ବନ୍ଦିନୀ

ଲିଙ୍ଗଗତ ନ୍ୟାୟ ଆଜିର ନ୍ୟାୟ ସଚେତନ ଦୁନିଆରେ ଏକ ନ୍ୟାୟୋଚିତ ସମାଜ ଗଠନ ଦିଗରେ ପ୍ରଥମ ଆବଶ୍ୟକତା ରୂପେ ବିବେଚିତ ହୋଇଥାଏ। ଲିଙ୍ଗଗତ ନ୍ୟାୟର ମୌଳିକ ଚରିତ୍ର ହେଲା ସମାଜର କୌଣସି କ୍ଷେତ୍ରରେ ନାରୀ-ପୁରୁଷଙ୍କ ମଧୢରେ କୌଣସି ବାଛବିଚାର ନୀତି ଅବଲମ୍ବନ କରାଯିବ ନାହିଁ। ଏହି ପରି ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହେଉଛି ନିଯୁକ୍ତି। ଧରାଯାଉ କୌଣସି ଏକ ସ˚ସ୍ଥା ବା କାର୍ଯ୍ୟ କ୍ଷେତ୍ରରେ ଏହି ପରି ଲିଙ୍ଗଗତ ଭେଦଭାବହୀନ ନିଯୁକ୍ତି ନୀତି ଅନୁସୃତ ହୋଇଥାଏ, ଅର୍ଥାତ୍‌ ନିଯୁକ୍ତି ପ୍ରଦାନ ସମୟରେ ପ୍ରାର୍ଥୀଙ୍କର ଲିଙ୍ଗକୁ ଯୋଗ୍ୟତାର ଏକ ମାପଦଣ୍ତ ରୂପେ ବ୍ୟବହାର କରାଯାଏ ନାହିଁ।

କଳ୍ପନା କରାଯାଉ ଏଇଭଳି ସ˚ସ୍ଥା ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ବିଜ୍ଞାପନରେ ସୂଚାଇ ଦିଆଯାଇଥିବ ଯେ ନିଯୁକ୍ତି ପାଇବାରେ ସଫଳ ପ୍ରାର୍ଥୀମାନଙ୍କୁ ବର୍ଷକରେ ୪୮ ସପ୍ତାହ ଧରି ପ୍ରତି ସପ୍ତାହରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୯.୦୦ରୁ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ କାର୍ଯ୍ୟସ୍ଥଳୀରେ ମହଜୁଦ ରହି କାର୍ଯ୍ୟ କରିବାକୁ ପଡ଼ିବ। ଏଭଳି ପ୍ରକାଶିତ ଆବଶ୍ୟକତାରେ କୌଣସି ଲିଙ୍ଗଗତ ବାଛବିଚାରର ଚିହ୍ନବର୍ଣ୍ଣ ନଥିଲେ ହେଁ, ବାସ୍ତବରେ ବିଦ୍ୟାଳୟ ଯିବା ବୟସ ଠାରୁ ତଳ ବୟସର ସନ୍ତାନସନ୍ତତି ଥିବା ମହିଳାମାନଙ୍କ ଉପରେ ଏହି ଆବଶ୍ୟକତା ଯେ ବିଭିନ୍ନ ଅସୁବିଧା ଓ ଖର୍ଚ୍ଚର ବୋଝ ପକାଇଥାଏ, ତାହା ଅଧିକ ବୁଝାଇବା ଅନାବଶ୍ୟକ। ଯେଉଁ ନିଯୁକ୍ତିଦାତା ଏଭଳି ନିଯୁକ୍ତି ସର୍ତ୍ତ ପ୍ରସ୍ତୁତ କରିଥାନ୍ତି, ସେମାନେ ସଚେତନ ନଥାନ୍ତି ଯେ ସେମାନେ ଏହାଦ୍ବାରା ମହିଳା ପ୍ରାର୍ଥୀମାନଙ୍କ ତୁଳନାରେ ପୁରୁଷ ପ୍ରାର୍ଥୀମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରୁଛନ୍ତି; କାରଣ ସେମାନେ ନିଜ ଅଜାଣତରେ ଯେଉଁ ଏକ ବଳବତ୍ତର ରହି ଆସିଥିବା ଧାରଣା ଦ୍ବାରା ପରିଚାଳିତ ହୋଇଥାନ୍ତି, ତାହା ହେଲା ଘରର ପରିସର ବାହାରେ ଥିବା କାର୍ଯ୍ୟକ୍ଷେତ୍ର ହେଉଛି ପୁରୁଷମାନଙ୍କର ଓ ଘର ଭିତରର ଦୁନିଆ ହେଉଛି ମହିଳାମାନଙ୍କର।

