ଘୂର୍ଣ୍ଣି ବଳୟ

ସ˚ପ୍ରତି ଭାରତରେ ରାଜନୈତିକ ବିରୋଧର ଆବହାଵାକୁ ଯଦି କୌଣସି ପାଣିପାଗ ବିଶାରଦଙ୍କ ଭାଷାରେ ବର୍ଣ୍ଣନା କରାଯାଏ, ତେବେ ତାହା ହୁଏ’ତ ଏହିଭଳି ହେବ: ଦେଶରେ ବିରୋଧୀ ରାଜନୀତିର ବାୟୁମଣ୍ତଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି, ଯାହା ଆଗାମୀ ଦିନରେ ଏକ ଝଡ଼ର ରୂପ ନେଇପାରେ। କ˚ଗ୍ରେସର ଅବକ୍ଷୟ ଦ୍ବାରା ସୃଷ୍ଟ ଲଘୁଚାପ ହେଉଛି ଏହାର କାରଣ। କହିବା ବାହୁଲ୍ୟ ଯେ ଏଠାରେ ପ୍ରଦତ୍ତ ଏଭଳି ଏକ ନାଟକୀୟ ଉପମାକୁ ସେହିମାନେ ଅବିଳମ୍ବେ ବୁଝି ପାରିଥିବେ, ଯେଉଁମାନେ ଗଲା ବିହାର ନିର୍ବାଚନରେ ଆସାଦୁଦ୍ଦିନ ଓଵାସିଙ୍କ ଦଳ ‘ଏଆଇଏମ୍‌ଆଇଏମ୍‌’ର ଭୂମିକା ଉପରେ ନଜର ରଖିଥିବେ। ସ୍ମରଣଯୋଗ୍ୟ ଯେ ଏହି ନିର୍ବାଚନ ପରେ କ˚ଗ୍ରେସ ପକ୍ଷରୁ ତାର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନର ଏକ କାରଣ ଭାବେ ‘ଏଆଇଏମ୍‌ଆଇଏମ୍‌’ ପ୍ରତି ଦୋଷାରୋପ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ପଶ୍ଚିମବଙ୍ଗ ଏବ˚ ଏପ୍ରିଲ ମାସରେ କେରଳ, ତାମିଲନାଡୁ ଏବ˚ ପୁଡୁଚେରିରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭବିଷ୍ୟତ୍‌ରେ ଅଣବିଜେପି ରାଜନୈତିକ ବାତାବରଣରେ କିଭଳି ଦୃଶ୍ୟପଟ ଆବିର୍ଭୂତ ହେବାର ସମ୍ଭାବନା ରହିଛି, ସେ ସ˚ପର୍କରେ ଏକ ସ˚କ୍ଷିପ୍ତ ଆଲୋଚନା ପ୍ରାସଙ୍ଗିକ ବୋଲି ମନେ ହୋଇଥାଏ।

ପ୍ରକାଶ ଥାଉ କି ୨୦୧୪ ଜାତୀୟ ନିର୍ବାଚନରେ ଇତିହାସରେ ପ୍ରଥମ ଥର ଲାଗି କ˚ଗ୍ରେସ ତିନି ଅଙ୍କ ବିଶିଷ୍ଟ ସ˚ଖ୍ୟାର ଆସନ ଜିଣିବାରେ ଅସମର୍ଥ ହୋଇଥିଲା; ଦଳ ଜିଣିଥିଲା ମାତ୍ର ୪୪ଟି ଆସନ। ତେବେ ସେହି ସମୟରେ ଅନେକ ତର୍ଜମାକାର ବିଜେପିର ଏହି ବିଜୟକୁ ଅଦିନ ବଉଳସୁଲଭ ଏକ ବ୍ୟତିକ୍ରମ ବୋଲି ବର୍ଣ୍ଣନା କରିଥିଲେ। ସତକୁ ସତ ଏଭଳି ଧାରଣାକୁ ପରିପୁଷ୍ଟ କରି ୨୦୧୪ ପରେ ମଧୢପ୍ରଦେଶ, ଛତିଶଗଡ଼, ପଞ୍ଜାବ, ପୁଡୁଚେରି ଭଳି ରାଜ୍ୟର ନିର୍ବାଚନରେ କ˚ଗ୍ରେସ ବିଜୟ ହାସଲ କରିଥିଲା। ଏପରିକି ନରେନ୍ଦ୍ର ମୋଦୀଙ୍କ ଗୁଜରାଟରେ ମଧୢ ବିଜେପି ବିଜୟ ଲାଭ କରିବା ଲାଗି ସ˚ଘର୍ଷର ସମ୍ମୁଖୀନ ହୋଇଥିଲା। ସୁତରା˚, ଏଭଳି ସ୍ଥିତିରୁ ଏକ ଆକଳନ ମଧୢ କରାଯାଇଥିଲା ଯେ ୨୦୧୯ ନିର୍ବାଚନରେ କ˚ଗ୍ରେସ ଅନ୍ତତଃ ପକ୍ଷେ ଶତାଧିକ ଆସନରେ ବିଜୟ ହାସଲ କରିବ। କିନ୍ତୁ ୨୦୧୯ ନିର୍ବାଚନରେ କ˚ଗ୍ରେସ ମାତ୍ର ୫୨ଟି ଆସନ ଜିଣିବାରେ ସମର୍ଥ ହୋଇଥିଲା ଏବ˚ ୨୦୧୪ ଭଳି ୨୦୧୯ରେ ମଧୢ ବିରୋଧୀ ଦଳର ନେତା ହେବାର ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। କିନ୍ତୁ ତା’ ସତ୍ତ୍ବେ ୨୦୧୯ ନିର୍ବାଚନରେ କ˚ଗ୍ରେସ ଲାଭ କରିଥିବା ଭୋଟ ସ˚ଖ୍ୟା ଥିଲା ପ୍ରାୟ ୧୨ କୋଟି। ସୁତରା˚, ଏଥିରୁ ଏକ ଧାରଣା ମଧୢ ଜାତ ହୋଇପାରେ ଯେ ଏଭଳି ଏକ ବିଶାଳ ଜନାଧାର ଯେଉଁ ଦଳ ପଛରେ ରହିଛି, ତାହା ଅଚିରେ ପୁନଃ ଶକ୍ତି ସ˚ଚୟ କରି ସଦର୍ପେ ଦଣ୍ତାୟମାନ ହୋଇପାରିବାର ସାମର୍ଥ୍ୟ ରଖେ। କିନ୍ତୁ ସେଭଳି କୌଣସି ସ୍ଥିର ପାଣିପାଗର ଇଙ୍ଗିତ ଏ ଯାବତ୍‌ ମିଳିନାହିଁ; ବର˚ ତା’ ପରିବର୍ତ୍ତେ ଯେଉଁ ପରିସ୍ଥିତି ଦେଖାଯିବାରେ ଲାଗିଛି ତାହା ଉପକ୍ରମଣିକାରେ ବର୍ଣ୍ଣିତ ଏକ ଘୂର୍ଣ୍ଣିବଳୟର ସ˚କେତ ପ୍ରଦାନ କରିଥାଏ, ଯାହାର ନିଦର୍ଶନ ମିଳିଥିଲା ବିହାର ନିର୍ବାଚନରେ।

କହିବା ଅନାବଶ୍ୟକ ଯେ ବିଜେପି ବା ହିନ୍ଦୁତ୍ବ ପ୍ରାଧାନ୍ୟ ରାଜନୀତିକୁ ସମର୍ଥନ କରୁ ନ ଥିବା ଏକ ବିପୁଳ ସ˚ଖ୍ୟକ ଭୋଟର ସ˚ପ୍ରତି କ˚ଗ୍ରେସର ବିକଳ୍ପ ଅନ୍ବେଷଣ କରିବାରେ ଲାଗିଲେଣି, ଯେଉଁଥି ଲାଗି ବିଜେପି ବିରୋଧୀ ଆଞ୍ଚଳିକ ଦଳଗୁଡ଼ିକର ଅଭ୍ୟୁଦୟ ଘଟିବାରେ ଲାଗିଛି। ଉଦାହରଣ ସ୍ବରୂପ ହରିୟାଣାର ‘ଜନନାୟକ ଜନତା ପାର୍ଟି’ ବା ଆସାମର ‘ଆସାମ ଜାତୀୟ ପରିଷଦ’ ଏବ˚ ‘ରାଇଜର ଦଳ’। ସେହିଭଳି ଅାନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଳା ମଧୢ ଏକ ନୂଆ ଆଞ୍ଚଳିକ ଦଳର ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଯେ ଏକ ଅବକ୍ଷୟମାନ କ˚ଗ୍ରେସ ଦ୍ବାରା ସୃଷ୍ଟ ଶୂନ୍ୟ ସ୍ଥାନକୁ ପୂରଣ କରିବା ଲାଗି ଏହି ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ଦିଗରୁ ପ୍ରବେଶ କରି ଏହି ଘୂର୍ଣ୍ଣିବଳୟ ସୃଷ୍ଟି କଲେଣି।

