ଗତ ସପ୍ତାହରେ ‘ସମ୍ବାଦ’ର ଇ-ସ˚ସ୍କରଣର ‘ସାହିତ୍ୟ ସମୟାତୀତ’ ପୃଷ୍ଠାରେ ପୁନଃ ପ୍ରକାଶିତ ଫତୁରାନନ୍ଦଙ୍କର ଲାଞ୍ଚଖୋର ପୁଲିସ ପ୍ରତି ଉଦ୍ଦିଷ୍ଟ ବ୍ୟଙ୍ଗ କାହାଣୀ ‘ଖେପା ଜାଲରେ କୁମ୍ଭୀର’ରେ ସମ୍ପୃକ୍ତ ପୁଲିସ ବାବୁମାନେ ଲାଞ୍ଚ ନୋଟ୍ ଗଣିବା ପାଇଁ ନୋଟ୍ଗଣା ଯନ୍ତ୍ର ବ୍ୟବହାର କରିବା ଦେଖାଯାଇନଥିଲା। ଏହାର କାରଣ ହୋଇପାରେ ଦୁଇଟି। ଗୋଟିଏ ହେଲା- ଫତୁରାନନ୍ଦଙ୍କ ସମୟରେ ନୋଟ୍ଗଣା ଯନ୍ତ୍ରର ପ୍ରସାର ଘଟି ନ ଥିଲା। ଦ୍ବିତୀୟଟି ହେଉଛି ତାତ୍ତ୍ବିକ। ଅର୍ଥଶାସ୍ତ୍ରରେ ବ୍ୟବସାୟୀ ବା ଉଦ୍ୟୋଗପତିମାନେ ସରକାରୀ ପକ୍ଷ (ଯେମିତି ପୁଲିସ)କୁ ଲାଞ୍ଚ ଦେଇ ପ୍ରତିବଦଳରେ କିଛି ସୁବିଧା ହାସଲ କରିବା ତତ୍ତ୍ବକୁ ‘ରେଣ୍ଟ ସିକିଙ୍ଗ୍’ ବୋଲି ଅଭିହିତ କରାଯାଇଥାଏ।
ଏହି ତତ୍ତ୍ବର ଜନକ ହେଉଛନ୍ତି ଆମେରିକୀୟ ଅର୍ଥଶାସ୍ତ୍ରୀ ଗର୍ଡନ୍ ଟଲକ୍, ଯିଏ ୧୯୬୭ରେ ପ୍ରଥମେ ଏହା ପ୍ରକାଶ କରିଥିଲେ। ତାଙ୍କର ଏହି ତତ୍ତ୍ବ ସହିତ ଏକ ବିଡ଼ମ୍ବନା ଯୋଡ଼ି ହୋଇ ରହିଥାଏ, ଯାହା ‘ଟଲକ୍ ପାରାଡକ୍ସ’ ରୂପେ ପରିଚିତ। ବିଡ଼ମ୍ବନାଟି ହେଲା ଏହା ଯେ ସମ୍ପୃକ୍ତ ବ୍ୟବସାୟଟି ଲାଞ୍ଚ ବା ବଟି ଦେବା ବଦଳରେ ଯେଉଁ ସୁବିଧା ପାଇଥାଏ, ସେଇ ସୁବିଧା ଜନିତ ଲାଭର ଆକାର ତୁଳନାରେ ବଟିର ପରିମାଣ ଅତ୍ୟନ୍ତ ନଗଣ୍ୟ ହୋଇପାରେ। ଫତୁରାନନ୍ଦଙ୍କ କାହାଣୀ ପାଠକ ପାଠିକାଙ୍କ ମନରେ ଯେଉଁ ଧାରଣା ସୃଷ୍ଟି କରିଥାଏ, ତାହା ହେଲା, କାହାଣୀର ପୁଲିସ ବାବୁମାନେ ସେଦିନ ବୁଲି ବୁଲି ଯେଉଁ ବଟି ଆଦାୟ କରୁଥିଲେ, ତାହା ଏହି ‘ଟଲକ୍ ପାରାଡକ୍ସ’ ଶ୍ରେଣୀର ଥିଲା। ବଟି ଆକାରରେ ଆଦାୟ ହୋଇଥିବା ନୋଟ୍ ଗଣିବା ପାଇଁ ପୁଲିସ ବାବୁଙ୍କର ହାତର ଅଙ୍ଗୁଳି ଯଥେଷ୍ଟ ଥିଲା। ତେଣୁ ନୋଟ୍ ଗଣା ଯନ୍ତ୍ରର ଆବଶ୍ୟକତା ନ ଥିଲା।
