ଗ୍ରୀକ୍ ପୁରାଣରେ ସିସିଫସ ନାମକ ଏଭଳି ଜଣେ ମରଣଶୀଳ ମାନବ ଚରିତ୍ରଙ୍କୁ ଦେଖିବାକୁ ମିଳିଥାଏ, ଯିଏ ଦେବତାମାନଙ୍କ କୋପର ଶିକାର ହୋଇ ଲାଭ କରିଥିବା ଦଣ୍ତ ଅନୁସାରେ ପାତାଳର ଅତଳ ଗର୍ଭରେ ଥିବା ଏକ ପାହାଡ଼ର ପାଦ ଦେଶରୁ ଗୋଟିଏ ବିଶାଳକାୟ ପ୍ରସ୍ତର ଖଣ୍ତକୁ ଠେଲି ଠେଲି ପର୍ବତର ଚୂଡ଼ାକୁ ନେବେ, ଯାହା କିନ୍ତୁ ସେଠାରେ ପହଞ୍ଚିବା ମାତ୍ରକେ ପୁଣି ଅବଲୀଳା କ୍ରମେ ତଳକୁ ଗଡ଼ି ଆସି ସିସିଫସଙ୍କୁ ପୁନର୍ବାର ସେହି କାର୍ଯ୍ୟ କରିବାକୁ ବାଧୢ କରିବ। ଏହି ଦଣ୍ତଟିରେ ଯେଉଁ ଉପାଦାନଟି ନିହିତ ରହି ଯେ କୌଣସି ମନୁଷ୍ୟର ଆତ୍ମାକୁ ଚୂର୍ଣ୍ଣ କରିଦେବାର ସାମର୍ଥ୍ୟ ବହନ କରିଥିଲା, ତାହା ହେଉଛି ସିସିଫସଙ୍କ ଏଭଳି କାର୍ଯ୍ୟ ଅନନ୍ତ କାଳ ଯାଏ ଗଡ଼ି ଚାଲିବା ଭଳି ଦୈବୀ ଆଦେଶ। ସୁତରା˚, ଏବେ ମଧୢ ପାତାଳରେ ସିସିଫସ ଅତିକାୟ ପ୍ରସ୍ତର ଖଣ୍ତଟିକୁ ଠେଲି ଶିଖରରେ ପହଞ୍ଚାଇବା ଭଳି ଅବିଶ୍ରାନ୍ତ ଉଦ୍ୟମରେ ବ୍ୟସ୍ତ ଥିବା ସମ୍ଭବ! ତେବେ ଏହି ସ୍ତମ୍ଭର ଅନେକ ପାଠକ-ପାଠିକାମାନଙ୍କ ମନରେ କୌତୂହଳ ଜାତ ହୋଇପାରେ ଯେ ଆଜି ପ୍ରାରମ୍ଭରେ ସିସିଫସଙ୍କ ଉପାଖ୍ୟାନକୁ ନେଇ ଏଭଳି ଚର୍ଚ୍ଚା କାହିଁକି? ଏହାର କାରଣ ଗଲା ୧୪ ତାରିଖରେ ଏହି ଖବରକାଗଜରେ ପ୍ରକାଶ ପାଇଥିବା ଏକ ସମ୍ବାଦ ଯହିଁରେ ପଢ଼ିବାକୁ ମିଳିଛି ଯେ ଢେଙ୍କାନାଳ ଜିଲ୍ଲାର ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ ନାମଧାରୀ ଜଣେ ପଞ୍ଚଷଠି ବର୍ଷ ବୟସ୍କ ପ୍ରବୃଦ୍ଧ ପ୍ରାୟ ଏକ ସିସିଫସୀୟ ଉଦ୍ୟମ କରିବା ସହିତ ପର୍ବତର ଶିଖରରେ ପଥରଟିକୁ ଠିକଣା ଭାବେ ସ୍ଥାପନ କରିପାରିବାରେ ସମର୍ଥ ହୋଇଛନ୍ତି, ଯାହା ଏ ଯାବତ୍ ଗ୍ରୀକ୍ ପୁରାଣର ଚରିତ୍ରଜଣଙ୍କ ଭାଗ୍ୟରେ ଜୁଟି ପାରିନାହିଁ।
