ଜ୍ଞାନୋଦୟ?

ଏକ ସଂଘର୍ଷରେ ଶାରୀରିକ ବଳଧାରୀ ନା ଆତ୍ମିକ ବଳଧାରୀ; କାହାର ବିଜୟ ଘଟିଥାଏ? ଉଦାହରଣ ସ୍ବରୂପ ଊନବି˚ଶ ଶତାବ୍ଦୀରେ ବ୍ରିଟିସମାନେ ପୃଥିବୀର ଗୋଟିକ ପରେ ଗୋଟିଏ ଅଞ୍ଚଳକୁ ଅକ୍ତିଆର କରି ନିଜ ସାମ୍ରାଜ୍ୟର ସୀମା ବିସ୍ତାରିତ କରିବା ସହିତ ହୁଏ’ତ ନିଜ ଶକ୍ତି-ସାମର୍ଥ୍ୟର ସୀମା ନିର୍ଦ୍ଧାରଣ କରି ପାରିଥିବେ। କିନ୍ତୁ ଏଣେ ବ୍ରିଟିସମାନଙ୍କ ଠିକ ବିପରୀତ ଦିଗରେ ଯାଇ ମହାତ୍ମା ଗାନ୍ଧୀ ଶାରୀରିକ ଶକ୍ତି ବଦଳରେ ଆପଣା ଆତ୍ମିକ ଶକ୍ତିର ବୃଦ୍ଧି ଉପରେ ଗୁରୁତ୍ବ ପ୍ରଦାନ କରି କୌଣସି ରକ୍ତାକ୍ତ ଯୁଦ୍ଧ ବିନା ବ୍ରିଟିସମାନଙ୍କୁ ଭାରତରୁ ବିତାଡ଼ିତ ଦେଇ ଦେଖାଇ ଦେଇଥିଲେ ଯେ ସେ ମଧୢ କମ୍‌ ବଳୁଆ ନ ଥିଲେ; ବରଂ କୁହାଯାଇପାରେ ଯେ ଗାନ୍ଧୀ ଅଧିକ ବଳୁଆ ବୋଲି ହିଁ ପ୍ରମାଣିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଭାରତ, ଚୀନ ଓ ପାକିସ୍ତାନକୁ ନେଇ ସଦ୍ୟ ଦୃଷ୍ଟିଗୋଚର ହୋଇଥିବା ଘଟଣାକ୍ରମର ଏକ ଆଲୋଚନା ମଧୢ କରାଯାଇ ପାରେ।
ସମସ୍ତେ ଅବଗତ ଯେ ନିକଟରେ ପୂର୍ବ ଲଦାଖଠାରେ ଚୀନ ଦ୍ବାରା ଅତର୍କିତ ଭାବେ ‘ବାସ୍ତବ ନିୟନ୍ତ୍ରଣ ରେଖା’ ବା ‘ଏଲଏସି’ ଅତିକ୍ରମଣ କରାଯିବା ପରେ ଉଭୟ ଭାରତ ଓ ଚୀନର ସେନା ବଳ ଦୀର୍ଘ ନଅ ମାସ କାଳ ଆଖି ଡୋଳାକୁ ଡୋଳା ମିଶାଇ ଏକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ମୁହାଁମୁହିଁ ହୋଇ ଦଣ୍ତାୟମାନ ରହି ଆସିଥିଲେ। ବିଭିନ୍ନ ସ୍ତରରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସତ୍ତ୍ବେ କୌଣସି ବିଶେଷ ଫଳ ଲାଭର ଆଶା ଦିଶୁ ନ ଥିବା ବେଳେ ହଠାତ୍‌ ଉଭୟ ପକ୍ଷଙ୍କ ଦ୍ବାରା ସୈନ୍ୟ ଅପସାରଣ ପ୍ରକ୍ରିୟାର ପ୍ରାରମ୍ଭ ହେବା ଏବ˚ ଚୀନ ପଛକୁ ହଟିବା ବିସ୍ମୟକର ଥିଲା। ସେହି ପରି ଏହାର କିଛି ଦିନ ପରେ ଅର୍ଥାତ୍‌ ଗଲା ଗୁରୁବାର ଦିନ ଉଭୟ ଭାରତ ଏବ˚ ପାକିସ୍ତାନ ପକ୍ଷରୁ ମିଳିତ ଭାବେ ଏକ ଯୁଦ୍ଧ ବିରତିର ଘୋଷଣା ମଧୢ ଅପ୍ରତ୍ୟାଶିତ ଥିଲା ବୋଲି କୁହାଯାଇପାରେ। କହିବା ନିଷ୍ପ୍ରୟୋଜନ ଯେ ୨୦୦୩ ମସିହାରେ ଭାରତ ଓ ପାକିସ୍ତାନ ମଧୢରେ ହୋଇଥିବା ଏକ ମିଳିତ ଯୁଦ୍ଧ ବିରତି ରାଜିନାମା ସତ୍ତ୍ବେ ଏ ପର୍ଯ୍ୟନ୍ତ ବାରମ୍ବାର ତାହାର ଉଲ୍ଲ˚ଘନ କରାଯିବାରେ ଲାଗିଛି।

ପ୍ରଣିଧାନଯୋଗ୍ୟ ଯେ ମୁୁମ୍ବାଇ ଆତଙ୍କବାଦୀ ହମ୍‌ଲା ଠାରୁ ଆରମ୍ଭ କରି ଉରି, ପୁଲଵାମା ଆତଙ୍କବାଦୀ ଆକ୍ରମଣ ବା ଗଲା ୨୦୧୯, ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦନ (ଯହିଁରେ କାଶ୍ମୀର ତାର ସ୍ବତନ୍ତ୍ର ମାନ୍ୟତା) ଇତ୍ୟାଦି କାରଣରୁ ବିଭିନ୍ନ ସମୟରେ ଭାରତ ଓ ପାକିସ୍ତାନ ଏକ ଯୁଦ୍ଧପ୍ରାୟ ସ୍ଥିତିରେ ମଧୢ ଅବତୀର୍ଣ୍ଣ ହୋଇଛନ୍ତି। ଏକ ପରିସ˚ଖ୍ୟାନ କହିଥାଏ ଯେ କେବଳ ୨୦୨୦ରେ ମୋଟ ୫୧୩୩ ଥର ଯୁଦ୍ଧ ବିରତି ଉଲ୍ଲ˚ଘନ ଘଟିଥିଲା, ଯହିଁରେ ୪୬ ଜଣ ଭାରତୀୟ ସୈନିକଙ୍କ ପ୍ରାଣହାନି ହୋଇଥିଲା। ଏହା ପୂର୍ବରୁ ୨୦୧୮ରେ ୧୬୨୯ ଏବ˚ ୨୦୧୯ରେ ୩୨୦୦ ଥର ଯୁଦ୍ଧ ବିରତିର ଉଲ୍ଲ˚ଘନ କରାଯାଇଛି। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ ଥର ଯୁଦ୍ଧ ବିରତିର ଉଲ୍ଲ˚ଘନ କରାଯାଇସାରିଲାଣି। ସୁତରା˚, ପ୍ରଶ୍ନ ଉଠିଥାଏ ଯେ ହଠାତ୍‌ କାହିଁକି ଏଭଳି ଏକ ସ୍ଥିତିରେ ପରିବର୍ତ୍ତନ ଦେଖାଗଲା? ସେହିଭଳି ଚୀନ ଆପଣା ସୈନ୍ୟ ଅପସାରଣ କରି ପଛକୁ ହଟିବା ପଛରେ କ’ଣ ସମ୍ଭାବ୍ୟ କାରଣ ଥାଇପାରେ? ଏ ସ˚ଦର୍ଭରେ କିଛି ଅନୁମାନର ଆଶ୍ରୟ ନିଆଯାଉ।

