ପରିବର୍ତ୍ତନର ଚିହ୍ନ

ସୋମବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ପାର୍ଲିଆମେଣ୍ଟରେ ଉପସ୍ଥାପିତ କରିଥିବା ଅର୍ଥନୈତିକ ସର୍ବେକ୍ଷଣ- ୨୦୧୮ ବହନ କରୁଥିବା ସନ୍ଦେଶକୁ ଯଦି ସଙ୍କୁଚିତ କରି ଗୋଟିଏ ମାତ୍ର ପରିସଂଖ୍ୟାନରେ ପ୍ରକାଶ କରାଯାଏ, ତାହା ହେବ: ଆଗାମୀ ୨୦୧୮-୧୯ ବିତ୍ତ ବର୍ଷରେ ଭାରତୀୟ ଅର୍ଥନୀତି ୭-୭.୫% ହାରରେ ଅଭିବୃଦ୍ଧି ହାସଲ କରି ପୁଣି ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ପ୍ରମୁଖ ଅର୍ଥନୀତିର ମର୍ଯ୍ୟାଦା ଲାଭ କରିବ। ନିଃସନ୍ଦେହରେ ସରକାର ଏହାକୁ ଭାରତର ହୃତ ଗୌରବ ଫେରି ପାଇବା ରୂପେ ବିଚାର କରୁଛନ୍ତି। ସେତିକି ନୁହେଁ, ଏହି ସର୍ବେକ୍ଷଣ ଅନୁସାରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୭୫% ହେବାକୁ ଯାଉଛି ବୋଲି ମଧ୍ୟ ଦର୍ଶାଯାଇଛି। ଏହି ଦୁଇଟି ପରିସଂଖ୍ୟାନ ଦେଶବାସୀଙ୍କ ମନରେ ଯେଉଁ ଧାରଣା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ, ତାହାହେଲା ଦେଶର ଅର୍ଥନୀତିରେ ନିକଟରେ ଦେଖା ଦେଇଥିବା ଶିଥିଳତା ଥିଲା ସାମୟିକ ଏବଂ ତାହାକୁ ପଛରେ ଛାଡ଼ି ଅର୍ଥନୀତି ଏବେ ପୁଣି ଆଗକୁ ମାଡ଼ିଯିବାକୁ ଲାଗିଲାଣି।

ଏହା ଜଣାଶୁଣା ଯେ ବାର୍ଷିକ ଅର୍ଥନୈତିକ ସର୍ବେକ୍ଷଣ କେନ୍ଦ୍ର ସରକାରଙ୍କର ଅର୍ଥମନ୍ତ୍ରଣାଳୟର ଅର୍ଥନୀତିଜ୍ଞମାନେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନେତୃତ୍ୱରେ ପ୍ରସ୍ତୁତ କରିଥାନ୍ତି। ତେଣୁ କେତେକ ଏହି ସର୍ବେକ୍ଷଣର ବସ୍ତୁନିଷ୍ଠତାକୁ ସନ୍ଦେହ ଚକ୍ଷୁରେ ଦେଖିଥାନ୍ତି। କିନ୍ତୁ ଏଥରର ସର୍ବେକ୍ଷଣର ଏକ ବିଶେଷତ୍ୱ ହେଲା ଏଥିରେ ଅର୍ଥମନ୍ତ୍ରଣାଳୟ ତରଫରୁ ଯେଉଁ ସବୁ ତଥ୍ୟ ବା ‘ଡେଟା’ ପ୍ରଦାନ କରାଯାଇଛି ସେଥିରୁ ଅଧିକାଂଶ କୌଣସି ସର୍ବେକ୍ଷଣରୁ ସଂଗୃହୀତ ନହୋଇ ସିଧାସଳଖ ନବପ୍ରବର୍ତ୍ତିତ ‘ଜିଏସ୍‌ଟି’ ବ୍ୟବସ୍ଥାରୁ ହିଁ ଆହରଣ କରାହୋଇଛି। ‘ବିଗ୍‌ ଡେଟା’ ବା ବିଶାଳ ତଥ୍ୟରାଜିକୁ ନୀତି ନିର୍ଦ୍ଧାରଣ ପାଇଁ ବିଚାର ଆଲୋଚନାରେ ବ୍ୟବହାର କରିବା ଦିଗରେ ଏହା ଏକ ସ୍ୱାଗତଯୋଗ୍ୟ ପ୍ରୟାସ। ଅନ୍ତତଃ ଏହି କାରଣରୁ ଅର୍ଥନୈତିକ ସର୍ବେକ୍ଷଣର ବିଶ୍ୱସନୀୟତାକୁ ସନ୍ଦେହ ନ କରି ଏଥିରେ ନିହିତ ଭାରତୀୟ ଅର୍ଥନୀତିର ସଦ୍ୟତମ ଚରିତ୍ର ଉପରେ ଯଦି ଦୃଷ୍ଟିପାତ କରାଯାଏ, ତେବେ ଉପରୋକ୍ତ ସରଳ ମନେ ହେଉଥିବା ଉଚ୍ଚ ଅଭିବୃଦ୍ଧି ହାରକୁ ଅତିକ୍ରମ କରି ଏହାର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନୂତନ ଦିଗ ନଜରକୁ ଆସିଥାଏ।
ଦେଶରେ ନୂଆକରି ପ୍ରବର୍ତ୍ତିତ ହୋଇଥିବା ଦ୍ରବ୍ୟ ଓ ସେବାକର ବା ‘ଜିଏସ୍‌ଟି’ରେ ଅନେକ ତ୍ରୁଟିବିଚ୍ୟୁତି ରହିଥିବା ସତ୍ତ୍ୱେ ଗୋଟିଏ କଥା ନିଶ୍ଚିତ ଯେ ଏଥିଯୋଗୁଁ ପୂର୍ବାପେକ୍ଷା ଅଧିକ ସଂଖ୍ୟକ ବ୍ୟବସାୟ ପ୍ରତିଷ୍ଠାନମାନ ବର୍ତ୍ତମାନ ଟିକସ ଜାଲ ଭିତରକୁ ଆସି ଯାଇଛନ୍ତି। ଏହି ସଂଖ୍ୟାବୃଦ୍ଧି ମଧ୍ୟ ସାମାନ୍ୟ ଆକାରର ନୁହେଁ। ଦେଶରେ ପରୋକ୍ଷ କର ଦେଉଥିବା ବ୍ୟବସାୟ ପ୍ରତିଷ୍ଠାନମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ୩୪ ଲକ୍ଷ, ଯାହା ହେଉଛି ୫୦% ବୃଦ୍ଧି ହାର। ଯାହା ଉଲ୍ଲେଖନୀୟ ତାହା ହେଲା ଏହି ନୂତନ କରଦାତା ମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ନିଜ ନିଜ ମଧ୍ୟରେ ବ୍ୟବସାୟ କରୁଥିବା ପ୍ରତିଷ୍ଠାନମାନ କିମ୍ବା ରପ୍ତାନି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟବସାୟମାନ। ଖାଉଟିମାନଙ୍କ ସହିତ ସିଧାସଳଖ ସମ୍ପର୍କ ନଥିବାରୁ ଏମାନେ ମଧ୍ୟବର୍ତ୍ତୀକାଳୀନ ଦ୍ରବ୍ୟ ଉତ୍ପାଦନ କରିଥାନ୍ତି ବୋଲି କୁହାଯାଏ। ଜିଏସ୍‌ଟି ପ୍ରବର୍ତ୍ତନ ପରେ ଏମାନେ ଆଉ ଟିକସ ଜାଲ ବାହାରେ ରହିବା ସମ୍ଭବ ନୁହେଁ।

