ ନିଷ୍ପତ୍ତି ନେଇଥିଲେ। ଭାରତରେ ଥିବା କେତେକ ରୋହିଙ୍ଗ୍ୟା ମାନଙ୍କର ‘ଆତଙ୍କବାଦ ସଂଗଠନ’ ମାନଙ୍କ ସହିତ ସମ୍ପର୍କ ଥିବାର ସୂଚନା ସରକାରଙ୍କ ପାଖରେ ଥିବାରୁ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଦେଶରୁ ସମସ୍ତ ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କୁ ବହିଷ୍କାର ଆବଶ୍ୟକ ବୋଲି ସରକାର ବିଚାର କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଅଗଷ୍ଟ ୨୫ ଦିନ ‘ଆରାକାନ୍‌ ରୋହିଙ୍ଗ୍ୟା ସାଲ୍‌ଭେସନ୍‌ ଆର୍ମି’ (ଆର୍ସା) ନାମକ ଯେଉଁ ରୋହିଙ୍ଗ୍ୟା ପ୍ରତିରୋଧ ଗୋଷ୍ଠୀ ଏକ ସେନା ଛାଉଣୀ ଏବଂ ୩୦ଟି ପୁଲିସ୍‌ ଥାନା ଉପରେ ଆକ୍ରମଣ କରି ୭୧ ଜଣଙ୍କର ହତ୍ୟା ଘଟାଇଥିଲେ, ସେହି ଗୋଷ୍ଠୀର ଆଲ୍‌ କଏଦା ଭଳି ଇସଲାମୀୟ ଆତଙ୍କବାଦୀ ସଂଗଠନ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଥିବା କଥା ଏ କ୍ଷେତ୍ରରେ ଗବେଷଣା, ପରାମର୍ଶଦାନ ଆଦି କାର୍ଯ୍ୟରେ ସକ୍ରିୟ ଥିବା ‘ଇଣ୍ଟର୍‌ନେସନାଲ୍‌ କ୍ରାଇସିସ୍‌ ଗ୍ରୁପ୍‌’ (ଆଇସିସି) ଭଳି ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ସଂଗଠନ ସୂତ୍ରରୁ ପ୍ରକାଶ ପାଇଛି।

ଭାରତରେ ଥିବା ରୋହିଙ୍ଗ୍ୟା ଅନୁପ୍ରବେଶକାରୀଙ୍କ ପ୍ରତି କେନ୍ଦ୍ରରେ ଏନ୍‌ଡିଏ ସରକାରଙ୍କର ଏଭଳି ଆଭିମୁଖ୍ୟ ଉଭୟ ଦେଶ ଭିତରେ ଓ ଦେଶ ବାହାରେ କେତେକ ଗୋଷ୍ଠୀମାନଙ୍କର ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ସମାଲୋଚକମାନେ ନିଜକୁ ଉଦାରବାଦୀ ରୂପେ ପ୍ରଦର୍ଶିତ କରିଥାନ୍ତି ଏବଂ ସେମାନେ ପରୋକ୍ଷରେ ଯାହା ଅଭିଯୋଗ କରିଥାନ୍ତି ତାହା ହେଲା ରୋହିଙ୍ଗ୍ୟାଙ୍କ ପ୍ରତି ବର୍ତ୍ତମାନର କେନ୍ଦ୍ର ସରକାରଙ୍କର ଏଭଳି ବିରୋଧାତ୍ମକ ଆଭିମୁଖ୍ୟ ହେଉଛି ଏହାର ତଥାକଥିତ ସଂକୀର୍ଣ୍ଣ ସାମ୍ପ୍ରଦାୟିକତାବାଦୀ ଚିନ୍ତାଧାରାର ପରିପ୍ରକାଶ।

