କମ୍ପ୍ୟୁଟର୍ ଦୁନିଆରେ ନିରାପତ୍ତା ବା ‘ସାଇବର୍ ସିକ୍ୟୁରିଟି’ କ୍ଷେତ୍ରରେ ପୃଥିବୀର ଜଣେ ଛାମୁହାଁ ବିଶେଷଜ୍ଞ ରୂପେ ପରିଗଣିତ ଡିମିଟ୍ରି ଆଲ୍ପରୋଭିଚ୍ ଏହି ଦୃଷ୍ଟିକୋଣରୁ କମ୍ପାନିମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥାନ୍ତି: ‘‘ଯେଉଁମାନେ ଜାଣିଥାନ୍ତି ଯେ ସେମାନଙ୍କର ନିରାପତ୍ତା ବିପନ୍ନ ହୋଇଛି, ଏବ˚ ଯେଉଁମାନେ ଜାଣି ନ ଥାନ୍ତି ଯେ ସେମାନଙ୍କ ନିରାପତ୍ତା ବିପନ୍ନ ହୋଇଛି।’’ ଆଲ୍ପରୋଭିଚ୍ଙ୍କର ଏହି ବ୍ୟଙ୍ଗୋକ୍ତିକୁ ଆଉ ଟିକିଏ ଶାଣିତ କରି ଆଗେଇ ନେଇଥିଲେ ଆମେରିକାର ଆଭ୍ୟନ୍ତରୀଣ ନିରାପତ୍ତା ଦାୟିତ୍ବ ନିର୍ବାହ କରୁଥିବା ଅନ୍ୟତମ ପ୍ରମୁଖ ସ˚ସ୍ଥା ‘ଏଫ୍ବିଆଇ’ର ପୂର୍ବତନ ମୁଖ୍ୟ ରବର୍ଟ ମୁଲର୍, ଯେତେବେଳେ ସେ କହିଥିଲେ: ‘‘ଏହି ଶ୍ରେଣୀଦ୍ବୟ କ୍ରମେ ଗୋଟିଏ ଶ୍ରେଣୀରେ ପରିଣତ ହେବାକୁ ଯାଉଛନ୍ତି: ଯେଉଁ କମ୍ପାନିମାନେ ହ୍ୟାକିଙ୍ଗ୍ର ସମ୍ମୁଖୀନ ହୋଇସାରିଛନ୍ତି, ଏବ˚ ପୁନରାୟ ହ୍ୟାକିଙ୍ଗ୍ ହେବାକୁ ଯାଉଛନ୍ତି।’’
ମଙ୍ଗଳବାର ଦିନ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍ କେ ସି˚ହ ଗତ ଅକ୍ଟୋବରରେ ମୁମ୍ବାଇରେ ଘଟିଥିବା ବିରଳ ବିଦ୍ୟୁତ୍ ବିଭ୍ରାଟ ପଛରେ ଚୀନ୍ର ସାଇବର ଆକ୍ରମଣ ନିହିତ ଥିବା କଳ୍ପନା ଜଳ୍ପନା ସମ୍ବନ୍ଧରେ ପ୍ରଦାନ କରିଥିବା ସ୍ପଷ୍ଟୀକରଣ ଦେଖିଲେ ମନେହୁଏ ରବର୍ଟ ମୁଲର୍ଙ୍କ ମନ୍ତବ୍ୟ ଆର୍ କେ ସି˚ହ କିମ୍ବା ତାଙ୍କର ସରକାରଙ୍କ ପ୍ରତି ହିଁ ଉଦ୍ଦିଷ୍ଟ ଥିଲା। ମନ୍ତ୍ରୀ ମହୋଦୟ କହିଛନ୍ତି ଯେ ଅକ୍ଟୋବର ୧୩ ତାରିଖ ଦିନ ଗ୍ରିଡ୍ ଅଚଳ ହୋଇ ଦଶ ବାର ଘଣ୍ଟା ଧରି ମୁମ୍ବାଇରେ ବ୍ଲାକ୍ ଆଉଟ୍ ଘଟିବା ପଛରେ ଚୀନ୍ର ହାତ ଥିବାର କୌଣସି ପ୍ରମାଣ ନାହିଁ ଏବ˚ ‘ମାନବୀୟ ତ୍ରୁଟି’ ଯୋଗୁଁ ସେଇ ଅଘଟଣ ଘଟିଥିଲା।
କହି ରଖିବା ଆବଶ୍ୟକ ଯେ ମୁମ୍ବାଇ-ବାସିନ୍ଦାମାନଙ୍କ ପାଇଁ ଏହି ଅଘଟଣଟି ଏପରି ଅସ୍ବାଭାବିକ ଥିଲା, ସତେ ଯେପରି ସେଦିନ ସେଠାରେ ସୂର୍ଯ୍ୟ ଆରବ ସାଗର ପଟରୁ ଉଦୟ ହୋଇଥିଲେ। କାରଣ ମୁମ୍ବାଇରେ ଟାଟା ପାଵାର ଦ୍ବାରା ପରିଚାଳିତ ବିଦ୍ୟୁତ୍ ଯୋଗାଣ ବର୍ଷ ବର୍ଷ ଧରି ଏପରି ତ୍ରୁଟିହୀନ ଓ ନିର୍ଭରଯୋଗ୍ୟ ହୋଇଆସିଛି ଯେ ଉପଭୋକ୍ତାମାନେ ଏହାର ଉପସ୍ଥିତି ସମ୍ବନ୍ଧରେ ସେଇଭଳି ଭୁଲି ଯାଇଥାନ୍ତି। ଆମେ ଯେମିତି ପ୍ରତି ମୁହୂର୍ତ୍ତରେ ତାହାକୁ ବ୍ୟବହାର କରୁଥିଲେ ହେଁ, ବାୟୁମଣ୍ତଳରେ ଅମ୍ଳଜାନର ଉପସ୍ଥିତି କଥା ଭୁଲି ଯାଇ ଥାଉ। ଉଲ୍ଲେଖ ଅସମୀଚୀନ ହେବ ନାହିଁ ଯେ ସେଥିପାଇଁ ମୁମ୍ବାଇ ବଜାରରେ ଇନ୍ଭର୍ଟର କିମ୍ବା ଭୋଲ୍ଟେଜ୍ ଷ୍ଟାବିଲାଇଜର୍ ଭଳି ବିଦ୍ୟୁତ୍ ସହାୟକ ଯନ୍ତ୍ରଟିଏ ଖୋଜି ପାଇବା କଷ୍ଟକର। ତେଣୁ ସେଦିନ ଯେତେବେଳେ ହଠାତ୍ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଗଲା ବାସଗୃହରୁ ବଜାର ଓ ବ୍ୟାଙ୍କ ପର୍ଯ୍ୟନ୍ତ, ରେଳଗାଡ଼ିରୁ ହସ୍ପିଟାଲ ପର୍ଯ୍ୟନ୍ତ ଜୀବନଯାତ୍ରା ଅଚଳ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବିତ୍ତୀୟ ସ୍ନାୟୁ କେନ୍ଦ୍ର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ କାରବାର ହଠାତ୍ ବନ୍ଦ ହୋଇଗଲା। ଦୁଇକୋଟି ଲୋକସ˚ଖ୍ୟା ବିଶିଷ୍ଟ ‘ମାକ୍ସିମମ୍ ସିଟି’ ରୂପେ ଖ୍ୟାତ ଏହି ନଗରୀ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଗଲା।
ବର୍ତ୍ତମାନ ଆମେରିକାର ମାସାଚୁସେଟ୍ସସ୍ଥିତ ଏକ ପ୍ରମୁଖ ସାଇବର୍ ସନ୍ଧାନୀ ସ˚ସ୍ଥା ଦ୍ବାରା ପ୍ରକାଶିତ ସୂଚନାରୁ ଜଣାପଡ଼ିଛି ଯେ ଗଲ୍ଵାନ୍ ଉପତ୍ୟକାରେ ଚୀନ୍-ଭାରତ ମଧୢରେ ଚାଲିଥିବା ବଳ କଷାକଷି ସହିତ ମୁମ୍ବାଇର ବିଦ୍ୟୁତ୍ ସରବରାହ ଉପରେ ହୋଇଥିବା ଏହି ଆକ୍ରମଣର ଘନିଷ୍ଠ ସମ୍ପର୍କ ରହିଥିଲା। ସାଇବର୍ ଆକ୍ରମଣ ଦ୍ବାରା ବିଦ୍ୟୁତ୍ ଯୋଗାଣକୁ ନିୟନ୍ତ୍ରଣ କରୁଥିବା ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ଥିବା କମ୍ପ୍ୟୁଟରମାନଙ୍କୁ ସାମୟିକ ଭାବରେ ଖରାପ କରି ଦେଇ ଚୀନ୍ ସେଦିନ ଦୀର୍ଘ ସମୟ ଧରି ମୁମ୍ବାଇକୁ ପଙ୍ଗୁ କରି ଦେଇ ଭାରତକୁ ଚେତାବନୀ ଦେବାକୁ ଚେଷ୍ଟା କରିଥିଲା ଯେ ହିମାଳୟରେ ଭାରତ ଯଦି ଅଧିକ ସାମରିକ ଶକ୍ତି ପ୍ରଦର୍ଶନ କରେ, ଭାରତକୁ ଏହି ପରି ଶକ୍ତିହୀନ କରି ଅସହାୟ କରିଦେବାର କ୍ଷମତା ଚୀନ୍ ପାଖରେ ଅଛି।
ଆମେରିକାର ଏହି ସନ୍ଧାନୀ ସ˚ସ୍ଥା ‘ରେକର୍ଡେଡ୍ ଫିଉଚର’ ତା’ର ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ ଯେଉଁ ସମୟରେ ହିମାଳୟରେ ଦୁଇ ଦେଶ ରକ୍ତାକ୍ତ ଲଢ଼େଇରେ ବ୍ୟାପୃତ ଥିଲେ, ଠିକ୍ ସେତିକି ବେଳେ ଭାରତ ସାରା ବିଦ୍ୟୁତ୍ ଯୋଗାଣର ପରିଚାଳନା କରୁଥିବା କମ୍ପ୍ୟୁଟରଚାଳିତ ନିୟନ୍ତ୍ରଣ ବ୍ୟବସ୍ଥାରେ ଅନୁପ୍ରବେଶ କରିବା ପାଇଁ ଏଠାକୁ ଚୀନା କମ୍ପ୍ୟୁଟର୍ ମାଲ୍େଵଆର୍ର ସୁଅ ଛୁଟିଥିଲା। ଶକ୍ତି ଉତ୍ପାଦନ କେନ୍ଦ୍ରରୁ ହାଇ ଭୋଲ୍ଟେଜ୍ ଟ୍ରାନ୍ସମିସନ୍ ସବ୍ଷ୍ଟେସନମାନ ପର୍ଯ୍ୟନ୍ତ ଏଥିପାଇଁ ନିଶାଣ ବନିଥିଲେ। ‘ରେକର୍ଡେଡ୍ ଫିଉଚର୍’ ସ˚ସ୍ଥାର କାର୍ଯ୍ୟ ହେଉଛି ବିଭିନ୍ନ ଦେଶର ସରକାରମାନେ ଇଣ୍ଟର୍ନେଟ୍ର କିପରି ଉପଯୋଗ କରୁଛନ୍ତି, ତାହା ଉପରେ ତୀକ୍ଷ୍ଣ ନଜର ରଖିବା। ଏହାର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ‘ରେଡ୍ ଇକୋ’ (‘ଲାଲ୍ ପ୍ରତିଧ୍ବନି’) ନାମକ ଚୀନ୍ ସରକାରଙ୍କ ଦ୍ବାରା ପାଳିତ ଏକ ହ୍ୟାକିଙ୍ଗ୍ ଗୋଷ୍ଠୀ ଅତ୍ୟାଧୁନିକ ସାଇବର୍ ଅନୁପ୍ରବେଶ କୌଶଳ ପ୍ରୟୋଗ କରି ଚୁପ୍ଚାପ ଭାରତର ଶକ୍ତି ଉତ୍ପାଦନ ଓ ସରବରାହ (ଟ୍ରାନ୍ସମିସନ୍) ବ୍ୟବସ୍ଥାର ଅନ୍ତତଃ ଏକ ଡଜନ୍ ସରିକି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସନ୍ଧିସ୍ଥାନମାନଙ୍କରେ ମାଲ୍େଵଆର୍ ଇଣ୍ଟରନେଟ୍ ମାଧୢମରେ ପ୍ରେରଣ କରି ଖଞ୍ଜି ଦେଇଛି। ଚୀନ୍ ଯେତେବେଳେ ଚାହିଁବ ସେଇ ଇଣ୍ଟରନେଟ୍ ମାଧୢମରେ ନିର୍ଦ୍ଦେଶ ପ୍ରେରଣ କରି ମାଲ୍େଵଆର୍କୁ ସକ୍ରିୟ କରି ଏଠାରେ ମୁମ୍ବାଇ ଭଳି ବିଭ୍ରାଟ ସୃଷ୍ଟି କରିପାରିବ।
