ଧୂମ ଅପସାରଣ

ପଶ୍ଚିମ ବଙ୍ଗର ପ୍ରଥମ ଦଫା ନିର୍ବାଚନର ପୂର୍ବ ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌-୧୯ ପାନ୍‌ଡେମିକ କାଳରେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ବା˚ଲାଦେଶ ମାଟିରେ ପାଦ ଦେବାକୁ ଯାଉଥିବା ବେଳେ କେତେକ ରାଜନୈତିକ ସମୀକ୍ଷକ ଏମିତି ମନ୍ତବ୍ୟ ପ୍ରଦାନ କରୁଥିବା ଶୁଣିବାକୁ ମିଳୁଛି ଯେ ସମ୍ଭବତଃ ଏହା ଦ୍ବାରା ପ୍ରଧାନମନ୍ତ୍ରୀ ପଶ୍ଚିମ ବଙ୍ଗର ଭୋଟଦାତାମାନଙ୍କୁ ବିଜେପି ପକ୍ଷରେ ପ୍ରଭାବିତ କରିବାକୁ ଚାହାନ୍ତି। କିନ୍ତୁ ପ୍ରକୃତରେ ଏଭଳି ଯୁକ୍ତିର ବିଶେଷ କୌଣସି ପ୍ରାସଙ୍ଗିକତା ଥିବା ଭଳି ମନେ ହୋଇ ନ ଥାଏ। ଅବଶ୍ୟ, ଏହା ସତ ଯେ ପଶ୍ଚିମ ବଙ୍ଗ ସହିତ ବା˚ଲାଦେଶର କେତେକ ଭାବଗତ ସ˚ପର୍କ ରହିଛି ଏବ˚ ପଶ୍ଚିମ ବଙ୍ଗର ମୁସଲିମ ଭୋଟର ଏହା ଦ୍ବାରା କିଛିଟା ପ୍ରଭାବିତ ହୋଇପାରନ୍ତି; କିନ୍ତୁ ଏ ସମ୍ବନ୍ଧରେ ଯାହା ଅଧିକ ପ୍ରଣିଧାନଯୋଗ୍ୟ, ତାହା ହେଲା ଏହି ରାଜନୈତିକ ସ˚କୀର୍ଣ୍ଣତାକୁ ଅତିକ୍ରମ କରି ଏକ ବହୁ ଆୟାମୀ ଦୃଶ୍ୟପଟକୁ ଦେଖିବା; ଯହିଁରେ ଜଣେ ମିତ୍ର ଭାବେ ଭାରତର ପୂର୍ବ ଦିଗରେ ଥିବା ଏହି କ୍ଷୁଦ୍ର ପଡ଼ୋଶୀ ରାଷ୍ଟ୍ରର ରଣନୈତିକ ଭୂମିକାକୁ ଦେଖି ହେବ ଏବ˚ ଯହିଁରେ ଆହୁରି ଦୃଶ୍ୟମାନ ହେବ କିଭଳି ସୋଭିଏତ୍‌ ୟୁନିଅନର ବିଲୟ ପରେ ଏକ ବିଶାଳ ଶକ୍ତି ଭାବେ ଆବିର୍ଭୂତ ହୋଇଥିବା ଚୀନ ତାର ସାମ୍ରାଜ୍ୟବାଦୀ ଉଚ୍ଚାଭିଳାଷ ସକାଶେ ଭାରତ ମହାସାଗର ପର୍ଯ୍ୟନ୍ତ ତାର ପଦ ଚିହ୍ନ ରଖିବାକୁ ଉଦ୍ୟତ ଏବ˚ ସେଇ କ୍ରମରେ ବା˚ଲାଦେଶରେ ଭାରତକୁ ନିଷ୍ପ୍ରଭାବୀ କରିବାରେ ଉଦ୍ୟମରତ। ପୁନଶ୍ଚ ଏହି ଗସ୍ତ ଏକ ଅନୌପଚାରିକ ଗସ୍ତ ନୁହେଁ; ବା˚ଲାଦେଶର ଜନକ ସ୍ବର୍ଗତ ଶେଖ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉତ୍ସବରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ବା˚ଲାଦେଶ ଯାତ୍ରା କରିବେ। କିନ୍ତୁ ମୂଳ କଥା ହେଲା, ଭାରତ ଓ ବା˚ଲାଦେଶ ମଧୢରେ ରହି ଆସିଥିବା ସ˚ପର୍କ ୨୦୧୪ ପର ଠାରୁ ବିଭିନ୍ନ କାରଣରୁ ଯେଉଁଭଳି ଦୋଦୁଲ୍ୟମାନ ହେବାରେ ଲାଗିଛି, ତହିଁରେ ଏକ ସ୍ଥିରତା ପ୍ରଦାନ କରିବା।

ଗଲା ୨୦୧୬ ମସିହା ଅକ୍ଟୋବର ମାସରେ ଜଣେ ଚୀନା ରାଷ୍ଟ୍ରମୁଖ୍ୟ ଭାବେ ଇତିହାସରେ ପ୍ରଥମ ଥର ଲାଗି ବର୍ତ୍ତମାନର ରାଷ୍ଟ୍ରପତି ସି ଜିନପିଙ୍ଗ ବା˚ଲାଦେଶରେ ପଦାର୍ପଣ କରିବା ଉପରୋକ୍ତ ଦୋଦୁଲ୍ୟମାନ ସ୍ଥିତିର ଏକ ପ୍ରଥମ ଇଙ୍ଗିତ ଥିଲା। ତା’ ସହିତ ଦେଖିବାକୁ ମିଳିଥିଲା ବା˚ଲାଦେଶରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତର ଆର୍ଥିକ ଅବଦାନକୁ ତୁଚ୍ଛ ସାବ୍ୟସ୍ତ କରିବା ଭଳି ବିପୁଳ ଚୀନା ପୁ˚ଜିର ଆଗମନ ଏବ˚ ଚୀନ୍‌ର ଏକ ଦିଗ୍‌ବିଜୟସୁଲଭ ପ୍ରୟାସ ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌’ ବା ‘ବିି.ଆର‌୍‌.ଆଇ.’ରେ ବା˚ଲାଦେଶକୁ ଅନ୍ତର୍ଭୁକ୍ତ କରିବାରେ ଚୀନା ସାଫଲ୍ୟ। ସୁତରା˚, ଏକ ଧାରଣା ସୃଷ୍ଟି ହେବାରେ ଲାଗିଛି ଯେ ବା˚ଲାଦେଶ ସହିତ ଭାରତର ପାର˚ପରିକ ବନ୍ଧୁଭାବାପନ୍ନ ସ˚ପର୍କ ଯେମିତି ଦୁର୍ବଳ ହେବାରେ ଲାଗିଛି। ଏଠାରେ ସ୍ମରଣଯୋଗ୍ୟ ଯେ ୧୯୭୧ରେ ପଶ୍ଚିମ ପାକିସ୍ତାନକୁ ପରାଜିତ କରିବା ସହିତ ତା’ ଅଧୀନରୁ ପୂର୍ବ-ପାକିସ୍ତାନକୁ ମୁକ୍ତ କରି ତାକୁ ବା˚ଲାଦେଶ ରୂପେ ଆବିର୍ଭୂତ କରାଇବାରେ ଭାରତର ଏକକ ଭୂମିକା ରହିଥିଲା। ସ୍ବାଧୀନ ବା˚ଲାଦେଶକୁ ଭାରତ ସର୍ବପ୍ରଥମେ ଏକ ସାର୍ବଭୌମ ରାଷ୍ଟ୍ରର ସ୍ବୀକୃତି ପ୍ରଦାନ କରିଥିଲା ଏବ˚ ସେଥି ଲାଗି ପାକିସ୍ତାନର ତତ୍କାଳୀନ ମିତ୍ର ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଘୋର ଅପ୍ରିୟ ହୋଇଥିଲା। କେବଳ ସେତିକି ନୁହେଁ ଗଣହତ୍ୟା, ଅତ୍ୟାଚାର ଓ ଯୁଦ୍ଧର ଅବର୍ଣ୍ଣନୀୟ ଆତଙ୍କରୁ ରକ୍ଷା ପାଇବା ସକାଶେ ପଳାୟନ କରି ଆସିଥିବା ପ୍ରାୟ ୬ ନିୟୁତରୁ ଅଧିକ ଶରଣାର୍ଥୀଙ୍କୁ ମଧୢ ଭାରତ ନିଜ ଭୂମିରେ ସ୍ଥାନ ଦେଇଥିଲା। ତା’ ପର ଠାରୁ ବା˚ଲାଦେଶର ବିକାଶରେ ମଧୢ ଭାରତ ଯଥେଷ୍ଟ ସାହାଯ୍ୟ ଓ ସହଯୋଗ କରି ଆସିଛି। ସେହି ଦୃଷ୍ଟିରୁ ବା˚ଲାଦେଶ ସହିତ ଭାରତର ମିତ୍ରତା ପ୍ରଶ୍ନାତୀତ ହେବା କଥା। କିନ୍ତୁ, ୨୦୧୪ ନିର୍ବାଚନ ପରେ ହିନ୍ଦୁତ୍ବବାଦୀ ଦକ୍ଷିଣପନ୍ଥୀ ବିଜେପି କେନ୍ଦ୍ରରେ କ୍ଷମତାସୀନ ହେବା ଏବ˚ ତା’ ପର