ପରବର୍ତ୍ତୀ ସମୟରେ ୧୯୯୭ରେ ଟଲକ୍ଙ୍କ ତତ୍ତ୍ବକୁ ସମ୍ପ୍ରସାରିତ କରି ରାଜନେତାମାନଙ୍କ ଦ୍ବାରା ବଟି ଆଦାୟ ଉପରେ ଏକ ସାରଗର୍ଭକ ଅନୁଶୀଳନ ପ୍ରକାଶ କରିଥିଲେ ଆଇନଜ୍ଞ-ଅର୍ଥନୀତିଜ୍ଞ ଫ୍ରେଡ୍ ମାକ୍ଚେସ୍ନି ତାଙ୍କର ପ୍ରସିଦ୍ଧ ପୁସ୍ତକ, ‘ମନି ଫର୍ ନଥିଙ୍ଗ୍: ପଲିଟିସିଆନ୍ସ, ରେଣ୍ଟ୍ ଏକ୍ସଟ୍ରାକ୍ସନ୍, ଆଣ୍ତ ପଲିଟିକାଲ୍ ଏକ୍ସଟର୍ସନ୍’ (‘ପବନରୁ ପଇସା: ରାଜନେତା, ବଟି ଆଦାୟ, ଏବ˚ ରାଜନୈତିକ ଜବର ଶୋଷଣ’)ରେ। ସେ ପୁସ୍ତକରେ ମାକ୍ଚେସ୍ନି ଲେଖିଛନ୍ତି ଯେ, କୌଣସି ଏକ ବ୍ୟବସାୟ ସରକାରଙ୍କୁ ଲାଞ୍ଚ ଦେଇ ନିଜ ପାଇଁ କିଛି ସୁବିଧା ହାସଲ କରି ନେବାରେ (ଯେମିତି, କାରଖାନା ପ୍ରତିଷ୍ଠା ପାଇଁ, ଏକ ଜଙ୍ଗଲ କିସମ ଜମିର କିସମ ପରିବର୍ତ୍ତନ କରାଇନେବା) ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; କିନ୍ତୁ ଯାହା କମ୍ ବୋଧଗମ୍ୟ, ତାହା ହେଲା କୌଣସି ଘରୋଇ ମାଲିକାନାରେ ଥିବା ସମ୍ପଦକୁ ନେଇ ନ ଯିବାକୁ କିମ୍ବା ଧ୍ବ˚ସ ନ କରିବାକୁ ପ୍ରତିଶ୍ରୁତି ଦେବା ପ୍ରତିବଦଳରେ ସମ୍ପୃକ୍ତ ସମ୍ପଦର ମାଲିକଙ୍କ ଠାରୁ ବଟି ଆଦାୟ କରିବା, ଯାହାକୁ ଅର୍ଥଶାସ୍ତ୍ର ଭାଷାରେ କୁହାଯାଏ- ‘ରେଣ୍ଟ୍ ଏକ୍ସଟ୍ରାକ୍ସନ’ (‘ଲାଞ୍ଚ ଜବରଶୋଷଣ’)।
ମାକ୍ଚେସ୍ନି ତାଙ୍କ ପୁସ୍ତକରେ ସିଧାସଳଖ କହିଛନ୍ତି ଘରୋଇ କ୍ଷେତ୍ରରେ ଏପରି ‘ରେଣ୍ଟ୍ ଏକ୍ସଟ୍ରାକ୍ସନ’ ମଧୢ ଦେଖାଯାଇଥାଏ, ଯେମିତି ମାଫିଆମାନେ କରୁଥିବା ‘ହପ୍ତା ଅସୁଲ’- ଦାଦାବଟି ନ ଦେଲେ ତାଙ୍କ ଇଲାକାରେ ବ୍ୟବସାୟ କରି ହେବ ନାହିଁ; କିନ୍ତୁ ସରକାରୀ କ୍ଷେତ୍ରରେ ହେଉଥିବା ‘ରେଣ୍ଟ ଏକ୍ସଟ୍ରାକ୍ସନ୍’ ତୁଳନାରେ ଏହା କିଛି ନୁହେଁ। ମାକ୍ଚେସ୍ନିଙ୍କ ମଡେଲ୍ରେ କ୍ଷମତାସୀନ ସରକାର ଟିକସ, ନିୟମକାନୁନ୍ ଆଦିରେ ପରିବର୍ତ୍ତନ ଘଟାଇବାର କ୍ଷମତାକୁ ଧମକ ରୂପେ ବ୍ୟବହାର କରି ଶିକାରମାନଙ୍କ ଠାରୁ ବିଶାଳ ଲାଞ୍ଚ ଆଦାୟ କରିଥାନ୍ତି। ସମ୍ପୃକ୍ତ ଶିଳ୍ପ ବା ବ୍ୟବସାୟର କ୍ଷତି ନ ଘଟାଇବା ପାଇଁ ପ୍ରତିଶ୍ରୁତି ଦେଇ ରାଜନେତାମାନେ ଏ ଯେଉଁ ବିପୁଳ ଅର୍ଥ ଆଦାୟ କରିପାରନ୍ତି, ତା’ ବଦଳରେ ସେମାନଙ୍କୁ କିଛି ପରିଶ୍ରମ କରିବାକୁ କିମ୍ବା ଉତ୍ପାଦନ କରିବାକୁ ପଡ଼ି ନଥାଏ। ସେଇ କାରଣରୁ ମାକ୍ଚେସ୍ନି ଏହି ଆୟ ଅର୍ଜନ ପ୍ରକ୍ରିୟାର ନାମକରଣ କରିଛନ୍ତି: ‘ପବନରୁ ପଇସା’।
ବର୍ତ୍ତମାନ ମହାରାଷ୍ଟ୍ରର ଗୃହମନ୍ତ୍ରୀଙ୍କ ବିରୋଧରେ ମୁମ୍ବାଇର ସଦ୍ୟ ଅପସାରିତ ପୁଲିସ କମିସନର୍ ପରମବୀର ସି˚ହ ଯେଉଁ ଦାଦାବଟି ଆଦାୟ ଅଭିଯୋଗ ଆଣିଛନ୍ତି, ତାହା ଯେ ଫତୁରାନନ୍ଦଙ୍କ ଗଳ୍ପର ‘ଟଲକ୍ ପାରାଡକ୍ସ’ ଅପେକ୍ଷା ମାକ୍ଚେସ୍ନିଙ୍କ ଏହି ‘ପଲିଟିକାଲ୍ ଏକ୍ସଟର୍ସନ’ ମଡେଲ୍ ସହିତ ଅଧିକ ଖାପ୍ ଖାଇଥାଏ, ତାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଏହି ଘଟଣାକ୍ରମ ସହିତ ପରିଚିତ ଯେ କେହି ସ୍ବୀକାର କରିବେ। ପରମବୀରଙ୍କ ଅଭିଯୋଗ ଅନୁସାରେ ମୁମ୍ବାଇରେ ବ୍ୟବସାୟ କରୁଥିବା ରେଷ୍ଟୁରାଣ୍ଟ ଓ ବାର୍ ଆଦିମାନଙ୍କର ମାଲିକମାନଙ୍କ ଠାରୁ ମାସକୁ ଅନ୍ତତଃ ଏକ ଶହ କୋଟି ଟଙ୍କାର ବଟି ଆଦାୟ କରିବାକୁ ଗୃହମନ୍ତ୍ରୀ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଅବଶ୍ୟ ଏ ସମସ୍ତ କଳା ଟଙ୍କା ନୋଟ୍ ଆକାରରେ ହିଁ ଆଦାୟ ହେବାକୁ ବାଧୢ; ତେଣୁ ଆଦାୟ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ଜଣକ ଏକ ନୋଟ୍-ଗଣା ମେସିନ୍ ସାଙ୍ଗରେ ଧରି ବୁଲୁଥିବା ସମ୍ବାଦ ପ୍ରକାଶ ପାଇଛି- ନ ହେଲେ ଫତୁରାନନ୍ଦଙ୍କ ପୁଲିସ ଭଳି ଏତେ ନୋଟ୍ ହାତରେ ଗଣିବା କ’ଣ ସମ୍ଭବ?