ଏଭଳି ସାଇବର୍ ଆକ୍ରମଣ ପାରମ୍ପରିକ ଯୁଦ୍ଧ ଭଳି ବସ୍ତୁଗତ ଧ୍ବ˚ସ ଲୀଳା ରଚନା କରି ନ ଥାଏ; କିନ୍ତୁ ଶରବ୍ୟ ଦେଶ ପାଇଁ ଘୋର ଅର୍ଥନୈତିକ, ସାମାଜିକ, ସ୍ବାସ୍ଥ୍ୟଗତ ଓ ମନସ୍ତାତ୍ତ୍ବିକ ସ˚କଟ ସୃଷ୍ଟି କରିଥାଏ। ସାଇବର୍ ଆକ୍ରମଣର ଆଦ୍ୟ ପ୍ରୟୋଗକାରୀ ହେଉଛି ଅବଶ୍ୟ ରୁଷିଆ। କେତେ ବର୍ଷ ତଳେ ରୁଷିଆ ଯେତେବେଳେ ଏହା ମାଧୢମରେ ୟୁକ୍ରେନ୍ରେ ଦୁଇଥର ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରି ଦେଲା, ସେତେବେଳେ ବିଦ୍ୟୁତ୍ କ୍ଷେତ୍ରରେ ସାଇବର୍ ଆକ୍ରମଣର ପ୍ରକୋପ କିଭଳି ହୋଇପାରେ ୟୁକ୍ରେନ୍ବାସୀ ପ୍ରଥମ ଥର ପାଇଁ ତାହା ଅଙ୍ଗେ ନିଭାଇଲେ। ନିକଟ ଅତୀତରେ ସମସ୍ତଙ୍କୁ ଛାନିଆ କରି ଆମେରିକାର ଡିପାର୍ଟମେଣ୍ଟ ଅଫ୍ ହୋମ୍ଲାଣ୍ତ ସିକ୍ୟୁରିଟି ଘୋଷଣା କରିଥିଲା ଯେ ଆମେରିକାର ବିଦ୍ୟୁତ୍ ଗ୍ରିଡ୍ରେ ରୁଷୀୟ ହ୍ୟାକର୍ମାନେ ମାଲ୍େଵଆର୍ କୋଡ୍ମାନ ବିଛାଇ ଦେଇଛନ୍ତି ଏବ˚ ଜବାବରେ ଆମେରିକା ମଧୢ ରୁଷିଆର ଗ୍ରିଡ୍ମାନଙ୍କରେ ଅନୁରୂପ କାର୍ଯ୍ୟ କରିଛି। ଅର୍ଥାତ୍ ରୁଷିଆ ଯଦି ଆମେରିକା ଉପରେ ସାଇବର୍ ଆକ୍ରମଣ କରି ବ୍ଲାକ୍ ଆଉଟ୍ କରିଦିଏ, ଆମେରିକା ମଧୢ ରୁଷିଆରେ ତତ୍କ୍ଷଣାତ୍ ଅନୁରୂପ ଅବସ୍ଥା ସୃଷ୍ଟି କରିଦେବ। ଏହି ସମ୍ଭାବନା ଉଭୟଙ୍କୁ ସ˚ଯତ କରି ରଖିବ ବୋଲି ସେମାନେ ଆଶା କରୁଛନ୍ତି।
ମନେ ହେଉଛି ଭାରତ-ଚୀନ୍ ମଧୢରେ ଉତ୍ତେଜନା ହ୍ରାସ କରିବା ପାଇଁ କୂଟନୈତିକ ସ୍ତରରେ ଉଦ୍ୟମ ଚାଲିଥିବାରୁ ତାହା ଭଣ୍ତୁର ନ କରିବାକୁ ଆର୍ କେ ସି˚ହ ଚୀନ୍ ଉପରେ ଦୋଷାରୋପ କରିନାହାନ୍ତି। କିନ୍ତୁ ତୁଣ୍ତରେ ଏପରି କଥା କହୁଥିବା ବେଳେ ଭାରତ ଭିତରେ ଭିତରେ ଯାହା କରିବା ଉଚିତ, ତାହା ହେଲା ଆମେରିକା ଭଳି ଚୀନ୍ର ବିଦ୍ୟୁତ ଗ୍ରିଡ୍ମାନଙ୍କେର ମାଲ୍େଵଆର୍ ବିଛାଇ ଦେବା। ଭାରତ ଯଦି ତାହା ନ କରେ, ତେବେ ରବର୍ଟ ମୁଲର୍ କହିଥିବା ଭଳି ଆମେ ପୁନରାୟ ଚୀନା ହ୍ୟାକିଙ୍ଗ୍ର ସମ୍ମୁଖୀନ ହେବା ନିଶ୍ଚିତ। ମୁମ୍ବାଇରେ ଘଟିଥିବା ଭଳି ଏଥର ଦେଶ ସାରା ଲାଲ ପ୍ରତିଧ୍ବନି ଶୁଣିବାକୁ ମିଳିବ।