ଠାରୁ ବିଭିନ୍ନ ସ˚ଦର୍ଭରେ ହିନ୍ଦୁତ୍ବବାଦୀ ଦଳଗୁଡ଼ିକର ନେତାମାନଙ୍କ ଠାରୁ ଭାରତରେ ବସବାସ କରି ଆସୁଥିବା ବା˚ଲାଦେଶୀ ଶରଣାର୍ଥୀ ବିରୋଧୀ ମନ୍ତବ୍ୟ (ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଭାଷାରେ ସେମାନେ ଉଇ ତୁଲ୍ୟ)ମାନ ନିର୍ଗତ ହେବା ଅଥବା ୨୦୧୯ରେ ‘ନାଗରିକତା ସ˚ଶୋଧନ ଆଇନ’ ପ୍ରଣୀତ ହେବା ଇତ୍ୟାଦି ଭଳି ଘଟଣା ବା˚ଲାଦେଶରେ ଏକ ଭାରତ ବିରୋଧୀ ମନୋଭାବ ସୃଷ୍ଟି କରିଛି; ଯେଉଁ ସୁଯୋଗର ତୁରନ୍ତ ସଦ୍‌ବ୍ୟବହାର କରି ଚୀନ ବା˚ଲାଦେଶରେ ପ୍ରଭାବ ବିସ୍ତାର କରିବାର ଉଦ୍ୟମ କରୁଛି। ସୁତରା˚, ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବା˚ଲାଦେଶ ଗସ୍ତ ସାମ୍ରାଜ୍ୟବାଦୀ ଚୀନର ଅଭିସନ୍ଧିକୁ ପ୍ରତିହତ କରିବାରେ ସହାୟକ ହୋଇପାରେ। ଏହା ସହିତ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ପ୍ରତି ବା˚ଲାଦେଶରେ ସୃଷ୍ଟି ହୋଇଥିବା ସନ୍ଦେହର ଧୂମ ପଟଳ ହୁଏ’ତ ପତଳା ହୋଇପାରେ।

ଉଲ୍ଲେଖଯୋଗ୍ୟ ଯେ ଫେଣୀ ନଦୀ ଉପରେ ୧୩୩ କୋଟି ଟଙ୍କା ବ୍ୟୟରେ ଭାରତ ଦ୍ବାରା ନିର୍ମିତ ୧.୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ‘ମୈତ୍ରୀ ସେତୁ’ର ଉଦ୍‌ଘାଟନ ଗଲା ୧୦ ତାରିଖରେ ସ˚ପନ୍ନ ହୋଇଛି। ଏହା ଦ୍ବାରା ଭାରତ ସହିତ ବା˚ଲାଦେଶ ସ˚ଯୁକ୍ତ ହେବାର ସରଣୀ ଉନ୍ମୋଚିତ ହୋଇଛି। ଏହି ସେତୁ ଦ୍ବାରା ଭାରତର ପର୍ବତ ଘେରା ଉତ୍ତର-ପୂର୍ବାଞ୍ଚଳ ବା˚ଲାଦେଶର ଚିଟାଗଙ୍ଗ ବନ୍ଦର ସହ ଯୋଡ଼ି ହେବା ସହିତ ସେହି ବନ୍ଦରକୁ ବ୍ୟବହାର କରିବାର ସୁଯୋଗ ଲାଭ କରିବ। ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାରଙ୍କ ‘ଭ୍ୟାକ୍‌ସିନ ମୈତ୍ରୀ’ ଅଭିଯାନରେ ବା˚ଲାଦେଶ ଏକ ଗୁରୁତ୍ବପୂର୍ଣ୍ଣ ହିତାଧିକାରୀ। ଏହି କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ ବା˚ଲାଦେଶକୁ ମାଗଣାରେ ୨ ନିୟୁତ ଅକ୍‌ସଫୋର୍ଡ ଆଷ୍ଟ୍ରାଜେନିକା ଟିକା ଯୋଗାଇ ଦିଆଯାଇଛି। କେବଳ ସେତିକି ନୁ‌େହଁ, ଏହି ଟିକାର ପ୍ରସ୍ତୁତକର୍ତ୍ତା ଭାରତର ‘ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆ’ ସହିତ ମିଳିତ ଭାବେ ବା˚ଲାଦେଶର ପ୍ରତିଷେଧକ ନିର୍ମାଣକାରୀ କ˚ପାନି ବେକ୍‌ସିମକୋ ଫାର୍ମାସ୍ୟୁଟିକାଲ୍‌ସ ମଧୢ ଏହି ଟିକା ପ୍ରସ୍ତୁତ କରିବା ଆରମ୍ଭ କରିଛି। କେବଳ ସେତିକି ନୁହେଁ, ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗର ଛତା ତଳେ ବା˚ଲାଦେଶକୁ ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶୀଦାର ରୂପେ ଗ୍ରହଣ କରି ଭାରତ ଏହି ଅଞ୍ଚଳରେ ବା˚ଲାଦେଶକୁ ଏକ ପ୍ରାଧାନ୍ୟ ପ୍ରଦାନ କରିଛି। ପୁନଶ୍ଚ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ନରେନ୍ଦ୍ର ମୋଦୀଙ୍କ ସରକାର ଅମଳରେ ୪୧ ବର୍ଷ ପୁରୁଣା ଭୂମି ସୀମା ବିବାଦର ଅବସାନ ଘଟିଛି। ଏହି ସବୁ ଦୃଷ୍ଟିରୁ ବିଚାର କଲେ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ବାଂଲାଦେଶରେ ଚୀନର ଚକ୍ରାନ୍ତ ସଫଳ ହେବା ଏତେ ସହଜ ନୁହେଁ। କିନ୍ତୁ ସୁସ˚ପର୍କ ବାହାଲ କରିବାକୁ ହେଲେ ଭାରତକୁ ଅଧିକ ଜାଗ୍ରତ ଓ ସକ୍ରିୟ ହେବାକୁ ପଡ଼ିବ, ଯାହାର ଏକ ଅଂଶ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ।

ସ୍ବାଧୀନ ବା˚ଲାଦେଶର ସୃଷ୍ଟି ପଛରେ ଯଦି କୌଣସି ଜଣେ ବ୍ୟକ୍ତିଙ୍କ ଅବଦାନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଥିଲା, ତେବେ ସେ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ସୁତରା˚, ବା˚ଲାଦେଶର ଆଵାମୀ ଲିଗ୍‌ ସରକାର (ଶେଖ ମୁଜିବୁର ରହମନଙ୍କ) ସହିତ ଇନ୍ଦିରା ଗାନ୍ଧୀଙ୍କ ଦଳ କ˚ଗ୍ରେସ ନେତୃତ୍ବାଧୀନ ସରକାରର ଏକ ସ୍ବାଭାବିକ ମିତ୍ରତା ରହି ଆସିଥିଲା। ତେଣୁ, ୨୦୧୪ରେ କ˚ଗ୍ରେସ ସରକାରର ପତନ ପରେ ବା˚ଲାଦେଶ ସରକାର ଭାରତକୁ ଏକ ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛନ୍ତି। ତେବେ, ରାଜନୈତିକ-ରଣନୈତିକ ଓ କୂଟନୈତିକ ଦୃଷ୍ଟିରୁ ସନ୍ଦେହର ଏହି ଧୂମ ଅପସାରିତ ହେବା ନିତାନ୍ତ ଆବଶ୍ୟକ, ଯାହା ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦ୍ବାରା ସମ୍ଭବ ହେବାର ଆଶା ରହିଛି।

ସମ୍ବନ୍ଧିତ ଖବର