ଗଣମାଧୢମରେ ପ୍ରକାଶିତ ହୋଇଛି ଯେ ତ୍ରିଲୋଚନ ବାବୁ ୧୯୭୨ ମସିହାରେ ପ୍ରଥମ ଥର ଲାଗି ମାଟ୍ରିକ ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହେବା ଉତ୍ତାରେ ପରବର୍ତ୍ତୀ ୨୧ ବର୍ଷ ସମୟ ଖଣ୍ତରେ ଲଗାତାର ୪୧ ଥର ଉଦ୍ୟମ କରି ପରିଶେଷରେ ୧୯୯୩ ମସିହାରେ ସଫଳ ହୋଇଥିଲେ। ତା’ ପରେ ଇଣ୍ଟରମିଡିଏଟ୍ ସ୍ତର ପାର ହେବା ଲାଗି ସେ ୧୯୯୭ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ଦଶ ବର୍ଷର ସମୟ ଏବ˚ ୧୬ଟି ଉଦ୍ୟମର ଆଶ୍ରା ନେଇଥିଲେ। ତା’ ପରେ ତିନି ବର୍ଷ କାଳ ସ୍ନାତକ ଶିକ୍ଷା ଏବ˚ ତା’ ଉତ୍ତାରେ ଆଉ ତିନି ବର୍ଷର ଆଇନ ଶିକ୍ଷାକୁ ଗୋଟିଏ ଗୋଟିଏ ଥରର ଉଦ୍ୟମ ବଳରେ ୨୦୨୦ ମସିହାରେ ସମାପ୍ତ କରିବା ସହିତ ସ˚ପ୍ରତି ହାଇକୋର୍ଟ ବାର ଆସୋସିଏସନ୍ର ଜଣେ ସଦସ୍ୟ ଭାବେ ପ˚ଜିକୃତ ହୋଇଛନ୍ତି। କହିବା ଅନାବଶ୍ୟକ ଯେ ଜଣେ ସାଧାରଣ ଛାତ୍ର ଯେଉଁ ସବୁ ଡିଗ୍ରୀ ମାତ୍ର ଆଠ ବର୍ଷର ସମୟ କାଳ ମଧୢରେ ହାସଲ କରନ୍ତା, ସେତକ ଲାଗି ତ୍ରିଲୋଚନ ବାବୁ ବ୍ୟୟ କରିଛନ୍ତି ତାଙ୍କ ଜୀବନର ଦୀର୍ଘ ଅଣଚାଶ ବର୍ଷ ବା ପ୍ରାୟ ଗୋଟିଏ ଅର୍ଦ୍ଧ ଶତାବ୍ଦୀର ସମୟ। ଗ୍ରୀକ୍ ପୁରାଣରେ ସିସିଫସଙ୍କ ଉପାଖ୍ୟାନ ସମ୍ବନ୍ଧରେ ଯେଉଁଭଳି ବର୍ଣ୍ଣନା ରହିଛି, ତହିଁରୁ ଏକ ଧାରଣା ସୃଷ୍ଟି ହୋଇଥାଏ ଯେ ପାତାଳ ଗର୍ଭରେ ନିରବଚ୍ଛିନ୍ନ ଉଦ୍ୟମରତ ଥିବା ସିସିଫସ ସେଠାରେ ଏକୁଟିଆ ହିଁ ଥିଲେ ଏବ˚ ତାଙ୍କ ମନରେ ହତାଶାବୋଧ ସୃଷ୍ଟି କରିବା ଲାଗି ଚତୁଃପାର୍ଶ୍ବରେ କୌଣସି ବିଦ୍ରୂପକାରୀ ଅନ୍ତତଃ ନ ଥିଲେ; କିନ୍ତୁ ଖୁବ୍ ସମ୍ଭବ ତ୍ରିଲୋଚନ ବାବୁ ସେଭଳି ଭାଗ୍ୟ ଲାଭ କରି ନ ଥିବେ! ଏକ ଇ˚ରେଜୀ ଦୈନିକରେ ପ୍ରକାଶିତ ତାଙ୍କ ଅନୁଭୂତିରୁ ଜଣାପଡ଼ିଥାଏ ଯେ ଲଗାତାର ଅନେକ ଥର ତାଙ୍କ ଲାଗି ମାଟ୍ରିକ ଫର୍ମ ପୂରଣ କରି ବିରକ୍ତ ହୋଇ ଯାଇଥିବା ବଣସି˚ହ ହାଇସ୍କୁଲ (ତାଙ୍କ ବିଦ୍ୟାଳୟର ଶିକ୍ଷକମାନଙ୍କ ମନ୍ତବ୍ୟ ତାଙ୍କୁ ନିଜର ଶେଷ ପର୍ଯ୍ୟାୟର ଉଦ୍ୟମଗୁଡ଼ିକୁ ‘ପତ୍ର ବିନିମୟ ଶିକ୍ଷା’(କରେସପନ୍ଡେନ୍ସ କୋର୍ସ୍) କାର୍ଯ୍ୟକ୍ରମ ଅଧୀନରେ ସ˚ପାଦନ କରିବାକୁ ବାଧୢ କରିଥିଲା। ତହିଁରେ ସେ ଆହୁରି ସ୍ମରଣ କରନ୍ତି ଯେ ତାଙ୍କ କନିଷ୍ଠ ପୁତ୍ର ଓ ସେ ଗୋଟିଏ ସମୟରେ ଗୋଟିଏ କଲେଜରେ ଇଣ୍ଟରମିଡିଏଟ୍ ପଢୁଥିବାରୁ ତାଙ୍କ ପୁଅ କଲେଜ ଯିବା ଛାଡ଼ିଦେବ ବୋଲି ଅଗତ୍ୟା ଘୋଷଣା ମଧୢ କରିଥିଲା। କିନ୍ତୁ ଏହା ମଧୢ ସତ ଯେ ପରିବାର ପକ୍ଷରୁ ତାଙ୍କୁ ଏ ଦିଗରେ ଅନେକ ସହଯୋଗ ମଧୢ ମିଳିଥିବ। ତେବେ, ଏ ସବୁକୁ ଅତିକ୍ରମ କରି ଯାହା ତ୍ରିଲୋଚନ ବାବୁଙ୍କ ଠାରେ ତତ୍କ୍ଷଣାତ୍ ଦୃଶ୍ୟମାନ ହୋଇଥାଏ, ତାହା ହେଲା ତାଙ୍କର ଅପରାଜେୟ ରହିବାର ଜିଦ୍; ଯେଉଁ କାରଣରୁ ଏକ ଦୀର୍ଘ ଓ କ୍ରମାନ୍ବୟ ବିଫଳତାର ଧାରା ମଧୢ ତାଙ୍କୁ ଏକ ମାନବ ଭଗ୍ନାବଶେଷରେ ପରିଣତ କରିପାରି ନ ଥିଲା।
ସିସିଫସ ଯେଉଁ କାରଣ ଲାଗି ଦଣ୍ତିତ ହୋଇଥିଲେ, ତାହା ଥିଲା ‘ମୃତ୍ୟୁ’କୁ ଶୃଙ୍ଖଳ ଦ୍ବାରା ବାନ୍ଧି ପକାଇ ମନୁଷ୍ୟ ଜାତିକୁ କିଛି କାଳ ଲାଗି ଅମର କରି ରଖିବା ଏବ˚ ପରବର୍ତ୍ତୀ କାଳରେ ମୃତ୍ୟୁକୁ ଠକି ଦେଇ ଅନେକ ବର୍ଷ ଯାଏ ମର୍ତ୍ତ୍ୟରେ ଜୀବିତ ରହିବା। ସ୍ବାଭାବିକ ଭାବେ ଏଭଳି ନିୟମ ଉଲ୍ଲ˚ଘନକାରୀ କାର୍ଯ୍ୟ ଈଶ୍ବରମାନଙ୍କୁ କ୍ଷୁବ୍ଧ କରିଥିଲା, ଯେଉଁଥି ଲାଗି ସେମାନେ ସିସିଫସଙ୍କ ଲାଗି ଏଭଳି ଏକ ଅଭିନବ ଦଣ୍ତର ବ୍ୟବସ୍ଥା କରିଥିଲେ, ଯହିଁରେ ତାଙ୍କର ମୃତ୍ୟୁ ହେବ ନାହିଁ ସତ, କିନ୍ତୁ ଅନନ୍ତକାଳୀନ ନିଷ୍ଫଳ ଉଦ୍ୟମର ହତାଶାବୋଧ ତାଙ୍କୁ ଏଭଳି ବିଧ୍ବସ୍ତ କରିଦେବ ଯେ ସେ ସମ୍ଭବତଃ ମୃତ୍ୟୁ ଲୋଡ଼ିବେ। କିନ୍ତୁ ଏହାର ବିପରୀତରେ ଯାହା ଦେଖିବାକୁ ମିଳିଥିଲା ତାହା ହେଉଛି ସିସିଫସ ନିଜର ଦୁଃସ୍ଥିତି ବାବଦରେ କୌଣସି ପ୍ରଶ୍ନ ନ କରି ନିଷ୍ଫଳ ଉଦ୍ୟମରେ ମଧୢ ଏକ ଅର୍ଥ ଖୋଜି ନେଲେ। ପାହାଡ଼ ଶିଖରରୁ ପଥରଟି ତଳକୁ ଗଡ଼ି ଆସିଲା ପରେ ତାକୁ ପୁଣି ଉପରକୁ ଠେଲିବା ସକାଶେ ଓହ୍ଳାଉଥିବା ବେଳେ ସିସିଫସ ହୁଏ’ତ କ୍ଳାନ୍ତି ଅପନୋଦନର କିଛି କ୍ଷଣ ଲାଭ କରି ପୁଲକିତ ହେଉଥିବେ ଅଥବା ପ୍ରସ୍ତର ଖଣ୍ତକୁ ପ୍ରତି ଥର ଶିଖରରେ ପହଞ୍ଚାଇବାକୁ ଏକ ସଫଳତା ରୂପେ ବିଚାର କରି ପ୍ରତିଟି ଉଦ୍ୟମକୁ (ତାହା ନିଷ୍ଫଳ ହୋଇଥିବା ସତ୍ତ୍ବେ) ଉତ୍ସବାୟିତ କରୁଥିବେ। ପ୍ରଣିଧାନଯୋଗ୍ୟ ଯେ ସିସିଫସ ତାଙ୍କର ପ୍ରେରଣାହୀନ, ନିଷ୍ଫଳ ଏବ˚ ଅତ୍ୟନ୍ତ କଷ୍ଟସାଧୢ ଉଦ୍ୟମର ନିରବଚ୍ଛିନ୍ନ କ୍ରମ ମଧୢରେ ହତାଶା ଜର୍ଜରିତ ନ ହୋଇ ଅଥବା ଏଭଳି ଭାଗ୍ୟ ଭୋଗରୁ ମୁକ୍ତିି ପାଇବା ଲାଗି ବ୍ୟାକୁଳ ପ୍ରାର୍ଥନା ନ କରି ବା ଆତ୍ମହତ୍ୟା ଭଳି ପଥକୁ ବାଛି ନ ନେଇ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ, ତାହା ପ୍ରକୃତରେ ଈଶ୍ବରଙ୍କ ଉଦ୍ଦେଶ୍ୟକୁ ପଣ୍ତ କରିବା ସହିତ ତାଙ୍କୁ ଅପରାଜେୟରେ ପରିଣତ କରିଥିଲା। ଏହି ଆଧାରରେ ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ତ୍ରିଲୋଚନ ବାବୁଙ୍କ ଠାରେ ମଧୢ ଆମ୍ଭେମାନେ ଏକ ସିସିଫସୀୟ ଔଜ୍ଜଲ୍ୟ ଦେଖିବାକୁ ପାଇଥାଉ।
ଆଉ ପ୍ରାୟ ଦେଢ଼ ମାସ ପରେ ଆମ ରାଜ୍ୟର ସ୍କୁଲଗୁଡ଼ିକରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ସ˚ପ୍ରତି ଯାହା ଦେଖିବାକୁ ମିଳୁଛି, ତାହା ହେଲା କୌଣସି ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ମାତ୍ରକେ ଛାତ୍ରଛାତ୍ରୀମାନେ ହତାଶାବୋଧ ଦ୍ବାରା ଏଭଳି ମୁହ୍ୟମାନ ହେଉଛନ୍ତି ଯେ ସେମାନଙ୍କ ମଧୢରୁ କେତେକ ଆତ୍ମହତ୍ୟା କରିବାକୁ ମଧୢ ପଶ୍ଚାତ୍ପଦ ହେଉ ନାହାନ୍ତି। କିନ୍ତୁ ତ୍ରିଲୋଚନ ବାବୁଙ୍କ ଉଦାହରଣ ଆମମାନଙ୍କୁ ଦେଖାଇ ଦେଇ ନାହିଁ କି ଯେ ପ୍ରକୃତରେ ପରୀକ୍ଷାରେ (ଯେ କୌଣସି କାର୍ଯ୍ୟରେ) ଅକୃତକାର୍ଯ୍ୟ ହେବା ପରାଜୟର ସ˚କେତ ନୁହେଁ; ବର˚ ହତାଶା ଜର୍ଜରିତ ହୋଇ ବିଫଳତାକୁ ସଫଳତାରେ ପରିଣତ କରିବା ଲାଗି ଆବଶ୍ୟକ ସଘନ ଉଦ୍ୟମରୁ ବିରତ ହେବାରେ ପ୍ରକୃତ ପରାଜୟ ନିହିତ ଥାଏ। ତ୍ରିଲୋଚନ ବାବୁ ବର୍ତ୍ତମାନ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଆମ ପାଖରେ ଏମିତି ଜଣେ ପରିଚିତ ସିସିଫସ ଥାଉଁ ଥାଉଁ ଆମକୁ କୌଣସି ବିଫଳତାଜନିତ ହତାଶାବୋଧ ତାର ବନ୍ଦୀରେ ପରିଣତ କରିବ କାହିଁକି?