ଚଟିଆର ଘର

‘‘ଗତ ବର୍ଷ ଆମେ ଯେତେବେଳେ ଏଠାରେ ପହଞ୍ଚିଲୁ, ମୁଁ ଏହି ଘରଚଟିଆମାନଙ୍କର ବସା ତିଆରି କାର୍ଯ୍ୟକଳାପ ଯୋଗୁଁ ଭୟଙ୍କର ଭାବରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲି।’’ ଏହା ଥିଲା ୧୭ ମାର୍ଚ୍ଚ‌ ୧୯୪୩ରେ ମୌଲାନା ଆବୁଲ୍‌ କାଲାମ୍‌ ଆଜାଦ୍‌ ମହାରାଷ୍ଟ୍ରର ଅହମଦ୍‌ ନଗର ଦୁର୍ଗ କାରାଗାରରୁ ତାଙ୍କର ଘନିଷ୍ଠ ମିତ୍ର ମୌଲାନା ହବିବୁର‌୍‌ ରହମନ୍‌ ଖାନ୍‌ ସେର‌୍‌ଵାନିଙ୍କ ନିକଟକୁ ଲେଖିଥିବା ଏକ ପତ୍ରର ଆରମ୍ଭ ଅ˚ଶରେ ଥିବା ଏକ ବାକ୍ୟ। ଉଲ୍ଲେଖଯୋଗ୍ୟ, ଭାରତ ଛାଡ଼ ଆନ୍ଦୋଳନ ସମୟରେ ଜବାହରଲାଲ୍‌ ନେହରୁ ଓ ଅନ୍ୟ କେତେକ ତୁଙ୍ଗ ନେତାମାନଙ୍କ ସହିତ ମୌଲାନା ଆଜାଦ୍‌ ୧୯୪୨-୪୬ ପର୍ଯ୍ୟନ୍ତ ଏହି କାରାଗାରରେ ରାଜନୈତିକ ବନ୍ଦୀ ଭାବରେ ଅଟକ ରହିଥିଲେ ଓ ଏଇଠି ହିଁ ନେହରୁ ତାଙ୍କର ପ୍ରସିଦ୍ଧ ‘ଡିସ୍‌କଭରି ଅଫ୍‌ ଇଣ୍ତିଆ’ ପୁସ୍ତକ ରଚନା କରିଥିଲେ। ଆଜାଦ୍‌ ମଧୢ ତାଙ୍କର ଉକ୍ତ ବନ୍ଧୁଙ୍କ ନିକଟକୁ ଏଠାରେ ଲେଖିଥିବା କିନ୍ତୁ ପଠାଇ ପାରିନଥିବା ୨୪ଟି ପତ୍ର ସେ ଖଲାସ ହେବା ପରେ ଏକତ୍ର ‘ଘୁବର‌୍‌-ଏ-ଖାତିର‌୍‌’ (‘ସ୍ମୃତିର ଧୂଳି’) ଶୀର୍ଷକ ପୁସ୍ତକ ରୂପେ ପ୍ରକାଶିତ ହୋଇଥିଲା।

ଆରମ୍ଭରେ ଉଦ୍ଧୃତ ବାକ୍ୟରୁ ସହଜରେ ଅନୁମାନ କରିହେବ ଅହମଦ୍‌ ନଗର ଦୁର୍ଗର ସେ ବାସିନ୍ଦା ଘରଚଟିଆମାନଙ୍କ ପ୍ରତି ଆଜାଦ୍‌ଙ୍କ ମନୋଭାବ କିପରି ଥିଲା: ଆଜାଦ୍‌ଙ୍କ ନିଜ ଭାଷାରେ- ଶତ୍ରୁତାମୂଳକ। ତା’ପରେ ସେ ଘରଚଟିଆମାନଙ୍କୁ ତାଙ୍କ କୋଠରିରୁ ତଡ଼ିବା ପାଇଁ ସେମାନଙ୍କ ସହିତ ସେ ଚଳାଇଥିବା ଯେଉଁ ଯୁଦ୍ଧର ବର୍ଣ୍ଣନା କରିଛନ୍ତି, ତାହା ସିନେମାର ଫାଇଟ୍‌ ଦୃଶ୍ୟ ଉପଭୋଗ କରୁଥିବା ପାଠକମାନଙ୍କ ମନୋରଞ୍ଜନ କରିବାରେ ବିଫଳ ହେବ ନାହିଁ। ଆଜାଦ୍‌ ପ୍ରଥମେ ସେ ବସା ସବୁ ଭାଙ୍ଗି ଖଣ୍ତିଆ ଖାବରା କାନ୍ଥକୁ ପଲସ୍ତରା କରି ଶତ୍ରୁଙ୍କୁ ବିତାଡ଼ିତ କରିବାକୁ ଯୋଜନା କରିଥିଲେ ହେଁ କାରାଗାର ଦାୟିତ୍ବରେ ଥିବା ଗୋରା ସାହେବଙ୍କଠାରୁ ସେଥିପାଇଁ ଅନୁମତି ମିଳିଲା ନାହିଁ।

ଏକ ସାହିତ୍ୟ କୃତି ଭଳି ଏହି ପତ୍ରର ଛତ୍ରେ ଛତ୍ରେ ଆଜାଦ୍‌ ଘାଲିବ୍‌ରୁ ମିର‌୍‌, ସିରାଜୀ… ଆଦି ବିଭିନ୍ନ ଉର୍ଦ୍ଦୁ, ପାର୍ସୀ, ଆରବ୍‌ ଭାଷା ସବୁର କବିମାନଙ୍କର କବିତାର ପଙ୍‌କ୍ତିମାନ ଉଦ୍ଧାର କରିଛନ୍ତି। ନିଜର ଧୈର୍ଯ୍ୟର ଅନ୍ତ ଘଟିବା ପରେ ଚଟିଆଙ୍କ ବିରୁଦ୍ଧରେ ସମ୍ମୁଖ ସମରରେ ଅବତୀର୍ଣ୍ଣ ହେବାପାଇଁ ସେ ଯେତେବେଳେ ବାହାରି ପଡ଼ିଛନ୍ତି, ସେତେବେଳେ ସେ ପାର୍ସି କବି ଫିର‌୍‌ଦୋସୀଙ୍କ ରଚିତ ମହାକାବ୍ୟ ‘ଶାହ୍‌ନାମେ’ରୁ ଉଦ୍ଧାର କରିଥିବା ଧାଡ଼ିଟିର ଓଡ଼ିଆ ଅନୁବାଦ ହେଉଛି: ‘‘ମୁଁ ମୋର ଗଦା ସହିତ ଆଫ୍ରାସିଆବ୍‌ ବିରୁଦ୍ଧରେ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କଲି’’। କାହାଣୀ ଅନୁସାରେ ରାଜା ଆଫ୍ରାସିଆବ୍‌ ଥିଲେ ପାରସ୍ୟର ଚରମ ଶତ୍ରୁ, ଯେମିତି ଘରଚଟିଆମାନେ ଥିଲେ ମୌଲାନା ଆଜାଦ୍‌ଙ୍କର। ଆଜାଦ୍‌ଙ୍କ ଗଦା ଥିଲା ସେ କାରାଗାରକୁ ଆସିବା ବେଳେ ସାଙ୍ଗରେ ଆଣିଥିବା ଛତାଟି। ରଣ କ୍ଷେତ୍ରରେ ଅବତୀର୍ଣ୍ଣ ହେବା ପରେ ପରେ ସେ କିନ୍ତୁ ଆବିଷ୍କାର କଲେ ଯେ କାନ୍ଥ ଉପରି ଭାଗ ଓ ଛାତରେ ଥଣ୍ଟ ସାହାଯ୍ୟରେ ଗାତ କରି ଚଟିଆମାନେ କରିଥିବା ବସାଗୁଡ଼ିକ ନିକଟରେ ପହଞ୍ଚିବା ପାଇଁ ଛତାର ଲମ୍ବ ଆଦୌ ଯଥେଷ୍ଟ ନୁହେଁ।

