ସରି, ସିଦ୍ଧାର୍ଥ!

ଗତ କାଲି ଓଡ଼ିଶାରେ ପ୍ରଥମ ଚୀନା କରୋନା ସ˚କ୍ରମିତ ବ୍ୟକ୍ତି ଠାବ ହେବାର ଏକ ବର୍ଷ ପୂରଣ ହେବା ସହିତ ତାଳ ଦେଇ ସତକୁ ସତ ପ୍ରାୟ ବର୍ଷେ କାଳର ଲକ୍‌ଡାଉନ୍‌ର ଅନ୍ତ ଘଟି ଆରମ୍ଭ ହୋଇଥିବା ଛେକ ପରେ ଛେକ ଟିକାକରଣ ଭବିଷ୍ୟତରେ ପୁଣି ଲକ୍‌ଡାଉନ୍‌ ଲାଗୁ ହେବା ସମ୍ଭାବନାକୁ ଦୂରୀଭୂତ କରିବାକୁ ଆରମ୍ଭ କରିଛି। ଏହା ଅଧିକା˚ଶ ଭୁକ୍ତଭୋଗୀଙ୍କ ମନରେ ସର୍ବପ୍ରଥମେ ଯେଉଁ ଉଶ୍ବାସ ଭାବ ସୃଷ୍ଟି କରିଥିବ, ତାହା ହେଉଛି- ‘ବର୍ତ୍ତମାନରୁ ମୁକ୍ତି’। କାରଣ ଜଣେ ଲକ୍‌ଡାଉନ୍‌ଗ୍ରସ୍ତ ମନୁଷ୍ୟ ଯେତେବେଳେ ସମସ୍ତ ପ୍ରକାର ବାହ୍ୟ କାର୍ଯ୍ୟକଳାପର ଦୂରରେ ରହି ଗୃହବନ୍ଦୀ ଜୀବନ ବିତାଏ, ସେତେବେଳେ ସେ ଏକ ‘ବର୍ତ୍ତମାନ’ର ଫୋଟକା ଭିତରେ ବନ୍ଦୀ ହୋଇ ରହିଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ସତେ ଯେମିତି ସେ ଊନବି˚ଶ ଶତାବ୍ଦୀର ‘ପଏଣ୍ଟ୍‌ ମେକାନିକ୍‌ସ’ ଗାଣିତିକ ଦର୍ଶନରେ ବର୍ଣ୍ଣିତ ‘ବାସ୍ତବ’ ଦୁନିଆରେ ଥାଏ, ଯେଉଁଠି ରଙ୍ଗ, ଗନ୍ଧ ଆଦି କିଛି ନଥାଏ ଏବ˚ ଯାହା କିଛି ପରିବର୍ତ୍ତନ ଘଟୁଥାଏ, ତାହା ହେଉଛି ସର୍ବନିମ୍ନ ଶ୍ରେଣୀର।

ଆଇନ୍‌ଷ୍ଟାଇନ୍‌ଙ୍କ ସମସାମୟିକ ଗଣିତଜ୍ଞ-ଦାର୍ଶନିକ ତଥା ସହକର୍ମୀ ହର୍ମାନ୍‌ େଵଲ୍‌ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଫିଲସଫି ଅଫ୍‌ ମାଥେମାଟିକ୍‌ସ ଆଣ୍ତ୍‌ ନାଚୁରାଲ୍‌ ସାଇନ୍‌ସ’ (‘ଗଣିତ ଓ ପ୍ରାକୃତିକ ବିଜ୍ଞାନର ଦର୍ଶନ’)ରେ ଏହାର ବର୍ଣ୍ଣନା କରିଥିବା ଭଳି, ଏଭଳି ଦୁନିଆ କେବଳ ‘ଥାଏ’, ଏଠାରେ କିଛି ‘ଘଟେ’ ନାହିଁ। ବ୍ୟକ୍ତିର ଚେତନା ତା’ର ଶରୀରର ଜୀବନରେଖା ଦେଇ ଉପରକୁ ଉପରକୁ ଗତି କରିବା ବେଳେ ଏଇ ‘ଥିବା’ ଜିନିଷଗୁଡ଼ିକୁ ଯାହା ଦେଖିଥାଏ ମାତ୍ର, ଯାହାକୁ ସେ ଘଟୁଥିବା ଘଟଣା ବୋଲି ଭ୍ରମରେ ପଡ଼ିଥାଏ। ଜୀବନ ରେଖାରେ ଯଦି ପଛକୁ ଫେରି ହୁଅନ୍ତା, ତା’ହେଲେ ସେଇ ‘ଥିବା’ ଜିନିଷ ମାନ ପୁଣି ଥରେ ଦେଖିବାକୁ ମିଳନ୍ତା।

ଖୋଦ୍‌ ଆଇନ୍‌ଷ୍ଟାଇନ୍‌ ତାଙ୍କର ପ୍ରିୟତମ ବନ୍ଧୁ ମିସେଲ୍‌ ବେସୋଙ୍କ ଦେହାନ୍ତ ପରେ ମିସେଲ୍‌ଙ୍କ ଭଉଣୀଙ୍କ ପାଖକୁ ପଠାଇଥିବା ଏକ ଶୋକ ବାର୍ତ୍ତାରେ ଲେଖିଥିଲେ: ‘‘ ସେ (ମିସେଲ୍‌) ମୋ ଠାରୁ ଟିକେ ଆଗରୁ ଏ ଅଦ୍ଭୁତ ଦୁନିଆରୁ ବିଦାୟ ନେଇ ଚାଲି ଯାଇଛି। ତାହା କିଛି ନୁହେଁ…। ଆମେ ସବୁ ଯେଉଁମାନେ ପଦାର୍ଥ ବିଜ୍ଞାନରେ ଦୃଢ଼ ବିଶ୍ବାସ କରୁ, ଜାଣୁ ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧୢରେ ପାର୍ଥକ୍ୟ ହେଉଛି କେବଳ ଏକ ନଛୋଡ଼ବନ୍ଦା ଭେଳିକି ମାତ୍ର।’’ ଏହାର ଅର୍ଥ ବର୍ତ୍ତମାନର ଏଇ ମୁହୂର୍ତ୍ତ ହିଁ ମନୁଷ୍ୟ ପାଇଁ ବାସ୍ତବ ହୋଇଥାଏ, ଅତୀତକୁ ଜାବୁଡ଼ି ଧରି କିମ୍ବା ଭବିଷ୍ୟତର ଆଶା ଆଶଙ୍କା ଦ୍ବାରା ଉଦ୍‌ବେଳିତ ହୋଇ ମନୁଷ୍ୟ ହନ୍ତସନ୍ତ ହେବା ଉଚିତ ନୁହେଁ। (ବନ୍ଧୁ ମିସେଲ୍‌ଙ୍କ ମୃତ୍ୟୁର ଠିକ୍‌ ଏକ ମାସ ତିନି ଦିନ ପରେ ଆଇନ୍‌ଷ୍ଟାଇନ୍‌ ଇହଧାମ ତ୍ୟାଗ କରିଥିଲେ।)।

ଜଣେ ସାଧାରଣ ମନୁଷ୍ୟ ଠାରେ କିନ୍ତୁ େଵଲ୍‌ କିମ୍ବା ଆଇନ୍‌ଷ୍ଟାଇନ୍‌ଙ୍କ ଅନ୍ତର୍ଦୃଷ୍ଟି ଥିବା ଆଶା କରା ଯାଏନା, ଯାହାଦ୍ବାରା ସେ ସମୟର ଜଞ୍ଜାଳମୟ ପ୍ରହେଳିକା ଭେଦ କରି କେବଳ ବର୍ତ୍ତମାନ ମୁହୂର୍ତ୍ତ ମଧୢରେ ନିଜକୁ ସମ୍ପୂର୍ଣ୍ଣ ନିମଗ୍ନ କରି ନିଶ୍ଚିନ୍ତ ରହି ଯାଇ ପାରିବ। ସେ ସାଧାରଣ ମନୁଷ୍ୟଜଣକ ତା’ର ଜୀବନ ସାରା ଯେଉଁ ଧାଇଁ ଥାଏ, ତାହା ହେଉଛି ଭବିଷ୍ୟତରେ- ପର ମୁହୂର୍ତ୍ତରେ, ପର ଦିନ, ପର ସପ୍ତାହ, ପର ମାସ, ବର୍ଷ…- କିଛି ପ୍ରାପ୍ତି ଆଶାରେ। ଏହାକୁ କେହି କେହି ଜୀବନ ସ˚ଗ୍ରାମ ବୋଲି କହିଥାନ୍ତି। ଏଥିରେ ଅତିଷ୍ଠ ହୋଇ ବେଳେ ବେଳେ କେହି କେହି ଏଥିରୁ ସାମୟିକ ବିରତି ଖୋଜିଥାନ୍ତି। ଏଥିପାଇଁ ସେମାନେ ବିଭିନ୍ନ ବାଟରେ ଯାଇଥାନ୍ତି। ନିକଟ ଅତୀତରେ ଏଭଳି ଯେଉଁ ଏକ ବାଟ ଅତ୍ୟନ୍ତ ଲୋକପ୍ରିୟ ହେବା ଦେଖା ଯାଇଛି, ତାହା ସେମାନଙ୍କୁ େଵଲ୍‌ କିମ୍ବା ଆଇନ୍‌ଷ୍ଟାଇନ୍‌ ବର୍ଣ୍ଣିତ ‘ବର୍ତ୍ତମାନ’ର ଚିନ୍ତାଶୂନ୍ୟତା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ହେବାଭଳି ମନେ ହେଉଥିଲେ ହେଁ, ଏହାର ମୂଳ ଉତ୍ପତ୍ତିସ୍ଥଳ ହେଉଛି ବୌଦ୍ଧ ଦର୍ଶନ। ସେଥିରେ ଦିବ୍ୟଜ୍ଞାନପ୍ରାପ୍ତି ପାଇଁ ବର୍ଣ୍ଣିତ ସାତଟି ଆଧାର ମଧୢରୁ ପ୍ରଥମଟି ହେଉଛି ଏହି ବାଟ: ପାଲି ଭାଷାରେ ‘ସତି’ ବା ସ˚ସ୍କୃତରେ ‘ସ୍ମୃତି’ ବା ଇ˚ରେଜୀରେ ‘ମାଇଣ୍ତ୍‌ଫୁଲ୍‌ନେସ୍‌’।

ଏହି ବିଶୁଦ୍ଧ ଏକାଗ୍ରଚିତ୍ତ ଅବସ୍ଥାକୁ ଓଡ଼ିଆରେ ‘ମନଯୋଗ ଧୢାନ’ ବୋଲି କୁହାଯାଇପାରେ। ଯେଉଁମାନେ ଏହାକୁ ଅନୁସରଣ କରନ୍ତି, ସେମାନେ ନିଜର ମନମୁନ ଚୌତନ୍ୟକୁ ସମ୍ପୂର୍ଣ୍ଣ ରୂପେ ‘ବର୍ତ୍ତମାନ’ ଉପରେ କେନ୍ଦ୍ରୀଭୂତ କରନ୍ତି- ସତେ ଯେମିତି ସେମାନଙ୍କ ପାଇଁ ଭବିଷ୍ୟତ ନଥାଏ କିମ୍ବା ଅତୀତ ନଥାଏ। ଜୀବନ ଦୌଡ଼ରେ ଧାଇଁ ଧାଇଁ ନାକେଦମ୍‌ ହୋଇପଡ଼ିଥିବା ବ୍ୟକ୍ତି ଜଣେ ଯେତେବେଳେ ସେଥିରୁ ସାମୟିକ ବିରତି ନେଇ ଏଭଳି ଧୢାନ ମଗ୍ନ ହୁଅନ୍ତି, ଏହାର ନାମ ‘ମନଯୋଗ’ ଧୢାନ ହୋଇଥିଲେ ହେଁ ସେ ‘ବର୍ତ୍ତମାନ’ର ଅନୁଭୂତି ବ୍ୟତୀତ ମନରୁ ଅନ୍ୟ ସମସ୍ତ ଭାବନା ‘ବିଯୋଗ’ କରି ଦେବାକୁ ଚେଷ୍ଟା କରିଥାନ୍ତି। କୁହାଯାଇପାରେ, ସେ କେବଳ ବର୍ତ୍ତମାନରେ ହିଁ ବର୍ତ୍ତମାନ ଥା’ନ୍ତି। କେତେକ ନିଜର ଦୈନନ୍ଦିନ ଜୀବନର ଏକ ନିର୍ଦ୍ଦିଷ୍ଟ ଅ˚ଶକୁ ଏହି ଧୢାନ ପାଇଁ ସ˚ରକ୍ଷିତ କରିଥିବା ବେଳେ ଅନେକ ଅନୁଗାମୀ ଏଥିପାଇଁ ସ˚କ୍ଷିପ୍ତ କିମ୍ବା ନାତିଦୀର୍ଘ କିମ୍ବା ସୁଦୀର୍ଘ ଯୋଗ ଶିବିରରେ ଯୋଗ ଦେବା ଦେଖା ଯାଇଥାଏ (ସେଲିବ୍ରିଟିମାନଙ୍କର ଏଭଳି ଶିବିରରେ ଯୋଗଦାନ ବେଳେ ବେଳେ ଖବରରେ ପରିଣତ ହୋଇ ଗଣମାଧୢମରେ ପ୍ରସାରିତ ହେବା ଦେଖା ଯାଇଥାଏ)। ଧୢାନ ଶେଷରେ ବା ଶିବିର ଶେଷରେ ସେମାନେ ‘ବର୍ତ୍ତମାନ’ର ଫୋଟକା ଭିତରୁ ବାହାରି ପୁଣି ଜୀବନର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଯାଆନ୍ତି, ଯେଉଁଠି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଲହରୀମାଳା ପରସ୍ପର ସହିତ ଛନ୍ଦାଛନ୍ଦି ହୋଇ ରହିଥାନ୍ତି।

ମନଯୋଗ ଧୢାନ ମାର୍ଗ ଅନୁସରଣ କରି ନିଜକୁ ଚିନ୍ତାମୁକ୍ତ କରିବା ପାଇଁ ଉଦ୍ୟମ କରିବା ହେଉଛି ଅବଶ୍ୟ ସମ୍ପୂର୍ଣ୍ଣ ଇଚ୍ଛାମୂଳକ। କିନ୍ତୁ ଏକ ଦେଶକୁ ବା ଅଞ୍ଚଳକୁ ବା ସହରକୁ ଯଦି ଏକ ଦୀର୍ଘସ୍ଥାୟୀ ବାଧୢତାମୂଳକ ମନଯୋଗ ଧୢାନ ଶିବିରରେ ପରିଣତ କରି ଦିଆଯାଏ, ତେବେ ତା’ର ପରିଣାମ କିଭଳି ହେବ, ତାହା ଦେଖା ଯାଇଛି ଚୀନା କରୋନା ଯୋଗୁଁ ଭାରତ ସମେତ ପୃଥିବୀର ପ୍ରାୟ ଅଧିକା˚ଶ ଦେଶରେ ଲାଗୁ କରାଯାଇଥିବା ଦୀର୍ଘ ଲକ୍‌ଡାଉନ୍‌ ମାନ ସମୟରେ। ଏକ ଅଜଣା ସ˚କ୍ରମଣର ଆଶଙ୍କା; ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ହରାଇବା ଯୋଗୁଁ ସୃଷ୍ଟି ହୋଇଥିବା ଏକ ଛିନ୍ନମୂଳ ଅସହାୟତା; ଭବିଷ୍ୟତର