ଯେଉଁ ନାରୀଟିକୁ ହତ୍ୟା କରାଯାଏ ସେ ଥରକରେ ମରିଯାଏ; ମାତ୍ର ଯାହାକୁ ଧର୍ଷଣ କରାଯାଏ ସେ ନାରୀଟି ଜୀବନ ସାରା ବାରମ୍ବାର ମରୁଥାଏ। ସେହି ଘଟଣା ପରଠାରୁ ତା’ର ଅବଶିଷ୍ଟ ଜୀବନ ପାଲଟିଯାଏ ଗୋଟେ ଜିଅନ୍ତା ଶବର ଜୀବନ। ଏକଥା କହିଥିଲେ ଦିବ˚ଗତା ସୁଷମା ସ୍ବରାଜ, ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବ˚ ଭାରତୀୟ ଜନତା ପାର୍ଟିର ଜଣେ ଆଗଧାଡ଼ିର ନେତ୍ରୀ। ସୁଷମା ସ୍ବରାଜ ଆଜି ନାହାନ୍ତି, ମାତ୍ର ସେ କହିଥିବା କଥା ଭାରତର ପାର୍ଲାମେଣ୍ଟର ବିବରଣୀରେ ଲିପିବଦ୍ଧ ହୋଇ ରହିଛି। ତେବେ ଦୁର୍ଭାଗ୍ୟର କଥା, ୨୦୧୨ର ନିର୍ଭୟା ବଳାତ୍କାର ଘଟଣା ପରିପ୍ରେକ୍ଷୀରେ ସେ ପ୍ରକାଶ କରିଥିବା ଉଦ୍ବେଗର ପରିମାଣ ଇତିମଧୢରେ ହ୍ରାସ ପାଇନାହିଁ, ବର˚ ପ୍ରତିଦିନ ବଢ଼ି ବଢ଼ି ଚାଲିଛି। ‘ଉମିଦୋଁ କା ପ୍ରଦେଶ’ ଭାବେ ଚିତ୍ରିତ କରାଯାଉଥିବା ‘ଉତ୍ତରପ୍ରଦେଶ’ର ବିଭିନ୍ନ ସ୍ଥାନରେ ଯେଉଁ ଧରଣର କ୍ରୂର, ନିର୍ମମ, ଲୋମହର୍ଷକ ଏବ˚ ଭୟଙ୍କର ନାରୀ-ଅତ୍ୟାଚାର ଘଟଣା ପଦାକୁ ଆସୁଛି ତାହା ଆମର ସାମୂହିକ ଚେତନାକୁ ଭାଙ୍ଗିରୁଜି ଦେବାଲାଗି ଯଥେଷ୍ଟ।
ନିକଟରେ ରାଜସ୍ଥାନରେ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଯେଉଁଠି ବଳାତ୍କାର ଅଭିଯୋଗରେ ଶାସ୍ତି ଭୋଗୁଥିବା ଅପରାଧୀ ଜାମିନ୍ରେ ଆସି ପୀଡ଼ିତାକୁ ନିଆଁ ଲଗେଇ ପୋଡ଼ି ଦେଇଛି। ଏହି ପୃଷ୍ଠଭୂମିରେ ଆଜି ଭାରତ ସମେତ ପୃଥିବୀର ବିିଭିନ୍ନ ଦେଶରେ ପାଳିତ ହେଉଛି ଆଉ ଏକ ଆନ୍ତର୍ଜାତିକ ମହିଳା ଦିବସ ଏବଂ ଚଳିତ ବର୍ଷର ଆହ୍ବାନ ହେଉଛି- ଆସ, ମୁକାବିଲା କର। ମାତ୍ର ନାରୀ ମୁକାବିଲା କରିବ କିପରି? ବଙ୍ଗଳା ଦେଶର ଲେଖିକା ତସ୍ଲିମା ନସରିନ୍ ଲେଖିଥିଲେ ନାରୀ ପାଇଁ ଦେଶ ନାହିଁ, ତେଣୁ ତା’ର ଅଧିକାର ଲାଗି ତାକୁ ଲଢ଼ିବାକୁ ପଡ଼ିବ। କିନ୍ତୁ ନାରୀଟିଏ ଲଢ଼ିବ କେମିତି? ଭାରତ କଥା କେବଳ ଦେଖାଯାଉ। ଏ ଦେଶରେ ଜନ୍ମରୁ ନେଇ ବୁଢ଼ୀ ହେବା ପର୍ଯ୍ୟନ୍ତ ସବୁବେଳେ ସମାଜ ଓ ପରିବାର ନାରୀକୁ ଚୁପ୍ ରହିବାକୁ, ନିରବ ରହିବାକୁ ନିର୍ଦ୍ଦେଶ ଦେଇ ଆସିଛି। ୨୦୧୮ରେ ପ୍ରକାଶିତ ଦୀପା ନାରାୟଣଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ଚୁପ୍’ରେ ଲେଖିକା ଏକଥାଟି ବଡ଼ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି। ଭାରତ ସମେତ ଅନ୍ୟ ପାଞ୍ଚଟି ଦେଶର ପ୍ରାୟ ଷାଠିଏ ହଜାର ନାରୀଙ୍କ ମତାମତ ସ˚ଗ୍ରହ ଭିତ୍ତିରେ ଲେଖାଯାଇଥିବା ଏ ବହିଟି ଚହଳ ସୃଷ୍ଟି କରିଛି।
ଦୀପାଙ୍କ ଭାଷାରେ ସାତଟି ଢଙ୍ଗରେ ନାରୀକୁ ନିରବ ରହିବାଲାଗି ନିର୍ଦ୍ଦେଶ ଦିଆଯାଏ। ସେଗୁଡ଼ିକ ହେଲା- ତୋର ଗୋଟେ ଶରୀର ଅଛି ବୋଲି ଭୁଲିଯାଆ, ସବୁ କଥା ଚୁପ୍ଚାପ୍ ଶୁଣ, ତୁମର ଜନ୍ମ ଅନ୍ୟମାନଙ୍କୁ ଖୁସି କରିବା ଲାଗି ଉଦ୍ଦିଷ୍ଟ, ତୁମର ଯୌନ ଆକା˚କ୍ଷା ବୋଲି କିଛି ନାହିଁ, ନିଜକୁ ସବୁବେଳେ ଅନ୍ତରାଳରେ ରଖ, ନିଜର ବ୍ୟକ୍ତିଗତ ପରିଚୟ ଅଥବା ପ୍ରତିଷ୍ଠା ପାଇଁ ଆଦୌ ଚେଷ୍ଟା କରନାହିଁ। ସବୁବେଳେ ପର ଉପରେ ନିର୍ଭରଶୀଳ ହୋଇ ରୁହ, ତୁମକୁ ଏକଲା ରହିବାକୁ ମନା, ଚାଲିବାକୁ ମନା, ଏକଲା ବଜାରଘାଟ ଯିବା ସୁଦ୍ଧା ମନା। ଲେଖିକା ଭେଟିଥିବା ମହିଳାମାନଙ୍କ ମଧୢରୁ ଶହେରେ ପଚାଶ ଜଣ ଅର୍ଥାତ୍ ଅର୍ଦ୍ଧେକ ଅଭିଯୋଗ କରିଛନ୍ତି ଯେ ସେମାନେ ତାଙ୍କ ଜୀବନରେ ବଳାତ୍କାରର ଶିକାର ହୋଇଛନ୍ତି, ଯାହା ଭିତରୁ ୨୦ ଜଣ କହିଛନ୍ତି ଯେ ସେମାନଙ୍କର ସେହି ନିର୍ଯାତନା ଅତି ନିର୍ମମ ପର୍ଯ୍ୟାୟର। ନାରୀ ପ୍ରତି