ସାମ୍ରାଜ୍ୟ କାହାକୁ କୁହାଯାଏ? ଏକ ସାମ୍ରାଜ୍ୟର ଦୁଇଟି ମୁଖ୍ୟ ଚରିତ୍ର ଥାଏ ବୋଲି ଐତିହାସିକମାନେ କହନ୍ତି। ପ୍ରଥମ, ଏକ ସାମ୍ରାଜ୍ୟରେ ସମ୍ପୂର୍ଣ୍ଣ ଅଲଗା ଅଲଗା ଜାତୀୟତା ପରିଚୟ ବହନ କରୁଥିବା ଜନସମୁଦାୟମାନ ଅନ୍ତର୍ଭୁକ୍ତ ଥିବେ, ଯେଉଁମାନଙ୍କର ସ୍ବତନ୍ତ୍ର ସା˚ସ୍କୃତିକ ପରିଚୟ ଏବ˚ ଭୌଗୋଳିକ ଇଲାକା ରହିଥିବ। ଏଭଳି କେତୋଟି ଇଲାକା ନିଜର ନିୟନ୍ତ୍ରଣରେ ରହିଲେ, ଏକ ରାଇଜକୁ ସାମ୍ରାଜ୍ୟର ମର୍ଯ୍ୟାଦା ପ୍ରଦାନ କରାଯିବ, ତା’ର କୌଣସି ନିର୍ଦ୍ଦିଷ୍ଟ ସ˚ଖ୍ୟା ନ ଥିଲେ ହେଁ, ସେଇ ଐତିହାସିକମାନଙ୍କ ମତରେ ଅନ୍ତତଃ ଡଜନେ ସରିକି ଏଭଳି ଇଲାକା ଉପରେ ପ୍ରଭୁତ୍ବ ବିସ୍ତାର କରିପାରିଲେ ସମ୍ପୃକ୍ତ ରାଷ୍ଟ୍ର ନିଜକୁ ଏକ ସାମ୍ରାଜ୍ୟ ରୂପେ ଗର୍ବ କରିପାରିବ। ଦ୍ବିତୀୟ, ଏକ ସାମ୍ରାଜ୍ୟର ସୀମାରେଖା ନମନୀୟ ବା ପରିବର୍ତ୍ତନଶୀଳ ହୋଇଥାଏ, କାରଣ ସେ ସାମ୍ରାଜ୍ୟ ସର୍ବଦା ନୂତନ ଇଲାକା ଗିଳିବା ପାଇଁ ଟାକି ବସିଥାଏ।
ଏହି ଦୁଇ ମାପକାଠି ପ୍ରୟୋଗ କଲେ ଚୀନ୍ ବି˚ଶ ଶତାବ୍ଦୀର ମଧୢଭାଗ ଠାରୁ ଏକ ସାମ୍ୟବାଦୀ ଦେଶ ରୂପେ ପରିଚିତ ହୋଇ ଆସିଥିଲେ ହେଁ, ତା’ର ଅନ୍ତର୍ନିହିତ ପ୍ରବୃତ୍ତି ଅନୁସାରେ ସେ ଯେ ଏକ ସାମ୍ରାଜ୍ୟବାଦୀ ଦେଶ, ଏଥିରେ କୌଣସି ସନ୍ଦେହ ରହେ ନାହିଁ। ଚୀନ୍ର ବିଶାଳ ଜନସ˚ଖ୍ୟାର ପ୍ରାୟ ୯୨ ଶତା˚ଶ ଗୋଟିଏ ମାତ୍ର ସା˚ସ୍କୃତିକ ପରିଚୟ ବହନ କରନ୍ତି: ହାନ୍। ଏମାନଙ୍କ ବ୍ୟତୀତ ତିବ୍ବତ, ଜିନ୍ଜିଆଙ୍ଗ ଏବ˚ ଇନର୍ ମଙ୍ଗୋଲିଆ ଭଳି ଇଲାକାମାନଙ୍କରେ କିଛି ସ˚ଖ୍ୟକ ଭିନ୍ନ ସା˚ସ୍କୃତିକ ପରିଚୟ ବହନ କରୁଥିବା ‘ପ୍ରଜା’ମାନେ ବାସ କରୁଥିଲେ ହେଁ (ତିବ୍ବତୀୟ, ଉଇଘୁର୍, ମଙ୍ଗୋଲ), ତାହା ଚୀନ୍କୁ ଏକ ସାମ୍ରାଜ୍ୟର ମର୍ଯ୍ୟାଦା ଦେବା ପାଇଁ ଯଥେଷ୍ଟ ନୁହେଁ। ଚୀନ୍ର ବିଶାଳ ଭୂ-ଖଣ୍ତକୁ ଚିହ୍ନିତ କରୁଥିବା ସୀମା ସେପଟେ କିନ୍ତୁ ଅନେକଗୁଡ଼ିଏ ସ୍ବାଧୀନ ସାର୍ବଭୌମ ଦେଶରେ ସ୍ବତନ୍ତ୍ର ସା˚ସ୍କୃତିକ ପରିଚୟ-ଧାରଣକାରୀ ଜନସମୁଦାୟମାନେ ନିଜ ନିଜର ସ୍ବାଧୀନ ସତ୍ତା ଉପଭୋଗ କରୁଛନ୍ତି। ଏକ ସାମ୍ରାଜ୍ୟବାଦୀ ଶକ୍ତି ପାଇଁ ଏହାଠାରୁ ଆଉ ବଡ଼ ପ୍ରଲୋଭନ କ’ଣ ହୋଇପାରେ? ତେଣୁ ସାରା ପୃଥିବୀ ଯେତେବେଳେ ସେଇ ଚୀନ୍ରୁ ଆଗତ କରୋନା ଭୂତାଣୁ ସହିତ ଲଢ଼ିବାରେ ବ୍ୟସ୍ତ, ସେଇ ସମୟରେ ତା’ର ସୁଯୋଗ ନେଇ ଚୀନ୍ ଭାରତର ଲାଦାଖ୍ରୁ ଆରମ୍ଭ କରି ରୁଷିଆର ଭ୍ଲାଡିଭଷ୍ଟକ୍ ପର୍ଯ୍ୟନ୍ତରେ ସାମରିକ ଅନୁପ୍ରବେଶ ଦ୍ବାରା ସାମ୍ରାଜ୍ୟ ବିସ୍ତାର କରିବାକୁ ଉଦ୍ୟମ କରିବା ଦେଖାଯାଇଛି। ହ˚କ˚, ତାଇଵାନ୍ ଓ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳ ଉପରେ ଚୀନ୍ର ଲୋଲୁପ ଦୃଷ୍ଟି ସେ ଅଞ୍ଚଳମାନଙ୍କରେ ତୀବ୍ର ଉତ୍ତେଜନା ସୃଷ୍ଟି କରି ଆନ୍ତର୍ଜାତିକ ଶାନ୍ତି ଭଙ୍ଗର ସମ୍ଭାବନାକୁ ଜନ୍ମ ଦେଇଛି।
ଚୀନ୍ ସହିତ ସୁଦୀର୍ଘ ପ୍ରାୟ ୩,୫୦୦ କିମି ସୀମା ସହଭାଗିତା କରୁଥିବା ଭାରତ ୧୯୬୨ ଠାରୁ ବାରମ୍ବାର ଚୀନ୍ ଦ୍ବାରା ସାମରିକ ଅନୁପ୍ରବେଶର ସମ୍ମୁଖୀନ ହୋଇଆସିଛି। ତେଣୁ ଚୀନ୍ର ସାମ୍ରାଜ୍ୟବାଦୀ ପ୍ରବୃତ୍ତିରେ ଅଙ୍କୁଶ ଲଗାଇବା ଯାହା ପାଇଁ ବିଶେଷ ଗୁରୁତ୍ବ ବହନ କରେ ଏବ˚ ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଜରୁରୀ ହୋଇପଡ଼ିଛି, ସେ ହେଉଛି ଭାରତ। ଭାରତ ଏକାକୀ ଏଥିପାଇଁ ଚୀନ୍କୁ ଲଗାମ ଦେବାକୁ ଚେଷ୍ଟା କରିବା ଅପେକ୍ଷା, ଯଦି ଭାରତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ଦେଶମାନଙ୍କ ସହିତ ମିଳିତ ହୋଇ ଚୀନ୍ର ମୁକାବିଲା କରିବାକୁ ଚେଷ୍ଟା କରନ୍ତା, ତାହା ଯେ ନିଶ୍ଚିତ ରୂପେ ଅଧିକ ଫଳପ୍ରଦ ହୁଅନ୍ତା, ଏଥିରେ କୌଣସି ସନ୍ଦେହ ନାହିଁ। ଏବେ ମାର୍ଚ୍ଚ ୧୨ ତାରିଖରେ ଯେଉଁ ‘କ୍ବାଡ୍ରିଲାଟରାଲ୍ ସିକ୍ୟୁରିଟି ଡାଏଲଗ୍’ ବା ‘କ୍ବାଡ୍’ର ସର୍ବପ୍ରଥମ ଚତୁର୍ଦ୍ଦେଶୀୟ ଭର୍ଚୁଆଲ ଶୀର୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ତାହା ଖୋଲାଖୋଲି ଭାବରେ ଚୀନ୍ର ନାଁ ଧରି ନ ଥିଲେ ମଧୢ, କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ କଥା କହିନଥିଲେ ମଧୢ, ତତ୍କ୍ଷଣାତ୍ ଚୀନ୍ ପକ୍ଷରୁ ଯେଉଁଭଳି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ତାହା ‘ଠାକୁର ଘରେ କିଏ? ମୁଁ କଦଳୀ ଖାଇନାହିଁ’ ଭଳି ଚୀନ୍ର ସାମ୍ରାଜ୍ୟବାଦୀ ମନ୍ଦ ଉଦ୍ଦେଶ୍ୟକୁ ସ୍ପଷ୍ଟ କରି ଧରା ପକାଇ ଦେଇଥାଏ।
ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାର ଶାସନ ମୁଖ୍ୟମାନେ (ମୋଦୀ, ସୁଗା, ମରିସନ୍ ଓ ବାଇଡେନ୍) ଏହି ଭର୍ଚୁଆଲ ବୈଠକରେ ମିଳିତ ହୋଇ ଏକ ମୁକ୍ତ, ସ୍ବାଧୀନ, ଅନ୍ତର୍ଭୁକ୍ତକାରୀ, ସୁସ୍ଥ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତିଷ୍ଠା ପାଇଁ ଆହ୍ବାନ ଦେଇ କହିଥିଲେ ଯେ ଏହାର ମୂଳ ଭିତ୍ତି ହେବ ଗଣତାନ୍ତ୍ରିକ ଏବ˚ ସମସ୍ତ ପ୍ରକାର ଚାପରୁ ମୁକ୍ତ। ‘କ୍ବାଡ୍’ର ଏହି ଆଭିମୁଖ୍ୟ ଚୀନ୍କୁ ଏପରି ବିବ୍ରତ କରି ପକାଇଛି ଯେ ଚୀନା ସରକାରଙ୍କ ମୁଖପତ୍ର ରୂପେ ପରିଚିତ ସମ୍ବାଦପତ୍ର ‘ଗ୍ଲୋବାଲ୍ ଟାଇମ୍ସ’ ଏହା ବିରୋଧରେ ବିଷୋଦ୍ଗାର କରି ମନ୍ତବ୍ୟ ପ୍ରଦାନ କରିଛି ଯେ ଉପରୋକ୍ତ ଚାରି ଦେଶ ଚୀନ୍ ପଟରୁ ଏ ଅଞ୍ଚଳ ପ୍ରତି ବିପଦ ରହିଛି ବୋଲି ଏକ ମିଥ୍ୟା ଆତଙ୍କ ସୃଷ୍ଟି କରିବାକୁ ବାହାରି ପଡ଼ିଛନ୍ତି। ‘କ୍ବାଡ୍’ ସଦସ୍ୟ ଦେଶମାନଙ୍କର ମିଳିତ ବିବୃତି ପ୍ରକାଶ ପୂର୍ବରୁ ଚୀନ୍ ପ୍ରଚାର କରିବାରେ ଲାଗିଥିଲା ଯେ ଏ ଚାରିଦେଶ ମଧୢରେ କୌଣସି ଅନ୍ତର୍ନିହିତ ସ˚ହତି ନାହିଁ ଓ ଏହା ଏକ ଗୁରୁତ୍ବହୀନ ଔପଚାରିକ ଗୋଷ୍ଠୀ ମାତ୍ର। କିନ୍ତୁ ସତକୁ ସତ ଏ ଦେଶମାନଙ୍କ ମଧୢରେ ଏକ ଶୀର୍ଷ ସମ୍ମିଳନୀ ଘଟି ମିଳିତ ବିବୃତି ପ୍ରକାଶ ପାଇବା ପରେ ଚୀନ୍ର ସେଭଳି ଦିବା ସ୍ବପ୍ନରେ ଅନ୍ତ ଘଟିଥିବା ନିଶ୍ଚିତ।
ସେମାନଙ୍କର ଏହି ସହଯୋଗ କେବଳ ଏହି ଅଶରୀରୀ ଭର୍ଚୁଆଲ ମିଳନରେ ଯେ ସୀମିତ, ତାହା ମଧୢ ନୁହେଁ, ୨୦୨୧ ଶେଷ ସୁଦ୍ଧା ଏହି ଚାରି ତୁଙ୍ଗ ନେତା ଏକ ବାସ୍ତବ ସମ୍ମିଳନୀରେ ସଶରୀରେ ମଧୢ ଉପସ୍ଥିତ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତା’ବ୍ୟତୀତ ଶୀର୍ଷ ସମ୍ମିଳନୀରେ ସ୍ଥିର ହୋଇଥିବା ଲକ୍ଷ୍ୟ ସବୁ ହାସଲ ଦିଗରେ କାର୍ଯ୍ୟ କରିବା ପାଇଁ ତିନିଗୋଟି ନିର୍ଦ୍ଦିଷ୍ଟ କାର୍ମିକ ଗୋଷ୍ଠୀ ବା ‘ଵାର୍କିଙ୍ଗ ଗ୍ରୁପ୍’ ମଧୢ ପ୍ରତିଷ୍ଠା କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇ ଏହା ପଛରେ ନିହିତ ଆନ୍ତରିକତାକୁ ସ୍ପଷ୍ଟ କରିଛି। କେବଳ ଯେ ଏହି ଅଞ୍ଚଳକୁ କୌଣସି ଶକ୍ତିର ନିୟମ ବହିର୍ଭୂତ, ଅଗଣତାନ୍ତ୍ରିକ ବାହୁବଳୀ ଚାପରୁ ମୁକ୍ତ ରଖିବା ପାଇଁ ‘କ୍ବାଡ୍’ ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିବ, ତାହା ନୁହେଁ, ଏଥି ସହିତ ପରିବେଶ ସୁରକ୍ଷା, ଗୁରୁତ୍ବପୂର୍ଣ୍ଣ ଅତ୍ୟାଧୁନିକ ଟେକ୍ନୋଲୋଜି ଆଦି କ୍ଷେତ୍ରକୁ ସୁରକ୍ଷିତ ରଖିବା ଦିଗରେ ମଧୢ ‘କ୍ବାଡ୍’ ସଦସ୍ୟମାନେ କାର୍ଯ୍ୟ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।
ଏଥିରେ କେଉଁଠି ହେଲେ ଚୀନ୍ର ନାମ ଉଲ୍ଲେଖ ହୋଇନଥିଲେ ମଧୢ, ଦକ୍ଷିଣ ଚୀନ୍ ସାଗରରେ ଜାତିସ˚ଘର ସମସ୍ତ ନିର୍ଦ୍ଦେଶକୁ ତାଚ୍ଛଲ୍ୟ କରି ଚୀନ୍ ସେଠାରେ ଯେପରି ଜବର ଦଖଲ କାର୍ଯ୍ୟକଳାପ ଜାରି ରଖିଛି, ତାକୁ ବୁଝିବାକୁ ବାକି ନ ଥିବ ଯେ ‘କ୍ବାଡ୍’ ତାହା ପ୍ରତିହତ କରିବା ପାଇଁ ହିଁ ସ˚କଳ୍ପ ନେଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ସୁରକ୍ଷା ପ୍ରସଙ୍ଗ ମୁଖ୍ୟତଃ ଚୀନ୍ର ହୁଆେଵ ଭଳି କମ୍ପାନିମାନଙ୍କର ଗୁପ୍ତଚର ବୃତ୍ତି ପ୍ରତି ଉଦ୍ଦିଷ୍ଟ, ଏହା ଚୀନ୍କୁ ବେଶ୍ ଜଣା। କଟା ଘା’ରେ ଚୂନ ଭଳି ବିଶ୍ବବାସୀଙ୍କୁ ଚୀନା କରୋନା କବଳରୁ ରକ୍ଷା କରିବା ପାଇଁ ‘କ୍ବାଡ୍’ରେ ଯେଉଁ ଟିକାକରଣ ଅଭିଯାନର ପରିକଳ୍ପନା କରାଯାଇଛି, ସେଥିରେ କେନ୍ଦ୍ରରେ ସ୍ଥାପନ କରାଯାଇଛି ଭାରତକୁ। ‘ଏକତାରେ ବଳ’ ନୀତି ଅନୁସରଣ କରି ଭାରତ ଏହି ‘କ୍ବାଡ୍’ର ଶକ୍ତି ବୃଦ୍ଧି ପାଇଁ ସର୍ବମତେ ଉଦ୍ୟମ ଜାରି ରଖିବା ଏକାନ୍ତ ଆବଶ୍ୟକ।