ମିତ୍ର ଲାଭ!

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଵା ଜଣେ ସୈନିକ; ତେଣୁ ସ୍ଥିତିର ବାସ୍ତବତା ଦୃଷ୍ଟିରୁ ଟ୍ବିଟର ବା ଟେଲିଭିଜନ ଚ୍ୟାନେଲ୍‌ରେ ଯୁଦ୍ଧରେ ମାତୁ ଥିବା ଅସ˚ଖ୍ୟ ଭାରତୀୟ ଓ ପାକିସ୍ତାନୀ ‘ଟ୍ବିଟେରାଟି’(ଟ୍ବିଟରରେ ପ୍ରମତ୍ତ) ବା ‘ଆନ୍‌କୋର’ ବା ଉଭୟ ଦେଶର କେତେକ ରାଜନେତାଙ୍କ ଭଳି ଉଦ୍ଭଟ କଳ୍ପନାବିଳାସ ପ୍ରସୂତ ଆସ୍ଫାଳନଭରା ଯୁଦ୍ଧ˚ ଦେହି ଡାକରାରେ ସେ ପ୍ରବୃତ୍ତ ହେବା ଅସ୍ବାଭାବିକ ହୁଅନ୍ତା। କାରଣ ବାସ୍ତବତାଟି ହେଲା ସ˚ପ୍ରତି ପାକିସ୍ତାନ ଆର୍ଥିକ ରୂପେ ଏକ ଧ୍ବ˚ସ ସ୍ତୂପରେ ପରିଣତ ହୋଇଛି। ତେଣୁ ଗଲା ଗୁରୁବାର ଦିନ ପାକିସ୍ତାନରେ ଅନୁଷ୍ଠିତ ହୋଇଥିବା ‘ଇସଲାମାବାଦ ସିକ୍ୟୁରିଟି ଡାଇଲଗ୍‌’ ସମାବେଶରେ ସେନାମୁଖ୍ୟ ଜେନେରାଲ ବାଜଵା ପ୍ରଦାନ କରିଥିବା ମନ୍ତବ୍ୟରେ ଭାରତ ସହିତ ମିତ୍ରତା ସ୍ଥାପନ ସୁଲଭ ଆଭିମୁଖ୍ୟକୁ ପାକିସ୍ତାନର ଚୈତନ୍ୟ ଉଦୟର ଏକ ସ˚କେତ ଭାବେ ଦେଖାଯିବାରେ ବିଶେଷ ଅଯୌକ୍ତିକତା ନାହିଁ। କିନ୍ତୁ ଅତୀତରେ ଅନେକ ଥର ପାକିସ୍ତାନର ତତ୍କାଳୀନ ସାମରିକ ମୁଖ୍ୟମାନଙ୍କ ମୁହଁରୁ ଏତାଦୃଶ ମନ୍ତବ୍ୟମାନ ନିଃସୃତ ହୋଇ ଆଶା ଓ ଉତ୍ସାହ ସୃଷ୍ଟି କରିବା ଉତ୍ତାରେ ପୁଣି ତହିଁରେ ଅଚାନକ ଭଟ୍ଟା ପକାଇଲା ଭଳି ପାକିସ୍ତାନର ଭାରତ ବିରୋଧୀ ଅନ୍ତର୍ଘାତୀ କାର୍ଯ୍ୟକଳାପର ଦୃଷ୍ଟାନ୍ତ ଦୃଷ୍ଟିରୁ ବାଜଵାଙ୍କ ସଦ୍ୟ ପ୍ରକାଶିତ ଆଭିମୁଖ୍ୟକୁ ତୁରନ୍ତ ଗ୍ରହଣ କରି ନେବାରେ ମଧୢ କୁଣ୍ଠା ପ୍ରକାଶ ପାଇବା ସ୍ବାଭାବିକ। ତେବେ, ଯଦି ଏହା ଅଭିସନ୍ଧିମୂଳକ ବା ଭ୍ରମ ସୃଷ୍ଟିକାରୀ ହୋଇ ନ ଥାଏ, ତେବେ କହିବା ଅନାବଶ୍ୟକ ଯେ ଏହି ଉପମହାଦେଶର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ବାତାବରଣରେ ଏକ ପ୍ରଭାବଶାଳୀ ପରିବର୍ତ୍ତନ ଘଟିବାର ଆଶା ରହିଛି।