ସ୍ବାଧୀନ ଭାରତର ଇତିହାସର ଅନେକ ପୃଷ୍ଠା ବିଭିନ୍ନ ରାଜନୈତିକ ଦୁର୍ନୀତି କାହାଣୀ ଦ୍ବାରା କଳଙ୍କିତ ହୋଇଛି; କିନ୍ତୁ ଏପରି ଏକ ଘଟଣା ପଦାକୁ ଫୁଟି ବାହାରିବା ଏହା ହେଉଛି ପ୍ରଥମ ଯେଉଁଠି ଜଣେ ପଦାସୀନ ସର୍ବୋଚ୍ଚ ସ୍ତରର ପୁଲିସ ଅଧିକାରୀ ତାଙ୍କ ବିଭାଗର ସର୍ବୋଚ୍ଚ ରାଜନୈତିକ ମୁଖ୍ୟ ଗୃହମନ୍ତ୍ରୀଙ୍କ ବିରୋଧରେ ଏଭଳି ଏକ ସଙ୍ଗିନ୍ ଆପରାଧିକ ଅଭିଯୋଗ ଆଣିଛନ୍ତି। ଯେହେତୁ ପରମବୀର ସି˚ହ ଏହାକୁ ଏକ ବିଧିବଦ୍ଧ ଔପଚାରିକ ଅଭିଯୋଗ ରୂପେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିଛନ୍ତି, ଏହାକୁ ଏକ ଆକ୍ରୋଶମୂଳକ କୁତ୍ସାରଟନା କହି ଏଡ଼ାଇ ଦେଇ ହେବ ନାହିଁ। ଏକ ସଭ୍ୟ ଦେଶରେ ପୁଲିସର କାର୍ଯ୍ୟ ହେଉଛି ଶିଳ୍ପ ବ୍ୟବସାୟ ଆଦିକୁ ଅବାଧରେ ନିରଙ୍କୁଶ ଭାବରେ କାର୍ଯ୍ୟ କରିବାରେ ସହାୟକ ହେବା ଯେମିତି, ମାକ୍ଚେସ୍ନି ବର୍ଣ୍ଣିତ ମାଫିଆ କବଳରୁ ଶିଳ୍ପ ବ୍ୟବସାୟକୁ ସୁରକ୍ଷିତ ରଖିବା। ମୁମ୍ବାଇର ପୂର୍ବତନ ପୁଲିସ କମିସନର୍ଙ୍କ ଅଭିଯୋଗ ଯଦି ସତ ହୋଇଥାଏ (ସେ ନିଜର ଚାକିରି ଓ କ୍ୟାରିଅରକୁ ବାଜି ଲଗାଇ ଏଭଳି ଅଭିଯୋଗ କରିଛନ୍ତି), ତେବେ ଖୋଦ୍ ମୁମ୍ବାଇ ପୁଲିସ ଏକ ସରକାରୀ ବଟି ଆଦାୟକାରୀ ମାଫିଆ ସ˚ଗଠନ ରୂପେ ଆବିର୍ଭୁତ ହୋଇଛି, ଯାହାର ଗଡ୍ ଫାଦର୍ ହେଉଛନ୍ତି ଖୋଦ୍ ଗୃହମନ୍ତ୍ରୀ।
ରାଜନୈତିକ ଦୃଷ୍ଟିକୋଣରୁ ପରମବୀର ସି˚ହଙ୍କର ଏହି ଅଭିଯୋଗର ତାତ୍ପର୍ଯ୍ୟ ଗୃହମନ୍ତ୍ରୀଙ୍କୁ ଅତିକ୍ରମ କରି ସୁଦୂରପ୍ରସାରୀ ହୋଇଥାଏ। ସେ ରାଜ୍ୟରେ ଗୋଟିଏ ଦଳର ସରକାର ନୁହେଁ ତିନିଗୋଟି ଦଳର ପରିବାର ହେଉଛି ସରକାର। ଯେଉଁମାନେ ମାରିଓ ପୁଜୋଙ୍କ କ୍ଲାସିକ୍ ସ˚ଗଠିତ ମାଫିଆ ଅପରାଧ ଉପନ୍ୟାସ ‘ଦି ଗଡ୍ ଫାଦର୍’ ସହିତ ପରିଚିତ, ସେମାନଙ୍କୁ ଏକ ମାଫିଆ ପରିବାରର ଆଦର୍ଶ ଭଲ ରୂପେ ଜଣାଥିବ: ‘ଦି ଫାମିଲି ଦ୍ୟାଟ୍ ପ୍ରେଜ୍ ଟୁଗେଦର, ଷ୍ଟେଜ୍ ଟୁଗେଦର୍’। ଏଠାରେ ‘ପ୍ରେ’ ଅର୍ଥ ପ୍ରାର୍ଥନା କରିବା ନୁହେଁ, ଶିକାର କରିବା। ଏକାଠି ଶିକାର କରୁଥିବା ପରିବାର ହିଁ ଏକାଠି ରହିଥାଏ।