ଶ’ଙ୍କ (ଦୁଃ)ସ୍ବପ୍ନ!

କ୍ୟାଲେଣ୍ତର‌୍‌ ଅନୁସାରେ ୯୦ ବର୍ଷ ବୟସ ଛୁଇଁବାକୁ ଯାଉଥିବା ‘ମେଟ୍ରୋ ମ୍ୟାନ୍‌’ ରୂପେ କିମ୍ବଦନ୍ତି ପାଲଟି ଥିବା ବିଚକ୍ଷଣ ଇ˚ଜିନିଅର‌୍‌ ଏଲାଟ୍ଟୁଭାଲାପିଲ୍‌ ଶ୍ରୀଧରନ୍‌ ତାଙ୍କର ଏହି ତଥାକଥିତ ଉତ୍ତର ବୟସରେ ରାଜନୀତିରେ ପ୍ରବେଶ କରି ନିଜ ରାଜ୍ୟ କେରଳର ବିକାଶ ସାଧନ କରିବା ପାଇଁ ଉଦ୍ୟମ କରିବାକୁ ଯେଉଁ ଭଳି ଉତ୍ସାହ ପ୍ରଦର୍ଶନ କରିଛନ୍ତି, ତାହା ଯଦି କାହାର ପ୍ରତିଧ୍ବନି ଭଳି ଶୁଣା ଯାଉଥାଏ, ତାହା ହେଉଛି ତାଙ୍କର ‘ବ୍ୟାକ୍‌ ଟୁ ମେଥୁସେଲା’ ନାଟକ ମାଧୢମରେ ପ୍ରସାରିତ ଯୁଗପୁରୁଷ ନାଟ୍ୟକାର ବର୍ଣ୍ଣାଡ୍‌ ଶ’ଙ୍କ ସ୍ବରର। ଏହି ନାଟକର ଚିରାଚରିତ ସୁଦୀର୍ଘ ମୁଖବନ୍ଧରେ ଶ’ ଦର୍ଶାଇବାକୁ ଚାହିଁଥିଲେ ଯେ ଏକ ସରଳ ଆଦିମ ସମାଜକୁ ଫଳପ୍ରଦ ଭାବରେ ଶାସନ କରିବା ହେଉଛି ଏକ ସହଜ ବ୍ୟାପାର; କିନ୍ତୁ ଆଜିର ଅତ୍ୟନ୍ତ ଜଟିଳ ସଭ୍ୟ ସମାଜକୁ ସେହିପରି ଫଳପ୍ରଦ ଭାବରେ ଶାସନ କରିବାର ଆବଶ୍ୟକ କୌଶଳ ଆୟତ୍ତ କରିବା ପାଇଁ କୌଣସି ମନୁଷ୍ୟର ଆୟୁକାଳ ଯଥେଷ୍ଟ ନୁହେଁ। ଯେଉଁ ବ୍ୟକ୍ତିମାନେ ଏଥିପାଇଁ ଉପଯୁକ୍ତ ଅନୁଭୂତି ହାସଲ କରିବାରେ ଜୀବନ କାଳ ବିତାଇ ଦିଅନ୍ତି, ସେମାନେ ଅବଶେଷରେ ଜରା ଓ ମୃତ୍ୟୁର ଶିକାର ହୋଇ ଦୃଶ୍ୟପଟରୁ ବିଦାୟ ନେଇ ଯାଆନ୍ତି।

ଶ’ଙ୍କ ମତରେ ଏ ସମସ୍ୟାର ସମାଧାନ ହେଉଛି, ମନୁଷ୍ୟକୁ ବହୁ ଅଧିକ କାଳ ବଞ୍ଚି ରହିବାକୁ ହେବ- ଯେମିତି ବାଇବ୍‌ଲ ବର୍ଣ୍ଣିତ ସର୍ବାଧକ ଦୀର୍ଘଜୀବୀ ଚରିତ୍ର ମେଥୁସେଲା ଜୀବିତ ରହିଥିଲେ, ୯୬୯ ବର୍ଷ ଧରି! ମେଥୁସେଲାଙ୍କ ତୁଳନାରେ ଆଜିର ସର୍ବାଧିକ ଦୀର୍ଘଜୀବୀ ମନୁଷ୍ୟ ତାର ଶୈଶବାବସ୍ଥାରେ ହିଁ ଇହଧାମରୁ ବିଦାୟ ନେଉଛି! ଶ’ଙ୍କ ବିଚାରରେ ଏହା ସମ୍ପୂର୍ଣ୍ଣ ଅଯୌକ୍ତିକ: ‘‘କେହି ବୁଝାଇ ପାରିବେ ନାହିଁ ଏକ ଶୁଆ କାହିଁକି ଏକ କୁକୁର ଠାରୁ ଦଶଗୁଣ ଅଧିକ ଲମ୍ବା ସମୟ ଧରି ବଞ୍ଚି ରହିବ, ଏବ˚ ଏକ କଇଁଛ କାହିଁକି ପ୍ରାୟ ଅମର ହୋଇଥାଏ’’। ସଭ୍ୟତାର ଆବଶ୍ୟକତା ଦୃଷ୍ଟିରୁ ଦେଖିଲେ ମନୁଷ୍ୟ ତା’ର ଏଭଳି ଅକାଳ ମୃତ୍ୟୁକୁ ପରିହାର କରି ତାକୁ ମେଥୁସେଲାଙ୍କ ଭଳି ସୁଦୀର୍ଘଜୀବୀ ହେବାକୁ ହେବ।
ଏବ˚ ଫରାସୀ ଜୈବ ବିଜ୍ଞାନୀ (ପ୍ରଥମେ ସୈନିକ ଥିଲେ) ଲାମାର୍କ‌୍‌ଙ୍କୁ ଅନୁସରଣ କରି ଶ’ ତାଙ୍କ ନାଟକରେ ଯେଉଁ ମତବାଦ ଉପସ୍ଥାପନ କରିଥିଲେ, ତାହା ହେଲା ଯେ ଜୀବନ୍ତ ବସ୍ତୁମାନଙ୍କଠାରେ ଯେଉଁ ପରିବର୍ତ୍ତନ ମାନ ଘଟି ଚାଲିଥାଏ, ତାହା ସେମାନଙ୍କ ଚାହିଁବା ଅନୁସାରେ ଘଟିଥାଏ। ଏହି ଚାହିଁବା ସେମାନଙ୍କର ଅଜାଣତରେ ଏକ ଅଭ୍ୟାସରେ ପରିଣତ ହୋଇ ଯାଇଥାଏ; ତେଣୁ ସେମାନେ ଜାଣିପାରନ୍ତି ନାହିଁ ଯେ ସେମାନେ ନିଜର ଚାହିଁବା ଅନୁସାରେ ବଦଳି ଚାଲିଛନ୍ତି। ଶ’ ପ୍ରଦାନ କରିଥିବା ଉଦାହରଣ ଅନୁସାରେ ଶୈଶବରେ ଦାନ୍ତ ଉଠିବା ଶିଶୁ ପାଇଁ କଷ୍ଟଦାୟକ ହୋଇଥିଲେ ହେଁ ତାହା ଯେଉଁ ଭଳି ଏକ ଅଭ୍ୟାସରେ ପରିଣତ ହୋଇଥାଏ, ପରବର୍ତ୍ତୀ ସମୟରେ ନିଜ ଶରୀରର କ୍ଷୟ ସାଧନ କରି ମୃତ୍ୟୁ ମୁଖରେ ପଡ଼ିବା ସେହିପରି ମନୁଷ୍ୟର ଏକ ସ˚ଗୃହୀତ ଅଭ୍ୟାସରେ ପରିଣତ ହୋଇଥାଏ।

ମନୁଷ୍ୟ ଜରାଗ୍ରସ୍ତ ହେବାକୁ କିମ୍ବା ମୃତ୍ୟୁବରଣ କରିବାକୁ ଭଲ ପାଏନା, କିନ୍ତୁ ଏ ଅଭ୍ୟାସର ଚେର ଏତେ ଗଭୀର ଓ ଏହା ଏଭଳି ସ୍ବୟ˚କ୍ରିୟ ହୋଇ ଯାଇଥାଏ ଯେ ଏକ କ୍ଷତିକାରକ ନିଶା ଭଳି ଏହାକୁ ପ୍ରତିରୋଧ କରିବା ପାଇଁ ମନୁଷ୍ୟର ଶକ୍ତି ନଥାଏ, ଯଦିବା ଏହା ତା’ର ଧ୍ବ˚ସ ସାଧନ କରିଥାଏ। ତେଣୁ ମନୁଷ୍ୟ ଯଦି ଆନ୍ତରିକତାର ସହିତ ଚାହିବ, ନିଜର ଏଭଳି ଆତ୍ମଘାତୀ ବଦଭ୍ୟାସ ପରିତ୍ୟାଗ କରି ‘ସର୍ଜନାତ୍ମକ ବିବର୍ତ୍ତନ’ ମାଧୢମରେ ନିଜକୁ ମେଥୁସେଲା ଭଳି ଦୀର୍ଘଜୀବୀ କରି ନିଜ ସମାଜର ଅଶେଷ ମଙ୍ଗଳ ସାଧନ କରି ପାରିବ। ଶ’ ଦେଇଥିବା ଉପଦେଶ ଅନୁସାରେ: ‘‘ତୁମେ ଜୀବିତ ଅଛ; ଏବ˚ ତୁମକୁ ଆହୁରି ଅଧିକ ଜୀବିତ ହେବାକୁ ଚାହିବାକୁ ପଡ଼ିବ।’’

ଶ’ଙ୍କର ଏହି ଲାମାର୍କୀୟ ଆହ୍ବାନ ପାଗଳର ପ୍ରଳାପ ଭଳି ମନେ ହେଉଥିଲେ ମଧୢ ମନୁଷ୍ୟକୁ ଅମର କରିବା ପାଇଁ କିମ୍ବା ଅତି କମ୍‌ରେ ମେଥୁସେଲା ଭଳି ଦୀର୍ଘଜୀବୀ କରିବା ପାଇଁ ବୈଜ୍ଞାନିକମାନେ ଚୁପ୍‌ଚାପ୍‌ ଏପରି ଉଦ୍ୟମ କରି ଚାଲିଛନ୍ତି, ସତେ ଯେମିତି ସେମାନେ ଶ’-ଲାମାର୍କ‌୍‌ଙ୍କ ଆହ୍ବାନକୁ ହିଁ ଅନୁସରଣ କରିବାରେ ଲାଗିଛନ୍ତି। ଏଭଳି ଏକ ସଦ୍ୟ ଉଦାହରଣ ସ୍ବରୂପ ପ୍ରାୟ ମାସକ ତଳେ ‘ଡିପ୍‌ ଲଞ୍ଜିଭିଟି’ (‘ଗଭୀର ଦୀର୍ଘାୟୁ’) ନାମକ ଏକ ଆୟୁ-ଗବେଷଣା ସ˚ସ୍ଥା ‘ନେଚର‌୍‌ ଏଜିଙ୍ଗ୍‌’ ନାମକ ଏକ ମର୍ଯ୍ୟାଦାଜନକ ଏ ସମ୍ବନ୍ଧିତ ଗବେଷଣା ପତ୍ରିକାରେ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ଇନ୍‌ ଲଞ୍ଜିଭିଟି ମେଡିସିନ୍‌’ ଶୀର୍ଷକ ଗବେଷଣାଲବ୍‌ଧ ନିବନ୍ଧ ପ୍ରକାଶ କରିଛି ଯେ ‘କୃତ୍ରିମ ବୁଦ୍ଧି’ (‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ’- ‘ଏଆଇ’) କ୍ଷେତ୍ରରେ ଏବେ ଯେଉଁ ଅଗ୍ରଗତି ହାସଲ ହେଲାଣି, ତାହାର ପ୍ରୟୋଗ ଦ୍ବାରା ମନୁଷ୍ୟ ଶରୀରରେ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଥିବା ବାର୍ଦ୍ଧକ୍ୟ ସୃଷ୍ଟିକାରୀ ପରିବର୍ତ୍ତନର ଏପରି ଠାବ ଓ ମୁକାବିଲା କରାଯାଇ ପାରିବ ଯେ ବାର୍ଦ୍ଧକ୍ୟକୁ ବହୁ ଦୂରକୁ ଠେଲି ଦେବା ଆଉ ଏକ ଦିବା ସ୍ବପ୍ନ ନୁହେଁ।

ଏହା ପ୍ରାୟ ଛଅ ବର୍ଷ ତଳେ ପୃଥିବୀର ଅଗ୍ରଣୀ ବାର୍ଦ୍ଧକ୍ୟ-ଜୈବ ବିଜ୍ଞାନୀ ଅବ୍ରି ଡି ଗ୍ରେ କରିଥିବା ଏକ ଚାଞ୍ଚଲ୍ୟକର ଘୋଷଣା ଯେ ସତ୍ୟ ଉପରେ ଆଧାରିତ ହୋଇଥାଇ ପାରେ, ତାହାର ଏକ ସମ୍ଭାବନା ସୃଷ୍ଟି କରିଥାଏ। ୨୦୧୫ରେ ଏହି କେମ୍ବ୍ରିଜ୍‌ ଶିକ୍ଷିତ ବୈଜ୍ଞାନିକ ସମସ୍ତଙ୍କୁ ସ୍ତବ୍‌ଧ କରିଦେବା ଭଳି ଏକ ଘୋଷଣା କରିଥିଲେ ଯେ ୧,୦୦୦ ବର୍ଷର ଆୟୁଷ ଲାଭ କରିଥିବା (ମେଥୁସେଲାଙ୍କଠାରୁ ଦୀର୍ଘତର) ଜଣେ ମନୁଷ୍ୟ ପୃଥିବୀ ପୃଷ୍ଠରେ ଜନ୍ମ ଲାଭ କରି ସାରିଲାଣି! ତାଙ୍କ ମତରେ ଅଚିରେ ଏହା ହିଁ ହେବ ପୃଥିବୀରେ ମନୁଷ୍ୟର ହାରାହାରି ଆୟୁକାଳ। ଏହା ଦେଖି ମନେ ହୁଏ ଶ’ଙ୍କ ସ୍ବପ୍ନ ସାକାର ହେବାକୁ ଆଉ ବିଳମ୍ବ ନାହିଁ!

କିନ୍ତୁ ଏଥି ସହିତ ଯେଉଁ ଆଶଙ୍କା ମଧୢ ମୁଣ୍ତ ଟେକିଥାଏ, ତାହା ହେଲା: ଏହା ଏକ ଦୁଃସ୍ବପ୍ନରେ ପରିଣତ ହେବ ନାହିଁ ତ? ଯେଉଁ ଖ୍ରୀଷ୍ଟଧର୍ମର ଚରିତ୍ର ମେଥୁସେଲାଙ୍କୁ ଶ’ ନିଜର ଆଦର୍ଶ ରୂପେ ଅବଲମ୍ବନ କରିଛନ୍ତି, ସେଇ ଧର୍ମର ଆଦ୍ୟ କାଳରେ ପ୍ରଭାବ ବିସ୍ତାର କରିଥିବା ‘ନୋ ଷ୍ଟିକ୍‌ ଆନ୍ଦୋଳନ’ ନାମକ ଏକ ମତବାଦ ଅନୁସାରେ ମନୁଷ୍ୟର ଆତ୍ମା ତା’ର ଶରୀର ମଧୢରେ ବନ୍ଦୀ ହୋଇ ପଡ଼ି ରହିଛି; ଏବ˚ ତା’ର ଶରୀର ବନ୍ଦୀ ଅବସ୍ଥାରେ ପଡ଼ି ରହିଛି ଏକ ବସ୍ତୁନିଷ୍ଠ ମହାଜଗତ୍‌ ନାମକ କାରାଗାର ଭିତରେ। ଏହି ଦ୍ବୈତ-ବନ୍ଦୀ ଅବସ୍ଥା ଯୋଗୁଁ ମନୁଷ୍ୟ କେବେହେଲେ ଅସଲ ସତ୍ୟର ସନ୍ଧାନ ପାଇ ପାରେ ନାହିଁ। ଏବ˚ ମନୁଷ୍ୟ ତା’ର ବସ୍ତୁଗତ ଜଗତ୍‌ ସମ୍ବନ୍ଧରେ ଯେତେ ଅଧିକ ଜ୍ଞାନ ହାସଲ କରି ଚାଲେ (ଯେମିତି ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ’), ସେ ସେ ଦୁନିଆରେ ସେତେ ଅଧିକ ଲଟପଟ ହୋଇଯାଏ ଓ ସତ୍ୟଠାରୁ ସେତେ ଅଧିକ ଦୂରେଇ ଯାଏ। ଏହି ଦ୍ବୈତ କାରାବାସ ‘କର୍ମକଷଣ ଦେହ ବହେ, ଅରଣ୍ୟେ ଅଜଗର ପ୍ରାୟେ’ ଭଳି କିମ୍ବା ସେକ୍‌ସପିଅର‌୍‌ଙ୍କ ନାଟକ ‘ହାମ୍‌ଲେଟ୍‌’ରେ ହାମ୍‌ଲେଟ୍‌ର ପ୍ରସିଦ୍ଧ ସ୍ବଗତୋକ୍ତି ‘ଟୁ ବି ଅର‌୍‌ ନଟ୍‌ ଟୁ ବି’ର ଅ˚ଶ ‘ମୋଟାଲ୍‌ କଏଲ୍‌’ ବା ଶରୀର ରୂପକ ଅଜଗରର ମରଣାନ୍ତକ ବନ୍ଧନକୁ ମନେପକାଇ ଦିଏ ନାହିଁ କି? ଦୀର୍ଘ ଜୀବନ ଅର୍ଥ ଏହିଭଳି ଦୀର୍ଘ କାରାବାସ।

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଶ’ଙ୍କ ମେଥୁସେଲା ମତବାଦର ଠିକ୍‌ ବିପରୀତ ଏକ ସତ୍ୟ ପ୍ରକାଶ କରିଥିଲା ପ୍ରାଚୀନ ଗ୍ରୀକ୍‌ କାହାଣୀର ଚରିତ୍ର ମାତାଲ-ସର୍ବଜ୍ଞାନୀ ସାଇଲେନସ୍‌ (ମଦ୍ୟ ଦେବତା ଡାଇନୋସସ୍‌ଙ୍କ ସହଚର), ଯେତେବେଳେ ସେ ମାତାଲ୍‌ ଅବସ୍ଥାରେ ରାଜା ମିଡାସ୍‌ (ଯିଏ ନିଜର ସୁବର୍ଣ୍ଣ ମୋହ ପୂରଣ ପାଇଁ ସୁବର୍ଣ୍ଣ ସ୍ପର୍ଶ ବର ଲାଭ କରି ଫଳ ସ୍ବରୂପ ଶେଷରେ ଭୋକ ଶୋଷରେ ପ୍ରାଣ ହରାଇଥିଲେ)ଙ୍କ ହାତରେ ଧରା ପଡ଼ିବା ପରେ ମିଡାସ୍‌ ତାକୁ ଏହି ପ୍ରଶ୍ନର ଉତ୍ତର ଦେବାକୁ ବାଧୢ କରିଥିଲେ: ‘ମନୁଷ୍ୟର ସର୍ବାଧିକ କାମ୍ୟ ବସ୍ତୁ କ’ଣ?’ ଦୀର୍ଘ ନିରବତା ପରେ ସାଇଲେନସ୍‌ ଉତ୍ତର ଦେଇଥିଲା: ‘‘ଆରେ ଯନ୍ତ୍ରଣାଜର୍ଜରିତ ମୂର୍ଖ! ମନୁଷ୍ୟ ପାଇଁ ସର୍ବୋତ୍ତମ ହେଉଛି ଆଦୌ ଜନ୍ମ ନହେବା!’’

ସମ୍ବନ୍ଧିତ ଖବର