ସ୍ମରଣଯୋଗ୍ୟ ଯେ ପାକିସ୍ତାନର ସେନାମୁଖ୍ୟମାନଙ୍କ ମଧୢରେ ବିଶେଷ ପ୍ରତିପତ୍ତି ହାସଲ କରି ପାରିଥିବା ଜେନେରାଲ ଜିଆ ଉଲ୍‌ ହକ୍‌ ହୁଅନ୍ତୁ ବା ଜେ‌େନରାଲ ପରଭେଜ ମୁସାରଫ ହୁଅନ୍ତୁ; ଏମାନେ ବିଭିନ୍ନ ସମୟରେ ପ୍ରଦାନ କରିଥିବା ଅଭିବ୍ୟକ୍ତିର ପ୍ରତିଧ୍ବନି ବାଜଵା ସ˚ପ୍ରତି ପ୍ରଦର୍ଶନ କରିଥିବା ଆଭିମୁଖ୍ୟରେ ଶ୍ରୁତିଗୋଚର ହୋଇଛି। କିନ୍ତୁ ପରବର୍ତ୍ତୀ କାଳରେ ଦେଖିବାକୁ ମିଳିଛି ଯେ ଉପରୋକ୍ତ ସେନାପତି ଦ୍ବୟ ସାମରିକ ବିଦ୍ରୋହ କରି ପାକିସ୍ତାନର ଶାସନ ମୁଖ୍ୟ ହେବା ଉତ୍ତାରେ ସେମାନଙ୍କ ଶ˚ସିତ ଆଭିମୁଖ୍ୟର ଠିକ୍‌ ବିପରୀତ ଆଚରଣ ପ୍ରଦର୍ଶନ କରିଥିଲେ। ସ୍ମରଣଯୋଗ୍ୟ ଯେ ଜିଆ ଉଲ୍‌ ହକ୍‌ଙ୍କ ସମୟରେ କାଶ୍ମୀର ବିରୋଧୀ ଆତଙ୍କବାଦୀ (ଜିହାଦୀ ନାମରେ) କାରଖାନାର ଭିତ୍ତି ପଡ଼ିଥିଲା ଏବ˚ ମୁସାରଫଙ୍କ ସମୟରେ ଯାହା ଦେଖିବାକୁ ମିଳିଥିଲା, ତାହା ହେଲା ଆଫଗାନିସ୍ତାନରେ ସୋଭିଏତ୍‌ ବିରୋଧୀ ମୁଜାହିଦ୍ଦିନମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଦ୍ବାରା ପ୍ରେରିତ ବିପୁଳ ଅର୍ଥ ଓ ଅସ୍ତ୍ରଶସ୍ତ୍ରର ସ୍ରୋତକୁ କାଶ୍ମୀରରେ ଉପଦ୍ରବ କରୁଥିବା ଆତଙ୍କବାଦୀମାନଙ୍କ ଆଡ଼କୁ ମୁହାଁଇ ଦିଆଯାଇଥିଲା। କହିବା ବାହୁଲ୍ୟ ଯେ ପାକିସ୍ତାନ ସୃଷ୍ଟି ହେବା ପର ଠାରୁ ସେଠାକାର ରାଜନୈତିକ ଘୋଡ଼ା ‘କାଶ୍ମୀର ସମସ୍ୟା’ର ଦାନା ଉପରେ ହିଁ ଜୀବିତ ରହି ଆସିଛି। ସୁତରା˚, କାଶ୍ମୀର ସମସ୍ୟାର ଊର୍ଦ୍ଧ୍ବକୁ ଉଠି ପାକିସ୍ତାନ ଭାରତ ସହିତ ସୁସ˚ପର୍କ ସ୍ଥାପନ କରିବାର ଇଚ୍ଛା ପ୍ରକଟ କରୁଥିବା ସ˚ଦର୍ଭରେ ସ˚ଶୟବାଦୀମାନେ ବିଶେଷ ଉତ୍ସାହିତ ହୁଅନ୍ତି ନାହିଁ।

କିନ୍ତୁ ପାକିସ୍ତାନର ସା˚ପ୍ରତିକ ପରିସ୍ଥିତିକୁ ଗଭୀର ଭାବେ ଅନୁଧୢାନ କରୁଥିବା ପର୍ଯ୍ୟବେକ୍ଷକମାନେ ଜେ‌େନରାଲ ବାଜଵାଙ୍କ ଆଭିମୁଖ୍ୟକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାଆନ୍ତି। ସେମାନଙ୍କ ମତରେ ଜେନେରାଲ ଜିଆ ଉଲ୍‌ ହକ୍‌ ବା ଜେ‌େନରାଲ ମୁସାରଫଙ୍କ ସମୟର ପାକିସ୍ତାନ ସଂପ୍ରତି ଏକ ଆର୍ଥିକ ଭଗ୍ନାବଶେଷରେ ପରିଣତ ହୋଇଛି। କାଶ୍ମୀର ହାସଲ ସକାଶେ ଦୀର୍ଘ ସାତ ଦଶନ୍ଧି କାଳ ନିରନ୍ତର ଛଦ୍ମ ଯୁଦ୍ଧ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଲା ଭଳି କାର୍ଯ୍ୟରେ ନିଜର ସମସ୍ତ ଶକ୍ତି, ସାମର୍ଥ୍ୟ ଓ ସମ୍ବଳ ବ୍ୟୟ କରି ଆସିଥିବା ପାକିସ୍ତାନ ସ˚ପ୍ରତି ଏକ ମଧୢ-ଯୁଗୀୟ ଦରିଦ୍ର ଇସଲାମୀୟ ରାଷ୍ଟ୍ରରେ ପରିଣତ ହେବାର ଦ୍ବାର ଦେଶରେ। କେବଳ ସେତିକି ନୁହେଁ, ଆତଙ୍କବାଦୀ ଉତ୍ପାଦନକାରୀ କାରଖାନା ରୂପେ ଏହା ବିଶ୍ବ ସମୁଦାୟ ଦ୍ବାରା ସମାଲୋଚିତ, ଯେଉଁ କାରଣରୁ ପୂର୍ବରୁ ଏହା ଲାଭ କରି ଆସିଥିବା ଆନ୍ତର୍ଜାତିକ ସମର୍ଥନ ହରାଇଛି। କହିବା ବାହୁଲ୍ୟ ଯେ ଶୀତଳ ଯୁଦ୍ଧର ଅବସାନ ପରେ ପାକିସ୍ତାନ ତାର ପରମ ହିତୈଷୀ ଯୁକ୍ତରାଷ୍ଟ୍ର ଆମେରିକା ସକାଶେ ମଧୢ ଅଲୋଡ଼ା ହୋଇପଡ଼ିଥିଲା; ତା’ ପରେ ୨୦୦୧ ମସିହାରେ ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସ˚ପୃକ୍ତି ଏବ˚ ଏହି ଆକ୍ରମଣର ଷଡ୍‌ଯନ୍ତ୍ରର ମୁଖ୍ୟ ନାୟକ ଓସାମା ବିନ୍‌ ଲାଡେନ ପାକିସ୍ତାନରେ ଆତ୍ମଗୋପନ କରିବା ଲାଗି ଲାଭ କରିପାରିଥିବା ସୁଯୋଗ ଭଳି କାରଣରୁ ପାକିସ୍ତାନ ପ୍ରାୟ ଏକଘରିକିଆ ହୋଇ ପଡ଼ିଛି।

ସ˚ପ୍ରତି ଚୀନ, ତୁର୍କୀ ଓ ମାଲେସିଆ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରକୁ ପାକିସ୍ତାନ ତାର ବନ୍ଧୁ ରାଷ୍ଟ୍ର ବୋଲି ଦାବି କରି ପାରିବ ନାହିଁ। କିନ୍ତୁ ଏହା ମଧୢ ସତ ଯେ ଚୀନ ସହିତ ପାକିସ୍ତାନର ମିତ୍ରତା ଯେଉଁ ଭିତ୍ତି ଉପରେ ଅଧିଷ୍ଠିତ, ତହିଁରେ କେବଳ ଗୋଟିଏ ପଥର ଶକ୍ତମୂଳ ଥିବା ଭଳି ମନେ ହୋଇଥାଏ, ଯାହା ହେଲା ଭାରତ ସହିତ ସେମାନଙ୍କ ଶତ୍ରୁତା। ତା’ ନ ହେଲେ ରାଜନୈତିକ, ସାମାଜିକ ବା ସା˚ସ୍କୃତିକ ଦୃଷ୍ଟିକୋଣରୁ ଚୀନ ଓ ପାକିସ୍ତାନ ମଧୢରେ କୌଣସି ସାମ˚ଜସ୍ୟ ହିଁ ନାହିଁ। ପୁନଶ୍ଚ ପାକିସ୍ତାନ ତାର ଆର୍ଥିକ ବାଧୢବାଧକତା କାରଣରୁ ଚୀନ୍‌ର ଏକ ବଶମ୍ବଦ ରାଷ୍ଟ୍ରରେ ପରିଣତ ହୋଇଛି। ତେବେ, ଶ୍ରୀଲଙ୍କା ଭଳି ପାକିସ୍ତାନର ମଧୢ ଚୈତନ୍ୟ ଉଦୟ ହୋଇଥିବା ଅସମ୍ଭବ ନୁହେଁ ଯେ ଚୀନ ଗୋଟିଏ ନିରୋଳା ସାହାଯ୍ୟକାରୀ ମିତ୍ର ରାଷ୍ଟ୍ର ମାତ୍ର ନୁହେଁ; ବରଂ ତାହା ହେଉଛି ଅର୍ଥ ପ୍ରତିବଦଳରେ ମା˚ସ ଖଣ୍ତ ଦାବି କରୁଥିବା ସେକ୍‌ସପିଅରଙ୍କ ‘ସାଇଲକ୍‌’। ଏଣେ, ପାକିସ୍ତାନର ଅନ୍ୟ ଏକ ପଡ଼ୋଶୀ ଏବ˚ ମିତ୍ର ରାଷ୍ଟ୍ର ଆଫଗାନିସ୍ତାନ ମଧ୍ୟ ସୀମାରେଖା ବିବାଦ କାରଣରୁ ତା’ ସହ ମୁହାଁମୁହିଁ ହେବାକୁ ଆରମ୍ଭ କଲାଣି। ଏହି ସବୁ କାରଣରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁ ଏଭଳି ଏକ ଦୟନୀୟ ସ୍ଥିତିରେ ଅଛନ୍ତି, ଯାହା ତାଙ୍କ ପୂର୍ବବର୍ତ୍ତୀ କୌଣସି ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟରେ ଦେଖା ଦେଇ ନ ଥିଲା। ଏଭଳି ସ୍ଥଳେ ପାକିସ୍ତାନକୁ ଏକ ଦୃଢ଼ ରାଷ୍ଟ୍ର ଭାବେ ଛିଡ଼ା କରାଇବାକୁ ହେଲେ ଭାରତ ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଯେ ଏକାନ୍ତ ଜରୁରୀ; ତାହା ହୃଦ୍‌ବୋଧ ହେବାରେ ବିସ୍ମୟର କୌଣସି କାରଣ ନାହିଁ।

ନିକଟରେ ମିତ୍ର ଲାଭ କରିବାର ଇଚ୍ଛାର ପୂର୍ବାଭାସ ମଧୢ ମିଳିସାରିଛି, ଯହିଁରେ ଭାରତ ଓ ପାକିସ୍ତାନ ମଧୢରେ ଯୁଦ୍ଧ ବିରତି ରାଜିନାମା ସ˚ପାଦିତ ହୋଇଛି। ଏହା ମଧ୍ୟ ସର୍ବ ସ୍ବୀକୃତ ଯେ ଯେତେ ଦୁର୍ବଳ ହେଲେ ମଧୢ ପାକିସ୍ତାନ ଭଳି ଏକ ଆଣବିକ ଶକ୍ତି ସ˚ପନ୍ନ ରାଷ୍ଟ୍ରକୁ ଏକ ଯୁଦ୍ଧ ବଳରେ ପରାଜିତ କରିବା ଭାରତ ପକ୍ଷରେ ଆଦୌ ସମ୍ଭବପର ନୁହେଁ। ଏହା ସହିତ ଭାରତ ନିଜ ସ୍ବାର୍ଥ ଲାଗି ପାକିସ୍ତାନକୁ ଚୀନ୍‌ର ପ୍ରଭାବରୁ ମୁକ୍ତ କରିବା ଜରୁରୀ। ଜେନେରାଲ ବାଜଵାଙ୍କ ସଦ୍ୟତମ ମନ୍ତବ୍ୟରେ ଧାରା ୩୭୦ର ଉଚ୍ଛେଦ ସମ୍ବନ୍ଧରେ ଶବ୍ଦଟିଏ ସୁଦ୍ଧା ଶୁଣିବାକୁ ମିଳିନାହିଁ, ଯାହାକୁ ଏକ ବାଧୢବାଧକତା ବୋଲି ଧରାଗଲେ ସୁଦ୍ଧା ପାକିସ୍ତାନ ଲାଗି ତାହା ହିଁ ଏକ ପରମ ବାସ୍ତବତା। ତେଣୁ ଅନ୍ତତଃ ପକ୍ଷେ ପାକିସ୍ତାନକୁ ସତର୍କତାର ସହିତ ବିଶ୍ବାସକୁ ନିଆଯିବା ଉଚିତ। ଏ ଭଳି ଏକ ସ୍ଥିତିରେ ତତ୍କାଳ ରାଜନୈତିକ ଲାଭ ହାସଲ କରିବା ଲାଗି ଭାରତରେ ମୁହୁର୍ମୁହୁଃ ଉଠୁଥିବା ପାକିସ୍ତାନ ବିରୋଧୀ ହୁଙ୍କାରକୁ ହୁଏ’ତ ପ୍ରଶମନ କରାଯିବା ଆବଶ୍ୟକ। ଏକ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହା ସମୀଚୀନ ମଧୢ।

ସମ୍ବନ୍ଧିତ ଖବର