ରୋହିଙ୍ଗ୍ୟାମାନେ ହେଉଛନ୍ତି ମୁଖ୍ୟତଃ ବୌଦ୍ଧଧର୍ମାବଲମ୍ବୀ ମିଆଁମାର୍‌ (ବର୍ମା)ର ରାଖିନ୍‌ ପ୍ରଦେଶରେ ବାସ କରୁଥିବା ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର, ଯେଉଁମାନେ ଅତୀତରେ ଆଜିର ବାଂଲାଦେଶ ରୂପେ ପରିଚିତ ଅଞ୍ଚଳରୁ ଯାଇ ସେଠାରେ ପହଞ୍ଚିଥିଲେ। ସେଠାରେ ସେମାନେ ନିୟମିତ ଭାବରେ ବର୍ମାର ମୂଳ ବୌଦ୍ଧ ଅଧିବାସୀମାନଙ୍କର ବିଦ୍ୱେଷର ସମ୍ମୁଖୀନ ହୋଇଆସିଛନ୍ତି, ଯାହାର ପ୍ରତିବାଦସ୍ୱରୂପ ସେମାନଙ୍କ ମଧ୍ୟରୁ କେତେକ ଗତ ଅଗଷ୍ଟରେ ଉପରଲିଖିତ ହିଂସାକାଣ୍ଡ ଘଟାଇଥିଲେ। ଏହାର ପ୍ରତିକ୍ରିୟାରେ ବର୍ମାର ସେନା ତଥା ସାଧାରଣ ବୌଦ୍ଧ ପଡ଼ୋଶୀମାନେ ରୋହିଙ୍ଗ୍ୟାଙ୍କ ଉପରେ ଯେଉଁ ଦମନ ଲୀଳା ଚଳାଇଲେ, ସେଥିରୁ ରକ୍ଷା ପାଇବା ପାଇଁ ଗତ ପାଞ୍ଚମାସ ମଧ୍ୟରେ ପ୍ରାୟ ସାତ ଲକ୍ଷ ସରିକି ରୋହିଙ୍ଗ୍ୟା ସୀମା ଅତିକ୍ରମ କରି ବାଂଲାଦେଶ ଭିତରକୁ ଚାଲିଆସି ସେଠାରେ ଏକ ଗୁରୁତର ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଛନ୍ତି। ନିକଟରେ ହୋଇଥିବା ଏକ ବୁଝାମଣା ଅନୁସାରେ ବର୍ମା ସରକାର ଏହି ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ପୁଣି ଫେରାଇ ନେବା ପାଇଁ ରାଜି ହୋଇଛନ୍ତି। କିନ୍ତୁ ବର୍ମାକୁ ଫେରିବା ପରେ ସମ୍ପୂର୍ଣ୍ଣ ନିରାପତ୍ତାର କୌଣସି ନିର୍ଭରଯୋଗ୍ୟ ଭରସା ନ ମିଳିଲେ, ରୋହିଙ୍ଗ୍ୟା ଶରଣାର୍ଥୀମାନେ ବାଂଲାଦେଶ ଛାଡ଼ି ପୁଣି ବର୍ମାକୁ ଫେରିଯିବା ପାଇଁ ରାଜି ହେଉନାହାନ୍ତି। ବର୍ମାରେ ରୋହିଙ୍ଗ୍ୟାଙ୍କ ପ୍ରତି ଉଭୟ ସାମରିକ ଓ ବେସାମରିକ ସ୍ଥାନୀୟ ଅଧିବାସୀମାନଙ୍କର ଯେଉଁ ଭଳି କଠୋର ବିଦ୍ୱେଷ ଭାବ ତଥାପି ବଳବତ୍ତର ରହିଛି, ସେ ପରିସ୍ଥିତିରେ ରୋହିଙ୍ଗ୍ୟାମାନଙ୍କୁ ଏଭଳି ନିରାପତ୍ତାର ଭରସା କେହି ଦେଇ ପାରିବା ସମ୍ଭବ ମନେ ହେଉନାହିଁ। ଜାନୁଆରି ୨୨ରେ ବାଂଲାଦେଶ ସରକାର ସ୍ୱୀକାର କରିଛନ୍ତି ଯେ ରୋହିଙ୍ଗ୍ୟାମାନଙ୍କର ବର୍ମାକୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ କରାଯାଇ ପାରୁନାହିଁ।

କିନ୍ତୁ ବର୍ମାକୁ ଫେରି ନଯାଇ ବର୍ମା ବାହାରେ ରହିବା ମଧ୍ୟ ରୋହିଙ୍ଗ୍ୟାମାନଙ୍କ ପାଇଁ କିଛି ଅଧିକ ଆକର୍ଷଣୀୟ ନୁହେଁ। ଏଥିପୂର୍ବରୁ ମଧ୍ୟ ରୋହିଙ୍ଗ୍ୟାମାନେ ବହୁସଂଖ୍ୟାରେ ବର୍ମାରୁ ବାହାରି ଆସି ବିଭିିନ୍ନ ଦେଶରେ ଆଶ୍ରୟ ନେଇଛନ୍ତି। ଖୋଦ୍‌ ବାଂଲାଦେଶରେ ଏହିପରି ପ୍ରାୟ ଦୁଇଲକ୍ଷ ରୋହିଙ୍ଗ୍ୟା ବାସ କରୁଥିବା ବିଶ୍ୱାସ କରାଯାଏ। ଆହୁରି ଅନେକ ପାକିସ୍ତାନ, ସାଉଦୀଆରବ ଓ ମାଲେସିଆ ପରି ମୁସଲମାନ ଦେଶମାନଙ୍କରେ ପ୍ରବେଶ କରିଛନ୍ତି। ସଠିକ ସଂଖ୍ୟା ଜଣାନଥିଲେ ହେଁ ପାକିସ୍ତାନରେ ତିନି ଲକ୍ଷ, ସାଉଦୀ ଆରବରେ ୨,୫୦,୦୦୦ ଓ ମାଲେସିଆରେ ପ୍ରାୟ ଏକ ଲକ୍ଷ ରୋହିଙ୍ଗ୍ୟା ପ୍ରବେଶ କରି ବସବାସ କରୁଥିବା ବିଶ୍ୱାସ କରାଯାଏ। ଏ ସମସ୍ତ ମୁସଲମାନ ଦେଶମାନଙ୍କରେ ମୁସଲମାନ ରୋହିଙ୍ଗ୍ୟାମାନେ କିନ୍ତୁ ତୀବ୍ର ବାଛବିଚାରର ସମ୍ମୁଖୀନ ହୋଇଥାନ୍ତି। ଉଭୟ ପାକିସ୍ତାନ ଓ ମାଲେସିଆ କେହି ହେଲେ ଜାତିସଂଘର ଶରଣାର୍ଥୀ ସନନ୍ଦ ସ୍ୱାକ୍ଷର କରିନାହାନ୍ତି ଯାହା ସ୍ୱାକ୍ଷରକାରୀ ଦେଶକୁ ଶରଣାର୍ଥୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ବାଧ୍ୟ କରିଥାଏ।

