‘ଏହା ହେଉଛି ଗୋଟିଏ ସେଲ୍‌ ବା କୋଷ, ଯହିଁରେ ବିଭିନ୍ନ ରାସାୟନିକ ଉପାଦାନ ରହି ଥାଆନ୍ତି। ଏଥିରୁ ଶକ୍ତି ଉତ୍ପନ୍ନ ହୋଇ ଜଡ଼ ପିଣ୍ତକୁ ଚଳମାନ କରିଥାଏ।’ ଏହା ହେଉଛି ଏକ ବକ୍ତବ୍ୟର ଅ˚ଶ ଯାହା ସ୍ବତଃ ମନରେ ଏକ ଧାରଣା ସୃଷ୍ଟି କରିଥାଏ ଯେ ଏଠାରେ ଶରୀରର ସ˚ରଚନା ଓ କ୍ରିୟା ସମ୍ବନ୍ଧରେ କିଛି କୁହାଯାଇଛି। କିନ୍ତୁ ଏହା ସହିତ ସଂପୃକ୍ତ ବକ୍ତବ୍ୟର ଅବଶିଷ୍ଟାଂଶର ଦୁଇ ଧାଡ଼ି ଯଦି ଯୋଡ଼ି ଦିଆଯାଏ, ତେବେ ସେହି ଧାରଣା ଦୂରୀଭୂତ ହୋଇଥାଏ; କାରଣ ସେହି ଧାଡ଼ି ଦ୍ବୟ ହେଲେ ଏହି ପରି: ‘ଏହା ନିର୍ଜୀବ ହୋଇଥିଲେ ହେଁ ଏଥିରୁ ଉତ୍ପନ୍ନ ଶକ୍ତି ଦ୍ବାରା ଅନ୍ୟାନ୍ୟ ନିର୍ଜୀବ ପଦାର୍ଥ ଚଳଚଞ୍ଚଳ ହୋଇ ଉଠନ୍ତି। ସେଥି ଲାଗି ବୋଧହୁଏ ନିର୍ଜୀବ ପଦାର୍ଥଗୁଡ଼ିକ ଅଚଳ ହୋଇଗଲେ ସେଗୁଡ଼ିକ ଖରାପ ହୋଇ ଯାଇଛନ୍ତି ବୋଲି କୁହାଯାଏ, କିନ୍ତୁ ଏହା ଅଚଳ ହୋଇଗଲେ ଏହାକୁ ମୃତ ବା ‘ଡେଡ୍‌’ ବୋଲି କୁହାଯାଏ।’ ଉଲ୍ଲେଖ ରହୁ କି ଏଭଳି ବକ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏଲନ ମସ୍କ୍‌; ପୃଥିବୀର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତି ଏବ˚ ସେ କରିଥିବା ଘୋଷଣା ଅନୁଯାୟୀ ତାଙ୍କ କ˚ପାନି ଦ୍ବାରା ନିର୍ମିତ ତଥା ବହୁ ଚର୍ଚ୍ଚିତ ବ୍ୟାଟେରିଚାଳିିତ ଟେସଲା ଗାଡ଼ି ଚଳିତ ବର୍ଷ ଭାରତ ବଜାରରେ ପ୍ରବେଶ କରିବ ଏବ˚ ଉପରୋକ୍ତ ବକ୍ତବ୍ୟରେ ସେ ଯେଉଁ ନିର୍ଜୀବ ଚିଜକୁ ଏକ ଜୀବନ୍ତ ସତ୍ତା ରୂପେ ବର୍ଣ୍ଣନା କରିଛନ୍ତି, ତାହା ହେଉଛି ବ୍ୟାଟେରି। କୁହାଯାଉଛି ଯେ ଭବିଷ୍ୟତ୍‌ରେ ଟେସଲା ଗାଡ଼ି କୁଆଡ଼େ ଗାଡ଼ିମଟରକୁ ନେଇ ରହିଥିବା ଏବର ଧାରଣାକୁ ବଦଳାଇ ଦେବାର ସାମର୍ଥ୍ୟ ବହନ କରିଥାଏ।

Advertisment

କହିବା ବାହୁଲ୍ୟ ଯେ ଡିଜେଲ ବା ପେଟ୍ରୋଲ ଭଳି ଜୀବାଶ୍ମ ଇନ୍ଧନ ଦ୍ବାରା ଚାଳିତ ଗାଡ଼ିମଟର ବାୟୁ ପ୍ରଦୂଷଣର ଏକ ପ୍ରମୁଖ କାରଣ ହୋଇ ଥିବାରୁ ବର୍ତ୍ତମାନ ବ୍ୟାଟେରିଚାଳିତ ଗାଡ଼ିମଟର ଉଦ୍ୟୋଗ କ୍ଷେତ୍ରର ବିକାଶ ଲାଗି ପୃଥିବୀର ପ୍ରାୟ ସମସ୍ତ ବିକଶିତ ରାଷ୍ଟ୍ରରେ ପୁ˚ଜିନିବେଶ, ସରକାରୀ ପ୍ରୋତ୍ସାହନ ଏବ˚ ଗବେଷଣା ଇତ୍ୟାଦି ଦୃଶ୍ୟମାନ ହେଉଛି। କିନ୍ତୁ ଆମ ଦେଶରେ ସ˚ପ୍ରତି ଏ ସ˚ଦର୍ଭରେ ଆଉ ଏକ କାରଣ ମଧୢ ଉଭା ହେଲାଣି, ଯାହା ହେଉଛି ଡିଜେଲ ବା ପେଟ୍ରୋଲର ଦରରେ ମାତ୍ରାଧିକ ବୃଦ୍ଧି। ଏଥିରୁ ନିସ୍ତାର ପାଇବା ଲାଗି ଏକ ବିକଳ୍ପ ଇନ୍ଧନ ବିଷୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରାୟ ସମସ୍ତଙ୍କୁ ଚକିତ କରି ଏହି ଦର ବୃଦ୍ଧିକୁ ଯଥାର୍ଥତା ପ୍ରଦାନ ପୂର୍ବକ ଏକ ତର୍କର ମଧୢ ଆବିର୍ଭାବ ଘଟିଲାଣି, ଯାହା କହିଥାଏ ଯେ ଏଭଳି ଦର ବୃଦ୍ଧି ପଛରେ ସରକାରଙ୍କ ଏକ ମହତ ଉଦ୍ଦେଶ୍ୟ ନିହିତ, ଯାହା ହେଉଛି ଅଯଥାରେ ଅଧିକ ଗାଡ଼ିମଟର ବ୍ୟବହାରକୁ ନିରୁତ୍ସାହିତ କରିବା। କାରଣ ତାହା ହେଲେ ଅଶୋଧିତ ଖଣିଜ ତୈଳ ଆମଦାନିର ବୋଝ ଉଶ୍ବାସ ହେବ ଏବ˚ ବାୟୁ ପ୍ରଦୂଷଣ ସ୍ତରରେ ହ୍ରାସ ଘଟିବ। ୟୁରୋପୀୟ ରାଷ୍ଟ୍ରର ଉଦାହରଣ ପ୍ରଦାନ କରି ସେମାନେ କହିଥାଆନ୍ତି ଯେ ସେଠାରେ ପେଟ୍ରୋଲ ଦରକୁ ଉଚ୍ଚା ରଖିବା ଲାଗି ‘କାର୍ବନ ଟିକସ’ ଲଗା ଯାଇଥାଏ, ଯାହା ହେଉଛି ପେଟ୍ରୋଲ ବା ଡିଜେଲ ବ୍ୟବହାର ଦ୍ବାରା ହେଉଥିବା ପରିବେଶ ପ୍ରଦୂଷଣ ସକାଶେ ଏହାର ବ୍ୟବହାରକାରୀମାନେ ପ୍ରଦାନ କରୁଥିବା ମୂଲ୍ୟ। ଏଥିରେ ଅବଶ୍ୟ ସତ୍ୟତା ରହିଛି। ନିୟମିତ ଭାବେ କରାଯାଉଥିବା ବିଭିନ୍ନ ଅନୁଧୢାନ ଅନୁଯାୟୀ ଯାହା ଏବେ ସ୍ପଷ୍ଟ, ତାହା ହେଲା ବାୟୁ ପ୍ରଦୂଷଣରେ ଗାଡ଼ିମଟର ଧୂଆଁରେ ନିଷ୍କାସିତ ହେଉଥିବା ବିଷାକ୍ତ ଗ୍ୟାସ୍‌ର ଯୋଗଦାନ ହେଉଛି ପ୍ରାୟ ୨୭ ପ୍ରତିଶତ। ଶିଳ୍ପ ଉଦ୍ୟୋଗ ଦ୍ବାରା ହେଉଥିବା ପ୍ରଦୂଷଣ ପଛକୁ ଏହାର ସ୍ଥାନ ଦ୍ବିତୀୟ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରତି ବର୍ଷ ୧୨ ଲକ୍ଷ ଭାରତୀୟ ବାୟୁ ପ୍ରଦୂଷଣ ଦ୍ବାରା ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଅକାଳ ମୃତ୍ୟୁବରଣ କରିଥାଆନ୍ତି ଏବଂ ସ˚ପ୍ରତି ଭାରତରେ ପ୍ରତିଦିନ ୫୮.୨ କୋଟି ଲିଟର ପେଟ୍ରୋଲ ଏବ˚ ୨୫.୪ କୋଟି ଲିଟର ଡିଜେଲ ବିଭିନ୍ନ ଯାନବାହନରେ ବ୍ୟବହୃତ ହୋଇ ବାୟୁ ପ୍ରଦୂଷଣକୁ ବୃଦ୍ଧି କରିବାରେ ଲାଗିଛି। ତେଣୁ ପେଟ୍ରୋଲ ବା ଡିଜେଲ ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାରରେ ଯେ ନିୟନ୍ତ୍ରଣ ଅଣାଯିବା ଜରୁରୀ, ଏଥିରେ ଦ୍ବିରୁକ୍ତି ନାହିଁ। କିନ୍ତୁ ତାହାକୁ ସମ୍ଭବ କରିବା ଲାଗି ମାତ୍ରାଧିକ ଦର ବୃଦ୍ଧି କ’ଣ ଏକ ସମାଧାନର ପନ୍ଥା? ବର˚ ଏଥି ଲାଗି ଏକ ବିକଳ୍ପ ଶକ୍ତି ଉତ୍ସର ଆବିର୍ଭାବ ଘଟିବା ଜରୁରୀ, ଯାହା ସମ୍ଭବତଃ ବ୍ୟାଟେରି ଦ୍ବାରା ପରିପୂରଣ ହେବ।

ସେହି ଦୃଷ୍ଟିରୁ ବର୍ତ୍ତମାନ ବ୍ୟାଟେରିଚାଳିତ ମଟର ଉଦ୍ୟୋଗର ବିକାଶ ଲାଗି ପୃଥିବୀର ପ୍ରାୟ ସମସ୍ତ ବିକଶିତ ରାଷ୍ଟ୍ରରେ ପୁ˚ଜିନିବେଶ, ସରକାରୀ ପ୍ରୋତ୍ସାହନ ଏବ˚ ଗବେଷଣା ଇତ୍ୟାଦି ଦେଖିବାକୁ ମିଳୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପୃଥିବୀର ସମସ୍ତ ମଟର ସ˚ଖ୍ୟାର ମାତ୍ର ୨.