ପ୍ରଥମ କଥା ହେଉଛି ଅର୍ଥନୈତିକ ଦୃଷ୍ଟିରୁ ଅସମତୁଲତା ସତ୍ତ୍ବେ ଭାରତ, ଚୀନ ଓ ପାକିସ୍ତାନ ପ୍ରତ୍ୟେକ ଗୋଟିଏ ବିଶାଳ ସେନା ବଳ ଏବ˚ ଆଣବିକ ଶକ୍ତିର ଅଧିକାରୀ ହୋଇଥିବାରୁ ଏହା କହିଲେ ଅତ୍ୟୁକ୍ତି ହେବନାହିଁ ଯେ ଏହି ତିନି ରାଷ୍ଟ୍ରଙ୍କ ମଧୢରୁ କୌଣସି ଦୁଇଟି ରାଷ୍ଟ୍ର ପରସ୍ପର ସହିତ ଯୁଦ୍ଧରେ ବ୍ୟାପୃତ ହେଲେ ତାହା ଅସରନ୍ତି ହେବା ସହିତ ଉଭୟ ଦେଶ ଲାଗି ମରାମତି ଅଯୋଗ୍ୟ କ୍ଷତିର କାରଣ ହେବ। ସୁତରା˚, ଯଦି ଏଭଳି ଏକ ଜ୍ଞାନୋଦୟ ହୋଇଥାଏ; ତେବେ ଭାରତ ସହିତ ସୀମା ବିବାଦରେ ପ୍ରମତ୍ତ ରହି ଉଭୟ ଚୀନ ଓ ପାକିସ୍ତାନ ବିପୁଳ ଲୋକ ବଳ ଓ ଅର୍ଥ ବଳ ନିୟୋଜିତ କରିବା ଯେ କୌଣସି ସାମର୍ଥ୍ୟ ପ୍ରତିପାଦନର ସୂଚକ ନୁହେଁ ବର˚ ନିର୍ବୋଧତା; ତାହା ଜଳଜଳ ଦିଶିଥିବ। ଏ ପରିପ୍ରେକ୍ଷୀରେ ପାକିସ୍ତାନର ସେନାମୁଖ୍ୟ ଜେନରାଲ ବାଜୱାଙ୍କ ବକ୍ତବ୍ୟ ମଧୢ ଗୁରୁତ୍ବପୂର୍ଣ୍ଣ, ଯାହା ତାଙ୍କ ଦ୍ବାରା ପ୍ରଦତ୍ତ ପୂର୍ବ ମନ୍ତବ୍ୟଗୁଡ଼ିକର ବିପରୀତ। ଏ ପରିପ୍ରେକ୍ଷୀରେ ଜେ‌େନରାଲ ବାଜଵା କହିଛନ୍ତି ଯେ କାଶ୍ମୀର ଠାରେ ରହିଥିବା ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ତଥା ସମ୍ମାନାସ୍ପଦ ମାର୍ଗରେ ଦୂର କରାଯିବା ଉଚିତ। ଏହା ଏବେ ସର୍ବଜନବିଦିତ ଯେ ପାକିସ୍ତାନର ଅର୍ଥନୀତି ଏକ ଭଗ୍ନ ସ୍ତୂପରେ ପରିଣତ ହୋଇଛି। ଚଳିବା ସକାଶେ ପାକିସ୍ତାନ ବାରମ୍ବାର ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ନିକଟକୁ ଋଣ ଲାଗି ଦୌଡୁଛି ଏବ˚ ନିଜ ଆତ୍ମ ସମ୍ମାନକୁ ଜଳାଞ୍ଜଳି ଦେବା ଭଳି ସର୍ତ୍ତାବଳୀର ପାଳନ କରି ଅର୍ଥ ଲାଭ କରୁଛି, ଯାହା କ୍ରମେ ଅସହନୀୟ ସ୍ତରରେ ପହଞ୍ଚିଥିବା ସମ୍ଭବ। ଏହି ପରିପ୍ରେକ୍ଷୀରେ ଆର୍ଥିକ ବିକାଶ ଓ ସମୃଦ୍ଧିକୁ ଗୁରୁତ୍ବ ଦେଲେ ଭାରତ ସହିତ ଏକ ଶାନ୍ତିପୂର୍ଣ୍ଣ ସ˚ପର୍କ ଯେ ଅନିବାର୍ଯ୍ୟ, ତାହା ପାକିସ୍ତାନ ହୃଦୟଙ୍ଗମ କରିଥାଇପାରେ।

ସେହିଭଳି ଚୀନ ମଧୢ ସମ୍ଭବତଃ ଏକ ସମତୁଲ ଜ୍ଞାନୋଦୟ ପ୍ରକ୍ରିୟା ଦେଇ ଗତି କରିଥିବ। ଏଠାରେ ସୂଚନାଯୋଗ୍ୟ ଯେ ଡୋନାଲ୍‌ଡ୍‌ ଟ୍ର˚ପ୍‌ଙ୍କ ଅଧୀନସ୍ଥ ଯୁକ୍ତରାଷ୍ଟ୍ର ଆମେରିକା ଏକ ‘ଆତ୍ମ ନିମଗ୍ନ’ ନୀତି ଧାରଣ କରି ନିଜେ ନିଜକୁ ବିଶ୍ବ ନେତୃତ୍ବ ପ୍ରଦାନକାରୀର ଭୂମିକାରୁ ଅପସାରଣ କରି ନେଉଥିବାରୁ ସେହି ସ୍ଥାନ ଦଖଲ କରିବା ଲାଗି ଉଦ୍‌ଗ୍ରୀବ ଚୀନ ସମ୍ଭବତଃ ତାର ସାମରିକ ଶକ୍ତିର ପ୍ରଦର୍ଶନ କରି ଏକ ବିଶ୍ବ ସ୍ତରୀୟ ପ୍ରଭାବ ବିସ୍ତାର ଲାଗି ଇଚ୍ଛୁକ ଥିଲା। କିନ୍ତୁ କହିବା ବାହୁଲ୍ୟ ଯେ ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ହୋଇଥିଲେ ସୁଦ୍ଧା ପାଶ୍ଚାତ୍ୟ ବିଶ୍ବ ଆଗରେ ଚୀନ ଏକ ଆଞ୍ଚଳିକ ଶକ୍ତି ବା ଅତି ଅଧିକରେ ଗୋଟିଏ ଏସୀୟ ଶକ୍ତି। ଏହା ସହିତ ଜୋ ବାଇଡେନ୍‌ଙ୍କ ଆମେରିକା ପୁନଶ୍ଚ ବିଶ୍ବର ନେତୃତ୍ବ ନେବା ଲାଗି ଉଭା ହୋଇଯିବା ପରେ ଚୀନର ଚୈତନ୍ୟ ଉଦୟ ହୋଇଥିବ ଯେ ଏକ ସାମ୍ରାଜ୍ୟବାଦୀ ସାମରିକ ଶକ୍ତିି ରୂପେ ନୁହେଁ, ବର˚ ସବୁ ରାଷ୍ଟ୍ରଙ୍କ ଦ୍ବାରା ଗ୍ରହଣୀୟ ହେଉଥିବା ଭଳି ଏକ ବିଶ୍ବସନୀୟ, ମୈତ୍ରୀଭାବାପନ୍ନ ତଥା ସମୃଦ୍ଧିଶାଳୀ ଚୀନର ଆବିର୍ଭାବ ହେବା ଆବଶ୍ୟକ, ଯାହା ତାକୁ ବିଶ୍ବ ନେତୃତ୍ବ ପ୍ରଦାନକାରୀର ଭୂମିକାରେ ଅବତୀର୍ଣ୍ଣ କରାଇବ। ଏହି ପରିପ୍ରେକ୍ଷୀରେ ଭାରତ ଭଳି ଆଉ ଏକ ବିଶାଳ ଶକ୍ତି ସହିତ ଶତ୍ରୁତା ପରିହାର କରିବା ଯେ ଏକ ଅତ୍ୟନ୍ତ ଆବଶ୍ୟକ ରଣନୀତି ତାହା ଚୀନ ଉପଲବ୍‌ଧି କରିଥିବ।