୧୯୬୦ରୁ ଆରମ୍ଭ କରି ରୋହିଙ୍ଗ୍ୟାମାନେ ତତ୍କାଳୀନ ପୂର୍ବ ପାକିସ୍ତାନ ବାଟ ଦେଇ ପାକିସ୍ତାନରେ ପ୍ରବେଶ କରିଥିଲେ ହେଁ ସେଠାରେ ସେମାନେ ନିଜର ମୂଳ ପରିଚୟ ଗୋପନ ରଖି ନିଜକୁ ଭାରତୀୟ ମୁସଲମାନ ବା ମୋହାଜିର୍‌ ବୋଲି ପରିଚୟ ଦେଇଥାନ୍ତି। ପାକିସ୍ତାନରେ ମୋହାଜିରମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଆଦିରେ ଯେଉଁ ସବୁ ସୁବିଧାସୁଯୋଗ ମିଳିଥାଏ ରୋହିଙ୍ଗ୍ୟାମାନଙ୍କୁ ତାହା ମିଳିବା ତ ଦୂରର କଥା, ସେମାନଙ୍କ ପ୍ରତି ଏକ ଭୀଷଣ ବିରୋଧ ଭାବ ପ୍ରକାଶିତ ହୋଇଥାଏ। ମାଲେସିଆରେ ଜାତିସଂଘର ଶରଣାର୍ଥୀ କମିସନ ପ୍ରାୟ ୬୬,୦୦୦ ରୋହିଙ୍ଗ୍ୟାମାନଙ୍କୁ ପରିଚୟପତ୍ର ମାନ ପ୍ରଦାନ କରିଥିଲେ ହେଁ ଏହା ସେମାନଙ୍କୁ ସେଠାରେ ବସବାସ କରିବାର ଅଧିକାର କିଂବା କାମ କରିବାର ଅଧିକାର ପ୍ରଦାନ କରି ନଥାଏ। ଏ ଉଭୟ ଦେଶରେ ରୋହିଙ୍ଗ୍ୟାମାନେ ଲୁଚିଛପି ଅବୈଧ ବାସିନ୍ଦା ରୂପେ ରହୁଥିବା ବେଳେ ପେଟ ପୋଷିବା ପାଇଁ ସମସ୍ତ ପ୍ରକାର ନିକୃଷ୍ଟ କାର୍ଯ୍ୟମାନ କରିବାକୁ ବାଧ୍ୟ ହୋଇଥାନ୍ତି। ସାଉଦୀଆରବରେ ମଧ୍ୟ ରୋହିଙ୍ଗ୍ୟାଙ୍କର ଅବସ୍ଥା ତଦ୍ରୂପ। ଏ ସମସ୍ତ ଦେଶର ନେତାମାନେ କିନ୍ତୁ ନିୟମିତ ଭାବରେ ରୋହିଙ୍ଗ୍ୟାମାନଙ୍କ ପ୍ରତି ଦରଦ ଦେଖାଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ମଧ୍ୟ ନିଜ ଦେଶରେ ସେମାନଙ୍କୁ ଏକ ଅବାଞ୍ଛିତ ବୋଝ ରୂପେ ଦେଖିଥାନ୍ତି। ଆଉ ଏଇମାନେ ଯେତେବେଳେ ଭାରତକୁ ତାର ରୋହିଙ୍ଗ୍ୟା ନୀତି ପାଇଁ ସମାଲୋଚନା କରୁଛନ୍ତି, ସେମାନେ ଭୁଲିଯାଉଛନ୍ତି ଯେ ଭାରତକୁ ମଧ୍ୟ ନିଜର ଜାତୀୟ ସ୍ୱାର୍ଥ ସୁରକ୍ଷିତ ରଖିବାକୁ ହେବ। ଏଥିରେ ସାମ୍ପ୍ରଦାୟିକତାର କୌଣସି ଚିହ୍ନବର୍ଣ୍ଣ ନାହିଁ।

ସମ୍ବନ୍ଧିତ ଖବର