ଅନିଶ୍ଚିତତାଜନିତ କାତରତା- ଏ ସମସ୍ତର ମିଳିତ ପ୍ରଭାବ ଏପରି ହୋଇଥିବ ଯେ ଲକ୍‌ଡାଉନ୍‌ରେ କାଳ କାଟୁଥିବା ମନଯୋଗ ଧୢାନର ସର୍ବାଧିକ ଦୃଢ଼ମନା ଅନୁଗାମୀମାନଙ୍କ ପାଇଁ ମଧୢ ଅତୀତ, ଭବିଷ୍ୟତକୁ ଭୁଲି ଯାଇ କେବଳ ବର୍ତ୍ତମାନ ଉପରେ ସମ୍ପୂର୍ଣ୍ଣ ଧୢାନ ନିବଦ୍ଧ କରିବା ଅସମ୍ଭବ ହୋଇ ଯାଇଥିବ।

ବିବର୍ତ୍ତନ ପ୍ରକ୍ରିୟା କେବଳ ମନୁଷ୍ୟ ନୁହେଁ, ଅନ୍ୟ ପ୍ରାୟ ସମସ୍ତ ପ୍ରାଣୀମାନଙ୍କୁ ଏମିତି ପ୍ରସ୍ତୁତ କରିଛି ଯେ ସେମାନେ ଅତୀତରୁ ଶିକ୍ଷା ଲାଭ କରି ଭବିଷ୍ୟତରେ ନିରାପଦ ରହିବା ପାଇଁ ବା ଲାଭବାନ୍‌ ହେବା ପାଇଁ ନିଜର ବର୍ତ୍ତମାନର ଆଚରଣକୁ ନିୟନ୍ତ୍ରିତ କରନ୍ତି। ରବିବାର ଦିନ ପିକ୍‌ନିକ୍‌ରେ ଯିବା କଥା ଭାବି ଶୁକ୍ରବାର ଦିନ ଅଧିକ ଦୁଇ ଘଣ୍ଟା ଖଟିବାକୁ ପଛାନ୍ତି ନାହିଁ; ସନ୍ଧ୍ୟାରେ ସିନେମା ଯିବା କଥା ଭାବି ଖରାବେଳେ ଗଦାଏ ବାସନ ମାଜି ଦେବାକୁ ବୋଝ ଭଳି ମନେ କରନ୍ତି ନାହିଁ…। ଅତୀତରେ ଗାଡ଼ି ଫେଲ୍‌ ହୋଇଥିବା ମନେ ପକାଇ ଏଥର ସଅଳ ଘରୁ ବାହାରନ୍ତି, ଅତୀତରେ ବର୍ଷାରେ ଓଦା ହେବା ମନେ ପକାଇ ଏଥର ସାଙ୍ଗରେ ଛତା ନେଇ ବାହାରନ୍ତି…। କେତେବେଳେ କେମିତି ହୁଏତ ଅତୀତ ଓ ଭବିଷ୍ୟତର ଚାପରୁ ମୁକୁଳିବା ପାଇଁ କବାଟ କିଳି କେବଳ ବର୍ତ୍ତମାନକୁ ଆଲିଙ୍ଗନ କରିବା ଆଶ୍ବସ୍ତି ଦେଇପାରେ, କିନ୍ତୁ ଲକ୍‌ଡାଉନ୍‌-ସୃଷ୍ଟ ବର୍ତ୍ତମାନର ଏକାଧିପତ୍ୟ କିଭଳି ଅସହ୍ୟ ହୋଇ ତାକୁ ଚରମ ଅସ୍ବସ୍ତିରେ ପରିଣତ କରି ଦେଇ ପାରେ, ତାହା ଏବେ ଯେ କୌଣସି ‘ବର୍ତ୍ତମାନ-ମୁକ୍ତ’ଙ୍କୁ ପଚାରିଲେ ସାବ୍ୟସ୍ତ ହେବ- ସିଦ୍ଧାର୍ଥ ଗୌତମ୍‌, େଵଲ୍‌ ଓ ଆଇନ୍‌ଷ୍ଟାଇନ୍‌ଙ୍କୁ କ୍ଷମା ପ୍ରାର୍ଥନା ସହିତ।

ସମ୍ବନ୍ଧିତ ଖବର