୬ ପ୍ରତିଶତ ବ୍ୟାଟେରି ଦ୍ବାରା ଚାଳିତ। ତେବେ, ବ୍ୟାଟେରି ନିର୍ମାଣ ପ୍ରଯୁକ୍ତି କ୍ଷେତ୍ରରେ ହେଉଥିବା ଦ୍ରୁତ ବିକାଶ ଏଭଳି ଏକ ସମ୍ଭାବନା ମଧୢ ସୃଷ୍ଟି କଲାଣି ଯେ ଆଗାମୀ ଗୋଟିଏ ବା ଦୁଇଟି ଦଶକ ଭିତରେ ଭାରତ ଭଳି ଦେଶରେ ମଧୢ ପ୍ରତି ପାଞ୍ଚଟି ଗାଡ଼ିରୁ ଗୋଟିଏ ଗାଡ଼ି ବ୍ୟାଟେରିଚାଳିତ ହୋଇପାରେ। ଉଦାହରଣ ସ୍ବରୂପ ବ୍ୟାଟେରିର ଊର୍ଜା ସଘନତା ବୃଦ୍ଧି ସକାଶେ ତହିଁରେ ଥିବା ରାସାୟନିକ ଉପାଦାନର ମିଶ୍ରଣରେ ପରିବର୍ତ୍ତନ ଘଟାଯାଉଛି; ଯେମିତି କି ବ୍ୟାଟେରିରେ କୋବାଲ୍‌ଟ ବଦଳରେ ନିକେଲର ଅଧିକ ବ୍ୟବହାର। ବର୍ତ୍ତମାନ ଏଭଳି ବ୍ୟାଟେରି ଉପଲବ୍‌ଧ ହେଲାଣି, ଯାହା ଗୋଟିଏ ଥରର ଚାର୍ଜ‌୍‌ରେ ୧୦୦୦ କିଲୋମିଟର ଦୂରତା ଅତିକ୍ରମ କରିବା ଲାଗି ମଟରକୁ ଶକ୍ତି ପ୍ରଦାନ କରିପାରେ। କିନ୍ତୁ ଏ କ୍ଷେତ୍ରରେ ରହିଥିବା ଅନେକ ବାଧକକୁ ମଧୢ ଦୂର କରିବା ଦିଗରେ ପ୍ରୟାସ ଜରୁରୀ। ଯେମିତି କି ନିକେଲ ଭଳି ଧାତୁର ସ୍ବଳ୍ପ ଲଭ୍ୟତା ଅଧିକ ଶକ୍ତି ସଘନ ବ୍ୟାଟେରିର ବିପୁଳ ନିର୍ମାଣ ଦିଗରେ ପ୍ରତିବନ୍ଧ ସୃଷ୍ଟି କରିପାରେ। ସେହିଭଳି ରାସ୍ତା କଡ଼ରେ ବ୍ୟାଟେରି ଚାର୍ଜି˚ ଷ୍ଟେସନ ଭଳି ଭିତ୍ତିଭୂମିର ବିକାଶ ମଧୢ ଆବଶ୍ୟକ। ପ୍ରଯୁକ୍ତିଗତ ତ୍ରୁଟି କାରଣରୁ ବ୍ୟାଟେରି ଦ୍ବାରା ଚାଳିତ ଗାଡ଼ିରେ ଅଚାନକ ନିଆଁ ଲାଗି ଯାଉଥିବା ଭଳି ସମସ୍ୟା ମଧୢ ଦୃଷ୍ଟିଗୋଚର ହେଉଛି। ଚୀନ୍‌ରେ ଟେସଲା ଗାଡ଼ିରେ ଏଭଳି ସମସ୍ୟା ଦେଖା ଦେଇଥିଲା। ଏ ସବୁ ସହିତ ଯାହା ଗ୍ରାହକମାନଙ୍କୁ ଏହା ପ୍ରତି ଅନାଗ୍ରହୀ କରିପାରେ, ତାହା ହେଉଛି ବ୍ୟାଟେରିଚାଳିତ ଗାଡ଼ିର ଅତ୍ୟଧିକ ଉଚ୍ଚା ଦର। ଭାରତରେ ମାରୁତି ଉଦ୍ୟୋଗ ବା ମହୀନ୍ଦ୍ରା ବା