ଭାରତରେ କୃଷିରୁ ଉପୁଜୁଥିବା ଆୟ ଉପରେ କର ଲାଗୁ ହୋଇ ନଥାଏ। କୃଷିକ୍ଷେତ୍ର ବାହାରେ ଯେଉଁମାନେ କାମ କରିଥାନ୍ତି ସେମାନଙ୍କ ସଂଖ୍ୟା ହେଉଛି ପ୍ରାୟ ୨୪ କୋଟି। ଏମାନଙ୍କ ମଧ୍ୟରୁ ମାତ୍ର ପ୍ରାୟ ଏକ ଚତୁର୍ଥାଂଶ ଆୟକର ରିଟର୍ଣ୍ଣ ଦାଖଲ କରିଥାନ୍ତି। ବର୍ତ୍ତମାନ କିନ୍ତୁ ଏହି ଆୟକର ରିଟର୍ଣ୍ଣ ଫାଇଲ୍‌ କରୁଥିବା ଲୋକଙ୍କ ସଂଖ୍ୟାରେ ବିଶେଷ ବୃଦ୍ଧି ଘଟିବା ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି ଯେ ୨୦୧୬ ନଭେମ୍ବରର ବିମୁଦ୍ରୀକରଣର ଏକ ଫଳ ସ୍ୱରୂପ ଏହା ଘଟିଛି। ଯୁକ୍ତି ହେଉଛି ଯେ ଯେହେତୁ ପାଖରେ ନଗଦ ମୁଦ୍ରା ମହଜୁଦ କରିଥିବା ଲୋକମାନେ ତାହା ଅଚଳ ହୋଇଯିବା ପରେ ତାହାକୁ ବ୍ୟାଙ୍କ୍‌ରେ ଜମା କରିବାକୁ ବାଧ୍ୟ ହେଲେ, ସେମାନଙ୍କର ପ୍ରଦର୍ଶିତ ଆୟରେ ବୃଦ୍ଧି ଘଟିଲା ଏବଂ ସେମାନେ ସେ ଅନୁଯାୟୀ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ବାଧ୍ୟ ହେଲେ। ହୁଏ ତ ଏହା ଠିକ ନହୋଇଥାଇ ପାରେ ଏବଂ ରିଟର୍ଣ୍ଣ ଦାଖଲରେ ବୃଦ୍ଧି ଆପଣାଛାଏଁ ଘଟିଛି ଏବଂ ଏହା ଏକ ସାମୟିକ ଘଟଣା ମଧ୍ୟ ହୋଇପାରେ। କିନ୍ତୁ ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ପୂର୍ବାପେକ୍ଷା ବହୁ ଅଧିକ ନାଗରିକ ବର୍ତ୍ତମାନ ଆୟକର ବିଧି ବ୍ୟବସ୍ଥାରେ ପ୍ରବେଶ କରିଛନ୍ତି।

ସର୍ବେକ୍ଷଣରୁ ଭାରତୀୟ ଅର୍ଥନୀତି ସମ୍ବନ୍ଧରେ ଜଣାପଡ଼ିଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଭାରତର ଶ୍ରମଶକ୍ତି ସମ୍ବନ୍ଧିତ। ଏ ପର୍ଯ୍ୟନ୍ତ ବ୍ୟାପକ ଭାବରେ ବିଶ୍ୱାସ କରାଯାଉଥିଲା ଯେ ଭାରତୀୟ ଶ୍ରମିକମାନେ ମୁଖ୍ୟତଃ ଅସଂଗଠିତ ଏବଂ କୌଣସି ପ୍ରକାର ବିଧିବ୍ୟବସ୍ଥା ବାହାରେ। ଏବେ ଜଣାପଡ଼ିଛି ଯେ ଯେଉଁ ପ୍ରାୟ ୨୪ କୋଟି ଅଣକୃଷି ଶ୍ରମିକ ଅଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ କୌଣସି ନା କୌଣସି ସାମାଜିକ ନିରାପତ୍ତା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ଅଛନ୍ତି। ଏହି ଅଣକୃଷି ଶ୍ରମିକମାନଙ୍କ ମଧ୍ୟରୁ ପ୍ରାୟ ଅଧାରୁ ଅଧିକ ଏଭଳି ପ୍ରତିଷ୍ଠାନମାନଙ୍କରେ ନିଯୁକ୍ତ ଅଛନ୍ତି, ଯେଉଁ ପ୍ରତିଷ୍ଠାନମାନେ ବର୍ତ୍ତମାନ ଟିକସ ଦେଉଛନ୍ତି। ଅର୍ଥାତ୍‌ ଏମାନେ ମଧ୍ୟ ନିଯୁକ୍ତି ମାଧ୍ୟମରେ ପରୋକ୍ଷ ଭାବରେ ଦେଶର କର ବ୍ୟବସ୍ଥା ସହିତ ସଂଯୁକ୍ତ ହୋଇ ଯାଇଛନ୍ତି।