ଆଜାଦ୍‌ ଏଥର ‘ଗଦା’ ପରିତ୍ୟାଗ କରି ଏକ ‘ବର୍ଚ୍ଛା’ର ସନ୍ଧାନରେ ଲାଗି ଗଲେ। ଭାଗ୍ୟକୁ ସେ ବାରଣ୍ତାର ଗୋଟିଏ କୋଣରେ ଡେରା ହୋଇଥିବା ଅଳନ୍ଧୁ ସଫା କରିବା ପାଇଁ ଉଦ୍ଦିଷ୍ଟ ଏକ ଲମ୍ବା ବାଉଁଶ ବାଡ଼ିଟିଏ ପାଇଗଲେ। ଏଥର ସେ ଏହି ବାଡ଼ିଟି ଧରି ବେଶ୍‌ କିଛି ସମୟ ଧରି ଚଢ଼େଇମାନଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ସେମାନଙ୍କ ବସା ସବୁ ଭାଙ୍ଗି ଦେଇ ସେମାନଙ୍କୁ କୋଠରି ଛାଡ଼ି ଚାଲିଯିବାକୁ ବାଧୢ କଲେ। ଯୁଦ୍ଧ ସମାପ୍ତ ହେବା ପରେ କ୍ଷୁଧାର୍ତ୍ତ ଆଜାଦ୍‌ ମଧୢାହ୍ନ ଭୋଜନ ସନ୍ଧାନରେ କାରାଗାର ମେସ୍‌କୁ ଚାଲିଗଲେ। ଭୋଜନ ସମାପ୍ତ କରି ଫେରିବା ପରେ ଆଜାଦ୍‌ ସେଠାରେ ଯେଉଁ ଦୃଶ୍ୟ ଦେଖିବାକୁ ପାଇଲେ ତାହା କିନ୍ତୁ ତାଙ୍କର କ୍ଷଣିକ ବିଜୟକୁ ପରାଜୟରେ ପରିଣତ କରିଦେଲା: ପୂରା ଘରଚଟିଆ ଦଳଟି କୋଠରିକୁ ଫେରିଆସି ନିଜ ନିଜର ବସା ସବୁର ପୁନଃନିର୍ମାଣ ପାଇଁ ଘାସକୁଟା ବୋହି ଆଣିବାରେ ଲାଗି ପଡ଼ିଛନ୍ତି।

ଏଥର ଆଜାଦ୍‌ ଯେଉଁ ନୀତି ଅନୁସରଣ କରିବାକୁ ନିଷ୍ପତ୍ତି ନେଲେ, ତାହା ହେଲା- ‘ଯଦି ସେମାନଙ୍କୁ ପରାସ୍ତ କରି ନପାରୁଛ, ସେମାନଙ୍କ ସହିତ ହାତ ମିଳାଅ’। ଏହା ପରେ ଆଜାଦ୍‌ ଚଟିଆମାନଙ୍କ ସହିତ ଏପରି ହାତ ମିଳାଇଲେ ଯେ ସେମାନେ ତାଙ୍କ ପ୍ରତି ଭୟ ଛାଡ଼ି ତାଙ୍କ କାନ୍ଧରେ, ମୁଣ୍ତରେ ବସି ତାଙ୍କ ହାତରୁ ଦାନା ଖାଇଲେ, ଯାହାର ସ୍ନେହବୋଳା ବର୍ଣ୍ଣନାରେ ଆଜାଦ୍‌ଙ୍କ ପତ୍ରର ବାକି ଅ˚ଶ ଭର୍ତ୍ତି ହୋଇ ଯାଇଛି। ସେତିକି ନୁହେଁ, ସେ ଆଦରରେ ଚଟିଆମାନଙ୍କର ମଧୢ ନାମକରଣ କରିଛନ୍ତି- ମୋତି, କଲନ୍ଦର, ମୁଲ୍ଲା, ସୁଫି… ଇତ୍ୟାଦି ଏବ˚ ତା’ ପରଦିନ ୧୮ ମାର୍ଚ୍ଚରେ ଲେଖିଥିବା ଆଉ ଏକ ପତ୍ର ସମ୍ପୂର୍ଣ୍ଣ ରୂପେ ଏକ ଘରଚଟିଆ ଛୁଆର ପ୍ରଥମ ଉଡ଼ାଣ ପ୍ରତି ଉତ୍ସର୍ଗ କରି ଦେଇଥିଲେ।

ଏବେ କିନ୍ତୁ ଶିଳ୍ପପତି ଆନନ୍ଦ ମହୀନ୍ଦ୍ରା ତାଙ୍କର ବହୁଳ ପ୍ରସାରିତ ଟ୍ବିଟ୍‌ ମାଧୢମରେ ତାମିଲନାଡୁର ଯେଉଁ କୃଷକଙ୍କ ପ୍ରଶ˚ସାରେ ଶତମୁଖ ହେବା ଦେଖା ଯାଇଛି, ତାଙ୍କର ଘରଚଟିଆମାନଙ୍କ ପ୍ରତି ଆଭିମୁଖ୍ୟ ଆଜାଦ୍‌ଙ୍କ ଭଳି ଆଦୌ ଦ୍ବିଧା ବିଭକ୍ତ ନୁହେଁ। ବିଶେଷଜ୍ଞମାନେ କହନ୍ତି ଘରଚଟିଆ ମନୁଷ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ଦେହଘଷିଆ ହୋଇଯାଇଥିବାରୁ; ଚିତ୍ତାକର୍ଷକ ଚେହେରା ନଥିବାରୁ ଏବ˚ ବିରଳ ହୋଇ ନଥିବାରୁ ଇତିହାସ ସାରା ତା’ ପ୍ରତି ମନୁଷ୍ୟର ଆଭିମୁଖ୍ୟ ଆଜାଦ୍‌ସୁଲଭ ଦୋଳାୟମାନ ହୋଇ ଆସିଛି। ସେମାନେ ଶସ୍ୟ ଖାଇଯାଉଥିବାରୁ ଅଷ୍ଟାଦଶ ଶତାବ୍ଦୀରେ ଇଉରୋପ୍‌ରେ ସରକାରମାନେ ସେମାନଙ୍କର ନିପାତ ପାଇଁ ଆହ୍ବାନ ଦେବା ଦେଖା ଯାଇଥିଲା ଓ ରୁଷିଆରେ ଚଟିଆ ହତ୍ୟାକାରୀମାନଙ୍କୁ ଟିକସ ରିହାତି ମିଳୁଥିଲା। ଚୀନ୍‌ରେ ଚେଆର‌୍‌ମ୍ୟାନ୍‌ ମାଓଙ୍କର ୧୯୫୮ ମାର୍ଚ୍ଚରେ ଆୟୋଜିତ ଚଟିଆ ଧ୍ବ˚ସ ଅଭିଯାନ (ପ୍ରାୟ ଏକଶହ କୋଟି ଚଟିଆ ପ୍ରାଣ ହରାଇଥିଲେ) ଓ ତଜ୍ଜନିତ ଫସଲ ହାନି (ଚଟିଆ ଶାବକମାନଙ୍କର ଆହାର କୀଟ ପତଙ୍ଗମାନଙ୍କର ବ˚ଶ ବୃଦ୍ଧି ଯୋଗୁଁ) ଯୋଗୁଁ ପ୍ରାୟ ୩.୫ କୋଟି ଚୀନାଙ୍କର ଅନାହାର ମୃତ୍ୟୁ କଥା ନଜାଣେ କିଏ? ଚେତା ପଶିଲା ପରେ ମାଓ ୧୯୬୦ରେ ତାଙ୍କର ପ୍ରାଣଦଣ୍ତ ତାଲିକାରୁ ଚଟିଆକୁ କାଢ଼ି ଦେଇ ତା’ ସ୍ଥାନରେ ଛାରପୋକକୁ ରଖି ଦେଇଥିଲେ!