ନିର୍ଯାତନା କ୍ଷେତ୍ରରେ ଭାରତ ଆଗରେ ଥିଲେ ମଧୢ ଏହି ସମସ୍ୟା କେବଳ ଭାରତ ଭିତରେ ସୀମାବଦ୍ଧ ନୁହେଁ। ଆମେରିକା, ୟୁକେ, ସ୍ବିଡେନ ପରି ଧନୀ ଏବ˚ ବିକଶିତ ଦେଶରେ ମଧୢ ଏହି ସମସ୍ୟା ରହିଛି। ବିଶ୍ବର ୩୫ ଭାଗ ମହିଳା କେବେ ନା କେବେ ସେମାନଙ୍କର ପରିଚିତ ପୁରୁଷ ସ˚ପର୍କୀୟଙ୍କ ଦ୍ବାରା ଯୌନ ନିର୍ଯାତିତା ହୋଇଛନ୍ତି। ପ୍ରତିଦିନ ନିଜ ପରିଚିତ ଲୋକଙ୍କ ହାତରେ ୧୩୭ ଜଣ ମହିଳା ମୃତ୍ୟୁ ଭୋଗୁଛନ୍ତି।
୨୦୧୭ରେ ଏହି ସ˚ଖ୍ୟା ଥିଲା ୮୭ ହଜାର ଏବ˚ ଏହା ଭିତରୁ ଅଧା ସେମାନଙ୍କ ପରିବାର ଲୋକଙ୍କ ହାତରେ ମରିଥିଲେ। ଯେ କୌଣସି ସମୟରେ ପ୍ରାପ୍ତବୟସ୍କ ମହିଳା ସ˚ଖ୍ୟାର ପ୍ରାୟ ୪୯ ଭାଗ ମହିଳାଙ୍କୁ ନିଷିଦ୍ଧ ବୃତ୍ତିରେ ନିୟୋଜିତ କରିବା ଲାଗି ଚାଲାଣ କରାଯାଉଅଛି। ଏକ ସର୍ଭେର ଫଳାଫଳ ଅନୁସାରେ ପନ୍ଦରରୁ ୧୯ ବର୍ଷ ଭିତରେ ଲକ୍ଷ ଲକ୍ଷ କିଶୋରୀ ବଳପୂର୍ବକ ଯୌନ ଶୋଷଣର ଶିକାର ପାଲଟୁଛନ୍ତି ଯାହା ସେମାନଙ୍କର ମାନସିକତାକୁ ବିପର୍ଯ୍ୟସ୍ତ କରି ଦେଉଛି। ଏ ପ୍ରକାର କ୍ରୂର ଘଟଣାର ପ୍ରଭାବ ସେମାନଙ୍କର ମନସ୍ତତ୍ତ୍ବକୁ ଏଭଳି ପ୍ରଭାବିତ କରୁଛି ଯେ ବାକୀ ଜୀବନତକ ସେମାନେ ନିଜ ମନ ଭିତରେ ପୁରୁଷ ପ୍ରତି ଘୃଣା ଏବ˚ ଆକ୍ରୋଶ ବୋହି ଜୀବନ ବ˚ଚୁଛନ୍ତି। କିଶୋରୀ ବା ନାରୀ ପ୍ରତି ଏହି ପ୍ରକାର ବିପଦର ସ୍ଥାନ ସବୁବେଳେ ନିର୍ଭୟା ଘଟଣା ପରି ନିର୍ଜନ, ଦୂରବର୍ତ୍ତୀ ସ୍ଥାନ ବା ଚଳନ୍ତା ବସ୍ ନୁହେଁ, ନିଜ ପରିବାର, ନିଜ ଘରର ଚାରିକାନ୍ଥ ଭିତରେ ମଧୢ ଏ ଧରଣର ଲକ୍ଷ ଲକ୍ଷ ଘଟଣା ଘଟିଚାଲିଛି। ବିଶାରଦମାନେ ଯୁକ୍ତି କରିଥାଆନ୍ତି ଯେ ସଚେତନତା ସୃଷ୍ଟି, ନାରୀମାନଙ୍କୁ ରାଜନୀତିରେ ପ୍ରବେଶାଧିକାର ସୁଯୋଗ, ଅର୍ଥନୈତିକ ସ୍ବାବଲମ୍ବନଶୀଳତା ଏବ˚ ଶିକ୍ଷା ଏହି