ସୂଚାଇବା ଅନାବଶ୍ୟକ ଯେ ଗୃହର ଚାରିକାନ୍ଥ ମଧୢରେ ମହିଳାମାନେ ଅନେକ ଉତ୍ପାଦନଶୀଳ ଅର୍ଥନୈତିକ କାର୍ଯ୍ୟ କରୁଥିଲେ ହେଁ (ରୋଷେଇରୁ ସନ୍ତାନ ଲାଳନପାଳନ ପର୍ଯ୍ୟନ୍ତ) ସେଥିପାଇଁ ସେମାନେ କୌଣସି ଆର୍ଥିକ ପାରିଶ୍ରମିକ ପାଇ ନଥାନ୍ତି, କିନ୍ତୁ ସେଇ କାର୍ଯ୍ୟ ଯଦି ସେ ବାହାରକୁ ଯାଇ ଅନ୍ୟ କୌଣସି ପରିବାର ପାଇଁ କରନ୍ତି, ସେଥିପାଇଁ ସେ ବିଧିବଦ୍ଧ ପାରିଶ୍ରମିକ ପାଇଥାନ୍ତି। କୁହାଯାଇଥାଏ ଯଦି ନିଜ ଘର କାମ ପାଇଁ ମହିଳାମାନଙ୍କୁ ପାରିଶ୍ରମିକ ଦେବା ବ୍ୟବସ୍ଥା କରାଯାଏ, ତାହା ଯେଉଁ ବିଶାଳ ଅର୍ଥନୈତିକ ବୋଝ ସୃଷ୍ଟି କରିବ କୌଣସି ସମାଜ ବା ଅର୍ଥନୀତି ତାହା ବହନ କରିବାକୁ ସମର୍ଥ ହେବନାହିଁ। ଏହାର ଅର୍ଥ ହେଲା ଘର ବାହାରେ ନିଯୁକ୍ତ ନଥାଇ ଘର ଭିତରେ କାର୍ଯ୍ୟ କରିଚାଲିଥିବା ମହିଳାମାନେ ବେକାର ବିବେଚିତ ହୋଇଥାନ୍ତି ଏବ˚ ଉପରୋକ୍ତ ନିରୀହ ଦେଖାଯାଉଥିବା ନିଯୁକ୍ତି ସର୍ତ୍ତ ଯୋଗୁଁ ଅନେକ ମହିଳା ଘର ଭିତରେ ଏଇଭଳି ବେକାର ରହିବାକୁ ବାଧୢ ହୋଇଥାନ୍ତି।