ଶେଷରେ ସର୍ବେକ୍ଷଣରୁ ପ୍ରକାଶ ପାଇଛି ଯେ ଭାରତୀୟମାନେ ସେମାନଙ୍କର ସଞ୍ଚୟର ପୂର୍ବାପେକ୍ଷା ଅଧିକ ଅଂଶ ବିଧିବଦ୍ଧ ବିତ୍ତୀୟ କ୍ଷେତ୍ରରେ ଭର୍ତ୍ତି କରୁଛନ୍ତି- ତାହା ବ୍ୟାଙ୍କ୍‌ ହେଉ କି ମ୍ୟୁଚୁଆଲ୍‌ ଫଣ୍ଡ୍‌ ହେଉ କି ସେଆର୍‌ ବଜାର ହେଉ। ଏହା ବିମୁଦ୍ରୀକରଣର ଝଟ୍‌କା ଯୋଗୁଁ ହେଉ କି ସେଆର୍‌ ବଜାରରେ ଦେଖାଦେଇଥିବା ଜୁଆର ଯୋଗୁଁ ହେଉ, ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ଲୋକଙ୍କ ସଞ୍ଚୟ ସୁନା, କିଂବା ଜମି, କିଂବା ନଗଦ ମୁଦ୍ରା ଭଳି ଅଣଉତ୍ପାଦନଶୀଳ ନିଷ୍ଫଳା ସମ୍ପଦରେ ବାନ୍ଧି ହୋଇ ନରହି ଦେଶରେ ନିବେଶ ଓ ଉତ୍ପାଦନରେ ନିୟୋଜିତ ହେବା ପାଇଁ ଉପଲବ୍‌ଧ ହେଉଛି।

ଭାରତୀୟ ଅର୍ଥନୀତିର ଚରିତ୍ରରେ ଏହି ଉପରବର୍ଣ୍ଣିତ ପରିବର୍ତ୍ତନ ମାନ- ଅଧିକ ସଂଖ୍ୟକ ବ୍ୟବସାୟ ପ୍ରତିଷ୍ଠାନ ଟିକସ ପୈଠ କରିବା, ଅଧିକ ସଂଖ୍ୟକ ବ୍ୟକ୍ତି ଆୟକର ପ୍ରଦାନ ସହିତ ସମ୍ପୃକ୍ତ ହେବା, ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେଖିବାକୁ ମିଳିବା ଏବଂ ଦେଶବାସୀଙ୍କ ସଞ୍ଚୟ ସଂଗଠିତ ବିତ୍ତୀୟ କ୍ଷେତ୍ର ଦିଗରେ ମୁହାଁଇବା- ଭାରତୀୟ ଅର୍ଥନୀତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାର କ୍ଷମତା ବହନ କରିଥାନ୍ତି। ଏହି ପରିବର୍ତ୍ତନ ମାନ ଯଦି ସ୍ଥାୟୀ ହୁଅନ୍ତି ତେବେ ତାହା ସରକାରଙ୍କର ବିତ୍ତୀୟ ପରିସ୍ଥିତିରେ ଦୀର୍ଘସ୍ଥାୟୀ ଉନ୍ନତି ଆଣିବା ସହିତ ସମାଜ ମଙ୍ଗଳ ଏବଂ ଭିତ୍ତିଭୂମି ସୃଷ୍ଟି ଆଦି କ୍ଷେତ୍ରରେ ଆବଶ୍ୟକ ସମ୍ବଳ ବିନିଯୋଗ ପାଇଁ ସରକାରଙ୍କର କ୍ଷମତାରେ ବୃଦ୍ଧି ଘଟାଇବ। ଆଶା ରାଜନୀତିର ଚାପରେ ଏହି ପରିବର୍ତ୍ତନ ମାନ କ୍ଷଣସ୍ଥାୟୀ ହେବେ ନାହିଁ।

ସମ୍ବନ୍ଧିତ ଖବର