ପ୍ରକାର କଦର୍ଯ୍ୟ ସମସ୍ୟାର ସମାଧାନ କରିପାରିବ। ମାତ୍ର ଦୀପା ନାରାୟଣଙ୍କ ‘ଚୁପ୍’ ଏହାର ଓଲଟା କଥା କହିଥାଏ। ତାଙ୍କ ମତରେ ଉଚ୍ଚଶିକ୍ଷିତ, ସ˚ଭ୍ରାନ୍ତ ଏବ˚ ଆଧୁନିକ ବେଶ ପୋଷାକରେ ସଜ୍ଜିତା ମହିଳାମାନେ ସୁଦ୍ଧା ସୁରକ୍ଷିତ ନୁହନ୍ତି।
ନିର୍ଭୟା ଘଟଣା ପରେ ପରେ ଭାରତରେ ମହିଳାମାନଙ୍କ ସୁରକ୍ଷା ନେଇ ସାମୟିକ ସଚେତନତା ଏବ˚ ତତ୍ପରତା ପ୍ରକାଶ ପାଇଥିଲା। ମାତ୍ର ତା’ପରେ ସେ ତତ୍ପରତା ପାଣି ଫୋଟକା ପରି ମିଳେଇଗଲା। କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଅଶୋଭନୀୟ ଆଚରଣ ଲାଗି ‘ସେଲ୍’ ଗଠନ ନିମନ୍ତେ ଚବିଶବର୍ଷ ତଳୁ ଗାଇଡଲାଇନ୍ ପ୍ରସ୍ତୁତ ହୋଇସାରିଥିଲେ ମଧୢ ଏ ପର୍ଯ୍ୟନ୍ତ ୯୮ ଭାଗ ମହିଳାଙ୍କ ପାଇଁ ଏ ବ୍ୟବସ୍ଥା ଉପଲବ୍ଧ ହୋଇନାହିଁ। ହାଥରସ, ଉନ୍ନାଓ ଓ ହାଇଦ୍ରାବାଦର ପ୍ରାଣୀ ଚିକିତ୍ସକ ମହିଳା ଡାକ୍ତରଙ୍କ ଜଘନ୍ୟ ବଳାତ୍କାର ଓ ହତ୍ୟା ପରି ଘଟଣା ବଢ଼ି ବଢ଼ି ଚାଲିଛି। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି, ବଳାତ୍କାରର ଶିକାର ହୋଇଥିବା ନାରୀଟିକୁ ସମାଜ ଓଲଟି ବେଶି ଖରାପ ଦୃଷ୍ଟିରେ ଦେଖୁଛି, ଅପରାଧୀକୁ କମ୍ ଖରାପ ଦୃଷ୍ଟିରେ ଦେଖୁଛି।
ଆଜି ପୃଥିବୀର ପ୍ରତି ତିନିଜଣଙ୍କ ଭିତରୁ ଜଣେ ନାରୀର ସମ୍ମାନ ଓ ଜୀବନ ବିପଦର ଶିକାର। ଏପରି ପରିସ୍ଥିତିରେ ନାରୀ ମୁକାବିଲା କରିବ କିପରି? ଭାରତର ପୁରାଣରେ ରାକ୍ଷସ ମହିଷାସୁରକୁ ଦେବୀ ଦୁର୍ଗା ହତ୍ୟା କରିଥିଲେ ସତ, ମାତ୍ର ଏଥିପାଇଁ ପ୍ରୟୋଜନ ଅସ୍ତ୍ରଶସ୍ତ୍ର ତାଙ୍କୁ ଦେବତାମାନେ ଯୋଗାଇ ଦେଇଥିଲେ। ମାତ୍ର ଆଜି ନାରୀଟିକୁ ତାହା ଯୋଗାଇଦେବ କିଏ? ପିତାମାତାଙ୍କଠାରୁ ଆରମ୍ଭ କରି ସ୍ବାମୀ ଏବ˚ ଶାଶୂଘର ସବୁଠି ଯଦି ସେ ଗ˚ଜଣା, ନିର୍ଯାତନା ଏବ˚ ଶାରୀରିକ ଅତ୍ୟାଚାରର ଶିକାର ହେବ ତାହା ହେଲେ ସେ ସମାଜର ମୁକାବିଲା କରିବ କିଭଳି? ଆମମାନଙ୍କର ଦୈନନ୍ଦିନ ଅଭିଜ୍ଞତାରୁ ମନେହୁଏ ଯେ କେବଳ ଆଇନଗତ ବ୍ୟବସ୍ଥା ଏ ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ପାରିବ ନାହିଁ। ନାରୀଟିଏ ସ୍ବାମୀ ବିରୋଧରେ ଲଢ଼େଇ କରିବାକୁ ବାହାରିଲେ କିଏ ତାକୁ ସେ ଲଢ଼େଇରେ ସାହାଯ୍ୟ କରିବ? ଯଦି ତାର ଅର୍ଥନୈତିକ ସ୍ବାଧୀନତା ନଥାଏ ସେ ଚଳିବ କିପରି? ତା’ ନିଜଠାରୁ ଅଧିକ ଭଲ ପାଉଥିବା ପିଲାମାନଙ୍କଠାରୁ ଦୂରରେ ରହି ସେ ବ˚ଚିବ କିଭଳି? ସକାଳୁ ସ˚ଜ ପର୍ଯ୍ୟନ୍ତ ଚିହ୍ନା, ଅଚିହ୍ନାଙ୍କ ସମାଲୋଚନା ଏବ˚ ଉଲୁଗୁଣାକୁ ପିଠି ଆଡ଼େଇ ସେ ଚଳପ୍ରଚଳ ହେବ କିପରି?
ଏହି ପୃଷ୍ଠଭୂମିରେ ଓଡ଼ିଶାର ପରିଚିତ ଲେଖିକା ଚିରଶ୍ରୀ ଇନ୍ଦ୍ରସି˚ହଙ୍କର କବିତା ‘ଖୁସିଖୁସିରେ ଆସିଥିଲି’ର କେତୋଟି ମର୍ମସ୍ପର୍ଶୀ ଧାଡ଼ି ମନେପଡ଼ିଯାଉଛି। ଚିରଶ୍ରୀ ଲେଖିଥିଲେ: ‘‘ଖୁସି ଖୁସିରେ ମୁଁ ଆସିଥିଲି/ ଆସିଥିଲି ଜହ୍ନି ଲଟା ବେଢ଼ା ଚାଳର ଛାଇରେ ପୁଚି ଖେଳୁଥିବା ଝିଅଙ୍କୁ ଶିଖେଇଥାନ୍ତି ଚାନ୍ଦ-ବନ୍ଦାଣର ଗୀତ/ ଚିଟାଉ ଲେଖୁଥିବା କିଶୋର ପ୍ରେମିକଙ୍କୁ ଦେଇଥାନ୍ତି କିଆଫୁଲ/ ଜହ୍ନ ଆଲୁଅରେ ଶୁଖାଇଥାନ୍ତି ମୋର ମୁକୁଳା କବରୀ/ ମ˚ଜୁଆତିରେ ପଚେଇ ଥାଆନ୍ତି ମୋର କଷି ପତ୍ରର ପାପୁଲି/ xxx ଜାଣିନଥିଲି ଚନ୍ଦ୍ରମଣ୍ତଳ ତଳେ ଲୁଚି ରହିଛି ଆଚମ୍ବିତ ଚିତ୍କାର/ ଜାଣିନଥିଲି ପଦ୍ମବନରେ ଦେହ ଛପାଇ ଚେଇଁ ରହିଛି ସର୍ପ।’’
ଖୁସି ଖୁସିରେ ଏଇ ପୃଥିବୀକୁ ଆସିଥିବା କୋଟି କୋଟି ନାରୀ ଆଜି ପଚାରୁଛନ୍ତି- ଆମ ଲାଗି ଦେଶ କାହିଁ; ଯେଉଁଠି ଆମେ ସ୍ବାଭାବିକ ଜୀବନଟିଏ ଜିଇ ପାରିବୁ।