ଦେଖାଯାଇଛି ଘରଚଟିଆମାନଙ୍କ ସ˚ଖ୍ୟାରେ ଯେତେବେଳେ ଉଲ୍ଲେଖନୀୟ ହ୍ରାସ ଘଟୁଛି ସେତେବେଳେ ହଠାତ୍‌ ତା’ ପ୍ରତି ଆମର ସ୍ନେହରେ ବୃଦ୍ଧି ଘଟି ଆମେ ‘ଘରଚଟିଆ ଦିବସ’ ପାଳନ କରୁଛୁ, ସ˚ଖ୍ୟା ବୃଦ୍ଧି ପାଇଲେ ସେ ପୁଣି ଅଲୋଡ଼ା ହୋଇ ପଡୁଛି। ତେଣୁ ଚଟିଆ ପ୍ରତି ଆମର ଅନୁରାଗ ବା ବିରାଗ ଚଟିଆ ସମ୍ବନ୍ଧରେ ଯେତିକି କହିନଥାଏ, ତା’ଠାରୁ ବହୁ ଅଧିକ ଆମ ଚରିତ୍ର ସମ୍ବନ୍ଧରେ କହିଥାଏ, ଯେମିତି କୁମ୍ବକୋଣମ୍‌ ନିକଟସ୍ଥ ଏକ ଗ୍ରାମର ୪୦ ବର୍ଷୀୟ କୃଷକ ରଙ୍ଗନାଥନ୍‌ଙ୍କ ସମ୍ବନ୍ଧରେ।

ଡାକନାମ ରଘୁ ତାଙ୍କର ତିନି ଏକର ଜମିରେ ଚାଷ କରିଥିବା ଧାନ ଅମଳ ପାଇଁ ହାର୍ଭେଷ୍ଟର ଚଳାଉଥିବା ବେଳେ ଏକ ଧାନ ବୁଦାରେ ଏକ ଘରଚଟିଆ ବସା ଓ ତା’ ଭିତରେ ଚାରିଟି ଅଣ୍ତା ଆବିଷ୍କାର କରିଥିଲେ। ସାଧାରଣ ଚଟିଆ ବୋଲି ହେୟଜ୍ଞାନ କରି ସେ ବସାଟିକୁ ଭାଙ୍ଗି ଦେଇ ଧାନ କାଟି ନେବା ପରିବର୍ତ୍ତେ ରଘୁ ସେ ବସାକୁ କାଠି ପୋତି ସୁରକ୍ଷିତ ରଖି ତା’ ଚତୁଃପାର୍ଶ୍ବର ଧାନ କିଆରିକୁ ଅକଟା ଛାଡ଼ିଦେଲେ। ଚଟିଆଙ୍କ ସୁରକ୍ଷା ପାଇଁ ରଘୁ କିଛି କ୍ଷତି ସହିବାକୁ ପ୍ରସ୍ତୁତ, କାରଣ ସେମାନଙ୍କ ପ୍ରତି ତାଙ୍କର ମନୋଭାବ ଦ୍ବିଧା ବିଭକ୍ତ ନୁହେଁ- କୃଷକଙ୍କ ଭଳି ଏ ଟିକି ଚଢ଼େଇମାନଙ୍କର ମଧୢ ପୃଥିବୀରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ସେ ସରଳ ଭାବରେ ବିଶ୍ବାସ କରନ୍ତି।

ସମ୍ବନ୍ଧିତ ଖବର