ଭାରତରେ ନିଯୁକ୍ତି କ୍ଷେତ୍ରରେ ମହିଳାମାନେ ସମ୍ମୁଖୀନ ହେଉଥିବା ଏଇଭଳି ଅନେକ ଅଦୃଶ୍ୟ ବାଛବିଚାର ହେଉଛି ଏଠାରେ ପାରିଶ୍ରମିକ ବହନ କରୁଥିବା କାର୍ଯ୍ୟରେ ମହିଳାମାନଙ୍କର ନୀଚା ଅ˚ଶ ଗ୍ରହଣର କାରଣ। ଏହାର ଏକ ପରିପ୍ରକାଶ ସ୍ବରୂପ ଆନ୍ତର୍ଜାତିକ ଶ୍ରମ ସ˚ଗଠନ (ଆଇଏଲ୍‌ଓ) ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ୨୦୧୯ରେ ଭାରତର ପ୍ରାପ୍ତବୟସ୍କା ମହିଳାମାନଙ୍କ ମଧୢରୁ ମାତ୍ର ଏକ ପଞ୍ଚମା˚ଶ କୌଣସି କାର୍ଯ୍ୟକ୍ଷେତ୍ରରେ ବିଧିବଦ୍ଧ ଭାବରେ ନିଯୁକ୍ତ ଥିଲେ କିମ୍ବା ନିଯୁକ୍ତି ସନ୍ଧାନରେ ଥିଲେ। ଅର୍ଥାତ୍‌ ଦେଶର ୮୦ ଶତା˚ଶ ପ୍ରାପ୍ତ ବୟସ୍କା ମହିଳା କେଉଁଠି ହେଲେ ନିଯୁକ୍ତ ନଥିଲେ କିମ୍ବା ନିଯୁକ୍ତି ମଧୢ ଖୋଜୁ ନଥିଲେ। ‘ଆଇଏଲ୍‌ଓ’ ଭାରତର ଏହି ଚିତ୍ରକୁ ଚୀନ୍‌ର ଚିତ୍ର ସହିତ ତୁଳନା କରି ପ୍ରକାଶ କରିଛି ସେଠାରେ ଅନୁରୂପ ମହିଳାମାନଙ୍କ ମଧୢରୁ ତିନି ପଞ୍ଚମା˚ଶ ଅର୍ଥାତ୍‌ ୬୦ ଶତା˚ଶ ନିଯୁକ୍ତ ଥିଲେ କିମ୍ବା ନିଯୁକ୍ତି ସନ୍ଧାନରେ ଥିଲେ ଓ ୪୦ ଶତା˚ଶ ଏହା ବାହାରେ ଥିଲେ।

ଭାରତ ଓ ଚୀନ୍‌ ମଧୢରେ ଥିବା ଏହି ପାର୍ଥକ୍ୟ ଦୁଇ ଦେଶ ମଧୢରେ ତୁଳନାରେ ଯେଉଁ ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିକୃତିର ଅନ୍ୟତମ ମୁଖ୍ୟ କାରଣ ରୂପେ ଉଭା ହୋଇଥାଏ, ତାହା ଏହି ପରି। ଖୁବ୍‌ ଶୀଘ୍ର ଭାରତ ଚୀନ୍‌କୁ ପଛରେ ପକାଇ ପୃଥିବୀର ସର୍ବାଧିକ ଜନବହୁଳ ଦେଶରେ ପରିଣତ ହେବାକୁ ଯାଉଛି। ଭାରତୀୟମାନଙ୍କର ହାରାହାରି ବୟସ ମଧୢ ଚୀନାମାନଙ୍କଠାରୁ କମ୍‌, କାରଣ ଏଠାରେ ଲୋକ ସ˚ଖ୍ୟାରେ ଯୁବକଯୁବତୀମାନଙ୍କ ଅନୁପାତ ଚୀନ୍‌ ଠାରୁ ଅଧିକ। କିନ୍ତୁ ଏକ ବିଡ଼ମ୍ବନା ଭାବରେ ଶତାବ୍ଦୀ ଅଧା ହେବା ପୂର୍ବରୁ ଭାରତର ଶ୍ରମଶକ୍ତି ଚୀନ୍‌କୁ ଟପିଯାଇ ପାରିବାର ସମ୍ଭାବନା ନାହିଁ। ଏହାର କାରଣ ଅବଶ୍ୟ ହେଉଛି ଭାରତର ଶ୍ରମଶକ୍ତିରେ ଅଧିକା˚ଶ ପ୍ରାପ୍ତବୟସ୍କା ମହିଳାମାନଙ୍କର ଅନୁପସ୍ଥିତି।