ଟାଟା ମୋଟର୍ସ ଭଳି କ˚ପାନି ଦ୍ବାରା ନିର୍ମିତ ବ୍ୟାଟେରିଚାଳିତ ଗାଡ଼ି ବଜାରରେ ପ୍ରବେଶ କଲାଣି। କିନ୍ତୁ ସେ ସବୁ ଗାଡ଼ି ବଜାରରେ ବିଶେଷ ଚାଞ୍ଚଲ୍ୟ ସୃଷ୍ଟି କରିପାରି ନାହାନ୍ତି। ତେଣୁ ଭାରତରେ ଟେସ୍‌ଲା ଗାଡ଼ିର ଆବିର୍ଭାବକୁ ପ୍ରତୀକ୍ଷା କରାଯାଉଛି, ଯାହା ସମ୍ଭବତଃ ଏହି କ୍ଷେତ୍ରରେ ଚମକ ସୃଷ୍ଟି କରିପାରେ।

ଇଟାଲୀୟ ବୈଜ୍ଞାନିକ ଆଳେସେନ୍ଦ୍ରା ଭୋଲଟାସଙ୍କ ଦ୍ବାରା ୧୮୦୦ ମସିହାରେ ପ୍ରଥମ ବ୍ୟାଟେରି ଉଦ୍ଭାବିତ ହେବା ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟ ଖଣ୍ତ ମଧୢରେ ବ୍ୟାଟେରି ପ୍ରଯୁକ୍ତିରେ ଅନେକ ବିକାଶ ଘଟିଲାଣି। ଏହି ସ˚ନ୍ଦର୍ଭରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ଏବ˚ ଲରେନ୍‌ସ ଲିଭେନମୋର ନେସନାଲ ଲାବରେଟରିର ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଉଥିବା ଏକ ଦାବି କାନକୁ ଅବିଶ୍ବାସ୍ୟ ଶୁଭୁଥିଲେ ମଧ୍ୟ ଏଠାରେ ବିଶେଷ ପ୍ରଣିଧାନଯୋଗ୍ୟ। ସେମାନେ କହିଛନ୍ତି ଯେ ଆଣବିକ ବର୍ଜ୍ୟର ବ୍ୟବହାର କରି ସେମାନେ ଯେଉଁ ‘ନାନୋ ଡାଇମଣ୍ତ ବ୍ୟାଟେରି’ ବିକାଶ କରିବାକୁ ସମର୍ଥ, ତାହା ଥରେ ଚାର୍ଜ ହେଲେ ୨୮,୦୦୦ ବର୍ଷ ଯାଏ ନିରବଚ୍ଛିନ୍ନ ଭାବେ ଚାଲିବ। ଯଦି ତାହା ସତ ହୁଏ ଏବଂ ସେଭଳି ବ୍ୟାଟେରିଟିଏ ସାଧାରଣ ବ୍ୟବହାର ସ୍ତରକୁ ଆସେ, ତାହା ହେଲେ ଭବିଷ୍ୟତ୍‌ରେ ଗାଡ଼ିମଟରଙ୍କ ଶରୀରରେ ଏଭଳି ଏକ ଅସରନ୍ତି ପ୍ରାଣ ପିଣ୍ତର ଆବିର୍ଭାବ ଘଟିବ, ଯାହା ଦ୍ବାରା ମଟର ଗାଡ଼ିଗୁଡ଼ିକ ଅଥକ ଭାବେ ଦୌଡ଼ି ଚାଲିବେ ଅଥଚ ସବୁ ଦିନ ଲାଗି ତହିଁରୁ ଧୂଆଁ ଅଦୃଶ୍ୟ ହୋଇ ପରିବେଶକୁ ଶୀତଳ ଓ ନିର୍ମଳ କରିବ।