ଗଲା ବିହାର ନିର୍ବାଚନରେ ଦେଖିବାକୁ ମିଳିଥିଲା ଯେ ଏକଦା କ˚ଗ୍ରେସର ଦୃଢ଼ ସମର୍ଥକ ରୂପେ ରହି ଆସିଥିବା ମୁସଲମାନ ସ˚ପ୍ରଦାୟର ସମର୍ଥନ ଆସାଦୁଦ୍ଦିନ ଓଵାଇସିଙ୍କ ‘ଏଆଇଏମ୍‌ଆଇଏମ୍‌’ ଦ୍ବାରା ଅପହୃତ ହୋଇଗଲା। ସେଥି ଲାଗି କ˚ଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ଶୁଣିବାକୁ ମିଳିଥିଲା ଯେ ‘ଏଆଇଏମ୍‌ଆଇଏମ୍‌’ ବାସ୍ତବରେ ହେଉଛି କ˚ଗ୍ରେସ ‘ଭୋଟ କଟର‌୍‌’। କିନ୍ତୁ କହିବା ବାହୁଲ୍ୟ ଯେ ଏହା କ˚ଗ୍ରେସ ଲାଗି ଏକ ଅପ୍ରୀତିକର ସତ୍ୟ ଯେ ଆଗାମୀ ଦିନରେ ଆସାଦୁଦ୍ଦିନ ଓଵାଇସିଙ୍କ ନେତୃତ୍ବାଧୀନ ଏହି ରାଜନୈତିକ ଦଳ କ˚ଗ୍ରେସର ଜନାଧାରକୁ ଆହୁରି କ୍ଷୁଣ୍ଣ କରିବ। ତେବେ, କେବଳ ‘ଏଆଇଏମ୍‌ଆଇଏମ୍‌’ ନୁହେଁ, ଅରବିନ୍ଦ କେଜ୍ରିଵାଲଙ୍କ ‘ଆମ୍‌ ଆଦମୀ ପାର୍ଟି’ ପକ୍ଷରୁ ମଧୢ କ˚ଗ୍ରେସର ଭୋଟ ଦୁର୍ଗ ମଧୢକୁ ଅନୁପ୍ରବେଶ କରିବାର ଉଦ୍ୟମ ଆରମ୍ଭ ହୋଇଛି। ଏକ ରଣନୀତି ଭାବେ ତୃଣମୂଳସ୍ତରୀୟ ନିର୍ବାଚନରେ ଏହା ପରିଦୃଷ୍ଟ ହୋଇଛି ଯେଉଁଠି ଆପଣା ପ୍ରଭାବ କ୍ଷେତ୍ର ଦିଲ୍ଲୀ ଠାରୁ ବହୁ ଦୂର ଗୁଜରାଟର ପୌର ନିର୍ବାଚନରେ ‘ଆପ୍‌’ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନିର୍ବାଚନରେ ଜିତାପଟ ମଧୢ ହାସଲ କରାଯାଇପାରିଛି। କହିବା ନିଷ୍ପ୍ରୟୋଜନ ଯେ ଭବିଷ୍ୟତ୍‌ରେ ଦୁର୍ବଳ ପଡ଼ି ଆସୁଥିବା କ˚ଗ୍ରେସର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଏଭଳି ଅନେକ ଦଳର ସମାଗମ ଘଟିବ, ଯାହା ଦ୍ବାରା ଏକ ରାଜନୈତିକ ଘୂର୍ଣ୍ଣୀ ଝଡ଼ର ସୂତ୍ରପାତ ମଧ୍ୟ ହୋଇପାରେ।

ଏଭଳି ଏକ ସମ୍ଭାବ୍ୟ ସ୍ଥିତି ପଛରେ ଯେଉଁ କାରଣଟି ରହିଛି, ତାହା ହେଲା କ˚ଗ୍ରେସ ତାର ପରିବାର କୈନ୍ଦ୍ରିକ ଗଢ଼ଣକୁ ସ˚ରକ୍ଷଣ ଦେବାରେ ଏବ˚ ସେଥି ଲାଗିି ଦଳ ମଧୢରୁ ଉଠୁଥିବା ବିରୋଧକୁ ଦଳିବାରେ ଏଭଳି ନିମଗ୍ନ ଯେ ଦେଶକୁ ଆକ୍ରାନ୍ତ କରୁଥିବା ବିଭିନ୍ନ ଗୁରୁତର ସମସ୍ୟାକୁ ରାଷ୍ଟ୍ରୀୟ ପ୍ରସଙ୍ଗରେ ପରିଣତ କରିବାର ସୁଯୋଗକୁ ହାତଛଡ଼ା କରିବାରେ ଲାଗିଛି। ସୁତରା˚, ୧୨୫ ବର୍ଷ ବୟସ୍କ ଏକ ବିଶାଳ ରାଜନୈତିକ ଦଳ ଯାହା ସ୍ବାଧୀନତୋତ୍ତର ଭାରତରେ ଛଅ ଦଶନ୍ଧିରୁ ଅଧିକ କାଳ ଧରି ଶାସନ କ୍ଷମତାରେ ଥିଲା, ବର୍ତ୍ତମାନ ନେତୃତ୍ବ ପ୍ରଦାନ କରିବାରେ ଏଭଳି ପ୍ରଭାବଶୂନ୍ୟ ହୋଇପଡ଼ିଛି ଯେ ନାଗରିକତା ଆଇନ ବା ‘ସି.ଏ.ଏ.’ ବିରୋଧୀ ଆନ୍ଦୋଳନ ହେଉ ବା ବର୍ତ୍ତମାନ ଚାଲିଥିବା କୃଷକ ଆଇନ ବିରୋଧୀ ଆନ୍ଦୋଳନ ହେଉ; ତାହା ଅଣ-ରାଜନୈତିକ ବ୍ୟକ୍ତିମାନଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ପ୍ରତୀୟମାନ ହେଉଛି ଯେ ସତେ ଯେମିତି ଭାରତୀୟ ରାଜନୈତିକ କ୍ଷେତ୍ରରେ ହସ୍ତୀ ତୁଲ୍ୟ ଏହି ବିଶାଳ ଦଳ କ୍ରମେ ଆକ୍ରାତ୍ମକ ତଥା ସକାରାତ୍ମକ ରାଜନୀତି ପ୍ରତି ନିଃସ୍ପୃହ ହେବାରେ ଲାଗିଛି।
ଏସିଆ ଓ ଆଫ୍ରିକା ମହାଦେଶର ଲୋକ ବିଶ୍ବାସରେ ହାତୀମାନଙ୍କ ମଶାଣି ଭୂଇଁର ଧାରଣାଟିଏ ବିଦ୍ୟମାନ। ଏହି ଧାରଣା ଅନୁସାରେ ହାତୀମାନେ ବୃଦ୍ଧ ହୋଇଯିବା ପରେ ସେମାନଙ୍କ ଅନ୍ତିମ କ୍ଷଣ ସମ୍ବନ୍ଧରେ ପୂର୍ବରୁ ଠଉରାଇ ପାରି ଦଳ ଠାରୁ ଭିନ୍ନ ହୋଇ ଏକ ନିଃସଙ୍ଗ ଯାତ୍ରାରେ ବାହାରି ଯାଆନ୍ତି, ଯାହା କୌଣସି ଏକ କଳ୍ପିତ ହାତୀଙ୍କ ମଶାଣିରେ ସମାପ୍ତ ହୁଏ। ଏବେ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ପ୍ରଶ୍ନ କଲେଣି ଯେ ଏହି ସର୍ବପୁରାତନ ଦଳଟି କ’ଣ ଏକ ବୃଦ୍ଧ ହସ୍ତୀ ତୁଲ୍ୟ ତାର ଯାତ୍ରାଟି ଆରମ୍ଭ କରିବାକୁ ବସିଛି କି? ଏକ ବିଶାଳ ସ˚ଖ୍ୟକ କ˚ଗ୍ରେସ ସମର୍ଥକ ତଥାପି ଦେଶରେ ମହଜୁଦ ଥିବା ସତ୍ତ୍ବେ ଯଦି ଦଳ ତାର ଉପଯୋଗ କରି ନ ପାରି ଏଭଳି ଏକ ଯାତ୍ରା ଆରମ୍ଭ କରେ, ତାହା ଠାରୁ ଅଧିକ ଦୁର୍ଭାଗ୍ୟଜନକ ଆଉ କ’ଣ ଥାଇପାରେ?

ସମ୍ବନ୍ଧିତ ଖବର