ଯଦି ଉଭୟ ପାକିସ୍ତାନ ଓ ଚୀନ ଠାରେ ସତକୁ ସତ ଜ୍ଞାନୋଦୟ ହୋଇଥାଏ, ତେବେ ଭାରତ ଲାଗି ମଧୢ ତାହା ଏକ ଆଶୀର୍ବାଦ ସାବ୍ୟସ୍ତ ହେବ। କାରଣ ସୀମାନ୍ତ ରକ୍ଷା କରିବାରେ ଯଦି ଭାରତ ତାର ଅଧିକା˚ଶ ଶକ୍ତି ବ୍ୟୟ କରେ, ତେବେ ଦ୍ରୁତ ଅଭିବୃଦ୍ଧିର ଲକ୍ଷ୍ୟ ସାଧନ ପରାହତ ହେବା ନିଶ୍ଚିତ। କହିବା ଅନାବଶ୍ୟକ ଯେ ଯଦି ଏକ ଦୂରନ୍ତ ସ୍ବପ୍ନ ଭଳି ଚୀନ ଓ ଭାରତ ମଧୢରେ ମିତ୍ରତା ସମ୍ଭବ ହୁଏ, ତେବେ ପୃଥିବୀ ଲାଗି ଏକ ଦ୍ବିତୀୟ ଧ୍ରୁବର ଆବିର୍ଭାବ ଘଟିବ, ଯାହା ବିଶ୍ବକୁ ଗଭୀର ଭାବେ ପ୍ରଭାବିତ କରିବ।

ଭାରତ, ଚୀନ ଓ ପାକିସ୍ତାନକୁ କେନ୍ଦ୍ର କରି ସଦ୍ୟ ଘଟିଥିବା ଘଟଣାକ୍ରମ ସ˚ପର୍କରେ ଏହି ଅନୁମାନ କେତେ ଦୂର ବାସ୍ତବ, ତାହା ଭବିଷ୍ୟତ୍‌ କହିବ। ହୁଏ’ତ ଏହା କେବଳ ଏକ ଅନୁମାନଭିତ୍ତିକ ଧାରଣାରେ ସୀମିତ ରହିପାରେ। କିନ୍ତୁ ଅସ୍ବୀକାର କଲେ ହେବନାହିଁ ଯେ ଅଯଥାର୍ଥ ଭାବେ ସୀମାନ୍ତ ଅତିକ୍ରମୀ ଶକ୍ତିର ପରିଚୟ ଦେଇ ଆପଣା ସାମର୍ଥ୍ୟ ପ୍ରତିପାଦନ କରିବା ଅପେକ୍ଷା ବର˚ ସେହି ଉଦ୍ୟମକୁ ନିଜ ଆର୍ଥିକ, ରାଜନୈତିକ ଓ ସାମାଜିକ ବଳ ବୃଦ୍ଧିରେ ନିୟୋଜିତ କରିବା ଅଧିକ ବୁଦ୍ଧିମତ୍ତାର ପରିଚୟ। ଏହା ଗାନ୍ଧୀଜୀ କହୁଥିବା ଭଳି ଏକ ରାଷ୍ଟ୍ରର ଆତ୍ମିକ ବଳ, ଯାହା ସେହି ରାଷ୍ଟ୍ରର ଶାରୀରିକ ବଳ ଠାରୁ ଅଧିକ ଶ୍ରେୟସ୍କର। ବାସ୍ତବରେ ଏକ ରାଷ୍ଟ୍ର ତାର ସମୃଦ୍ଧି ଦ୍ବାରା ହିଁ ଅନତିକ୍ରମ୍ୟ ପ୍ରଭାବ ବିସ୍ତାର କରିପାରେ। ଏ ପରିପ୍ରେକ୍ଷୀରେ ଆମ ସମ୍ମୁଖରେ କ୍ଷୁଦ୍ର ରାଷ୍ଟ୍ର ଜାପାନର ଉଦାହରଣ ନାହିଁ କି?

ସମ୍ବନ୍ଧିତ ଖବର