ଗିନି ପିଗ୍‌

ଗତ ବର୍ଷ ଏପ୍ରିଲ ବେଳକୁ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଏକ ଆଶଙ୍କା ପ୍ରକଟ କରିଥିଲେ ଯେ ସେହି ବର୍ଷ ଶେଷ ସୁଦ୍ଧା କୋଭିଡ୍‌-୧୯ର ପ୍ରତିଷେଧକ ବା ଭ୍ୟାକ୍‌ସିନ ଉଦ୍ଭାବିତ ହେବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ। କାରଣ ସଘନ ଗବେଷଣା ଓ ଉଦ୍ୟମ ସହିତ ବିଭିନ୍ନ ସ୍ତରରେ କଠିନ ପରୀକ୍ଷଣ ଶୃଙ୍ଖଳା ଅନୁସରଣ କରି ଏକ ଫଳପ୍ରଦ ପ୍ରତିଷେଧକକୁ ପୃଥିବୀକୁ ଉପହାର ଦେବାକୁ ହେଲେ ସର୍ବନିମ୍ନ ପାଞ୍ଚ ବର୍ଷରୁ ଅଧିକ ସମୟ ଲାଗିଯାଇଥାଏ। ସୁତରା˚, ଟିକାଟିର ଆବିର୍ଭାବ ଘଟିବା ବେଳକୁ ତା’ ଦ୍ବାରା ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟାଗୁଡ଼ିକ ଉପରେ ମଧ୍ୟ ଏକ ସ୍ପଷ୍ଟ ଧାରଣା ଉପଲବ୍‌ଧ ହୋଇଯାଇଥାଏ। କେବଳ ସେତିକି ନୁହେଁ ଟିକା ପ୍ରୟୋଗ କାଳୀନ ମାତ୍ରା ବା ଅନୁପାନ (‘ଡୋଜ୍‌’) ନେଇ ମଧୢ ଏକ ନିର୍ଦ୍ଦିଷ୍ଟ ନିଷ୍କର୍ଷ ମିଳି ସାରିଥାଏ। ଫଳରେ ତାର ନିରାପତ୍ତା ବା ଫଳପ୍ରଦତା ସମ୍ବନ୍ଧରେ ବିଶେଷ ସ˚ଶୟର ଅବକାଶ ରହି ନ ଥାଏ। କିନ୍ତୁ କରୋନା ପାନ୍‌ଡେମିକ୍‌ର ଘନଘଟା ମଧୢରେ ସୌମ୍ୟା ସ୍ବାମୀନାଥନଙ୍କ ଅନୁମାନକୁ ଭ୍ରମାତ୍ମକ ବୋଲି ସାବ୍ୟସ୍ତ କରି ପ୍ରତିଷେଧକ ପ୍ରସ୍ତୁତିର ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ଦୌଡ଼ ହେତୁ ଗଲା ବର୍ଷ ସମାପ୍ତ ହେବା ବେଳକୁ କେବଳ ଯେ ଅଧ ଡଜନେ ସରିକି ପ୍ରତିଷେଧକ ଟିକା ଉପଲବ୍‌ଧ ହୋଇ ସାରିଥିଲା, ତାହା ନୁହେଁ; ପୃଥିବୀର ଅନେକ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନର ପ୍ରାରମ୍ଭ ମଧୢ ହୋଇଯାଇଥିଲା। କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା ଟିକାକରଣ କାର୍ଯ୍ୟଟି ବେଶ୍‌ ଜୋରଦାର ଗତିରେ ଚାଲିଥିବା ସତ୍ତ୍ବେ ଟିକାର ଫଳପ୍ରଦତା ବା ତାର ନିରାପତ୍ତା ଅଥବା ତଦ୍ଦ୍ବାରା ହେବାକୁ ଥିବା ପାର୍ଶ୍ବ-ପ୍ରତିକ୍ରିୟା ଆଦି ସ˚ପର୍କରେ କୌଣସି ନିର୍ଦ୍ଦିଷ୍ଟ ଧାରଣା ସୃଷ୍ଟି ହୋଇପାରିନାହିଁ; ଏବ˚ ଏହା ଫଳରେ ସମଗ୍ର ପୃଥିବୀ ଏକ ପରୀକ୍ଷାଗାରରେ ଏବ˚ ମାନବ ଜାତି ‘ଗିନି ପିଗ୍‌’ରେ ପରିଣତ ହୋଇଛନ୍ତି।

ସ˚ପ୍ରତି ପୃଥିବୀରେ ଉପଲବ୍‌ଧ ଥିବା ଟିକାଗୁଡ଼ିକ ମଧୢରୁ ଯେଉଁ ଦୁଇଟିର ପ୍ରଭାବ ଉପରେ ଲଗାତାର ସୂକ୍ଷ୍ମ ଧୢାନ ରଖାଯାଇଛି, ସେଗୁଡ଼ିକ ହେଲେ ‘ଫାଇଜର’ କ˚ପାନି ଦ୍ବାରା ପ୍ରସ୍ତୁତ ‘ଏମ୍‌ ଆର.ଏନ.ଏ.’ ଜୈବ ପ୍ରଯୁକ୍ତି ଭିତ୍ତିକ ‘ବିଏନ୍‌ଟିଆଇ୫୧ବି୨’ନାମକ ଭ୍ୟାକ୍‌ସିନ, ଯାହା ମୁଖ୍ୟତଃ ବିକଶିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ବହୁଳ ଭାବେ ବ୍ୟବହୃତ ହେଉଛି ଏବ˚ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକା ବା ‘କୋଭିସିଲ୍‌ଡ’ ଯାହା ଭାରତ ସମେତ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ବ୍ୟବହୃତ ହେଉଛି। ତେବେ ଏହି ଟିକାକରଣ ବେଳେ ଅନେକ ଦ୍ବନ୍ଦ୍ବାତ୍ମକ ପ୍ରସଙ୍ଗ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି; ଯେମିତିକି ଏହି ଭ୍ୟାକ୍‌ସିନର ଦ୍ବିତୀୟ ଡୋଜ୍‌ ନେବାର ଆବଶ୍ୟକତା ଅଛି ନା ନାହିଁ ବା ଯଦି ଅଛି ଡୋଜ୍‌ ଦୁଇଟି ମଧୢରେ ସମୟ ବ୍ୟବଧାନ କେତେ ରହିବା ଉଚିତ ଇତ୍ୟଶଦି। କହିବା ବାହୁଲ୍ୟ ଯେ ସୌମ୍ୟା ସ୍ବାମୀନାଥନ କହିଥିବା ଭଳି ଏକ ଦୀର୍ଘକାଳୀନ ପରୀକ୍ଷଣ ପ୍ରସୂତ ନିଷ୍କର୍ଷର ଅଭାବରେ ଏଭଳି ପ୍ରଶ୍ନର ଉତ୍ତର ମଧୢ କେବଳ ଅନୁମାନ ଆଶ୍ରୟୀ ହୋଇପଡ଼ିଛି। ଉଦାହରଣ ସ୍ବରୂପ ବୈଜ୍ଞାନିକମାନେ ‘ଫାଇଜର’ ଟିକା କ୍ଷେତ୍ରରେ ଏହି ବ୍ୟବଧାନକୁ ୨୮ ଦିନ ବା ଚାରି ସପ୍ତାହ ରଖିଥିବାରୁ ଅକ୍ସଫୋର୍ଡ ଆଷ୍ଟ୍ରା‌ଜେନିକାର ‘କୋଭିସିଲ୍‌ଡ’ କ୍ଷେତ୍ରରେ ମଧୢ ଦୁଇଟି ଡୋଜ୍‌ ମଧୢରେ ସମୟ ବ୍ୟବଧାନକୁ ଚାରି ସପ୍ତାହ ବୋଲି ଧାର୍ଯ୍ୟ କରାଯାଇଛି। ଆମ ଦେଶରେ ମଧୢ ଏହି ନିୟମକୁ ପାଳନ କରାଯାଉଛି। କିନ୍ତୁ ମନେ ରହିବା ଉଚିତ ଯେ ଉଭୟ ଟିକା ଭିନ୍ନ ଭିନ୍ନ ଜୈବ ପ୍ରଯୁକ୍ତିଗତ ତତ୍ତ୍ବକୁ ଆଧାର କରି ବିକଶିତ ହୋଇଛନ୍ତି; ତେଣୁ ‘ଫାଇଜର’ ଟିକା ଲାଗି ଯାହା ଠିକ, ତାହା ‘କୋଭିସିଲ୍‌ଡ’ ପାଇଁ ଯଥାର୍ଥ ହୋଇ ନ ପାରେ। ସୁତରାଂ, ଅକ୍ସଫୋର୍ଡ ଟିକା ଉପରେ ଲଣ୍ତନରେ କରାଯାଇଥିବା ଏକ ବିଶେଷ ଅନୁଶୀଳନର ନିଷ୍କର୍ଷ କହିଛି ଯେ ଏହି ସମୟ ବ୍ୟବଧାନ ୧୨ ସପ୍ତାହ ହେଲେ ଟିକାର ଫଳପ୍ରଦତା ବୃଦ୍ଧି ପାଇବ। ଏଭଳି ସ୍ଥିତିରେ ‘ପବ୍ଲିକ୍‌ ହେଲ୍‌ଥ ଇ˚ଲଣ୍ତ’ ବା ‘ପି.ଏଚ.ଇ.’ ପକ୍ଷରୁ ଆସିଥିବା ପ୍ରଥମ ‘ରିଏଲ୍‌ ଵାର୍ଲଡ୍‌ ଷ୍ଟଡି’ ବା ବାସ୍ତବ ଅନୁଶୀଳନର ରିପୋର୍ଟ ମଧ୍ୟ ପ୍ରଣିଧାନଯୋଗ୍ୟ, ଯାହା କହିଲାଣି ଯେ ‘ଫାଇଜର’ ଏବ˚ ‘ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା’ ଟିକା ଦ୍ବୟର ଗୋଟିଏ ମାତ୍ର ଡୋଜ୍‌ ମଧୢ କୋଭିଡ୍‌ ସ˚କ୍ରମଣରୁ ସୁରକ୍ଷା ପ୍ରଦାନରେ ବେଶ୍‌ ଫଳପ୍ରଦ ହେବ ଏବ˚ ଏହି ଦୁଇଟି ଯାକ ଟିକା ‘ଲଣ୍ତନ ଭାଇରସ୍‌ ଷ୍ଟ୍ରେନ୍‌’ର ମଧୢ ବେଶ୍‌ ସଫଳ ମୁକାବିଲା କରିପାରିବେ।

ତେବେ ଏଭଳି ସ୍ଥଳେ ଯାହା ଦେଖିବାକୁ ମିଳୁଛି ତାହା ହେଲା ଏମିତି ତଥ୍ୟକୁ ନେଇ ବୃଦ୍ଧି ପାଉଥିବା ସନ୍ଦେହ ଓ ଅନିଶ୍ଚିତତା। ଉଦାହରଣ ସ୍ବରୂପ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଅନୁଶୀଳନ କହିଲା ଯେ ଅକ୍ସଫୋର୍ଡ ଟିକାର ଦୁଇଟି ଡୋଜ୍‌ ମଧୢରେ ଦୀର୍ଘ ୧୨ ସପ୍ତାହର ସମୟ ବ୍ୟବଧାନ ରହିବା ଉଚିତ, ସେତିକି ବେଳେ ଗୋଟିଏ ଗୋଷ୍ଠୀ ପକ୍ଷରୁ ମତ ଶୁଣିବାକୁ ମିଳିଲା ଯେ ସମ୍ଭବତଃ ଟିକାକରଣର ବେଗକୁ ବୃଦ୍ଧି କରିବା ଲାଗି ସରକାରମାନଙ୍କ ଦ୍ବାରା ଯୋଜନାବଦ୍ଧ ଭାବେ ଦୁଇଟି ଡୋଜ୍‌ ମଧୢରେ ଏଭଳି ଏକ ଦୀର୍ଘ ସମୟ ବ୍ୟବଧାନ ‘ଥିଓରି’ର ଆବିଷ୍କାର କରାଯାଇଛି। କହିବା ବାହୁଲ୍ୟ ଯେ ଏହି କାରଣରୁ ଗଲା ଜାନୁଆରି ୧୪ ତାରିଖରେ ଯେତେବେଳେ ପୃଥିବୀର ବୃହତ୍ତମ ଟିକାକରଣ ଅଭିଯାନର ଶୁଭାରମ୍ଭ ଭାରତରେ କରାଗଲା, ସେତିକି ବେଳେ ପ୍ରଚୁର ‘ଭ୍ୟାକ୍‌ସିନ କୁଣ୍ଠା’ ପ୍ରକାଶ ପାଇଥିଲା। ସେହି କାରଣରୁ ଏ ଯାବତ୍‌ ପ୍ରାୟ ୩ କୋଟି ଆଗ ଧାଡ଼ିର କୋଭିଡ୍‌ ଯୋଦ୍ଧାଙ୍କ ମଧୢରୁ ମାତ୍ର ଏକ ତୃତୀୟା˚ଶ ଟିକା ନେଇଛନ୍ତି ଏବ˚ ନାମ ପ˚ଜିକୃତ ହୋଇଥିବା ସତ୍ତ୍ବେ ଅନେକ ବ୍ୟକ୍ତି ସମ୍ଭାବ୍ୟ ଅପକାରୀ ପାର୍ଶ୍ବ ପ୍ରତିକ୍ରିୟାର ଭୟରେ ଟିକା ନେବାକୁ ପଶ୍ଚାତ୍‌ପଦ ହୋଇଛନ୍ତି।

ତେବେ ଆମ ଦେଶରେ ପୁନଶ୍ଚ କୋଭିଡ୍‌ ସ˚କ୍ରମଣର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଏବ˚ ମାର୍ଚ୍ଚ ୧ ଠାରୁ ବରିଷ୍ଠ ନାଗରିକଙ୍କ ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ବେଳେ ପ୍ରଧାନମନ୍ତ୍ରୀ ସ୍ବୟ˚ ଟିକା ନେଇ ଉଦାହରଣ ସ୍ଥାପନ କରିଥିବାରୁ ବର୍ତ୍ତମାନ ‘ଭ୍ୟାକ୍‌ସିନ କୁଣ୍ଠା’ ବଦଳରେ ଅତିରିକ୍ତ ‘ଭ୍ୟାକ୍‌ସିନ ଆଗ୍ରହ’ ପ୍ରକାଶ ପାଇଲାଣି। କିନ୍ତୁ ବୟସ୍କ (୬୦ ବର୍ଷରୁ ଅଧିକ) ଏବ˚ ‘କୋ ମର୍ବିଡିଟି’ଧାରୀ ବ୍ୟକ୍ତିବିଶେଷଙ୍କ ଟିକାକରଣ ପରେ ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରୟା ନେଇ ମଧୢ ସମଗ୍ର ଦେଶରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇବାରେ ଲାଗିଛି।

ବୈଜ୍ଞାନିକମାନଙ୍କ ମତରେ କୋଭିଡ୍‌ ଭ୍ୟାକ୍‌ସିନ ପୃଥିବୀର ସର୍ବ ଶେଷ ମନୁଷ୍ୟ ଦଳଙ୍କ ନିକଟରେ ପହଞ୍ଚିବା ଲାଗି ଅନେକ ବର୍ଷ ଲାଗି ଯାଇପାରେ। ଏହା ସମ୍ଭବ ଯେ ସେହି ସମୟ କାଳ ଭିତରେ ଭ୍ୟାକ୍‌ସିନ ବାବଦରେ ପ୍ରଚୁର ଅନୁଭବ ଓ ଅନୁଶୀଳନ ଆଧାରୀ ଜ୍ଞାନ ଉପଲବ୍‌ଧ ହୋଇ ଏହାର ପ୍ରୟୋଗ ବାବଦରେ ଏକ ନିର୍ଦ୍ଦିଷ୍ଟ ସୈଦ୍ଧାନ୍ତିକ ଉପସ˚ହାର ମିଳି ଯାଇଥିବ। ତେଣୁ, ଆଶା କରିବା ଯେ ସେହି ସମୟରେ ଯାଇ ହୁଏ’ତ ଆମ ପୃଥିବୀ ଏକ ପରୀକ୍ଷାଗାର ଏବ˚ ମାନବ ଜାତି ଗିନି ପିଗ୍‌ ହେବାର ଦଶାରୁ ମୁକ୍ତି ପାଇବେ।

ସମ୍ବନ୍ଧିତ ଖବର