ଭାରତରେ ଏହି ଚିରାଚରିତ ଲିଙ୍ଗଗତ ଅନ୍ୟାୟକୁ ଯାହା ଏବେ ଆହୁରି ଶାଣିତ କରିବା ଦେଖାଯାଇଛି ତାହା ହେଉଛି ଦେଶର ଅର୍ଥନୀତିକୁ କ୍ଷତାକ୍ତ କରିଦେଇଥିବା ଚୀନା କରୋନା ଜନିତ ପାଣ୍ତେମିକ୍‌। ଦେଖାଯାଇଛି ମହିଳା କର୍ମଚାରୀମାନେ କରୋନା ଯୋଗୁଁ ନିଯୁକ୍ତି ହରାଇବାରେ ପ୍ରଥମ ହୋଇଥିବା ବେଳେ, ନିଯୁକ୍ତିକୁ ଫେରିବାରେ ସେମାନେ ହେଉଛନ୍ତି ଶେଷ। ଯେଉଁ ଯୁବତୀମାନେ କରୋନା ଯୋଗୁଁ ପାଠପଢ଼ା, ତାଲିମ କିମ୍ବା କାର୍ଯ୍ୟରେ ସାମୟିକ ଡୋରି ବାନ୍ଧିବାକୁ ବାଧୢ ହୋଇଛନ୍ତି, ସେମାନଙ୍କୁ ଏବେ ବାହା କରିଦିଆଯାଉଛି। ଅନ୍ୟ ଦେଶରେ ସନ୍ତାନ ବୋଝର ଆବିର୍ଭାବ ପରେ ନାରୀ ନିଯୁକ୍ତି ତ୍ୟାଗ କରିବାକୁ ବାଧୢ ହୋଇଥାଏ, ଭାରତରେ ଅଧିକା˚ଶ ନାରୀଙ୍କୁ ସ୍ବାମୀ ବୋଝର ଆବିର୍ଭାବ ପରେ ନିଯୁକ୍ତିଠାରୁ ଦୂରରେ ରହିବାକୁ ପଡ଼ିଥାଏ। ଦେଶର ଅନେକ ଅଞ୍ଚଳରେ ବିବାହିତା ନାରୀ ଘର ଭିତରେ ବନ୍ଦିନୀ ଅବସ୍ଥାରେ ରହିବା ଏକ ସାମାଜିକ ମର୍ଯ୍ୟାଦା ଚିହ୍ନ ରୂପେ ବିବେଚିତ ହୋଇଥାଏ।

ଅର୍ଥନୈତିକ ଗବେଷଣା ସ˚ସ୍ଥା ‘ସେଣ୍ଟର‌୍‌ ଫର‌୍‌ ମନିଟରିଙ୍ଗ୍‌ ଇଣ୍ତିଆନ୍‌ ଇକନମି’ (‘ସିଏମ୍‌ଆଇଇ’) ଦ୍ବାରା ପ୍ରକାଶିତ ତାଜା ସୂଚନା ଅନୁସାରେ ଗତ ନଭେମ୍ବରରେ ସହରାଞ୍ଚଳ ମହିଳାମାନଙ୍କ ମଧୢରେ କୌଣସି ନିଯୁକ୍ତିରେ ଥିବା କିମ୍ବା ନିଯୁକ୍ତି ଖୋଜୁଥିବା ମହିଳାମାନଙ୍କର ଅନୁପାତ ଥିଲା ଅବିଶ୍ବାସ୍ୟ ଭାବରେ ମାତ୍ର ପ୍ରାୟ ୭ ଶତା˚ଶ। ଏହ ଅନୁସାରେ ୨୦୧୯ରେ ଏହି ଅନୁପାତ ୯.୭ ଶତା˚ଶ ଥିବା ବେଳେ, ଲକ୍‌ଡାଉନ୍‌ ସମୟରେ ଗତ ମାର୍ଚ୍ଚ ବେଳକୁ ତାହା ୭.୪ ଶତା˚ଶକୁ ଖସି ଆସିଥିଲା ଏବ˚ ନଭେମ୍ବରରେ ଛୁଇଁଥିଲା ୬.୯ ଶତା˚ଶ। ନିଯୁକ୍ତି ସର୍ତ୍ତରେ ଥିବା ଅଦୃଶ୍ୟ ବାଛବିଚାର ଯୋଗୁଁ ବାକି ମହିଳାମାନେ ବିନା ପାରିଶ୍ରମିକରେ ଯାବତୀୟ ପାରିବାରିକ କାର୍ଯ୍ୟରେ ନିଯୁକ୍ତ ଥାଇ ଗୃହବନ୍ଦୀ ଜୀବନ ବିତାଉଛନ୍ତି। ଆଗାମୀ ଦିନମାନଙ୍କରେ ଭାରତ ଯଦି ପୃଥିବୀର ଏକ ଅଗ୍ରଣୀ ଶ୍ରମଶକ୍ତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥାଏ, ଏହି ବନ୍ଦିନୀମାନଙ୍କୁ ମୁକ୍ତ କରିବା ପାଇଁ ପ୍ରଥମେ ଦୃଢ଼ ପଦକ୍ଷେପମାନ ନିଆଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର